ଅଲକ୍ଷଣୀ ଓ ସୁଲକ୍ଷଣୀ
ଅଲକ୍ଷଣୀ ଓ ସୁଲକ୍ଷଣୀ


ବୋଉକୁ ନେଇ ସହରର ସେଇ ନାମୀ ବଡ଼ ଲୁଗା ଦୋକାନରେ ପହଞ୍ଚିଲା ପ୍ରବୀର, କିଛି କିଣାକିଣି ପାଇଁ।
ମଡ଼ର୍ଣ୍ଣ ଡ୍ରେସ ଓ ମେକପରେ ସଜ୍ଜିତା ଜଣେ ସୁନ୍ଦରୀ ଉଗ୍ରଆଧୁନିକା ମଧ୍ୟବୟସ୍କା ମହିଳା ସେମାନଙ୍କ ପାଖ ଦେଇ ଚାଲିଗଲେ।ମହମହ ବାସୁଥାଏ ଚାରିଆଡ଼ ତାଙ୍କ ଦେହରୁ ଆସୁଥିବା ଦାମୀ ଅତର ବାସ୍ନାରେ।
ଏକ ଟାଇଟ ଫିଇଟିଂ ଜିନ ଯାହାର କିଛି ଭାଗ ଚିରିଗଲା ଭଳି ଦିଶୁଥିଲା(ଦାମୀ ଏବଂ ଲାଟେଷ୍ଟ ଟ୍ରେଣ୍ଡ ଜିନ ବୋଲି ଯାହାକୁ କୁହାଯାଉଛି) ଏବଂ ଏକ ଛୋଟ ଟି ସାର୍ଟ ପିନ୍ଧିଥିଲେ ସେ।ଟି ସାର୍ଟ ଓ ପ୍ୟାଣ୍ଟ ମଧ୍ୟରେ ଚାଖଣ୍ଡେ ବ୍ୟବଧାନ।ପଛପଟ କଟି ଦେଶ ଏବଂ ସାମ୍ନା ଭାଗ ତଳିପେଟ ନାଭି ପାଖରେ ଥିବା ଦୁଇଟି ଟାଟୁ ସମ୍ପର୍ଣ୍ଣ ପରିଲକ୍ଷିତ ହେଉଥିବାରୁ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ସେ।କାନ୍ଧରେ ଗୋଟେ ଭ୍ୟାନିଟି ବ୍ୟାଗ।
ବୋଉର ବକ୍ର ଦୃଷ୍ଟିକୁ ଦେଖି ପ୍ରବୀର ଜାଣୁଥିଲା ତା ମନର ଭାଷା।ଟିକେ ଚିଡାଇବାକୁ କହିଲା,
-ତୋ ବୋହୁ ଅର୍ଥାତ ମୋ ପାଇଁ ଏମିତି ଗୋଟେ ମଡର୍ଣ୍ଣ ଝିଅ ଖୋଜିବୁ।।
ନାକକୁ ଟେକି କାମିନୀ କହିଲେ ,"ଛିଃ, ଅଲକ୍ଷଣୀ କେଉଁଠିକାର।ଏମିତିକା ବୋହୁ ଯେଉଁଠି ଥିବେ ସେ ଘରୁ ଲକ୍ଷ୍ମୀ ଛାଡ଼ିଯିବେ।'
ପ୍ରବୀର ମନେମନେ ହସିଲା ବହେ।
କିଣାକିଣି ସାରି ବିଲ ଦେବାକୁ କାଉଣ୍ଟରକୁ ଆସିଲା ବେଳକୁ ସେମାନଙ୍କ ଆଖିରେ ପଡ଼ିଲା ଗୋଟେ ଅଦ୍ଭୁତ ଦୃଶ୍ୟ।
ଟିକେ ଦୂରରେ ସେଇ ମହିଳା ଜଣଙ୍କ ଗୁଡ଼ାଏ ଦାମୀ ଶାଢ଼ୀ ସହିତ ପୁରୁଷ ଓ ମହିଳାଙ୍କ ଡ୍ରେସ ବାଛି କାଉଣ୍ଟରରେ ଠିଆ ହୋଇଥିଲେ।
ଦୋକାନ ମାଲିକ ନିଜ ଚାମ୍ବରରୁ ବାହାରି ଆସି ଦୁଇ ହାତ ଯୋଡି ମହିଳାଙ୍କୁ କହୁଥିଲେ,"ସାର ,ବର୍ତ୍ତମାନ ଫୋନ କରି କହିଲେ ଆପଣଙ୍କ ଆସିବା କଥା।ଆଗରୁ ଜାଣିଥିଲେ ଆପଣଙ୍କୁ ଆସିଲା ବେଳେ ପାରମ୍ପରିକ ସ୍ବାଗତ ଟିକେ କରି,ସାଙ୍ଗରେ ଲୋକ ପଠାଇ ଦେଇଥାନ୍ତି।କିଛି ଅସୁବିଧା ହୋଇନି ତ ?ପସନ୍ଦ ଆସିଲା କିଛି ?"
ଗୋଟେ ପୂଜା ଥାଳିରେ ଚନ୍ଦନ ସିନ୍ଦୁର ଆଣି ଜଣେ ସେଲସ ଗାର୍ଲ ସେ ମହିଳାଙ୍କ ମୁଣ୍ଡରେ ଲଗାଇଦେଲା ।
- ହଁ,ଭଲ ଲାଗିଲା ଆପଣଙ୍କ ଦୋକାନ।କେତେ ବିଲ ହେଲା ?"
- ଆମକୁ ଅପମାନିତ କରୁଛନ୍ତି ମ୍ୟାଡମ।ବିଲ କଣ ଦେବେ ?ଏହାକୁ ନିଜ ଦୋକାନ ବୋଲି ଭାବନ୍ତୁ।ସାରଙ୍କ ହାତରେ ସବୁକିଛି ଆମର ।ଏସବୁ ମ୍ୟାଡମଙ୍କ ଗାଡ଼ିରେ ରଖିବାର ବ୍ୟବସ୍ଥା କରିଦିଅ।" ମାଲିକ ଆଖିଠାରି କିଛି ଇସାରା କଲେ କ୍ୟାସିଅରକୁ। ଗୋଟାଏ ବିଡ଼ା ନୋଟ ଏକ ପ୍ୟାକେଟରେ ପୁରାଇ କ୍ୟାସିଅର ବଢ଼ାଇଦେଲେ ମାଲିକଙ୍କୁ।
କାନକୁ କୁଣ୍ଡାଇ ମାଲିକ ସନ୍ତର୍ପଣତାର ସହ ସେଇ ଟଙ୍କା ଭର୍ତ୍ତି ପ୍ୟାକେଟଟି ମହିଳାଙ୍କ ହାତରେ ଦେଉଦେଉ କହିଲେ,
-ପ୍ରଥମ ଥର ପାଇଁ ମା ଲକ୍ଷ୍ମୀଙ୍କର ପାଦ ପଡିଛି ଆମ ଦୋକାନରେ।ଏଇ ଛୋଟ ଦିବାଲୀ ଉପହାର ଆମ ତରଫରୁ।ସାରଙ୍କର ଓ ଆପଣଙ୍କର ଶୁଭଦୃଷ୍ଟି ଆମ ଉପରେ ଥାଉ।"
ପ୍ୟାକେଟଟି ନିଜ ଭ୍ୟାନିଟି ବ୍ୟାଗରେ ରଖି ଏକ ହସ ମୁହଁରେ ଖେଳାଇ, ଅଣ୍ଟାକୁ ସର୍ପିଳ ଭଙ୍ଗୀରେ ହଲାଇ ହଲାଇ ଚାଲିଗଲେ ମହିଳା ଜଣଙ୍କ।ପଛେ ପଛେ ଦୁଇଜଣ ଲୋକ ମ୍ୟାଡମ ସପିଙ୍ଗ କରିଥିବା ଲୁଗାପଟା ଧରି ବାହାରକୁ ଚାଲିଲେ।
-ସବୁତକ ମାଗଣାରେ ନେଇଗଲା ?ସାଙ୍ଗରେ ପୁଣି ଟଙ୍କା !।"
- ପାଟି ଚୁପ କର। ଏକଦମ ଲକ୍ଷ୍ମୀମନ୍ତ ଝିଅ।ଏମିତି ସୁଲକ୍ଷଣୀଟେ ବୋହୁ ରୂପରେ ମୋତେ ମିଳନ୍ତାନି?"
କହୁଥିଲେ କାମିନୀ।
ଦୀର୍ଘ ନିଶ୍ବାସ ନେଇ ପ୍ରବୀର କହିଲା,"ପୁଅ ବଡ଼ ହାକିମ ହୋଇ ବିଷ୍ଣୁ ହୋଇଥିଲେ,ତା ସ୍ତ୍ରୀ ଆପେଆପେ ଲକ୍ଷ୍ମୀ ହୋଇଯାଏ।"