Kanan Bala Nayak

Tragedy

1.0  

Kanan Bala Nayak

Tragedy

ଅଲୋଡା ଜୀବନ

ଅଲୋଡା ଜୀବନ

5 mins
348



 ଡିସେମ୍ବର ମାସର ଶେଷ ସପ୍ତାହ ପ୍ରବଳ ଥଣ୍ଡା ପଡିଥାଏ.ରାତି ଡ୍ୟୁଟି ସାରି ଘରକୁ ଫେରୁ ଥାଆନ୍ତି ଡକ୍ଟର ଅମ୍ଳାନ ମହାନ୍ତି. ରାସ୍ତା ଘାଟ ପ୍ରାୟ ଶୁନ୍ ଶାନ୍ ହୋଇ ଯାଇଥାଏ. କାଁ ଭାଁ କେଉଁଠୁ ଗୋଟେ ଗୋଟେ ଗାଡି ସେ ରାସ୍ତା ଦେଇ ଅତିକ୍ରମ କରୁଥାଏ. ଏଣେ ଡକ୍ଟର ଅମ୍ଳାନ ଙ୍କ ସ୍ତ୍ରୀ ମଝିରେ ମଝିରେ ଫୋନ୍ କରୁ ଥାଆନ୍ତି. ଏତେ ରାତି ହେଲାଣି ଘରକୁ କେତେ ବେଳେ ଫେରିବ? ବାହାରେ କେତେ ଥଣ୍ଡା ପଡିଛି ଦେଖୁଛ ତ. ଡକ୍ଟର ଅମ୍ଳାନ କହିଲେ ଦୁଇ ତିନୋଟି ଏମରଜେନସି  କେଶ୍ ଥିଲା ତ. ତାକୁ ସାରୁ ସାରୁ ଟିକେ ବିଳମ୍ବ ହୋଇ ଗଲା.ତୁମେ ବଢା ବଢି କର ମୁଁ ଏଇ ପନ୍ଦର କୋଡ଼ିଏ ମିନିଟରେ ପହଞ୍ଚୁଛି.  


 ସ୍ତ୍ରୀ ଙ୍କ ସହ କଥା ହୋଇସାରି ଡକ୍ଟର ଅମ୍ଳାନ ତାଙ୍କ ଡ୍ରାଇଭର କୁ କହିଲେ ଆଉଟିକେ ସ୍ପିଡ୍ ବଢା. ଘରେ ମାଡାମ୍ ବ୍ୟସ୍ତ ହେଲେଣି. ଠିକ୍ ଏଇ ସମୟରେ ଡକ୍ଟର ଅମ୍ଳାନ ଙ୍କ କାନରେ ଗୋଟେ କ୍ଷୀଣ ଶବ୍ଦ ଶୁଣାଗଲା. ଆରେ ଇଏ ତ ଗୋଟେ ଛୋଟ ପିଲାର କାନ୍ଦଣା ସ୍ବର ଭଳି ଶୁଣା ଯାଉଛି.ଏତେ ରାତିରେ ଏ ଶୁନ୍ ଶାନ୍ ରାସ୍ତାରେ ଛୋଟ ପିଲାଟିଏ କେଉଁଠୁ ଆସିବ? ଏହା ତାଙ୍କ କାନର ଭ୍ରମ ବୋଧେ?ହେଲେ ଆଉ କିଛି ବାଟ ଗଲା ପରେ ସେ ଶବ୍ଦଟା ଆଉଟିକେ ଯୋର୍ ଶୁଣା ଗଲା.ଡକ୍ଟର ଅମ୍ଳାନ ତାଙ୍କ ଡ୍ରାଇଭର କୁ ପଚାରିଲେ ଆରେ ତୋ କାନକୁ କିଛି ଶୁଣା ଯାଉଛି ନା ନାହିଁ. ଡ୍ରାଇଭର କହିଲା ହଁ ସାର୍ ଗୋଟେ ଛୋଟ ପିଲାର କାନ୍ଦଣା ସ୍ବର ଭଳି ଲାଗୁଛି. 


 ଡକ୍ଟର ଅମ୍ଳାନ ଡ୍ରାଇଭର କୁ ଗାଡି ରଖିବା ପାଇଁ କହି ଡ୍ରାଇଭର ସହ ମିଶି ଆଖ ପାଖ ଚାରିଆଡ଼େ ଖୋଜିବାକୁ ଲାଗିଲେ. ହେଲେ ଅନ୍ଧାର ରାତିରେ କିଛି ଦେଖା ଯାଉ ନଥାଏ. ଡକ୍ଟର ଅମ୍ଳାନ ଗାଡ଼ି ଭିତରୁ ଟର୍ଚ୍ଚଟା ଆଣିବା ପାଇଁ ତାଙ୍କ ଡ୍ରାଇଭର କୁ କହିଲେ. ଅନେକ ଖୋଜିବା ପରେ ସ୍ବରଟା ରାସ୍ତା କଡରେ କଣ୍ଟା ବୁଦା ଭିତରେ ପଡିଥିବା ଗୋଟିଏ ବସ୍ତାରୁ ଆସୁ ଥିବାର ଦେଖିବାକୁ ପାଇଲେ ଡକ୍ଟର ଅମ୍ଳାନ.ଡ୍ରାଇଭରର ସହାୟତାରେ ବସ୍ତାଟିକୁ ବୁଦା ଭିତରୁ ବାହାର କୁ ବାହାର କଲେ ଡକ୍ଟର ଅମ୍ଳାନ . ବସ୍ତା ଖୋଲି ତା ଭିତରେ ଗୋଟିଏ ନବ ଜାତ ଶିଶୁକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଡକ୍ଟର ଅମ୍ଳାନ. 


 କିଏ ସେ ଏମିତି ନର ପିଶାଚ ପାଲଟି ଗଲା ଯେ ଏଡେ ସୁନ୍ଦର ଶିଶୁ ଟିକୁ ଏମିତି ବସ୍ତାରେ ବାନ୍ଧି ମୃତ୍ୟୁ କୋଳରେ ଶୋଇବା ପାଇଁ ଛାଡ଼ି ଦେଇ ଯାଇଛି. କେଉଁ ପଶୁ ବି ନିଜ ସନ୍ତାନକୁ ଏମିତି ମରିବା ପାଇଁ ଛାଡ଼ି ଦେଇ ଯିବନି. ହେଲେ ଇଏ ତ ଗୋଟେ ମଣିଷର ପିଲା. କୁଆଡ଼େ ଗଲା ସେ ମାଆର ମମତା ଯେ ନିଜର ସଦ୍ୟ ଜାତ ଶିଶୁକୁ ଏମିତି ମୃତ୍ୟୁ ହାତକୁ ଟେକି ଦେଇ ପାରିଲା. ଡକ୍ଟର ଅମ୍ଳାନ ଙ୍କ କଥା ଶୁଣି ତାଙ୍କ ଡ୍ରାଇଭର କହିଲା ସାର୍ ଯାହା ଜଣା ପଡୁଛି ଏ କେଉଁ କୁମାରୀ ଝିଅ ର ପିଲା. ଆଉ ସେଥିପାଇଁ ବୋଧେ ପିଲାଟିକୁ ମାରି ଦେବାର ଚେଷ୍ଟା କରି କେହି ଏମିତି ବସ୍ତାରେ ବାନ୍ଧି ତାକୁ ରାସ୍ତା କଡରେ ଫୋପାଡ଼ି ଦେଇ ଯାଇଛି. କଣ କହିବେ ସାର୍ ଆଜି କାଲିର ଏ ଉତଶୃଙ୍ଖଳ ଯୁବକ ଯୁବତୀ ମାନଙ୍କୁ.


 ଡକ୍ଟର ଅମ୍ଳାନ କହିଲେ ଧନ୍ୟ ତୁମେ ଈଶ୍ୱର ଧନ୍ୟ ତୁମ ଲୀଳା. ଗୋଟେ ପଟେ ଗୋଟେ ବିବାହିତା ନାରୀ ବାର ବ୍ରତ ତେର ଓଷା ପାଳନ କରି, ବିଭିନ୍ନ ପ୍ରକାରର ଉନ୍ନତ ଧରଣର ଚିକିତ୍ସାର ସହାୟତା ନେଇ ମଧ୍ୟ ମାତୃତ୍ବ ଲାଭରୁ ବଞ୍ଚିତ ହେଉଛି. ଆଉ କେଉଁଠି କୁମାରୀ ଝିଅଟିଏ ଓ ପୁଅ ଟିଏ ନିଜର ସାମାନ୍ୟତମ ଶାରୀରିକ ଇଚ୍ଛା କୁ ପୁରଣ କରିବାକୁ ଯାଇ କୁମାରୀ ମାତୃତ୍ବ ଲାଭ କରି ନିଜର ଗର୍ଭଜାତ ସନ୍ତାନ କୁ ଏମିତି ରାସ୍ତା କଡରେ କିମ୍ବା କେଉଁ ବୁଦାମୂଳରେ ଫୋପାଡ଼ି ଦେଇ ଯାଉଛନ୍ତି ମରିବା ପାଇଁ . ଆଉ କେଉଁଠି ତ ନିରୀହ ଝିଅଟେ କିଛି ନର ପିଶାଚ ମାନଙ୍କ ପାଶବିକ ପ୍ରବୃତ୍ତିର ଶୀକାର ହୋଇ ମାଆ ହୋଇ ଯାଉଛି. ଯଦି ଗୋଟିଏ ଜୀବନ ବଞ୍ଚାଇବା ପାରିବ ନାହିଁ ତେବେ ତାକୁ ଜନ୍ମ ଦେବାର ଅଧିକାର ତୁମକୁ କିଏ ଦେଲା. 


 ପୁରୁଷଙ୍କ କଥା ଛାଡ଼. କଣ ସେ ଜନ୍ମ କଲା ମାଆର ବି ତା ପିଲା କଥା କେବେ ବି ମନେ ପଡେନି. ସେ ପରା ତାକୁ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରିଥାଏ.ବସ୍ତା ଭିତରୁ ବାହାର କରି ଡକ୍ଟର ଅମ୍ଳାନ ପିଲାଟିକୁ ଗାଡ଼ି ଭିତରୁ ନେଇ ନିଜେ ପିନ୍ଧିଥିବା ଜାକେଟ୍ ଟିକୁ ପିଲାଟିକୁ ଘୋଡ଼ାଇ ଦେଲେ. ଆରେ ଏ ପିଲାଟିକୁ ତ ଜ୍ବର. ସେଥିରେ ଜନ୍ଦା, ପିମ୍ପୁଡ଼ି ମଧ୍ୟ ଠାଏ ଠାଏ କାମୁଡି ଦେଇଛନ୍ତି. ଦେଖୁନୁ ତା କଅଁଳ ମାଂସ ଗୁଡିକ କେମିତି ଖଣ୍ଡିଆ ହୋଇଯାଇଛି. ତୁରନ୍ତ ଚିକିତ୍ସା ନ କଲେ ପିଲାଟି ବୋଧେ ବଞ୍ଚିବନି. ତେଣୁ ଡକ୍ଟର ଅମ୍ଳାନ ତାଙ୍କ ଡ୍ରାଇଭର କୁ ପୁଣି ଥରେ ହସ୍ପିଟାଲ ଅଭିମୁଖେ ଗାଡ଼ି ଫେରାଇବାକୁ ନିର୍ଦ୍ଦେଶ ଦେଲେ. ଡ୍ରାଇଭର କହିଲା ସାର୍ ଇଏ ତ ପୋଲିସ କେଶ୍. ଆପଣ ପୋଲିସ ଓ ଚାଇଲ୍ଡ ଲାଇନ କୁ ଫୋନ୍ କରନ୍ତୁ. ନ ହେଲେ ଆମେ ଅସୁବିଧାରେ ପଡିବା.ଡକ୍ଟର ଅମ୍ଳାନ କହିଲେ ଜଣେ ଡକ୍ଟର ହିସାବରେ ମୋର ପ୍ରଥମ କର୍ତ୍ତବ୍ୟ ହେଉଛି ପିଲାଟିର ଜୀବନ ରକ୍ଷା କରିବା. କେଜାଣି କେତେବେଳ ଠାରୁ କିଏ ତାକୁ ଏଠାରେ ପକାଇ ଦେଇ ଯାଇଛି. ପ୍ରବଳ ଥଣ୍ଡା ଓ କାନ୍ଦି କାନ୍ଦି ପିଲାଟି ସେତେବେଳକୁ ଚେତାଶୂନ୍ଯ ହୋଇ ଯାଇଥାଏ.


 ଗାଡ଼ିରେ ବସି ଡକ୍ଟର ଅମ୍ଳାନ ତାଙ୍କ ସ୍ତ୍ରୀ ଙ୍କୁ ଫୋନ୍ କଲେ ପୁଣି ଥରେ ଗୋଟେ ଏମରଜେନସି କେଶ୍ ଆସି ଯାଇଛି. ରୋଗୀର ଜୀବନ ମରଣ କଥା. ତେଣୁ ତୁମେ ମୋ ପାଇଁ ଅପେକ୍ଷା ନକରି ଖାଇ ଦେଇ ଶୋଇପଡ. ମୋର କେତେ ବିଳମ୍ବ ହେବ କହି ହେବନି.ହସ୍ପିଟାଲ ପହଞ୍ଚି ଡକ୍ଟର ଅମ୍ଳାନ ପିଲାଟିକୁ ଶିଶୁ ମାନଙ୍କ ପାଇଁ ଥିବା ଆଇ. ସି.ୟୁ ରେ ଆଡମିସନ କରାଇଦେଲେ. ହେଲେ ୟେ କଣ ପିଲାଟିର ପଲ୍ସ ରେଟ୍ କମି କମି ଯାଉଛି. ତା ସହ ଜ୍ବର ମଧ୍ୟ ବଢୁଛି. ବୋଧହୁଏ ନିମୋନିଆ ହୋଇଗଲାଣି. ଡକ୍ଟର ଅମ୍ଳାନ ଓ ତାଙ୍କର ସମସ୍ତ ଷ୍ଟାଫ୍ ପିଲାଟିକୁ ବଞ୍ଚାଇ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କଲେ. ସାରା ରାତି ପରିଶ୍ରମ ପରେ ମଧ୍ୟ ପିଲାଟିର ଚେତା ଫେରି ନଥିଲା. କିନ୍ତୁ ନିଶ୍ବାସ ପ୍ରଶ୍ବାସ ଚାଲୁଥାଏ. ସକାଳ ହେବାରୁ ହସ୍ପିଟାଲର ଜଣେ ନର୍ସ ଡକ୍ଟର ଅମ୍ଳାନ ଙ୍କୁ କହିଲା ସାର୍ ଆପଣ ରାତି ସାରା ଅନିଦ୍ରା ଅଛନ୍ତି. ଘରକୁ ଯାଆନ୍ତୁ ଟିକେ ରେଷ୍ଟ ନେବେ. ଆମେ ମାନେ ସମସ୍ତେ ତ ଅଛୁ. ଆଉ ହସ୍ପିଟାଲର ଅନ୍ୟ ଡକ୍ଟର ମାନେ ମଧ୍ୟ ଅଛନ୍ତି.କିଛି ଅସୁବିଧା ହେଲେ ମୁଁ ଆପଣଙ୍କୁ ଫୋନ୍ କରି ଦେବି.


 ଡକ୍ଟର ଅମ୍ଳାନ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ପଚାରିଲେ ଏମିତି କି ଏମରଜେନସି କେଶ୍ ଆସିଗଲା ଯେ ତୁମେ ପୁଣି ରାସ୍ତାରୁ ଫେରିଗଲ.ଆଉ ତୁମ ମୁହଁ ମଧ୍ୟ ଶୁଖି ଯାଇଛି. ଡକ୍ଟର ଅମ୍ଳାନ ତାଙ୍କ ସ୍ତ୍ରୀ ଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି କହିଲେ, ବଞ୍ଚିବା ପାଇଁ ପିଲାଟିର ସଂଘର୍ଷ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି. ଏତେ ଥଣ୍ଡାରେ ଯେଉଁଠି ସୁସ୍ଥ ସବଳ ଲୋକ ମାନେ ନାନା ପ୍ରକାର ଗରମ ବସ୍ତ୍ର ପିନ୍ଧିବା ସତ୍ତ୍ବେ ଥରି ଯାଉଛନ୍ତି, ଏ ସଦ୍ୟ ଜାତ ପିଲାଟି କିନ୍ତୁ ବିନା ବସ୍ତ୍ରରେ ବସ୍ତା ଭିତରେ ବନ୍ଧା ହୋଇ ବଞ୍ଚି ରହିଥିଲା. ମୁଁ ତାକୁ ସେଠାରେ ସେମିତି ଛାଡି ଦେଇ କେମିତି ପଳାଇ ଆସି ଥାଆନ୍ତି କହିଲ ଦେଖି. ଟିକେ ରେଷ୍ଟ ନେଇ ଡକ୍ଟର ଅମ୍ଳାନ ପୁଣି ଥରେ ହସ୍ପିଟାଲ ଗଲେ. ପ୍ରଥମେ ପୋଲିସ ଓ ଚାଇଲ୍ଡ ଲାଇନ କୁ ପିଲାଟି ବିଷୟରେ ଖବର ଦେଲେ. ତାପରେ ପିଲାଟିର ଆତ୍ମୀୟ ସ୍ବଜନଙ୍କୁ ଖୋଜିବା ପାଇଁ ଚେଷ୍ଟା କଲେ. ସେଥିପାଇଁ ସେ ବିଭିନ୍ନ ଖବର କାଗଜ ଓ ଟି. ଭି. ରେ ମଧ୍ୟ ବିଜ୍ଞାପନ ଦେଲେ . 


 ହେଲେ ଦୀର୍ଘ ସାତ ଦିନ ବିତିଗଲେ ମଧ୍ୟ କେହି ଜଣେ ହେଲେ ମଧ୍ୟ ନିଜର କହିବା ପାଇଁ ପିଲାଟି ପାଖକୁ ଆସିଲେ ନାହିଁ. ଡକ୍ଟର ଅମ୍ଳାନ ଭାବିଲେ ସତରେ କଣ ଗୋଟେ ବାପା ମାଆ ପାଇଁ ନିଜ ପିଲାର ଜୀବନ ଏମିତି ଅଲୋଡା ହୋଇ ପାରେ? ଏଣେ ଶତ ଚେଷ୍ଟା ସତ୍ତ୍ବେ ମଧ୍ୟ ପିଲାଟିର ଚେତା ଫେରୁ ନଥାଏ.ଦୀର୍ଘ ଆଠ ଦିନର ଅକ୍ଳାନ୍ତ ପରିଶ୍ରମ ଓ ପିଲାଟିର ସଂଘର୍ଷ ପରେ ମଧ୍ୟ ଡକ୍ଟର ଅମ୍ଳାନ ଓ ତାଙ୍କ ଟିମ୍ ପିଲାଟିକୁ ବଞ୍ଚାଇବାରେ ବିଫଳ ହୋଇଥିଲେ. ମୃତ୍ୟୁ ନିକଟରେ ଜୀବନ ହାର୍ ମାନି ଯାଇଥିଲା. ଜୀବନ ଯୁଦ୍ଧରେ ପିଲାଟି ହାରି ଯାଇଥିଲା.ପୁଣି ଥରେ ଗୋଟେ ଅମୂଲ୍ୟ ଜୀବନ ଦୁନିଆର ସୂର୍ଯ୍ୟାଲୋକ ଦେଖିବା ପୂର୍ବରୁ ଅଲୋଡା ହୋଇ ଯାଇଥିଲା.


Rate this content
Log in

Similar oriya story from Tragedy