ଅଣୁ ଗଳ୍ପ- ବର୍ଣ୍ଣବୋଧ
ଅଣୁ ଗଳ୍ପ- ବର୍ଣ୍ଣବୋଧ


-ଏକ-
ଗରିବ ତଥା ଅସହାୟ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ସହ ବର୍ଣ୍ଣବୋଧ ବହି ବଣ୍ଟନ କରିବା ଉଦ୍ଦେଶ୍ୟ ନେଇ ବସଷ୍ଟାଣ୍ଡ ପାଖ ବହି ଦୋକାନୀକୁ ଯାଇ ପଚାରିଲି- "ବର୍ଣ୍ଣବୋଧ ବହି ମିଳିବ?"
-କେତେ ଖଣ୍ଡ ଦର୍କାର...?
-"ଶହେ ଖଣ୍ଡ ଦରକାର ଅଛି ।ମିଳିବ କି ନାହିଁ..." ମୁଁ ଅଥୟ ହୋଇ ଦୋକାନୀକୁ ପଚାରିଲି ।
ଦୋକାନୀ ମୋ ମୁହଁକୁ ବଲବଲ ହୋଇ ଅନାଇଲା, ସତେ ଯେମିତି ମୁଁ କାହାକୁ ଖୁନ୍ କରି ଦେଇ ଫେରାର ହୋଇ ଯାଇଛି । ଏକ ଅବିଶ୍ବାସ ଭାବଭରା ଆଖିରେ ମୋତେ ଚାହିଁ କହିଲା- "ହଇହୋ ବାବୁ...ଏତେ ବର୍ଣ୍ଣବୋଧ ବହି ନେଇ ତୁମେ କରିବ କଣ? କାହିଁ ତୁମେ କୋଶଳୀ ଭାଷା ଆନ୍ଦୋଳନ ସହ ଜଡିତ ନୁହେଁ ତ! କଉଠି ବର୍ଣ୍ଣବୋଧ ପୋଡି ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବ ନାହିଁ ତ..?"
-"ଆରେ ନାହିଁ ମ ! ନିଜ ମା' କୁ କିଏ କଣ କେବେ ପୋଡି ପାରେ ? ଏ ଓଡିଆ ଭାଷା ମୋର ମାଆ ପରା । ଯିଏ ଯାହା କହିଲେ କଣ ମୁଁ ମୋର ମାଆର ଅପମାନ ସହି ପାରିବି? ଆମ ମାତୃଭାଷାର ସୁରକ୍ଷା ପାଇଁ ଆମକୁ କିଛି କରିବାକୁ ପଡିବ ନା । ତେଣୁ ଏହି ବର୍ଣ୍ଣବୋଧ ବହିକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟିବି । ଆମ ଭାଷାର ପ୍ରଚାର,ପ୍ରସାର ପାଇଁ ସେମାନଙ୍କୁ ଜାଗ୍ରତ କରିବାକୁ ପଡିବ ।"
ମୋ କଥା ଶୁଣି ଦୋକାନୀ ଶହେ ଖଣ୍ଡ ବର୍ଣ୍ଣବୋଧର ପ୍ୟାକେଟଟିଏ ଧରାଇ ଦେବା ପରେ ଆଉ ଦଶ ଖଣ୍ଡ ବର୍ଣ୍ଣବୋଧ ବଢାଇ ଦେଉ ଦେଉ କହିଲା- "ହୁଏତ ଗରିବ ପୁଅଟେ ନିଜ ମା'କୁ ନୂଆ ଶାଢୀ ଖଣ୍ଡେ ଦେଇ ନ ପାରେ,କିନ୍ତୁ ମା'ର ଚିରାଫଟା ଶାଢୀକୁ ତ ମରାମତି କରି ଦେଇ ପାରିବ । ମୋ ତରଫରୁ ଏଇ ଦଶ ଖଣ୍ଡ ବର୍ଣ୍ଣବୋଧ ବହିକୁ କୁନି କୁନି ପିଲାମାନଙ୍କୁ ବାଣ୍ଟି ଦେବେ ।"
-ଦୁଇ-
ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ପ୍ରକାଶିତ ହେବାକୁ ଥିବା ବାର୍ଷିକ ମୁଖପତ୍ରର ସମ୍ପାଦନା ଦାୟିତ୍ୱ ପଡିଥିଲା ସଂସଦର ଯୁବ କବି ପ୍ରବେଶ ଉପରେ । ପତ୍ରିକାଟିକୁ ସରସ ସୁନ୍ଦର କରିବା ସହ ଏହାର ବର୍ଣ୍ଣ ଶୁଦ୍ଧି ନିମନ୍ତେ ବର୍ଣ୍ଣବୋଧ ବହି ଟିଏ ଯେ ଏକାନ୍ତ ଆବଶ୍ୟକ, ସେକଥା ସେ ବେଶ୍ ବୁଝି ସାରିଥିଲା । ତେଣୁ ବର୍ଣ୍ଣବୋଧ ବହିଟିଏ ପାଇଁ ଅଗତ୍ୟା ତାକୁ ଯିବାକୁ ପଡିଲା ଜିଲ୍ଲା ସଦର ମହକୁମା ପାଖ ବହି ଦୋକାନକୁ ।
- "ବର୍ଣ୍ଣବୋଧ ବହିଟିଏ ଦେଲେ"- ଦୋକାନୀକୁ କହିଲା ପ୍ରବେଶ ।
ଦୋକାନୀ ଆଖି ଢିମା ଢିମା କରି କହିଲା- "ସେ ବହି ଆଉ ମାର୍କେଟକୁ ଆସୁ ନାହିଁ ବାବୁ । ଯାହା ଥିଲା, ସବୁ ଷ୍ଟକ ଶେଷ ହୋଇ ଯାଇଛି ।"
- "କଣ ହେଲା? ବର୍ଣ୍ଣବୋଧ ବହି ଆଉ ମାର୍କେଟକୁ ଆସୁ ନାହିଁ ?" ଆଶ୍ଚର୍ଯ୍ୟ ହୋଇ ଦୋକାନୀକୁ ଚାହିଁଲା ସେ । ଦୋକାନୀ ହସି ହସି କହି ଉଠିଲା- "ଆପଣ ପେପର ପଢୁ ନାହାନ୍ତି କି ବାବୁ! ଗତକାଲି ପରା ଦଳେ ଲୋକ ଆସି ମୋ ଦୋକାନରୁ ଶହେ କି ଦେଢ ଶହ ବର୍ଣ୍ଣବୋଧ ନେଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପୋଡି ପକାଇ କଣ ସବୁ ସରକାର ବିରୋଧୀ ନାରା ଦେଉ ଥିଲେ । ସେଇଠୁ ପୋଲିସ ଆସି ଏ ମାର୍କେଟରେ ଯେତେ ବର୍ଣ୍ଣବୋଧ ଥିଲା, ସବୁ ଜବତ କରି ନେଇଗଲେ । ଆଉ ବର୍ଣ୍ଣବୋଧ ବିକ୍ରି ନକରିବାକୁ ଚେତାବନୀ ମଧ୍ୟ ଦେଇଗଲା ।"
-"ତାହା ହେଲେ ମୋତେ ସେଥିରୁ ଖଣ୍ଡେ ମିଳିବ ନାହିଁ "। ହତାଶ ହୋଇ କହିଲା ପ୍ରବେଶ ।
ଦୋକାନୀ ପ୍ରବେଶର କାନ ପାଖରେ ଫିସଫିସ ହୋଇ କହିଲା- "ମିଳିବ ବାବୁ,ମିଳିବ । ପୋଲିସ ଆଖିରୁ ଲୁଚେଇ କରି ମୁଁ ଏଇ ଖଣ୍ଡିଏ ମାତ୍ର ବର୍ଣ୍ଣବୋଧ ରଖିଛି । ତୁମେ ଚାହିଁଲେ ଏହାକୁ ନେଇ ଯାଇପାର । ମାତ୍ର ଏଥିପାଇଁ ଆପଣଙ୍କୁ ଦାମ ଟିକିଏ ଅଧିକା ଦେବାକୁ ପଡିବ ।
-"କେତେ ଟଙ୍କା?"
-"ମାତ୍ର ଏକ ଶହ ଟଙ୍କା"- ଦାନ୍ତ ନେଫେଡି ଦୋକାନୀ ଉତ୍ତର ଦେଉଥିଲା ।