Kanan Bala Nayak

Tragedy

3  

Kanan Bala Nayak

Tragedy

ଅମାନିଆ ବର୍ଷା

ଅମାନିଆ ବର୍ଷା

4 mins
631



    

 ହଇହେ ଶୁଣଛ,କୁଆଡେ ଗଲ କି?  କଳାହାଣ୍ଡିଆ ମେଘଟା ଘୋଟି ଆସିଲାଣି ପରା। କେତେବେଳେ ଅଚାନକ ବର୍ଷି ଯିବ କହି ହେବନି । ପିଲାଟା କେତେ ବେଳୁ ବାହାରକୁ ଗଲାଣି, ଏତେ ସମୟ ହେଲାଣି ଘରକୁ ଫେରିନି। ତୁମେ ଟିକେ ଫୋନ୍ କରି ତାକୁ ଶୀଘ୍ର ଘରକୁ ଆସିବାକୁକୁହ। ମନଟା କାହିଁକି ଗୋଳେଇ ଘାଣ୍ଟି ହେଉଛି। ସେଇଠି ଖୁଣ୍ଟଟା ଭଳି ଛିଡା ହୋଇଛ କଣ? ତୁମକୁ ପରା କହୁଛି ଆକାଶକୁ ଫୋନ୍ କର ବୋଲି।      


 ଆଠ ବର୍ଷ ହେଲାଣି ଆକାଶକୁ ଯିବାର। ହେଲେ ଆଜି ବି ଅଞ୍ଜଳୀ ଟିକେ ବର୍ଷା ଆସିବାର ଦେଖିଲେ ଦେବେନ୍ଦ୍ର ବାବୁଙ୍କୁ ଏଇ ଗୋଟିଏ କଥା ଦୋହରାଇ ଚାଲନ୍ତି।ଅଞ୍ଜଳୀ ଓ ଦେବେନ୍ଦ୍ର ବାବୁଙ୍କ ଏକମାତ୍ର ପୁଅ ଆକାଶ। ନାଁ ଟା ଯେମିତି ଆକାଶ ରୂପ ଗୁଣ ସବୁଥିରେ ସେମିତି। ବାପା ମାଆଙ୍କୁ ଯଥେଷ୍ଟ ସମ୍ମାନ କରେ। ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ଆଉ ତା ମାଆ କହିଲେ ତା ଜୀବନ। ତାଙ୍କ କଥାକୁ ସେ କେବେ ବି ଅମାନ୍ଯ କରେନି। ବାପାଙ୍କୁ ସବୁ କାମ ରେ ସାହାଯ୍ୟ କରେ। ଅଞ୍ଜଳୀ ଓ ଦେବେନ୍ଦ୍ର ବାବୁ ଆକାଶକୁ ପୁତ୍ର ରୂପେ ପାଇ ନିଜକୁ ଭାଗ୍ୟବାନ ମନେ କରୁଥିଲେ। କିନ୍ତୁ ସେ ଦିନର ସେଇ ଅମାନିଆ ବର୍ଷାଟା ହଠାତ୍ ପ୍ରଳୟ ସାଜି ଅଞ୍ଜଳୀ ଓ ଦେବେନ୍ଦ୍ରଙ୍କ ଜୀବନକୁ ଓଲଟ ପାଲଟ କରି ଦେଇଥିଲା।  


  ଆଠ ବର୍ଷ ତଳର କଥା। ଏମିତି ଏକ ଝଡ ବର୍ଷା ରାତିରେ ହଠାତ୍ ଅଞ୍ଜଳୀଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଲା। ପେଟରେ ଗ୍ଯାସ ହୋଇଥିବ ଭାବି ଅଞ୍ଜଳୀ ପ୍ରଥମେ ଗ୍ଯାସ ମେଡିସିନ ଖାଇଲେ। ହେଲେ ଯନ୍ତ୍ରଣା କମିବା ପରିବର୍ତ୍ତେ କ୍ରମଶଃ ବଢିବାରେ ଲାଗିଲା। ଏ ପଟେ ଅମାନିଆ ବର୍ଷାଟା କମିବା ପରିବର୍ତ୍ତେ ଉଗ୍ର ରୂପ ଧାରଣ କରି ପ୍ରଚଣ୍ଡ ଭାବରେ ବର୍ଷୁଥାଏ। ସତେ ଯେମିତି କିଛି ଗୋଟେ ପ୍ରଳୟ ଘଟାଇବ।ଏତେ ବର୍ଷାରେ ନା କୌଣସି ଡକ୍ଟର ଘରକୁ ଆସିବାକୁ ରାଜି ହେଲେ ନା କୌଣସି ଗାଡି ବାଲା ହସ୍ପିଟାଲ ଯିବାକୁ ରାଜି ହେଲେ। ଏଣେ ଅଞ୍ଜଳୀଙ୍କ ଯନ୍ତ୍ରଣା ଧିରେ ଧିରେ ଅସହ୍ୟ ହୋଇ ଉଠୁଥାଏ। 


  ଦେବେନ୍ଦ୍ର ବାବୁ ଓ ଆକାଶ କଣ କରିବେ କିଛି ବୁଦ୍ଧି ବାଟ ଦେଖା ପାଉ ନ ଥାଆନ୍ତି। ସେଇ ସମୟରେ ଦେବେନ୍ଦ୍ର ବାବୁ ଆକାଶକୁ କହିଲେ ତୋ ସାଙ୍ଗ ଆଶୀଷର ବାପା ପରା ଜଣେ ଡକ୍ଟର। ତାଙ୍କୁ ଟିକେ ଫୋନ୍ କରୁନୁ।ହେଲେ ପ୍ରବଳ ବର୍ଷା ଯୋଗୁଁ ଯେତେ ଚେଷ୍ଟା କଲେ ମଧ୍ୟ ଫୋନ୍ ଜମାରୁ ଲାଗିଲା ନାହିଁ। ଆକାଶ ଦେବେନ୍ଦ୍ର ବାବୁଙ୍କୁ କହିଲା ବାପା ମୁଁ ଆଶୀଷ ଘରକୁ ଯାଉଛି ତା ବାପାଙ୍କୁ ଘରକୁ ନେଇ ଆସିବି। ମାଆଙ୍କୁ ଏତେ କଷ୍ଟ ପାଇବାର ମୁଁ ଆଉ ଦେଖି ପାରିବି ନାହିଁ।


 ଦେବେନ୍ଦ୍ର ବାବୁ କହିଲେ ହେଲେ ଏତେ ବର୍ଷାରେ ତୁ ଯିବୁ କେମିତି? ଟି। ଭି। ନିଉଜରେ ପରା ବନ୍ୟା ଆସିବ ବୋଲି ସତର୍କ ସୂଚନା ଦେଲାଣି। ପ୍ରଶାସନ ତରଫରୁ ମଧ୍ୟ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଗଲାଣି । ବର୍ଷା ଛାଡୁ କଣ ଗୋଟେ ବ୍ୟବସ୍ଥା କରିବା। ତୁ ଏ ପାଗରେ ବାହାରକୁ ଯିବାଟା ଠିକ୍ ହେବନି। ଆକାଶ କହିଲା ବାପା ତୁମକୁ କଣ ମାଆଙ୍କ କଷ୍ଟ ଦେଖାଯାଉନି? ତୁମେ ବ୍ୟସ୍ତ ହୁଅନି। ମୋର କିଛି ହେବନି। ତାଙ୍କୁ ନେଇ ମୁଁ ଶୀଘ୍ର ଫେରି ଆସିବି ।


  ପ୍ରଥମ ଥର ପାଇଁ ବାପାଙ୍କ କଥାକୁ ନ ଶୁଣି ଆକାଶ ରେନ୍ କୋର୍ଟ ଟିକୁ ଦେହରେ ଗଳାଇ ଆଶୀଷ ଘର ଅଭିମୁଖେ ବାହାରି ଗଲା।ହେଲେ ଅଳ୍ପ ସମୟ ଭିତରେ ଆଶୀଷର ବାପାଙ୍କୁ ସାଙ୍ଗରେ ଧରି ଆସିବ ବୋଲି କହି ଯାଇଥିବା ଆକାଶ ଏତେ ସମୟ ଧରି ଫେରୁ ନାହିଁ କାହିଁକି? ଏଣେ ଅଞ୍ଜଳି ମଧ୍ୟ ଆକାଶକୁ ଖୋଜିଲେଣି। ଦେବେନ୍ଦ୍ର ବାବୁଙ୍କ ମନ ଭିତରେ ନାନା ଆଶଙ୍କା ଜାତ ହେଲା। ଅଞ୍ଜଳୀ ଦେବେନ୍ଦ୍ର ବାବୁଙ୍କୁ କହିଲେ ଏମିତି ଏତେ ବର୍ଷାରେ ଆକାଶକୁକୁଆଡେ ପଠାଇଛ?ପୁଣି ଏତେ ଡେରି ହେଲାଣି ସେ ଫେରୁନି କାହିଁକି? ତୁମେ ଟିକେ ତାକୁ ଫୋନ୍ କର।


  ଦେବେନ୍ଦ୍ର ବାବୁ କହିଲେ ତୁମକୁ କଷ୍ଟ ପାଉଥିବାର ଦେଖିଲେ ତୁମ ପୁଅ କଣ ସହିପାରେ? ଯେତେ ମନା କଲେ ମଧ୍ୟ ମାନିଲା ନାହିଁ। ଯାଇଛି ଆଶୀଷର ବାପାଙ୍କୁ ଆଣିବା ପାଇଁ। ଆଉ ବର୍ଷା ଯୋଗୁଁ କେଉଁଠି ଅଟକି ଯାଇଛି ବୋଧେ। ହେଲେ ଅନେକ ସମୟ ଗଲା ପରେ ମଧ୍ୟ ଆକାଶ ନ ଫେରିବାରୁ ଦେବେନ୍ଦ୍ର ବାବୁ ବ୍ୟସ୍ତ ହୋଇ ଆଶୀଷ ପାଖକୁ ଫୋନ୍ କଲେ। ସଂଯୋଗ ବଶତଃ ସେତେବେଳକୁ ଆଶୀଷର ଫୋନ୍ ଲାଗିଲା। ହେଲେ ୟେ କଣ ଆଶୀଷ କହୁଛି ଆକାଶ ତାଙ୍କ ଘରେ ପହଞ୍ଚି ନି ବୋଲି।


  ସେତେବେଳକୁ ବର୍ଷାର ପ୍ରକୋପ କିଛିଟା କମି ଯାଇଥାଏ। ପଡିଶା ଦାସ ବାବୁ ମଧ୍ୟ ଦେବେନ୍ଦ୍ର ବାବୁଙ୍କ ଘରେ ପହଞ୍ଚି ଯାଇଥାଆନ୍ତି। ତାଙ୍କ ପାଖରେ ଥିବା କିଛି ଔଷଧ ସେବନ କରି ଅଞ୍ଜଳୀଙ୍କ ଯନ୍ତ୍ରଣା ମଧ୍ୟ କିଛି ଟା ଉପସମ ହୋଇ ଯାଇଥାଏ। ହେଲେ ଆକାଶକୁଆଡେ ଗଲା? ସାଇ ପଡିଶା ଲୋକ କହୁଛନ୍ତି ତାଙ୍କ ଗାଁ ପାଖ ନଦୀରେକୁଆଡେ ବନ୍ୟା ଆସିଛି। ଦେବେନ୍ଦ୍ର ବାବୁ କହିଲେ ନଦୀ ପୋଲ ଉପର ଦେଇ ତ ଆଶୀଷ ଘରକୁ ଯିବାକୁ ପଡେ। 


 ଅଞ୍ଜଳୀ କହିଲେ ତୁମେ ଏଇଠି ଠିଆ ହୋଇଛ ଦେଖୁଛ କଣ? ଶୀଘ୍ର ଯାଇ ଆକାଶକୁ ଖୋଜ। କିଛି ଅଘଟଣ ଘଟିନି ତ?ମୋ ଡାହାଣ ଆଖିଟା କାହିଁକି ଫଡକୁଛି। ଦେବେନ୍ଦ୍ର ବାବୁ କାଳ ବିଳମ୍ବ ନ କରି କିଛି ପଡିଶା ଲୋକଙ୍କୁ ଧରି ଆକାଶକୁ ଖୋଜିବାକୁ ଲାଗିଲେ। ହେଲେ ଆକାଶର କିଛି ସନ୍ଧାନ ମିଳିଲା ନାହିଁ।  ଆକାଶକୁ ଖୋଜିବା ପାଇଁ ପୋଲିସର ସହାୟତା ମଧ୍ୟ ନିଆଗଲା। ହେଲେ କିଛି ଫଳ ହେଲାନି। ଦୁଇ ଦିନ ବିତିଗଲା ପଛେ ଆକାଶର କିଛି ସନ୍ଧାନ ମିଳିଲା ନାହିଁ।


  ପୋଲିସକୁ ସନ୍ଦେହ ହେଲା ଯେ ଆକାଶ ବୋଧେ ବନ୍ୟାରେ ଭାସିଯାଇଛି। ତେଣୁ ସେ ଆଖ ପାଖ ଥାନାର ସାହାଯ୍ୟ ନେଲେ। ତୃତୀୟ ଦିନ ପାଖ ଥାନାର ଇନିସପେକ୍ଟର ନଦୀ କୂଳରେ ଗୋଟେ ମୃତ ଦେହ ମିଳି ଥିବାର ଖବର ଦେଲେ। ଦେବେନ୍ଦ୍ର ବାବୁ ଥାନାରେ ପହଞ୍ଚି ଆକାଶର ଶରୀରକୁ ଚିହ୍ନଟ କରିଥିଲେ। ମାଆଙ୍କୁ ସୁସ୍ଥ କରିବା ପାଇଁ ଡକ୍ଟର ଡାକିବାକୁ ଯାଇ ଆକାଶ, ଆକାଶର ତାରା ପାଲଟି ଯାଇଥିଲା। ସେ ଦିନର ସେଇ ଅମାନିଆ ବର୍ଷାଟା ତା ପ୍ରକୋପରେ ଆକାଶ ସହିତ ଅଞ୍ଜଳୀ ଓ ଦେବେନ୍ଦ୍ର ବାବୁଙ୍କର ସବୁ ହସ ଖୁସିକୁ ଭସାଇ ନେଇ ଥିଲା। ଆଉ ତାଙ୍କ ଜୀବନଟାକୁ ଶୂନ୍ଯ କରି ଦେଇଥିଲା। 


 ଅଞ୍ଜଳୀ ଓ ଦେବେନ୍ଦ୍ର ବାବୁ ଆଜି ଖାଲି ଆକାଶର ସ୍ମୃତିକୁ ନେଇ ବଞ୍ଚିଛନ୍ତି। ଆଉ ଯେବେବି ବର୍ଷା ପାଗ ହୁଏ ଆଠ ବର୍ଷ ତଳେ ଘଟିଥିବା ସେଇ ଦୁଃଖଦ ଘଟଣା ପୁଣି ଥରେ କଳାହାଣ୍ଡିଆ ମେଘ ପରି ଘୋଟି ଆସେ ଅଞ୍ଜଳୀଙ୍କ ଜୀବନରେ ଆଉ ନିରବିଚ୍ଛିନ୍ନ ଭାବରେ ବର୍ଷି ଚାଲେ ତାଙ୍କ ନୟନ ଯୁଗଳରୁ।


Rate this content
Log in

Similar oriya story from Tragedy