Parameswar Ojha

Tragedy Inspirational

3  

Parameswar Ojha

Tragedy Inspirational

ଅପରାହ୍ନର ଛାଇ

ଅପରାହ୍ନର ଛାଇ

13 mins
497



 ଲେଖିବା ଛାଡି ଦେଇଛନ୍ତି ସିମନ୍ତିନୀ ।

ପତ୍ର ପତ୍ରିକା ମହଲରେ ଚହଳ ପଡ଼ି ଯାଇଛି । ସିମନ୍ତିନୀ ଚୌଧୁରୀଙ୍କ ଲେଖା ଆସୁନି । ସିମନ୍ତିନୀ ଚୌଧୁରୀ ଖାଲି ନାଁ ନୁହେଁ ପାଠକ ପାଠିକାଙ୍କ ମହଲରେ ତାଙ୍କ ଠିକଣା ବି ମୁଖସ୍ଥ । ସାଇ କଲୋନୀ , ପ୍ଲଟ୍ ନମ୍ବର -୧୦୪ , ସରପଞ୍ଚ ରୋଡ୍ , ଚମ୍ପକପୁର , ବାଲେଶ୍ଵର - ୧୦୪୨୩

 ତାଙ୍କ ଲେଖା ଗୁଡ଼ିକ ଏତେ ଜୀବନ୍ତ ଏତେ ହୃଦୟସ୍ପର୍ଶୀ ଯାହାକୁ ପାଠକ ପାଠିକା ଏକାଧିକ ବାର ପଢ଼ୁଛନ୍ତି ତାଙ୍କ ଲେଖାକୁ ଅପେକ୍ଷା କରୁଛନ୍ତି । ତାଙ୍କ ଲେଖନୀ ବି ଏତେ ତିବ୍ର ଥିଲା ଯେ ପ୍ରାୟ ପତ୍ର ପତ୍ରିକାରେ ତାଙ୍କ ଲେଖା ଥିବ ପ୍ରତିଥର । ଖାଲି ଗପ ଉପନ୍ୟାସ ହିଁ ଲେଖୁଥିଲେ କିନ୍ତୁ ଢେର୍ ଅଧିକ ।

ସେ ବିବାହିତା ଗୋଟିଏ ଝିଅର ଜନନୀ । ପରିବାର ସ୍ୱାମୀ ଝିଅ ଶାଶୁ ଶ୍ୱଶୁର ଘର ସବୁ ଦାୟିତ୍ଵ ପରେ ଯଦି କିଛି ମନୋରଞ୍ଜନ ତାଙ୍କ ପାଇଁ ଥାଏ ସେ ଥିଲା ତାଙ୍କର ଗପ ଲେଖା , ଉପନ୍ୟାସ ଲେଖା ଆଉ ପଢା ପଢି ।

ଗପ ଲେଖିବାରେ ତାଙ୍କୁ ଖୁବ୍ ସନ୍ତୋଷ ମିଳୁଥିଲା । ଆଉ ତାଙ୍କ ପ୍ରତ୍ୟେକ ଲେଖାରେ ପାଠକ ମାନଙ୍କ ପାଇଁ ପଢା ଶେଷରେ ଆତ୍ମସନ୍ତୋଷ ଥିଲା ତା ସହିତ କିଛି ଶୁଭ ବାର୍ତ୍ତା ବି । ତାଙ୍କ ଲେଖାକୁ ପାଠକ ପାଠିକା ମାନେ ଅତି ଶ୍ରଦ୍ଧା ରେ ପଢୁଥିଲେ । କିନ୍ତୁ ଛଅ ମାସ ଉପରେ ହୋଇଯିବ ଏ ପର୍ଯ୍ୟନ୍ତ ଗୋଟେ ଲେଖା ବି ନାହିଁ ତାଙ୍କର କୌଣସି ଖବର କାଗଜ ବା ପତ୍ର ପତ୍ରିକା ରେ । 

ପାଠକ ପାଠିକାଙ୍କ ‌‌‌‌‌‌ମହଲରେ ଢେର୍ ଅସନ୍ତୋଷ । ପତ୍ର ପତ୍ରିକା ବିକ୍ରି ଢେର୍ କମିଗଲାଣି କେବଳ ସିମନ୍ତିନୀ ଚୌଧୁରୀଙ୍କ ଲେଖା ନଥିବାରୁ । ସଂପାଦକ ସଂପାଦିକା ମାନେ ଚିନ୍ତାରେ ପଡିଛନ୍ତି । କେବଳ ଅଭିଯୋଗ ଭରା ଚିଠିରେ ସେମାନେ ବିରକ୍ତ ହୋଇଗଲେଣି ପାଠକ ମାନଙ୍କ ର ଗୋଟିଏ କଥା - ସିମନ୍ତିନୀ ଚୌଧୁରୀଙ୍କ ଲେଖା କ'ଣ ପାଇଁ ପ୍ରକାଶିତ ହେଉନାହିଁ ?  

ପାଠକ ପାଠିକାଙ୍କ ଏଇ ପ୍ରଶ୍ନର କିଛି ଉତ୍ତର ନାହିଁ ତାଙ୍କ ପାଖେ । ବହୁତ ସଂପାଦକ ସଂପାଦିକା ମାନେ ବି ଶ୍ରୀମତୀ ସିମନ୍ତିନୀଙ୍କ ଘରକୁ ଯାଇ ନିରାଶ ହୋଇ ଫେରିଲେଣି । ସିମନ୍ତିନୀ କିନ୍ତୁ ନୀରବ ଅଧିକ କିଛି କହୁ ନାହାନ୍ତି କାହାକୁ । ତାଙ୍କର ଗୋଟେ ଉତ୍ତର - " ମୁଁ ଲେଖା ଲେଖି ଛାଡି ଦେଇଛି କିଛି ବ୍ୟକ୍ତିଗତ କାରଣ ପାଇଁ , ତେଣୁ ମୋତେ ବାଧ୍ୟ କରନ୍ତୁନି ମୁଁ କ୍ଷମା ଚାହୁଁଛି ।"

ତାଙ୍କୁ ଦେଖିଲେ ଲାଗୁଛି ଆଉ ଆଗ ଭଳି ତାଙ୍କ ମୁହଁରେ ସନ୍ତୋଷ ପଣ ନାହିଁ । କେମିତି ଗୋଟେ ଭାଙ୍ଗି ପଡିଛନ୍ତି ଭିତରେ ଭିତରେ । ଯଥେଷ୍ଟ ଅଧିକ ଚୁପ୍ ଚାପ୍ ନିରଶ ନିରାଶ । ପ୍ରତ୍ୟେକ ଲେଖା ବଦଳରେ ମନ ପସନ୍ଦ ମୁତାବକ ଟଙ୍କା ଦେବେ ବୋଲି ଚୁକ୍ତିବଦ୍ଧ ହେଲେ ପ୍ରତ୍ୟେକ ସଂପାଦନା ମଣ୍ଡଳୀ ତଥାପି ସିମନ୍ତିନୀଙ୍କ ଗୋଟିଏ ଉତ୍ତର , ସେ ଲେଖା ଛାଡି ଦେଇଛନ୍ତି । 

 ବଡ ବଡ ସାହିତ୍ୟିକଙ୍କ ମହଲରେ ବି ଗଭିର ଆଲୋଚନା । 'ଶେଷସୀମା ' ଓ ' ତମେ ଆଉ ମୁଁ ' ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ସିମନ୍ତିନୀ ଚୌଧୁରୀ ଯେ ଲେଖା ଲେଖି ଛାଡି ଦେଇଛନ୍ତି ଏକଥା ଭାବିବା ବେଳକୁ କେମିତି ଗୋଟେ ଅଜବ ଅଜବ ଲାଗୁଥିଲା ସେମାନଙ୍କୁ । ତାଙ୍କ ର ' ତୁମେ ଆଉ ମୁଁ ' ପୁସ୍ତକ ଟି ଏତେ ଲୋକପ୍ରିୟତା ହାସଲ କରିଛି ଯେ ଏ ପର୍ଯ୍ୟନ୍ତ ବିପୁଳ ପରିମାଣରେ ବିକ୍ରି ଚାଲିଛି । ଏତେ ଲୋକ ପ୍ରିୟତା କୁଢ କୁଢ ମାନସମ୍ମାନ ସବୁକୁ ଭୁଲି ଆଜି ସିମନ୍ତିନୀ କାହିଁକି ଯେ ଲେଖା ଠାରୁ ନିଜକୁ ଦୂରେଇ ଦେଲେ ତାହା ସମସ୍ତଙ୍କ ପାଇଁ ଅସ୍ପଷ୍ଟ ହୋଇ ରହି ଯାଇଛି ।

 ନିଜର ଯେତେ ପୁଅ ଝିଅ ଥିଲେ ବି ଯଦି ଜନ୍ମ ହେବାକୁ ଥିବା ଛୁଆଟି ପେଟରେ ଯେତେବେଳେ ମରିଯାଏ ଗୋଟେ ମାଆକୁ ଯେତିକି କଷ୍ଟ ହୁଏ , ଠିକ୍ ସେମିତି ' ସାହିତ୍ୟ ଯଦି ଗୋଟେ ମାଆ ହୁଏ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସିମନ୍ତିନୀ ଚୌଧୁରୀଙ୍କ ମୂଲ୍ୟବାନ ସଂକଳନ ମାନଙ୍କୁ ହରେଇ ଏବେ ସାହିତ୍ୟ ମାଆ ନିଶ୍ଚୟ ସେତିକି ମନ ଦୁଃଖ କରୁଥିବ ଏହା ନିଃସନ୍ଦେହ ।

 ସିମନ୍ତିନୀ ଚୌଧୁରୀ ଖାଲି ନାଁ ନୁହେଁ ହଜାର ହଜାର ମଣିଷଙ୍କ ଭଲପାଇବା । ତାଙ୍କ ଲେଖା କେବଳ ଗପ ନୁହେଁ ହଜାର ହଜାର ଲୋକଙ୍କ ହୃଦ ସ୍ପନ୍ଦନ କହିଲେ ବି କିଛି ଭୁଲ୍ ହେବନି ।



********


  ସିମନ୍ତିନୀ । ଗାଳ୍ପିକା ସିମନ୍ତିନୀ ଚୌଧୁରୀଙ୍କୁ ଛାଡିଦେଲେ ତାଙ୍କର ଆଉ ଗୋଟେ ସାଧାରଣ ଚରିତ୍ର ସିମା ବି ଅଛି । ଝିଅ ସମ୍ଭାବନା ସ୍ବାମୀ ପ୍ରିୟମ୍ ଆଉ ଶାଶୁ ଶ୍ୱଶୁରଙ୍କୁ ନେଇ ତା'ର ଛୋଟ ସୁଖର ସଂସାର । 

 ଏମାନେ କେହି ବି ସାହିତ୍ୟରେ ଋଚି ରଖନ୍ତିନି କିମ୍ବା କେତେବେଳେ ସିମାକୁ ପ୍ରୋତ୍ସାହିତ କରିବା ସେ ଦେଖିନି । ହଁ ପ୍ରଶଂସା ଚିଠିପତ୍ର , ଉପଢୌକନ ମାନପତ୍ର , ପାଇଥିବା ଟଙ୍କା  ସାକ୍ଷାତକାର ଏସବୁ ଦେଖିଲେ ଅବଶ୍ୟ ବହୁତ ଖୁସି ହୁଅନ୍ତି ଏମାନେ । 

ସିମନ୍ତିନୀ ଚୌଧୁରୀ ବଦଳରେ  ସିମା ହୁଏତ ସେଇ ସିମାରେ ହିଁ ରହି ଯାଇଥାନ୍ତା ଯଦି ତା ଲେଖାକୁ ବୁଝୁଥିବା ତୃଟି ଖୋଜି ସଂଶୋଧନ କରି ସଜେଇବା ତା ହାତ ଧରି ସାହିତ୍ୟରେ ଆଉ ଦି ହାତ ଆଗକୁ ନେଇଯିବା କାମଟା ଶଶାଙ୍କ ଶେଖର କରି ନଥାନ୍ତେ । 

ଯୋଉ ଦିନ ପ୍ରଥମ ସିମା ଖାତା ଖେଳଉ ଖେଳଉ ଶଶାଙ୍କ ସାର୍ ତାର ପ୍ରଥମ ଛୋଟ ଗପ ଟିଏ ଦେଖି ଦେଇଥିଲେ । ସେଦିନ ସପ୍ତାଶ୍ଚର୍ଯ୍ୟକୁ ଗୋଟିଏ ଯାଗାରେ ଦେଖି ଦେବାଭଳି ଶଶାଙ୍କ‌ ସାର୍ ଅବାକ୍ ହୋଇ କହିଥିଲେ - " ତୁମେ ଲେଖା ଲେଖି କର !?"


ସିମା ତଳକୁ ମୁହଁ ପୋତି କହିଥିଲା - " ହଁ ସେମିତି ବେଳେ ବେଳେ "


- ଆରେ ଖୁବ୍ ବଢିଆ ଲେଖୁଛ । 


- କୋଉ ପତ୍ର ପତ୍ରିକା କୁ ପଠେଇଲଣି ନା ନାହିଁ ? 


- ମୋ ଲେଖା ପୁଣି ପତ୍ର ପତ୍ରିକାରେ ପ୍ରକାଶ ହେବ ?


- ଆରେ ନିଶ୍ଚୟ ହେବ ।


ଶଶାଙ୍କ ଲେଖା ପଠେଇବା କାଇଦା ବତେଇ ଦେଇଥିଲେ ସିମାକୁ । ସୁନ୍ଦର ସୁନ୍ଦର ଅକ୍ଷରରେ ଗପ ସବୁ ଲେଖି , ଲଫାପା ରେ ଠିକଣା ଲେଖି , ଡାକ ଟିକଟ ମାରି ଡାକ ଘର ବାକ୍ସ ରେ ପକେଇଦେଇ ଆସେ ସିମା , ଶଶାଙ୍କ କହିବା ମୁତାବକ । ଏସବୁ କରେ ସିନା ତାର ଟିକେ ବି ବିଶ୍ବାସ ହୁଏନି ଯେ ତା ଲେଖା ଖବରକାଗଜ ରେ ବାହାରିବ ବୋଲି । 

 ଦିନେ ସମ୍ବାଦପତ୍ର ସାହିତ୍ୟ ପୃଷ୍ଠାରେ  ' ତୁମ ଅଗଣାରେ ' ଗପଟି ପ୍ରକାଶିତ ଦେଖି ହତବାକ ହୋଇଗଲା ସିମା । ସେଦିନ ଖୁସିରେ ଖାଲି ସାଙ୍ଗ ମାନଙ୍କୁ ଦେଖେଇ ହେଲା , ଥରେ ନୁହଁ ଦଶରୁ ପନ୍ଦର ଥର ପଢିଛି ତା ଲେଖା । ସେଦିନ ଖୁସିରେ ଭୋକ ଶୋଷ ଭୁଲିଗଲା ସେ । ଶଶାଙ୍କ ସାର୍ ଆସୁ ଆସୁ ତାଙ୍କୁ କୁଣ୍ଢେଇ ପକାଇଲା ଖୁସି ରେ ।


ସମସ୍ତେ ସିମାର ପ୍ରକାଶିତ ଲେଖା ଦେଖି ବହୁତ ଖୁସି ଥିଲେ । ସାଙ୍ଗ ସାଥି ମାନେ ଶୁଭେଚ୍ଛା ବାର୍ତ୍ତାରେ ଉଛୁଳେଇ ଦେଉଥିଲେ ତା ଆଖ ପାଖ । ହେଲେ ଶଶାଙ୍କ ଥିଲେ ନିର୍ବିକାର କିଛି ବି କହିନଥିଲେ ଖୁସି ବି ହୋଇ ନଥିଲେ ।


ସିମା ନିରୋଳାରେ ଶଶାଙ୍କ ସାରଙ୍କୁ ପଚାରିଲା - ମୋ ଲେଖା ପ୍ରକାଶ ପାଇଛି ଅଥଚ ଆପଣ କିଛି ବି‌ କହୁନାହାନ୍ତି ଖୁସି ବି ହେଉନାହାନ୍ତି ଶୁଭେଚ୍ଛା ବି ନାହିଁ । ଆପଣ କ'ଣ ମୋ ଲେଖା ପ୍ରକାଶନ ରେ ଖୁସି ନୁହଁନ୍ତି ?


  ଶଶାଙ୍କ କହିଥିଲେ ଗୋଟିଏ ଶବ୍ଦ -" ନା '


ସେଇ ଗୋଟିଏ ଶବ୍ଦ ନା ରେ ହିଁ ଯେମିତି ସିମା ଛାତିରୁ ଅତଡାଏ କଲିଜା ଖସି ପଡିଲା ‌ ।


ସିମା ନିରାଶ ସ୍ବରରେ କହିଲା - ' ଆପଣ ଚାହୁଁଥିଲ ଏବେ ବି ଚାହୁଁଛନ୍ତି ମୋ ଲେଖା ପ୍ରକାଶ ପାଉ , ମୁଁ ଭଲ ଲେଖିକା ଟେ ହୁଏ । ତେବେ ?

ଶଶାଙ୍କ ଧିର ସ୍ବରରେ କହିଲେ - " ତୁମ ଲେଖା ପ୍ରକାଶ ପାଇଛି , ହେଲେ ଏତେ ଖାସ୍ ଲେଖା ହୋଇନି ସେ ଗପଟି । ଯଦି ତୁମେ ଲେଖା ପାଇଁ କିଛି ଚିଠି ପାଅ ଜାଣିବ ତୁମ ଲେଖା କିଛି ଲୋକଙ୍କ ହୃଦୟ କୁ ଛୁଇଁଛି । ଅପେକ୍ଷା କର ସେମିତି ଲେଖା ପ୍ରକାଶିତ ହେଉ ମୁଁ ଆଗୁଆ ତୁମ କୁ ଶୁଭେଚ୍ଛା ଜଣାଇବି । ବାସ୍ ମୁଁ ତୁମକୁ ଦେଇଥିବା ବହି ଗୁଡିକ ଭିତରୁ ଯାହାଙ୍କ ଲେଖା ତୁମକୁ ଭଲ ଲାଗୁଛି ତାଙ୍କୁ ପଢ ।

ଯେତେବେଳେ ମନ ଚାହୁଁନି କିଛି ବି ଲେଖିବାକୁ କିଛି ଲେଖନି ଅନିଚ୍ଛାକୃତ ଭାବେ , ଯେତେବେଳେ ମନ ଭିତରେ କିଛି ଶବ୍ଦ କିଛି ବାକ୍ୟ କାହାଣୀର ରୂପ ନେବାକୁ କାଗଜ ଉପରକୁ ଆସିବାକୁ ତମ ଭିତରେ ଛଟପଟ ହେଉଛନ୍ତି ତୁମେ ସେତେବେଳେ ଲେଖ । ମୁଁ ଦେଇଥିବା ଠିକଣା ଗୁଡିକରେ ଲେଖା ପଠାଇ ଚାଲ । ଯେତେବେଳେ ‌ତୁମ ଲେଖାକୁ ପାଠକ ପାଠିକା ମାନେ ପସନ୍ଦ କରିବେ ସବୁଠୁ ଅଧିକ ଖୁସି ମୁଁ ହେବି । "


ସେଦିନ ଶଶାଙ୍କ ସାରଙ୍କ କେଇ ଧାଡି କଥା ସିମା ର ପିଲାଳିଆମି ମନ କୁ ଖୁବ୍ ବୟସ୍କ କରି ଦେଇଥିଲା । ଲାଗି ପଡିଥିଲା ନିଜକୁ ସଜାଡିବାରେ ଗଢିବାରେ ଆଉ ନିଜ କଲମକୁ ଶକ୍ତ କରିବାରେ ।


ଶଶାଙ୍କ ସାରଙ୍କ ଠୁଁ ସିମା ଗୋଟେ ଭଲ ଗୁଣ ଶିଖିଛି । ଏକାଗ୍ରତା , ପାଠ ପଢିଲା ବେଳେ ଗଳ୍ପ ହେଉ କି କବିତା ଅବା ସମ୍ବାଦ ପତ୍ର , ଏତେ ଏକାଗ୍ରତା ର ସହ ପଢନ୍ତି ଶଶାଙ୍କ ସାର୍ , ଯେ ତାଙ୍କ ସାମ୍ନାରେ ସାନରୁ ବଡ କିଛି ବି ଅଘଟଣ ବା ଦୂର୍ଘଟଣା ଘଟିଗଲେ ସେ ଜାଣି ପାରନ୍ତିନି । ବହିରୁ ମନ ବାହାରିଲା ପରେ ଏମିତି ଭାବଭଙ୍ଗୀ କରି କଥା କୁହନ୍ତି ଯେମିତି କୋଉ ଅନ୍ୟ ଗ୍ରହରୁ ଛଅ ମାସ ପରେ ଏବେ ଫେରିଛନ୍ତି । ଆଉ ଶଶାଙ୍କ ସାର୍ ଯାହାବି କରନ୍ତି ହୃଦୟ ର ସହ କରନ୍ତି , ନିଷ୍ଠା ର ସହ କରନ୍ତି , ସେ ପ୍ରେମ ହେଉ କି ଛଳନା ସେ କବିତା ସୃଷ୍ଟି ହେଉ ଅବା ଗପ ମନରେ କିଛି ରଖନ୍ତିନି ସବୁ ଖୋଲି ଦିଅନ୍ତି ।

 

ସେଦିନ ସେ ସାହିତ୍ୟ ସଭା ରେ ନିମନ୍ତ୍ରିତ ଅତିଥି ଥିଲେ ଶଶାଙ୍କ ସାର୍ । ଗାଁ ପାଖରେ ଥିବାରୁ ଶଶାଙ୍କ ସାର୍ ସିମାକୁ ବି କହିଥିଲେ ଯିବାକୁ ସେ ଯାଇଥିଲା , ସାମ୍ନା ଚେୟାରରେ ବସିଥିଲା ।


ସଭା ମଝିରେ ଶଶାଙ୍କଙ୍କୁ ଅନୁରୋଧ କରାଗଲା ଗୋଟେ ନୂଆ କବିତାଟେ ଆବୃତ୍ତି କରିବାକୁ । କାରଣ ଶଶାଙ୍କଙ୍କର ଗୋଟେ ସୁନ୍ଦର କଳା ଥିଲା ଯେ ସେ ସାଙ୍ଗେ ସାଙ୍ଗେ ଧାଡିଏ ହେଉକି ଚାରି ଧାଡ଼ି ହେଉ ସୁନ୍ଦର କବିତା ତିଆରି କରି ଆବୃତ୍ତି କରି ପାରୁଥିଲେ ।


ସେଦିନ ସାହିତ୍ୟ ମଞ୍ଚର ବିଷୟବସ୍ତୁ ଥିଲା ପ୍ରେମ । ଶଶାଙ୍କ ସିଧା ସିମାକୁ ଚାହିଁ ଆବୃତ୍ତି କଲେ ପ୍ରେମ କବିତା ଟିଏ ।

କବିତା ନୁହେଁ ତ ଯେମିତି ସିମାକୁ ହିଁ ଗୋଟା ସୁଦ୍ଧା ଆବୃତ୍ତି କରିଦେଲେ ।


ସିମାର ଆଖି , ଆଖିରୁ ଓଠ, ଓଠ ରୁ ଲିପଷ୍ଟିକ୍ , ଓଠ ରୁ ନାକ ନାକ ଗୁଣା, ପିନ୍ଧିଥିବା ଶାଢ଼ୀ , ଶାଢ଼ୀ ର ରଙ୍ଗ ପାଦ ହାତ , ହାତ ଆଙ୍ଗୁଠି ଚୁଡ଼ି , ଚାହାଣୀ , କଣ୍ଠ ସ୍ବର ସ୍ବଭାବ .... ସବୁ କହିଦେଲେ ସେଇ ଦୁଇ ମିନିଟ୍ ର କବିତା ରେ ।

ଏତେ ସୁନ୍ଦର କବିତା ଶଶାଙ୍କ ଆବୃତ୍ତି କଲେ ଯେ , ସଭାସ୍ଥଳ କରତାଳିରେ ମୁଖରିତ ହୋଇଗଲା ମିନିଟିଏ ପାଇଁ ।

ସିମା ସେତେବେଳେକୁ ଲାଜରେ ଗୋଟା ସୁଦ୍ଧା ସରି ଯାଇଥିଲା । ବୋଧେ ସେଇଦିନ ହିଁ ଶଶାଙ୍କ ସାରଙ୍କ ପାଇଁ ସିମା ମନରେ ପ୍ରେମ ପକ୍ଷୀ ଟିଏ ପ୍ରଥମ ଥର ପାଇଁ ଡେଣା ଫଡ ଫଡ କରି ଉଡିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲା ।

 

*******


ସିମା ର ପାଠ ପଢାକୁ ନେଇ ବହୁତ ଯତ୍ନବାନ ଥିଲେ ତା ବାବା ମାମା । ପିଲାଟି ବେଳୁ ଭଲ ପାଠ ପଢ଼ିବାର ସବୁ ସୁବିଧା ଯୋଗାଇ ଦେଇଥିଲେ ତା ପାଇଁ । ସିମାକୁ ଯେତେବେଳେ ଦଶମ ଶ୍ରେଣୀ ସେ ସେତେବେଳେ ଶଶାଙ୍କ ସାରଙ୍କ ପାଖରେ ଟିୟୁସନ ହେଲା । କାରଣ ସେତେବେଳେ ସେ ଅଞ୍ଚଳରେ ସବୁଠୁ ଭଲ ପାଠ ପଢଉଥିବା ଶିକ୍ଷକଙ୍କ ଭିତରୁ ଶଶାଙ୍କ ସାରଙ୍କ ନାଁ ବହୁତ ଆଗରେ ଥିଲା । ଗୋଟେ ପିଲା ପ୍ରତି ମାସକୁ ସେ ୫୦୦ ଟଙ୍କା ନେଉଥିଲେ ହେଲେ ବି ସେ ସେଇ ମୁତାବକ ଯଥେଷ୍ଟ ଭଲ ପଢ଼ାଉଥିଲେ । ଖୁବ୍ ଅଳ୍ପ ଦିନ ଭିତରେ ସିମା ର ପ୍ରିୟ ସାର୍ ବନି ସାରିଥିଲେ ଶଶାଙ୍କ । କାରଣ ସେ ଯେତେ ସାରଙ୍କ ପାଖରେ ପଢିଛି ସମସ୍ତଙ୍କ ଠୁ ଶଶାଙ୍କ ସାରଙ୍କ ପଢ଼ାଇବା ଶୈଳୀ ଥିଲା ଭିନ୍ନ ।


ସିମା ଠୁ ଶଶାଙ୍କ ବୟସରେ ଥିଲେ ଆଠ ବର୍ଷ ବଡ ‌। ଶିକ୍ଷକ ଛାତ୍ରୀ ଠୁ ସଂପର୍କ ଆରମ୍ଭ ହୋଇଥିଲା ହେଲେ ସାହିତ୍ୟ ଦରିଆରେ ଦୁଇଜଣ ଏକା ସହଯାତ୍ରୀ ଜାଣି ଧିରେ ଧିରେ ଅଧିକ ଘନିଷ୍ଠ ହୋଇଥିଲେ ଦୁହେଁ , ଏକରକମ ବନ୍ଧୁ କୁହା ଯାଇପାରେ । ପାଠକୁ ଛାଡ଼ିଲା ପରେ ଅନେକ ସମୟ ସାହିତ୍ୟ ଚର୍ଚ୍ଚା କରୁଥିଲେ ଦୁହେଁ । ଟିୟୁସନ ସାରି ପିଲାମାନେ ଚାଲିଯିବା ପରେ ପ୍ରାୟ ବହୁତ ସମୟ ସିମାକୁ ଗପ କବିତା ପଢ଼ି ଶୁଣାଉଥିଲେ ଶଶାଙ୍କ । ଶଶାଙ୍କ ସାରଙ୍କ ଆବୃତ୍ତି ଏତେ ସୁନ୍ଦର ଥିଲା ଯେ ମୁଗ୍ଧ ଶ୍ରୋତା ଟିଏ ହୋଇ ସିମା ଶୁଣୁଥିଲା ଶଶାଙ୍କଙ୍କୁ । ଗପରେ ନୁହେଁ ପ୍ରାୟ ସମୟ ସେ ଶଶାଙ୍କ ସାରଙ୍କ ଠାରେ ହିଁ ହଜି ଯାଉଥିଲା । ଶଶାଙ୍କ ସିମାର ମୁହଁ ଦେଖି ଜାଣି ପାରୁଥିଲେ ଏତକ । ପଚାରି ଦେଉଥିଲେ ପଢିଥିବା ଗଳ୍ପର ବିଷୟ ବସ୍ତୁରୁ କିଛି । ସିମା ଅନ୍ୟମନସ୍କତାରୁ ଫେରିଆସି କୁହେ - " ଆଉଟିକେ କହି ଦିଅନ୍ତୁ ନା ସାର୍ , ଭୁଲିଗଲି ।"


ଶଶାଙ୍କ ସାର୍ ରାଗି ଯାଇ କୁହନ୍ତି - " ଦେଖ ଏମିତି ଅନ୍ୟମନସ୍କତା ମୋର ପସନ୍ଦ ନୁହେଁ । ଶୁଣିଲା ବେଳେ ଅବା ପଢିଲା ବେଳେ ତ ବିଲକୁଲ ନୁହେଁ । ଯଦି ଶୁଣିବାର ଆନ୍ତରିକତା ନାହିଁ ତମେ ଘରକୁ ଯାଇପାର ।"


ସିମା ତଳକୁ ମୁହଁ କରି କହେ - " ମୋର ଭୁଲ୍ ହୋଇଯାଇଛି ସାର୍ , ଆଉ ଏମିତି ହେବନି ।


ଏଥର ଶଶାଙ୍କ ଗପ ଆରମ୍ଭ କରନ୍ତି , ସିମା ଶଶାଙ୍କ ସାରଙ୍କ ମୁହଁ କୁ ନ ଚାହିଁ ଗପ ଧ୍ୟାନ ର ସହ ଶୁଣେ । ପ୍ରାୟ ସବୁଦିନ ଏମିତି ଚାଲେ । ହଠାତ୍ ଦିନେ ଶଶାଙ୍କ ସାର୍ ପ୍ରସ୍ତାବ ଦେଲେ - " ସିମା ଆଜି ତୁମେ ଗଳ୍ପ ଆବୃତ୍ତି କର "


- " ସାର୍ ମୁଁ "


- " ହଁ ତୁମେ "


- " ମୋ ଦ୍ବାରା ଆପଣଙ୍କ ଭଳି ଏତେ ସୁନ୍ଦର ହେବନି ସାର୍ "


- " ମୁଁ ତୁମକୁ ଆବୃତ୍ତି କରିବାକୁ କହିଲି ଭଲ କି ଖରାପ ପରେ ଜଣା ପଡ଼ିବ "


ରାମଚନ୍ଦ୍ର ବେହେରାଙ୍କ ' ଅସ୍ଥାୟୀ ଠିକଣା ' ସଂକଳନ ରୁ ' 'ଛବି' ଗପଟି ଶଶାଙ୍କ ଦେଲେ ଆବୃତ୍ତି କରିବାକୁ ।

ସିମା କେବଳ ପଢିଗଲା । ଶଶାଙ୍କ ଅଧାରୁ ରୋକି କହିଲେ -  " ଏମିତି ଆବୃତ୍ତି କରାଯାଏ ନି , ଆବୃତ୍ତି କରିବା ପୂର୍ବରୁ ନିଜକୁ ପ୍ରଥମେ ସମସ୍ତ ଚରିତ୍ର ରେ ଭେଦିବାକୁ ପ୍ରସ୍ତୁତ ରଖ । ଯାହାକୁ ପଢୁଛ ଅନୁଭବ କରି ପଢ । ହେଉପଛେ ଧିରେ ଧିରେ କିନ୍ତୁ ପାଟିରୁ ନୁହେଁ ଅନ୍ତରରୁ ପଢ । ପ୍ରତ୍ୟେକଙ୍କୁ ନିଜ ଭିତରେ ଅନୁଭବ କରି ପଢ ବେଶ୍ ଭଲ ହେବ ।"


ସିମା ଏଥର ପୁଣି ଥରେ ଆବୃତ୍ତି ଆରମ୍ଭ କଲା ,

ଶଶାଙ୍କ ଦେଖିଲେ ସିମାର ପ୍ରଥମ ଆବୃତ୍ତି ଟିକେ ଅସଜଡା କିନ୍ତୁ ବେଶ୍ ଭଲ ଥିଲା । ଶଶାଙ୍କ ବତେଇଦେଲେ ପଢ଼ିବାର କିଛି ଶୈଳୀ , ଏଥର ଶଶାଙ୍କ ନୁହେଁ ପ୍ରତିଥର ସିମା ହିଁ ଆବୃତ୍ତି କଲା ଗପ ଓ କବିତା ବେଶ୍ ସୁନ୍ଦର ଭାବରେ ।

ପ୍ରତିଦିନର ଆଲୋଚନା ଭିତରେ ବେଶ୍ କିଛି ଶିଖି ଯାଇଥିଲା ସିମା । ବହୁତ ଲୋକପ୍ରିୟ ଲେଖକ ଲେଖିକାଙ୍କ ଲେଖା ସଂସ୍ପର୍ଶରେ ଆସି ସାରିଥିଲା ଆଉ ନିଜ ଲେଖାରେ ବି ବହୁତ ସୁଧାର ଆଣି ସାରିଥିଲା ସେ ।


ପ୍ରତିଦିନ ଶଶାଙ୍କ ସାର୍ ଭିନ୍ନ ଭିନ୍ନ ଲେଖକ ଲେଖିକାଙ୍କର ପୁସ୍ତକ ଆଣୁଥିଲେ ଆଉ ସେ ବହି ବିଷୟରେ ସମୀକ୍ଷା ପରେ ପଢା ଆରମ୍ଭ କରୁଥିଲେ ।


ପ୍ରତିଭା ରାୟ , ସାତକଡି ହୋତା , ରାମଚନ୍ଦ୍ର ବେହେରା, ବିଭୁତି ପଟ୍ଟନାୟକ , ଗୌରହରି ଦାସ ...... ଏମିତି ବହୁତ ଲେଖକଙ୍କ ବହି ରଖିଥିଲେ ଶଶାଙ୍କ । ଯଦି ନୂଆ ବହି ସଂକଳନ ଟେ ଭଲ ଲେଖକ ଲେଖିକାଙ୍କ ର ପ୍ରକାଶ ପାଉଥିଲା ତେବେ ତାର ୧୫ ଦିନ ପରେ ଶଶାଙ୍କ ସାରଙ୍କ ବହି ଥାକରେ ହିଁ ଶୋଭା ପାଉଥିଲା ଆଉ ତା ଦ୍ବିତୀୟ ଦିନରେ ସିମା ସାମ୍ନାରେ ସେ ବହିର ସମୀକ୍ଷା ଆଉ ତା ପଢା ଆରମ୍ଭ ହୋଇ ଯାଉଥିଲା ।

ଶଶାଙ୍କ ଏବେ ନିଜକୁ ପ୍ରସାରିତ ହେବାରେ ଯେତିକି ଗୁରୁତ୍ୱ ଦେଉନଥିଲେ ତାଠୁ ଅଧିକ ଗୁରୁତ୍ବ ଦେଉଥିଲେ ଜରୁରୀ ଭାବୁଥିଲେ ସିମା କୁ ଗଢିବାରେ ।


ଶଶାଙ୍କ ଶେଖର କୌଣସି ଏକାଡେମୀ ପୁରସ୍କାର ପାଇନଥିଲେ ବି ସେ ପାଠକ ପାଠିକାଙ୍କ ମହଲରେ ସୁପରିଚିତ ଲେଖକ ଥିଲେ । ଅନେକ ସାହିତ୍ୟ ଅନୁଷ୍ଠାନରୁ ବହୁତ ସମ୍ମାନରେ ସମ୍ମାନିତ ହୋଇଥିଲେ ।


ସିମା କୁ ଜଣେ ଲେଖିକା ହିସାବରେ ଭେଟିଲା ପରେ ତା ଭିତରେ ଭବିଷ୍ୟତର ଉଜ୍ଜ୍ୱଳ ନକ୍ଷତ୍ର ଦେଖି ପାରିଥିଲେ କି କଣ , ନିଜକୁ ଏକଦମ୍ ଭୁଲି ଯାଇଥିଲେ ସିମା ପାଇଁ ଉତ୍ସର୍ଗ କରିଦେଇ ।


ଦିନେ ସମାଜ ଖବର କାଗଜରେ ସିମା ର ' ନିରାଲୋକ ' ଗପଟି ପଢି ଶଶାଙ୍କ ପ୍ରଥମେ ସେ ଖବରକାଗଜ ଟି ସିମା ହାତକୁ ବଢ଼େଇ ଦେଇ କହିଥିଲେ - " ଶୁଭେଚ୍ଛା ସିମା , ବହୁତ ଭଲ ଲେଖିଛ ଏମିତି ହିଁ ଲେଖିବାକୁ ଚେଷ୍ଟା କର ।


ସିମାକୁ ବହୁତ ଖୁସି ଲାଗିଥିଲା ସେଦିନ କାରଣ ବର୍ଷକ ପରେ ହିଁ ଏମିତି କଥାଟେ ସେ ଶଶାଙ୍କ ସାରଙ୍କ ମୁହଁ ରୁ ଶୁଣିବାକୁ ପାଇଲା ସେ ।


ସତରେ ସେଇ ଗପ ଏତେ ସୁନ୍ଦର ଏତେ ପାଠକ ପାଠିକାଙ୍କ ମନକୁ ପାଇଥିଲା ଯେ ସିମା ପାଖକୁ ପ୍ରାୟ ୫୦ ଟି ଚିଠି ଆସିଥିଲା ।


ଶଶାଙ୍କ ସାରଙ୍କୁ ତ ସେ ଅନେକ ବାର ପ୍ରଣାମ କରିଛି , ଏଥର କିନ୍ତୁ ହୃଦୟରୁ ପ୍ରଣାମ କରି ମନେ ମନେ କହିଲା - " ସତରେ ସାର୍ ଆପଣ ଲେଖାକୁ ପରଖି ପାରନ୍ତି ଅତି ପ୍ରାଞ୍ଜଳ ଭାବରେ । ଆଗରୁ ଜାଣି ନିଅନ୍ତି ତାର ଫଳାଫଳ ।ଆଉ ଆପଣଙ୍କ ପାଇଁ ହିଁ ମୁଁ ଏତେ ସମ୍ମାନର ଏତେ ଭଲପାଇବା ପାଇବାର ହକଦାର । ଆପଣଙ୍କୁ ଶତ କୋଟି ଧନ୍ୟବାଦ ।



 ସିମା ୨ ଯାଏଁ ଶଶାଙ୍କ ସାରଙ୍କ ପାଖରେ ପଢିଲା , ତାପରେ ୩ ବେଳକୁ ସେ ଅଧ୍ୟାପକ ଦିନବନ୍ଧୁଙ୍କ ପାଖରେ ଟିୟୁସନ ହେଲା ‌। କିନ୍ତୁ ଶଶାଙ୍କ ସାରଙ୍କୁ ସେ ବହୁତ ମନେ ପକାଉଥିଲା , ତାଙ୍କ କଥା ମାନି ଗପ କବିତା ଲେଖା ଲେଖି ପଢା ପଢି ଜାରି ରଖିଥିଲା ଯଥେଷ୍ଟ ମନ ଦେଇ , ଯେତେବେଳେ ସେ ଗପ କବିତା ପଢା ପଢି କରୁଥିଲା ତାକୁ ଯେମିତି ଲାଗୁଥିଲା ଶଶାଙ୍କ ସାର୍ ଏଇ ତା ପାଖରେ ହିଁ ବସିଛନ୍ତି ଆଉ ତାକୁ ପ୍ରତ୍ୟେକ କଥାରେ ତାଗିଦ୍ କରୁଛନ୍ତି ।

ତଥାପି ସେ ମଝିରେ ମଝିରେ ଶଶାଙ୍କ ସାରଙ୍କ ପାଖକୁ ଯାଇ ଗପସପ ହୋଇ ସାହିତ୍ୟ ବିଷୟରେ ଆଲୋଚନା କରି ଆସୁଥିଲା ।


ଦିନେ ଅପରାହ୍ନରେ ଶଶାଙ୍କ ସାରଙ୍କ ଘରେ ବସି ଚା ବିସ୍କୁଟ ଖାଉ ଖାଉ ସିମା କହିଦେଲା - " ସାର୍ ମୁଁ ଆପଣଙ୍କୁ ... ମୁଁ ଆପଣଙ୍କୁ ଭଲପାଏ । "


ଶଶାଙ୍କ ସ୍ବାଭାବିକ ଉତ୍ତରଟେ ଦେଲେ - " ହଁ ମୁଁ ଜାଣେ , ତ କ'ଣ ହେଲା ସେଇଠୁ ? ସେଇଟା କହିବା କ'ଣ ନିହାତି ଜରୁରୀ ? "

ସେହି ଦିନ ଠୁଁ ପ୍ରେମ ସମ୍ବନ୍ଧୀୟ କିଛି କଥା କହିନି ସିମା ଶଶାଙ୍କ ସାରଙ୍କୁ । ଶଶାଙ୍କ ସାର୍ କଥା ଏତେ ସ୍ପଷ୍ଟ କୁହନ୍ତି ଯେ , ତାଙ୍କ କଥା ପାଖକୁ କଥା କହିବାକୁ ସିମାକୁ ଭୟ ଲାଗେ । ବହୁତ ସାହସ ସଂଚୟ କରି ସେ ଭଲପାଏ ବୋଲି କହି ପାରିଥିଲା , ହେଲେ ଶଶାଙ୍କ ସାରଙ୍କ ଠୁଁ ଏମିତି ଉତ୍ତରଟେ ଶୁଣି ଆଉ କିଛି କହିପାରି ନଥିଲା କି ସେ ଦିଗରେ ଆଗକୁ ବଢି ପାରି ନଥିଲା । କିନ୍ତୁ ମନରେ ମନରେ ଭିତରେ ଭିତରେ ଶଶାଙ୍କ ସାରଙ୍କୁ ସେ ତାର ପ୍ରିୟତମ କରି ସଜେଇଛି ।


ଦିନ ଗଡିବା ସହିତ ସିମା , ସିମା ରୁ ପାଠକ ପାଠିକାଙ୍କ ମହଲରେ ବେଶ୍ ପରିଚିତ ନାମ ସିମନ୍ତିନୀ ଚୌଧୁରୀ ହୋଇଗଲା । ଯଥେଷ୍ଟ ପରିଶ୍ରମ, କଠୋର ସାଧନା ଆଉ ଶଶାଙ୍କ ସାରଙ୍କ ପୂର୍ଣ୍ଣ ସହଯୋଗ ରେ ।


 କିଛି ମାସ ପରେ ସିମା ତା ପ୍ରେମ ପାଇଁ ଶଶାଙ୍କ ସାର୍‌ଙ୍କ ଠାରୁ ତାଙ୍କ ଶେଷ କଥା ଶୁଣିବା ପାଇଁ ତାଙ୍କ ଘରକୁ ଯାଇ ସାହିତ୍ୟ ବିଷୟରେ ଆଲୋଚନା କରୁ କରୁ ପଚାରି ଦେଲା -" ଆପଣଙ୍କ ମନରେ ମୋ ପାଇଁ କ'ଣ ଅଛି ମୁଁ ଜାଣିନି ହେଲେ ମୁଁ ଆପଣଙ୍କୁ ବାହା ହେବାକୁ ଚାହେଁ । ବାଧ୍ୟ କରିବିନି ହେଲେ ଆପଣଙ୍କର ମୁଁ ସ୍ତ୍ରୀ ହେଲେ ନିଜକୁ ଦୁନିଆଁର ସବୁଠୁ ବଡ ସୌଭାଗ୍ୟବତୀଟେ ଭାବିବି । "


ଶଶାଙ୍କ ଏ କଥା ଶୁଣି ପ୍ରଥମେ ମୁରୁକି ହସିଲେ ତାପରେ ଟିକେ ଜୋରରେ ହସି କହିଲେ -" ଯଦି ସତରେ ତୁମ ମନରେ ପ୍ରେମ ଅଛି ତେବେ ସେ ପ୍ରେମ ତୁମ ଲେଖା ପ୍ରତି ଥାଉ ସାହିତ୍ୟ ସାଧନା ପ୍ରତି ଥାଉ । ମୋତେ ପାଇବା ଅପେକ୍ଷା ତୁମେ ତୁମ ଲେଖାକୁ ପ୍ରିୟତମ ସଜାଅ । ମୁଁ ଅଧିକ ଖୁସି ହେବି । ଏଥର ତୁମେ ନିର୍ଣ୍ଣୟ କର ତମ ଖୁସି ଚାହଁ କି ମୋ ଖୁସି ? "


ଶଶାଙ୍କ ସାରଙ୍କ ପ୍ରଶ୍ନର କିଛି ବି ଉତ୍ତର ଦେଇନଥିଲା ସିମା । ସେଇ ଏକା ଭୟ , କଥା ଗୁଡିକ ଏମିତି ବାଗରେ ଶେଷ କରନ୍ତି ଯେ ଶଶାଙ୍କ , ପ୍ରାୟ ସମୟ ଭୟ ଲାଗେ ଉତ୍ତର ଦେବାକୁ , ଆଜିବି ଲାଗିଲା ।


ଫେରି ଆସିଥିଲା ନିରାଶ ମନ ଆଉ ପ୍ରେମର ଅନୁଭବ ଆଉ ଦାୟିତ୍ଵ ଟିଏ ନେଇକି ।

କିଛି ଦିନ ପରେ ବିବାହ ସ୍ଥିର ହେଲା ସିମାର । ଶଶାଙ୍କ ସାରଙ୍କୁ ପ୍ରଥମେ ଜଣାଇଲା ଫଟୋ ଦେଖାଇ ପଚାରିଲା - " ବାବା ମାମା ସ୍ଥିର କରିଛନ୍ତି ଏଇ ପିଲାକୁ ମୋ ପାଇଁ ।"


ଶଶାଙ୍କ ଉତ୍ତର ଦେଲେ - " ସୁନ୍ଦର ପୁଅଟେ ଯୋଡ଼ି ଭଲ ଲାଗିବ । ଯାଅ ବାହା ହୁଅ ସୁଖରେ ସଂସାର କର କିନ୍ତୁ ସାହିତ୍ୟକୁ କେବେ ଛାଡିବନି , ଲେଖା ଲେଖି କେବେ ବନ୍ଦ କରିବନି ।

ନିମନ୍ତ୍ରଣ ରକ୍ଷା କରି ଶଶାଙ୍କ ଆସିଥିଲେ ସିମା ବାହାଘରକୁ । ଉପହାରରେ ଦେଇଥିଲେ କିଛି ନୂଆ କବିତା ଆଉ ଗପ ବହି ତାସହ ଗୋଟେ ୧୦୦୦ ପୃଷ୍ଠା ବିଶିଷ୍ଟ ଡାଏରୀ ଆଉ ଗୋଟେ କଲମ । ଆଉ ନିଜ ହାତରେ ଲେଖିଥିବା ଗୋଟେ ସୁନ୍ଦର କବିତା ସିମା ପାଇଁ ।


ସିମା ବିବାହ ପରେ ଦୁଇଟି ବହି ପାଇଁ ହିଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା। ସେଥିପାଇଁ ଶଶାଙ୍କଙ୍କର ଶୁଭେଚ୍ଛା ଓ ଶୁଭକାମନା ଚିଠି ବି ପାଇଛି । ହେଲେ ତାଙ୍କ ସହ ଆଉ ଦେଖା ସାକ୍ଷାତ ହୋଇନି ସିମାର ।


ହେଲେ ଅଚାନକ ଦିନେ ଖବର କାଗଜ ପୃଷ୍ଠା ଓଲଟାଉ ଓଲଟାଉ ଆଖିରେ ପଡ଼ିଗଲା " ଲୋକପ୍ରିୟ କଥାକାର ଶଶାଙ୍କ ଶେଖରଙ୍କ ପରଲୋକ "


ଶଶାଙ୍କ ସାରଙ୍କ ମୃତ୍ୟୁ ଖବର ଶୁଣିବା ଦିନ ଠାରୁ ସିମାକୁ ଡାଏରୀ କଲମ ଛୁଇଁବାକୁ ଏବେ ଭୟ ଲାଗୁଛି ।

ଶଶାଙ୍କ ସାର୍ ଯୋଉଠି ଥାନ୍ତୁ ଯେମିତି ଥାନ୍ତୁ ତା ବହି ତା ଲେଖା ନିଶ୍ଚୟ ପଢୁଥିବେ । ଯାହାଙ୍କ ପରିଶ୍ରମ ପ୍ରେରଣା ଶିକ୍ଷା ଦୀକ୍ଷା ପାଇ ସେ ଏତେ ଆଗକୁ ବଢି ପାରିଛି । ସେଇ ଶଶାଙ୍କ ସାର୍ ତା ଲେଖା ଦେଖି ପଢି  ଖୁସି ତ ନିଶ୍ଚୟ ହେଉଥିବେ , ସେଇ ଭରଷା ନେଇ ସେ ଲେଖୁଥିଲା ।

 ଆଉ ଯଦି ତା ଲେଖା ପଢିବାକୁ ତା ପ୍ରିୟ ମଣିଷ ଏ ଦୁନିଆଁରେ ନାହାନ୍ତି , ତେବେ ସେ ଆଉ କାହା ପାଇଁ ଲେଖିବ ?

ମନ ଛାଡି ଯାଇଛି ଲେଖା ଲେଖିରୁ ସିମା ଓରଫ୍ ସିମନ୍ତିନୀ ଚୌଧୁରୀଙ୍କର ସେବେଠୁ ।

******


ସ୍ବାମୀ ପ୍ରିୟମ୍ ଦେଖୁଛନ୍ତି ଲେଖା ଲେଖି ଛାଡ଼ିବା ଦିନଠୁ ତାଙ୍କ ପ୍ରିୟ ସିମୁ ବହୁତ ଚିନ୍ତିତ ରହୁଛନ୍ତି ଝଡି ଯାଇଛନ୍ତି । ସେ ଯେତେ ତାଙ୍କୁ ପଚାରିଲେ ବି ସିମନ୍ତିନୀ କିଛି କୁହନ୍ତିନି - ' ମୋ ମନ ଏବେ ଲାଗୁନି ଆଉ ଲେଖା ଲେଖିରେ , ଖାଲି ଏତିକି କହି ଦେଇ ମୁହଁ ଶୁଖାନ୍ତି ବାସ୍ ।

ସତ କଥା ନଜାଣିଲେ ବି ପ୍ରିୟମ୍ ବୁଝି ପାରନ୍ତି କିଛି ତ ଗୋଟେ ଅସ୍ବାଭାବିକ ହୋଇଛି ଯାହା ପାଇଁ ତାଙ୍କ ସିମୁର ଏମିତି ହତାସ ଭାବ ।


ଦିନେ ସଂଧ୍ୟାରେ ପ୍ରିୟମ୍ ପତ୍ନୀ ସିମନ୍ତିନୀଙ୍କ ହାତରେ ଗୋଟେ ଉପନ୍ୟାସ ସଂକଳନଟି ଧରେଇ ଦେଇ କହିଲେ - ଏଇ ନିଅ ତମ ପାଇଁ ଆଣିଛି ।

ସିମନ୍ତିନୀ ମୁହଁ ଫୁଲେଇ କହିଲେ - ' ମୁଁ ତମକୁ କହିଥିଲି ?

- " ନାଇଁ ମୁଁ ଭାବିଲି ଗୋଟେ ନେଇଯିବି , ସେଥିପାଇଁ ନେଇ ଆସିଲି । ତୁମେ ତ ଜାଣିଛ ମୋର ଏ ଲେଖା ଲେଖି ଗପ କବିତା ଉପରେ ଟିକେ ବି ଜ୍ଞାନ ନାହିଁ । ପୁସ୍ତକ ମେଳା ପଡ଼ିଥିଲା , ତାକୁ ଚାହିଁଦେଲି ତ ତମ ଶୁଖିଲା ମୁହଁ କଥା କାଇଁ ମୋର ଭାରି ମନେ ପଡ଼ିଲା । ଭାବିଲି ଗୋଟେ ବହି ନେଇଗଲେ ମୋ ସିମୁ ଖୁସି ହୋଇଯିବ । ସିଧା ଗୋଟିଏ ଷ୍ଟଲ୍ କୁ ଗଲି ଯାଇ ପଚାରିଲି - ଏବେ ସବୁଠୁ ଲୋକପ୍ରିୟ ନୂଆ ଗପ ହେଉ ବା ଉପନ୍ୟାସ ବହି କ'ଣ ଅଛି ଦିଅ । ସେ ଏଇଟାକୁ ଦେଲେ , ଆଉ ବହୁତ ଲୋକ ୟାକୁ ନେଉଥିଲେ ମ । ବହିଟାର ନାଁ କ'ଣ ପଚାରିବନି ସିମୁ ? '

ଉଦାସ କଣ୍ଠରେ ସିମା ପଚାରିଲେ - " କ'ଣ ? "

ପ୍ରିୟମ୍ ସିମାକୁ ପଛରୁ କୁଣ୍ଢେଇ ଧରି କହିଲେ - " ମୋ ସ୍ତ୍ରୀ ପରା । ଆରେ ବହି ନାଁ " ସିମନ୍ତିନୀ " ।

ସିମନ୍ତିନୀ ଏଥର‌ ପଛ ପଟକୁ ବୁଲି ଯାଇ ଦେଖିଲେ , ତାଙ୍କ ପ୍ରିୟ ମଣିଷର ନାଁ , ଲେଖକ ' ଶଶାଙ୍କ ଶେଖର ।

ସିମନ୍ତିନୀ ଆଖି ଛଳ ଛଳ ହୋଇଗଲା କୋହ ପାଟିବାଟେ ଆହାଃ ଶବ୍ଦ କରି ବାହାରି ଆସିଲା । ପ୍ରିୟମ୍ କୁ କୁଣ୍ଢେଇ ଧରି କହିଲେ ସେ - " ସତରେ ଏ ମୋ ପାଇଁ ତୁମର ସବୁଠୁ ବଡ଼ ଆଉ ଦାମିକା ଉପହାର । ସତରେ ମୁଁ ବହୁତ ଖୁସି ।

ପୁଣି ପ୍ରିୟମ୍ ଗାଲରେ ଗୋଟେ ଚୁମା ଦେଇ ଲୁହ ଭିଜା ଆଖିରେ ହସି ହସି କହିଲେ   - " ଧନ୍ୟବାଦ "।


----------------------୦୦୦----------------------

✍️..ପରମେଶ୍ବର ଓଝା

ମହାକାଳପଡ଼ା

କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ-- ୬୩୫୫୧୩୩୩୦୧




Rate this content
Log in

Similar oriya story from Tragedy