puspanjali das

Tragedy

3  

puspanjali das

Tragedy

ଅସ୍ତିତ୍ବ ର ଗୋଟିଏ ଫର୍ଦ୍ଦ..

ଅସ୍ତିତ୍ବ ର ଗୋଟିଏ ଫର୍ଦ୍ଦ..

4 mins
254



      ଲୁଗା କାନି ରେ ହାତ ପୋଛି ପୋଛି ଫୁଲ ରୋଷେଇଘରୁ ବାହାରି ଆସୁଥିଲା,ଦେଖିଲା ପିଲାଦୁଇଟି ତାର ଡ୍ରଇଂ ରୁମ ରୁ କଣ ଯୁକ୍ତି ତର୍କ କରି ପସିଆସୁଥିଲେ ତା'ପାଖକୁ।ହଠାତ କଣହେଲା,କିଛି ବୁଝି ନ ପାରି ,କିଛି କହିବାକୁ ଯାଉଥିବାର ଦେଖି ଚୁନି ମୁନି,ତା'ଯାଆଁଳା ଝିଅ ଦୁଇଜଣ,ତା'କୁ ଏକପ୍ରକାର ଘେରି ଯାଇଥିଲେ!ବେଡ଼ରୁମ କୁ ଟାଣିନେଇ ଖଟ ଉପରେ ବସାଇଦେଇ,ତାକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ-ବୋଉ,ତୁ କାହିଁକି ଆମକୁ ତୋ ପିଲାବେଳ କଥା କହିନଥିଲୁ?ତୁ ଖାଲି ସବୁବେଳେ ତୋ'ବୋଉ କଥା ଆମ ଆଗରେ କହୁଥିଲୁ,ସିଏ କେମିତି ସୁନ୍ଦର କବିତା ଲେଖେ,ଉପନ୍ୟାସ ଲେଖେ,କେତେ ପ୍ରକାର ପିଠାପଣା କରେ,ସୁନ୍ଦର ସୁନ୍ଦର ଘରକରଣା ଜିନିଷ ହାତରେ ତିଆରି କରିପାରେ,ସବୁଥିରେ ତୋ ବୋଉ ଧୁରନ୍ଧର ବୋଲି,ସବୁବେଳେ ସବୁକଥାରେ କହି ଆସୁଥିଲୁ!ତୋ ପିଲାବେଳ ର କଥା ତ ଦିନେ ହେଲେ ଆମକୁ କହିନାହୁଁ!!

        ଅଚାନକ ଏମିତିକା ଏତେ ଗୁଡିଏ ପ୍ରଶ୍ନ ରେ ଫୁଲ ଯେମିତି ଛନ୍ଦି ହୋଇ ପଡୁଥିଲା!ପିଲାଙ୍କୁ କଣ କହି ବୁଝାଇବ,ଜାଣିପାରୁନଥିଲା!ଏତେବର୍ଷ ପରେ ପିଲାମାନେ କାହିଁକି ଏମିତି ପ୍ରଶ୍ନ କରୁଛନ୍ତି ଜାଣିବାକୁ ଯାଇ,ପଚାରିଦେଇଥିଲା-ଆରେ ,ଏମିତି କାହିଁକି ବ୍ୟସ୍ତ ହୋଇପଡୁଛ?କିଏ ତୁମ କୁ କଣ କହିଲା କି?କଣ ପାଇଁ ଆଜି ଏ ପ୍ରଶ୍ନ?ଚୁନି ,ମୁନି ଏଥର ତା'ମୁହଁ କୁ ଅନେଇ କହିଉଠିଲେ-ସତ କହ,ତୋ ପିଲା ବେଳ କଥା ଆମକୁ ସବୁ କହିବୁ,କିଛି ବି ଲୁଚେଇବୁନି!ବାହାର ଲୋକଙ୍କ ଠାରୁ ଶୁଣି,ଆମକୁ ବହୁତ ଆଶ୍ଚର୍ଯ୍ୟ ,ଆଉ ଖରାପ ବି ଲାଗିଲା!କାରଣ,ତୋ ବୋଉ କଥା ତୁ ସବୁବେଳେ କହୁଥାଉ,ଆଉ ଆମେମାନେ ତୋ ଝିଅ ହୋଇ,ତୋ ବିଷୟରେ କିଛି ବି ଜାଣିନୁ!ବାହାର ଲୋକଙ୍କ ଠାରୁ ଶୁଣୁଛୁ,ତୋ ପିଲାବେଳ ର ଘଟଣା!ଫୁଲ ଏଥର ଆଉ ଚୁପ ରହିପାରିନଥିଲା–ଧୀରେ ଧୀରେ ପଚାରିଥିଲା–କାହାଠୁ କଣ ଶୁଣିଲ?ତା'ଛଡା,ମୋ ପିଲାବେଳେ ସେମିତି କିଛି ଘଟି ନ ଥିଲା, ଯୋଉକଥା ତୁମେମାନେ ବାହାରୁ ଶୁଣି ବ୍ୟସ୍ତ ହେବ!ଏତିକି କଥାରେ ଚୁନି ମୁନି ତା'କଥା କାଟିକି କହିବାକୁ ଆରମ୍ଭ କରିଥିଲେ–ଆରେ,ଆମେ ବ୍ୟସ୍ତ ହଉନୁ,ହେଲେ ଦୁଃଖ ଲାଗୁଛି ଯେ ତୋ ମୁହଁରୁ କାହିଁକି ଏତେବର୍ଷ ହବ ଆମେ କିଛି ଶୁଣି ନ ଥିଲୁ ବୋଲି!ଆଜି ମାମୁଁ ଘରେ ,ସାନ ମାମୁଁ ଙ୍କ ପିଲା ବେଳ ର ଜଣେ ସାଙ୍ଗ ଆସିଥିଲେ, ଯିଏ ଆମେରିକା ରେ ରୁହନ୍ତି,ତାଙ୍କ ପାଖରୁ ଶୁଣିଲୁ ଯେ ,ତୁ କୁଆଡେ ,ତୋ ବାପଘର ସାହି ର ପିଲା ମାନଙ୍କ ଭିତରେ ଝିଅ ମାନଙ୍କ ର ଲିଡର୍ ଥିଲୁ!ଗୀତ, ନାଚ,ଖେଳ,ସବୁଥିରେ ଆଗୁଆ ଥିଲୁ!ଆଉ ସମସ୍ତଙ୍କୁ ମୁହେଁ ମୁହେଁ ଶୁଣାଇଦେଇ ଚୁପ କରାଇ ଦେଉଥିଲୁ!ସାନ ମାମୁଁଙ୍କ ପିଲାବେଳ ର ସାଙ୍ଗମାନେ ବି ତତେ ଡରୁଥିଲେ, ସତରେ ବୋଉ??ଆଜି ସେ ମାମୁଁ ଜଣକ ତୋ ବିଷୟ ରେ ଯେତେ ବେଳେ ପଚାରିଲେ ଯେ ,ତୁ ସେମିତି ଅଛୁ ନା ବଦଳି ଯାଇଛୁ,ଆମେ କଣ କହିବୁ କିଛି ବୁଝି ପାରିଲୁନି!ଆମେ ତ ତୋର ସେ ରୂପ ନା କେବେ ଦେଖିନୁୁ!!କେମିତି କହିବୁ??ତୁ ତ ଏ ଘରେ ସମସ୍ତ ଙ୍କୁ ଏତେ ଡରି ଡରି ,ଆମକୁ ବଢ଼ାଇଛୁ!ଗୀତ, ନାଚ,ଖେଳ କୂଦ କଥା ର ତ ଆମେ ଟିକିଏ ବି ଆଭାସ ପାଇନୁ!!

   ପିଲାଙ୍କ ର ଏତେଗୁଡାଏ କଥା ଶୁଣିସାରି ଫୁଲ ଯେମିତି ବାକ୍ ଶୁନ୍ୟ ହୋଇ ଯାଇଥିଲା!ଏତେ ବର୍ଷ ତଳ ର କଥା ତାକୁ କିଏ ଏମିତି ମନେପକାଇଦେଵ ,ଜମାରୁ ଭାବି ପାରି ନ ଥିଲା!ମୁହଁରେ ତା'ର ସତେ ଯେମିତି ଗୋଟିଏ ପରେ ଗୋଟିଏ ରଙ୍ଗ ଆସି ଚାଲି ଯାଉଥିଲା !ପିଲାବେଳ ର ସ୍ମୃତି ସବୁ ଯେମିତି ଚେଇଁ ଉଠୁଥିଲା- ସତରେ ଦୀର୍ଘ ୪୬/୪୭ ବର୍ଷ ତଳ ର କଥା ତାକୁ କାଲି ପରି ଲାଗୁଥିଲା!ସବୁବେଳେ ତ ସିଏ ନିଜକୁ ବୁଝାଇ ଦେଉଥିଲା ଯେ ସେସବୁ କୁ ସେ ଭୁଲି ଯାଇଛି ବୋଲି!କିନ୍ତୁ ଆଜିତ ସବୁ ଗୋଟି ଗୋଟି ହୋଇ ତା' ମନ ପରଦା ରେ ନାଚି ଉଠୁଛି!ସ୍କୁଲ ଛୁଟି ପରେ ଘରେ ପସୁ ପସୁ ,ବୋଉ ହାତକୁ ବସ୍ତାନି ଟି ବଢ଼େଇଦେଇ ,ତା'କଥା ଟିକେ ନଶୁଣି ଦୌଡ଼ି ଚାଲିଯାଉଥିଲା ଘର ପାଖରେ ଥିବା ପଡିଆ ଟି କୁ,ଯୋଉଠି ତା'ର ସବୁ ସାଙ୍ଗମାନେ ତା' ଆସିବା ବାଟକୁ ଅନେଇ ବସୁଥିଲେ।ଫୁଲ ପହଞ୍ଚି ଲା ମାତ୍ରେ,ଦୁଇ ଲିଡର୍ ଙ୍କ ମଧ୍ୟରେ ଦୁଇ ଦଳ ବଣ୍ଟା ହୋଇ ଯାଉଥିଲା, ଆଉ ତା'ପରେ ସନ୍ଧ୍ୟା ପର୍ଯ୍ୟନ୍ତ କବାଡି,ବୋହୁଚୋରି ଖେଳ ରେ ମାତି ଯାଉଥିଲେ ସମସ୍ତେ।ତା'ର ଟିକିଏ ଡେରି ହେଇଗଲେ,ତା'ଘର ଆଗରେ ସମସ୍ତେ ଚୁପଚାପ ଠିଆହୋଇ ,ତାକୁଇ ଅପେକ୍ଷା କରୁଥିଲେ।ତା'ପରିଚାଳନା ରେ ସବୁଦିନ ଖେଳ ର ଆସର ଜମି ଯାଉଥିଲା, ଆଉ କୁମାର ପୂର୍ଣ୍ଣିମା ପୂର୍ବରୁ ଡ୍ରାମା ଶିଖା ହେବାପାଇଁ ସମସ୍ତେ ତାକୁଇ ଆଗକୁ ପେଲି ଦେଉଥିଲେ।ତା' ସାନଭାଇ ର ସାଙ୍ଗମାନେ ସେ ସାହିର ପୁଅଯେତେକ ଥିବାରୁ ,ସେମାନଙ୍କୁ ଏକାଠି କରିବାକୁ ଭାଇ ଭଉଣୀ ଦୁଇ ଜଣଙ୍କୁ ଅସୁବିଧା ବେଶି ହେଉନଥିଲା!ସେ ସାହି ର ସମସ୍ତ ଙ୍କ ର ଘର ଲୋକ ଙ୍କୁ ଦର୍ଶକ କରାଇ,ଭାଇ ଭଉଣୀ ଦୁହେଁ ,ଡ୍ରାମା, ନାଚ,ଗୀତ କରି ଖୁବ ସହଜରେ ପୂର୍ଣ୍ଣ ମୀ ର ରାତି ଟି ମଧ୍ୟ କଟେଇ ଦେଉଥିଲେ!

     ହଠାତ ଚୁନି ର ହାତ କାନ୍ଧ ରେ ପଡିବାରୁ,ଭାବନା ରାଜ୍ୟ ରୁ ବାହାରି ଆସି ଫୁଲ ପ୍ରକୃତିସ୍ଥ ହୋଇଥିଲା ।ଦେଖିଲା, ମୁନି ପୁରୁଣା କାଠ ବାକ୍ସ ଟାକୁ ଟେକି ଟେକି ତା'ପାଖକୁ ଆଣୁଛି,ଯାହାଭିତରେ ତା'ର ଅତି ଆପଣାର ହାରମୋନିୟମଟା କେତେ ଦଶନ୍ଧି ହେବ ଲୁଚିକି ରହିଛି!ଚୁନି ଦୌଡ଼ିଯାଇ ,ମୁନି ସାଙ୍ଗରେ ମିଶିଯାଇ ସେ ବାକ୍ସ ଟା ଭିତରୁ ହାରମୋନିୟମ୍ ଟା କାଢ଼ିବାରେ ସାହାଯ୍ୟ କଲା,ଦୁଇଜଣ ଯାକ ଧରା ଧରି କରି ତା'ପାଖରେ ଆଣି ଥୋଇଦେଲେ।ସେମାନେ କିଛି କହିବା ପୂର୍ବରୁ, ଫୁଲ ର ହାତ ଟା ଯେମିତି ମନ କୁ ମନ ଚାଲିଯାଇଥିଲା ସେ ହାରମୋନିୟମ ଉପରକୁ,ଧୀରେ ଧୀରେ ହାତ ବୁଲାଇଆଣିଥିଲା,ସତେ ଯେମିତି, ପୁରୁଣା ସ୍ମୃତି ସବୁକୁ ସାଉଁଟି ନେବାକୁ ଚେଷ୍ଟା କରୁଥିଲା।ପିଲାମାନେ ତା'ର କେହି ଗୀତ ଶିଖିଲେନି ବୋଲି ତାର ଅବଶୋଷ କୁ ଯେମିତି ଲୁଚାଇ ବାକୁ ଚେଷ୍ଟା କରି ସିଏ ସେଇ ହାରମୋନିୟମ ଟା କୁ କାଠ ବାକ୍ସ ରେ ପୁରାଇ ରଖିଦେଇଥିଲା ଯେ ,ଥରୁ ଟିଏ ବି ବାହାର କରିବାକୁ ସାହସ କରିନଥିଲା!ଚୁନି ମୁନି କିନ୍ତୁ ଏସବୁ କିଛି ଜାଣିପାରିନଥିଲେ-ଏକା ସାଙ୍ଗରେ କହିଉଠିଲେ-ବୋଉ,ତୁ ଏବେ ବଜେଇପାରିବୁ?ତୋର ମନେ ଅଛି?ଆମେ କେହି ଗୀତ ଶିଖିଲୁନି ବୋଲି ତୋର ଦୁଃଖ ରହିଯାଉଥିଲା,ଆମେ ଜାଣିଥିଲୁ,କିନ୍ତୁ ତୁ ଗୀତ ,ନାଚ ,ଖେଳ ସବୁଥିରେ ଏତେ ଭଲ କରୁଥିଲୁ ବୋଲି ଆମେ ତ ଜମା ଜାଣିନଥିଲୁ!!ସେଥିପାଇଁ ବୋଧେ ଆମେ ମାନେ ନାଚ ନ ଶିଖି କି ବି ଏତେ ପୁରସ୍କାର ଆଣି ଡ୍ରଇଂ ରୁମ ଭର୍ତ୍ତି କରିଦେଇଛୁ।ଆମେ ମାନେ ସବୁବେଳେ ଭାବୁଥିଲୁ-ଆମ ଘରେ ତ କେହି ନାଚନ୍ତିନି,ଆମେ କେମିତି ଏତେ ଭଲ ନାଚି ପାରୁଛୁ!!

      କାଠ ବାକ୍ସ ଟିକୁ ଖଟ ତଳକୁ ଠେଲି ଦେଲାବେଳେ,ହଠାତ ଚୁନି ର ଆଖିରେ ପଡିଯାଇଥିଲା ଗୋଟିଏ ପୁରୁଣା ବଟୁଆ ଉପରେ,ଯୋଉଟା ଖୁବ ଯତ୍ନ ରେ ଯେମିତି କିଏ ବାନ୍ଧିକି ରଖି ଦେଇଥିଲା!ସେଇଟା କଣ ବୋଲି ,ଚୁନି ହାତରୁ ଟାଣି ନେଇଥିଲା ମୁନି।ଆଗରୁ ବଟୁଆ କେହି ଦେଖିନଥିବାରୁ,ଖୋଲି ନ ପାରି ଫୁଲ ହାତ କୁ ବଢ଼ାଇ ଦେଇଥିଲେ।ଫୁଲ ବଟୁଆ ଟି କୁ ହାତରେ ଧରି ଖୋଲିବ କି ନାହିଁ ଭାବୁ ଭାବୁ,ହଠାତ ଘର ଭିତରକୁ ପସି ଆସିଥିଲେ ତା'ସାନଭାଇ,ଆଉ ଫୁଲ ହାତରୁ ସେଇଟିକୁ ନେଇ ସଙ୍ଗେ ସଙ୍ଗେ ଖୋଲି ଦେଇଥିଲେ, ଯାହା ଭିତରୁ ଘୁଙ୍ଗୁର ଦୁଇ ପେନ୍ଥା ଅତି ଯତ୍ନ ରେ ଖଣ୍ଡେ ନାଲି କନାରେ ଗୁଡା ହୋଇ ରହିଥିଲା।ଫୁଲ ର ମୁହଁକୁ ଚାହିଁ କହିପକେଇଥିଲେ-ଏତେ ବର୍ଷ ହେଲା,ଏ ଘୁଙ୍ଗୁର କୁ ତୁ ସାଇତିକି ରଖିଛୁ!!ଚୁନି ମୁନି ଙ୍କ ପ୍ରଶ୍ନିଳ ଆଖି କୁ ଦେଖି କହିଦେଲେ-ଆରେ,ତୋ ବୋଉ ର ପିଲାଦିନ ର ସନ୍ତକ!!ୟାକୁଇ ଗୋଡ଼ ରେ ବାନ୍ଧି ତୋ ବୋଉ କେତେ ନାଚିଛି ଆମ ଡ୍ରାମା ରେ,ସ୍କୁଲ ଡ୍ରାମା ରେ!ତୁମ ମାନଙ୍କୁ ବୋଧେ ସିଏ କିଛି କହିନି,କି ମତେ ବି ଏସବୁ କହିବାର ସୁଯୋଗ ମିଳିନି!ଜୀବନ ଟା ଏତେ ଜଞ୍ଜାଳମୟ ହେଇ ଯାଇଥିଲା ଯେ ଏସବୁ କହିବାକୁ କି ଭାବିବା କୁ କାହାରି ପାଖରେ ସମୟ ନ ଥିଲା!!

        ଚୁନି ମୁନି ଫୁଲ ପାଖକୁ ଆଉଜି ଆସିଥିଲେ,କାନ୍ଧରେ ତା'ର ମୁହଁ ଗୁଞ୍ଜି କି କହିଉଠିଲେ-ବୋଉ,ତୋର ପିଲାଦିନ ର କଥା ସବୁ ଆମକୁ ଗୋଟି ଗୋଟି କରି କହ..ଆମେ ଆଉ ଆଈ କଥା ନୁହେଁ,ତୋ ପିଲାବେଳ ର କଥା,ତୋ ଜୀବନ ର ସବୁ କଥା..ଗୋଟି ଗୋଟି କରି ଶୁଣିବୁ..।ଫୁଲ ଭାବୁଥିଲା..ସତରେ କ'ଣ ତାର କିଛି ସେମିତି ପିଲାଙ୍କୁ କହିବାକୁ ଅଛି?ସବୁକଥା କ'ଣ ସିଏ ତା'ପିଲାଙ୍କ ଆଗରେ କହିପାରିବ?ତଥାପି,କେମିତି କେଜାଣି ମନ ଭିତରେ ଶୋଇପଡିଥିବା ସେଇ ଚପଳମତି ବାଳିକା ଟି ସତେ ଯେମିତି ଜିଇଁ ଉଠିଥିଲା!ନିସ୍ତେଜ ଆଖି ଦୁଇଟି ରେ ସାମାନ୍ୟ ଚମକ ଖେଳି ଯାଇଥିଲା!!


Rate this content
Log in

Similar oriya story from Tragedy