STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଅନୁରାଗର ରଙ୍ଗ

ଅନୁରାଗର ରଙ୍ଗ

6 mins
4


କେତେ ସ୍ୱାର୍ଥୀ କରିଦିଏ ଏଇ ପ୍ରେମ ମଣିଷକୁ ? କେତେବେଳେ କୃଷ୍ଣ ସଜାଏ ତ କେତେବେଳେ କଂସ କି ରାବଣ।

    ଅପରାଧୀ ଅପରାଧୀ ଲାଗେ ମୋତେ  ଏବେ ଦି   ପାଖେ ବେଶୀ ବେଶୀ।

      ଦି ଅଭିମାନ କରି କୁହେ ,ବୁଝିଲୁ ଆସ୍ଥା ବିଶ୍ୱାସ ଏବେ ମୋତେ ଆଉ  ଭଲ ପାଉ ନାହାନ୍ତି। ହଁ ମଲାଗଲା ହୋଇ ଚାରି ବର୍ଷ ହେଲା ପଡିଥିଲି । ଏବେ ସିନା ହୋସ୍ ଆସିବାରୁ  କଥାଟା କହି ପାରୁଛି ହେଲେ ଗୋଡ଼ ହାତ ଅଚଳ ନା। ପୁରୁଷ ପୁଅ ପୁଣି ମାତ୍ର ଚାଳିଶି ବର୍ଷ ବୟସ୍କ । ସ୍ତ୍ରୀ ସୁଖ ପାଉ ନାହାନ୍ତି। ତାଙ୍କ ଭଲ ମନ୍ଦ ମୁଁ ବୁଝି ସେବା କରିବା କଥା । ମୋ ଭାଗ୍ୟ ଦେଖେ ମୋ ସ୍ୱାମୀ ମୋର ସେବା କରୁଛନ୍ତି । ତୁ ଟିକେ ତାଙ୍କ କଥା ଠିକ୍ ଠିକ୍ ବୁଝୁଥିବୁ । ମୋ ଝିଅ ତୋତେ ଖୁବ୍ ଆଦରି ଯାଇଛି, ନୁହେଁ ? ଦେଖୁନୁ ବିଲକୁଲ ମୋତେ ମାଆ ଡାକୁନି । ତୋତେ ମମ୍ ମମ୍ କହି ପାଣି ପିଉନି। ତୁ ତାକୁ ଟିକେ କହିଲୁ ମୋତେ ମାଆ ଡାକିବ । ବଡ଼ ମମ୍  ଡାକିଲେ ମୋ ଛାତି ଫାଟି ଯାଉଛି ଲୋ ଆସ୍ଥା ।ତାର ଦୋଷ କଣ ?ଦୁଇ ବର୍ଷର  ହୋଇଥିଲା ଛୁଆଟା ମୋର ଏ ଅବସ୍ଥା । ଗାଧୁଆ ଘରେ ପଡି ମୁଣ୍ଡ ମାଡ଼ ହେବା ଜାଣିଛି । ତା ପରେ କଣ ହୋଇଛି ମୁଁ ଜାଣିନି। ଲାଗୁଛି ଏଇ ଯେମିତି ନିଦରୁ ଉଠିଛି ।  ସତ କିନ୍ତୁ ଏହା ଭିତରେ ଚାରି ବର୍ଷ କାଳ ମୁଁ ଶୋଇଥିଲି ! କହିଲୁ ମୁଁ ସତରେ କଣ ଆଗପରି ଚାଲି ବୁଲି ପାରିବି ? ଆଗ ପରି ବିଶ୍ବାସଙ୍କ ସହ ଲମ୍ବା ଭ୍ରମଣରେ ଯିବି ? 

     ଅପେକ୍ଷା  ଦି ର ଏ ଅନୁରାଗର ରଙ୍ଗ ଖୁବ୍ କରୁଣ ଦିଶେ ମୋତେ। ମନେ ମନେ କୁହେ ଆଉ କେହି ନୁହେଁ ଦି  ! ମୁଇଁ ତୋ ଦେଖା ରଖା କରୁଥିବା ତୋରି  ନିଜ ପିଉସୀ ଝିଅ  ଡିଭୋର୍ସି ସାନ ଭଉଣୀ ଆସ୍ଥା ହିଁ ତୋ ସ୍ଥାନରେ  ବସି ଯାଇଛି। ବିଶ୍ୱାସ ଭାଇନା , ତୁମ ଘର ଏବଂ ତାଙ୍କ ଘର ଲୋକଙ୍କ ସହମତି କ୍ରମେ ମୋତେ ବିବାହ କରିଛନ୍ତି । ତାଙ୍କ ରୋଗିଣା ବାପା ,ତୁ ଆଉ ତୋ ଝିଅର ସେବା କରିବା ପାଇଁ ବିଶ୍ବାସ ଭାଇ ମୋତେ ମନ୍ଦିରରେ ବାହା ହୋଇଛନ୍ତି ।

     ବିଶ୍ୱାସ  ଅଫିସ ଓ ଝିଅ  ଦ୍ରାକ୍ଷା ସ୍କୁଲ ଚାଲି ଯାଆନ୍ତି। ପ୍ରାୟତଃ  ମୋ ସହ ଟିକେ ଗପିବା ଗେଲ ହେବାକୁ ଇଚ୍ଛା କରିନ୍ତି ବାପ ଝିଅ। ଆହୁରି ଅନେକ ଇଚ୍ଛା ଡଙ୍କେଇ ଯାଏ ବିଶ୍ବାସଙ୍କ ପୁରୁଷ ମନରେ। କୁହନ୍ତି ଆସ୍ଥା !  ଝିଅକୁ ନେଇ ଟିକେ ବୁଲି ଯାଇ ହୋଟେଲରେ ଦିନେ ଦୁଇ ଦିନ ରହି ଆସିଲେ କେମିତି ହୁଅନ୍ତା ? ଦୁଇ ବର୍ଷ ହେଲା ଲୁଚା ଚୋରା ବସା ଉଠା। କାହିଁକି ପ୍ରତିକ୍ଷାକୁ ସବୁ ଲୁଚା ଯାଇଛି ? ତାର ସବୁ ଜାଣିବା ଉଚିତ।  ଆମେ କଣ ଭୁଲ୍ କରିଛେ ? ଦଣ୍ଡ କାହିଁକି ଭୋଗୁଛେ ? ମୁଁ କି ମୋ ଝିଅ ତୁମ ସହ ମନ ଖୋଲି କଥା ହୋଇ ପାରୁନୁ । ଝିଅ ତ ପିଲା ବୟସରୁ ତୁମକୁ ତାର ମାଆ ଧରି ନେଇଛି। ତାକୁ ବି ତୁମଠାରୁ ଆଳ କରି ଦୁରେଇ ରଖୁଛ ? କଣ ନା ଦି ର ମନ ଦୁଃଖ ହେବ। ଆମ ମନ ଦୁଃଖ କଥା କଣ ହେବ ଆସ୍ଥା ? ତୁମକୁ ଛୁଇଁବା ତ ଦୂର କଥା। ମୋ ଭାଗ୍ୟରେ ସ୍ତ୍ରୀ ସାଙ୍ଗ ସୁଖ ହିଁ ନାହିଁ ଜାଣ।

    ମୁଁ ଭିତରେ ଖୁସି ହେଲେ ବି ବାହାରେ ଦେଖେଇ କୁହେ , କଣ ମ ଏ ବୟସରେ ଏତେ ପ୍ରେମ ?

    ବୟସ ! କେତେ ମୋତେ ? ଏଇ ପଇଁଚାଳିଶ ଛୁଇଁବ ଛୁଇଁବ ହେଉଛି ତ।

     ସାଙ୍ଗେ ସାଙ୍ଗେ ଦ୍ରାକ୍ଷା  ମୋ ଉପରକୁ ଝାମ୍ପ ଦେଇ କୁହେ ନୋ ନୋ ମିସେସ୍ ମହାପାତ୍ର ମୋ ଡାଡ୍ ଙ୍କୁ ବୁଢା କହି ପାରିବ ନାହିଁ। ଦେଖ ତ କେତେ ଡ୍ୟାସିଂ , ହ୍ୟାଣ୍ଡସମ ମୋ ଡାଡ୍।ପୁରା ହିରୋ। ତାଙ୍କୁ ଏମିତି କହୁଛ ?

    କଣ କହିବ ଏ ଆଠ ନଅ ବର୍ଷର ଛୁଆକୁ ? କି ବଡ଼ ବଡ଼ କଥା କହୁଛି ? ତୋ ହିରୋ ଡାଡ୍ ଙ୍କ ବୟସ ଜମାରୁ ପଚିଶି ହେବ କି ନାହିଁ ପରା।

      ସୋ ହ୍ଵାଟ୍ ! ବୟସରେ କଣ ଯାଏ ? ମୋ ଡାଡ୍ କେମିତି ଦିଶୁଛନ୍ତି ଦେଖ୍  ଏବେ  ଯେ କେହି ବି କହିବେ ମୋ ଡାଡ୍ ଙ୍କୁ ଅନ ମ୍ୟାରେଡ୍ ।


ହଁ ବାପ ପଟିଆ ଝିଅ ହେବ ନି ତ କିଏ ହେବ ?

    ବାଡ଼ିରେ, ବଗିଚାରେ କି ଡ୍ରଇଂ ରୁମ୍ ରେ ଆମେ ତିନି ହେଁ ଦି ଅଗୋଚରରେ ଖୁସି ଖୋଜୁଥିଲୁ ତାକୁ ଗୋଟିଏ ପାଖିକିଆ କରି । ଯେତେ ଯାହା ହେଲେ ବି ଦି ର ମନ ଦୁଃଖ ନ ହେଉ ବୋଲି ପ୍ରକାଶ୍ୟରେ ବିଶ୍ବାସ ସାର୍ କେବେ ଦି ଆଗରେ ଅପ୍ରୀତିକର ଘଟଣା ସୃଷ୍ଟି କରି ନାହାନ୍ତି। ଦ୍ରାକ୍ଷା ମୋତେ ମମ୍ ଓ ବିଶ୍ବାସ ଙ୍କୁ ଡାଡ୍ ଏମିତିରେ ଧରି ନେଇଛି ବୋଲି ଭାବେ।ମୋତେ ଅବିଶ୍ବାସ କରନା। ବରଂ କୃତଜ୍ଞତାରେ ପୋତି ପକାଏ ମୋତେ।

    ଦିନେ କିନ୍ତୁ ବିଶ୍ବାସ ଗୋଟେ ଅଘଟଣ କରି ବସିଲେ। ସାଙ୍ଗର ପାର୍ଟିରେ ଦୁଇ ତିନିଟି ପେଗ୍ ମାରି ଦେଇ ଆସିଥିଲେ ।ସେଦିନ ନିଜକୁ ଆୟତ୍ତ କରି ନ ପାରି ମୋତେ ଶୂନ୍ୟେ ଶୂନ୍ୟେ ଟେକି ନେଇ ମୋ କାନରେ ଫିସ କରି କହିଲେ, ତୁମକୁ ଛାଡି ରହିବା ଅସମ୍ଭବ ଆସ୍ଥା।ତୁମେ ମୋର ବର୍ତ୍ତମାନର ଖୁସି ଓ ଅସ୍ମିତା।

    ପାଖ ବେଡ୍ ରେ ଦି। ଯଦିଓ ଶୋଇଥିଲା ତଥାପି ତାରି ପାଖରେ ଏପରି ଆଚରଣ ମୋତେ ଆଦୋୖ ଭଲ ଲାଗିଲା ନାହିଁ।

ଦି ଉଠି ପଡିବ ବିଶ୍ବାସ, ପ୍ଲିଜ଼ ହୋସ୍ କୁ ଆସନ୍ତୁ।।    ହୋସ୍ ରେ ଥିଲେ ତ । ସେ କୌଣସି କଥା ନ ଶୁଣି କହୁଥାନ୍ତି ଉଠୁ । ତୁମେ ମୋର ମିସେସ୍।ତୁମ ସହ ଏକାନ୍ତ ଅନ୍ତରଙ୍ଗ ହେବା ମୋର ଅଧିକାର। ମୁଁ ଜଣେ ମଣିଷ।କେତେ ଆଉ ଡରି ମରି ମୋ ମିସେସ୍ କୁ ଚାକରାଣୀ କରୁଥିବି ? ନିଜକୁ ତୁମଠୁ ଦୁରେଇ ରଖି ପାରୁନି ଆସ୍ଥା।ପ୍ଲିଜ଼ ଏ ଦଣ୍ଡରୁ ମୋତେ ମୁକ୍ତି ଦିଅ।

    ଯେତିକି ଦୟା ହେଲା ସେତିକି ରାଗ ବି ହେଲା ବିଶ୍ବାସଙ୍କ ଉପରେ। ନାରୀଟିଏ ପୁରୁଷ ସ୍ନେହ ପ୍ରେମ ପାଇଁ ସବୁବେଳେ ଲାଳାୟିତ। ତଥାପି ମୁଁ ମୋ ଉପରେ କାବୁ ରଖି ପାରୁଥିଲା ବେଳେ ବିଶ୍ବାସ କାହିଁକି  ପାରୁ ନାହାନ୍ତି  ? ତାଙ୍କୁ ଠେଲି ପେଲି  ବାହାରକୁ ଚାଲି ଆସିଲି।

    ଆଖି ବୁଜି ପଡିବା ବାହାନା କରି ଦି ସବୁ ଜାଣି ଯାଇଥିଲେ ବୋଧେ।କାରଣ ତାପର ଠାରୁ ଅତି ରୁକ୍ଷ ବ୍ୟବହାର କରୁଥିଲା ମୋତେ।

      ନିଜେ ସିନା ପତିକୁ ପତ୍ନୀ ସୁଖ ଦେବାକୁ ଅକ୍ଷମ ସେ।କିନ୍ତୁ  ଆଖି ଆଗରେ ତା ସ୍ବାମୀ ଓ ମୋ ସମ୍ପର୍କକୁ ବରଦାସ୍ତ କରନ୍ତା କିପରି ?କେଉଁ ନାରୀ ପାରିବ କି ନିଜ ସ୍ୱାମୀକୁ କାହା ସହ ବାଣ୍ଟି ? ଅଜବ ନା ଏ ପ୍ରେମ ? କେତେ ସ୍ୱାର୍ଥୀ କରିଦିଏ ଏଇ ପ୍ରେମ ମଣିଷକୁ ? କେତେବେଳେ କୃଷ୍ଣ ସଜାଏ ତ କେତେବେଳେ କଂସ କି ରାବଣ ।

    ଦିନେ ଅତି ସାଂଘାତିକ ଅସଭ୍ୟଙ୍କ ଭଳି ବ୍ୟବହାର କଲା ଦି ମୋ ସହ । ଭାରି ଆତ୍ମାକୁ ବାଧିଲା ତା ଭାଷା ଓ ଭାବ।

    ଘଇତା ଛାଡି ! ସ୍ୱାମୀ ତୋତେ ବାଞ୍ଝ କହି ଡିଭୋର୍ସ ଦେଇଦେଲା ଯେ ସ୍ୱାମୀ ସୁଖ ପାଇବୁ ବୋଲି ମୋ ସ୍ୱାମୀ ଉପରେ ଆଖି ପକେଇଛୁ?ମୋହିନୀ ଶକ୍ତିରେ ମିଠା ମିଠା କଥା କହି ବାନ୍ଧି ରଖିଛୁ ମୋ ଝିଅ ଓ ସ୍ୱାମୀଙ୍କୁ ? ମୋର ଅକ୍ଷମତା ଦେଖି ବିଶ୍ବାସଙ୍କୁ ମେଣ୍ଢା କରି ରଖିଛୁ ଆଉ ଭାବୁଛୁ ମୁଁ ଗୋଟିଏ ଜାଗାରେ ପଡିଛି ତ କିଛି ଜାଣି ପାରୁ ନାହିଁ।ବାହାରି ଯାଆ ଅଲାଜୁକୀ ପୋଡ଼ା ମୁହିଁ  ଏଇ ମୁହୂର୍ତ୍ତରେ ମୋ ଘରୁ। ତୋ ମୁହଁ ଆଉ ଦେଖିବାକୁ ଚାହୁଁ ନାହିଁ।

     ଘଇତା ଛାଡି  ! ଓଃ ଏ ଶବ୍ଦ ମୋ ଅସ୍ତିତ୍ତ୍ୱକୁ ଦୋହଲାଇ ଦେଲା।   ମୋ କାନରେ ବାର ବାର ପ୍ରତିଧ୍ବନିତ ହେଲା ଏ ଶବ୍ଦ। ଅସହ୍ୟ ଏ ଶବ୍ଦ।ଚାରି ଆଡୁ ଘାଇତା ଛାଡି ଶବ୍ଦ ଶର ଆସି ମୋତେ କରୁଥିଲେ ଲହୁ ଲୁହାଣ। ଅସାଧାରଣ ହେବା ଚେଷ୍ଟାରେ ନିଜକୁ ଭଣ୍ଡେଇ ଆଉ ହଜମ କରି ପାରିଲି ନାହିଁ ନିଜ ପ୍ରତି ଅତ୍ୟାଚାର। ଅନେକ ଚେଷ୍ଟା କରୁଥିଲି ଦି କୁ ଖୁସି ରଖିବାକୁ।ନା ସବୁ ବୃଥା ଗଲା।       ଦି ର ହାତ ଧରି ବିଶ୍ବାସ କହିଲେ, ହଁ ତୁମ ସୁଖର ବାଧକ ଆସ୍ଥା।ହେଲେ ସେ ନୁହେଁ ମୁଁ ଭୁଲ୍ କରିଛି। ଯଥାରୀତି ବିବାହ କରିଛି ତାକୁ ।ଏଥିରେ ତାର କୌଣସି ସ୍ୱାର୍ଥ ନାହିଁ। ତୁମ ଘର ସଂସାର ବଞ୍ଚେଇବା ପାଇଁ ତାର ଏ ତପସ୍ୟା । କହିଲ ସେ ମୋତେ ବାହା ହୋଇଛି। ତୁମକୁ ଡରନ୍ତା କାହିଁକି ? ତୁମରି ସ୍ୱାମୀ,ଶଶୁର ଓ ଝିଅର ସେଵା କରିବା ପାଇଁ ସେ ଜଣେ ନାମକୁ ମାତ୍ର ସ୍ତ୍ରୀ ହୋଇ  ଚାକରାଣୀ ପରି ଖଟୁଛି । କଣ କହିଲ ସେ ବାଞ୍ଝ ! ଜାଣିଛ ଏଇ ଚାରି ପାଞ୍ଚ ବର୍ଷ ଭିତରେ ମୋ ଔରସରୁ ସୃଷ୍ଟ ଦୁଇ ଦୁଇଟି ପିଲା ନଷ୍ଟ କରି ଦେଲାଣି ସେ।  ଏଥିପାଇଁ କେତେ ରାଗେ ଅଭିମାନ କରେ। ଦୁଇ ଦୁଇଟି ପିଲା ମୋର ନଷ୍ଟ କରି ଦେଲାଣି ଆସ୍ଥା। ଜାଣିଛ ଦ୍ରାକ୍ଷା ସ୍ନେହରେ କେହି ଦ୍ଵିତୀୟ ଆସି ଭାଗ ବସୁ ଏ କଥା ସେ ଚାହେଁନି ବୋଲି ଛାତିରେ ପଥର ଲଦି ନିଜ ସନ୍ତାନକୁ ନଷ୍ଟ କରେ । ତୁମେ ତାର ଋଣୀ । ସେ ଦେବୀ ପ୍ରତୀକ୍ଷା । 

       ସବୁ ଠିକ୍ ଯେ ମୋ ପରି ତୁମେ ପଡ଼ିଥାନ୍ତ ଆଉ ଘର ସଂସାର ଚଲେଇବା ପାଇଁ ମୁଁ ତୁମର କେହି ସମ୍ପର୍କୀୟ ଭାଇକୁ ବିବାହ କରିଥାନ୍ତି ତ ତୁମେ ସହି ପାରିଥାନ୍ତ ତ ବିଶ୍ୱାସ ? ସତ କହିବ।

ବିଶ୍ୱାସ କିଛି ନ କହି ଚାଲିଗଲେ।

ଦି ଆଖିର ଲୁହ ଏବେ ଭୟଙ୍କର ବନ୍ୟା ରୂପ ନେଲାଣି। ମୋତେ ପାଖକୁ ଡାକି କହିଲା, କେତେ ବିଶାଳ ତୋ ହୃଦୟ ! କାହିଁକି କହି ନଥିଲୁ ଏସବୁ ? ମୋତେ କ୍ଷମା କରି ଦେ। ହୁଏତ କେଇଟା ଦିନ ଏ ପୃଥିବୀରେ ମୋର ରହଣି ମୁଁ ଜାଣେନା। କେତେବେଳେ ଚାଲିଯିବି କିଏ କହିବ ? ଯଦି ବା ଚାଲିଯାଏ ଆଉ ମୋର ଅବସୋସ ରହିବ ନାହିଁ ଯେ ମୋ ଅନ୍ତେ ମୋ ସ୍ୱାମୀ ଓ ଝିଅର ଦାୟିତ୍ୱ କିଏ ନେବ।ତୁ ମୋ ଭଉଣୀ ନୁହଁ ମୋ ମାଆ ହୋଇ ଯାଇଛୁ । ମୋତେ କ୍ଷମା କରିଦେ । ମୁଁ କଣ କରିଥାନ୍ତି କହ। ସ୍ୱାମୀ ପ୍ରେମ କଣ ବାଣ୍ଟି ହୁଏ ?

   ଦି ସେମିତି କହନା। ବରଂ ତୁ ମୋତେ କ୍ଷମା କରିଦେ କି ତୋ ଅଧିକାର ମୁଁ ମାଡି ବସିଛି। ତୁ ଆମରି ଗହଣରେ ଏମିତି ରହିବୁ। ଦ୍ରାକ୍ଷା ବାହାଘର ଦେଖିବୁ । ଏତେ ଶୀଘ୍ର ଯିବୁ କୁଆଡେ ?

     ଦି ଭାରି କଣ୍ଠରେ କହିଲା ପାଗେଳିଟା। ଯାଆ ସ୍ୱାମୀ ଝିଅ ସଂସାର ନେଇ ସୁଖରେ ବଞ୍ଚ। ମୁଁ ତୋ ସୁଖ ସଂସାରରେ ଆଉ ବାଧା ହେବିନି।

        ତାପରେ ମୋତେ ଗାଳି ଗୁଲଜ କରି ବିଶ୍ବାସଙ୍କ ନିକଟକୁ ପଠାଇଲା। ଯେଉଁ ଝିଅ ତାର ଜୀବନ ତାକୁ ଦେଖିଲେ ଦୂର ଦୂର ମାର ମାର କଲା। ବିଶ୍ବାସଙ୍କୁ ତା ବେଡ୍ ରେ ବସାଇ ଦେଲା ନାହିଁ କି ତାଙ୍କ ମୁହଁକୁ ଚାହିଁଲା ନାହିଁ। ଉନ୍ନତି କରି ଆସୁଥିବା ସ୍ୱାସ୍ଥ୍ୟ ଅବସ୍ଥା ତାର ତଳକୁ ତଳ ଗଲା। ଖିଆ ପିଆ କଲା ନାହିଁ। ଔଷଧ ଦେଲେ ଲୁଚାଇକି ଫିଙ୍ଗି ଦେଉଥିଲା। ଏମିତି କି ଆଖି ଖୋଲିଲା ନାହିଁ।ସବୁବେଳେ ଶୋଇବା ଅଭିନୟ କଲା।

     ଦି ଏପରି ହେବାର କାରଣ ବୁଝିଲି ମୁଁ ଏବଂ ବୁଝିଲେ ବିଶ୍ବାସ । କେଜାଣି ବିଶ୍ୱାସଙ୍କର ମୋ ପ୍ରତି ବି ପ୍ରେମ କମି ଆସିବା ଅନୁଭବ କରୁଥିଲି। ଦି ର ଏ ଅବସ୍ଥା ପାଇଁ ବିଶ୍ବାସ ନିଜକୁ ଦାୟୀ କରୁଥିଲେ । ଗୋଟିଏ କୋଠରୀରେ ନଥାଇ ସେ ମୋତେ ଯେତିକି ଚାହୁଁଥିଲେ ,ପ୍ରେମ କରୁଥିଲେ ସେ ସବୁ ଏକତ୍ର ଗୋଟିଏ କୋଠରୀରେ ଥାଇ ବି ନଥିଲା। ସେ ଗଭୀର ଦୁଃଖ ପ୍ରକାଶ କରି କହୁଥିଲେ, ପ୍ରତୀକ୍ଷାର ଏ ଦୁଃଖ ମୁଁ ଦେଖି ପାରୁନାହିଁ ଆସ୍ଥା । ସେ ମୋର ପ୍ରଥମ ପ୍ରେମ। କେତେ ଝଡ଼ ଝଞ୍ଜାର ସମ୍ମୁଖୀନ ହୋଇ ଆମର ବାହା ଘର ହୋଇଥିଲା । ବିବାହିତ ଜୀବନର କିଛି ସୁଖ ଭୋଗ କରି ପାରିନି ସେ। ଏବେ ଦେଖ ମୋ ସହ କଥା ହେଉନି କି ମୋ ମୁହଁ ଚାହୁଁନି । ତୁମକୁ ବିବାହ କରି ମୁଁ କଣ ଭୁଲ୍ କରିଛି ?

      ଏ ପ୍ରଶ୍ନର ଉତ୍ତର କଣ ମୋ ପାଖରେ ଅଛି ?। ବିଶ୍ବାସ ଯେ ଏବେ ଦି ର ପ୍ରେମକୁ ଝୁରୁଛନ୍ତି ଏତକ ଅନ୍ତତଃ ବୁଝି ପାରୁଥିଲି। କିନ୍ତୁ ବୁଝି  ପାରୁ ନଥିଲି ମୋର କଣ କରିବା ଉଚିତ। 

        ଏପରି ଦୁଇ ମାସ ପରେ ହଠାତ୍ ଦିନେ ଅପରାହ୍ନ ଚାରିଟା ବେଳେ ନର୍ସ ଇଂଜେକସନ ଦେବାକୁ  ଆସି ଘୋଷଣା କଲେ ଯେ ଦି ମୃତ। ଦି ର ଚିକିତ୍ସା କରୁଥିବା ଡକ୍ଟର କହିଲେ ସାଂଘାତିକ ଦୁର୍ଘଟଣା ସହ ସଂଘର୍ଷ କରି ଆରୋଗ୍ୟ ହେଉଥିବା ରୋଗୀଟିର ହଠାତ୍ ଅବନତି ହେଲା କାହିଁକି ? 

      ଖବର ପାଇ ବିଶ୍ୱାସ ଅଫିସରୁ ଆସି ଦି ର  ହାତ ଧରି କହୁଥିଲେ ମୁଁ ତୁମ ହତ୍ୟାକାରୀ ପ୍ରତୀକ୍ଷା।ମୋର ଦ୍ଵିତୀୟ ବିବାହ କରିବାର ନଥିଲା। 





Rate this content
Log in

Similar oriya story from Tragedy