ଅନ୍ତହୀନ ଖୁସି
ଅନ୍ତହୀନ ଖୁସି
ଡଲି, ଏ ଡଲି ଶୁଣୁଛୁ ନା ନାହିଁ ମ ---
ଡଲି ଚମକି ପଡିଲା ଏବଂ ନିଜ ଭାବନା ରାଜ୍ୟରେ ଦେଖୁଥିବା ଖୁସିର ସ୍ବପ୍ନ ଭାଙ୍ଗିଗଲା। ସେ ଯାହାକୁ ବାହା ହେବ ତାଙ୍କୁ ସେ କଣ ଖୁସି ଦେଇ ପାରିବ? ତାଙ୍କ ଜୀବନ ଆକାଶରେ ଚାନ୍ଦଟିଏ ହୋଇ ଜୋଛନା ବିତରି ପାରିବ?
ତାଇଜୀ ଲାଇନରେ ଅଛି ସବୁକଥା ଖୋଲିକି କହି ଦେ।
ତୁ କଣ ମଣିଷ ମାରିଛୁ ନା ଗାଈ ମାରିଛୁ ଯେ ଏତେ ଡରୁଛୁ।
ବାପା ଚାଲିଗଲା ପରେ ଆମ ହସ ଖୁସିର ଦୁନିଆଟା ଅନ୍ଧାର ହୋଇଯାଇଛି। ବାପ ନାହିଁ ଯାହାର ସାହା କିଏ ଏ ଦୁନିଆର?
ବାପା ଗଲା ଦିନ ଠାରୁ ମାଆ ଅସୁସ୍ଥ ହୋଇପଡିଲା। ଧିରେ ଧିରେ ବିଛଣା ଧରିନେଲା। ବର୍ତ୍ତମାନ ମାଆକୁ ବଞ୍ଚେଇ ରଖିବା ପାଇଁ ଜଣେ ଲୋକର ସାହାରା ଦରକାର। ହେଲେ ତୋ ବିନା ସେ ଘରେ ଅଛି କିଏ ଯେ ମାଆ କଥା ବୁଝିବାକୁ।
ତୁ ବି ତ ବାଡୁଅ ହେଇ ଆଉ କେତେଦିନ ବସିବୁ। ଝିଅ ପିଲା ବୟସ ୨୫ ପୁରି ୨୬ ଧରିବାକୁ ବସିଲାଣି। ବୟସ ବଢିବା ସହିତ ଚେହେରା ବି ପରିବର୍ତ୍ତନ ହୁଏ। ଆଜିକାଲି ଲୋକ ସଜ ମାଛରେ ପୋକ ପକେଇବାକୁ ପଛେଇ ନାହାନ୍ତି ସହଜେ ତୁ ଝିଅଟିଏ, ଅଧିକ ବୟସ ହୋଇଗଲେ ଦୁନିଆ ସାରା ଲୋକ ଦୁନିଆ ଥଟ୍ଟା ତାମସା କରିବେ।
ତୁ ଯାହା ଚିନ୍ତା କରିଛୁ କିଛି ମନ୍ଦ ନୁହେଁ।
ନିଜେ ନିଜ ଗୋଡରେ ତ ଠିଆ ହୋଇ ପାରିଛୁ। ଭଲ ଅଫିସର ଚାକିରି ଖଣ୍ଡେ ପାଇଛୁ। ଯେଉଁ ଦୁଇ ପଇସା ମିଳୁଛି ନିଜ ଖର୍ଚ୍ଚ ନିଜେ ମେଣ୍ଟାଇ ପାରୁଛୁ ତା ସହିତ ପରିବାରର ତେଲ ଲୁଣ ଖର୍ଚ୍ଚ ଚଳେଇ ନେଉଛୁ।
ଦିପୁଟା ତ ମଣିଷ ହେଲା ନାହିଁ। ମାଆ ଭତ୍ତା ପଇସାକୁ ସବୁ ଉଡେଇ ଦେଉଛି।
କେବଳ ମାଆ ପାଇଁ ସେ ଟୋକାର ମୁହଁ ବଢିଯାଇଛି। ସିଏ ଘରକୁ କି ପଇସା ଦେଉଥିବ ମୁଁ ଜାଣିଛି।
ତାଇଜୀ, ତୁ କହ ଡଲି ତା ସିଦ୍ଧାନ୍ତ ରେ ଯଦି ମନଲାଖି ମଣିଷଟିଏ ଠିକ୍ କରିଛି ସେ କଣ ଭୁଲ କରିଦେଲା ଯେ ମାଆ ନାରାଜ ହେଉଛି।
ତାପରେ, ସେ ମୋହିତକୁ ମୁଁ ବି ଜାଣିଛି। ବେଶ ପ୍ରତିଷ୍ଠିତ ପରିବାର ପିଲା। ବାପର ନା ଡାକ ଅଛି। ବାପ ଗାଁର ମୁଖିଆ। ଆଗେ ପିଛେ ଲୋକବାକ ଲାଗି ରହିଛନ୍ତି। କିଛି ଅଭାବ ନାହିଁ। ପୁଅ ବି ଦେଖିବାକୁ ରାଜକୁମାର ପରି ତୋଫା ଗୋରା, ବଳିଷ୍ଠ ଚେହେରା। ୫ ଫୁଟରୁ ଅଧିକ ଲମ୍ବ। ସେ ବି ସଫ୍ଟୱେର କମ୍ପାନୀର ଚାକିରି କରୁଛି। ଦରମା ବି ଭଲ ପାଉଛି। ଆମ ଡଲିକୁ ବେଶ ମାନିବ। କେବଳ ଆମେ ସମସ୍ତେ ରାଜି ହେଲେ ହେଲା। ସିଏ ପିଲା ବି ରାଜି ଅଛି।
ତାଇଜୀ କଣ କହୁଛୁ?
ଏକାବେଳେ ଗୋଟେ ନିଶ୍ବାସରେ ଡଲିର ବଡ ଭଉଣୀ ଶୋଭା ଏତେ ଗୁଡାଏ ପ୍ରଶ୍ନ ଏବଂ ତାହାର ଉତ୍ତର ବି କହିଗଲେ। ସେ ଦିଲ୍ଲୀର ରୁହନ୍ତି ସ୍ବାମୀ ଏବଂ ଗୋଟିଏ ୮ ବର୍ଷ ର ଝିଅ ନିଭା ସହିତ।
ହଁ, ତୁ ଠକ୍ କହୁଛୁ। ତୁ ଯେତେବେଳେ ଦେଖିଛୁ ଏବଂ ତୋର ପସନ୍ଦ ହେଇଛି ତେବେ ଆଉ କଣ ଭାବିବାର ଅଛି?
ତାଇଜୀ, ସବୁଠିକ୍ ଅଛି ଯେ କିନ୍ତୁ ତାଉଜୀ ଏବଂ ତୁ ଥରେ ଆସି ସେ ପିଲାକୁ ଦେଖିବାକୁ ପଡିବ। ତୁମେ ଆସିଲେ ମୁଁ ଅଫିସରୁ ଗୋଟିଏ ଦିନ ଛୁଟି ନେଇ ସେ ପିଲାକୁ ସାଥୀ ହୋଇ ଦେଖିଯିବା। ତାଉଜୀଙ୍କୁ ସବୁ ଜଣା, କେମିତି କଥା ବାର୍ତ୍ତା କରାଯାଏ ଏବଂ କଣ ସବୁ ପଚରାଯାଏ।
ବାପାଙ୍କ ପରେ ତାଉଜୀ ଆମର ଗାର୍ଜନ। ସେ ଯାହା କହିବେ ସେହିଟା ହିଁ ହେବ। ତାଉଜୀ କଣ ଖରାପ କହିବେ ନା ଖରାପ ପସନ୍ଦ କରିବେ।
ବନ୍ଧୁ ବାନ୍ଧବ ସମସ୍ତେ ଆସିବେ। ଝିଅ ବାହାଘର କିଏ ନ ଆସିବ? କହିଲେ ବି କିଛି ଲୋକ ସାହାଯ୍ଯ କରିବେ।
ସବୁଠୁ ବଡ କଥା ମାଆ ପାଖରୁ ପଇସା କେମିତି ବାହାର କରିବା। ସେ ଟୋକାଟି କାଣୀ କଉଡିଟିଏ ରଖି ଦେଉନାହିଁ। ନା ନିଜେ ରୋଜଗାର କରୁଛି ନା ଆଉ କାହାକୁ ବଞ୍ଚିବାକୁ ଦେଉଛି!
ଡଲି, ତୁ ବି ଷ୍ଟ୍ରଙ୍ଗ ରହିବ। ଶିଖ। ଭାଙ୍ଗିପଡିଲେ ସବୁ ଭାଙ୍ଗିଯିବ।
ସେ ଦିପୁ ଆଉ ମାଆ କଥା ମୁଁ ବୁଝିବି। କେମିତି ପଇସା ବାହାର କରିବନି ମୁଁ ଦେଖିବି।
ଡଲି ସବୁ ଶୁଣୁଥାଏ। କିନ୍ତୁ ସେ ନିରୁତ୍ତର।
କେହି କଣ କେବେ ନିଜ ବାହାଘର ନିଜେ ଠିକ୍ କରିପାରେ?
ପୁଣି ଝିଅ ହେଇ ଏ ସବୁ କଥା ଭାବିଲା ବେଳକୁ ସେ ଦିଗ ଶୂନ୍ଯ ହୋଇଯାଉଥିଲା।
ଅନେକ ଥର ଭାବିଛି ସେ, କଣ ବାହା ନହେଲେ ଚଳିବ ନାହିଁ।
କିନ୍ତୁ ପ୍ରତିଥର ତା ବଡ ଦିଦି ତାକୁ ସାହସ ଦେଇଛି।
ବଞ୍ଚିବାର ରାହା ଦେଇଛି।
ଆଗକୁ ବଢିବା ପାଇଁ ରାସ୍ତା ଦେଖେଇଛି।
ଦିଦି ଉପରେ ଏମିତି କେତେ ଦିନ ସେ ନିର୍ଭର କରୁଥିବ?
ନିଜକୁ ନିଜେ ବହୁତ ବାର ତଉଲିଛି କିନ୍ତୁ ସବୁ କିଛି ଅଛିଡା ଅଙ୍କ ପରି ଅସମାହିତ ହୋଇ ରହିଯାଏ।
ଦିଦିର ବି ଏକା ଯିଦ୍ ଏହି ବର୍ଷ ତା ବାହାଘର କରିବ।
ଆଉ କିଛି ଦିନ ରହିଯାଇଥିଲେ ଚଳି ନଥାନ୍ତା?
କାହାଣୀର ଅୟମାରମ୍ଭ ସେହିଦିନ ଠାରୁ ଆରମ୍ଭ ହୋଇସାରିଥିଲା ଯେଉଁ ଦିନ ବାପା ତାକୁ ଛାଡି ଆର ପୁରକୁ ଚାଲିଗଲେ।
ଏ କାହାଣୀର ଶେଷ କେଉଁଠି କିଏ ବା ଜାଣିଛି?
ତାଇଜୀ, ମୁଁ ଅପେକ୍ଷା କରିବି, କେବେ ଆସୁଛ ମୋତେ ଟିକିଏ ଆଗରୁ ଜଣେଇବ। ନିଭା ଫୋନ କଲାଣି, ମୁଁ ରଖୁଛି।
ଡଲି ମୋବାଇଲ ରୁ ଦିଦି ଏବଂ ତାଇଜୀଙ୍କ କଥୋପକଥନ ଶୁଣୁଥିଲା। ତା ମନ ଭିତରେ ଘାଣ୍ଟି ଚକଟି ହେଉଥିବା ଅସମାହିତ ପ୍ରଶ୍ନ ଗୁଡିକର ସମାଧାନ ଖୋଜୁଥିଲା।
