STORYMIRROR

Er. Suchismita Satpathy

Tragedy

3  

Er. Suchismita Satpathy

Tragedy

ଅଲିଭା ଦାଗ (ଜନ୍ହର ଠିକଣା)

ଅଲିଭା ଦାଗ (ଜନ୍ହର ଠିକଣା)

3 mins
252

ଆଜି ହାରାନାନୀ ହରିଆର ଜନ୍ମଦିନ ପାଇଁ ସବୁ ଯୋଗାଡକରି ଏକ ମହମବତୀ ଧରି ତାକୁ ଜଗି ବସିଛି ଦୁଆର ମୁହଁରେ ଓ ସମସ୍ତଙ୍କୁ ଡାକୁଛି ତା ଜହ୍ନର ଜନ୍ମଦିନ ଭୋଜି ଖାଇବାକୁ । ଆଖିରୁ ତାର ଧାର ଧାର ଲୁହ ବହି ଚାଲିଛି । ଆଜିକୁ ଦୀର୍ଘ ସାତ ଦିନ ହେବ କୁଆଡେ ଯାଇଛି ତାର ଠିକଣା ନାହିଁ । ଗାଆଁ ଲୋକ ନିଆଁ ପାଣି ବନ୍ଦ କରିଦେଇଛନ୍ତି । କେମିତିବା ନକରନ୍ତେ ହରିଆଟା ସେମିତି କୁକର୍ମ କରିଯାଇଛି । ଏମିତି କଥା ହେଇ ହେଇ ସାଇ ପଡିଶା ହାରାନାନୀର ବାଡି ଦେଇ ଯାଉଛନ୍ତି । ସେ ସବୁ ଶୁଣୁଛି ମାତ୍ର ପଥରଟି ପରି ବସି ରହିଛି । 

ପ୍ରତ୍ୟକ ଦିନ ସକାଳୁ ସୂର୍ଯ୍ୟ ଉଦୟ ନହେଉଣୁ ଉଠି ରାତି ଅଧ ଯାକେ ଯାହାର ଫାଟି ବନ୍ଦ ନଥାଏ ତାର ଆଜି ପାଟି ଫିଟୁନି । ସାଇ ପଡିଶା ଦୁଇପଦ କଥା କି ମୁହଁ ଉଠେଇ ଚାହିଁ ବା ବି ଯେଉଁଠି କଷ୍ଟ ଥିଲା ଆଜି ଛି ଛାକର କରୁଛନ୍ତି । 

ହାରା, କହିବାକୁ ଗଲେ ତାର କେହି ନାହିଁ । ଏକ ବିଧବା ସ୍ତ୍ରୀ ଲୋକ । ହରିଆ ଚାରି ବର୍ଷର ହୋଇଥାଏ ସ୍ୱାମୀ ଛାଡି ଚାଲିଗଲେ । ବନ୍ଧୁ ବାନ୍ଧବ ଯେ ଯୁଆଡେ ମୁହଁ ମୋଡିଲେ । ରହିଗଲା ଏକା ସେ ଓ କିଛି ସମ୍ପତ୍ତି ବାଡି । ସେହି ସମ୍ପତ୍ତିକୁ ଦେଖି କିଛି ପାଟି କାମୁଡି ପଡିଥିଲେ ମାତ୍ର ଯେତେବେଳେ ଜାଣିଲେ ସବୁ ସମ୍ପତ୍ତିକୁ ହାରାନାନୀ ହରିଆ ନାଁରେ କରିଦେଇଛି ତ ସମସ୍ତେ ପଳେଇଲେ । ହରିଆକୁ ହିଁ ମଣିଷ କରିବ ବୋଲି ହାରା ସଂକଳ୍ପ ନେଇଥିଲା । ପିଲାଟି ଦିନରୁ ତାକୁ ସବୁ ଦୁଃଖ କଷ୍ଟରୁ ଦୂରରେ ରଖିଥିଲା ସେ । ଗାଆଁ ଚାଟଶାଳୀକୁ ପାଠ ପଢେଇବାକୁ ପଠେଇଲା । ସେ ମଧ୍ୟ ମନ ଦେଇ ପାଠ ପଢୁଥିଲା । କୂଳବଂଶରେ କେହି ନଥିବାରୁ ହରିଆକୁ ସେ ଜହ୍ନର ଆଖ୍ୟାଦେଇଥିଲା । ସଦା ସର୍ବଦା ହରିଆକୁ ବୁଝାଏ ଓ କହିହୁଏ,ଜହ୍ନ ମାମୁଁ ଯେମିତି ଉଜ୍ୱଳ ତୁ ସେମିତି ଉଜ୍ୱଳ ହେବୁ । ଆମ ଘରର ମାନ ସମ୍ମାନ ରଖିବୁ । ପାଠ ପଢି ଭଲ ମଣିଷ ହେବୁ । ବଡ ଗାଡି ଚଢିବୁ । ମୁଁ ଏଇଠି ବସି କହିବି ଆରେ ସମସ୍ତେ ଦେଖ ମୋ ଜହ୍ନ କେମିତି ଆକାଶର ଜହ୍ନ ପରି ରାତିରେ ବି ଚକଚକ୍ କରୁଛି । ପ୍ରତ୍ୟକ ଦିନ ହାରାନାନୀ ହରିଆକୁ ଏକଥା ବୁଝାଏ । 

ମାତ୍ର ହରିଆ କିନ୍ତୁ ଗାଆଁ ପିଲାଙ୍କ ସାଥିରେ ପଡି ଆଉ ପାଠ ପଢିଲା ନାହିଁ । ଦଶମ ଶ୍ରେଣୀରେ ଫେଲ ହେଲା । ତାପରେ ଯେତେ କହିଲେ ବି ଆଉ ପରୀକ୍ଷା ଦେବାପାଇଁ ରାଜି ହେଲା ନାହିଁ । ପ୍ରତିବର୍ଷ ହରିଆର ଜନ୍ମଦିନ ବହୁତ ଧୂମଧାମରେ ପାଳନ କରେ ହାରାନାନୀ । ଗାଆଁ ସାଇଭାଇଙ୍କୁ ଖାଇବାକୁ ଦିଏ । ସମସ୍ତଙ୍କୁ କୁହେ ମୋ ଜହ୍ନକୁ ଆଶିର୍ବାଦ କର ସେ କେମିତି ଭଲ ମଣିଷ ହେଉ । ସମସ୍ତେ ମଧ୍ୟ ତାକୁ ଆଶିର୍ବାଦ ଦେଇ କୁହନ୍ତି, ତୁ ମଣିଷ ପରି ମଣିଷଟେ ହେଇ ତୋ ମାଆର ଦୁଃଖ ଲାଘବ କରି ରାତିର ଚନ୍ଦ୍ର ପରି ସାରା ପୃଥିବୀକୁ ଆଲୋକିତ କର । 

ମାତ୍ର ଏହା କେବଳ ସ୍ୱପ୍ନରେ ରହିଗଲା,ଯେତେବେଳେ ହାରାନାନୀ ଶୁଣିଲା ଗାଆଁର କେଉଁ ଏକ ଅଜାତି ଝିଅକୁ ନେଇ ହରିଆ କୁଆଡେ ପଳେଇଛି । ଗାଆଁ ଲୋକ ବହୁତ ଛି ଛାକର କଲେ । ହାରାନାନୀକୁ ନିଆଁପାଣି ବାସନ୍ଦ କଲେ । 

ସେବେଠାରୁ ଆଜିକୁ ସାତଦିନ ହେବ ମହମବତୀ ଧରି ସେଇ ଦୂଆର ମୁହଁଟାରେ ବସି ରହିଛି । ପାଟିକୁ ଦାନା କି ଜଳ ମଧ୍ୟ ସ୍ପର୍ଶ କରିନାହିଁ । ଶରୀର କ୍ଷୀଣ ହୋଇ ଆସିଲାଣି । ସେଦିନ ରାତିରେ ପୂର୍ଣ୍ଣିମାର ଜହ୍ନ ତାର ଶୀତଳ କିରଣ ବିଛୁରିତ କରୁଥାଏ, ହାରାନାନୀକୁ ଲାଗିଲା ଯେମିତି ତା ହରିଆ ଆସିଛି । ହଠାତ ବଡ ପାଟି କରି ଧାଇଁଲା, ଦେଖ ମୋ ଜହ୍ନ ଆସିଛି । ଆଜି ପରା ତାର ଜନ୍ମଦିନ । ଏହା କହି ଦୁଆର ମୁହଁରୁ ତଳକୁ ଯାଇଛିକି ନାହିଁ ଝୁଣ୍ଟିପଡିଲା । ସେଇଠି ସେ ତାର ଶେଷନିଃଶ୍ୱାସ ତ୍ୟାଗ କଲା । ତାର ପ୍ରାଣ ବାୟୁ ଜହ୍ନର ସେଇ ଶୀତଳ କିରଣ ସହ କେଉଁ ଏକ ଅଜଣା ରାଇଜକୁ ଫେରିଗଲା । ନାଁ ତା ଜହ୍ନ ଆସିଲା, ନାଁ ତା ଜହ୍ନର ଠିକଣା ପାଇଲା ।



Rate this content
Log in

Similar oriya story from Tragedy