STORYMIRROR

Tapaswini DashSarangi

Tragedy Inspirational

3  

Tapaswini DashSarangi

Tragedy Inspirational

ଅପରାଜିତା

ଅପରାଜିତା

3 mins
199

ବୁଝିଲ ସ୍ମିତା ମୁଁ ସ୍ଵାମୀ ହୋଇ ତୁମ ପାଖରେ ଋଣୀ । ଏ ଜୀବନ କଣ ଶହେ ଜନ୍ମ ବିତିଗଲେ ବି ତୁମ ଋଣ ମୁଁ ସୁଝି ପାରିବି ନାହିଁ । ତୁମେ ବି ସବୁ ଝିଅଙ୍କ ପରି କେତେ ସ୍ଵପ୍ନ ଦେଖିଥିବ ତୁମ ଭବିଷ୍ୟତକୁ ନେଇ । ହେଲେ ମୁଁ ଅଭାଗା ତୁମ ପାଇଁ କରିବା ବଦଳରେ ତୁମ ଉପରେ ବୋଝ ପାଲଟିଗଲି ।  

 ସ୍ମିତ ହାସ୍ୟ ଦେଇ ସ୍ମିତା ଧଡ଼ପଡ଼ ହୋଇ ବାହାରିଗଲା ଅଫିସ୍ ଅଭିମୁଖେ । ସେପଟେ ଯଦି ବସ୍ ନ ମିଳିବ ତା'କୁ ପହଞ୍ଚିବାରେ ଲେଟ୍ ହୋଇଯିବ । ଘରର ସବୁ ଜଞ୍ଜାଳ ତୁଟାଇ ସବୁଦିନ ପରି ସେଦିନ ବି ବସ୍ ଧରି ସିଟରେ ଥକ୍କା ମାରି ବସି ପଡିଲା । 

ଆଉ ଭାବୁଥିଲା ସେଇ ପୁରୁଣା କଥାକୁ ।  

 ପ୍ରବୋଧ ଜଣେ ସରକାରୀ ଉଚ୍ଚପଦସ୍ଥ ଚାକିରିଆ ଥିଲେ । ସ୍ମିତା କିନ୍ତୁ ବହୁତ ଗରୀବ ଘରର ଝିଅ ହେଲେ ସଂସ୍କାର କଣ ତା'କୁ ଭଲ ଭାବେ ଜଣା । ଖାଲି ଶାଢୀ ଖଣ୍ଡେ ପିନ୍ଧି ତା' ବୋଉ ହାତର ପୁରୁଣା ସୁନା ଚୁଡି ଦୁଇପଟ ନେଇ ସେ ପ୍ରବୋଧଙ୍କ ହାତ ଧରି ଶାଶୁ ଘରକୁ ଆସିଥିଲା । ହୁଏତ ପ୍ରବୋଧଙ୍କ ବାପା ମାଆଙ୍କ ମୁହଁ ଶୁଖି ଯାଇଥିଲା ବିନା ଯାନି ଯୌତୁକରେ । କିନ୍ତୁ ପ୍ରବୋଧଙ୍କ ନମ୍ର ଆଉ ଶାନ୍ତ ପ୍ରକୃତି ସକାଶେ ତା' ଉପରେ ଏସବୁ କଥାରେ କିଛି ଫରକ ପଡୁନଥିଲା। ସେମିତିରେ ସହନଶୀଳତା ନାରୀର ଧର୍ମ ବୋଲି ସେ ଶିଖିଛି ।  

ବାହାଘରର ଏକ ମାସ ପରେ ସେଦିନ ପ୍ରବୋଧ ସ୍ମିତାର ହାତରେ ଧରେଇ ଦେଲେ ମନାଲିର ଦୁଇଟି ହନିମୁନ୍ ଟିକେଟ୍ । ବହୁତ ଖୁସି ହୋଇଯାଇଥିଲା ସେ।ସତେ ଯେମିତି ଦୁନିଆର ସବୁ ଖୁସି ତା' ପାଦ ତଳେ ଆଜି ଲହରୀ ପିଟୁଛି ।

 

ହଁ ଶାଶୁ ଗୁଣୁଗୁଣୁ ହେଇ କହି ହେଉଥିଲେ । ଓଃ !ବାପା ମା' ତ ଖାଲି ହାତରେ ଝିଅକୁ ମୋ ପୁଅ ସହିତ ଫନ୍ଦି ଦେଲେ ମୋ ପୁଅର ରୋଜଗାର ଦେଖି । ଝିଅ ଆସିଛି ମୋ ପୁଅକୁ ଫକଟ୍ ରାମ କରିବାକୁ । କଣ ଏ ଫାଲତୁ ଖର୍ଚ୍ଚରୁ ମିଳିବ କେଜାଣି । ଛାଡ଼ ହୋ

ଆପଣା ସୁନା ତ ଭେଣ୍ଡି.....

ସ୍ମିତାକୁ ଖରାପ ତ ଲାଗୁଥିଲା।ହେଲେ ଚୁପ୍ ହୋଇ ଦୁଇ ଟୋପା ଲୁହ ଗଡାଇ ଚାଲିଗଲା ।  

 

ଦିନେ ଦୁଇଦିନ ପରେ ଦୁହେଁ ବାହାରିଗଲେ ମନାଲି ଅଭିମୂଖେ । ପ୍ରଥମ ଥର ବିମାନ ଯାତ୍ରାର ଅନୁଭୂତି କିଛି ଅଲଗା ଥିଲା। ଜୀବନର ଏ ଆଠ ଦିନକୁ ସେ ମନ ଖୋଲି ଅନୁଭବ କରିବ।ସାଉଁଟିବ ଅନେକ ଅଭୂଲା ମୁହୂର୍ତ୍ତ।ବିତେଇବ ପ୍ରବୋଧଙ୍କ ସହ ଆଠଟି ପୁନେଇର ରାତି । ଏମିତି ହୁଏତ ସବୁ ଝିଅଙ୍କ ଭାଗ୍ୟରେ ନଥାଏ । ଭାବନା ଭାବନାରେ ରହିଗଲା ଫ୍ଲାଇଟ୍ ଟେକ୍ ଅଫ୍ କରିବାର କିଛି କ୍ଷଣ ଭିତରେ ଦୁର୍ଘଟଣାର ଶିକାର ହେଲା । ଦୁହେଁ ଭୀଷଣ ଭାବରେ ଆଘାତ ପ୍ରାପ୍ତ ହେଲେ । ଯଦିଓ ସ୍ମିତା ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଗଲା । ପ୍ରବୋଧ୍ କିନ୍ତୁ ଅକର୍ମଣ୍ୟ ବନିଗଲେ । ଗୋଟେ ଗୋଡ଼ ତାଙ୍କୁ ହରେଇବାକୁ ପଡିଲା । ଏଇ କଥା ନେଇ ସେ ତା' ଶାଶୁ ଶ୍ଵଶୁର ପୁଅ ପାଇଁ ଯେତିକି ଦୁଃଖୀ ଥିଲେ ଅଧିକ ଦୋଷ ଦେଉଥିଲେ ବୋହୂକୁ। ସ୍ମିତା ବୁଝି ପାରୁଥିଲା ସେମାନଙ୍କ ବେଦନା କିନ୍ତୁ ସେମାନେ କହି ହେଉଥିଲେ ଏ ଅଲକ୍ଷଣୀ ସକାଶେ ଏ ଅବସ୍ଥା। ଆମ ପୁଅର ଆୟୁଷ ପାଇଁ ସେ ବଞ୍ଚିଗଲା ନହେଲେ ଇଏ ହୁଏତ ତା'କୁ ଖାଇ ଦେଇ ଥାଆନ୍ତା।

ବିଚାରି ସ୍ମିତା ସେମାନଙ୍କୁ ବୁଝେଇ ପାରୁ ନଥିଲା ଯଦି ପ୍ରବୋଧଙ୍କର କିଛି ହୋଇଥାଆନ୍ତା ତାହାଲେ ସେ ତା ଜୀବନର ଏକ ଅମୂଲ୍ୟ ଧନକୁ ହରେଇଥାଆନ୍ତା। ଗୋଟେ ନାରୀ ଜୀବନର ସବୁ କିଛି ତା' ଶଙ୍ଖା ସିନ୍ଦୂର।

 

ପ୍ରବୋଧଙ୍କ ଅଫିସରେ ସେ ଏବେ ସାଧାରଣ କିରାଣୀ । ଜୀବନ ଯୁଦ୍ଧରେ ସେ କେବେ ପଛକୁ ଦେଖିନି । ଏ ଭିତରେ ଚାରି ବର୍ଷ ବିତିଗଲାଣି। ତିନି ପ୍ରାଣୀ ତା' ଜୀବନ ସହିତ ଯୋଡା। କର୍ତ୍ତବ୍ୟ ଆଉ ଦାୟିତ୍ଵ ଡୋରରେ ବନ୍ଧା ତା' ଜୀବନ।ଏଇ ଭାବନା ଭିତରେ ତା' ଅଫିସ୍ ଆସିଗଲା।

 

ସେଦିନ ଅଫିସ୍ କାମ ସାରି ଘରକୁ ପହଞ୍ଚି ଦେଖେ ତ ଶାଶୁଙ୍କ ଦେହ ହଠାତ୍ ଖରାପ ହୋଇଯାଇଛି। ସେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିଲା। ରିପୋର୍ଟରୁ ଜଣା ପଡିଲା ଅତ୍ୟଧିକ ଡାଇବେଟିସ୍ ସକାଶେ କିଡନୀ ଖରାପ ହୋଇଯାଇଛି। 

ମୁଣ୍ଡରେ ଚଡ଼କ ପଡିଗଲା । କେଉଁଠୁ କେତେ ଟଙ୍କା ଆଣିବ ସେ । ସ୍ଵାମୀଙ୍କ ଦେହ ସକାଶେ ସେ ଅନେକ ଋଣ କରି ସାରିଛି।।ସ୍ଵଳ୍ପ ଦରମାରେ ସେ କଣ କରିବ,କେତେ ବା କେଉଁଠୁ ଆଣିବ ।  

ଶେଷରେ ଠିକ୍ କଲା ତା' ବୋଉ ଦେଇଥିବା ଦୁଇପଟ ସୁନା ଚୁଡି ବିକ୍ରି କରି ଦେବ ଶାଶୁଙ୍କ ଚିକିତ୍ସା ପାଇଁ । ମନରେ ଅନେକ ଦୁଃଖର ଜୁଆର ଉଠୁଥିଲା । ତା' ବୋଉ ସେଦିନ ନିଜ ହାତ ଖାଲି କରି ନିଜର କଷ୍ଟ ଅର୍ଜିତ ଦୁଇପଟ ସୁନା ଚୁଡି ଝିଅ ହାତରେ ପିନ୍ଧେଇ ଦେଇଥିଲା । ହେଉ ଯାହା ହେଉ ସେ ବି ମା' ଇଏ ବି ମା'। ଏବେ ତା'ର ଟଙ୍କା ନିହାତି ଦରକାର। ମନକୁ ସମ୍ଭାଳି ସେ ସୁନା ଚୁଡି ଦୁଇପଟ ବିକ୍ରି କରିଦେଲା । ପ୍ରବୋଧ ବି ନିରୂପାୟ କଣ ବା କରିବେ। ସ୍ମିତାର କଷ୍ଟ ସେ ସହି ପାରୁ ନଥିଲେ।

ଶାଶୁ ବି ସ୍ମିତାର ତ୍ୟାଗ ବଳିଦାନ ଦେଖି ନିଜ ଭୁଲ ବୁଝିପାରୁଥିଲେ। ସ୍ମିତାର ସେବା ସୁଶ୍ରୁଷା ସତ୍ତ୍ଵେ ସେ ଇହଧାମ ତ୍ୟାଗ କଲେ। ଆଉ ଶେଷ ନିଃଶ୍ଵାସ ଛାଡିବା ଆଗରୁ ସ୍ମିତାକୁ ଡାକି ତାଙ୍କ ହାତର ଦୁଇପଟ ସୁନାଚୁଡି ଦେଇ କହିଲେ ମା' ରେ ତୁ ଅପରାଜିତା । ଜୀବନ ଯୁଦ୍ଧର ତୁ ଲକ୍ଷ୍ମୀବାଈ। ଏଇ ନେ ଏ ଦୁଇପଟ ସୁନା ଚୁଡି । ତୋ ଋଣ ସୁଝି ପାରିଲିନି ମୁଁ ମତେ କ୍ଷମା କରି ଦେ କହି ସ୍ମିତା କୋଳରେ ସବୁଦିନ ପାଇଁ ଶୋଇଗଲେ ।  

 ପ୍ରବୋଧ ବି କାନ୍ଦି କାନ୍ଦି କୋହ ଭରା ସ୍ଵରରେ କହିହେଉଥିଲେ ମୋ ସ୍ତ୍ରୀ ବାସ୍ତବରେ ଅପରାଜିତା।


  



Rate this content
Log in

Similar oriya story from Tragedy