ଅଲୋଡ଼ା ମଣିଷ
ଅଲୋଡ଼ା ମଣିଷ
-ହେ... ବାବୁ ... , ହେ... ବାପା ... , ହେ... ଝିଅ ... ପଇସାଟିଏ ଦିଅ । ତୁମର ଧରମ ହେବ ।
ଗ୍ରୀଷ୍ମ ଦିନ । ମୁଣ୍ଡଫଟା ଖରାରେ ବସି ରାସ୍ତା କଡରେ ଭିକ ମାଗୁଥିଲା ବୁଢୀଲୋକଟି । ଦେହରେ ଟିକିଏ ହେଲେ ମାଂସ ନାହିଁ, ଚମ ଧୁଡୁଧୁଡୁ, ଧଳା ଫରଫର କେଶ, ଆଖି କୋରଡରେ ପଶିଗଲାଣି, ମଇଳାରେ ଜୁଡୁବୁଡୁ ସାତସିଆଁ ଲୁଗା ଖଣ୍ଡେ ପିନ୍ଧି ଏ ବୟସରେ ସେ ନିଜକୁ ବଂଚାଇବା ପାଇଁ ଅହରହ ଏଠାରେ ଭିକ ମାଗୁଛି ।
ସେଦିନ ଅଫିସରୁଫେରୁଥିଲାବେଳେ କାହିଁକି କେଜାଣି ହଠାତ୍ ପାଦ ଦୁଇଟି ମୋ’ର ଅଟକିଗଲା ସେଇ ବୁଢୀ ମାଉସୀ ପାଖରେ । ମୁଁ ତାଙ୍କ ହାତକୁ ଦଶ ଟଙ୍କିଆ ନୋଟ୍ ଖଣ୍ଡେ ବଢାଇ ଦେଉ ଦେଉ କହିଲି –
-ମାଉସୀ, ଯଦି ଖରାପ ନ ଭାବ, ତା’ ହେଲେ ଗୋଟେ କଥା ପଚାରନ୍ତି ।
ସେ ମୋ ମୁହଁକୁ ବଲବଲ କରି ଚାହିଁ, ମନକୁ ମନ କ’ଣ ସବୁ ଭାବି, ପାକୁଆ ପାଟିରେ ସ୍ନେହବୋଳା କଣ୍ଠରେ କହିଲେ –
-କ’ଣ ବାପା ପଚାରିବୁ, ପଚାରେ । ଜାଣିଥିଲେ କହିବି ।
ସଞ୍ଜ ନଇଁ ଆସୁଥାଏ । ଷ୍ଟ୍ରିଟ୍ ଲାଇଟ୍ ସବୁ ଜଳିଲାଣି । ରାସ୍ତା କଡରେ ବାଦାମ୍ ବାଲା, ଗୁପ୍ଚୁପ୍ ବାଲା, ଦହିବରା-ଆଳୁଦମ୍ ବାଲା, ଚାଟ୍ ବାଲା ଇତ୍ୟାଦି ଆସି ଭିଡ ଯମାଉଥାନ୍ତି । ଧିରେ ଧିରେ ସେମାନଙ୍କ ପାଖକୁ ଗରାଖମାନଙ୍କର ସୁଅ ଛୁଟିବା ଆରମ୍ଭ ହେଉଥାଏ । ଏତିକିବେଳେ ମୁଁ ମୋ ଚଷମାକୁ ଟିକେ ରୁମାଲରେ ପୋଛିଦେଇ ପଚାରିଲି –
-ଆଚ୍ଛା ମାଉସୀ, ତୁମର ନିଜର ବୋଲି କ’ଣ କେହି ନାହାନ୍ତି ? ମାନେ ... ତୁମ ସ୍ୱାମୀ, ପୁଅ, ଝିଅ ... ।
ମୋ ଏତିକି ଟିକେ କଥାରେ ତା ଶୁଖିଲା ଆଖିର ଦୁଇ କୋଣରୁ ହଠାତ୍ ଲୁହ ଜକେଇ ଆସିବାର ମୁଁ ଲକ୍ଷ୍ୟ କଲି । ସେ ଲୁଗା କାନିରେ ଲୁହ ପୋଛୁପୋଛୁ ମନ ଦୁଃଖରେ ମୋ ମୁହଁକୁ ଚାହିଁ କହିଲେ –
-ହଁ, ସମସ୍ତେ ଅଛନ୍ତି । କିନ୍ତୁ କେହି ନଥିଲା ପରି ।
ତାଙ୍କ କଥାରୁ ମୁଁ କିଛି ବୁଝିପାରିଲିନି । କାରଣ ସେ ଦେଇଥିବା ଉତର ବୋଧହୁଏ ଜଟିଳ ଥିଲା ମୋ ପାଇଁ । ଦୋଦୋପାଞ୍ଚ ହୋଇ ଆଉ ଥରେ ନମ୍ର ଭାବେ ଦୋହରାଇ ପଚାରିଲି –
-ମାଉସୀ, ଟିକେ ବୁଝେଇ କହିଲେ ଭଲ ହୁଅନ୍ତା ।
-ହଉ, ପୁଅ ।
.......
ସେ ଏକ ଲମ୍ବା କାହାଣୀ । ଏଠୁ ଅନେକ ଦୂର ମୋ ଗାଁ । ଚାହିଁଲେ ଆଖି ପାଇବନି । ଗୋଟେ ବୋଲି ପୁଅ ମୋ’ର । ତାକୁ ଯେତେବେଳେ ତିନି ବର୍ଷ, ସେତେବେଳେ ତା ବାପା ହଠାତ୍ ଚାଲିଗଲେ । ଝିଅଟା ବି ପେଟରେ ବଢୁଥାଏ । ଦୁଇ ମାସର କି ତିନି ମାସର ହେବ । ମୋତେ ଚାରି ଦିଗ ଅନ୍ଧାର ଦିଶିଲା । ମୁଁ ଏକୁଟିଆ ହୋଇଯିବାରୁ ଏଣେ ପେଟର ବୋଝ ସାଙ୍ଗକୁ ଛୋଟ ପିଲାର ଲାଳନ ପାଳନ କେତେ ଯେ କଷ୍ଟ, ତୁ ଭାବିପାରିବୁନି । ଯାହାହେଉ ସବୁ ଦୁଃଖକୁ ମନ ଭିତରେ ଚାପି ରଖି, ଛାତିକୁ ଟାଣ କରି, ଯେନତେନ ପ୍ରକାରେ ବାର ଘରେ ପାଇଟି କରି, ମୂଲ ମଜୁରି ଲାଗି ଦୁଇଟି ପିଲାଙ୍କୁ ପାଠ ପଢେଇ ବଡ କଲି ।
ମୋ ପୁଅ ରାମୁ କଲେଜରେ ବି.ଏସ୍.ସି ପଢିଲାବେଳେ ଗୋଟେ ଝିଅକୁ ଭଲପାଇଥିଲା । ସେ ଝିଅ ଘର ଭାରି ଚଳପକ୍ଷ ହୋଇଥିବାରୁ ସୁବିଧା ଅସୁବିଧା ସମୟରେ ସେମାନେ ତାକୁ ସାହାଯ୍ୟ କରନ୍ତି । ବହିପତ୍ରଠାରୁ ଆରମ୍ଭ କରି ପ୍ୟାଣ୍ଟ ସାର୍ଟ, ଏପରିକି ହଷ୍ଟେଲ ଖର୍ଚ୍ଚ ବି ବହନ କରିବାର ମୁଁ କିଛି ଜାଣିନଥିଲି । ବାହାରେ କାମଧନ୍ଦା କରି ଯେଉଁ ଦି’ପଇସା ପାଏ, ତା ପାଖକୁ ପଠାଇଦେଉଥାଏ । ହେଲେ ଏତିକି ପଇସା ଯେ ତା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କେବେ ମୋ ଆଗରେ ମୁହଁ ଖୋଲି କହିନି । ଅତି ବାଧ୍ୟ କଲେ କହେ – “ମା, ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ? ମୁଁ ସେତିକି ପଇସାରେ ଆରାମରେ ଚଳି ପାରୁଛି, ବୁଝିଲୁ ।” ହେଲେ ମୋ ମନ ମାନେନି । ସେ ମୋତେ ଯେତେ ମିଛ କହିଲେ ବି ତା ପୋଷାକପତ୍ର, ଚାଲିଚଳନରୁ ମୁଁ ଠିକ୍ ଅନୁମାନ କରିନିଏ, ଏସବୁ ଦାମୀ ଜିନିଷ ବଳକା ପଇସାରେ କିଣିବା ସମ୍ଭବ ନୁହେଁ । ପୁ’ଣି ଯେତିକି ଦିଏ, ତାହା ତ ମାସକ ଯାଏ ତାକୁ ଖାଇବାକୁ ଅଂଟୁ ନଥିବ, ଆଉ ସେ ଦାମୀ ଦାମୀ ପୋଷାକ କିଣି ପିନ୍ଧିବ ବା କେମିତି ? ମୋ’ର ଦିନକୁ ଦିନ ତା ଉପରେ ବେଶୀ ବେଶୀ ସନ୍ଦେହ କରିବା ବଢିଚାଲେ ।
ପରୀକ୍ଷା ସରିଯିବାରୁ ସେ ଘରକୁ ଆସିଥାଏ । ଅଗଣାରେ ଚୁପ୍ଚାପ୍ ବସି ଅନ୍ୟମନସ୍କ ଭାବେ କ’ଣ ସବୁ ଭାବୁଥିଲାବେଳେ, ମୁଁ ତା ଝାଳୁଆ ମୁହଁକୁ ମୋ ପଣତକାନୀରେ ଟିକେ ପୋଛି ଦେଇ କହିଲି –
-ବାପାରେ, ଏହା ପରେ କ’ଣ କରିବୁ ବୋଲି ଭାବିଛୁ ?
-ଆହୁରି ପଢିବି । ନୋହିଲେ ଚାକିରି ହେବ କେମିତି ?
-ଏତେ ପଇସା କେଉଁଠୁ ଆସିବ ? ମୁଁ ଆଉ ପାରୁନିରେ ... ।
ଏତିକି କହୁ କହୁ ସେ ଲୁହ ଛଳଛଳ ଆଖିରେ ମୋ ପିଠିକୁ ଟିକିଏ ଆଉଁସିଦେଇ ସ୍ମିତ ହସି କହିଲା – ମା’, ତୁ କାହିଁକି ଏତେ ଚିନ୍ତା କରୁଛୁ କହିଲୁ ? ମୁଁ ଟ୍ୟୁସନ୍ କରି ମୋ ପଢା ଖର୍ଚ୍ଚ ତୁଲେଇ ନେବି ।
ଦିନ ଗଡିଚାଲିଥାଏ । ପୁଅ ମୋ’ର ଶେଷରେ ଇଞ୍ଜିନିୟରିଂ ପାସ୍ କରି ଦିଲ୍ଲୀର କେଉଁ ଏକ ବଡ କମ୍ପାନୀରେ ଚାକିରି ପାଇଲା । ସେ ଏଇ ପାଠ ପଢିବ ବୋଲି ଯିଦି କରିବାରୁ ମୁଁ ଆଉ କିଛି ଉପାୟ ନ ପାଇ ମୋ ସାତ ପୁରୁଷର ଭିଟାମାଟି ଖଣ୍ଡିକ ଆମ ଗାଁ ସାହୁକାର ପାଖରେ ବନ୍ଧକ ରଖି ପଚାଶ ହଜାର ଟଙ୍କା ଆଣଥିଲି, ହେଲେ ସେ ଏସବୁ ବିଷୟରେ କିଛି ଜାଣିନି । ମନେ ପଡୁଛି, ତାକୁ ସେଦିନ ଏତେଗୁଡିଏ ଟଙ୍କା ଦେଲାବେଳେ, ସେ ଆଶ୍ଚର୍ଯ୍ୟ ସହକାରେ ମୋତେ ଏତିକି ପଚାରିଥିଲା –
-ମା, ତୁ ଏତେ ଟଙ୍କା ଆଣିଲୁ କେମିତି ? -ଧାର ସୂତ୍ରରେ ଆଣିଛି । ତୁ ପାଠ ପଢି ଚାକିରି କଲା ପରେ ସୁଝି ଦେବିନି ?
-ହଉ ... ।
ଋାମୁ ଦିଲ୍ଲୀରେ ରହୁଥାଏ । ଆମେ ମା’ ଝିଅ ଦୁହେଁ ଏଠି ସେମିତି ଦୁଃଖେ କଷ୍ଟେ ଚଳୁଥାଉ । ହେଲେ ଦିନକ ପାଇଁ ସେ ଆମକୁ ଫୋନ୍ କରିନି କି କେମିତି ଅଛ ପଚାରି ବୁଝିନି । କିଛି ଦିନ ପରେ ହଠାତ୍ ଶୁଣିବାକୁ ପାଇଲି ସେ ସେହି ଧନୀ ଘର ଝିଅକୁ ବାହାହୋଇ ଯାଇଛି । ମୁଁ ଏକଥା ତା’ର ପିଲା ଦିନର ସାଙ୍ଗ ବିଜୟଠାରୁ ଶୁଣି ଥମ୍ କିନା ବସିପଡିଲି । ମୁଣ୍ଡଟା ମୋ’ର କାହିଁକି ଘୁରେଇ ଦେଲା । କିଛି ସମୟ ପାଇଁ ମୋତେ କିଛି ଦେଖା ଗଲାନି । ମୁଁ ମନେ ମନେ କେତେ କ’ଣ ଭାବିଥିଲି - ପୁଅ ମୋ’ର ବଡ ହେବ, ଚାକିରି କରିବ, ମୋ ମନଲାଖି ସୁନାନାକୀ ବୋହୂଟିଏ ଘରକୁ ଆଣିବି, ତା ହାତ ପରସା ଖାଇବି, ନାତି ନାତୁଣୀ ଦେଖିବି ... । ହେଲେ ଶେଷରେ ମୋ’ର ସବୁ ସ୍ୱପ୍ନ, ସବୁ ଆଶା ଭାଙ୍ଗି ଚୁର୍ମାର୍ ହୋଇଗଲା । ମୁଁ ନିଜକୁ ଆଉ ସହିପାରିଲିନି । ସେ ଦେଇଥିବା ଫୋନ୍ ନମ୍ବରଟାକୁ ନେଇ ସାହୁକାରଙ୍କ ପାଖକୁ ଧାଇଁଗଲି, ତା ସାଙ୍ଗରେ ଦି’ପଦ କଥା ହେବା ପାଇଁ । ତାଙ୍କୁ ଅନୁନୟବିନୟ କରିବାରୁ ସେ ମୋ ବିକଳ ସହି ନ ପାରି ତା ପାଖକୁ ଫୋନ୍ ଲଗେଇଲେ –
-ହଁ ... , ରାମୁ କହୁଛୁ ... ? ମୁଁ ...
-ଆଜ୍ଞା... , ନମସ୍କାର ।
-ଆରେ ତୋ ମାଆ କଥା ହେବାକୁ ଚାହୁଁଛି । ତା ସାଙ୍ଗରେ ଟିକେ କଥା ହ’ ।
ସାହୁକାର ରିସିଭରଟାକୁ ମୋ କାନ ପାଖରେ ଲଗେଇଦେଲେ । ମୁଁ ରାମୁ ... କହି କାନ୍ଦିବାକୁ ଲାଗିଲି । ମୋ କାନ୍ଦ ଜମାରୁ ବନ୍ଦ ହେଉନଥିଲା । ସେ ସଙ୍ଗେ ସଙ୍ଗେ ମୋ କାନ୍ଦରେ ପୂର୍ଣ୍ଣଛେଦ ପକାଇ କହିଲା – ମା, ମୋତେ ଭୁଲ ବୁଝିବୁନି । ବିବାହ ଏତେ ଜଲ୍ଦି ହେଲା ଯେ ମୁଁ ତୋତେ କହିବାକୁ ... ।
ସେ କହୁଥିବାବେଳେ ବୋହୂ ରାଗରେ ଆସି ରାମୁ ହାତରୁ ଫୋନଟାକୁ ଛଡେଇନେଇ ମୋତେ ତାଗିଦ୍ କରି କହିଲା – “ଶୁଣ ... । ଆଉ କେବେ ଏଠାକୁ ଫୋନ୍ କରିବନି । ତମେ ଯେମିତି ରହୁଛ ରୁହ, ଯାହା କରୁଛ କର, ଆମର ସେ ବିଷୟରେ ଜାଣିବା କିଛି ଦରକାର ନାହିଁ । ଯଦି ପୁ’ଣି କରିବ, ତେବେ ଚିହ୍ନିବ ମୋତେ ।”
ତା ମୁହଁରୁ ଏତକ ଶୁଣି ମୁଁ ଯେମିତି ସ୍ଥାଣୁ ପାଲଟିଗଲି । ଅନ୍ୟମନସ୍କଭାବେ କେତେବେଳେ ଆସି ଘରେ ପହଂଚିଛି, ଜାଣିନି । ଝିଅ ମୋ’ ହାତକୁ ଖୁସିରେ ପାଣି ଢାଳଟା ଦେଇ ହସହସ ମୁହଁରେ ପଚାରିଲା –
“ଭାଇ କେବେ ଆସିବ ? କ’ଣ ସବୁ କହୁଥିଲା ? ସେଠାରେ ସେ ଭଲରେ ଅଛି ତ ? ଭାଉଜ ତୋ ସାଙ୍ଗରେ କଥା ହେଲେ ? ବୁଝିଲୁ ବୋଉ, ମୋ’ର ଭାରି ଇଛା ହେଉଛି, ଆମ ନୂଆ ଭାଉଜଙ୍କୁ ଟିକେ ଦେଖିବାକୁ । ସେ ଆମ ଭାଇ ସାଙ୍ଗକୁ ଠିକ୍ ହେଇଥିବେ ନା ? ଆମକୁ ତାଙ୍କ ପାଖକୁ ଯିବାକୁ କହିଛନ୍ତି ତ ?”
ତା ପ୍ରଶ୍ନ ବାଣରେ ମୁଁ ଛନ୍ଦିହୋଇ ପଡୁଥିଲି ଯେମିତି । କ’ଣ କହି ତାକୁ ବୁଝେଇବି, କିଛି ଭାବିପାରୁ ନଥିଲି । ଭୋକ ପେଟରେ ପାଣି ଢୋକେ ପାଟିକୁ ନେଇ ଏତିକି କହିଲି –“ ସିଏ ତ ସେଠାରେ ରାଜା ପରି ଅଛି । କେତେ ଚାକର ପୂଜାରୀ ତା’ର ସେବା କରୁଛନ୍ତି । ଆମେ ମଳିମୁଣ୍ଡିଆ ଲୋକ । ତା ପାଖକୁ ଗଲେ ସେ କ’ଣ ଭାବିବ କହିଲୁ ? ତା ଇଜ୍ଜତରେ ଦାଗ ଲାଗିଯିବନି ? ଶୁଣୁ, ତୋ ଭାଇ ପୁରା ବଡ ହୋଇଯାଇଛି । ଏତେ ବଡ ଯେ, ଚାହିଁଲେ ଆଖି ପାଇବନି ।” ମୁଁ ଏସବୁ କହୁଥିଲାବେଳେ ସେ ମୋ ଉପରେ ବିରକ୍ତ ହୋଇ କହିଲା – “ତୁ କ’ଣ ସେମିତି ପାଗେଳୀଙ୍କ ପରି ମନକୁ ମନ କହିଯାଉଛୁ, ମୁଁ କିଛି ବୁଝିପାରୁନି । ହଉ, ସେସବୁ କଥା ଛାଡ । ଆ’, ଖାଇବା । ଭାରି ଭୋକ ହେଲାଣି ।”
ତିନି ବର୍ଷ ପରେ ... । ମୁଁ କେତେବେଳେ କେମିତି ତା ପାଖକୁ ଫୋନ୍ କଲେ ସେ ବ୍ୟସ୍ତ ଅଛି, ଏବେ ଆସି ପାରିବନି ବୋଲି କହେ । ସାହୁକାରଙ୍କୁ ପଇସା ଫେରାଇବା କଥା କହିଲେ ସେ ମୋ ଉପରେ ବିରକ୍ତ ହୋଇ ଫୋନ୍ ରଖିଦିଏ । ତା’ର ଏଭଳି ବ୍ୟବହାର ଦେଖି ମୁଁ ସେଦିନୁ ତା ପାଖକୁ ଆଉ କେବେ ଥରୁଟିଏ ବି ଫୋନ୍ କରିନି । କାହିଁକି, କ’ଣ ପାଇଁ କରିଥାଆନ୍ତି ? ସିଏ ତ ମୋତେ, ମୋ ସ୍ନେହ ମମତାକୁ ଭୁଲିଗଲା । ତା’ ଭଉଣୀର ରାକ୍ଷୀକୁ ବି ।
ଶେଷରେ ଝିଅ ମୁହଁକୁ ଚାହିଁ ବାକି ଜୀବନଟା କାଟିଦେବି ବୋଲି ଭାବିଥିଲି । ହେଲେ ସିଏ ବି କାହାର ହାତ ଧରି ରାତି ଅଧରେ ମୋତେ ନ ଜଣେଇ ଚାଲିଗଲା । କାହିଁକି ବା ସେ ମୋ ପାଖରେ ତା ନିଜ ଭବିଷ୍ୟତଟାକୁ ବଳିଦେଇ, ସାରା ଜୀବନ ଅଭିଆଡୀ ହୋଇ, ତୁଠ ପଥରଟା ପରି ପଡିରହିଥା’ନ୍ତା ? ସବୁ ଝିଅଙ୍କ ପରି ତା’ର ତ ପୁଣି ମନ ବୋଲି କିଛି ଗୋଟେ ଅଛି । ଏମିତି ବି ସେ ମୋ ପାଖରେ ଥିଲେ ମୁଁ କ’ଣ ତାକୁ ବାହାତୋଳା କରିପାରିଥାଆନ୍ତି ନା ତା ମୁହଁରେ ଟିକେ ହସ ଦେଖିପାରିଥାଆନ୍ତି ? ଝିଅମାନେ ବୟସ ହେଲେ ଚାହାନ୍ତି ଜୀବନସାଥୀ, ଘର ସଂସାର । କେତେ ଦିନ ବା ସେ ନିଜକୁ ଏଇ ଝୁପୁଡିଟା ଭିତରେ ତିଳତିଳ କରି ଜଳିଥା’ନ୍ତା ? ଯାହା ସେ କରିଛି, ବହୁତ ଭଲ କରିଛି । ଯେଉଁଠି ଥାଉ, ଘର ସଂସାର କରି ଠାକୁରଙ୍କ ଦୟାରୁ ବେଶ୍ ଭଲରେ ଥାଉ ।
ସେଦିନ ହୋଇଥାଏ ଗୁରୁବାର । ମୁଁ ସକାଳୁ ସକାଳୁ ଘରଦ୍ୱାରସବୁ ଲିପାପୋଛା ସାରି କ୍ଳାନ୍ତ ହୋଇ ବସିଥିଲାବେଳେ ହଠାତ୍ ସାହୁକାର ଆସି ରାଗରେ କହିଲେ – “ଶୁଣ, ତୁମ ପୁଅକୁ ଏଇ ନଅ ବର୍ଷ ଭିତରେ ଅନ୍ତତଃ ମୁଁ ପଚାଶ ଥରରୁ ଅଧିକ ଫୋନ୍ କରିଥିବି । ହେଲେ ସେ ମୋ କଥା କାନକୁ ନିଏନି । ଏଥିରୁ ମୁଁ ନିଶ୍ଚିତ ହୋଇଗଲି ଯେ ମୋ ଟଙ୍କା ଆଉ ମିଳିବ ନାହିଁ । ତେଣୁ ଟଙ୍କା ବାବଦକୁ ବନ୍ଧକ ରଖିଥିବା ଏ ଘରଡିହ ଖଂଡିକ ମୋତେ ଦେଇ ଆଜିଠାରୁ ତୁମେ ତୁମ ପୁଅ କିମ୍ବା ଝିଅ ପାଖକୁ ସବୁଦିନ ପାଇଁ ଚାଲିଯାଅ । ମଁଦ ଆଉ ବେଶୀ ଦିନ ଅପେକ୍ଷା କରିପାରିବିନି ।”
ସାହୁକାରଙ୍କଠାରୁ ଏଭଳି ମନ୍ତବ୍ୟ ଶୁଣି ମୁଁ ମନେ ମନେ ଭାବିଲି – “ସେ ଯାହା କହିଲେ, ଠିକ୍ କହିଲେ । କେତେ ଦିନ ବା ଆଉ ଅପେକ୍ଷା କରିଥା’ନ୍ତେ ? ଯାହା ପାଇଁ ରକ୍ତକୁ ପାଣି କରି, ଉପବାସ ରହି, ପାଠଶାଠ ପଢେଇ ବଡ ମଣିଷ କରିଲି, ଶେଷରେ ସିଏ ତ ମୋତେ ଅଲୋଡା ମଣିଷଟିଏ ଭାବି ଦୂରେଇ ଦେଲା, ତେବେ ସାହୁକାର ବା ଏଥିରୁ ବାଦ୍ ପଡିଥା’ନ୍ତେ କେମିତି ?” ଅନେକ ଚିନ୍ତା କଲା ପରେ ମୁଁ ଆଉ କୈାଣସି ଉପାୟ ନ ପାଇ ତାଙ୍କ ହାତରେ ଘରଡିହ ଖଂଡିକ ସମର୍ପି ଚୁପ୍ଚାପ୍ ରାଜରାସ୍ତାକୁ ଚାଲିଆସିଲି ।
.......
ମାଉସୀଙ୍କ ମୁହଁରୁ ସବୁ କଥା ଶୁଣି ମୁଁ ଅବାକ୍ ହୋଇଯାଇଥିଲି ଯେମିତି । ମୋ ଆଖି ଦୁଇଟି ଲୁହରେ ଛଳଛଳ ହେଇଗଲା । ଏ ବୟସରେ ଟିକେ ବଂଚିବା ପାଇଁ କର୍ମକୁ ଆଦରି, ଏତେ ଦୁଃଖକୁ ଛାତି ଭିତରେ ଚାପି ରଖି ରାସ୍ତା କଡରେ ଖରା, ବର୍ଷା, ଶୀତ, କାକର ଖାଇ ପଡିରହିଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କ ଅବସ୍ଥାରେ ଆଉ କିଏ ଥିଲେ ହୁଏ ତ ସେ କେବେଠାରୁ ଆତ୍ମହତ୍ୟା କରିସାରନ୍ତାଣି । କିଛି ସମୟ ନୀରବତା ପରେ ମୁଁ ନମ୍ର ଭାବେ କହିଲି –
-ମାଉସୀ, ଗୋଟେ କଥା କହିବି ରଖିବ ?
-କ’ଣ କହ ?
-ଆମ ଘରକୁ ଚାଲ । ସେଇଠି ଆମେ ସାଙ୍ଗହୋଇ ରହିବା ।
-ନା ପୁଅ । ମୁଁ ଆଉ ସେ ମୋହମାୟା ଭିତରେ ବାନ୍ଧି ହେବାକୁ ଚାହେଁନା । ଏ ଖୋଲା ଆକାଶ ତଳେ ମୁଁ ଶାନ୍ତିରେ ଅଛି । ଯେତେ ଦିନ ଯାଏ ଗୋଡ ହାତ ଚଳୁଥିବ, ବଂଚୁଥିବି । ମରିଗଲେ ଗଲା । ମୋ ବିଷୟରେ କିଛି ଚିନ୍ତା ନକରି ତୁ ଯାଆ ବାପା, ଉଛୁର ହେଲାଣି । ଘରେ ସମସ୍ତେ ତୋତେ କେତେବେଳୁ ଅପେକ୍ଷା କରିଥିବେ ।