ଅନର୍ କିଲିଂ
ଅନର୍ କିଲିଂ


ଭଗବାନଙ୍କର ରମ୍ୟ ସୃଷ୍ଟିରେ ସବୁ ସମାନ । ସମଗ୍ର ମନୁଷ୍ୟ ସମାଜ ଏକ ଜାତିରେ ଅନ୍ତଭୁର୍କ୍ତ, ତାହା ହେଉଛି ମାନବ ଜାତି । ଆଉ ଏ ସୃଷ୍ଟିକୁ ଜାତିର ନାଆଁରେ ବାଣ୍ଟୁଥିବା ସେହି ମହାନ ମଣିଷମାନେ କେବେ ସୁଧୁରିବେ କେଜାଣି? ପ୍ରେମ ରୂପକ ସୁନ୍ଦର ପୁଷ୍ପକୁ ପ୍ରସ୍ଫୁଟିତ ହେବା ଆଗରୁ ପାଦରେ ଦଳି ମକଚି ଦିଅନ୍ତି ଅନେକ କାରଣ ଦର୍ଶାଇ । କେବେ ଜାତି, ବର୍ଣ୍ଣର ଭେଦ ତ ଆଉ କେବେ ଧନୀ, ଗରିବର ଭେଦ ଆଉ କେବେ ପୁଣି ଶିକ୍ଷିତ ଆଉ ଅଶିକ୍ଷିତର ଭେଦରେ । ସମଗ୍ର ମନୁଷ୍ୟ ଏକଜୁଟ ହେଇଯାଏ ପ୍ରେମକୁ ସତ୍ତାହୀନ କରିବାରେ ଆଉ ପ୍ରେମୀଯୁଗଳଙ୍କୁ ଷଡଯନ୍ତ୍ରରେ ଫସେଇବାରେ । ପ୍ରେମ ଶବ୍ଦର ମହାନତା ପରିପ୍ରକାଶ ହେବା ଆଗରୁ ହିଁ ବଳି ପଡିଯାଏ । ପ୍ରେମ ଶାଶ୍ୱତ, ନିତ୍ଯ ଆଉ ମଧୁର ଶବ୍ଦଟିଏ । ପ୍ରେମକୁ ବୁଝିବା ପାଇଁ ସମସ୍ତଙ୍କ ପାଖରେ ସେ ଅପୂର୍ବ ଦିବ୍ୟ କ୍ଷମତା ନଥାଏ । ବେଳବେଳେ ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଏବଂ ସମାଜର କ୍ରୁର ଚକ୍ରାନ୍ତରେ ପ୍ରେମ ସଂଜ୍ଞାହୀନ ହୋଇପଡେ । ପ୍ରେମର ହତ୍ୟା କରି ଭଦ୍ର ମୁଖା ପିନ୍ଧିଥିବା ମଣିଷମାନେ ଖୁସିରେ ଫାଟି ପଡନ୍ତି, ଯେ ଯାହାହେଉ ଏତେ ଚକ୍ରାନ୍ତ ପରେ ଯାଇ ସେମାନଙ୍କର ସମ୍ମାନ ବଜାୟ ରହିଲା । ଏକଥା ସେମାନେ ଭୁଲିଯାଆନ୍ତି ଯେ ସମାଜରେ ଥିବା ଖୁସିର ମୂଲ୍ୟର ବାହାନାରେ ନିଜ ଜନ୍ମ କଲା ଛୁଆ ଆଉ ତା'ର ଖୁସିକୁ ଜଳାଞ୍ଜଳି ଦେଉଛନ୍ତି । କେତେ ଯେ କାହାଣୀ ଉପରୋକ୍ତ ବିଷୟରେ ଘଟୁଛି ତା'ର ଖୋଜ ଖବର ନାହିଁ । ହେଲେ କିଛି କିଛି ଜିନିଷ ଆମ ଆଖି ସାମ୍ନାରେ ଆସେ, ତାକୁ ପଢିନେଇ ପୁଣି ଭୁଲିଯାଉ।କିଛି ସମୟ ପାଇଁ ଦୁଃଖ ଆଉ ତା' ପରେ ପୁଣି ଠିକ୍ ହେଇଯିବା କିଛି ବିରଳ ନୁହେଁ।
କାହାଣୀର ନାୟିକା ଲିନା ଖଣ୍ଡାୟତ ଘରର ଝିଅ । ଗୋଟିଏ ଚାଉଳରେ ଗଢା ସିଏ । ବାପା ତା'ର ବ୍ଲକରେ ଚାକିରି କରିଛନ୍ତି । ମାଆ ତା'ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ । ବାପାମାଆଙ୍କର ଗୋଟିଏ ଝିଅ ସିଏ । ଭାଇ ତା'ର ବଡ ଆଉ ସିଏ ଭୁବନେଶ୍ୱରରେ କୋଉ ଗୋଟିଏ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରେ । ଲିନା ଯୁକ୍ତ ୩ , ଶେଷ ବର୍ଷର ଛାତ୍ରୀ । ଲିନା ଭଲପାଏ ଆର ସାହି ଶୁଦ୍ର ଜାତିର ପୁଅ ମୋହନକୁ । ମୋହନ ଦିଲ୍ଲୀରେ ମୋବାଇଲ୍ କମ୍ପାନୀରେ କାମ କରେ।ମୋହନର ବାପା ଭାରି ଗରିବ ହେଲେ ମୋହନ ଚାକିରି କଲାପରେ ସେମାନଙ୍କର ସ୍ଥିତି ସୁଧୁରିବାରେ ଲାଗିଛି । ହେଲେ ଏବେ ଏବେ ନୁଆଁଣିଆ ଚାଳଘର ଦୁଇ ବଖରା ଛାତରେ ପରିବର୍ତ୍ତିତ ହେଇଛି । ପିଲାଦିନରୁ ବନ୍ଧୁତା ପରିଣତ ବୟସରେ ପ୍ରେମରେ ରୂପାନ୍ତରିତ ହେଇଛି ମୋହନ ଆଉ ଲିନା ର । ଆଗରୁ ଲୁଚି ଲୁଚି ମିଶନ୍ତି । ଜାତିରେ ଦୁହେଁ
ଭିନ୍ନ । ଲିନାର ବାପାଙ୍କୁ ଚାରି ଖଣ୍ଡ ମଉଜାରେ ସଭିଏଁ ଚିହ୍ନନ୍ତି । ବହୁତ ମାନନ୍ତି ଅନ୍ୟ ଲୋକମାନେ । କିଛି ନ୍ୟାୟ ନିସାବ କଥା ପଡିଲେ ତାଙ୍କୁ ଆଗ ଖୋଜା ଯାଏ । ଗାଆଁ କମିଟିର ସିଏ ସଭାପତି।
ଧୀରେ ଧୀରେ ଲିନା ଆଉ ମୋହନର ଲୁଚାଛପା ପ୍ରେମ ଗାଆଁ ଲୋକଙ୍କ ଆଖିରେ ଧରାପଡିଲା । ସେସବୁକୁ ନେଇ ଗାଆଁରେ ଚର୍ଚ୍ଚା ହେଲା । ଗାଆଁ ସ୍ତ୍ରୀ ଲୋକମାନେ ପୋଖରୀ କୂଳରେ ହାଟ ବସେଇବା ପରି ଗପିଚାଲିଲେ । ଏକଥା ଯାଇ ଲିନା ମାଆଙ୍କ କାନରେ ପଡିଲା । ତାକୁ ଡକେଇ ବୁଝେଇଲେ ସିଏ । ଏମିତି କଲେ ଘର ମର୍ଯ୍ୟାଦା ନଷ୍ଟ ହେବ କହି ବୁଝେଇଲେ । ବାପା ଜାଣିଲେ ମାରିଦେବେ ବୋଲି କହିଲେ ତାକୁ । କିଛି ଦିନ ମାଆ ତା'ର ତାଗିଦ୍ କରି କଥାକୁ ଘୋଡେଇ ନେଲେ । ହେଲେ ତା'ର ଭାଇକୁ କେହି ଜଣେ କହିଲା ତୋ ଭଉଣୀକୁ ଆଉ କେହି ମିଳିଲେନି ଯେ ଶୁଦ୍ର ଜାତି ପୁଅକୁ ଭଲ ପାଉଛି । ନାଆଁ ଗାଆଁ ପଡିବା ଆଗରୁ ତାକୁ ବାହା କରେଇଦିଅ ନହେଲେ ପରେ ବହୁତ ପସ୍ତେଇବ।
ଭାଇ ତା'ର ଘରକୁ ଆସି ବାପାଙ୍କୁ ସବୁ କଥା କହିଲା । ବାପା ବହୁତ ରାଗି ଧୈର୍ଯ୍ୟ ହରେଇ ଅନେକ ପିଟିଲେ ଲିନାକୁ । ତା'ର ପରେ ତା'ର ଫୋନ୍ ଛଡେଇ ନେଇଗଲେ । ତାକୁ ଗୋଟିଏ ଘରେ ବନ୍ଦ କରି ଖାଇବା ପିଇବା ବନ୍ଦ କରିଦେଲେ । ମାଆ ତା'ର ବାପା ଭାଇ ଙ୍କୁ ଲୁଚି ଖୁଆଇଦେଇ ଆସନ୍ତି, ଯାହାହେଲେ ମାଆ ମନ ତ ବୁଝିବ ଅବା କେମିତି?ବେଶି ସିଏ କିଛି କରିପାରିବେ ନାହିଁ, ବାପା ଭାଇଙ୍କ ବିରୋଧୀ ହେବେ ଅବା କେମିତି?
ବାପା ସଂଗେସଂଗେ ତା'ର ବାହାଘର ଠିକ୍ କରିଦେଲେ । ଲିନାର ମନ ଖାଲି କାନ୍ଦୁଥାଏ । ଉପାୟ କିଛି ନାହିଁ, ମୋହନକୁ ଜଣେଇବ ଅବା କେମିତି? ଲିନା ତା'ର ସାଙ୍ଗ ହାତରେ ବଡ କଷ୍ଟରେ ମୋହନକୁ ଖବର ଦେଲା । ହେଲେ ସିଏ ଖାଲି ଏତିକି କହିଲା ମୋହନକୁ କହିବୁ ସିଏ ଆସିବା ଦରକାର ନାହିଁ । ସିଏ ତା'ର ପାଖକୁ ଯିବ ନହେଲେ ସିଏ ଯଦି ଆସେ ତା'ର ବାପା, ଭାଇ ଆଉ ସାହିର ଲୋକେ ତାକୁ ମାରିଦେବେ । ମୋହନ୍ ଖବର ଦେଲା ଆଉ ଟିକେଟ୍ କରି ପଠେଇଦେଲା ଲୁଚାରେ । ଲିନାର ଦୁଇ ଦିନ ପରେ ନିର୍ବନ୍ଧ ଥାଏ । ଲିନା କାଳି ଅନ୍ଧାରରୁ ଲୁଚାରେ ପାଖ ଗାଆଁ ଦେଇ ଯାଇଥିବା ଟ୍ରେନ ଲାଇନର ଆରପଟକୁ ଯାଇ ଲୁଚି ପଡିଲା । ଯୋଜନା ମୁତାବକ ମୋହନର ମାମୁଁ ପୁଅ ତାକୁ ଦିଲ୍ଲୀ ଯାଉଥିବା ଟ୍ରେନରେ ନେଇ ବସେଇଦେଲା।
ଲିନା ମନରେ ଅଜଣା ଭୟ । ପ୍ରେମ ପାଇଁ ଏତେ ଦୂରକୁ ଚାଲି ଯାଉଛି ନିଜ ଗାଆଁ ଛାଡି । ଅଜଣା ସହର, ଅଜଣା ଲୋକ ସବୁ ସେଠି ନୂଆ ଆଉ ମୋହନ୍ ଆସିବ ତ ? ଏପଟେ ତା' ଘରେ ତାକୁ ନିଶ୍ଚିତ ଖୋଜୁଥିବେ । ଆଉ ମୋହନର ବାପା, ମାଆଙ୍କ ଅବସ୍ଥା ପୁରା ଖରାପ କରିଦେଉଥିବେ ତା'ର ଗାଆଁ ଲୋକ ଆଉ ତା'ର ପରିବାର । ସେଠି ପହଞ୍ଚିବା ବେଳକୁ ମୋହନ ଆସି ଅପେକ୍ଷା କରିଥିଲା । ତାକୁ ନେଇ ଘରକୁ ଗଲା । ସେଠି ଯାଇ ଫ୍ରେସ୍ ହେଇ ବଜାର ଯାଇ ସବୁ କିଣିଲେ ଆଉ ମନ୍ଦିରରେ ଯାଇ ଭଗବାନଙ୍କ ସାମ୍ନାରେ ବାହା ହେଇ ପଡିଲେ । ଦୁଇ ପ୍ରେମୀ ବହୁତ ଖୁସିରେ ଥିଲେ । ଦିନ ସାରା ମୋହନ୍ କାମ କରେ, ସଂଧ୍ୟା ହେଲେ ସିଏ ଲିନାକୁ ବାହାରକୁ ବୁଲେଇବା ପାଇଁ ନେଇକି ଯାଏ । ଖୁସିରେ ଖୁସିରେ ସେମାନଙ୍କର ଦିନ ବିତୁଥାଏ । ଲିନା ପରିବାରଠାରୁ ଦୁରରେ ରହିଛି ବୋଲି କାନ୍ଦୁଥାଏ । ମୋହନ୍ କହୁଥାଏ କାନ୍ଦନି ଲିନା, ଦେଖିବ ସମୟ ଆସିଲେ ସବୁ ଠିକ୍ ହେଇଯିବ । ଲିନା କହୁଥାଏ ହେଲେ ମୁଁ ଯେତିକି ଜାଣିଛି ମୋ ପରିବାର ଲୋକେ କେବେ ବି ତୁମକୁ ଗ୍ରହଣ କରିପାରିବେନି । ମୋହନ କହିଲା ଲିନା ସେସବୁ ସମୟ କହିବ, ତେଣୁ ବ୍ୟସ୍ତ ହୁଅନି।
ସବୁ ଠିକ୍ ଚାଲିଥିଲା । ସେମାନଙ୍କର ବୈବାହିକ ଜୀବନ ଖୁସିରେ କଟୁଥିଲା।ହେଲେ କରୋନା ମହାମାରୀ ଆସି ସବୁ ଓଲଟା କରିଦେଲା । ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଲା ଆଉ ଦିଲ୍ଲୀର ସ୍ଥିତି ସଂଗୀନ୍ ହେଇଗଲା । କମ୍ପାନୀ ସବୁ ବନ୍ଦ ହେଇଗଲା । ମୋହନର ବି କମ୍ପାନୀ ବନ୍ଦ ହେଇଗଲା । ଧୀରେ ଧୀରେ ସେମାନଙ୍କର ସଂଚିତ ଧନ ସରିଆସୁଥିଲା । ସେତବେଳକୁ ଲିନା ଅନ୍ତସତ୍ତ୍ୱା । ଆଉ ସେମାନଙ୍କର ପାଖେ ଖାଇବା ପାଇଁ କିଛି ନଥିଲା । ଲିନାକୁ କେମିତି ଖୁଆଇବ ଭାବି ସରକାରଙ୍କ ସହଯୋଗରେ ସେମାନେ ଓଡ଼ିଶା ଆସିଲେ । ଆଉ ଭାବିଲେ ଛୁଆ ଥିବା କଥା ଜାଣି ତାଙ୍କ ଦୁଇ ଜଣଙ୍କୁ ଗ୍ରହଣ କରିନେବେ । ହେଲେ ସେମାନେ ଆସି ଝିଅକୁ କ୍ୱାରିଣ୍ଟିନ୍ ସେଣ୍ଟରରୁ ଝିଅକୁ ଉଠେଇ ନେଇଗଲେ । ମୋହନ୍ ତାକୁ ଯେତେ ଖୋଜିଲା ଆଉ ପାଇଲାନି । କିଛି ଦିନ ପରେ ଶୁଣିବାକୁ ପାଇଲା ଲିନା ଆଉ ଏ ଦୁନିଆରେ ନାହିଁ । ସିଏ ଏସବୁ ଶୁଣି ମାନସିକ ଭାରସାମ୍ୟ ହରେଇବସିଲା ଆଉ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିବା ଆମ୍ବ ଗଛରେ ଦଉଡି ଦେଇ ମରିଗଲା । ନିଜର ଏକ ମାତ୍ର ପୁଅ ମରିବାର ଖବର ଶୁଣି କୀଟନାଶକ ଖାଇ ମୋହନର ବାପା ମାଆ ଆଖିବୁଜିଲେ । ଚାରି ଚାରିଟା ଜୀବନ ସହ ଲିନାର ପେଟରେ ବଢୁଥିବା ସେ କଅଁଳା ଶିଶୁ ବି ଦୁନିଆରୁ ବିଦାୟ ନେଲା । ଲିନାକୁ ତା' ବାପା, ଭାଇ ହିଁ ରାଗରେ ମାରିଦେଲେ ।
ଏତେ ସବୁ ହେଲାପରେ ବି ଲିନାର ପରିବାରକୁ କିଛି ଦଣ୍ଡ ଏଯାଏଁ ମିଳିନି । ପ୍ରେମୀଯୁଗଳଙ୍କୁ ଜାତି ପାଇଁ ହତ୍ୟା କରିଦିଆଗଲା । ବିଚରା ସେ ନିଷ୍ପାପ ଶିଶୁର ଅବା କ'ଣ ଦୋଷ ଥିଲା? ଏଇ ମଣିଷର ମାନସିକତା କେବେ ବଦଳିବ କେଜାଣି? ପ୍ରେମକୁ ବିଫଳ କରେଇ ଅନେକ ଖୁସିଥିଲେ ନରହନ୍ତା ରାକ୍ଷସମାନେ ହେଲେ ସିଏ ଭୁଲି ଯାଉଥିଲେ ଯେ ସେମାନଙ୍କର ଲିନା ଆଉ କେବେହେଲେ ସେମାନଙ୍କର ଜୀବନକୁ ଫେରିବନି । ଜାତି, ଧର୍ମର ଭେଦ ତା' ପୁଣି ଏକବିଂଶ ଶତାବ୍ଦୀରେ, ନିହାତି ଲଜ୍ଜାଜନକ ବିଷୟ । ପ୍ରେମ ପାପ ନୁହେଁ, ପ୍ରେମ ପବିତ୍ର ନଈର ସେ ମଧୁର ନାଆଁ । ସେ ନାଆଁର ମଧୁରତାକୁ ନଷ୍ଟ ନକରି ବରଂ ପ୍ରେମରେ ପ୍ରେମୀ ଯୁଗଳଙ୍କୁ ମୁକ୍ତ ବିହଙ୍ଗ ଭାବେ ଉଡିବାର ଅଧିକାର ଦିଆଯିବା କଥା ଯଦି ସେମାନେ ପ୍ରାପ୍ତ ବୟସ୍କରେ ଉପନୀତ ।
ସଂପର୍କରେ ସବୁଠାରୁ ବଡ ଜିନିଷ ହେଲା ବିଶ୍ୱାସ ଆଉ ଖୁସି । ଯଦି ଜଣେ ନିଜ ପସନ୍ଦରେ ଖୁସିରେ ବଞ୍ଚିବା ପାଇଁ ଚାହୁଁଛି ତେବେ ସେମାନଙ୍କର ଅଧିକାର ତାଙ୍କୁ ଅବଶ୍ୟ ମିଳିବା ଉଚିତ୍ ।