ଅନୁତାପ
ଅନୁତାପ
ସାବିତ୍ରୀ ଦେବୀଙ୍କ ପ୍ରଥମ ସନ୍ତାନ ପୁଅ ହେବା ପରେ ଆନନ୍ଦରେ ଫାଟି ପଡିଥିଲା ପୁରା ପରିବାର। ସଙ୍ଗେ ସଙ୍ଗେ ସତ୍ୟନାରାୟଣ ପାଲା ପାଇଁ ମାନସିକ ରଖିଲେ ସାବିତ୍ରୀ ଦେବୀ। ପିଲାଟି ଶଶୀ କଳା ପରି ବଢିବାକୁ ଲାଗିଲା। କିଛି ବର୍ଷ ପରେ ପୁଣି କୋଳକୁ ଆସିଲା ଆଉ ଗୋଟେ ପୁଅ।ପରିବାରର ଖୁସି ଦ୍ୱିଗୁଣିତ ହୋଇ ଯାଇଥିଲା। ସ୍ୱାମୀ ସ୍ତ୍ରୀ ଭାବୁଥିଲେ ସଂସାରରେ ଏମାନେ ସବୁଠୁ ସୁଖୀ ମଣିଷ।ସତେ ଯେପରି ଈଶ୍ୱର ସବୁ ହସ ଖୁସି ଏମାନଙ୍କୁ ଅଜାଡ଼ି ଦେଇଛନ୍ତି। କିଛି ବର୍ଷ ପରେ ପୁଣି ଘରକୁ ଆସିଲା ଝିଅଟିଏ। ଦୁଇଟି ପୁଅ ପରେ ଝିଅଟିଏ ହୋଇଛି ବୋଲି ସମସ୍ତେ ଖୁସି କିନ୍ତୁ ସାବିତ୍ରୀ ଦେବୀ ମନ ଉଣା ନ କଲେ ବି ଭାବୁଥିଲେ ପୁଅଟିଏ ହୋଇଥିଲେ ଭଲ ହୋଇଥାନ୍ତା।
ଝିଅଟି ଧୀରେ ଧୀରେ ବଢିବାକୁ ଲାଗିଲା। ରୂପ ଯେମିତି ଗୁଣ ବି ସେମିତି, ପଢା ପଢିରେ ବି ଖୁବ ଭଲ। ପାଠ ପଢିବା ସଙ୍ଗେ ସଙ୍ଗେ ଘରର ସବୁ କାମଧନ୍ଦା ବେଶ ହସ ଖୁସିରେ କରିନିଏ ଝିଅ।କିନ୍ତୁ ସବୁ ପରେ ବି ସମାନ ଅଧିକାର ମିଳେନି ଝିଅକୁ। ପୁଅ ଦୁଇଜଣ ଭଲ ନ ପଢି ମଧ୍ୟ ଟିଉସନ ହେବେ କିନ୍ତୁ ଝିଅ ଟିଉସନ ହେବନି। ପୂଜା ପର୍ବରେ ପୁଅ ମାନଙ୍କ ପାଇଁ ନୂଆ ପୋଷାକ ହେବ କିନ୍ତୁ ଝିଅ ପାଇଁ ହେବନି। ପ୍ରତେକ କ୍ଷେତ୍ରରେ ପାତର ଅନ୍ତର କିନ୍ତୁ ଝିଅଟି ଟିକେ ବି ମନ ଉଣା କରେନି। ମନେ ମନେ ଭାବେ ମୋ ନିଜ ଭାଇ ମାନେ ତ ସେମାନେ ବାହାରକୁ ଯାଉଛନ୍ତି, ଅନେକ ସାଙ୍ଗ ସାଥି ସେମାନଙ୍କର। ସେ ଭଲ ପିନ୍ଧିଲେ ଦୁନିଆ ଦେଖିବ ମୁଁ ତ ସବୁବେଳେ ଘରେ।
ଘରେ ଗାଈ ଦୁହାଁ, ସବୁ କ୍ଷୀର ରହେ ଘର ପାଇଁ। ଦୁଇ ପୁଅ ଦୁଇ ଗ୍ଲାସ ପିଇ ସାରିଲା ପରେ ଅଧ ଗିନାଏ କ୍ଷୀର ପିଏ ଝିଅ। ହେଲେ କେବେ ମନ ଉଣା କରେନି। ମନେ ମନେ ଭାବେ ଭାଇ ମାନେ କେତେ ପରିଶ୍ରମ କରୁଛନ୍ତି। ବିଲ ବାଡି ବି ଖଟୁଛନ୍ତି।ମୋ ଅପେକ୍ଷା ସେମାନେ ଭଲ ଖାଇବା ନିହାତି ଆବଶ୍ୟକ। ସବୁ କାମରେ ନିଜେ ନିଜ ମନକୁ ବୁଝାଇ ଦିଏ।
ସମୟ ଗଡି ଚାଲେ ଦିନ ପରେ ମାସ, ମାସ ପରେ ବର୍ଷ। ଦୁଇ ପୁଅ ବିବାହ କରନ୍ତି। ଝିଅଟି ବି ହାତକୁ ଦୁଇ ହାତ ହୁଏ କିନ୍ତୁ ନିଜର କର୍ତ୍ତବ୍ୟରେ କେବେ ଅବହେଳା କରେନି। ଶାଶୁ ଘରେ ଯେମିତି ପ୍ରଶଂସା ବାପ ଘରେ ବି ସେମିତି। ନିଜ ପାରୁ ପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରେ ବାପ ମାଙ୍କୁ।ଲୁଗାପଟା ଠୁଁ ଆରମ୍ଭ କରି ଭଲ ମନ୍ଦ ସବୁ କିଛି ଦିଏ ନିଜ ସାମର୍ଥ୍ୟ ଅନୁଯାଇ।
ଦୁଇ ପୁଅ ସାବିତ୍ରୀ ଦେବୀଙ୍କର ନୟନ ପିତୁଳା। ଦଣ୍ଡେ ନ ଦେଖିଲେ ପାଣି ପିଅନ୍ତିନି। ପୁଅ ମାନଙ୍କ ପାଇଁ ପ୍ରାଣ ଛାଡି ଯାଏ ମାର। ପୁଅମାନେ ହାଣିଲେ ମାରିଲେ, ଗାଳି ମନ୍ଦ କଲେ କିଛି ବି ଧରନ୍ତିନି। ଘଡିକ ପରେ ଯୋଉଁ କଥାକୁ ସେଇ କଥା। କିନ୍ତୁ ବୋହୂ ମାନଙ୍କୁ ଦେଖି ସହି ପାରନ୍ତିନି। ନା ଖାଇଲେ ଦେହରେ ଯିବ ନା ପିନ୍ଧିଲେ। ସବୁବେଳେ ଟାହି ତାପରା, କଟୁ କଥା, ଆଉ କଳହ। ବିନା କାରଣରେ ଘରେ କଳହ ଆଉ ଅଶାନ୍ତି। ସାବିତ୍ରୀ ଦେବୀଙ୍କର ସବୁବେଳେ ବୋହୂ ମାନଙ୍କ ଉପରେ ମିଛ ଅଭିଯୋଗ। ତେଣୁ ଧୀରେ ଧୀରେ ପୁଅ ମାନଙ୍କର ଆନ୍ତରିକତା ମା ଉପରୁ କମିଯାଏ।
ଏବେ ଘରେ ବୋହୂ ମାନଙ୍କର ରାଜୁତି। ସାବିତ୍ରୀ ଦେବୀଙ୍କ ଭଲ ମନ୍ଦ ହେଲେ କାହାର ଚିନ୍ତା ନାହିଁ। ଭଲ ମନ୍ଦରେ ଝିଅ ହିଁ ସାହା ଭରସା। ଦେହ ମୁଣ୍ଡ ଭଲ ମନ୍ଦ ହେଲେ ସେ ଝିଅ ଘରେ ମାସ ମାସ ରୁହନ୍ତି। ଝିଅ ଜୋଇଁ ଉଭୟ ସୁନ୍ଦର ଏବଂ ସରଳ ମଣିଷ। ଜୀବନର ଅପରାହ୍ନରେ ପାଖରେ ଠିଆ ହୁଅନ୍ତି।
ଏବେ ସାବିତ୍ରୀ ଦେବୀଙ୍କୁ ପଚାଶ ବର୍ଷ। ଦେହ ବହୁତ ଖରାପ, ପେଟରେ ଟ୍ୟୁମର। ଅପରେସନ ନିହାତି ଆବଶ୍ୟକ। ଖର୍ଚ୍ଚ ପାଇଁ ଦୁଇ ପୁଅଙ୍କ ଟଣା ଓଟରା। ବଡ଼ କହିଲା ମିଳିମିଶି ଖର୍ଚ୍ଚ କରିବା, ସାନ କହିଲା ମୋ ପାଖରେ ଟଙ୍କାଟିଏ ନାହିଁ। କଳି ସହଜରେ ମେଣ୍ଟିଲାଣି। ଶେଷରେ ଗାଁ ଲୋକେ ନିଷ୍ପତ୍ତି ନେଲେ ବଡର ଅଧିକ ରୋଜଗାର ସେ ସବୁ ଖର୍ଚ୍ଚ ବହନ କରିବ। ସାନ ପାଖରେ ପଇସା ନାହିଁ ସେ ଦେଖା ଶୁଣା ଭଲ ମନ୍ଦ କରିବ।
ବଡ ପୁଅର ମୁଣ୍ଡ ବିନ୍ଧା, ଘର କାମରେ ଗୁଡ଼ାଏ ପଇସା ଖର୍ଚ୍ଚ ହୋଇ ଯାଇଛି। ପୁଣି ଏତେ ଶୀଘ୍ର ଏତେ ଗୁଡାଏ ଟଙ୍କା କେମିତି ଯୋଗାଡ଼ କରିବ। ତାଠୁ ବେଶୀ ମୁଣ୍ଡ ବିନ୍ଧା ସାନ ସହଜରେ ଖସିଗଲା।କିନ୍ତୁ ସାନ ବି ଲାଗି ପଡିଥାଏ ଭାଇର ଟଙ୍କାଏ ଜାଗାରେ କେମିତି ଦୁଇ ଟଙ୍କା ଖର୍ଚ୍ଚ ହେଉ। ସାନ କାର୍ଯ୍ୟ କଳାପ ଜାଣି ମଧ୍ୟ ବଡ଼ ନିରବ। କାରଣ କେଇଟା ଟଙ୍କା ପାଇଁ ପୁଣି ଗଣ୍ଡଗୋଳ, ଭଲ ହେବନି। ସବୁ ଦାୟିତ୍ୱ ନେବା ଅପେକ୍ଷା ଟଙ୍କାଟି ଦେଇ ଚୁପ ହୋଇ ବସିବା ଭଲ।
ମେଡିକାଲରେ ଦୁଇ ବୋହୂ ରହିବା ପାଇଁ ରାଜି ହେଲେନି।କାରଣ ଦୁଇଜଣଙ୍କ ଦୁଇଟି ଛୋଟ ପିଲା। ଶେଷରେ ଝିଅ ଆସିଲା ମା ପାଖରେ ରହିବା ପାଇଁ।
ଅପରେସନ ଦିନ ପୁଅ ବୋହୂ ସମସ୍ତେ ଆସିଛନ୍ତି, କେବଳ ଲୋକ ଦେଖାଣିଆ ନ ହେଲେ କଥା ଖରାପ ହେବ। କାହାର ଚିନ୍ତା ନାହିଁ କାହା ମନରେ ଦୁଃଖ ନାହିଁ କିନ୍ତୁ ଝିଅଟି ବହୁତ ବ୍ୟସ୍ତ ବହୁତ ଚିନ୍ତିତ । କେତେ ଦିଅଁ ଦେବତାଙ୍କୁ ମନେ ମନେ ଡାକି ସାରିଲାଣି। ସବୁ ଠାକୁରଙ୍କ ପାଖରେ ମାନସିକ ରଖି ସାରିଲାଣି ବୋଉର ଆରୋଗ୍ୟ ପାଇଁ। ଦିନ ଦୁଇଟା ହେଲେଣି, ସାନ ପୁଅ ମାଙ୍କୁ ଛାଡି ଚାଲିଲେ ନିଜ କର୍ମକ୍ଷେତ୍ରକୁ। ଗଲାବେଳେ କହିଲେ ସମସ୍ତେ ତ ଅଛ ମୁଁ ରହିଲେ କଣ କରିବି? ବଡ଼ ପୁଅ ଡେରି ହେବାରୁ ଗଲେ ଖାଇବାକୁ। ଭାବିଲେ ଏତେ ଟଙ୍କା ତ ଖର୍ଚ୍ଚ ହେଲାଣି ଟିକେ ଭଲ କରି ଖାଇବା। ହୋଟେଲରେ ଚିଲି ଚିକେନ ଖାଉ ଖାଉ ଭାବିଲେ, ନିଜ ପେଟକୁ ମାରି ସମସ୍ତଙ୍କ ପାଇଁ ଖର୍ଚ୍ଚ କରି ଲାଭ କଣ?
ଝିଅଟି ବୋଉର ଚିନ୍ତାରେ ଦିନ ସାରା ଉପାସ। ଭୋକ ଶୋଷ କିଛି ନାହିଁ। ଦେହ ମନ ଆତ୍ମାରେ କେବଳ ବୋଉ ଚିନ୍ତା। ସାବିତ୍ରୀ ଦେବୀ ଅପରେସନର ଦୁଇ ଘଣ୍ଟା ପରେ ଚେତା ପାଇଲେ। ଆଖି ଖୋଲିଲା ପରେ କେବଳ ଦୁଇ ପୁଅଙ୍କୁ ଖୋଜୁଥିଲେ। ଝିଅଟି କେବଳ ଆଶ୍ୱସନା ଦେଉ କହୁଥାଏ, ବୋଉ ବ୍ୟସ୍ତ ହୁଅନା ଭାଇ ସଙ୍ଗେ ସଙ୍ଗେ ଆସିବେ। ତାସହିତ ମାର ଆରୋଗ୍ୟ କାମନା କରୁଥାଏ ଈଶ୍ୱରଙ୍କ ନିକଟରେ।
ସନ୍ଧ୍ୟା ହେଲା, ପୁଅ ମାନେ ଆସିଲେ। ସାବିତ୍ରୀ ଦେବୀଙ୍କ ଅବଶ ଶରୀର ଲୋଟିଥାଏ ମେଡ଼ିକାଲର ବେଡ଼ ଉପରେ। ପୁଅ ମାନେ ନିଜ ନିଜ ସମ୍ପର୍କିୟ ମାନଙ୍କ ସହ ଫୋନରେ ବ୍ୟସ୍ତ। ତାସହିତ ମାଙ୍କର ସେଲ୍ଫି ନେବାରେ। ବିଚାରି ଝିଅଟି ମା ପାଇଁ ଦିନ ରାତି ନ ଖାଇ ନ ପିଇ ଦେଖା ଶୁଣା କରୁଥାଏ।
ତିନି ଦିନ ପରେ। ଆଜି ମାଙ୍କର ମେଡ଼ିକାଲରୁ ଡିସଚାର୍ଜ ହେବ। କିନ୍ତୁ ମାଙ୍କୁ ନେବା ପାଇଁ ଦୁଇ ପୁଅ ମଧ୍ୟରୁ କେହି ରାଜି ନୁହଁନ୍ତି। କିଏ କରିବ ମାଙ୍କ କାମ। ବଡ଼ ପୁଅର ଯୁକ୍ତି ମୁଁ ସବୁ ଟଙ୍କା ଖର୍ଚ୍ଚ କରିଛି। ମା କଣ ମତେ ଏକୁଟିଆ ଜନ୍ମ ଦେଇଛି। ସାନ ବି ଅନିଚ୍ଛୁକ। ଘରେ ଛୋଟ ଛୁଆ, ପୁଣି ସ୍ତ୍ରୀ ବି ଅସୁସ୍ଥ। ଦୁଇ ଭାଇଙ୍କ କଥା ଶୁଣି ସାବିତ୍ରୀ ଦେବୀ ଝରକା ଦେଇ ଚାହିଁଲେ ଶୂନ୍ୟ ଆକାଶକୁ। ସତେ ଯେମିତି ଖୋଲା ଆକାଶ ତଳେ ସେ ସମ୍ପୂର୍ଣ୍ଣ ଏକୁଟିଆ। ଆଜି ସେ ସମସ୍ତ ପାଇଁ ଅଲୋଡ଼ା ଆଖୋଜା ଅଦରକାରୀ ମଣିଷଟିଏ।
ଝିଅଟି ନିଜକୁ ରୋକି ପାରିଲା ନାହିଁ। ମନ ତଳର ସବୁ ରାଗ ଅଭିମାନକୁ ଚାପିରଖି କହିଲା, "ବୋଉ କୁ ମୁଁ ମୋ ସାଥିରେ ନେଇଯାଉଛି। ତମ ମାନଙ୍କର ବ୍ୟସ୍ତ ହେବା କିଛି ଦରକାର ନାହିଁ" ସାବିତ୍ରୀ ଦେବୀଙ୍କର ଅତୀତଟା ଗୋଟି ଗୋଟି ହୋଇ ମନେ ପଡୁଥିଲା। ଆଉ ଆଖିରୁ ଝରୁଥିଲା ଅନୁତାପର ଝର ଝର ଲୁହ। ଝିଅ ନିଜ ପଣତ କାନିରେ ମା' ଆଖିର ଲୁହ ପୋଛି ନେଲା ବେଳେ ସାବିତ୍ରୀ ଦେବୀ ଛୋଟ ଛୁଆଙ୍କ ଭଳି ଭୋ ଭୋ କାନ୍ଦି ଉଠିଲେ। ଆଉ ମନେ ମନେ ଭାବୁଥିଲେ, ତିନି ଜଣ ଯାକ ମୋର ଝିଅ ହୋଇ ନ ଥାନ୍ତେ।