STORYMIRROR

Sambit Srikumar

Tragedy Thriller Others

4.3  

Sambit Srikumar

Tragedy Thriller Others

ଅନ୍ଧାରୀ ଗଳିର ଝିଅ

ଅନ୍ଧାରୀ ଗଳିର ଝିଅ

3 mins
115


ସେଇ ଝିଅଟି କେଉଁଠୁ ସବୁଦିନ ଆସେ କେହି ଜାଣନ୍ତି ନାହିଁ। ସନ୍ଧ୍ୟା ନଇଁ ଗଲେ ମୁହଁ ଅନ୍ଧାର ବେଳେ ଆସେ ଆଉ ସେଇ ଅନ୍ଧାର ରାତିରେ ହିଁ ପୁଣି ଉଭାନ ହୋଇଯାଏ ରହସ୍ଯଜନକ ଭାବେ। ଦିନର ଆଲୁଅ ସେ ଦେଖିନି କେବେ ବି। ଅସୂର୍ଯ୍ୟମପଶ୍ଯା! କେହି କେହି କହନ୍ତି ସେ କାଳେ ଅନ୍ଧାରୀ ଗଳିର ରାଣୀ! ରାତିର ରଜନୀଗନ୍ଧା! କିଏ କେତେ ନାଁରେ ଡାକେ ତାକୁ। କିନ୍ତୁ ପ୍ରକୃତ ପରିଚୟ କେହି ବି ଜାଣେନା, ଏଇ ଯେମିତି ମୁଁ ଜାଣିଛି ଆମ୍ରାପାଲ୍ଲୀ ବୋଲି।

ଅନେକ ଝିଅ ଏ ପଙ୍କିଳ ଘୃଣ୍ୟ ରାସ୍ତାରେ ପାଦଥାପନ୍ତି ବିବଶତାରେ, ଚରମ ଅସହାୟତାରେ। ସେ କିନ୍ତୁ ଥିଲା ଟିକେ ନିଆରା। ନିଜର ସୌଖୀନ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ପାଇଁ ଆମ୍ରାପାଲ୍ଲୀ ଆଜି ଅନ୍ଧାରୀ ସାମ୍ରାଜ୍ଯର ଅପ୍ରତିଦ୍ୱନ୍ଦୀ ସାମ୍ରାଜ୍ଞୀ!

ସେ ବି ଦିନେ ଦେଖିଥିଲା ତାର ନହୁଲି ଆଖିରେ ମତୁଆଲି ସ୍ବପ୍ନ। ସୀମନ୍ତିନୀ ହେବାର ସ୍ୱପ୍ନ। ମାତୃତ୍ୱର ଗୌରବ ଲାଭର ସ୍ବପ୍ନ। ଏମିତି ଅନେକ କିଛି। ଯେବେ ସ୍ବପ୍ନର ମିନାର ଭାଙ୍ଗି ଧୂଳିସାତ୍ ହୋଇଯାଏ, ତେବେ ଆତ୍ମହତ୍ଯା ତ ଏକମାତ୍ର ବିକଳ୍ପ ନୂହେଁ ନା କେବେ ବି? ସଂଘର୍ଷ ନଚେତ୍ ସମର୍ପଣ ବି ହୋଇପାରେ ବିକଳ୍ପ! ସେ ବାଛି ନେଇଥିଲା ସମର୍ପଣର ପନ୍ଥା।ସହଜ ଓ ସୁବିଧାଜନକ ପନ୍ଥା ବିଳାସପୂର୍ଣ୍ଣ ଜୀବନ ଜୀଇଁବାକୁ।

ପ୍ରତିଟି ରାତ୍ରୀରେ ସେ ସଜଉଥିଲା ନିଜକୁ ବଧୁବେଶରେ। ଆନ ପାଶରେ ସମର୍ପିତ କରିଦେଉଥିଲା ଅଲୋଡା ଅଥଚ ଦୁର୍ମୂଲ୍ଯ ତନୁକୁ। ମନ ତ ଆଗରୁ ଦେଇବସିଥିଲା ତାର ପ୍ରେମିକ ପ୍ରବର ସଞ୍ଜୟକୁ। ଆଉ କୋଉ ଅଛି ଯେ ନିଜ ପାଖରେ ପୁଣି ଦେବା ପାଇଁ କାହାରିକୁ?

ସେଇ ସଞ୍ଜୟ ପାଇଁ ହିଁ ଦିନେ ସମସ୍ତଙ୍କୁ ପର କରିଦେଇ ଘର ଛାଡି ଚାଲିଆସିଥିଲା ଆମ୍ରାପାଲ୍ଲୀ। ବାପ ଭାଇଙ୍କ ମୁହଁରେ ବଦନାମର ଚୁନକାଳି ବୋଳିଦେଇ। ସଞ୍ଜୟକୁ ଚିହ୍ନିବାରେ ଯେଉଁ ଭୁଲ୍ କରିଥିଲା ସେ, ତାର ପ୍ରତିଫଳ ଭୋଗୁଛି ଆଜି। କିନ୍ତୁ ସେ ହାରିନି ଜୀବନ ଠାରୁ କି ଦୁନିଆ ଠାରୁ। ଯାହା ସେ ବିଶ୍ୱାସ କରିବା ଭୁଲିଯାଇଛି ଏ ପୁରୁଷ ଜାତିଟାକୁ। ଯଦିଓ ସେ ନିତି ଅନେକ ପୁରୁଷଙ୍କର ସଂସ୍ପର୍ଶରେ ଆସେ, ଏକାକାର ହୋଇଯାଏ ସେମାନଙ୍କ ସହ ତଥାପି କାହାକୁ ଭରସି ପାରେନି ଆଉ ଆଗ ପରି। କାରଣ ସବୁ ପୁରୁଷ ସମାନ ତା ପାଇଁ। ସମସ୍ତେ ଖୋଜନ୍ତି ସେଇ ଗୋଟିଏ କଥା ତା ଠାରୁ।

ବିବାହର ନିର୍ଭର ପ୍ରତିଶ୍ରୁତିରେ ପ୍ରେମିକ ସଞ୍ଜୟ ସହିତ କିଛି ଦିନ ଲିଭ୍-ଇନ୍ ରିଲେସନସିପରେ ରହିବା ପରେ, ଅଚାନକ ଦିନେ ଅତ୍ୟନ

୍ତ ରହସ୍ୟଜନକ ଭାବେ ସଞ୍ଜୟ ଗାଏବ୍ ହୋଇଯାଇଥିଲା ସହରରୁ। ସବୁଠାରେ ଖୋଜିଥିଲା ଆମ୍ରାପାଲ୍ଲୀ ତାକୁ ଦୀର୍ଘ ଦିନ ଧରି। ଆଉ କିଏ ତା ଜାଗାରେ ଥିଲେ ହୁଏତଃ ଆତ୍ମହତ୍ୟା କରିଥାନ୍ତା ଅଥବା ନିଜ ବାପ ଭାଇଙ୍କ ପାଖକୁ ଫେରିଯାଇଥାନ୍ତା କିମ୍ବା ଅସରନ୍ତି ସଂଘର୍ଷ କରିଥାନ୍ତା! ସେ କିନ୍ତୁ ବାଛି ନେଲା ଭିନ୍ନ ଏକ ପନ୍ଥା।

ହୋମ୍ ଲୋନ୍, କାର୍ ଲୋନ୍, ପର୍ସନାଲ୍ ଲୋନ୍ ଏମିତି କେତେ ଲୋନ୍ ର ଇ.ଏମ୍.ଆଇ. ଶୁଝିବାକୁ ବାଧ୍ୟ ହୋଇ ସେ ପାଦଥାପିଥିଲା ଏ ଅନ୍ଧାରୀ ବଦନାମ ଗଳିରେ। ଆଜି ଆଉ ଲୋନ୍ ନାହିଁ ଶୁଝିବାକୁ। ସବୁ ଭୌତିକ ସୁଖର ମାଲିକାନା ସତ୍ବ ହାସଲକରିନେଇଛି ସେ ତାର ସୁରମ୍ୟ ତନୁର ସୁବିନିଯୋଗରେ। କିନ୍ତୁ ସେ ଖୋଜି ବୁଲୁଛି ପ୍ରତାରକ ସଞ୍ଜୟକୁ ସବୁଦିନେ ଏଇ ରାତିର ଅନ୍ଧାରରେ।

ଅଖଣ୍ଡ ବିଶ୍ବାସ ରହିଛି ତାର, ଦିନେ ନା ଦିନେ ହେବ ଭେଟ ସଞ୍ଜୟ ସହିତ। ସେବେ ତାକୁ ପଚାରିବ କେବଳ ଗୋଟିଏ ପ୍ରଶ୍ନ, "କେଉଁ ଦୋଷରେ ତମେ ମୋତେ କରିଦେଲ ପର?"

ଏମିତି ଏକ ଅନ୍ଧାରୀ ରାତିରେ ଆମ୍ରାପାଲ୍ଲୀ ମୁହାମୁହିଁ ହୋଇଥିଲା ସଞ୍ଜୟ ସହ ଦୂର ସହରରେ। ତାର ପରିଚୟ ପରି ସଞ୍ଜୟର ବି ଅନେକ ପରିଚୟ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମ! କିନ୍ତୁ ତାକୁ ଚିହ୍ନିବାକୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା ଯଦିଓ ସଞ୍ଜୟ ନିଜକୁ ବହୁତ ଚେଷ୍ଟା କରିଥିଲା ଖସିଯିବା ପାଇଁ।

ସଞ୍ଜୟ ସହ ମୁହାଁମୁହିଁ ହୋଇନଥିଲେ ଭଲ ହୋଇଥାନ୍ତା ହୁଏତଃ। ଯେଉଁ ଭ୍ରମରେ ସେ ଜୀଉଁଥିଲା ବେଶ୍ ଭଲ ଥିଲା। କିନ୍ତୁ ସଞ୍ଜୟର ବାସ୍ତବିକତା ତା ପାଇଁ ଥିଲା ଅସହନୀୟ। ମଣିଷ ସତରେ କେତେ ତଳକୁ ଖସି ଯାଇପାରେ! ନିଜର ନ୍ଯସ୍ତ ସ୍ବାର୍ଥ ହାସଲ ପାଇଁ କେତେ ଲୋକଙ୍କ ଜୀବନ ନଷ୍ଟ କରିପାରେ ଅନାୟସରେ।

ସଞ୍ଜୟ ଥିଲା ଏ ଅନ୍ଧାରୀ ଗଳିର କାର୍ପଟଦାର, ଦଲାଲ୍! ନୀରିହ ଝିଅମାନଙ୍କୁ କୌଶଳରେ ପ୍ରେମ ଜାଲରେ ଫସାଇ ଏଇ ଅନ୍ଧାରୀ ଗଳିରେ ଆଣି ଛାଡିଦେଇଯାଏ। ଯେଉଁ ଝିଅ ଟିକେ ସ୍ମାର୍ଟ ଥାଏ ତାକୁ ସଞ୍ଜୟ ଛାଡି ଗାଏବ ହୋଇଯାଏ ଏକୁଟିଆ ଝୁରି ମରିବାକୁ। ତା ସହ ଦୁଇ ପାଦ ଏକାଠି ଚାଲିବା ପରେ ଫେରିବାର ବାଟ ସବୁ ବନ୍ଦ ହୋଇଯାଏ ଆପେ ଆପେ। ବାଟ କେବଳ ଫିଟେ ଏଇ ଅନ୍ଧାରୀ ଗଳିକୁ ନଚେତ୍ ଆର ପାରିକୁ...

ଘୃଣା ଆଉ କ୍ରୋଧରେ ସଞ୍ଜୟ ମୁଁହକୁ ଚାପୁଡ଼ାଏ ଯାହା ମାରିଥିଲା ଆମ୍ରାପାଲ୍ଲୀ, କିଛି ପଚାରି ବୁଝିବାକୁ ସ୍ପୃହା ନଥିଲା ତାର। ସବୁ କିଛି ଜଳ ଜଳ ହୋଇ ଦିଶିଯାଉଥିଲା କ୍ଷୀଣ ଆଲୁଅରେ...।



Rate this content
Log in

Similar oriya story from Tragedy