ଅସହାୟ
ଅସହାୟ
ସକାଳ ୫ଟା ୪୫। ନାତିକୁ ଧରି ଦାଣ୍ଡ ପିଣ୍ଢାରେ ବସିଥିଲେ ଜୟ ବାବୁ। ଚା’ କପଟେ ଛକରେ ଥିବା ଜଳଖିଆ ଦୋକାନରୁ ଧରି ଢେ଼ାକେ ଢେ଼ାକେ ପିଇ ପିଇ ଦାଣ୍ଡରେ ଯାଉଥିଲା ଲୋକା। ଏଇ ଲୋକା ପ୍ରବଳ ଗଞ୍ଜେଇ ଟାଣେ। କୁହେ ମୋର ଭାତ ନ ହେଲେ ଚଳିବ କିନ୍ତୁ ଏ ଗଞ୍ଜେଇ ମୋ ଜୀବନ। ଗଞ୍ଜେଇ ଟାଣି ଟାଣି ସେ ଦାର୍ଶନିକ ପାଲଟି ଗଲାଣି। ବେଳେ ବେଳେ ଅସଲଗ୍ନ କଥା କହେ। ଜୟବାବୁଙ୍କୁ ନାତି ସହ ବସି ଥିବା ଦେଖି ନ ଦେଖିଲା ପରି କିଛି ଦୂର ଚାଲିଗଲା। ପୁଣି ଫେରି ଆସି କହିଲା ଜାଣିଲଣି ଦାଦା, ‘ଶଳା କୁକୁର ପୋଷିଛି, ଗାଡ଼ି ମାନଙ୍କୁ ହଇରାଣରେ ପକୋଉଛି। କେତେବେଳେ ମାଡ଼ି ସବୁ ମରିଯିବେ ତା’ର ୟତା ନାହିଁ।’
ଛକରେ ମାଈ କୁକୁରଟିଏ ଆଠଟା ଛୁଆ ଜନ୍ମ କରିଥିଲା। ସେଗୁଡ଼ାକ ଟିକେ ହୁସିଆର ହୋଇ ଗଲେଣି। ସେମାନଙ୍କ ମଧ୍ୟରୁ ଗୋଟେ ଦିଇଟା ବେକରେ ସେହି ଛକର ଜଳଖିଆ ଦୋକାନୀ ଟିଏ ପଟି ବାନ୍ଧି ଦେଇଛି। ସେହି ଛକ ସଦାବେଳେ ଗହଳି। ଏ କୁକୁର ଛୁଆ ଗୁଡ଼ିକ ସେଠି ଏପଟ ସେପଟ ହୋଇ ମଟର ସାଇକଲ, ଅଟୋ, କାର, ବୁଲେରୋ ତଥା ବସରେ ଯାଉଥିବା ଯାତ୍ରୀ ମାନଙ୍କୁ ହଇରାଣରେ ପକୋଉଥିବାରୁ ତା’ର ସେ ଦୋକାନୀ ତଥା ଏ କୁକୁର ଛୁଆ ମାନଙ୍କ ଉପରେ ଅସନ୍ତୋଷ। ଏଥିରେ ତା’ର କିଛି ସ୍ବାର୍ଥ ହାନି ହେଉନି କିନ୍ତୁ ଲୋକମାନେ ହଇରାଣ ନ ହୁଅନ୍ତୁ ତାହାର ଚିନ୍ତାର ବିଷୟ।
ଏହି ସମୟରେ ସେ ମା’ କୁକୁର ଓ ବେକରେ ଫିତା ବନ୍ଧା ହୋଇଥିବା ଛୁଆ କୁକୁରଟିଏ ଆସି ଜୟବାବୁ ବସିଥିବା ପିଣ୍ଢା ପାଖକୁ ଚାଲି ଆସିଲେ। ସେ କହୁ କହୁ ସାଙ୍ଗେ ସାଙ୍ଗେ ଗାଡ଼ିଟେ ଆସି ସେହି ଦାଣ୍ଡରେ କସି କି ବ୍ରେକ ଦେଲା। କିଂ... ଶବ୍ଦ କରି ସେଇଠି ଗାଡ଼ି ରହିଲା। ତା’ ଶବ୍ଦ କାନରେ ଅତଡ଼ା ପକେଇ ଦେଲା। ଚାହିଁ ଦେଖିଲା ବେଳକୁ ଲୋକାର କଥା ସତ। ଗାଡ଼ି ଆଗରେ ସେଇ ଫିତା ଲଗା କୁକୁର ଛୁଆ। ତାକୁ ବଞ୍ଚେଇବାକୁ ଗାଡ଼ିର ଏତେ ହରକତ।
ସେଇ ସକାଳ ୬ଟା ୧୫। ଜୟବାବୁ ଦାଣ୍ଡ ପିଣ୍ଢାରେ ସାର୍ଟ ପ୍ୟାଣ୍ଟ ପିନ୍ଧି ଠିଆ ହୋଇଛନ୍ତି। ସ୍କୁଟିଟା ତଳେ ଅଛି। ସକାଳ ଅଫିସ। ଯିବାକୁ ବାହାରୁଛନ୍ତି। ଅଠର ଉଣେଇଶ ବର୍ଷର ଟୋକାଟେ ଦ୍ରୁତ ଗତିରେ ବାଇକ୍ଟିଏ ଧରି ଆସୁଥିବା ବେଳେ ସେଇ ପିଣ୍ଢା ସାମନାରେ ସେଇ ଫିତା ଲଗା କୁକୁର ଛୁଆଟି ତା ଗାଡ଼ି ଆଗକୁ ଆସିଗଲା। ସାଥିରେ ତା’ ମା କୁକୁର ଓ ଅନ୍ୟ ଦୁଇ ଚାରୋଟି କୁକୁର ଛୁଆ। ଚାଳକ ବ୍ରେକ କସିଲା। ଗାଡ଼ି ଧିର ହେଲା। କିନ୍ତୁ ଗାଡ଼ି ସ୍ଥିର ହେବା ପୂର୍ବରୁ ଗାଡ଼ିର ଆଗ ଚକା ଓ ପଛ ଚକା କୁକୁର ଛୁଆର ପେଟ ଉପରେ ମାଡ଼ି ସାରି ଥାଏ। ଭୟରେ ବାଇକ୍ ଚାଳକ ଉଡ଼ନ ଛୁ। କିନ୍ତୁ କ୍ୟାଉଁ କ୍ୟାଉଁ ରଡ଼ି ଛାଡ଼ି କୁକୁର ଛୁଆଟି ବିକଳରେ ଏଠିକୁ ସେଠିକୁ ଦୋୈଡ଼ି ଚାଲିଲା। ପଛରେ ତା’ ମାଆ। ମାଆଟି ତା’ ପିଲା ପାଖକୁ ଦୋୈଡ଼ି ଯାଉଥାଏ, ତାକୁ ଟିକେ ସୁଙ୍ଘି ଗାଡ଼ି ମାଡ଼ିଥିବା ଯାଗାକୁ ପୁଣି ଦୋୈଡ଼ି ଆସୁଥାଏ, ସେ ଗାଡ଼ି ପଛେ ପଛେ ଦ୍ରୁତ ଗତିରେ ଧାଇଁ ଯାଉଥାଏ। ପୁଣି ତା’ ପିଲା ପାଖକୁ ଦୌଡ଼ି ଆସୁଥାଏ। କୁକୁର ଛୁଆଟି ପାଖରେ ଥୁଆ ହୋଇଥିବା ଏକ କାର ତଳେ ଜୀବନ ବିକଳରେ ପଶି ଗଲା। ତା ପଛେ ପଛେ ତା’ ମା’ ଓ ଅନ୍ୟ ଛୁଆମାନେ। କ୍ଷଣକ ମଧ୍ୟରେ କ୍ୟାଉଁ କ୍ୟାଉଁ ଶବ୍ଦ ନୀରବୀ ଗଲା। ଦେଖିଲା ବେଳକୁ କୁକୁର ଛୁଆର ପ୍ରାଣବାୟୂ ଉଡ଼ି ସାରିଥାଏ। ବାଇକ ଆରୋହି ଉଭାନ ହୋଇ ସାରିଥାଏ। ଶୂନ୍ୟକୁ ଚାହିଁ ରହିଥାଏ ମା’ କୁକୁରଟି। ସମ୍ଭବତଃ କ’ଣ କରିବ ତାର ସିଦ୍ଧାନ୍ତ ନେଇ ପାରୁ ନ ଥାଏ।
ଜୟ ବାବୁ ଭାବୁଥିଲେ ସତେ କେତେ ଅସହାୟ ଆମେ। ଜୀବନର ଏଇ ଦୋଛକିରେ ଯେତେବେଳେ ଭାଗ୍ୟ ଆମକୁ ନେଇ ଠିଆ କରେଇ ଦିଏ ସେତେବେଳେ ସବୁ କରାମତି, ସବୁ ବଳ, ସବୁ ସାମର୍ଥ୍ୟ ଶୂନ୍ୟ ହୋଇ ଯାଏ। ଜୀବ ଯିବା ପାଇଁ ସେହି ଶୂନ୍ୟକୁ ଚାହିଁ ରହିଥାଏ।
