ଅସଲି ହୀରା ( ଅନୁବାଦ )
ଅସଲି ହୀରା ( ଅନୁବାଦ )


ଅସଲି ହୀରା ( ଅନୁବାଦ )
ଏକଦା ଜଣେ ରାଜାଙ୍କର ଦରବାର ଚାଲିଥାଏ । ଶୀତଦିନ ହୋଇଥିବା ଯୋଗୁଁ ଖୋଲା ପ୍ରାଙ୍ଗଣରେ ଲାଗିଥାଏ ଦରବାର । ଦରବାରୀ ଓ ସାଧାରଣ ପ୍ରଜା , ସମସ୍ତେ ନୃତ୍ୟ ଗୀତର ଆସରରେ ନିଜକୁ ହଜେଇ ଦେଇ ଥାଆନ୍ତି । ମଝିରେ ମଝିରେ ବିଦୁଷକ ମାନଙ୍କର ଥଟ୍ଟା ତାମସା ସାଙ୍ଗକୁ ଅପୂର୍ବ ଭାବ ଭଙ୍ଗୀ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥାଏ । ସେତିକି ବେଳେ ପ୍ରତିହାରୀ ଏକ ବିଦେଶୀ ବ୍ୟକ୍ତି ସହ ହାଜର ହୁଏ ।
ବିଦେଶୀ ଜଣକ ରାଜାଙ୍କର ଅନୁମତି ନେଇ ଦୁଇଟି ପଥର ବାହାର କରି ସମସ୍ତଙ୍କୁ ଦେଖାଏ ଓ ରାଜାଙ୍କ ଉଦ୍ଦେଶ୍ୟରେ କୁହେ ,
- ହେ ରାଜନ୍ , ଏ ଦୁଇଟି ପ୍ରସ୍ତର ମଧ୍ୟରୁ ଗୋଟିଏ ବହୁମୂଲ୍ୟ ହୀରକ ଓ ଅନ୍ୟଟି ସାମାନ୍ୟ ପ୍ରସ୍ତର ଖଣ୍ଡ , ମାତ୍ର ଆପଣ ମାନେ ଦେଖୁଥିବେ ଦୁଇଟି ଯାକର ରୂପ ରଙ୍ଗ ଏକ ପ୍ରକାରର । ଆପଣଙ୍କ ଦରବାରୀ ମାନେ ଏ ଦୁଇଟିକୁ ଚିହ୍ନଟ କରିବେ । ଯଦି ସଠିକ ଚିହ୍ନଟ କରନ୍ତି ତ ଏହି ହୀରକ ଆପଣଙ୍କ ମୁକୁଟର ଶୋଭାମଣ୍ଡନ କରିବ , ନଚେତ ହୀରକର ସମମୂଲ୍ୟ ଅର୍ଥ ମୋତେ ପ୍ରଦାନ କରିବେ । ଏହିପରି ଅନେକ ରାଜ୍ୟରୁ ମୁଁ ଉଚିତ ଉତ୍ତର ନପାଇ ନିରାଶ ହୋଇ ଧନ ଅର୍ଜନ କରି ଆସିଛି । ଏଥର ଆପଣ ଚେଷ୍ଟା କରନ୍ତୁ ।
ରାଜା ପଥର ଦୁଇଟିକୁ ନିରୀକ୍ଷଣ କଲେ । ମାତ୍ର କିଛି ବିନ୍ଦୁ ବିସର୍ଗ ଭେଦ ପାଇଲେ ନାହିଁ । ଦରବାରୀ ମାନେ ସାହସ କଲେ ନାହିଁ । ତତ୍କ୍ଷଣାତ୍ ଏକ ଅନ୍ଧ ବ୍ୟକ୍ତି ସଭାର ପଶ୍ଚାଦ୍ ପଟୁ ଡାକ ଦେଲା , ଓ ସେ କହି ପାରିବ ବୋଲି ଆଶ୍ଵାସନା ଦେଲା । ଦରବାରୀ ମାନେ ପରସ୍ପର ମୁହଁ ଚାହାଁଚାହିଁ ହେଲେ । କେହି କେହି ବିଦ୍ରୁପରେ ହସିଲେ । ଅନ୍ଧ ପୁଣି ହୀରା ଚିହ୍ନଟ କରିବ !!
ଅନ୍ଧ ବ୍ୟକ୍ତି ଜଣକ ଆଗକୁ ଆସି ପଥର ଦୁଇଟିକୁ ସ୍ପର୍ଶ କଲା ଓ କ୍ଷଣକ ମଧ୍ୟରେ କହିଦେଲା ହୀରା କେଉଁଟି ଓ ମୂଲ୍ୟହୀନ ପଥର କେଉଁଟି ।
ବିଦେଶୀ ଜଣକ ସ୍ଵୀକାର କଲା ଯେ ଅନ୍ଧ ବ୍ୟକ୍ତି ସଠିକ ଚିହ୍ନଟ କରି ପାରିଛି । ହୀରକଟି ରାଜାଙ୍କ ଜିମା ଦେଲା ଉତ୍ତାରୁ ଅନ୍ଧକୁ ପଚାରିଲା ଚିହ୍ନଟ କରିବାର ଭେଦ । ଅନ୍ଧ କହିଲା ,
ଅସଲି ହୀରାର ଗୁଣ ହେଉଛି ସୂର୍ଯ୍ୟ ତାପରେ ରହି ମଧ୍ୟ ଶୀତଳ ରହିବ । ଖରାରେ ରହି ସାଧାରଣ ପଥରଟି ଗରମ ହୋଇଗଲା କିନ୍ତୁ ହୀରାଟି ଥଣ୍ଡା ରହିଛି ।
ବିଦେଶୀ ଚାଲିଗଲା । ରାଜା ଅନ୍ଧକୁ ସମ୍ମାନିତ ଓ ପୁରସ୍କୃତ କଲେ ।
ସାର - ଅସଲ ମଣିଷ ବିପରୀତ ପରିସ୍ଥିତିରେ ମଧ୍ୟ ମସ୍ତିଷ୍କର ଭାରସାମ୍ୟ ନ ହରେଇ ଥଣ୍ଡା ରହିଥାଏ ଓ ସେ ହିଁ ପ୍ରକୃତ ହୀରା ।
ଆରତୀ ସାହୁ ( ଆଶା )
ବସନ୍ତ ବିହାର
ନୂଆଦିଲ୍ଲୀ