ଅସ୍ଥି ବିସର୍ଜନ
ଅସ୍ଥି ବିସର୍ଜନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବୁଢୀକୁ ଯିବାର ଚାରି ବର୍ଷ ହେଲାଣି। ତଥାପି ତାର ଅସ୍ଥିକୁ ଏତେ ପର୍ଯ୍ୟନ୍ତ ବିସର୍ଜନ କରି ପାରି ନାହାଁନ୍ତି କେଦାର ମହାନ୍ତି। ସାରା ଜୀବନ ଵୁଢୀଟା ତାଙ୍କ ପାଇଁ ଓ ତାଙ୍କ ପିଲାଙ୍କ ପାଇଁ କେବଳ ତ୍ୟାଗ ହିଁ କରିଛି। କେବେ କିଛି ମାଗିବା ତ ଦୂରର କଥା ପାଟି ଫିଟାଇ କେବେ ଉଁ କି ଚୁଁ ମଧ୍ୟ କରିନାହିଁ । ଜୀବନର ସବୁ ଦୁଃଖ କଷ୍ଟକୁ ଧୈର୍ଯ୍ୟ ଧରି ମୁକାବିଲା କରି ଜଣେ ସଚ୍ଚା ଜୀବନ ସାଥିର ପରିଚୟ ଦେଇଛି। ହେଲେ ତାର ଏଇ ଶେଷ କର୍ମଟିକୁ ମଧ୍ୟ କରି ପାରୁ ନାହାଁନ୍ତି କେଦାର ମହାନ୍ତି।
ହିନ୍ଦୁ ଧର୍ମର ମାନ୍ୟତା ଓ ପରମ୍ପରା ଅନୁସାରେ ମୃତ ବ୍ୟକ୍ତିର ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜନ କଲେ କୁଆଡେ ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ହୁଏ। ସେଇ ମାନ୍ୟତା ଅନୁସାରେ କେଦାର ମହାନ୍ତି ମଧ୍ୟ ତାଙ୍କ ସ୍ତ୍ରୀଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବା ପାଇଁ ରଖିଛନ୍ତି। ନିଜେ ଯଦି ଠିକ୍ ରେ ଚଲା ବୁଲା କରି ପାରୁଥାଆନ୍ତେ ତେବେ ତ କେବେରୁ କାମଟା ତୁଟାଇ ଦେଇ ଥାଆନ୍ତେ। ହେଲେ କଣ କରିବେ ବୟସ ଗଲା ପରେ ଶରୀର ଆଉ ବୋଲ ମାନୁନି। ଗୋଡ ହାତ ଠିକ୍ ରେ କାମ କରୁନି। ଆଖିକୁ ମଧ୍ୟ ଭଲରେ ଦେଖା ଯାଉନି। ଏଵେ ତ ଗାଁ ଭିତରେ ଥିବା ତାଙ୍କ ସାଙ୍ଗ ସାଥିଙ୍କ ଘରକୁ ମଧ୍ୟ ଟିକେ ଯାଇ ପାରୁ ନାହାଁନ୍ତି। ଆଉ ଏତେ ବାଟ ଯିବେ କେମିତି?
ପଞ୍ଚାଅଶୀ ଟପିଲାଣି। କେତେ ବେଳେ କେଉଁ କଥା । ତେଣୁ ମନେ ମନେ ସ୍ଥିର କଲେ ଏଥର ଦଶହରା ଛୁଟିରେ ପିଲାଙ୍କୁ ଘରକୁ ଆସିବା ପାଇଁ କହିବେ ଓ ତାଙ୍କ ସହ ଆଲୋଚନା କରି ଯେମିତି ହେଉ କାମଟା ସାରି ଦେବେ। ନହେଲେ ଉପରକୁ ଗଲେ ବୁଢୀକୁ କି ଜବାବ ଦେବେ। ଦଶହରା ପାଖେଇ ଆସିବାରୁ ସେ ତାଙ୍କର ପିଲା ମାନଙ୍କୁ ଘରକୁ ଆସିବାକୁ କହିବା ପାଇଁ ପ୍ରଥମେ ବଡ଼ ପୁଅ ପାଖକୁ ଫୋନ୍ କଲେ। ବଡପୁଅ କହିଲା ବାପା ମୁଁ ଏବେ ତୁମକୁ ଫୋନ୍ କରିବା ପାଇଁ ଯାଉଥିଲି। ଏ ବର୍ଷ ଆମେ ପୂଜା ଛୁଟିରେ ଗାଁ କୁ ଯାଇ ପାରିବୁ ନାହିଁ। ତୁମ ନାତୀ ଟୋକାଟା ଅନେକ ଦିନ ହେଲାଣି ଦାର୍ଜିଲିଂ ଯିବ ବୋଲି ଜିଦି କରୁଥିଲା। ସେଥିପାଇଁ ତାକୁ ନେଇ ଦାର୍ଜିଲିଂ ଯିବୁ ବୋଲି ତୁମ ବୋହୂ ଓ ମୁଁ ସ୍ଥିର କରିଛୁ। ଆଡଭାନସ୍ ଟିକେଟ ମଧ୍ୟ କରି ସାରିଛୁ। ଏବେ କ୍ଯାନସେଲ୍ କଲେ ଅଯଥାରେ ଗୁଡ଼ାଏ ଟଙ୍କା କଟି ଯିବ । ବୋଉର ଅସ୍ଥିକୁ ଆସନ୍ତା ବର୍ଷ ବିସର୍ଜନ କଲେ ହେବ ନି?ସେ କଣ କୁଆଡେ ପଳାଇ ଯାଉଛି?କେଦାର ମହାନ୍ତି ପୁଅକୁ କଣ କହିବେ ଉତ୍ତର ନ ପାଇ କହିଲେ ହଉ ଯାହା ତୋ ଇଚ୍ଛା।
ବଡ଼ ପୁଅ ମନା କରିବା ପରେ, କେଦାର ମହାନ୍ତି ସାନ ପୁଅ ପାଖକୁ ଫୋନ୍ ଲଗାଇ କହିଲେ ,ବାବୁରେ ତୋ ବୋଉକୁ ଯିବାର ଚାରି ବର୍ଷ ହେଲାଣି । ହେଲେ ତା ଅସ୍ଥି ବିସର୍ଜନ କାମଟା ଏତେ ପର୍ଯ୍ୟନ୍ତ ହୋଇ ପାରିନି। ମୁଁ ତ ପାଚିଲା ପତ୍ର କେତେ ବେଳେ ଖସି ପଡ଼ିବି । ଭାବୁଛି ଏଇ ବର୍ଷ ଦଶହରାରେ କାମଟା ସାରି ଦିଅନ୍ତେ। ସାନ ପୁଅ କହିଲା,ବାପା ଆପଣଙ୍କ ବୋହୂ ମୋତେ ଅନେକ ଦିନ ହେଲାଣି ତା ବାପ ଘରକୁ ଯିବ ବୋଲି କହିଲାଣି, ହେଲେ ମୁଁ ଅଫିସ୍ କାମରେ ବ୍ୟସ୍ତ ରହି ତାଙ୍କୁ ତା ବାପାଙ୍କ ଘରକୁ ଟିକେ ନେଇ ପାରୁନି। ତା ଛଡ଼ା ଦଶହରା ଛୁଟିରେ ତା ଭଉଣୀ ମାନେ ମଧ୍ୟ ଆସିବେ । ସେମାନେ ସମସ୍ତେ ମିଶି ଗୋଟେ ଗେଟ୍ ଟୁଗେଦର୍ ପ୍ଲାନ୍ କରିଛନ୍ତି। ତୁମ ନାତୁଣୀ ତ ତା କଜିନ୍ ମାନଙ୍କୁ ଭେଟିବ ବୋଲି କେଵେ ଠାରୁ ଉତ୍ସୁକତାର ସହ ଅନେଇ ବସିଛି। ତେଣୁ ତାର ଆଗ୍ରହ ଭାଙ୍ଗି ଦେବାଟା ଠିକ୍ ହେବନି। ଵୋଉର ଅସ୍ଥି ବିସର୍ଜନ ତ ଏ ବର୍ଷ ନହେଲେ ଆର ବର୍ଷ ହୋଇ ପାରିବ। କିନ୍ତୁ ମୋ ଶାଳୀ ମାନେ ଥରେ ଆମେରିକା ଗଲେ ପୁଣି କେବେ ଆସିବେ ଠିକ୍ ନାହିଁ। ତା ଛଡ଼ା ମୁଁ ଭାଇ ଓ ରୁନି ସହ କଥା ହୋଇଥିଲି। ସେମାନେ ମଧ୍ୟ ତାଙ୍କର ବୁଲିବା ପ୍ରଗ୍ରାମ୍ କରି ସାରିଛନ୍ତି।
ସାନ ପୁଅ ସହ କଥା ହୋଇ ସାରି କେଦାର ମହାନ୍ତି ଆଉ ଝିଅ ରୁନିକୁ ଫୋନ୍ କରିବା ଉଚିତ ମନେ କଲେନି । କାରଣ ତାର ବୁଲିବାକୁ ଯିବା କଥା ସାନ ପୁଅ ଠାରୁ ସେ ଶୁଣି ସାରିଥିଲେ। ତେଣୁ ସେ କଣ ଉତ୍ତର ଦେବ ,ସେକଥା ମଧ୍ୟ ଜାଣି ସାରିଥିଲେ। ବୁଢ଼ୀ ଗଲା ପର ଠାରୁ ଅନେକ ଥର ସେ ପିଲା ମାନଙ୍କୁ ଏ ବିଷୟରେ କହିଲେଣି। ହେଲେ ସବୁଥର ଏଇ ପରି କିଛି ନା କିଛି ବାହାନା ଦେଖାଇ ସେମାନେ କଥାଟିକୁ ଟ
ାଳି ଚାଲିଛନ୍ତି। ପିଲା ମାନେ ମନା କଲା ପରେ କେଦାର ମହାନ୍ତି ତାଙ୍କ ସ୍ତ୍ରୀ ଶାନ୍ତି ଦେବୀଙ୍କ ଫୋଟ ଆଗରେ ଛିଡା ହୋଇ କହିଲେ, ବୁଝିଲ ଶାନ୍ତି ଯେଉଁ ପିଲା ମାନଙ୍କୁ ବଡ଼ ମଣିଷ କରିବ ବୋଲି ଓଳିଏ ଖାଇ ଓଳିଏ ଉପାସ ରହି ପାକସ୍ଥଳୀ କ୍ୟାନ୍ସରରେ ପୀଡ଼ିତ ହୋଇ ଇହଧାମ ତ୍ୟାଗ କଲ,ସେଇ ପିଲା ମାନଙ୍କର ଆଜି ତୁମ ଅସ୍ଥି ବିସର୍ଜନ ପାଇଁ ମଧ୍ୟ ସମୟ ନାହିଁ ।
ତୁମେ ଗଲା ପରେ ବଡ଼ ପୁଅ ତା ସହ ମୋତେ ତା ଚାକିରି ଯାଗାକୁ ନେଇ ଯାଇଥିଲା। କିନ୍ତୁ ସେଠାରେ ଆଠ ଦିନ ରହିଛି କି ନାହିଁ, ତା ବୋହୂ ତାକୁ ନାନା କଥା ଦେଖାଇ ଶିଖାଇ କହିଲା। ମୁଁ ରହିବା ଯୋଗୁଁ ତା ବାପା ମାଆ କୁଆଡେ ତା ପାଖକୁ ଆସି ପାରୁ ନାହାଁନ୍ତି ବୋଲି ଅଭିଯୋଗ କଲା। କହିଲା ତୁମେ କାହିଁକି ଏକୁଟିଆ ବାପା ଙ୍କ କଥା ବୁଝିବ । ବାପାଙ୍କର ତିନି ସନ୍ତାନ ତେଣୁ ତିନି ଜଣ ଚାରି ମାସ ଲେଖା ଭାଗ କରିଦିଅ। ଗୋଟେ କଥା କହିଲ ଶାନ୍ତି କେତେ ଅଳ୍ପ ଆୟରେ ମଧ୍ୟ ଆମେ ଆମ ପିଲାଙ୍କର କେବେ ଅଭାବ ରଖି ନଥିଲୁ। ନିଜେ ଉପାସରେ ଶୋଇଛୁ ପଛେ ତାଙ୍କ ପେଟ କେବେ ଖାଲିରେ ରହିବାକୁ ଦେଇନୁ। ହେଲେ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲାପରେ ବି ଏଇ ବୁଢ଼ା ବାପା ଟିକୁ ଗଣ୍ଡେ ଦାନା ଦେଇ ପାରିବେନି ଯେ ତାକୁ ଭାଗ କରିବେ।
ପେଟରେ ଓଦା କନା ରଖି ପିଲାଙ୍କୁ ମଣିଷ କଲେ ଆମେ। ଅଥଚ ତା ରୋଜଗାରରେ ମଉଜ ମଜଲିସ୍ କରିବେ ତା ଶଶୁର ଘର ଲୋକ।
ଆଉ ତୁମ ଯୋଗ୍ୟ ପୁଅ ମଧ୍ୟ ବୋହୂ କଥାରେ ପଡି ତା ଭାଇ ଭଉଣୀଙ୍କୁ ଏ ବିଷୟରେ ଫୋନ୍ କଲା,ତା କଥା ଶୁଣି ସେ ଦିନ ତାକୁ କହିଲି ମୋତେ ନେଇ ଗାଁରେ ଛାଡି ଦେ। ତୁମ ମାନଙ୍କୁ ମୋ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏ ବୟସରେ ମୋର ଆଉ ଏଠି ସେଠି ହେବାର ବଳ ନାହିଁ। ତା ଛଡ଼ା ମୁଁ ଏଠି ରହିଲେ ତୋ ସ୍ତ୍ରୀ ଯେମିତି ଅଶାନ୍ତି ହେଉଛି, ଆଉ ଝଗଡ଼ା ଭୟରେ ତୁ ମୁହଁ ଖୋଲୁନୁ, ତୋ ସାନ ଭାଇ ପାଖକୁ ଗଲେ ମଧ୍ୟ ସେଇ କଥା ହେବ। ଆଉ଼଼ ରହିଲା ଝିଅ ଘରେ ରହିବା କଥା ତୋ ବୋଉ ମଲା ପଛେ ଝିଅ ଘର ପାଣି ମଧ୍ୟ ସ୍ପର୍ଶ କରି ନଥିଲା। ଆଜି ସେ ନାହିଁ ବୋଲି ମୁଁ ତା ଘରେ ରହିବି?ତା ଛଡା ଗାଁ ରେ ତୋ ବୋଉ ଅନେକ ସ୍ମୃତି ଛାଡି ଯାଇଛି।
ସେ ଦିନ ଆସିଛି ଯେ ଆସିଛି। ଆଉ ତୁମ ପିଲା ମାନଙ୍କ ପାଖ ମାଡିନି। ସେମାନେ ମଧ୍ୟ କେବେ କେମିତି କିଛି ଟଙ୍କା ପଠାଇ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି। ଦିନେ ହେଲେ ମଧ୍ୟ ତାଙ୍କ ମନ କହୁନି ଟିକେ ବୁଢ଼ା ବାପା ଟାର ଭଲ ମନ୍ଦ ବୁଝି ଯିବା ପାଇଁ। ତୁମେ ପରା ସବୁ ବେଳେ କୁହ ପିଲା ମାନଙ୍କ ଖୁସୀରେ ବାପା ମାଆ ଙ୍କ ଖୁସୀ । ତେଣୁ ମୁଁ ବି ତାଙ୍କୁ କିଛି କୁହେନି। ମକରାଟା ଦୁଇ ବେଳା ଆସି ବୋଲ ହାକ କରି ଦେଇ ଯାଉଛି। ରୋଷୋଇ ଗଣ୍ଡାଏ ମଧ୍ୟ କରି ଦେଇ ଯାଉଛି। ଆମ ଘରେ ବୋଲହାକ କରୁଥିବା ରଘୁଆର ପୁଅ ମକରା ମ। ଯାହା ପାଇଁ ତୁମେ ସବୁ ପର୍ବ ପର୍ବାଣୀରେ ଭଲ ମନ୍ଦ ପଠାଉ ଥିଲ। କହୁଛି ବଡ଼ ବାପା ବଡମା ପରା ମୋତେ ପୁଅ ଭଳି ସ୍ନେହ କରୁଥିଲେ। ମୁଁ ତୁମ ପାଇଁ ଏତିକି କରି ପାରିବିନି।
ଜାଣିଛ ଶାନ୍ତି ମୋତେ ଏବେ ଖାଲି ଏଇ ଗୋଟିଏ ଚିନ୍ତା ଘାରୁଛି। କେମିତି ତୁମ ଅସ୍ଥି ବିସର୍ଜନ କାମ ଟା ସାରିବି। ଆମ ପୁଅ ମାନେ ତ ଶୁଣୁ ନାହାଁନ୍ତି, ତୁମେ ହିଁ କିଛି ଉପାୟ ମୋତେ ବତାଅ। ତା ପର ଦିନ ମକରା ଘରକୁ ଆସନ୍ତେ କେଦାର ମହାନ୍ତି କହିଲେ,ମୋତେ ଟିକେ ଗାଁ ନଦୀ ପାଖକୁ ନେଇ ଚାଲନ୍ତୁ ନି? ତା ପରେ ଶାନ୍ତି ଦେବୀ ଙ୍କ ଅସ୍ଥି କଳସ ଟିକୁ ଧରି ସେ ମକରା ସହିତ ଗାଁ ନଦୀ ଅଭିମୁଖେ ବାହାରି ଗଲେ ଓ ସେଇ ନଦୀରେ ତାଙ୍କ ଅସ୍ଥିକୁ ବିସର୍ଜନ କରି ଦେଇ କହିଲେ ତୁମ ପିଲା ମାନଙ୍କର ବାହାରକୁ ବୁଲିବାକୁ ଓ ଶଶୁର ଘରକୁ ଯିବା ପାଇଁ ସମୟ ଅଛି । ଅଥଚ ତୁମ ଅସ୍ଥି ବିସର୍ଜନ ପାଇଁ ସମୟ ନାହିଁ। ତାଙ୍କୁ ଆଉ ବାରମ୍ବାର ଏ କଥା କହି ଡିସଟର୍ବ କରିବାଟା ଉଚିତ୍ ମନେ କଲି ନାହିଁ। ମୋର କେତେ ବେଳେ କଣ ହେବ ଠିକ୍ ନାହିଁ। ଏ ବୁଢା ବୟସରେ ଆଉ କିଛି ଉପାୟ ପାଇଲି ନାହିଁ। ତାଛଡା ତୁମେ ପରା ସବୁ ବେଳେ କୁହ ମନ ପବିତ୍ର ଥିଲେ ଗାଡିଆ ଗଙ୍ଗା। ତେଣୁ ଏଇ ନଦୀକୁ ଗଙ୍ଗା ବୋଲି ଭାବି ତୁମ ଅସ୍ଥିକୁ ବିସର୍ଜନ କରି ଦେଲି। ଭାବୁଛି ମୋତେ ତୁମେ କ୍ଷମା କରି ଦେବ ଆଉ ତୁମ ଆତ୍ମା ମଧ୍ୟ ମୋକ୍ଷ ପ୍ରାପ୍ତି ହେବ।