ପ୍ରଶାନ୍ତ କୁମାର ବେହେରା

Inspirational

4.3  

ପ୍ରଶାନ୍ତ କୁମାର ବେହେରା

Inspirational

ଅସହାୟ ବାପାମାନେ-ଚତୁର୍ଥ ଭାଗ

ଅସହାୟ ବାପାମାନେ-ଚତୁର୍ଥ ଭାଗ

7 mins
181



( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )


ତା' ପରଦିନ ସଂଧ୍ୟାରେ ମୁଁ ହଷ୍ଟେଲରେ ପହଞ୍ଚି ସେଇ ନୂଆ ପିଲା, ଯିଏ ମଦ ପିଇବା ସହିତ ବଡଵପିଲାମାନଙ୍କୁ ମାନସମ୍ମାନ ଦେଉନି, ଘରକୁ ଯାଇଛି ନା ନାହିଁ ବୁଝିବା ବେଳକୁ ଶେଷବର୍ଷ ପିଲାମାନେ କହିଲେ, " ନାଇଁ ସାର୍ , ସେ ହଷ୍ଟେଲରେ ରହିବ l ବହୁତ ଭଲ ପିଲା ସେ l ଆମେ ତାକୁ ବୁଝାଇଦେଇଛୁ, ସେ ଆଉ ମଦ ପିଇବନି l"


ବଡପିଲାଙ୍କ ଏମିତି ମତ ପରିବର୍ତ୍ତନରେ ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ l ଦୁଇଟି କାରଣ ଭିତରୁ ଗୋଟେ ଠିକ୍ ହୋଇଥିବ ବୋଲି ପ୍ରଥମେ ଧରିନେଲି l ସେ ଦୁଇଟି କାରଣ - ରାଗିଙ୍ଗ୍ କରୁଛନ୍ତି ବୋଲି ଜଣା ପଡିଯିବାରୁ ଭୟରେ ଏମିତି ମତ ପରିବର୍ତ୍ତନ ହେଉ ଅଥବା ଗତକାଲି ରାତିଠାରୁ ସେ ନୂଆ ପିଲାଟି ଏ ବଡଭାଇମାନଙ୍କୁ ଉଚିତ୍ ସମ୍ମାନ ଦେଖେଇବା ଆରମ୍ଭ କରିଦେଇଥାଇ ପାରେ l 


କିନ୍ତୁ ଘଟଣା କଣ ଠିକ୍ ଭାବରେ ବୁଝିଵାରୁ ଜଣାଗଲା ଯେ, ଏ ଦୁଇଟି ଯାକ କାରଣ କେହି ଠିକ୍ ନୁହାନ୍ତି l ସେଦିନ ସକାଳୁ ହଷ୍ଟେଲର ଗୋଟେ ଶେଷବର୍ଷ ପିଲାକୁ କିଛି ବାହାର ପିଲା ଆସି ଖୋଜିଲେ l ସେ ପିଲାଟି ଆସି ସେମାନଙ୍କ ସହିତ କଥାବାର୍ତ୍ତା କରୁକରୁ ସେମାନଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା l ସେଇ ଯୁକ୍ତିତର୍କରୁ ହଠାତ୍ ସେମାନେ ହଷ୍ଟେଲ୍ ପିଲାଟିକୁ ମାଡ ମାରିବା ଆରମ୍ଭ କରିଦେଲେ l ଏସବୁ କଥା କିଛି ହଷ୍ଟେଲ ପିଲା ଦେଖୁଥିଲେ ମଧ୍ୟ କେହି ସାହସ କରି ସେ ଗଣ୍ତଗୋଳ ପାଖକୁ ଆସୁ ନଥିଲେ l ସେ ଭୀମକାୟ ପିଲା ଦେଖିଲା ତ ତୀର ବେଗରେ ଗଣ୍ତଗୋଳ ପାଖରେ ପହଞ୍ଚି ଦୁମ୍ ଦାମ୍ ଭୁସ୍ ଭାସ୍ କରି ଯାହାକୁ ପାଇଲା ସେ ବାହାର ପିଲାଙ୍କୁ ନିର୍ଘାତ ମାଡ ମରିବା ଆରମ୍ଭ କରିଦେଲା l ତା ଦେଖାଦେଖି ହଷ୍ଟେଲର ଅନ୍ୟପିଲାମାନେ ମଧ୍ୟ ସାହସ କରି ଗଣ୍ତଗୋଳ ସ୍ଥାନକୁ ଅସିଯିବାରୁ ସେ ବାହାର ପିଲାମାନେ ଡରିଯାଇ ଛତ୍ରଭଙ୍ଗ ଦେଇ କିଏ କୁଆଡେ ଦୌଡି ପଳାଇଲେ l ଆଉ ତାପରେ ସେଇ ପିଲାଟି ବଡପିଲାମାନଙ୍କ ପାଇଁ ଖରାପ ପିଲାରୁ ଖୁବ୍ ଭଲପିଲାଟେ ରେ ରୂପାନ୍ତରିତ ହୋଇଗଲା l ଗତକାଲି ଯାଏ ଯାହାକୁ କହୁଥିଲେ ସେ ପିଲା ହଷ୍ଟେଲରେ ରହିପାରିବନି, ଏବେ ସେମାନଙ୍କର ମତ ପୁରାପୁରି ଚେଞ୍ଜଡେ୍ l


ସେହିପରି ହଷ୍ଟେଲର ପିଲାମାନେ ପିକ୍ ନିକ୍ ରେ ଗଲାବେଳେ ଅଦ୍ଭୁତ କାମ କିଛି କରନ୍ତି ଯାହାକୁ ସବୁପିଲା ଠିକ୍ ବୋଲି ଭାବନ୍ତି l ସାଧାରଣତଃ ପିକ୍ ନିକ୍ ରେ ଯିବା ପୂର୍ବରୁ ଦୁଇଟି ଦିଗପ୍ରତି ସେମାନେ ଧ୍ୟାନ ଦେବାକୁ ପଛାଇ ନଥାନ୍ତି l ପ୍ରଥମ ଦିଗଟି ହେଲା, ଆମ କଲେଜଠାରୁ ଅତିକମରେ ପିକ୍ ନିକ୍ ପାଇଁ ଉଦ୍ଦିଷ୍ଟ ହୋଇଥିବା ସ୍ଥାନର ଦୂରତା ଚାରି ଶହ କିଲୋମିଟରରୁ ଉର୍ଦ୍ଧ୍ବ ହୋଇଥିବା ଦରକାର l ଦ୍ୱିତୀୟ ଦିଗଟି ହେଲା ସ୍ଥାନୀୟ ବସ୍ ନ ନେଇ କଟକ ବା ଭୁବନେଶ୍ବରରୁ ବାହାରକୁ ସାଜସଜାରେ ଅତି ସୁନ୍ଦର ଦେଖାଯାଉଥିବା ବସ୍ କୁ ପିକ୍ ନିକ୍ ପାଇଁ ନେବା l ଏଥିପାଇଁ ଯେତେ ଅଧିକ ଅର୍ଥ ଦେବାକୁ ହେଲେ ମଧ୍ୟ ହଷ୍ଟେଲର ପିଲାମାନେ ଦେବାକୁ ପଛାଇ ନଥାନ୍ତି l 

ଏ ବାବଦରେ ପିଲାମାନଙ୍କ ମନରେ ବସା ବାନ୍ଧି ଯାଇଥିବା ଧାରଣା ହେଉଛି ଯେ, ଦୂରବାଟକୁ ପିକ୍ ନିକ୍ ଯିବା ଏବଂ ବାହାର ଅଞ୍ଚଳର ଚିକ୍କଣୀଆ ବସ୍ ଆଣିବା ଦ୍ୱାରା କୁଆଡେ ସେମାନଙ୍କର ସମ୍ମାନ ଅନ୍ୟ ବେସରକାରୀ ମେସ୍ ମାନଙ୍କ ସହିତ ଖାସ୍ କରି ଲେଡିଜ୍ ହଷ୍ଟେଲରେ ରହୁଥିବା ଝିଅ ମାନଙ୍କ ନିକଟରେ ବୃଦ୍ଧି ପାଇଥାଏ l ପିଲାମାନଙ୍କ ମଧ୍ଯରେ ବିଭିନ୍ନ ବାବଦରେ ଭିନ୍ନଭିନ୍ନ ମତ ଥିଲେ ମଧ୍ଯ ଉପର ଲିଖିତ ଦୁଇଟି ବିଷୟରେ ସବୁପିଲା ସବୁବର୍ଷ ଦଳମତ ନିର୍ବିଶେଷରେ ଏକ ମତ ପୋଷଣ କରିଥାନ୍ତି l


ବସ୍ ବାଲା ସହିତ ପିକ୍ ନିକ୍ କଥା ସବୁ ଫାଇନାଲ୍ କରି ଆଡଭାନ୍ସ୍ ଦେବା ବେଳେ ପିଲାମାନେ ଗୋଟେ ଅଦ୍ଭୁତ ଚୁକ୍ତି କରିଥାନ୍ତି l ସେଇ ଚୁକ୍ତି ହେଉଛି ବସ୍ ଟି ଦିନବେଳା ନିହାତି କମ୍ ରେ ଚାରିଘଣ୍ତା ହଷ୍ଟେଲ ସମ୍ମୁଖରେ ରହି ଭଲ ଭାବରେ ପଦର୍ଶିତ ହେବ - ଯାହା ଫଳରେ ଅନ୍ୟ ମେସ୍ ଓ ଲେଡିଜ୍ ହଷ୍ଟେଲର ପିଲାମାନେ ଦେଖିବେ କିପରି ଖୁବ୍ ସୁନ୍ଦର ବସ୍ ରେ ଛାତ୍ରାବାସର ପିଲାମାନେ ପିକ୍ ନିକ୍ ଯାଉଛନ୍ତି l


ପିକ୍ ନିକ୍ ପାଇଁ ବିଭିନ୍ନ ଆବଶ୍ଯକୀୟ ଦ୍ରବ୍ଯ ମଧ୍ୟରେ ଯେଉଁଟିର ନାମ ଏଠାରେ ଉପସ୍ଥାପନ କରିବା ନିହାତି ଦରକାର ତାହା ହେଉଛି ବାଣ ଦୋକାନରୁ କିଣାଯାଇଥିବା ଦୁଇଟି ଶକ୍ତିଶାଳୀ ବମ୍ l ଗୋଟିଏ ବମ୍ ହଷ୍ଟେଲ ସମ୍ମୁଖରେ ବସ୍ ଛାଡିବା ସମୟରେ ଏବଂ ଅନ୍ୟଟି କଲେଜର ଅପର ପ୍ରାନ୍ତରେ ଥିବା ଛାତ୍ରୀନିବାସ ନିକଟରେ ଫୁଟାଯାଏ l ଗଣେଶ ପୂଜା ଓ ସରସ୍ୱତୀ ପୂଜା ପରଦିନ ହେଉଥିବା ଭସାଣିରେ ମଧ୍ୟ ହଷ୍ଟେଲର ପିଲାମାନେ ଛାତ୍ରୀ ନିବାସ ଓ ଅନ୍ୟାନ୍ୟ ଘରୋଇ ଛାତ୍ରୀ ମେସ୍ ସମ୍ମୁଖରେ ନାଚଗୀତ କରିବା ପରେ ମୂର୍ତ୍ତି ବିସର୍ଜନ କରିଥାନ୍ତି l ସେହି ସବୁ ସମୟରେ ଛାତ୍ରାବାସର ପିଲାମାନେ ମଧୁର ସମ୍ପର୍କ ଥିବା ଝିଅମାନଙ୍କ ସହିତ ଠାର ଓ ବିଭିନ୍ନ ଅଙ୍ଗଭଙ୍ଗୀ ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିଥାନ୍ତି l ଏ କଥା ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛି l ଛାତ୍ରାବାସର କୌଣସି ତତ୍ତ୍ୱାବଧାରକ ଏ ପ୍ରଥାକୁ ବନ୍ଦ କରିପାରି ନଥିଲେ କିମ୍ୱା ମୁଁ ମଧ୍ୟ ଏହାକୁ ବନ୍ଦ କରିବାକୁ ସକ୍ଷମ ହୋଇପାରି ନଥିଲି l


କେବଳ ଯେ, ଛାତ୍ରାବାସର ଛାତ୍ରମାନେ କେବଳ ଏମିତି ସବୁ ଅଦ୍ଭୁତ କାମ କରନ୍ତି ତାହା କହିବା ଏକବାରେ ଭୁଲ ହେବ l ଆମ ଲେଡିଜ୍ ହଷ୍ଟେଲର ଝିଅମାନେ ମଧ୍ୟ ସେମିତି ଅଦ୍ଭୁତ କାମ ସହିତ ଅବାନ୍ତର ଯୁକ୍ତି ମଧ୍ୟ ସମୟେ ସମୟେ କରିଥାନ୍ତି l 


ଛାତ୍ରବାସରେ ସେ ଭୀମକାୟ ଚେହେରାର ପିଲାକୁ ନେଇ ଘଟିଥିବା ଘଟଣାର ଦୁଇବର୍ଷ ପୂର୍ବରୁ ଲେଡିଜ ହଷ୍ଟେଲରେ ଘଟିଥିବା ଗୋଟେ ଘଟଣା ମୋର ସ୍ପଷ୍ଟ ମନେଅଛି l ଜଣେ ଝିଅର ଗାର୍ଡିୟନ ଆସି ସେତେବେଳେ ପ୍ରିନ୍ସପାଲ ଥିବା ବିମଳ ସାରଙ୍କୁ ମୌଖିକ ଭାବରେ ( ଲିଖିତ ଆକାରରେ ନୁହେଁ ) ଘଟଣାଟି ଜଣାଇଲେ l ବିମଳ ସାର ମୋତେ ଡକାଇ ସେ ଝିଅଟିର ବାପାଙ୍କ ଠାରୁ ଘଟଣା ବିଷୟରେ ବୁଝିବାକୁ କହିଲେ l ସେ ଘଟିଥିବା ଘଟଣା ସମ୍ପୂର୍ଣ୍ଣ ରୂପେ ରାଗିଙ୍ଗ୍ ହିଁ ଥିଲା l ପୂର୍ବଦିନ ରାତ୍ରୀରେ ନୂତନ ପିଲାମାନଙ୍କୁ ଓ୍ୱେଲକମ୍ କରି ଏକ ସଭାର ଆୟୋଜନ କରିବା ସହିତ ଭଲ ଭୋଜି ମଧ୍ୟ କରିଥିଲେ l ସଭା ସହିତ ଭୋଜି ଖାଇବା ସରିବାପରେ ଦୁଇଜଣ ଶେଷ ବର୍ଷ ଛାତ୍ରୀ ଚାରିଜଣ ନୂତନ କରି ହଷ୍ଟେଲରେ ଆଡମିଶନ ନେଇ ରହିଥିବା ଝିଅଙ୍କୁ ନିଜ ରୁମକୁ ଡାକିନେଇ ସେମାନଙ୍କୁ ମଶାରିର ଚାରି କଣକୁ ଧରି ଖଟ ଚାରିକଣରେ ଠିଆ ହେବାକୁ କହି ସେଇ ଖଟରେ ଶୋଇଲେ l ତାମାନେ ସେମାନେ ମଶାରି ଭିତରେ ଶୋଇବେ ଆଉ ଏମାନେ ମଶାରି କଣ୍ଟାର କାମ ଚାରିକଣରୁ ଠିଆ ହୋଇ କରିବେ l ସେମାନେ ଏମାନଙ୍କୁ ସେମିତି କରିବାକୁ କହି ଶୋଇଗଲେ l ରାତି ୪ଟା ବେଳକୁ ଏ ମଶାରି କଣ୍ଟାର କାମ କରୁଥିବା ଝିଅ ମାନଙ୍କ ମଧ୍ୟରୁ ଜଣେ ପାଟିକରି କାନ୍ଦିବାରୁ ତାଙ୍କ ନିଦ ଭାଙ୍ଗିଲା ଆଉ ତାପରେ ୟାଙ୍କ ଡିଉଟି ସରିଲା l


ରାତି ୧୨ରୁ ସକାଳ ୪ ଯାଏ ମଶାରି କଣକୁ ଧରି ଷ୍ଟାଚ୍ୟୁଭଳି ୪ ଘଣ୍ଟା ଠିଆ ହେବା କେତେ କଷ୍ଟକର ହୋଇଥିବ ସେଇ ଚାରିଜଣ ନୂଆ କରି ହଷ୍ଟେଲରେ ଆଡମିଶନ ନେଇଥିବା ଝିଅମାନଙ୍କ ପାଇଁ ତାହା ଯେ କହି ବି ଅନୁମାନ କରିପାରୁଥିବେ l ସେଇ ଘଟଣାର ପରଦିନ ସକାଳୁ ରାଗିଙ୍ଗ୍ ର ଶିକାର ହୋଇଥିବା ଜଣେ ପିଲା ତା ବାପାଙ୍କୁ ଖବର ଦେଇଥିଲା l ତାଙ୍କ ବାପା ଆସି ଅଧ୍ୟକ୍ଷଙ୍କୁ ଜଣାଇବାରୁ କଥାଟା ଏମିତି ବୋଲି ଆମେ ଜାଣିବାକୁ ପାଇଲୁ l


ସେଦିନ ସଙ୍ଗେସଙ୍ଗେ ଫୋନ୍ କରି ରାତିସାରା ଛୋଟପିଲା ୪ ଜଣଙ୍କୁ ଡିଉଟିରେ ଲଗାଇ ମଶାକାମୁଡାରୁ ରକ୍ଷା ପାଇଥିବା ସେଇ ଦୁଇଜଣ ଶେଷବର୍ଷ ଛାତ୍ରୀଙ୍କ ବାପା ମାନଙ୍କୁ ଦୁଇ ଘଣ୍ଟା ଭିତରେ କଲେଜରେ ଆସି ପ୍ରିନ୍ସପାଲଙ୍କୁ ଦେଖା କରିବାକୁ କୁହାଗଲା l ସେମାନେ ମଧ୍ୟ କଥା ମୁତାବକ ଆସି କଲେଜରେ ଉପସ୍ଥିତ ହେଲେ l ସବୁ ଘଟଣା ଶୁଣିବାପରେ ତାଙ୍କ ଝିଅମାନେ ଘଟାଇଥିବା ଘଟଣାପାଇଁ ଖୁବ୍ ଦଃଖ ପ୍ରକାଶ କଲେ l ସେଠି ରାଗିଙ୍ଗ୍ ର ଶିକାର ହୋଇଥିବା ପିଲାଟିର ବାପାଙ୍କ ସହିତ ରାଗିଙ୍ଗ୍ କରିଥିବା ପିଲାଙ୍କ ବାପା ସମସ୍ତେ ଖୁବ୍ ଅସହାୟ ହୋଇ ବସିଥାନ୍ତି l 


ଏ ଭିତରେ ହଷ୍ଟେଲରେ ଥିବା ସେଇ ଦୁଇଜଣଙ୍କୁ କାହିଁକି ଏମିତି କାମ କଲ ପଚାରିବାରୁ ସେମାନେ ଗୋଟେ ଅବାନ୍ତର ଯୁକ୍ତି ସାମ୍ନାରେ ରଖିଲେ l ସେମାନେ କହିଲେ, " ଅାମେ ଏମାନଙ୍କୁ ସେମିତି କେମିତି ଛାଡିଦେଇଥାନ୍ତୁ ? ଆମେ ନୂଆ କରି ହଷ୍ଟେଲକୁ ଆସିବା ସମୟରେ ଆମ ଅପାମାନେ ଆମକୁ ବି କିଛି କିଛି ରାଗିଙ୍ଗ୍ କରିଥିଲେ l"


ବଡ ଅଜବ ଯୁକ୍ତି ସତରେ ! ଗୋଟେ ବୋହୁ ଯଦି ତା ଶାଶୁ ଦ୍ୱାରା ବିବାହର ପରେପରେ ନିର୍ଯାତିତ ହୋଇଥିଲା, ତାହେଲେ ସେ ସେଇ ନିର୍ଯାତନାର ବଦ୍ଲା ନେବାକୁ ଅପେକ୍ଷା କରିବ କେତେବେଳେ ତା ପୁଅ ବାହା ହୋଇ ବୋହୁ ଘରକୁ ଆଣିବ ଆଉ ସେ ତାକୁ ନିର୍ଯାତନା ଦେବ l ଯଦି ଆଧୁନିକ ବୋହୁ ହୋଇଥିବ ଏବଂ ପୁଅ ବାହାଘର ପରେପରେ ତାକୁ ତା' ଚାକିରି ସ୍ଥାନକୁ ନେଇ ପଳାଇଲା, ତାହେଲେ ବଚାରୀ ଶାଶୁ ଜଣଙ୍କ ବୋହୁକୁ ନିର୍ଯାତନା ନଦେଇ ପାରି ସାରା ଜୀବନ ଗୁଡେ ଦୁଃଖ ପାଏ ଆଉ ସେମିତି ଗୁଡେ ଅବଶୋଶ୍ ନେଇ ମଶାଣିକୁ ଯାଏ l


ଶେଷକୁ ସେ ଦୁଇଜଣ ଝିଅଙ୍କୁ ପ୍ରିନ୍ସପାଲଙ୍କ ପ୍ରକୋଷ୍ଠକୁ ଡକାଗଲା l କଲେଜକୁ ବାପା ମାନଙ୍କୁ ଡକାଯିବା ଏବଂ ଏ ଭିତରେ ବିଭିନ୍ନ ଲୋକଙ୍କ ମତରୁ ଜାଣି ସାରିଥାନ୍ତି ଯେ ସେମାନଙ୍କୁ ବାଧ୍ୟତା ମୂଳକ ଟି.ସି. ଦିଆଯିବ l ସେମାନେ କେବଳ ତଳକୁ ମୁହଁ ପୋତି କାନ୍ଦୁଥାନ୍ତି l ରାଗିଙ୍ଗ୍ ର ଶିକାର ହୋଇଥିବା ଝିଅଟିର ବାପା ନିଜ ବସିବା ସ୍ଥାନରୁ ଉଠିଯାଇ ତାକୁ ବୁଝାଇ କହିଲେ , " ଆରେ କାନ୍ଦୁଚ କାହିଁକି ? ତମେ ମାନେ କଣ ମୋ ଝିଅ ନୁହଁ ? ଯାହାଙ୍କୁ କାଲି ଏମିତି କଲ, ସେମାନେ ନୂଆ କରି ଘରଛାଡି କଲେଜ ଆସିଛନ୍ତି l ଏମିତିରେ ତ ମନରେ ବହୁତ ଦୁଃଖ ରହିଛି ଘର ଲୋକମାନଙ୍କୁ ଛାଡି ଆସି ଦୂରରେ ରହୁଛନ୍ତି l ତମେମାନେ ସିନା ବଡ ଭଉଣୀ ପରି ତାଙ୍କୁ ସ୍ନେହ ଦେଲେ ସେମାନେ ସିନା ମନରେ ଥିବା ଦୁଃଖକୁ ଭୁଲିଯିବେ l ତମେ ଯଦି ଏମିତି କରିବ ସେମାନେ କୋଉ ସାହସରେ ଏଠି ରହି ପାଠ ପଢିବେ କହିଲ ? "


ଏତିକି କଥାରେ ସେ ଝିଅ ଦୁଇଜଣ କାନ୍ଦିକାନ୍ଦି ଭୁଲ୍ କରିଛନ୍ତି ବୋଲି ବାରମ୍ୱାର କହୁଥାନ୍ତି l ବିମଳ ସାର୍ ମଧ୍ୟ ବହୁତ ବିରକ୍ତ ହେଲେ l ଏବେ ଆଉ ପୂର୍ବର ସେଇ ଅବସ୍ଥା ନାହିଁ l ଏ ଘଟଣା ଘଟିବାର ଏ ଭିତରେ ୧୫ ବର୍ଷ ଗତ ହୋଇସାରିଲାଣି l ଜେନେରାଲ୍ କଲେଜ ମାନଙ୍କରେ ପ୍ରାୟେ ଆଉ ରାଗିଙ୍ଗ୍ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନି l କିନ୍ତୁ ମେଡିକାଲ୍, ଇଂଜିନିୟରିଂ ଆଦି କଲେଜ ମାନଙ୍କରେ ଏବେ ବି ରାଗିଙ୍ଗ୍ ହେଉଥିବାରୁ ଖବର ବାହାରୁଛି ବିଭିନ୍ନ ସମ୍ୱାଦପତ୍ରରେ l


ଏଇ ନିକଟରେ ଷ୍ଟୋରିମିରର ତରଫରୁ ଏକ ସାହିତ୍ୟ ସଭା ଭୁବନେଶ୍ବରର ଭଞ୍ଜମଣ୍ତପ ଠାରେ ତା ୧୬/୦୨/୨୦୨୦ ରିଖରେ ଅନୁଷ୍ଠିତ ହେଉଥିଲା l ସେଇ ସଭାରେ ଜଣେ ଲେଖକ ଶ୍ରୀଯୁକ୍ତ ସତ୍ୟ ପ୍ରକାଶଙ୍କ ଏକ ବହି ଉନ୍ମୋଚନ ହେଲାପରେ ସେ ନିଜର କିଛି ବକ୍ତବ୍ୟ ରଖିଲେ l ସେ ବକ୍ତବ୍ୟରେ ତାଙ୍କ ସାହିତ୍ୟ କୃତିକଥା କିମ୍ୱା ସେ ବହି ସମ୍ୱନ୍ଧରେ ନଥିଲା l ସେ ବକ୍ତବ୍ୟ ଥିଲା ଜଣେ ଖୁବ୍ ଅସହାୟ ବାପାର l ଅତ୍ୟନ୍ତ କ୍ଷୋଭ ଓ ହୃଦୟ ଭିତରର ସମସ୍ତ ଦୁ୍ଃଖ ଯେପରି ସେଇ କେଇ ଲାଇନ୍ ବାକ୍ୟ ହିଁ ପରିପ୍ରକାଶ କରୁଥିଲେ l ସେ ଖୁବ୍ ବିକଳ ହୋଇ ସେଠାରେ ଉପସ୍ଥିତଥିବା ସାହିତ୍ୟିକ ମାନଙ୍କୁ ବାରମ୍ୱାର ଅନୁରୋଧ କରି କହୁଥିଲେ , " ଆପଣମନେ ଦୟାକରି କଲେଜ ମାନଙ୍କରେ ହେଉଥିବା ରାଗିଙ୍ଗ୍ ବିରୁଦ୍ଧରେ କଲମ ଉଠାନ୍ତୁ , ନଚେତ୍ ମୋ ପୁଅପରି ବହୁ ମେଧାବୀ ଛାତ୍ରଛାତ୍ରୀ ଅକାଳରେ ତାଙ୍କ ଜୀବନ ଏମିତି ହରାଉଥିବେ ।"


ସତ୍ୟ ବାବୁଙ୍କ ପୁଅ କୁମାର ଆନିକେଶ ବ୍ରହ୍ମପୁ୍ରର ଏମ୍.କେ.ସି.ଜି ମେଡିକାଲ୍ କଲେଜରେ ଡାକ୍ତରୀ ଛାତ୍ର ଥିଲା l କିଛି ଉପରଶ୍ରେଣୀର ପିଲାମାନେ ତାଙ୍କୁ ଏମିତି କିଛି ରାଗିଙ୍ଗ୍ କଲେ ଯାହା ଫଳରେ ତା୨୮/୦୧/୨୦୨୦ରିଖରେ ତାଙ୍କ ମୃତଦେହ ମିଳିଲା l ସତ୍ୟବାବୁ ସେ ଘଟଣାରେ ପୁଲିସ୍ ରେ ନିଜ ପୁଅକୁ ମର୍ଡର କରାଯାଇଛି ବୋଲି କେସ୍ ଫାଇଲ୍ କରିବା ସହିତ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜାତୀୟ ମାନବାଧିକାର ଆୟୋଗ, ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମାନବାଧିକାର କମିସନ୍ ସମସ୍ତଙ୍କ ପାଖରେ ନିଜ ପୁଅର ରାଗିଙ୍ଗ୍ ରେ ମୃତ୍ଯୁ ହୋଇଛି ବୋଲି ଲିଖିତ ଅଭିଯୋଗ ଦାଖଲ କରିଥିବାର କାନ୍ଦି କାନ୍ଦି ସେଇ ସାହିତ୍ୟ ସଭାରେ ପ୍ରକାଶ କରିଥିଲେ l ଶେଷକୁ ସେ କହିଲେ , " ଏବେ ତଦନ୍ତ ଚାଲିଛି, ତା ମା' ସେବେଠୁ କାନ୍ଦୁଛି, ଏବେ ବି ସେମିତି ଘରେ ବସି କାନ୍ଦୁଥିବ l ଆଉ କେଇଟା ବର୍ଷପରେ ସରକାରୀ ମେଡିକାଲ କଲେଜରେ ପଢୁଥିବା ପୁଅ ମୋର ଡାକ୍ତରଟେ ହୋଇ ବାହାରିଥାନ୍ତା l କିନ୍ତୁ ଆଜି ସେ ଆରପାରିରେ ସେଇ ରାଗିଙ୍ଗ୍ ପାଇଁ l ଦୟାକରି ସମସ୍ତେ ଲେଖନ୍ତୁ ସେଇ ରାଗିଙ୍ଗ୍ ବିରୁଦ୍ଧରେ l "


ସତ୍ୟ ବାବୁଙ୍କ ସେଇ କେଇପଦ କଥା ଖୁବ୍ ହୃଦୟବିଦାରକ ଥିଲା l ପୁଅ ତାଙ୍କର ଡାକ୍ତର ହୋଇଥାନ୍ତା, ସମାଜରେ ନିଜର ଏକ ସ୍ୱତନ୍ତ୍ର୍ର ସ୍ଥାନ ସୃଷ୍ଟି କରିଥାନ୍ତା l କିନ୍ତୁ ବାପା ମାଙ୍କର ସବୁ ଆଶାକୁ ଆଶାରେ ରଖିଦେଇ ସେ ଆଜି ସ୍ୱର୍ଗଲୋକରେ l ଯେଉଁପୁଅର କାନ୍ଧରେ ଦିନେ ସେ ବୁହାହୋଇ ମଶାଣିକୁ ଯାଇଥାନ୍ତେ , ଶେଷରେ ସେଇ ପୁଅକୁ ସେ ନିଜ କାନ୍ଧରେ ବୋହି ମଶାଣିକୁ ନେବାକୁ ବାଧ୍ୟହେଲେ l ସତରେ କେତେ ଭୟଙ୍କର ଏଇ ରାଗିଙ୍ଗ୍ l କେତେ ବାପା ମା ମାନେ ଅସହାୟ ହେଉଥିବେ ଏଇ ବ୍ୟାଧି ପାଇଁ l କେବଳ କଡା ଆଇନ୍ କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ l ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆହୁରି କାଉନେସେଲିଙ୍ଗ୍ ଦରକାର l ଦେଶର ସମସ୍ତ ଶିକ୍ଷା ଅନୁଷ୍ଠାନର କ୍ୟାମ୍ପସ୍ ରାଗିଙ୍ଗ୍ ଫ୍ରି ହେବା ନିହାତି ଆବଶ୍ୟକ l (କ୍ରମଶଃ ........)



Rate this content
Log in

Similar oriya story from Inspirational