Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Jyotiranjan Sahu

Tragedy


1.5  

Jyotiranjan Sahu

Tragedy


ଅପେକ୍ଷାରେ...

ଅପେକ୍ଷାରେ...

6 mins 549 6 mins 549


ଏହା ଭିତରେ ବିବାହକୁ ଛଅ ମାସ ବିତିଗଲାଣି । ହେଲେ ଏବେ ମଧ୍ୟ ରାଜ୍ ଆଉ କଲ୍ୟାଣୀଙ୍କ ମଧ୍ୟରେ କେମିତି ଗୋଟିଏ ଅଜଣା ଅକୁହା ଅଦେଖା ଦୂରତାଟା ବଳବତ୍ତର ରହିଛି । ଲାଗୁଛି ଯେମିତି ଦୁଇଟି ପରିଚିତ ଶରୀର ଗୋଟିଏ ଆତ୍ମା ହେବାପାଇଁ ଏବେ ମଧ୍ୟ ଅପେକ୍ଷାରେ ଅଛନ୍ତି । ଦୁହିଁଙ୍କ ପ୍ରେମାଳାପ ମଧ୍ୟରେ କେଉଁଠି ନା କେଉଁଠି ଲୁଚିରହିଛି ଗୋଟିଏ ଶୁନ୍ୟତା ; ଗୋଟିଏ ନିରବତା । ତେବେ ସେହି ଅଜଣା ନିରବତାରୁ ମୁକୁଳିବା ପାଇଁ ରାଜ୍ କିଛିଦିନ ଏକାନ୍ତରେ କଲ୍ୟାଣୀ ସହ ବିତାଇବାକୁ ଚାହାନ୍ତି । ଆଉ ସେଇଥିପାଇଁ ସେ ଦୁଇଟି ଟ୍ରେନ୍ ଟିକଟ କରିଛନ୍ତି ଦିଲ୍ଲୀ ପାଇଁ । ସେହିଠାରେ ଦୁଇ ଦିନର ରହଣି ପରେ ବାହାରିବେ କାଶ୍ମୀର । ଭାବିଥିଲେ ପୃଥିବୀର ସ୍ବର୍ଗ କାଶ୍ମୀର ଯିବାକଥା ଶୁଣିଲେ କଲ୍ୟାଣୀ ନିଶ୍ଚିତ ରୂପେ ଭାରି ଏକ୍ସାଇଟେଡ୍ ହୋଇଉଠିବେ । ତେବେ ତାଙ୍କ ଭାବନାଟା ଭଳି କଲ୍ୟାଣୀ ସେତେଟା ଏକ୍ସାଇଟେଡ୍ ଦେଖାଯାଉନଥିଲେ । ଲାଗୁଥିଲା ଯେମିତି ରାଜ୍ ଙ୍କର ମନ ରଖିବାକୁ କଲ୍ୟାଣୀ କୃତ୍ରିମ ଖୁସିରେ ନିଜର ଅନ୍ତର ବେଦନାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ । ତେବେ ସେ ଯାହାହେଉ ଦୁହେଁ ବାହାରିଲେ କାଶ୍ମୀର ଅଭିମୂଖେ ।


ଗାଡିର ବଗି ନଂ ଏ-୨ ରେ ୧୫ ଆଉ ୧୬ ନଂ ସିଟ୍ । ଝରକା କଡକୁ ଘୁଞ୍ଚି ଯାଇ କାଚ ଏପାଖରୁ ବାହାରକୁ ଚାହିଁରହିଥାନ୍ତି କଲ୍ୟାଣୀ । କିଛି ସମୟପରେ ଗୋଟିଏ ବୃଦ୍ଧ ଦମ୍ପତ୍ତି ତାଙ୍କ ଆଗ ସିଟ୍ ରେ ଆସି ବସିଲେ । ମଳିନ ମୁଖମଣ୍ଡଳରେ କ୍ଳାନ୍ତିର ଛାୟା ବେଶ୍ ପରିଦୃଶ୍ୟ । ନିରବ ପରିବେଶରେ ସେ ବୃଦ୍ଧ ଦମ୍ପତ୍ତିଙ୍କର ନିରବଭାବ ପରିବେଶଟାକୁ ଆହୁରି ଗମ୍ଭୀର କରିଦେଉଥାଏ । ଏହାଭିତରେ ଟ୍ରେନ ଆଗେଇ ଚାଲିଲା ଷ୍ଟେସନ ଛାଡି । ଅନେକ ସମୟ ଟ୍ରେନ୍ ଭିତରୁ ବାହାରକୁ ନିରୀକ୍ଷଣ କଲାପରେ କଲ୍ୟାଣୀ ରାଜ୍ ଙ୍କୁ କହିଲେ " ଫ୍ଲାଇଟ୍ ରେ ଟିକଟ କଲେନି ! ଭଲ ହୋଇଥାନ୍ତା " ! ଟିକିଏ ହସିଦେଇ ରାଜ୍ କହିଲେ " ଆରେ ଫ୍ଲାଇଟ୍ ରୁ ଟ୍ରେନ୍ ରେ ଯିବା ମଜା ଅଧିକ " । ଏଥର ଚୁପ୍ ରହିଲେ କଲ୍ୟାଣୀ ଆଉ ପୁଣିଥରେ କେଉଁ ଏକ ଭାବନା ରେ ଚାହିଁରହିଲେ ଟ୍ରେନ୍ ଝରକା ଦେଇ ବାହାରକୁ । ତାଙ୍କ ନିରବତାକୁ ଦେଖି ରାଜ୍ ମନେମନେ ଭାବୁଥିଲେ ' ବୁଝିଲ କଲ୍ୟାଣୀ ! ଫ୍ଲାଇଟ୍ ରେ ଦୂରତାଟା ସିନା କମିଯିବ କିନ୍ତୁ ଆମ ମନରେ ଥିବା ଦୂରତାଟା ... ! ସେଇ ଦୂରତାଟା ଟପିବା ପାଇଁ କେଉଁ ଫ୍ଲାଇଟ୍ ରେ ଯିବାକୁ ପଡିବ ' !  ଏତିକିବେଳେ ହଠାତ୍ 'ଆଦି...' ବୋଲି ଚିତ୍କାର କରି ଉଠିଲେ ଆଗ ସିଟ୍ ରେ ବସିଥିବା ବୁଢୀ ମାଉସୀ । ବୁଢୀ ମାଉସୀର ଚିତ୍କାର ରେ ଚମକି ପଡିଲେ ରାଜ୍ । ହେଲେ କଲ୍ୟାଣୀ ! ସେ ସେମିତି ଅନ୍ୟମନସ୍କ ହୋଇ ଚାହିଁ ରହିଥାଆନ୍ତି ଝରକା ବାହାରକୁ । କିଛିସମୟ ପରେ ରାଜ୍ ସେ ବୁଢା ମଉସାଙ୍କୁ ପଚାରିଲେ " ମଉସା କଣ ହେଲା? ମାଉସୀ କଣ ପାଇଁ ପାଟିକଲେ " ? ବୁଢୀ ମାଉସୀଙ୍କୁ ନିଜ କୋଳରେ ଶୁଆଉ ଶୁଆଉ ବୁଢା ମଉସା ଜଣକ ଥକାଥକା ଗଳାରେ ଦୀର୍ଘ ନିଶ୍ବାସଟିଏ ଛାଡି କହିଲେ " ଆଦିତ୍ୟ ...! ଆମ ପୁଅ.ଅ.ଅ"। ଏତିକି ବେଳେ ରାଜ୍ ଲକ୍ଷ୍ୟକଲେ ଏତେ ସମୟ ଧରି ବାହାରକୁ ଚାହିଁରହିଥିବା କଲ୍ୟାଣୀ ନଜର ଫେରାଇଲେ ଟ୍ରେନ ଭିତରକୁ । ମନ ଭିତରେ କିଛି ଗୋଟେ ହଲଚଲ୍ ହେଲାପରି ମନେ ହେଉଥାଏ । ଲାଗୁଥାଏ ଯେମିତି କିଛି ଗୋଟେ ଅନେକ ଦିନପରେ ଶୁଣିଛନ୍ତି କଲ୍ୟାଣୀ । କଣ ହୋଇପାରେ ସେଇଟା ! ସେଇଟା ଆଉ ଆଦିତ୍ୟ ନୁହେଁତ ! କାହିଁକିନା ଏଇ ନାଁଟା ଶୁଣୁଶୁଣୁ ତ କଲ୍ୟାଣୀ ମୁହଁରେ କେମିତି ଗୋଟିଏ ଉନ୍ମାଦନା ଖେଳିଗଲା ! ଏତିକିବେଳେ କଲ୍ୟାଣୀ ସେ ବୁଢା ମଉସାଙ୍କୁ ପଚାରିଲେ " ଆପଣଙ୍କ ପୁଅ ନାଁ କଣ ଆଦିତ୍ୟ ? ଏବେ ସେ କେଉଁଠି ଅଛନ୍ତି " ? " ସେ ଆଉ ନାହିଁରେ ମା ! ତାର ଏ ଦୁନିଆଁ ଛାଡିବାକୁ ବର୍ଷଟିଏ ବିତିଗଲାଣି । ଆଜିବି ମା ତାର ପୁଅ କଥା ଭାବି ଭାବି ଅଧପାଗଳି । କେମିତି ହେବନି ଯେ ! ସାତ ବର୍ଷ ପରେ ତ କେତେ ଦିଅଁ ଦେବତା ପୂଜି ପୁଅଟିଏ ପାଇଥିଲା । ଆଉ ଯବାନ ପୁଅଟାକୁ ହରାଇ କେଉଁ ମା... " ! କହି କାନ୍ଦିପକାଇଲେ ବୁଢା ମଉସା । ମନର କୋହ ଲୁହର ରୂପନେଇ ବହିଚାଲିଥିଲା । " ଓଃ " କହି ଉଦାସ ହୋଇଉଠିଲେ କଲ୍ୟାଣୀ । ମନେମନେ ଭାବୁଥିଲେ 'ଏ ଦୁନିଆଁରେ ସବୁ ଆଦିତ୍ୟ ମାନେ କଣ ଖାଲି ଠକି ଜାଣନ୍ତି ! ସବୁବେଳେ କଣ ନିଜ ଲୋକଙ୍କୁ ଅଧାବାଟରେ ଛାଡିଯିବା ସେମାନଙ୍କ ଅଭ୍ୟାସ ' ! ଏକଥା ଭାବୁଭାବୁ କଲ୍ୟାଣୀଙ୍କ ମନେପଡିଯାଏ ସେଦିନର କଥାସବୁ ; ତାଙ୍କ ମନର ମଣିଷ ଆଦିତ୍ୟଙ୍କ ସହ ସେ ବିତାଇଥିବା ପ୍ରତ୍ୟେକଟି କ୍ଷଣ ସବୁ ।


କେମିତି ସେ ଭୁଲିପାରିବେ ! ନିଜ ଜୀବନଠୁ ବଳି ଭଲ ପାଉଥିଲେ ସେ ଆଦିତ୍ୟଙ୍କୁ ! ନିଜ ଛାଇ ଠାରୁ ବଳି ବିଶ୍ବାସ କରୁଥିଲେ ଆଦିତ୍ୟଙ୍କୁ ! ହେଲେ ପ୍ରତିଦାନରେ କଣ ଦେଲେ ସିଏ କଲ୍ୟାଣୀଙ୍କୁ ? ଖାଲି ଅବିଶ୍ବାସ ପ୍ରତାରଣା ଆଉ ଅନ୍ତହୀନ ଅପେକ୍ଷା । ନିଜର ସର୍ବସ୍ବ ସମର୍ପି ଦେବାକୁ ତିଳେମାତ୍ର ପଶ୍ଚାତପଦ ହୋଇନଥିବା କଲ୍ୟାଣୀଙ୍କୁ ସେଦିନ ଆଦିତ୍ୟ କହିଥିଲେ " ଆମ ପ୍ରେମ ପବିତ୍ର ଶାଶ୍ବତ । ଏହା ଶାରୀରିକ ଆକର୍ଷଣରୁ ଅନେକ ଉର୍ଦ୍ଧରେ । ମୁଁ ନିଜକୁ ଦୁନିଆଁ ଆଗରେ ପ୍ରତିଷ୍ଠିତ କରାଇବା ପର୍ଯ୍ୟନ୍ତ ମୋତେ କିଛି ସମୟ ଦିଅ " ।


ସେଦିନ କଲ୍ୟାଣୀଙ୍କ ପାଖରୁ ବିଦାୟ ନେଇ ଆଦିତ୍ୟ ଚାକିରି ଅନ୍ବେଷଣରେ ହାଇଦ୍ରାବାଦ ଚାଲିଗଲେ ଆଉ କଲ୍ୟାଣୀ ରହିଗଲେ ଆଦିତ୍ୟଙ୍କ ଅପେକ୍ଷାରେ । ଯେଉଁ ଅପେକ୍ଷାରେ ଏଦୁନିଆଁ ରାଜ୍ ରୂପି ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲାବେଳେ କଲ୍ୟାଣୀ କିନ୍ତୁ ଆଜି ପର୍ଯ୍ୟନ୍ତ ଆଦିତ୍ୟଙ୍କୁ ମନେମନେ ଅପେକ୍ଷା କରିଛନ୍ତି । ମନଟା ଆଦିତ୍ୟଙ୍କୁ ଜଣେ ପ୍ରତାରକ ବିଶ୍ବାସଘାତକ କାପୁରୁଷ ପଳାତକ ଆଦି ରୂପରେ ଯେତେ ସଜାଇବାକୁ ଚେଷ୍ଟା କରୁଛି ହୃଦୟଟା ସେତେସେତେ ଆଦିତ୍ୟଙ୍କ ଆଡକୁ ଢଳିଯାଉଛି । ଯେତେଯେତେ ସିଏ ରାଜ୍ ଙ୍କୁ ଦେଖୁଛନ୍ତି ସେତେସେତେ ମନର ଦୂର ଦିଗବଳୟରେ ଆଦିତ୍ୟଙ୍କ ସେ ହସହସ ମୁହଁଟା ଝାପସା ହୋଇ ଦିଶିଯାଉଛି । ହୃଦୟ ଭିତରଟା ରେ କେମିତି ଏକ ଶୂନ୍ୟତା ଖେଳିଯାଉଛି । ହଠାତ୍ କଲ୍ୟାଣୀଙ୍କୁ ହାତରେ ହଲାଇ ରାଜ୍ ପ୍ରଶ୍ନକଲେ " କଣ ହେଲା କଲ୍ୟାଣୀ ? ତୁମେ କାନ୍ଦୁଛ କାହିଁକି ? ତୁମେ କଣ ଆଦିତ୍ୟକୁ ଜାଣିଛ " ? ପ୍ରଶ୍ନ ଶୁଣି ଚମକିଗଲେ କଲ୍ୟାଣୀ । ଗାଲରେ ହାତ ମାରି ଜାଣିଲେ ତାଙ୍କ ଅଜାଣତରେ କେଜାଣି କେତେବୁନ୍ଦା ଲୁହ ତାଙ୍କ ଗାଲକୁ ସ୍ପର୍ଶକରି ଝରିଗଲାଣି । ରାଜ୍ ଙ୍କ ଆଖିରେ ଆଖି ମିଶାଇ ଚାହିଁରହିଲେ କଲ୍ୟାଣୀ । ସତେଯେପରି ସେ କହିବାକୁ ଚେଷ୍ଟାକରୁଥିଲେ " ପ୍ରେମରେ ପ୍ରତାରଣାଟା ଖୁବ୍ ଦୁର୍ବିସହ ରାଜ୍ । ତୁମେ ବୋଧହୁଏ ଜାଣିପାରିନାହଁ ବା ତୁମର ସେ ଅଭିଜ୍ଞତା ନାହିଁ । ନଚେତ୍ ତୁମେ ଜାଣିପାରନ୍ତ ତୁମ ଅଜାଣତରେ ମୁଁ ମଧ୍ୟ ତୁମ ସହ ପ୍ରତାରଣା କରୁଛି " ! ଏତିକିବେଳେ ରାତି ଖାଦ୍ୟ ନେଇ ପହଞ୍ଚିଗଲା ରେଲୱେର ପିଲାଟିଏ । ଖାଇସାରି କଲ୍ୟାଣୀ ଚୁପଚାପ୍ ଶୋଇଗଲେ ନିଜ ବାର୍ଥରେ । ରାତି ଦୁଇଟା ପାଖାପାଖି ହେବ । କଲ୍ୟାଣୀ ପତଳା ନିଦରେ ଶୁଣିପାରୁଥିଲେ ରେଲୱେର ଏନାଉନ୍ସମେଣ୍ଟ । ଜାଣିପାରଲେ ସେଇଟା ଥିଲା ଆହ୍ଲାବାଦ ଷ୍ଟେସନ୍ । ଅନ୍ୟମନସ୍କ ଭାବେ ନଜର ପକାଇଲେ ରାଜ୍ ଙ୍କ ଆଡ଼କୁ । ଦେଖିଲେ ରାଜ୍ ନାହାନ୍ତି । ବ୍ୟସ୍ତହୋଇ ଉଠିପଡିଲେ କଲ୍ୟାଣୀ । ନଜର ପଡିଲା ସାମନା ବାର୍ଥ ଉପରେ । ସେ ବୁଢା ମଉସା ଆଉ ବୁଢୀ ମାଉସୀ ବି ନାହାନ୍ତି । କୌଣସି ଏକ ଅଜଣା ଭୟରେ ଦୌଡିଗଲେ କଲ୍ୟାଣୀ ଡୋର୍ ପାଖକୁ । ଦେଖିଲେ କିଛି ଦୂରରେ ଅଛନ୍ତି ସେ ବୁଢା ମଉସା ଆଉ ବୁଢୀ ମାଉସୀ । ପାଖରେ ରାଜ୍ ଛିଡା ହୋଇଥାନ୍ତି । ପାଖରେ ଥାଏ ଆଉ ଜଣେ ଅଜଣା ଯୁବକ । " ମଉସା ମାଉସୀଙ୍କୁ ଯେମିତି କିଛି ଅସୁବିଧା ନହୁଏ । ତୋ ଦାୟିତ୍ବ ରେ ରହିଲେ " ବୋଲି ରାଜ୍ ସେ ଅଜଣା ଯୁବକଟିକୁ କହୁଥିବାର କଲ୍ୟାଣୀ ଶୁଣିଲେ । ଏତକି ବେଳେ  ଟ୍ରେନ୍ ଛାଡିବାର ଶବ୍ଦ ଦେଲା । ରାଜ୍ ପାଦ ଧରି ପ୍ରଣାମ କଲେ ସେ ବୁଢା ମଉସା ଆଉ ମାଉସୀଙ୍କର । ହାତରେ ଥାପୁଡାଇ ବିଦାୟ ଜଣାଇଲେ ସେ ଯୁବକକୁ । କଲ୍ୟାଣୀ ଏସବୁ ଡୋର୍ ପାଖରୁ ଦେଖି ଚାଲିଆସି ବସିଗଲେ ନିଜ ସିଟ୍ ଉପରେ । ରାଜ୍ ଭିତରକୁ ଆସି କଲ୍ୟାଣୀଙ୍କୁ ଦେଖି ହସିଦେଇ ପ୍ରଶ୍ନକଲେ " ତୁମେ ଶୋଇନ "? ଉତ୍ତର ନଦେଇ କଲ୍ୟାଣୀ ପ୍ରଶ୍ନ କଲେ " ମୋତେ ଛାଡିଦେଇ ଆପଣ ସେଠାରେ କଣ କରୁଥିଲେ ? ଆପଣ କଣ ସେ ମଉସା ମାଉସୀଙ୍କୁ ଜାଣିଥିଲେ " ? ଖୁବ୍ ଜୋରରେ ହସିଦେଇ ରାଜ୍ କହିଲେ " ଆରେ ଜାଣିବି କାହିଁକି ? ଆମ ସହ ଏତେବାଟ ସାଥି ହୋଇ ଆସିଲେ । ତେଣୁ ଓହ୍ଲାଇଲାବେଳେ ତାଙ୍କୁ ଟିକିଏ ସାହାଯ୍ୟ କରିଦେଇଥିଲି । ସେଇଟା କଣ ମୋର ଭୁଲ୍ " । " ନା' ! ନା' ! ଭୁଲ୍ କାହିଁକି ହେବ । ହେଉ ଶୋଇପଡନ୍ତୁ " କହି ରାଜ୍ ଙ୍କ ଆଡକୁ ଟିକିଏ ଆଉଜିଗଲେ କଲ୍ୟାଣୀ ।


 କିଛି ସମୟର ନିରବତା ପରେ ଟିକିଏ ଦୁଃଖଦ ସ୍ବରରେ ରାଜ୍ କହିଲେ " ଜାଣିଛ କଲ୍ୟାଣୀ ! ସେ ମଉସା ମାଉସୀ ତାଙ୍କ ପୁଅ ଆଦିତ୍ୟର ଅସ୍ଥି ବିସର୍ଜନ ପାଇଁ ତ୍ରିବେଣୀ ଆସିଛନ୍ତି । କହୁଥିଲେ ଆଦିତ୍ୟର କ୍ୟାନସର୍ ରେ ମୃତ୍ୟୁ ହୋଇଗଲା । ପୁରା ଗୋଟିଏ ବର୍ଷ କ୍ୟାନସର ସହ ଲଢିଥିଲା । ଜାଣିଛ ତାର କୁଆଡେ ଗୋଟିଏ ପ୍ରେମିକା ଥିଲା ଆଉ ତା ନାଁଟା ଖାଲି ତା ସାଙ୍ଗ ହିଁ ଜାଣିଥିଲା । ଖୁବ୍ ଭଲପାଉଥିଲା ସେ ତା ପ୍ରେମିକାକୁ । ତାହାରି ସକାଶେ ସେ ମୃତ୍ୟୁ ସହ ଲଢୁଥିଲା ଜିତିବା ପାଇଁ । କିନ୍ତୁ ଦେଖ ସେ ପ୍ରେମିକଟି ହାରଗଲା ମୃତ୍ୟୁ ପାଖରେ । ମୃତ୍ୟୁ ଶଯ୍ୟାରେ ଚିତ୍କାର କରି ସେ ତା ସାଙ୍ଗକୁ କହୁଥିଲା ' ମୁଁ ସିନା ଅଧା ବାଟରୁ ତା ହାତ ଛାଡିଦେଲି । ତୁ ମୋ ସାଙ୍ଗଟା ପରା । ତୁ ତା ହାତ ଶେଷ ପର୍ଯ୍ୟନ୍ତ ଧରିଥିବୁରେ । ସେ ପାଗିଳିଟା ବହୁତ ଅବୁଝା । ତାକୁ ଗାଳି କରିବୁନି କି କେବେ ସନ୍ଦେହ କରିବୁନି । ସେ ଗଙ୍ଗା ପରି ପବିତ୍ର । କଥାଦେ ସବୁବେଳେ ତା ପାଖେପାଖେ ଥିବୁ । କଥା ଦେ ! ମୋତେ କଥା ଦେ ' ! ବାସ୍ ଏହାପରେ ତା ଜୀବନ ଦୀପଟା ସବୁଦିନ ପାଇଁ ଲିଭିଗଲା । ସବୁଦିନ ପାଇଁ ପ୍ରେମିକାକୁ ତାର ଅପେକ୍ଷାରେ ରଖିଦେଲା । ତମେ ଶୁଣୁଛ ନା କଲ୍ୟାଣୀ ! କଲ୍ୟାଣୀ " ! ସେତେବେଳକୁ କଲ୍ୟାଣୀ ବୋଧହୁଏ ଶୋଇପଡିଥିଲେ । ମିଞିମିଞି ଆଲୁଅରେ ତାଙ୍କ ବନ୍ଦ ଆଖିକୁ ଦେଖି ରାଜ୍ ମନେମନେ ଭାବୁଥିଲେ " ତୁମେ ମୋ କଥା ନଶୁଣି ଶୋଇପଡିଲ କଲ୍ୟାଣୀ ! କେବେ ମୁଁ ତୁମ ମନରେ ଆଦିତ୍ୟର ଜାଗା ନେଇପାରିବି କଲ୍ୟାଣୀ ! ମୁଁ ଅଛି ସେହି ସମୟର ଅପେକ୍ଷାରେ " ! କଲ୍ୟାଣୀଙ୍କ ସେହି ନିଦୁଆ ଆଖି ଉପରେ ପଡିଥିବା କେଇକେରା କେଶରାଶିକୁ ହାତରେ ସାଉଁଳି ଦେଇ ରାଜ୍ ତାଙ୍କୁ ଧିରେ ଶୁଆଇଦେଲେ ଲୋୟର ବାର୍ଥରେ ଆଉ ନିଜେ ଝରକା ପାଖରୁ ଚାହିଁ ରହିଥିଲେ ଟ୍ରେନ ବାହାରର ଅନ୍ଧାର ଦୁନିଆଁଟାକୁ । ସେ ଅନ୍ଧାର ଭିତରେ ରାଜ୍ କିନ୍ତୁ ଜାଣିପାରିଲେନି କି ଦେଖିପାରିଲେନି କଲ୍ୟାଣୀକୁ ଲୁହରେ ଭିଜି ଯାଇଥିବା ନିଜ ସାର୍ଟର ଡାହାଣ ପାଖ କାନ୍ଧଟିକୁ ।


Rate this content
Log in

More oriya story from Jyotiranjan Sahu

Similar oriya story from Tragedy