Lipi Sahoo

Inspirational

4.6  

Lipi Sahoo

Inspirational

ଅର୍ଦ୍ଧଈଶ୍ୱର

ଅର୍ଦ୍ଧଈଶ୍ୱର

6 mins
310


ଗାଆଁରୁ ବାହାରିଲା ବେଳକୁ ସବୁ ସାଙ୍ଗମାନେ ମନାକଲେ ଈଶ୍ୱର ତୁ ଆଜି ଆଉ ସହର ଯାଆନା । ରାତି ଆସି ଆଠଟା ହେଲାଣି । ଜଙ୍ଗଲ ରାସ୍ତା । ବରଂ କାଲି ଭୋରରୁ ପଳେଇବୁ । ବୟସ ହେଲାଣି କେତେବେଳେ କୋଉ କଥା । ନିଜେ ପୁଣି ଗାଡି ଚଲେଇ ଯିବୁ । ଭାଉଜଙ୍କୁ ଫୋନରେ ଜଣେଇ ଦେଇ ରହିଯା । ଏଥର ହୋଉ ହୋଉ ଏତେ ଡେରି ହେଇଗଲାଣି । ସବୁଥର ସନ୍ଧ୍ୟାରେ ବାହାରି ଯାଉ । ତୁ ଯାଆନା ଆଜି... ।


   ହେଃ !!!! ବେଶୀ ଡେରି ହେଇନି । ୯ ଟା କି ଅତି ବେଶୀରେ ୯.୩୦ରେ ପହଞ୍ଚି ଯିବି । କେତକୀ ସେଠି ଏକୁଟିଆ ଅଛି । ଆଜିକାଲି ସହରର ଯେଉଁ ଅବସ୍ଥା । କେବେ ସେ ଏକୁଟିଆ ରହିନି । ମୁଁ ପଳେଇବି ତମେ ସବୁ ବ୍ୟସ୍ତ ହୁଅନି । କହି ଈଶ୍ୱର କାର ଷ୍ଟାର୍ଟ କଲେ । 

         


ହଉ ଯାଆ ଯଦି ଜିଦି କରୁଚୁ । ହେଲେ ଦେଖିକି ଯିବୁ । ପହଞ୍ଚି ମନେ କରି ଆମକୁ ଫୋନ୍ କରିଦେବୁ । ନ ହେଲେ ଆମକୁ ବ୍ୟସ୍ତ ଲାଗିବ, ମନୁଆ କହିଲା ।


        ଈଶ୍ୱରଙ୍କ ଗାଡ଼ି ଆଗକୁ ବଢି ଚାଲିଲା । କିଛି ସମୟ ପରେ ଗାଆଁ ରାସ୍ତା ସରି ଗଲା । ଗାଡ଼ି ମେନ୍ ରୋଡ଼ରେ ଗଡିବାକୁ ଲାଗିଲା । ରାସ୍ତା ପୂରା ଫାଙ୍କା । ସେ ପ୍ରତି ମାସ ଶେଷ ରବିବାର ନିଜ ଗାଆଁ ରସାଳପୁରକୁ ଆସନ୍ତି । ରିଟାୟର୍ କରିବା ପରେ ଗାଆଁର ସବୁ ବାଲ୍ୟବନ୍ଧୁ ମିଶି ଯୋଜନା କଲେ । ଏଇ ଦିନ ସବୁ ସାଙ୍ଗ ମିଶି ଗାଆଁରେ ଭାଗବତ ଆଲୋଚନା କରି ସତସଙ୍ଗ କରିବେ । ସମସ୍ତେ ସ୍ୱୀକୃତି ପ୍ରଦାନ କଲେ । ପ୍ରାୟ ୭/୮ ବର୍ଷ ହେବ ଏହା ଚାଲିଚି । ଏବେ ତ ଗାଆଁର ଅନ୍ୟମାନେ ବି ଯୋଗ ଦେଲେଣି ଏଥିରେ । ସ୍ୱତନ୍ତ୍ର ଭାବରେ ଏବେ ଗୋଟେ ବଡ ହଲଟିଏ ବନେଇ ଦେଲେଣି । ସଭ୍ୟ ସଂଖ୍ୟା ଧୀରେଧୀରେ ବଢ଼ିଚାଲିଛି ସତସଙ୍ଗରେ । ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେତକୀ ତାଙ୍କ ସହ ଆସୁଥିଲେ ଗାଆଁକୁ । ଦେହ ଖରାପ ହେବାରୁ ସେ ଆସିବା ବନ୍ଦ କରିଦେଲେ । ହେଲେ ଈଶ୍ୱର ଏବେ ବି ଧାଇଁ ଆସନ୍ତି ଏଠିକି । ଖୁବ୍ ଶାନ୍ତି ମିଳେ ଏଠି । କ'ଣ ଗୋଟେ ମାୟା ଲାଗି ଯାଇଚି ଯେମିତି । ଜୀବନଟା ସାକାର ଲାଗେ ଏଠି ପହଞ୍ଚି ଗଲେ । ସକାଳୁ ସକାଳୁ ବାହାରି ଆସନ୍ତି । ଦିନ ଯାକ ଆଧ୍ୟାତ୍ମିକ ଆଲୋଚନାରେ କଟିଯାଏ । ସନ୍ଧ୍ୟାରେ ପୁଣି ଫେରି ଯାଆନ୍ତି ।


    ଗାଡ଼ି ଜଙ୍ଗଲ ରାସ୍ତା ଧରିଲା । ଗାଆଁ ଆଉ ସେ ରହୁଥିବା ସହର ମଝିରେ ଗୋଟିଏ ଜଙ୍ଗଲ ପଡେ । ଆଗରୁ ୟେ ଜଙ୍ଗଲ ଖୁବ୍ ଘଞ୍ଚ ଥିଲା । ଏବେ ତ ଗଛ କାଟି କାଟି ଫାଙ୍କା କରିଦେଲେଣି । ବାଘ ଭାଲୁ ସବୁ ଥିଲେ । ଏବେ ଶିଆଳଟେ ବି ଦେଖିବାକୁ ମିଳୁନି । ଗାଡ଼ି ଗଡ଼ି ଚାଲିଥାଏ ।


ହଠାତ୍ ସାମ୍ନାରେ ଦେଖିଲେ ଝିଅଟିଏ ଗାଡ଼ି ଆଡକୁ ଦୌଡି ଆସୁଛି । ଲୁଗାପଟା ଅସ୍ତବ୍ୟସ୍ତ । ଝିଅଟି ଆଦିବାସୀ ବୋଧହୁଏ । ତା'ର ବେଶଭୂଷା ରୁ ଜଣା ପଡୁଛି । ଈଶ୍ୱର ଗାଡ଼ି ଅଟକେଇ ଦେଲେ । ସେ ଆସି ଗାଡ଼ି ସାମ୍ନାରେ ବାଡ଼େଇ ହେଇଗଲା । ଧାଇଁ ଆସି ଡୋର୍ କାଚ ବାଡେଇଲା । ଈଶ୍ୱର କାଚ ଡାଉନ୍ କଲେ ।

  ସେ ହାତ ଜୋଡି କହିଲା, ବାବୁ ମୋତେ ବଞ୍ଚା । ସେମାନେ ମୋର ସର୍ବନାଶ କରିଦେବେ । ବିକଳରେ କାନ୍ଦିବାକୁ ଲାଗିଲା । ଭୟରେ ସେ ଗୋଟା ପଣେ ଥରୁଥାଏ ।

ଈଶ୍ୱର କିଛି କହିବା ଆଗରୁ, ଗାଡ଼ି ସାମ୍ନାରେ ଆସି ଛିଡା ହେଇଗଲେ ୪ଟା ଭେଣ୍ଡିଆ ଟୋକା । ତା ଭିତରୁ ଜଣେ କହିଲା, ୟେ ବୁଢ଼ା ତାକୁ ଛାଡି ଦେ !! ଭଲ ଦଶା ଅଛି ଯଦି ୟେଠୁ ପଳା ।

ଈଶ୍ୱର ଡୋର୍ ଖୋଲି ବାହାରକୁ ଆସିଲେ । ଝିଅଟି ଡରି ତାଙ୍କ ପଛରେ ଲୁଚି ରହିଲା । ଏତିକି ରୁ ସେ ସବୁ ବୃତ୍ତାନ୍ତ ଅନୁମାନ କରିନେଲେ । ଖୁବ୍ ଶାନ୍ତ ଭାବରେ କହିଲେ, ତାକୁ ଛାଡ଼ିଦିଅ । 

  ଜଣେ ଟୋକା ତାତ୍ସଲ୍ୟ କରି କହିଲା, ବୁଢାର ସାହସ କମ୍ ନୁହଁ । ମରିବାକୁ ଇଚ୍ଛା ହେଲାଣି ବୋଧହୁଏ ତୋର । ଏତିକି କହି ସେ ଗୋଟେ ଭୁଜାଲି କାଢିଲା ।


ଈଶ୍ୱର ଏଥର ସାମାନ୍ୟ କ୍ରୋଧିତ ହୋଇ କହିଲେ, ୟେ ସବୁ ଫାର୍ସ ବନ୍ଦ କର ଆଉ ଏଠୁ ଚାଲି ଯାଅ ।

ୟେଁ, ଆମେ ପଳେଇବୁ ??? ବରଂ ଭଲ ଦଶା ଅଛି ଯଦି ତୁ ପଳା । ନ ହେଲେ ତୁ ମରିବୁ ।

     


  ସେ ଫାଜିଲ୍ ଟୋକାମାନଙ୍କ ସହ ଅଯଥା ଯୁକ୍ତି ନକରି ଗାଡ଼ିର ପଛ ଡୋର୍ ଖୋଲି ସେ ଝିଅକୁ କହିଲେ ବସ୍ । କୋଉଠୁ ୟେତେ ଶକ୍ତି ସଞ୍ଚାର ହେଲା କେଜାଣି ?? ହଠାତ୍ ତାଙ୍କୁ ଲାଗିଲା ସେ ହିଁ ଈଶ୍ୱର ( ଭଗବାନ ) ।

ବୁଲି ପଡ଼ି ଈଶ୍ୱର ଏକ ଚିତ୍କାର କଲେ, ଚୁପ୍ ଏକଦମ୍ ଚୁପ୍ !!! ଆଖି ଦୁଇଟା ଦପ୍ ଦପ୍ ଜଳି ଉଠିଲା ଯେମିତି । ସାରା ଜଙ୍ଗଲ ଭିତରେ ଏକ କମ୍ପନ ସୃଷ୍ଟି ହେଲାଗଲା । ନିସ୍ତବ୍ଧ ରାତି ଥରି ଉଠିଲା । ଭେଣ୍ଡିଆ ୪ଟା ଭୟରେ ଦୁଇ ପାଦ ପଛକୁ ଘୁଞ୍ଚିଗଲେ । ସଭ୍ୟ ଘରର ପିଲା ଭଳି ତ ଦିଶୁଛ, ୟେତେ ଅସଭ୍ୟତା କାହିଁକି ????


ଭୁଜାଲି ଧରିଥିବା କାମାନ୍ଧ ଯୁବକଟି ଟିକେ ଥରଥର ଗଳାରେ କହିଲା, ୟେ ବୁଢ଼ାର ସ୍ତ୍ରୀ ଛୁଆପିଲା ନାହାଁନ୍ତି ବୋଧହୁଏ । ସେଇଥି ପାଇଁ ୟାର ଜୀବନକୁ ଭୟ ନାହିଁ । 

ଏତିକି ଶୁଣିଲା ମାତ୍ରେ ତାଙ୍କ ଆଖି ଆଗରେ ନାଚି ଗଲା କେତକୀଙ୍କ ଚେହେରା । ମୁହୂର୍ତ୍ତକ ମଧ୍ୟରେ ସେ ସମସ୍ତ ଶକ୍ତି ଅପସରି ଗଲା । ସେ ସାମାନ୍ୟ ଅନ୍ୟମନସ୍କ ହେଇଗଲେ ।

     ଏଇ ମୌକାରେ ଚାରିଜଣ ଏକା ସାଙ୍ଗରେ ମାଡି ଆସି ତାଙ୍କୁ ଏକ ଶକ୍ତ ଧକ୍କା ଦେଲେ । ସେ ଛିଟିକି କି କିଛି ଦୂରରେ ପଡ଼ିଲେ । ତାଙ୍କ ପକେଟରୁ ମୋବାଇଲଟି ବାହାରି ଦୂରରେ ପଡି ଦୁଇ ଫାଳ ହେଇଗଲା । ସେ ଚାରିଜଣ କ୍ଷୀପ୍ର ବେଗରେ ସେଇ ଝିଅକୁ ଟେକି ନେଇଗଲେ ଏକ ଖୋଲା ଜିପ୍ ଭିତରକୁ । ଆଉ କ୍ଷଣକ ଭିତରେ ଉଭାନ ହେଇଗଲେ । ଈଶ୍ୱର କିନ୍ତୁ ସେଇ ଜିପ୍ ନମ୍ବରଟି ପଢି ନେଇଥିଲେ ସେଇ ଭିତରେ ।

     ଈଶ୍ୱର ଏକ ବିଷାଦର କୂପ ଭିତରକୁ ଠେଲି ହେଇ ଯାଇଥିଲେ । ଧୀରେଧୀରେ ଉଠି ଝାଡିଝୁଡି ହେଇ ଗାଡ଼ିରେ ବସିଲେ । ଘରେ ପହଞ୍ଚିଲା ବେଳକୁ ରାତି ଏଗରଟା ବାଜି ସାରିଥିଲା । ପିଣ୍ଡାରେ କେତକୀ ବସି ଅପେକ୍ଷା କରିଥିଲେ । 

     ସେ ଧାଇଁ ଆସି ପଚାରିଲେ, ୟେତେ ଡେରି କ'ଣ ହେଲା ?? ତମ ସାଙ୍ଗମାନେ କେତେଥର ଫୋନ୍ କରି ସାରିଲେଣି ?? ତମ ଫୋନ୍ କୁଆଡେ ଗଲା ?? ଉଠଉ ନଥିଲ କାହିଁକି ??? 

     ଈଶ୍ୱର ଆଉ କେତକୀ ସହ ନଜର ମିଶେଇ ପାରୁ ନଥିଲେ । ଖାଲି ଏତିକି କହିଲେ, ମୁଁ ଖୁବ୍ ଥକି ଯାଇଛି । ଟିକେ ବିଶ୍ରାମ ନେବି ସକାଳେ କଥା ହେବା ।


    କେତକୀ ବି ଆଉ ତାଙ୍କୁ ପ୍ରଶ୍ନ ପଚାରି ବିରକ୍ତ ନ କରି କହିଲେ, ହଉ ତୁମେ ଏବେ ଶୋଇପଡ଼ । ଖୁବ୍ ଥକି ଯାଇଛ ।

    ହେଲେ ଈଶ୍ୱର ରାତି ସାରା ଶୋଇ ପାରିଲେନି । ଛଟପଟ ହେଲେ, ବାରମ୍ବାର ସେଇ ଝିଅର ମୁହଁ ତାଙ୍କ ଆଗରେ ନାଚି ଯାଉଥିଲା । ସତରେ କେତକୀ କ'ଣ ତାଙ୍କ ଦୁର୍ବଳତା ?? "ସ୍ତ୍ରୀ" ଶୁଣିବା ମାତ୍ରେ ତାଙ୍କର ସମସ୍ତ ଶକ୍ତି କୁଆଡେ ଉଭେଇଗଲା । ଏଇ ଦୁର୍ବଳତା ପାଇଁ ଏକ ଝିଅର ଜୀବନ ନଷ୍ଟ ହେଇଗଲା । ମାୟାର ସାମାନ୍ୟତମ ସ୍ପର୍ଶ ମାତ୍ରେ ତାଙ୍କର ଈଶ୍ୱରତ୍ୱ ଉଭାନ୍ ହେଇଗଲା । 

    କାଲି ସକାଳେ ସେ କେତକୀକୁ କ'ଣ କହିବେ ??? ହୁଏତେ ସେ ମୋତେ କାପୁରୁଷ ଭାବି ଘୃଣା କରି ପାରେ ବା ମୋ ସହ ଝଳନା କରି କହି ପାରେ ତୁମେ ଠିକ୍ କରିଛ । ଜଣାନାହିଁ ଶୁଣାନାହିଁ ଗୋଟେ ଝିଅ ପାଇଁ ଜୀବନକୁ ବାଜି ଲଗେଇବା କ'ଣ ଦରକାର ?? ହେଃ !!! ପ୍ରଭୁ ମୋତେ ୟେ ବିଶାଦରୁ ରକ୍ଷା କର । ମୋତେ ମୋର ଈଶ୍ୱରତ୍ୱ ଫେରାଇ ଦିଅ ନହେଲେ ମୁଁ ଏଇ ପଶ୍ଚାତାପ ଜ୍ଜ୍ୱଳାରେ ମରିଯିବି । ଶରୀରର ପ୍ରତିଟି ତନ୍ତ୍ରୀ ଗୋଟିଗୋଟି କରି ଛିଣ୍ଡି ପଡ଼ିଲା ପରି ଲାଗୁଛି । ଖୁବ୍ ଯନ୍ତ୍ରଣା !!!! ସେ ମୁହୂର୍ତ୍ତକୁ ମୋତେ ପୁଣି ଫେରାଇ ନେଇଯାଅ, ଏଥର ମୁଁ କୌଣସି ଦୁର୍ବଳତାର ଶୀକାର ହେବି ନାହିଁ । ନ ହେଲେ ସେଇ ମୁହୂର୍ତ୍ତକୁ ମୋ ଜୀବନରୁ ଲିଭେଇ ଦିଅନ୍ତୁ .....। ପାଗଳ ହେଇଯିବି ।

    ସକାଳେ କେତକୀ ଚା ନେଇ ଆସି ତାଙ୍କ ସାମ୍ନାରେ ବସିଲେ । ଏଥର କୁହ କାଲି କ'ଣ ହେଲା ?? ଈଶ୍ୱର ମୁଣ୍ଡ ତଳକୁ କରି ବସି ରହିଲେ ଆଉ କଇଁକଇଁ କାନ୍ଦି ଉଠିଲେ । କେତକୀ ତାଙ୍କ ମୁଣ୍ଡକୁ ନେଇ ନିଜ କାନ୍ଧରେ ରଖିଲେ । ଆରେ !! ତୁମେ କହିଲେ ତ ମୁଁ ବୁଝିବି । ତୁମକୁ ହାଲକା ବି ଲାଗିବ, କହିଦିଅ । 


    ମୁଁ କ'ଣ କାପୁରୁଷ କେତକୀ ?? ତୁମେ ମୋର ଦୁର୍ବଳତା ନା ମୋର ଶକ୍ତି ??? ମୋତେ ବଞ୍ଚାଅ କେତକୀ, ଏତେ ବଡ଼ ଦୋଷ ମୁଣ୍ଡେଇ ପାରିବିନି ।


    ୟେ କ'ଣ କହୁଛ ତମେ ??? ମୁଁ କିଛି ବୁଝି ପାରୁନି । ଖୋଲି କି କୁହ । ଈଶ୍ୱର ସମସ୍ତ ଘଟଣା ଗୋଟିଗୋଟି ଜଣେଇଲେ । କେତକୀ ସମସ୍ତ ଘଟଣା ଶୁଣି ସାରିବା ପରେ କହିଲେ, ଏବେ ବି ସମୟ ଅଛି । ସେ ସମସ୍ତ ପିଲା କଠୋର ଦଣ୍ଡ ପାଇବାକୁ ଯୋଗ୍ୟ । ସେମାନେ ବାହାରେ ରହିଲେ ଆହୁରି ଏପରି କାଣ୍ଡ କରି ଚାଲିବେ । ଚାଲ, ମୋ ସାଙ୍ଗରେ ।


    ସେମାନେ ଯାଇ ପହଞ୍ଚିଲେ ଜଙ୍ଗଲ ଶେଷରେ ଥିବା ଫାଣ୍ଡିରେ । ସେଠି ଈଶ୍ୱର ଦେଖିଲେ ସେଇ ଝିଅଟି ବାହାର ବେଞ୍ଚରେ ବସିଛି । 

    ସେଇ ଝିଅଟି ଦୌଡ଼ି ଆସି ଈଶ୍ୱରଙ୍କୁ ପଚାରିଲା, ବାବୁ ତୁ ଠିକ୍ ଅଛୁ ତ ??? ତୋର କିଛି ହେଇନି ତ ???

    ଈଶ୍ୱର ତା ମୁହଁରେ ଆଞ୍ଚୁଡା ଆଉ କ୍ଷତ ଚିହ୍ନ ଦେଖି ଆଖି ଫେରାଇ ଆଣିଲେ । ଓଃ !! କାଲି ସେ କେତେ ବଡ଼ ଭୁଲ କରି ଦେଇଛନ୍ତି । କେତକୀ ସେଇ ଝିଅକୁ ସାଙ୍ଗେ ସାଙ୍ଗେ କୁଣ୍ଢେଇ ଧରି କହିଲେ, ଆ ମା !! ଭିତରକୁ ଯିବା । ସେ ପିଶାଚମାନଙ୍କୁ ଦଣ୍ଡ ଦେବାର ସମୟ ଆସି ଯାଇଛି । ଆମେ ତୋ ସାଙ୍ଗରେ ଅଛୁ । ଶେଷ ପର୍ଯ୍ୟନ୍ତ ଲଢିବା ।


ଈଶ୍ୱର ମନେମନେ କହୁଥିଲେ, କେତକୀ !! ମୋତେ ମୋର ପୂର୍ଣ୍ଣତା ପ୍ରଦାନ କର । ଈଶ୍ୱରତ୍ୱରେ ପ୍ରତିଷ୍ଠିତ କରେଇ ଦିଅ । କାରଣ ତୁମେ ପରା ମୋର ଅର୍ଦ୍ଧାଙ୍ଗିନୀ .......।।।।।।



Rate this content
Log in

Similar oriya story from Inspirational