ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

ଅନୁତାପର ବହ୍ନି

ଅନୁତାପର ବହ୍ନି

5 mins
235



--ନିରଞ୍ଜନ ସାହୁ ଓରଫ ଟୁନା ଗୋଟେ ପ୍ରତିଷ୍ଠିତ ଚାଷୀବନ୍ଦୀ ପରିବାରରେ ଜନ୍ମିତ ବାପା ମାଆଙ୍କର ଏକମାତ୍ର ପୁତ୍ର। ପାଞ୍ଚ ଭଉଣୀରେ ଗୋଟେ ଭାଇ। 

--ପିଲାଟି ବେଳୁ ମାଆର ପୁଅ ପ୍ରତି ବହୁତ ଦୁର୍ବଳତା। ୫ ଝିଅରେ ଗୋଟେ ପୁଅ ଯେତେବେଳେ ତା ପ୍ରତି ମାଆର ଟିକେ ବେଶୀ ସରାଗ ରହିବା ସ୍ୱାଭାବିକ। ମାଛର ମଝିଖଣ୍ଡ ପୁଅ ଖାଇବ ! 

--ପିଲାମାନେ ସାନ ଥିଲା ବେଳେ ମାଆ ପୁଅ ପ୍ରତି ଟିକେ ଅଧିକ ପକ୍ଷପାତ କରନ୍ତି। ଝିଅ ମାନେ ସାନବେଳେ ଅଭିଯୋଗ କଲେ ବି ମାଆର ନଥାଏ ଭ୍ରୁକ୍ଷେପ। କାରଣ ମାଆ ସବୁବେଳେ କହେ- "ତୁମେ ସବୁ ପାଣି ହାଣ୍ଡି ଝିଅ। ବାହା ହେଇ ଶାଶୁଘର ଚାଲିଯିବ। ସେ ମୋର ଶେଷ ସମୟରେ ସାହା ହେବ। ମତେ ପିଣ୍ଡ ପାଣି ଦେବ।" 

--କିନ୍ତୁ ବାପାଙ୍କର ପାଞ୍ଚ ଝିଅଙ୍କ ପ୍ରତି ଥାଏ ସମର୍ଥନ ଅଧିକ। ଚାଷୀ ପରିବାର ହେଲେ ବି ବାପା ତାଙ୍କର ପିଲାଙ୍କୁ କେବେ କୋଉଥିରେ ହେଳା କରି ନଥିଲେ।ସମସ୍ତଙ୍କୁ ଉପଯୁକ୍ତ ଶିକ୍ଷା ସଂସ୍କାର ଦେଇଥିଲେ।

--ସମୟ କ୍ରମେ ଭାଇ ଭଉଣୀ ବଡ ହେଲେ। ଜଣ ଜଣ କରି ଝିଅ ମାନଙ୍କ ବାହାଘର ହେଲା। ସଖ୍ୟ ମତେ ଯାନି ଯଉତୁକ ଦେଇ ଝିଅ ମାନଙ୍କ ବିବାହ କରାଇଲେ ଟୁନାର ବାପା। ସବୁ ଝିଅ ମାନଙ୍କ ଚଳିବା ଅବସ୍ଥା ଭଲ। ତେଣୁ ବାପାମାଆଙ୍କ ଉପରେ ଅତିରିକ୍ତ ବୋଝ ନଥାଏ। 

--ଝିଅ ମାନଙ୍କ ବିବାହ ପରେ ପୁଅର ବିବାହ ପାଇଁ ମନ ବଳେଇଲେ ସମସ୍ତେ । ଟୁନାର ଦାଦା ଜଣେ ସେ ଅଞ୍ଚଳର ପ୍ରତିଷ୍ଠିତ ଲୋକ ହୋଇଥିବାରୁ ପ୍ରସ୍ତାବର ଅଭାବ ରହିଲାନି। ଚାରିଆଡୁ ପ୍ରସ୍ତାବ ଆସିଲା। 

-- କିନ୍ତୁ ଟୁନା ବୋଉର ଏକ ଜିଦ୍ ମୁଁ ସୁନ୍ଦରୀ ବୋହୁ କରିବି। ଯଦିଓ ପୁଅ/ଝିଅ ମାନେ ତାଙ୍କର ଦେଖିବାକୁ ସୁନ୍ଦର ଥିଲେ ସେ ଭାବୁଥିଲେ ଝିଅ ମାନଙ୍କ ପରି ସୁନ୍ଦରୀ ବୋହୁଟେ ଘରକୁ ଆଣିବେ। 

-- ଏମିତିରେ ସବୁ ପ୍ରସ୍ତାବ ଭିତରେ ଘରଠାରୁ ଅନତି ଦୂର ବିକାଶ ସାହୁଙ୍କ ଝିଅ ସୁନ୍ଦରୀ ମୀନା ସହ ଟୁନାର ବିବାହ ବଡ ଧୁମ୍ ଧାମ୍ ରେ ହେଇଗଲା ।

-- ବିବାହର କିଛିଦିନ ଶାଶୁ ଘରେ ଭଲରେ ବିତିଲା ପରେ ବୋହୁର ଅସଲ ଚେହେରା ଦେଖିବାକୁ ମିଳିଲା। 

--ମୀନା ତାର ନିଖୁଣ ଅଭିନୟ ମାଧ୍ୟମରେ ଟୁନାକୁ ବୁଝେଇ ଦେବାକୁ ଚାହିଁଲା ଯେ- "ସେ ଘରେ ତା ପ୍ରତି ଅତ୍ୟାଚାର ହେଉଛି । ତା ଜୀବନ ଚାକରାଣୀ ପରି। ଝିଅ ମାନଙ୍କ କଥାରେ ପରିଚାଳିତ ହୋଇ ମାଆ ମତେ ବହୁତ ହଇରାଣ କରୁଛନ୍ତି। ତୁମର ରୋଜଗାରକୁ ମାଆ, ଝିଅ ମାନଙ୍କୁ ଦେଇ ଦେଉଛନ୍ତି। କାଲିକୁ ଆମର ପିଲା ହେଲେ ସେମାନେ କରିବେ କଣ ? ତାଙ୍କ ପାଇଁ କିଛି ରଖୁନ ! ଆଉ ତା ପରେ ମୋର କାମକୁ ଏଠି କେହି ପସନ୍ଦ କରନ୍ତି ନାହିଁ । ଆଉ ସବୁଠାରୁ ବଡ କଥା ହେଲା ଏ ଜଞ୍ଜାଳ ଭିତରେ ଆମେ ସ୍ବାମୀ ସ୍ତ୍ରୀ ଟିକେ ଭଲରେ ମିଳାମିଶା କରି ପାରୁ ନାହାନ୍ତି। ବାହାରେ ଘରଭଡା ନେଇ ରହିଲେ ମୋ କୋଳ ବି ଆଉ ଖାଲି ରହିବନି। "

-- ଏମିତି ଏଣୁ ତେଣୁ ଅଭିଯୋଗ କରି ଟୁନାକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କଲା ମୀନା। ଟୁନା କିନ୍ତୁ ସବୁ ପ୍ରତ୍ୟାଖାନ କଲା। 

-- ଏ ଭିତରେ ଦୁଇ ବର୍ଷ ବିତିଗଲା। ସନ୍ତାନ ସନ୍ତତି ନ ହେବାରୁ ଟୁନାର ମନରେ ମନରେ ବହୁତ ଅବଶୋଷ। ଏ ସୁଯୋଗରେ ମୀନା ବାବୁକୁ ଘର ଛାଡିବାର ପ୍ରସ୍ତାବ ଆଉ ଥରେ ଦେଲା। ଘର ଛାଡିଲେ ଆମ ପଇସା ସଞ୍ଚୟ ହେବା ସହ ଆମେ ଭଲରେ ମିଳାମିଶା କରିପାରିବା ଓ ଆମ ସନ୍ତାନ ବି ସମ୍ଭବ ହେବ ।ନାରୀ ମାୟା ନାରାୟଣଙ୍କୁ ଅଗୋଚର। ମୀନାର ମାୟାରେ ଶେଷରେ ଟୁନା ପଡିଗଲା।

-- ଏ କଥା ଟୁନା, ମାଆଙ୍କୁ କହିବାରୁ ମାଆ ସିଧା ମନା କଲେ।ଏପଟେ ବି ବହୁତ ସମୟରେ ଘରେ ଅଶାନ୍ତି ହେଲା। ଗୋଟେ ପଟେ ସ୍ତ୍ରୀ ଓ ଆର ପଟରେ ମାଆ। କାହାର ହେବ ଜାଣି ପାରିଲାନି। 

--ଶେଷରେ ସ୍ତ୍ରୀ ପାଖରେ ହାର ମାନି ମାଆଙ୍କୁ ବୁଝାଇ ଅନିଚ୍ଛା ସତ୍ତ୍ବେ ଘର ଛାଡି ଶ୍ବଶୁର ଘର ପାଖରେ ଭଡା ନେଇ ରହିଲା। ସ୍ତ୍ରୀର କଥାରେ ସୁଖରେ ରହିବାର ସ୍ବପ୍ନକୁ ନେଇ ସେଦିନ ବାପା ମାଆଙ୍କ ଆଖିରେ ଲୁହ ଦେଇ ଘର ଛାଡିଲା। ଭଉଣୀ /ଭିଣୋଇ, ଦାଦା/ଖୁଡୀ ଆଦିଙ୍କ କଥା ନ ରଖି ଅଧିକ ରୋଜଗାର କରିବା ନିଶାରେ ଶେଷରେ ନିଜେ ସମସ୍ତ ଆତ୍ମିୟଙ୍କ ଠାରୁ ଅଲଗା ହୋଇଗଲା।

-- ସ୍ତ୍ରୀ ର ବାରଣ ସତ୍ତ୍ବେ ଟୁନା ଲୁଚି ଛପି ଘରକୁ ଆସେ। ବାପା ମାଆଙ୍କ କଥା ବୁଝେ। ଭଉଣୀ ମାନଙ୍କ ସହ ସମ୍ପର୍କ ରଖେ । କିନ୍ତୁ ତାଙ୍କ ସ୍ବାଭିମାନୀ ବାପା ପୁଅ ରୋଜଗାରର ଗୋଟେ ଅଧଲା (ପଇସା) ବି ଗ୍ରହଣ କରନ୍ତିନି।

-- ମାଆ ସବୁବେଳେ ଟୁନାକୁ ଗୋଟେ କଥା କୁହନ୍ତି କି "ତୁ ଫେରି ଆ ଘରକୁ । ଏ ମାଆ ତୋ ବିନା ଆଉ ବଞ୍ଚିବନି। ତୁ ମୋର ଏକୋଇର ବୋଳା ବିଶିକେଶନ। ମୋର କୋଉ ନଅଟା ଛଅଟା ଅଛନ୍ତି । ତତେ ଆଶରା କରିଛି। ତୁ ମୋ ପଣତ ତଳକୁ ଫେରିଆ। ହୁଏତ ତୋ ମାଆଟା କିଛି ଦିନ ବଞ୍ଚି ଯିବ।""

-- ପରିସ୍ଥିତି ପାଖରେ ଦାସ ଟୁନା ଇଛା ଥାଇ ବି ମାଆ କଥା ରଖି ପାରେନା। ମିଛ ଆଶ୍ବାସନା ଦେଇ ଫେରିଯାଏ ସିନା କିନ୍ତୁ ଘରକୁ ଫେରେନା। 

--ଧୀରେ ଧୀରେ ଟୁନାର ଘରକୁ ଯିବା ଆସିବା କମିଲା। ଟଙ୍କା ରୋଜଗାର ସହ ସ୍ତ୍ରୀ ର ବାରଣରେ ମାଆକୁ ଦେଖିବାକୁ ଆଉ ଆସିଲାନି। 

-- ପୁଅକୁ ଦୀର୍ଘ ଦିନ ନ ଦେଖି ମାଆ ଝୁରି ହେଲା ଆଉ ଶେଷରେ ତାର ଉଚ୍ଚ ରକ୍ତଚାପ ସହ ଗ୍ୟାସ୍ଟାଇଟିସ ବହୁତ ବଢିଗଲା। ଡାକ୍ତରଖାନାରେ ଦାଖଲ କରାଗଲା। ବନ୍ଧୁ ବାନ୍ଧବ ଝିଅ ଜ୍ବାଇଁ ସବୁ ଆସିଲେ କିନ୍ତୁ ପୁଅ ଆଉ ଆସିଲାନି। ସମୟ ଅଭାବ କହି କେବଳ ବାହାର ଲୋକଙ୍କ ହାତରେ ପଇସା ପଠାଇ ପୁଅର କର୍ତ୍ତବ୍ୟ କରି ଚାଲିଲା।

--ଚାରି ମାସ ଡାକ୍ତର ଖାନାରେ ମୃତ୍ୟୁ ସହ ଲଢିବା ପରେ ଶେଷରେ ଡ଼ାକ୍ତର ଫେରେଇ ଦେଇଥିଲେ ଘରକୁ, କାଳେ ନିଜ ଲୋକଙ୍କ ଗହଣରେ ରହି ମାଆଙ୍କ ଦେହରେ ଟିକେ ସୁଧାର ଆସିବ, ବଞ୍ଚିବା ପାଇଁ ଇଚ୍ଛା ଶକ୍ତି ଜାଗ୍ରତ ହବ । ଟୁନା ବାବୁଙ୍କ ମାଆ, ପୁଅକୁ ଝୁରି ଝୁରି ଖାଇବା ପିଇବା ବନ୍ଦ କରି ଦେଇଥିଲେ। 

--ଶେଷରେ ମାଆ ଆଖି ବୁଜିଦେଲେ । ଏ ଭିତରେ ଟୁନା କି ତା ସ୍ତ୍ରୀ ସେବା ତ ଦୂରର କଥା ଥରୁଟେ ମାଆକୁ ଦେଖିବାକୁ ଆସି ନଥିଲେ। ସମସ୍ତେ ପୁଅ ବୋହୁଙ୍କୁ ଟାହି ଟାପରା କରୁଥାଆନ୍ତି।

--ପୁଅ ପାଖରେ ଶେଷରେ ଖବର ପହଞ୍ଚିଲା ।ମାଆର ମୃତ୍ୟୁ ଖବର ଶୁଣି ଟୁନା ଖୁବ୍ ଦୁଃଖ ପ୍ରକାଶ କଲା। ସଙ୍ଗେ ସଙ୍ଗେ ଆସି ଡାକ୍ତର ଖାନାରେ ପହଞ୍ଚିଲା । 

--ପହଞ୍ଚୁ ପହଞ୍ଚୁ ମାଆର ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲେ। ତାଙ୍କ ମାଆଟି ରୋଗ ଶଯ୍ୟାରେ ପଡ଼ି ଡହଳ ବିକଳ ହଉଥିଲା ପୁଅକୁ ଶେଷ ଥର ପାଇଁ ଦେଖିବାକୁ । ନିଜର ପାରୁ ପର୍ଯ୍ୟନ୍ତ ମାଆର ଚିକିତ୍ସା ପାଇଁ ବାପା ଚେଷ୍ଟା କରିଥିଲେ କିନ୍ତୁ କିଛି ଫଳ ମିଳିଲାନି।

 -- ଟୁନା ସିନା ବାହାରେ ରହି ମାଆର ପାଇଁ ପ୍ରଚୁର ପରିମାଣରେ ଟଙ୍କା ପଠାଉଥିଲେ । ହେଲେ ମାଆର ମନ ଆଗରେ ତାଙ୍କ ପଇସା ପାଣି ପରି ବୋହି ଗଲା କେତେ ବେଳେ ଜାଣି ପାରିଲେନି, ବହୁତ୍ ବିଳମ୍ବରେ ବୁଝି ପାରିଲେ ମାଆର ଆବଶ୍ୟକତା । ମାଆ ଚାହୁଁଥିଲା ପୁଅ ତାଙ୍କର, ତାଙ୍କ ଶେଷ ଜୀବନରେ ପାଖେ ପାଖେ ରହୁ । 

--କିନ୍ତୁ ଟୁନା ସ୍ତ୍ରୀ କଥାରେ ସାମାଜରେ ଚାଲୁଥିବା ଟଙ୍କା କମେଇବା ପ୍ରତିଯୋଗିତାରେ ନିମଗ୍ନ ଥିଲା , ଭାବୁଥିଲା ସବୁଥିର ଉପଚାର ଟଙ୍କା ବୋଲି । ମାଆକୁ ସମୟ ଦେବା ପରିବର୍ତ୍ତେ ସେ ଟଙ୍କା ପଠେଇ ଭଲ ମନ୍ଦ ଫୋନ୍ ଯୋଗେ ବୁଝି ଦେଉଥିଲେ । ଧୀରେ ଧୀରେ ତାଙ୍କର ଘର ପରେ ବାର ଭଉଣୀ ମାନଙ୍କ ପ୍ରତି ଆସକ୍ତ ଭାବ କମିବାରେ ଲାଗିଥିଲା ଆଉ ପଇସା କମେଇବା ପ୍ରତି ବଢ଼ି ଚାଲିଥିଲା । 

--ମାଆ ପୁଅର ଚେହେରାଟିକୁ ଶେଷ ଥର ପାଇଁ ଦେଖି ଦେଇ ଆଖି ବୁଜିବାକୁ ଚାହୁଁଥିଲା । କିନ୍ତୁ କିଛି ହୋଇପାରିଲାନି।ପୁଅ ଶେଷ ସମୟରେ ମୁହଁରେ ପାଣି ଟିକେ ବି ଦେଲାନି।

--ମାଆର ଶେଷ କାମରେ କୌଣସି ଥିରେ କମି ରଖି ନଥିଲା, କିନ୍ତୁ ମନ ଭିତରେ, ମାଆ ପାଇଁ କିଛି କରି ନପାରିଥିବାରୁ ଅବଶୋଷ ରହିଗଲା । 

--ଶୁଦ୍ଧ କର୍ମ ସାରି ପୁଣି ଥରେ ଭଡା ଘରକୁ ଫେରିବା ପରିବର୍ତ୍ତେ ସେ ସ୍ଥିର କରିଥିଲେ ବାକି ଜୀବନ ବାପାଙ୍କ ସହ ଗାଆଁରେ ଗରିବ ଲୋକଙ୍କ ସେବାରେ ଅତିବାହିତ କରିବାକୁ । ସେଥିପାଇଁ ନିଜ ଘରଟିକୁ ଧର୍ମଶାଳାରେ ପରିଣତ କରି ଦେଇଥିଲେ । ଭଉଣୀ ମାନଙ୍କୁ ଠିକ୍‌ରେ ସମୟ ଦେଇ ପାରି ନଥିବାରୁ ସେମାନେ ବି ହାତ ଛଡ଼ା ହୋଇଯାଇଥିଲେ, କଠୋର ଅବହେଳାରେ ସେମାନଙ୍କୁ ରଖିବାର ପ୍ରୟାସ ଫେଲ୍ ମାରିଥିଲା। 

-- ଟୁନା ବୁଝି ପାରିଥିଲା , ପଇସା କେବଳ ଦରକାର ମେଣ୍ଟାଇବାରେ ସାହାଯ୍ୟ କରେ, ସଂସ୍କାର ଆଉ ଶାଳୀନତା ଶିଖାଇ ପାରେନି । ଏଥର ଭଉଣୀଙ୍କ ଉପରେ ବିରକ୍ତ ହବା ପରିବର୍ତ୍ତେ ସେ ଧୈର୍ଯ୍ୟର ସହ ସେମାନଙ୍କ ଠାରୁ ସମ୍ପର୍କର ମାନେ ବୁଝିଗଲା ।ଆଉ ବୁଝି ପାରୁଥିଲା ତାଙ୍କର ପଇସା କମେଇବାର ମୂଲ୍ୟ କେତେ ଦୂର ସାର୍ଥକ ହୋଇଥିଲା !

--ଘର ଭିତରେ ଅନୁଭୂତ ହଉଥିବା କୋଳାହଳ ଆଉ ପୁନେଇ ପର୍ବର ମଜା ମଉଜ ସବୁ ଏତେ ବର୍ଷ ପରେ ଅନୁଭବ କରୁଥିଲା ଟୁନା। କିନ୍ତୁ ଆକାଶକୁ ଅନେଇ ମାଆକୁ କହୁଥିଲା – “ମାଆ ଲୋ, ତୁ ସିନା ଚାଲିଗଲୁ କିନ୍ତୁ ମତେ ମୋ ଜୀବନର ଲକ୍ଷ୍ୟ ଧରେଇ ଦେଇ ଗଲୁ। ସମ୍ପର୍କର ମାନେ ଜଣେଇ ଦେଲୁ। ତୁ ସିନା ଆକାଶର ତାରା ହୋଇଗଲୁ ହେଲେ ତୋ ବିନା ମୋ ଜୀବନରେ ଅମା ଅନ୍ଧାର ଭରିଗଲା। ତତେ ହରେଇ ମୁଁ ଆଉ ମୁଁ ହେଇ ନାହିଁ। ”

-- ସେ ଦିନୁ ଟୁନା ଜୀବନକୁ ନୂଆ ଭାବେ ଆରମ୍ଭ କଲା। ଭଉଣୀ ମାନଙ୍କୁ ସବୁ ସମର୍ପିତ କରିଦେଲା।ଆଉ ମୀନାକୁ ତାଗିଦ କରି କହିଲା ତୋ ପାଇଁ ମୁଁ ମାଆକୁ ହରେଇଲି ।ବାସ୍ ବହୁତ ହୋଇଗଲା। ଆଉ ନୁହେଁ ।ତୁ ଏଠି ରହିଲେ ରହ ନ ହେଲେ ସିଧା ତୋ ଘରକୁ ଯା। ମୁଁ ଏ ଘର ଛାଡି ଯିବିନି।

--ତା ସ୍ତ୍ରୀ ମୀନା ବି ବୁଝିଗଲା ମାଆ ପାଇଁ ପୁଅର ଆବଶ୍ୟକତା।କାରଣ ସେ ବି ଏବେ ପୁଅର ମାଆ।ତେଣୁ ଶ୍ବଶୁରଙ୍କ ପାଦ ତଳେ ପଡି କ୍ଷମା ମାଗିବା ସହ ଘରେ ସବୁଦିନ ଘରେ ରହି ଜଣେ ଭଲ ବୋହୁ ହେବାର ପ୍ରତିଶ୍ରୁତି ଦେଲା। ସମସ୍ତେ ଖୁସିରେ ରହିଲେ। କିନ୍ତୁ ଟୁନା ଯେମିତି ଅନୁତାପର ବହ୍ନିରେ ନିଜର ସର୍ବସ୍ଵ ହରେଇ ଦେଲା।




Rate this content
Log in

Similar oriya story from Tragedy