ଯିବାର ଅନୁମତି ଦିଅ
ଯିବାର ଅନୁମତି ଦିଅ


ଏବେ ବହୁତ ସମୟ ନଷ୍ଟ ହୋଇଗଲାଣି । ଆଉ କିଛି ସମ୍ଭାଳି ପାରିବିନି ।
" ଭୁମି" - ତୁମେ ତ ମୋତେ କେବେଠାରୁ ଭୁଲିଯାଇଥିଲ ତୁମ ଭୁମିକୁ । କୌଣସି କାରଣ ନ ଜଣେଇ ଅଦୃଶ୍ୟ ହୋଇଯାଇଥିଲ । ଆଉ ଆଜି ହଠାତ ୧୫ ବର୍ଷ ପରେ ତୁମେ ଭୁମି ସାଙ୍ଗରେ କଥା ହେବାକୁ ଚାହୁଁଛ । କଣ ପାଇଁ ? କେଉଁ କାରଣ ପାଇଁ ? ଏଇ ୧୫ବର୍ଷ ଭିତରେ ଚନ୍ଦ୍ର ଆଉ କାହାର ହାତ ଧରି ବାହା ହୋଇଯାଇଛି । ଥରେ ହେଲେ ବି ଭୁମିକୁ କୌଣସି କଥା ଜଣେଇବାକୁ ଉଚିତ ମଧ୍ୟ ମନେ କରିଲନି ?
" ଭୁମି " - ଭୁମି ଚନ୍ଦ୍ରଙ୍କୁ କହୁଛି ଯେ ୟା ଭିତରେ ତୁମେ ଦୁଇଟି ଛୁଆଙ୍କର ବାପା ମଧ୍ୟ ହୋଇଯାଇଛ । ତୁମେ ତୁମର ସ୍ତ୍ରୀ, ପିଲା , ମାଆ, ଭାଇ ଭାଉଜଙ୍କ ସହ ଖୁସିରେ ପରିବାର ଗଢ଼ିଛ । ଚନ୍ଦ୍ରର ବାହାହେବା ଆଉ ତା'ର ଛୁଆ ପିଲା ବିଷୟରେ ଭୁମି ୧୦/୧୧ ବର୍ଷ ପରେ ଫେସବୁକରୁ ଜାଣୁଛି । ଆଉ ଚନ୍ଦ୍ର ୧୫ ବର୍ଷ ପୂର୍ବେ କଣ କହିଥିଲା ଭୁମିକୁ ?
" ଭୁମି" - ଚନ୍ଦ୍ର ତୁମେ କହିଥିଲ ନା , ଭୁମି ଯାହା କିଛି ବି ହେଇଯାଉ ମୁଁ କେବେ ତୁମ ହାତ ଛାଡିବିନି । ହେଲେ ଭୁମି ସେ କଥାକୁ ମାନି ନେଇ ଥିଲା ବିନା ଦ୍ବିଧାରେ ବିନା କୌଣସି ପ୍ରତିଜ୍ଞାରେ । ହେଲେ ତୁମେ ଚନ୍ଦ୍ର କଣ କରିଲ ତୁମ ଭୁମି ସହ ?
ଭୁମି ତ ସବୁବେଳେ ତୁମର ମଙ୍ଗଳ ହିଁ ଚାହିଁଥିଲା ଆଉ ଏବେ ବି ଚାହୁଁଛି ମଧ୍ୟ । ଭୁମି ନିଜ ମନ ଭିତରେ ବାରମ୍ବାର କହୁଛି ଚନ୍ଦ୍ର ତୁମେ ମୋ ସହିତ କଣ ପାଇଁ ଛଳନା କରିଥିଲ ? କାହିଁକି ବିଶ୍ୱାସଘାତ କରିଥିଲ ? କେଉଁ କାରଣରୁ ହଠାତ ମୋ ସହିତ ସମସ୍ତ ଯୋଗାଯୋଗ ଚ୍ଛିର୍ଣ୍ଣ କରି ଚୁପଚାପ ଆଉ କାହାକୁ ବହା ହୋଇଗଲ ? କୌଣସି କଥା କି କାରଣ ମଧ୍ୟ ଜଣାଇଲ ନାହିଁ ?
ଭୁମି କୁ ୧୨ /୧୩ ବର୍ଷ ଅନ୍ଧାର ଘାଇକୁ ଠେଲି ଦେଇ ନିଜେ ହସ ଖୁସିର ଘର ସଂସାର କରିଲ । ଥରେ ହେଲେବି ପଚାରିଲନି କି ଭୁମି କେମିତି ବଞ୍ଚିଛ ? କଣ କରୁଛ ? ଥରେ ବି ଦେଖିବାକୁ ଚେଷ୍ଟା କରିଲନି ଯେ ତୁମ ଭୁମି କେମିତି ଅଛି ?
ଭୁମି ଝିଅ ହୋଇ ସାରା ଜୀବନ ଏକା ଏକା ବଂଚିଲା । ବିଭିନ୍ନ ଅସମାହିତ, ସଂଶୟ, ଦ୍ଵନ୍ଦ ଭିତରେ । ତଥାପି ସେ ଆଉ କାହାକୁ ବି ତା ଜୀବନରେ ସ୍ଥାନ ଦେଲା ନାହିଁ। ସେ ଆଉ କୌଣସି ଲୋକକୁ ବିଶ୍ୱାସ ହିଁ କରି ପାରିଲା ନାହିଁ । ବିଭିନ୍ନ ଘାତ ପ୍ରତିଘାତ ବିରୋଧ ପରିବେଶରେ ଏକା ଏକା ବଞ୍ଚିବାର ଦୃଢ଼ ସଂକଳ୍ପ କରି ଦେଇଥିଲା । ଯିଏ କି ତାକୁ ବାହାଘର ବିଷୟରେ କହୁଥିଲା ଭୂମି ତାକୁ ପ୍ରବଳ ବିରକ୍ତ ହୋଇଯାଏ । ଭୂମି କାହାକୁ ବି ତା ଲାଇଫ ରେ କୌଣସି ହସ୍ତକ୍ଷେପ କରିବାକୁ ଦିଏ ନା ।
ଚନ୍ଦ୍ର ଯିଏ କହୁଥିଲେ "ମୋତେ ବହୁତ ପ୍ରତିବନ୍ଧକ ଅଛି, ମୁଁ କେବେ କାହାକୁ ବାହା ହୋଇ ପାରିବିନି, ମୋର Heart Surgery ହୋଇଛି,"। ଆହୁରି କିଛି ସମସ୍ୟା ଅଛି । ଆହୁରି କେତେ କଣ ବାହାନା ବାଜି ସବୁ । କେବେ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଲେନି । ତା ହେଲେ ଏବେ କିଏ ବାହା ହୋଇ ୧୫ବର୍ଷର ଘର ସଂସାର କରି ଦୁଇଟି ଛୁଆଙ୍କର ବାପା ସାଜିଛି ବୋଲି ଭୂମି ମନ ଭିତରେ ପ୍ରଶ୍ନ ? ଃ
କେତେ ମିଛ, କେତେ ବଡ଼ ଠକ, କେତେ ବଡ଼ ପ୍ରତାରକ ତୁମେ ? ଭୁମି ଚନ୍ଦ୍ରଙ୍କୁ ସବୁ କଥା ଜଣେଇଥିଲା ଯେ ମୋର ତୁମ ପ୍ରତି କେତେ ଭଲ ପାଇବା ଅଛି ତା ମଧ୍ୟ ଚନ୍ଦ୍ରଙ୍କୁ ଜଣା ଥିଲା, କାହିଁ ଭୁମି ତ କେବେ କିଛି ତୁମ ପାଖେ କୌଣସି କଥା ଲୁଚେଇନି ତା ହେଲେ ଚନ୍ଦ୍ର ତୁମେ ମୋ ସହିତ ଅତି ଭଦ୍ର ଲୋକ ଭଳି ଏତେ ଆତ୍ମୀୟ ସମ୍ପର୍କ ରଖିଥିଲ କାହିଁକି ? ହଁ ତୁମେ ସିନା ତୁମର ଭଲ ପାଇବାକୁ ଶବ୍ଦରେ ପ୍ରକାଶ କରିନ, ହେଲେ ମୋ ଭଲ ପାଇବା ବିଷୟରେ ତ ତୁମେ ସମ୍ପୂର୍ଣ୍ଣ ଜ୍ଞାତ ଥିଲ । ସାଙ୍ଗ ବି ଯଦି ଭାବିଥାନ୍ତ ତା ହେଲେ ବି ମୋତେ ସଫା ସଫା ପରିଷ୍କାର ଭାବରେ ସତ କହି ପାରିଥାନ୍ତ । ଯଦି ମୁଁ ତୁମକୁ ଭଲ ଲାଗୁ ନ ଥିଲି ,, କିମ୍ବା ମୋ ଭଲ ପାଇବା ବି ସ୍ୱୀକାର ନ ଥିଲା, କିମ୍ବା ମୋ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲ ତା ହେଲେ ମୋ ସହିତ କାହିଁକି ସମ୍ପର୍କ ରଖିଥିଲ ? ଏତେ ସମୟ ଆମେ ହୃଦୟର ସମ୍ପର୍କରେ ଥିଲେ । ତୁମେ ବି ଜାଣ ମୁଁ ସବୁବେଳେ ସତ କହେ ଆଉ ସତ ହିଁ ଶୁଣିବାକୁ ପସନ୍ଦ କରେ , ସେଇଟା ଯେତେ କଷ୍ଟ ଦାୟକ ହେଉ ପଛେ । ହେଲେ କିଛି ନ କହି ନ ଜଣେଇ ହଠାତ ମୋ ଜୀବନରୁ ଗାୟବ ହୋଇଗଲ ତୁମେ । ମୋତେ କେତେ ଦୁଃଖ, କଷ୍ଟ, ଯନ୍ତ୍ରଣା ନ ଦେଲ, କେତେ ଆଘାତ ନ ଦେଲ ଚନ୍ଦ୍ର ? ତୁମେ ତ କହୁଥିଲ ଚନ୍ଦ୍ର ମୁଁ ବହୁତ ହିଁ ଭଲ , ମୋ ହୃଦୟ ପରିଷ୍କାର, ମୋ ହସ ତୁମକୁ ବହୁତ ହିଁ ଭଲ ଲାଗେ, କହୁଥିଲ ନା ଚନ୍ଦ୍ର ତୁମେ ସବୁବେଳେ ଏମିତି ମୁଁ ହସୁଥାଏ । ତା ହେଲେ ଚନ୍ଦ୍ର କଣ ତୁମେ ମୋତେ ମୋର ଭଲ ଗୁଣ, ବିଶ୍ୱାସ, ଶାଶ୍ୱତ ଭଲ ପାଇବା ପାଇଁ ,ସଚ୍ଚୋଟତା ପାଇଁ ଏମିତି ନିର୍ବାସନ ଦଣ୍ଡ ଦେଲ ??
ଆଉ ଆଜି ହାଠାତ ୧୨ବର୍ଷ ପରେ କହୁଛ ତୁମେ ମୋ ସହିତ କଥା ହେବାକୁ ଚାହୁଁଛ । ସପ୍ତାଶ୍ଚର୍ଯ୍ୟ ଲାଗୁଛି । ମୁଁ ତୁମକୁ ଆଭୟେଡ଼ ମଧ୍ୟ କରି ପଳେଇ ଆସିଥିଲି । ମୋତେ କଥା ହେବାକୁ ଇଚ୍ଛା ଥିଲେ ମଧ୍ୟ ମୋତେ ତୁମର ସବୁ ଛଳନା, ଠକାମୀ, ମିଛୁଆ କଥା ମନେ ପଡ଼ିଗଲା । ଯିଏ ମୋ ଭଲ ପାଇବା ବଦଳରେ ମୋତେ ଏତେ ଅଣଦେଖା, ଅପମାନ କରିପାରେ, ଛଳନା କରି ପାରେ ସେପରି ବ୍ୟକ୍ତି ସହିତ ମୋର କୌଣସି ସମ୍ପର୍କ ନ ରହିବା ହିଁ ଭଲ । ମୁଁ ତ କଥା ହେଲିନି , ପୁଣି ଆଉ ଗୋଟେ ଦିନ ପଛରୁ ଡାକିଲ, ତଥାପି ମୁଁ ତୁମକୁ ଦେଖିକି ବି ପଳେଇ ଆସିଲି । ଆଉ ସେଦିନ ସେଇ ଛକରେ ଟ୍ରାଫିକ ପାଖରେ ତୁମେ ବାଇକ ନେଇ ଆସିକି ଏତେ ବଡ଼ ପାଟିରେ ମୋ ନାଁ ଧରି ପଛରୁ ଡାକିଲ ଯେ ସେତେବେଳେ ମୁଁ ବି ଜାଣି ପାରିଲିନି କିଏ ଏତେ ଜୋରରେ ମୋ ନାଁ ଧରି ପଛରୁ ଡାକୁଛି ? ହେଲମେଟ ପିନ୍ଧିଥିଲି ସେଥିପାଇଁ ହାଠାତ ତୁମ ସ୍ୱର ବି ଜାଣିପାରିଲିନି । ଆଉ ମୁଁ ପଛକୁ ବୁଲି ଦେଖିଲା ବେଳକୁ ତୁମେ ମୋତେ ବ୍ୟସ୍ତ ହୋଇ ହସିକି ଡାକୁଛ । ସେଇ ଟ୍ରାଫିକ ପାଖରେ ଯେତେ ଲୋକ ଛିଡ଼ା ହୋଇଥିଲେ ସମସ୍ତେ ମୋତେ ଆଉ ତୁମକୁ ଦେଖୁଥିଲେ । ସେତେବେଳେ ମୁଁ କଣ କହିବି କଣ କରିବି ଜାଣିପାରିଲିନି ଆଉ ମୁଁ ବି ହସିଦେଲି । ତୁମେ ମୋତେ ସମସ୍ତଙ୍କ ଆଗରେ କହିଲ ତୁମେ କଥା ହେବାକୁ ଚାହୁଁଛ ଅଥଚ ମୁଁ କଥା ହେଉନି । ଏ କଥା ଶୁଣିଲା ପରେ ମୁଁ ତୁମକୁ କହିଲି ହଉ ମୁଁ ଟ୍ରାଫିକର ଆଗ ରାସ୍ତାକୁ ଯାଉଛି ତୁମେ ଆସ । ଏତିକିବେଳେ ଟ୍ରାଫିକର ଗ୍ରୀନ ସିଗ୍ନାଲ ଦେଇଦେଲା ଆଉ ମୁଁ ଆଗକୁ ପଳେଇ ରାସ୍ତାର ଗୋଟେ ସାଇଡ଼ରେ ଗାଡ଼ି ରଖିକି ଛିଡାହେଲି । ତୁମକୁ ପ୍ରାୟ ୧୦ ମିନିଟ ଅପେକ୍ଷା କରିଲି, ହେଲେ ମୁଁ ଜାଣି ପାରିଲିନି ତୁମେ ଗଲ କୁଆଡ଼େ? ଏଇ ସମୟରେ ଭାବିଲି ଯାଉଛି ପଳେଇବି,,, ଦେଖିଲାବବେଳକୁ ତୁମେ ଆସି ତୁମ ବାଇକକୁ ମୋ ଗାଡ଼ି ଆଗରେ ରଖିଲ । ମୁଁ ପୁରା ଆଶ୍ଚର୍ଯ୍ୟ ଯେ ତୁମେ କେଉଁ ବାଟେ ଆସିଲ ? ମୁଁ ତ ରାସ୍ତାକୁ ଅନେଇଥିଲି ହେଲେ ଦେଖି ପାରିଲିନି ତୁମେ କେତେବେଳେ ମୋ ସମ୍ମୁଖରେ ଛିଡ଼ା ହୋଇଗଲ ?
ଚନ୍ଦ୍ର ଚାହୁଁଥିଲା ଭୁମି ସହିତ ଅଧିକ ସମୟ କଥା ହେବା ପାଇଁ ହେଲେ ଭୁମିର କିଛି କାମ ଥିଲା ଆଉ ୧୦ମିନିଟ ସମୟ ଅଛି ଯାହା କଥା ହେବାକୁ ଚାହୁଁଛ ଶୀଘ୍ର ହୁଅ । ଭୁମି ସେମିତି ରାସ୍ତାରେ ଛିଡା ହୋଇ ଅଳ୍ପ ସମୟ କଥା ହେଲା । ଚନ୍ଦ୍ର ଅଳ୍ପ ସମୟ କଥା ହେଇ ପାରିଲା ଆଉ ଦେଖିଲା ଭୁମି ବେଶୀ କିଛି କଥା ହେବାକୁ ଚାହୁଁନି । ଚନ୍ଦ୍ର ଭୂମିକୁ ମୋବାଇଲ ନମ୍ବର ମାଗିଲା ହେଲେ ଭୁମି ସଫା ସଫା ପଚାରିଲା ଫୋନ ନମ୍ବର ନେଇ କଣ କରିବ ? ଚନ୍ଦ୍ର କହୁଛନ୍ତି ଯେ ,ଦେଇଥାଅ ନମ୍ବର , ଯେବେ ମନରେ ବହୁତ ଦୁଃଖ କଷ୍ଟ ବଢ଼ି ଯାଉଛି ସେବେ ସେ କଥା ହେବେ । ଭୁମି କହିଲା ଏବେ କାହିଁକି ଆଉ ମନ ଦୁଃଖ ହେବ? ୧୫ବର୍ଷ ତ ଘର ସଂସାର କରିଛ । ପୁଣି କାହିଁକି ମନ ଦୁଃଖ ? ଆଗରୁ ଯେବେ ମୋବାଇଲ ନମ୍ବର ନେଇଥିଲ କେତେ ଥର ଭୁମିକୁ ଫୋନ କରିଥିଲ ? ଆଉ ତୁମେ ନିଜେ ତୁମର ସବୁ ଫୋନ ନମ୍ବର କାଟିଦେଇଥିଲ , କାଳେ ଭୁମି ତୁମକୁ ଫୋନ କରି ଡିଷ୍ଟର୍ବ କିଛି କରି ପାରେ ବୋଲି । ହେଲେ ଭୁମି ତୁମ ଭଳିଆ ଛଳନାକାରୀ , ସଂକୀର୍ଣ୍ଣ ଚିନ୍ତାଧାରୀ, ବଦମାସ କି ଧୋକେବାଜ ନୁହେଁ ଯେ ଯାହାକୁ ନିଜର ଜୀବନ ସମର୍ପି ଦେଉଛି ତାକୁ ହଇରାଣ କରିବ । ଚନ୍ଦ୍ର ଭୁମିର ଏପରି ଉଦାସୀନ ବ୍ୟବହାର ଦେଖି କହିଲା କଣ ଭୁମି ତୁମେ ମୋ ଉପରେ ରାଗିଛ କି? ରାଗିଛ ଯଦି ଯେତେ ଇଛା ମୋତେ ମାରିପାର । ହେଲେ ଏମିତି କଥା କୁହନି । ଭୁମି କହୁଛି, ହୁଁ ମୁଁ ପୁଣି ତୁମକୁ ମାରିବି ? ସେ ଅଧିକାର ଆଉ ମୋର ନାହିଁ । ତୁମ ଜୀବନରେ ମୋର ପରିଚୟ କଣ ?? ରାଗିବି କାହା ଉପରେ ? ଯିଏ ମୋତେ ଦୁନିଆରେ ସବୁଠୁ ପର ବୋଲି ପ୍ରମାଣିତ କରିସାରିଛି ।
ବାସ ଏତିକି କଥା ହେଇ ଭୁମି ବ୍ୟସ୍ତ ହେଲା ତା କାମରେ ଯିବା ପାଇଁ । ଆଉ ଚନ୍ଦ୍ର ଚାହୁଁ ଥିଲା କହୁଥିଲା ଆଉ ଅଳ୍ପ ସମୟ ରହିଯାଅ ଭୁମି । ହେଲେ ଭୁମିର ଡେରି ହୋଇଯିବ ବୋଲି ସେଠୁ ପଳେଇଲା ସଙ୍ଗେ ସଙ୍ଗେ । ଫୋନ ନମ୍ବର ବି ଦେଲାନି । ଭୁମି ସିନା ପଳେଇଗଲା ହେଲେ ଗାଡ଼ିର ମିରର୍ ରୁ ଦେଖୁଥାଏ ଚନ୍ଦ୍ର ସେମିତି ଛିଡ଼ା ହୋଇ ଚାହିଁଥାଏ ଭୁମିର ଯିବାକୁ । ଭୁମି ର ବି ମନ ଟିକେ ଦୁଃଖ ହେଉଥିଲା ଚନ୍ଦ୍ରର ଏପରି ଛିଡ଼ା ହେବା ଦେଖି ହେଲେ ଭୁମି ତାର କାର୍ଯ୍ୟସ୍ଥଳୀକୁ ପଳେଇଗଲା । ଦିନସାରା ସବୁ କାମ ସାରି ଭୁମି ରାତ୍ରି ଭୋଜନ କରି ଯେବେ ଶୋଇବାକୁ ଗଲା ତା ମନ ଭିତରଟା ବହୁତ କଷ୍ଟ ଲାଗୁଥିଥଲା, ତାର ହୃଦୟ ବହୁତ ଭାରି ଭାରି ଲାଗୁଥାଏ । ତା ଆଖିରେ ଖାଲି ଲୁହ । ଭୁମି ମନ ଭିତରେ କାନ୍ଦୁଥାଏ । କାହିଁକି ଚନ୍ଦ୍ର ହାଠାତ ଏତେ ବର୍ଷ ପରେ ମୋତେ ଦେଖା କରିଲେ ? କାହିଁକି ସେ କଥା ହେବାକୁ ଚାହୁଁଥିଲେ? ଚନ୍ଦ୍ରଙ୍କର କଣ ଅସୁବିଧା ହୋଇଛି? ଏମିତି ମନ ଭିତରେ ଅନେକ ପ୍ରଶ୍ନ ଆଉ ଅନେକ ପୁରୁଣା ସ୍ମୃତି ସବୁ ଜୀବନ୍ତ ହୋଇଗଲେ ।
ଭୁମି ଖାଲି ଈଶ୍ୱରଙ୍କୁ ପଚାରି ଚାଲିଥାଏ, ହେ ଈଶ୍ୱର, ହେ ଶିବଜି ତୁମର ଏ କି ଲୀଳା ? ଯଦି ମୋ ଜୀବନରେ ଚନ୍ଦ୍ର ନ ଥିଲେ ତାଙ୍କୁ ସବୁଦିନ ପାଇଁ ଦୁରେଇ ଦେଇଥିଲ ତେବେ ଏତେ ବର୍ଷ ପରେ କଣ ପାଇଁ ସେ ଦେଖା ହେଲେ ? ମୁଁ ତ ମୋର ସାରା ଜୀବନ ଏକାକୀ ବିତେଇ ଦେଲିଣି ,ଏତେ ସବୁ ପାରିବାରିକ ଝଡ଼ ଝଞ୍ଜାରେ,, ବୟସ ତ ଅଧାରୁ ଅଧିକ, ତାହେଲେ ପୁଣି କାହିଁକି ମୋ ହୃଦୟର ଯନ୍ତ୍ରଣାକୁ ଆହୁରି ବଢ଼ାଉଛ ? ନା ମୋତେ ଏକୁଟିଆ ବଞ୍ଚିବାକୁ ଦେଉଛ ନା ଚନ୍ଦ୍ରଙ୍କୁ ମୋର ଜୀବନସାଥୀ କରେଇଲ ? ନା ଅନ୍ୟ କେହି ଜଣେ ହେଲେ ବି ଯୋଗ୍ୟ ଜୀବନ ସାଥିଟିଏ ଦେଲ ?? ତାହେଲେ ଏତେ ବୟସ ବିତିଯିବା ପରେ ପୁଣି କାହିଁକି ଚନ୍ଦ୍ର ଆସିଲେ ? ତାଙ୍କ ବିନା ମୋତେ ବଂଚିବା କେତେ କଷ୍ଟକର ହୋଇଛି କଣ ପ୍ରଭୁ ତୁମକୁ ଅଜଣା ? ସେ ମୋ ଜୀବନରୁ ଗଲା ପରେ ମଧ୍ୟ ମୁଁ ଅନ୍ୟ କାହାକୁ ବି ସେଇ ସ୍ଥାନ ଦେଇ ପାରିଲିନି । ସେ ଆଜିବି ମୋ ମନ, ହୃଦୟ, ମସ୍ତିସ୍କ ଭିତରେ ସମ୍ପୂର୍ଣ୍ଣ ଜୀବନ୍ତ । ହେ ଈଶ୍ୱର ଚନ୍ଦ୍ର ଯଦି ମୋର ନୁହଁନ୍ତି ଅବା ମୁଁ ତାଙ୍କ ଜୀବନରେ ନାହିଁ ତାହେଲେ କାହିଁକି ତାଙ୍କୁ ମୋତେ ପୁଣି ଦେଖଉଛ ? କଣ ମୋ ଜୀବନରେ ଦୁଃଖ, କଷ୍ଟ, ଯନ୍ତ୍ରଣା, ନିନ୍ଦା, ଅପମାନ, ତିରସ୍କାର ର ସମୁଦ୍ର ଅଭାବ ଥିଲା ଯେ ଆଉଥରେ ଆଉ କିଛି ବାକି ଥିଲା କଷ୍ଟ ପାଇବାକୁ , ସେଥିପାଇଁ ମୋତେ ଆହୁରି ଦୁର୍ବଳ କରୁଛ ? ନା ଚନ୍ଦ୍ର ଦିନେ ଚିନ୍ତା କରିଲେ ନା ପ୍ରଭୁ ତୁମେ କେବେ ଚିନ୍ତା କରିଲ ? ମୁଁ କେମିତି ବଞ୍ଚିବି ?
ମୁଁ ଏକା ଏକା ସଂଘର୍ଷ କରି କରି ଥକି ପଡ଼ିଲିଣି । ହାଲିଆ ହୋଇଗଲିଣି । ନିଶେଷ ହେବାକୁ ବସିଛି ।ଆଉ କିଛି ବି ସହି ପାରୁନି । ମୋର ସମସ୍ତ ସହିବା ଶକ୍ତି ଆଉ ଧର୍ଯ୍ୟର ସୀମା ପାର ହୋଇଗଲାଣି ।ଆଉ କୌଣସି ଛଳନା ସହି ପାରିବିନି ଏ ବୟସରେ ।ମୋର ହୃଦୟ ମସ୍ତିଷ୍କରେ ଅସହ୍ୟ ଯନ୍ତ୍ରଣା । ଆଉ ପାରୁନି ଚନ୍ଦ୍ର । ଚନ୍ଦ୍ର ଏବେ ମୋତେ ଯିବାକୁ ଦିଅ । ଏବେ ମୋତେ ବିଦାୟ ଦିଅ ଚନ୍ଦ୍ର ...