ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୬
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୬
ବୁଢ଼ୀଟିଏ ଥର ଥର ହେଉଥାଏ ଜ୍ଵରରେ । ଗାଆଁର କିଛି ଲୋକ କହୁଥାନ୍ତି । ଆରେ ଜେଜେମାଆ ଚାଲ ଟିକେ ମେଡିକାଲକୁ ଯିବା । ଜେଜେ ମାଆ କୁନ୍ଥେଇ କି କହିଲେ ନାହିଁରେ ବାପା । କରୋନାରେ ମେଡିକାଲକୁ ମୁଁ ଯିବି ନାହିଁ । ଏଇଠି ମରିବି । ମତେ ସାଧାରଣ ଜ୍ୱର ହେଇଛି ପରା । ସବୁବେଳେ ପରା ମୁଁ ଘରେ ରୁହେ ଆଉ ବାହାରକୁ ଯାଏନି । ବୁଢ଼ୀ ହେଲିଣି ତ ତେଣୁ ଟିକିଏ ଜ୍ୱର ହେଇ ଯାଇଛି ପରା । ଏମିତି କହି କହି ସେ ବିଳି ବିଳି ହେଉ ଥାଆନ୍ତି । କେହି କିଛି କହିବା ଆଗରୁ ସେ ପୁଣି କହିଲେ । ଆରେ ବାପା ତୁ ଘରକୁ ଯାଆ । ବାହାରେ ଅଧିକ ସମୟ ରହନା । କରୋନା ହେଇ ଯିବ ଯେ । ବୁଢ଼ୀ ମାଆ କଥା ଶୁଣି ସତରେ ବହୁତ ଦୁଃଖ ଲାଗୁଥିଲା ମତେ । ଖାଇବାକୁ ସେ ବେଶୀ ପସନ୍ଦ କରନ୍ତି । ହେଲେ ଏଇ କରୋନା ସମୟରେ ସେ ବାହାରକୁ ନ ବାହାରି ଘରେ ରହନ୍ତି । ଖାଇବା ପୁରା କମି ଯାଇଥିଲା ।
ଖାଲି ଗୋଟିଏ ଚିନ୍ତା ତାଙ୍କର ମୋ ପୁଅଟା କାହିଁକି ସେ କେରଳରୁ ଆସିଲାନି ?
ବୁଢୀ ମାଆ ନିଜ ବାରଣ୍ଡାରେ ବସି ଅନେଇ ଥାଆନ୍ତି ପୁଅ ଆସିବା ବାଟକୁ । ପୁଅ କିନ୍ତୁ ଆସିଲାନି । ଜେଜେମାଆର ଏପଟେ ଜ୍ଵର ବେଶୀ ବେଶୀ ବଢ଼ି ଯିବାରେ ଲାଗିଲା ।
କରୋନାକୁ ଡରି ଆଉ ସେ ଡାକ୍ତରଖାନା ଗଲେନି । ଜ୍ୱରର ତାତି ବଢ଼ି ବଢି ଚାଲିଲା । ଆଶା ସବୁ ମରି ମରି ଚାଲିଥାଏ । ଏତିକି ବେଳେ ଗୋଟେ ଚିଠି ଆସିଲା କେରଳରୁ ।
ସେଥିରେ ଲେଖାଥିଲା, ମାଆ ମୁଁ ଯାଇ ପାରିବିନି । ଆଉ କିଛି ମାସ ପରେ ଘରକୁ ଯିବି । ମୁଁ ଏଠି ବହୁତ ଭଲରେ ଅଛି । ତୁ ବି ନିଜର ଯତ୍ନ ନେବୁ । ହଁ ଘରକୁ ଗଲେ ତୋ ପାଇଁ ଫୋନ ନେବି ବୁଝିଲୁ ।
ଏଥର ଜେଜେ ମଆ ବହୁତ ଖୁସି ଲାଗିଲେ । ହେଲେ ସେ ଖାଲି ତଳ ମୁହାଁ ହେଲେ । ଆଉ ସେ ବେଶି ହସିଲେନି । ଜ୍ଵର ବୋଧେ ବେଶି ଥାଏ ଦେହରେ ।
ସେ ମେଡିକାଲ ଏଥିପାଇଁ ଗଲେନି କାରଣ ତାଙ୍କର ଡ଼ର ଥିଲା କାଳେ କରୋନା ହେଇଯିବ । ଆଉ ସେ ଭାବିଲେ ଯଦି ଡାକ୍ତରମାନେ କରୋନା ହେଇଛି ବୋଲି କହିଲେ । କିଏ ମତେ ସମ୍ଭାଳିବ ?
ବିଚାରା ଜେଜେମାଆ ସାଧାରଣ ଜ୍ଵରରେ ବି ଚାଲି ଗଲେ । ଏ କରୋନା ସତରେ । ପରୋକ୍ଷରେ ମାରୁଛି । ଆଉ ପ୍ରତ୍ୟକ୍ଷରେ ବି ମାରୁଛି ।
