The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dharitri Mallick

Classics

5.0  

Dharitri Mallick

Classics

ଅଙ୍ଗେ ନିଭା ବର୍ଷାର ଅନୁଭୁତି

ଅଙ୍ଗେ ନିଭା ବର୍ଷାର ଅନୁଭୁତି

3 mins
706


ଅଙ୍ଗେ ନିଭା ବର୍ଷାର ଅନୁଭୁତି


ବହୁତ କିଛି ମନେ ପଡ଼େ ଏହି ବର୍ଷା କୁ ଦେଖିଲେ । ଥରେ ଏମିତି ବହୁତ ଜୋରରେ ବର୍ଷା ହେଉଥିଲା ଆଉ ତା ସାଙ୍ଗକୁ ଛାତି ଥରେଇ ଦେବା ଭଳି ଘଡ଼ଘଡ଼ି ସାଙ୍ଗକୁ ବିଜୁଳି ମାରୁଥାଏ । ଚାରିଆଡ଼େ ଅନ୍ଧକାର, ଖାଲି ବର୍ଷା ପାଣିର ସୁଅ ଆଉ ସଁ ସଁ ବେଗରେ ପବନ ବହୁଥାଏ । ସେତେବେଳକୁ ସମୟ ଆସି ସଂଧ୍ୟା ୬ଟା ହୋଇଥାଏ । ଅଫିସ ୫ଟା ବେଳୁ ଛୁଟି ହୋଇ ସାରିଥାଏ । ଏମିତିକା ବର୍ଷା ଘଡ଼ଘଡ଼ି ଆଉ ଚଡଚଡ଼ି ବୋଧେ ମୁଁ ଆଗରୁ କେବେ ଦେଖି ନ ଥିଲି । ସବୁ ସହ କର୍ମଚାରୀ ମାନେ ଅଫିସରେ  ହିଁ ଅପେକ୍ଷା କରି ରହିଲେ ବର୍ଷା ଛାଡିଲେ ଘରକୁ ଯିବେ ବୋଲି । ହେଲେ ମୁଁ ଆଉ ଅଧିକ ସମୟ ଅପେକ୍ଷା କରି ପାରିଲିନି । ଭାବିଲି ବେଶୀ ସମୟ ଅପେକ୍ଷା କରିଲେ ରାତି ହୋଇଯିବ । ତେଣୁ ତରବର ହୋଇ ସଂଧ୍ୟା ୬ଟା ରେ ସ୍କୁଟି ନେଇ ଚାଲି ଆସିଲି ।


ଅଫିସ ଖଣ୍ଡଗିରିରେ ଥାଏ ଆଉ ସେଠୁ ଆମ ଘର ଆଠ କିଲୋମିଟର । ଅଫିସରୁ ଚାଲି ଆସିଲି ସତ ହେଲେ ଅଳ୍ପ କିଛି ବାଟରେ ଏମିତି ମୁଷଳ ଧାରାରେ ବର୍ଷା ହେଲା ଯେ ମୋତେ ଆଉ କିଛି ରାସ୍ତା ଦେଖା ଯାଉ ନ ଥାଏ । ବଡ଼ ବଡ଼ ବର୍ଷା ଟୋପା ଆଖିରେ ମାଡ଼ ହେଉଥାଏ,, କୁଆପଥର ମଧ୍ୟ ମାଡ଼ ହେଉଥାଏ । ରାସ୍ତାରେ ଖାଲି ଧଳା ଧଳା କୁଆପଥର ସବୁ ବୁଣି ବିଛାଡ଼ି ପଡ଼ିଥାଏ । ଆଖିରେ ଏତେ ଜୋରରେ ବର୍ଷା ମାଡ଼ ହେଉଥାଏ ଯେ ଆଖିକୁ ଆଉ କିଛି ଦିଶୁ ନ ଥାଏ । ଆଖି ଫୁଲି ଯାଇ ନାଲି ପଡ଼ି ଯାଇଥାଏ । ରେନିକୋଟ ପିନ୍ଧିଥିଲେ ମଧ୍ୟ କୌଣସି କାମ ଦେଲା ନାହିଁ ଏପରି ବର୍ଷାର ତାଣ୍ଡବ ନୃତ୍ୟ ଦେଖି ମନରେ ଅହେତୁକ ଭୟ ହେଉଥିଲା । ବର୍ଷା ରେ ସମ୍ପୂର୍ଣ୍ଣ ମୁଁ ଭିଜି ଯାଇଥାଏ । ଏତେ ବେଗରେ ପବନ ବହୁଥିଲା ଯେ ଲାଗୁଥିଲା ଯେମିତି ମୋତେ ସ୍କୁଟି ଗାଡ଼ି ସହିତ ନେଇ କୁଆଡ଼େ ପିଟି ଦେବ । ଗାଡ଼ି ଯମାରୁ ଚଲେଇ ପାରୁ ନ ଥାଏ । ଗାଡ଼ି ଏତେ ଜୋରରେ ଥରୁଥିଲା ଖାଲି ହାତ ମୋର ଖସି ଯାଉଥାଏ । ଯୋରରେ ଗାଡ଼ିର ହ୍ୟାଣ୍ଡେଲକୁ ପାରୁ ପର୍ଯ୍ୟନ୍ତ ଜାବୁଡ଼ି ଧରିଥାଏ । ତଥାପି ମୋ ଗାଡ଼ି ରାସ୍ତାରେ ଏପଟ ସେପଟ ହୋଇ ଚାଲୁଥିଲା । ଆଗ ପଟୁ ବହୁତ ବର୍ଷା ମାଡ଼ ଆଉ ପବନ ଯୋଗୁଁ ଗାଡ଼ି ମାତ୍ର ୧୦କି. ମି ସ୍ପୀଡ଼ରେ ଚଲୋଉଥାଏ । ଏମିତିକା ବର୍ଷା ହେଇଥିଲା ଯେ ରାସ୍ତା ଖାଲି ଖାଲି ଆଉ ଶୂନଶାନ ଥାଏ । କୌଣସି ଦୁଇ ଚକିଆ ଯାନ ଯାଉ ନ ଥାଏ । ଖାଲି ଯାହା ବେଳେ ବେଳେ କାର ଯାଉଥାଏ ବହୁତ ସ୍ପୀଡ଼ରେ । ସେଦିନ ସେ ଜାତୀୟ ରାଜ ପଥ ଶୂନଶାନ ହୋଇଯାଇଥାଏ । ବର୍ତମାନ ମୁଁ ସେ ରାସ୍ତାରେ ଅନ୍ଧାରରେ ଏକୁଟିଆ ଯାଉଥାଏ । ରାସ୍ତାରେ କୌଣସି ଲାଇଟ ଜଳୁ ନ ଥିଲା । ବିଦ୍ୟୁତ ସଂଯୋଗକୁ ସମ୍ପୂର୍ଣ୍ଣ କାଟି ଦିଆ ଯାଇଥିଲା । କେବଳ ବିଜୁଳି ଚଡ଼ଚଡ଼ି ର ଆଲୋକରେ ରାସ୍ତା ଯାହା ଦେଖି ହେଉଥିଲା । ସେ ଯେଉଁ ଚଡ଼ଚଡ଼ି ମାରୁଥାଏ ଆଉ ଏତେ ଜୋରରେ ଆଲୋକ ପୁଞ୍ଜ ସୃଷ୍ଟି ହେଉଥିଲା ଯେମିତି ଲାଗୁଥିଲା ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ଚାରି ଆଡ଼େ ବିଛାଡ଼ି ହୋଇ ଯାଉଛି ।


ସେଭଳିଆ ସମୟରେ ମୁଁ ଏତେ ମାତ୍ରାରେ ଭୟଭୀତ ହୋଇଗଲି ଯେ ଜାଣିଲି ଆଜି ଏହି କ୍ଷଣି ଏହି ବିଜୁଳି ଚଡ଼ଚଡ଼ିରେ ମୋର ମୃତ୍ୟୁ ସୁନିଶ୍ଚିତ । ଆଖିରୁ ବି ଜ୍ୟୋତି ଲିଭେଇଦେବା ଭଳି ବିଜୁଳି ମାରୁଥାଏ । ଚଡଚଡ଼ିର ବିକଟାଳ ଶବ୍ଦ କାନ ଫଟେଇ ଦେଉଥାଏ ଆଉ ସେ ଦୃଶ୍ୟ ଛାତି ଚିରିଦେଉଥାଏ ।


ଖାଲି ଭଗବାନଙ୍କୁ ଡାକି ଚାଲିଥାଏ । ଏହି ସମୟରେ ଏତେ ଜୋରରେ ବିଜୁଳି ମାରିଲା ଯେ ମୋର ବାମ ହାତ ଦେଇ ଆତିକ୍ରମ କରିଗଲା ଆଉ ସଙ୍ଗେ ସଙ୍ଗେ ମୋ ହାତ ସ୍କୁଟିରୁ ଖସିଗଲା ଆଉ ରାସ୍ତାରେ ନିଆଁ ହୁଳ ସବୁ ଛିଟିକି ପଡ଼ି ବିଛାଡ଼ି ହୋଇ ପଡ଼ୁଥାଏ । କିନ୍ତୁ ମୁଁ ତଳେ ପଡ଼ିଯାଇ ନ ଥିଲି ।  ସେତେବେଳେ ପ୍ରକୃତି କଣ କରିପାରେ ଆଉ ତାର ଶକ୍ତି କେତେ ଯେ ପ୍ରବଳ ତାହା ଅନୁଭବ କରି ହେଉଥିଲା ପ୍ରତ୍ୟେକ ମୁହୂର୍ତ୍ତରେ । ଏକ ଘଣ୍ଟାର ପ୍ରବଳ ବର୍ଷାରେ ସହରର ଆଉ ଏହାର ରାଜରାସ୍ତା ବନ୍ୟା ଭଳି ଜଳମଗ୍ନ ।


ମଣିଷ ଆଜି ଅଳ୍ପ କିଛି ଜିନିଷ ଉଦ୍ଭାବନ କରି , ଚନ୍ଦ୍ରକୁ ଯାଇ ଭାବୁଛି ସେ ସବୁ କିଛି କରିପାରିବ ଆଉ ସବୁଠାରୁ ଶକ୍ତିଶାଳୀ ପ୍ରାଣୀ ହେଲେ ପ୍ରକୃତି ଆଗରେ ମଣିଷର କୌଣସି ଅସ୍ତିତ୍ବ ରାହେନି । ଏ କଥାକୁ ମାନବ ସମାଜ ଯେତେ ଶୀଘ୍ର ହୃଦବୋଧ କରିବ ସେତେ ଭଲ ଆଉ ମଙ୍ଗଳ ହେବ ।


ଏମିତି ଭଗବାନଙ୍କୁ ଡାକି ଡାକି ବରମୁଣ୍ଡା ଓଭରବ୍ରିଜ ତଳେ ରହିଲି । ସେଠି ଅନେକ ଲୋକ ନିଜ ନିଜର ଗାଡ଼ି ଧରି ଆଗରୁ ଛିଡ଼ା ହୋଇଛନ୍ତି । ଗାଈ ଗୋରୁ, କୁକୁର ସବୁ ସେଇଠି ଆଶ୍ରୟ ନେଇଛନ୍ତି । ବସ, କାର, ସାଇକେଲ, ଅଟୋ ଆଦି ଅପେକ୍ଷା କରିଛନ୍ତି ବର୍ଷାର ଏ ତାଣ୍ଡବଲୀଳା କମିଯିବାକୁ । ଯେତେବେଳେ ବହୁତ ପ୍ରକୋପ ବଢୁଥାଏ ସେଠି କେତେ ଲୋକମାନେ ଜଣା ଅଜଣା ସବୁ ମିଶି ହରିବୋଲ ହରିବୋଲ ଡାକୁଥାନ୍ତି । ମୁଁ ଘରକୁ ବି ଫୋନ କରି ପାରୁନଥାଏ । ସବୁ ସୁଇଚ ଅଫ ଥାଏ । ଯାହା ହେଉ ଦୁଇ ଘଣ୍ଟା ପରେ ବର୍ଷାର ପ୍ରକୋପ କମିବା ମାତ୍ରେ ସେଠୁ ସଙ୍ଗେ ସଙ୍ଗେ ଘରକୁ ପଳେଇ ଆସିଲି । ଘରେ ପହଁଚିଲା ବେଳକୁ ରାତି ୯ଟା । ସୁରକ୍ଷିତ ଭାବେ ଘରକୁ ଫେରି ଆସିବା ଦେଖି ପରିବାର ଲୋକେ ବହୁତ ଖୁସି ହୋଇଗଲେ । ଆଉ ଭଗବାନ ହିଁ ସେଇ ବିପଦ ସମୟରେ ମୋ ପାଖେ ପାଖେ ସତେ ଯେମିତି ଥିଲେ ଏବଂ ମୋତେ ସୁରକ୍ଷିତ ଘରକୁ ଫେରେଇ ଆଣିଲେ ।

ଏମିତିକା ଏକ ବର୍ଷା ରାତିର କିଛି ଘଣ୍ଟାର ଅନୁଭୁତି ଭଗବାନଙ୍କ ଉପରେ ଆସ୍ଥା ବିଶ୍ୱାସ ଅଧିକ ବଢ଼େଇ ଦିଏ ।।

       


Rate this content
Log in

More oriya story from Dharitri Mallick

Similar oriya story from Classics