Kalyani Nanda

Tragedy

2.5  

Kalyani Nanda

Tragedy

ଅଲିଭା ଚପଳା

ଅଲିଭା ଚପଳା

9 mins
472


ଶୀତ ସକାଳର କଅଁଳ ଖରା ଧିରେ ଧିରେ ସମସ୍ତଙ୍କୁ ଆମୋଦିତ କରୁଥାଏ । ଶୀତ ଦିନେ ଖରାର ଉଷୁମ ଛୁଆଁ ସତରେ କେତେ ଭଲ ଲାଗେ । ମୁଁ ପ୍ରାତଃ ଭ୍ରମଣ ସାରି ଫେରିଲା ବେଳକୁ ଖରା ଆସି ଯାଇଥାଏ । ଶୀତ ଦିନେ ଭୋର ପାଞ୍ଚଟା ବେଳକୁ ପ୍ରାୟ ଅନ୍ଧାର ଥାଏ । ତେଣୁ ଶୀତ ଦିନେ ମୁଁ ଅନ୍ଯ ଦିନ ଅପେକ୍ଷା ଟିକିଏ ଡେରିରେ ପ୍ରାତଃ ଭ୍ରମଣ ପାଇଁ ବାହାରେ । ତେଣୁ ଫେରୁ ଫେରୁ ଟିକିଏ ଡେରି ହୋଇଯାଏ ।ଆଜି ବି ଖରା ଆସିଗଲାଣି । ଘର ପାଖରେ ପହଞ୍ଚି ଗେଟ ଟା ଖୋଲିବାକୁ ଗଲା ବେଳେ ଦେଖିଲି ଛଅ , ସାତ ବର୍ଷର ଏକ ସୁନ୍ଦର, ଗୋରା ହୋଇ ଦୁର୍ବଳ ଶରୀରର ଝିଅଟିଏ ଆମ ଗେଟ ପାଖରେ ଭିତରକୁ ଏକ ଲୟରେ ଅନାଇ ଛିଡା ହୋଇଛି । ମୁଁ ଜାଣି ପାରିଲିନି କିଏ ଏଇ ଛୋଟ ଝିଅଟି ? କାହା ଘରର ଝିଅ ? କେବେ ତ ଦେଖିନି ? ପଚାରିଲି, " ଏ ଝିଅ , କିଏ ତୁ ? ଏଠି କଣ କରୁଛୁ ? ତୋ ଘର କୋଉଠି ? " ହଠାତ ଝିଅଟି ଚମକି ପଡି ମୋ ଆଡେ ଚାହିଁଲା । ଇସ୍ପାତ କି ସୁନ୍ଦର ଭସା ଭସା ଆଖି ଦିଓଟି ତାର । ଆଖି ଦୁଇଟି ଯେମିତି ତାର କଥା କହୁଛି । ଆଖି ଦୁଇଟିରେ ଯେମିତି ଧରାର ସମସ୍ତ ସୌନ୍ଦର୍ଯ୍ଯ ଭରିରହିଛି । ଏକ ଅଦ୍ଭୁତ ଆକର୍ଷଣରହିଛି ତା ଆଖିରେ । ଯିଏ ବି ଦେଖିବ ଘଡିଏ ଚାହିଁରହିବ ତାକୁ । କ୍ଷଣିକ ପାଇଁ ମୁଁ ତା ଆଖିର ମାୟାରେ ପଡିଗଲି। " ନା, ଏମିତି ଛିଡା ହୋଇଥିଲି ।ଆମ ଘର ଏଇ ପାଖରେ । " " ତୋ ନାଁ କଣ ? " " ଅଲିଭା ଚପଳା ନାୟକ । ଘରେ ମୋତେ ଲିପୁନ ବୋଲି ଡାକନ୍ତି । " ଏତିକି ବେଳେ ଦୂରରୁ ତାକୁ କେହି ଡାକିବାର ଶୁଣି ମୁଁ ଦେଖିଲି ଆମ ଘର ପାଖ ଦୁଇଟି ଘର ଛାଡି ଆଉ ଏକ ଘର ପାଖରେ ଜଣେ ସୁନ୍ଦର , ପତଳା, ଗୋରା ହୋଇ ଜଣେ ଭଦ୍ର ମହିଳା ଲିପୁନକୁ ଡାକୁଥିଲେ । " ଆସୁଛି ମାଁ " କହି ଲିପୁନ ମୋ ଆଡେ ଥରେ ଦେଖି ଦୌଡି ଚାଲିଗଲା । ମୁଁ ଗେଟ ଖୋଲି ଘର ଭିତରକୁ ଗଲି । ଜୋତା ବାହାର ବାରନ୍ଦାରେ ଖୋଲି , ହାତର ବାଡିକୁ କବାଟ କଣରେରଖି ବାରନ୍ଦାରେ ପଡିଥିବା ଚେୟାରରେ ବସିଲି । କିଛି ସମୟ ପରେ ମୋ ସ୍ତ୍ରୀ ସୁଲୋଚନା ଦି କପ ଚା ନେଇ ଆସିଲେ । " ଆରେ ସୁଲୁ, ତୁମେ କେମିତି ଜାଣିପାର ମୋ ଫେରି ଆସିବା ?" ସବୁଦିନ ମୁଁ ଯେମିତି ପ୍ରାତଃ ଭ୍ରମଣ ସାରି ଫେରିବା ପରେ ଚେୟାରରେ ବସିବାର କିଛି ସମୟ ପରେ ସୁଲୁ ଚା ନେଇ ଆସନ୍ତି , ଆଉ ଆମେ ଦୁହେଁ ମିଶି ଏକାଠି ସକାଳ ଚା'ର ଆନନ୍ଦ ନେଉ ।


ଆମ ଘର ସାମନାରେ ଥିବା ଛୋଟ ବଗିଚାର ସୌନ୍ଦର୍ଯ୍ଯ ଉପଭୋଗ କରୁ। ବଗିଚାଟି ସୁଲୁଙ୍କ ହାତର କରାମତି । ଗଛ, ଫୁଲ , ପତ୍ର ପ୍ରତି ସୁଲୁ ଙ୍କର ଏକ ଅହେତୁକ ଆକର୍ଷଣ । ଗଛ ଲଗାଇବା ତାଙ୍କର ଏକ ସଉକ । ମୋ ଚାକିରୀ ସମୟରେ ପ୍ରତି ଦୁଇ, ତିନି ବର୍ଷରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ବଦଳି ହେଉଥାଏ । ସବୁଠି ଯଦି ସୁଲୁଙ୍କୁ ଗୋଟିଏ ଛୋଟ ଜାଗାଟିଏ ବି ବଗିଚା ପାଇଁ ମିଳିଗଲେ ସୁଲୁ ବହୁତ ଖୁସି ହୋଇଯାଆନ୍ତି । ସେଇ ଛୋଟ ଜାଗାରେ ବି ସୁନ୍ଦର ବଗିଚା ଟିଏ କରନ୍ତି । କିଛି ନ ହେଲେ ମାଟି କୁଣ୍ଡରେ ଗଛ ଲଗେଇଥାଆନ୍ତି । ମାଁ ଟିଏ ସନ୍ତାନର ଯତ୍ନ ନେଲା ପରି ଗଛର ଯତ୍ନ ନିଅନ୍ତି। ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଗଲା ବେଳେ ଗଛକୁ ଗୁଡିକ ଖୁବ୍ ସାବଧାନତା ସହ ନିଅନ୍ତି । ମୋ ଅବସର ନେବାର ବହୁ ଆଗରୁ କଟକରେ ଜମି ଖଣ୍ଡେ କିଣି ପକେଇ ଦେଇଥିଲି । ଛୁଆ ମାନଙ୍କର ପଢାପଢି ସରିବା ପରେ ଘର ଟିଏ ବି କରିଥିଲି । ସେତେବେଳେ ସୁଲୁ ଙ୍କ ସଉକ ଜାଣି ଘର ଆଗରେ କିଛି ଜାଗା ତାଙ୍କ ବଗିଚା ପାଇଁ ଛାଡିଥିଲେ । ସେ ଟିକକ ଜାଗା ସୁଲୁ ଙ୍କ ପରିଶ୍ରମରେ ଗୋଟିଏ ଛୋଟିଆ ଲନ ଓ କେତୋଟି ସୁନ୍ଦର ଫୁଲ ଗଛରେ ଭରିଛି । ମାଟି କୁଣ୍ଡରେ ବି ଫୁଲଗଛ ଭର୍ତ୍ତି । କୁଣ୍ଡ ଗୁଡିକରେ ବେଶି ଭାଗ ଗୋଲାପ ଗଛ। ଗୋଲାପ ଫୁଲ ସୁଲୁ ଙ୍କ ଭାରି ପ୍ରିୟ । ବିଶେଷ କରି ହଳଦିଆ ଗୋଲାପ । ମୋର ଦୁଇଟି ଛୁଆ। ପୁଅଟିଏ, ଝିଅଟିଏ ।ସେ ଦୁହେଁ ପାଠ ପଢି ଚାକିରୀ କଲାପରେ ବାବାସାହେବ ହୋଇ ନିଜ ଘର ସଂସାରରେ ବ୍ଯସ୍ତ । ମଝିରେ ମଝିରେ ଛୁଟି ନେଇ ନିଜ ଛୁଆ ପିଲାଙ୍କ ସହ ଆସନ୍ତି । ସେତେବେଳେ ଘର ବେଶ ଗହଳ ଚହଳରୁହେ । ସୁଲୁ ତାଙ୍କ ନାତି, ନାତୁଣୀଙ୍କ ଯତ୍ନ ନେବା ସାଥେ ସାଥେ ଫୁଲଗଛ ପ୍ରତି ବି ନଜର ଥାଏ । ଏମିତି ଭାବରେ ଆମେ ଦୁଇ ପ୍ରାଣୀ ନିଜ ଘରେ ଥାଉଁ ଓ ସୁଲୁ ବି ଘରକାମ ଓ ନିଜ ବଗିଚାକୁ ନେଇ ଖୁସିରେ ଥାଆନ୍ତି ଆଉ ମୁଁ ତାଙ୍କ ଖୁସିରେ ଖୁସି ଥାଏ ।


ପରଦିନ ମୁଁ ପ୍ରାତଃ ଭ୍ରମଣରୁ ଫେରି ଆମ ଗେଟ ପାଖରେ ସେଇ ଝିଅକୁ ଦେଖି ବେଶ ଖୁସି ହେଲି । ଝିଅଟି ସେଦିନ ନୀଳରଂଗର ଫ୍ରକ ଉପରେ କଳାରଂଗର ସ୍କେଟର ପିନ୍ଧିଥାଏ। ମଥାରେ ଟୋପି, ଗୋଡରେ ଜୋତା, ମୋଜା ।କଣ୍ଢେଇ ଟିଏ ପରି ଲାଗୁଥାଏ । ମୋ ମନରେ କୌତୁହଳ ହେଲା , କଣ ପାଇଁ ଝିଅଟି ଆମ ଘରକୁ ଆସୁଛି । କଣ ଦେଖୁଛି ସିଏ ?ମୁଁ ଆଜି ତାକୁ ଘର ଭିତରକୁ ଡାକିଲି । ପଚାରିଲି, " ତୁ ଆମ ଘରକୁ ଆସି କଣ ଦେଖୁ ?"" କିଛି ନାଇଁ ଅଙ୍କଲ । ତୁମ ବଗିଚାଟି କେତେ ସୁନ୍ଦର। କେତେ ସୁନ୍ଦର ଫୁଲ ଗଛ । ଫୁଲ ଉପରେ କେତେ ସୁନ୍ଦର ପ୍ରଜାପତି । ମୋତେ ଫୁଲ ଆଉ ପ୍ରଜାପତି ଖୁବ ଭଲ ଲାଗେ । ମୋତେ ବି ମନ ହୁଏ ପ୍ରଜାପତି ହୋଇ ଉଡି ବୁଲିବାକୁ ।" ଏକା ଥରକେ ଏତେ କଥା କହିଗଲା ସେ ।ତା ଭସା ଭସା ଆଖିରେ ଏକ ମୁଗ୍ଧ ଚାହାଣୀ । ମୁଁ ଗେଟ ଖୋଲି ତାକୁ ଭିତରକୁ ଡାକିଲି । ଲିପୁନ ବୋଧେ ସଂକୋଚ କରୁଥିଲା । ମୁଁ ତା ହାତ ଧରି ଭିତରକୁ ନେଇ ଆସିଲି । ତାକୁ ବାରନ୍ଦାରେ ଚେୟାରରେ ବସାଇ ଦେଲି। ଚେୟାରରେ ବସି ସେ ମନଭରି ଆମ ବଗିଚାକୁ ଦେଖୁଥାଏ । ତା ଆଖିରେ ଖୁସିର ଝଲକ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଥାଏ । ହଠାତ ସେ କହିଲା, " ଅଙ୍କଲ , ମୁଁ ତୁମ ଲନରେ ଟିକିଏ ବସିବି ? ଗଛ , ଫୁଲ କିଛି ବି ଛୁଇଁବିନି । କଅଁଳ ଘାସ ଉପରେ ବସି ଫୁଲ, ପ୍ରଜାପତି ଦେଖିବି । "ମୁଁ ତାର ଭଦ୍ରୋଚିତ ବ୍ଯବହାର ଦେଖି ପ୍ରଥମେ ଆଶ୍ଚର୍ଯ୍ଯ ହେଲି । ଏତେ ଟିକିଏ ଛୋଟ ଛୁଆ, ଅଥଚ କେତେ ଭଦ୍ର, କେତେ ଶାଳୀନ ବ୍ଯବହାର । ସତରେ ମାଁ, ବାପା ତାକୁ ଭଲ ସଂସ୍କାର ଦେଇଛନ୍ତି ।ନ ହେଲେ ତା ବୟସର ଅନ୍ଯ ଛୁଆମାନେ ଆସିଲେ ଏମିତି ଉତ୍ପାତ ହୁଅନ୍ତି ଯେ, ସୁଲୁ ସେତେବେଳେ ନିଜ ବଗିଚା ପ୍ରତି ଭାରି ସତର୍କରୁହନ୍ତି ।ଏତିକି ବେଳେ ସୁଲୁ ଚା ନେଇ ଆସିଲେ । ତାଙ୍କ ଦୃଷ୍ଟି ଲିପୁନ ଉପରେ ଯେମିତି ପଡିଛି ସଂଗେ ସଂଗେ କହି ଉଠିଲେ, " ଆରେ , ଆରେ ସେ ଛୁଆଟିଏ କିଏ ?କାହା ଘରର ? ସେ ଭିତରକୁ କେମିତି ଆସିଲା? ପୁଣି ଲନରେ ଯାଇ ବସିଛି । ମୋ ଗଛ, ଫୁଲ ଯଦି ଛିଣ୍ଡାଇ ଦିଏ , ତେବେ ତ କଥା ସରିଲା ।" ମୁଁ ତାଙ୍କୁ ଆଶ୍ବାସନା ଦେଇ , ଲିପୁନ ବିଷୟରେ ସବୁ କହିଲି । ସୁଲୁ ବୋଧେ ମୋ କଥାରେ ଆଶ୍ବସ୍ତ ହେଲେ । ଏତିକି ବେଳେ ଲିପୁନ ଆସି ସୁଲୁଙ୍କୁ ଜୁହାର ହେଲା ଆଉ କହିଲା, " ମୁଁ ଯାଉଛି ଅଙ୍କଲ। ମାଁ ଖୋଜୁଥିବ।କାଲିକି ପୁଣି ଆସିବି ।"ଏତିକି କହି ଲିପୁନ ଚାଲିଗଲା। ଲିପୁନ କୁ ଦେଖି, ତା କଥାବାର୍ତ୍ତା ଶୁଣି ସୁଲୁ ବି ମୋ ଭଳି ତା ପ୍ରତି ଆକର୍ଷିତ ହୋଇଥିଲେ । ସୁଲୁ ଚା କପ ଟି ନେଇ ଚାଲିଗଲେ ଘର ଭିତରକୁ । ମୁଁ ବି ଖବର କାଗଜ ପଢିବାରେ ମନ ଦେଲି।


ଏମିତି ପ୍ରାୟ ସବୁଦିନ ଲିପୁନ ଆମ ଘରକୁ ଲଗାତାର ଆସୁଥାଏ । ଛୁଆଟା ପ୍ରତି ଆମ ଦୁଇଜଣଙ୍କର କେମିତି ମାୟା ହୋଇଯାଇଥାଏ । ସୁଲୁ ବି ଯେତେବେଳେ ଯାହା ଭଲ ମନ୍ଦ କରନ୍ତି ତାକୁ ନିଶ୍ଚିତ ଖୁଆଇ ଛାଡନ୍ତି । ଲିପୁନ ବି ଆମ ଦୁଇ ଜଣଙ୍କୁ ଭାରି ଭଲ ପାଉଥାଏ । ସୁଲୁଙ୍କ ଅନୁମତି ନେଇ ସେ କିନ୍ତୁ ପ୍ରତିଦିନ ଲାଲ ନ ହେଲେ ଧଳା ଗୋଲାପ ଟିଏ ନେଇ ଯାଏ । ସୁଲୁ କୁଣ୍ଡରେ ଟିକିଏ ଭଲ ଜାତିର ଗୋଲାପ ଲଗାଇ ଥିଲେ ଆଉ ଦେଶି ଗୋଲାପ ,ଯେମିତି ଧଳା, ନାଲି, ଗୋଲାପିରଂଗର ଗୋଲାପ ଲନ କଡେ କଡେ ପାଚେରୀ ପାଖରେ ଲଗାଇଥିଲେ ।ସେଇ ଗଛ ଗୁଡିକରେ ଫୁଲ ବେଶି ଫୁଟେ, ତେଣୁ ସେଥିରୁ ଗୋଟିଏ, ଦିଟା ଗୋଲାପ ଲିପୁନ କୁ ସବୁଦିନ ଦିଅନ୍ତି । ଲିପୁନ ସବୁଦିନ ଠାକୁର ପୂଜା ପାଇଁ ସବୁଦିନ ସେଇ ଗୋଲାପ ନେଇକି ଯାଏ।ସୁଲୁ କିନ୍ତୁ ତାକୁ ବାର ବାର କରି କୁଣ୍ଡର ଗୋଲାପ ଫୁଲ ଛିଣ୍ଡାଇବାକୁ ବାରଣ କରିଥାନ୍ତି ।


ଦିନେ ହଠାତ ପ୍ରାତଃ ଭ୍ରମଣରୁ ଫେରି ଦେଖେ ତ ଲିପୁନ ଆମ ଗେଟ ପାଖରେ ନାହିଁ। ସବୁଦିନ ସକାଳ ବେଳା ମୁଁ ଫେରିବା ସମୟରେ ଗେଟ ପାଖରେ ଛିଡା ହୋଇଥିବ । ଘର ଭିତରକୁ ବି ଯାଏନି। ମୁଁ ଆସିଲେ ଗେଟ ଖୋଲି , ମୋ ହାତ ଧରି ଭିତରକୁ ଯିବ । ସେଦିନ ଏକ ବ୍ଯତିକ୍ରମ ଦେଖି ମୁଁ ଭାବିଲି , ଆଜି ବୋଧେ ଘର ଭିତରକୁ ଯାଇ ତା ଆଣ୍ଟି ସାଂଗରେ ବସିଥିବ । କିନ୍ତୁ ଘର ଭିତରକୁ ଯାଇ ଦେଖିଲି, ସୁଲୁ ପାଖରେ ବି ସେ ନ ଥିଲା । ମନଟା ମୋର ବଡ ଅସ୍ଥିର ଲାଗିଲା । ଛୁଆଟା ସାଂଗରେ କଥା ଦି ପଦ ହେଲେ ମୋ ମନଟା ବେଶ ହାଲୁକା ହୋଇ ଯାଏ । ଛାଡ, କଣ ଅସୁବିଧା ହୋଇଥିବ ଭାବି ମନକୁ ବୁଝାଇ ଖବରକାଗଜ ନେଇ ପଢିବାକୁ ବସିଲି । କିନ୍ତୁ ତା ପର ପର ଦୁଇ ଦିନ ଧରି ଲିପୁନ ଆସିଲାନି । ସେ ଛୋଟ ଛୁଆଟିଏ ପ୍ରତି ମୋର ଓ ସୁଲୁ ଙ୍କ କେମିତି ଏକ ସ୍ନେହ ହୋଇଯାଇଥିଲା । ସୁଲୁ ଆଉରହି ପାରିଲେନି । ମୋତେ ଆସି କହିଲେ , " ହଳଦିଆ ଗୋଲାପ ଗଛରେ ପ୍ରଥମ କରି ଫୁଲ ଫୁଟି ଆସୁଥିଲା । ତାକୁ ଲିପୁନ ଛିଣ୍ଡାଇ ଦେଇ ଥିଲା ବୋଲି ମୁଁ ଟିକିଏ ତା ଉପରେ ବିରକ୍ତ ହୋଇଥିଲି । ସେଥିପାଇଁ କି ସେ ଆଉ ଆସୁନି ? ତୁମେ ଟିକିଏ ତାଙ୍କ ଘରକୁ ଯାଇ ଛୁଆଟାକୁ ବୁଝାଇ ସିଝାଇ ନେଇ ଆସ । ସେ ଆସୁନି ବୋଲି ଭଲ ଲାଗୁନି ।" ମୋର ମନେ ପଡିଲା , ହଁ ତ ସେଦିନ ମୋ ଘରକୁ ଫେରିବା ବେଳେ ଲିପୁନ କୁ ଆମ ଘରୁ ମୁହଁ ଶୁଖାଇ , ହାତରେ ହଳଦିଆ ଗୋଲାପ ଟିଏ ଧରି, ମୁହଁ ଶୁଖାଇ , କିଛି କଥାବାର୍ତ୍ତା ନ କରି ବାହାରିଗଲା ।ମୋ ଆଡେ ଦେଖିଲା ନି କି କଥା ପଦେ ବି ହେଲାନି । ଆଉ ତା ପର ଦିନଠୁ ସେ ଆଉ ଆସିନି। ମନଟା ମୋର ଗୋଳାଇ ଘାଣ୍ଟି ହେଲା । ଆହା, ଛୁଆଟା ମନ ଦୁଃଖ କରିଥିବ । ଯାଏ ତାଙ୍କ ଘର ଆଡୁ ଥରେ ଘୁରି ଆସେ । ଆଉରହି ପାରିଲିନି । ସାଂଗେ ସାଂଗେ ବାହାରିଲି । ତାଙ୍କ ଘର ପାଖରେ ପହଞ୍ଚି ଦେଖିଲି ତାଙ୍କ ଘରେ ତାଲା ପଡିଛି । ଆଶ୍ଚର୍ଯ୍ଯ ହେଲି । କୁଆଡେ ଗଲେ ଏମାନେ ? ତାଙ୍କ ପାଖ ଘରକୁ ଯାଇ ପଚାରିଲି । ସେମାନେ କହିଲେ, ଲିପୁନର ଦେହ ଭଲ ନଥିଲା,ତାକୁ ନର୍ସିଂ ହୋମର ଭର୍ତ୍ତି କରିଛନ୍ତି । ଏତିକି ବେଳେ ଲିପୁନର ବାପା ତାଙ୍କ ଗାଡିରୁ ଓହ୍ଲାଇ ତାଙ୍କ ଘରକୁ ଯାଉଥିଲେ । ମୁଁ ସାଂଗେ ସାଂଗେ ତାଙ୍କ ପାଖକୁ ଯାଇ ପଚାରିଲି, " ନାୟକ ବାବୁ, ଲିପୁନର କଣ ହୋଇଛି ? ଦି ଦିନ ହେଲା ଆମ ଘରକୁ ଯାଇନି ।ମନଟା ବ୍ଯସ୍ତ ହେବାରୁ ଚାଲି ଆସିଲି ବୁଝିବାକୁ ।" ଲିପୁନର ବାପାଙ୍କ ମୁହଁ ଶୁଖି ଯାଇଥାଏ । କହିଲେ, " ଲିପୁନ ଦେହ ଭୀଷଣ ଖରାପ । ତାର ହାର୍ଟରେ ସମସ୍ଯା ଅଛି । ତେଣୁ ତାର ଚିକିତ୍ସା ଚାଲିଛି । ତା ଦେହ ଟିକିଏ ଭଲ ହେଲେ ଭୋଲୋର ନେଇକି ଯିବୁ । ସେଇଠି ତା ଚିକିତ୍ସା କରାଇବୁ । " ମୁଁ ତାଙ୍କ କଥା ଶୁଣି ସ୍ଥାଣୁ ପାଲଟି ଯାଇଥାଏ । କଣ କହିବି ଭାବି ପାରୁ ନ ଥାଏ । ମୋ ଭିତରୁ କୋହ ଉଠୁଥାଏ । ହାତ, ଏବଡ ବକଟେ ଛୁଆ , ଦୁନିଆ କଣ ଜାଣିନି । ତାକୁ ଭଗବାନ ଏତେ ବଡରୋଗ ଟେ କାହିଁକି ଦେଲେ । ନାୟକ ବାବୁ ଘରକୁ କଣ ନେବା ପାଇଁ ଆସିଥିଲେ । ଘରେ ତାଲା ପକାଇ ଯେତେବେଳେ ସେ ବାହାରିଲେ ,ମୁଁ ବି ତାଙ୍କ ସାଂଗରେ ବାହାରିଲି । ନର୍ସିଂ ହୋମର ବେଡରେ ଲିପୁନ ଶୋଇଥିଲା। ମୁହଁଟି ତାର ଶୁଖି ଯାଇଥାଏ। ମୋତେ ଦେଖି ଖୁସି ହୋଇ କହିଲା, " ଅଙ୍କଲ, ତୁମେ ଏକା ଆସିଛ ? ଆଣ୍ଟି ଆସି ନାହାନ୍ତି ?" ମୁଁ ଏକା ଆସିଛି କହିବାରୁ ତା ମୁହଁ ଶୁଖିଗଲା । କହିଲା," ମୁଁ ଜାଣିଛି ଆଣ୍ଟି ମୋ ଉପରେ ଏବେ ବିରାଗିଛନ୍ତି । ମୁଁ ବି ତ ନ ପଚାରି ତାଙ୍କ ଫୁଲ ଛିଣ୍ଡାଇ ଥିଲି ।" " ନାରେ ମାଁ ,ତୋ ଆଣ୍ଟି ତୋ ଉପରେ ଆଉରାଗିନି। ତୁ ଯାଉ ନ ଥିଲୁ ଯେ ତୋତେ ଖୋଜୁଥିଲା । ତୋ କଥା ମନେ ପକାଉଥିଲା । ତୋ ଦେହ ଖରାପ ହେବା କଥା ବି ସେ ଜାଣିନି ।" ମୁଁ କହିଲି ।" ସତରେ ଅଙ୍କଲ, ଆଣ୍ଟି ମୋତେ ଖୋଜୁଥିଲେ ? ଜାଣିଛ ଅଙ୍କଲ, ଆଣ୍ଟି ମୋତେ କୁଣ୍ଡରେ ଫୁଟିଥିବା ଫୁଲ ମୋତେ ଦେବେନି ବୋଲି ମୁଁ ଜାଣିଥିଲି। ସବୁଦିନ ମୁଁ ଧଳା ନ ହେଲେ ନାଲି ଗୋଲାପ ଠାକୁରଙ୍କୁ ଦେଉଥିଲି । ହେଲେ ..."ଏତିକି କହି ଲିପୁନ ଚୁପ ହେଇଗଲା। " ହଁ କହୁନୁ । ଚୁପ ହେଇଗଲା କାହିଁକି? "। ମୁଁ ପଚାରିବାରୁ ଲିପୁନ କହି ଲା," ହଁ ଅଙ୍କଲ, ଦିନେ ମୁଁ ମାଁ କୁ ପଚାରିଥିଲି ଯେ କୃଷ୍ଣ ଭଗବାନ ସବୁବେଳେ ହଳଦିଆ ଲୁଗା ପିନ୍ଧିବାକୁ କାହିଁକି ଭଲ ପାଆନ୍ତି ? ଜନ୍ମାଷ୍ଟମୀରେ ବି ମାଁ ତାଙ୍କୁ ହଳଦିଆ ଲୁଗା ପିନ୍ଧାଏ।ମାଁ କହୁଥିଲା, କୃଷ୍ଣ ଭଗବାନ ସବୁବେଳେ ହଳଦିଆ ଲୁଗା ପିନ୍ଧିବାକୁ ଭଲ ପାଆନ୍ତି ।ସେଥିପାଇଁ ତାଙ୍କୁ ପୀତବାସ ମଧ୍ଯ କହନ୍ତି । ମୁଁ ଭାବିଲି ମୋ ଦେହ ତ୍ୟାଗ ସବୁବେଳେ ଖରାପ ହେଉଛି ।ମୋ ଦେହ ଖରାପ ହେଲେ ବାବା ଓ ମାଁ ବହୁତ ବ୍ଯସ୍ତ ହୋଇ ପଡନ୍ତି । ସେଥିପାଇଁ ମୁଁ ଭାବିଲି, ଯଦି ମୁଁ କୃଷ୍ଣ ଭଗବାନଙ୍କୁ ଏମିତି ସୁନ୍ଦର ହଳଦିଆ ଫୁଲ ଦେଇ ପୂଜା କରିବି ,ତେବେ ଠାକୁର ମୋତେ ଶୀଘ୍ର ଭଲ କରିଦେବେ । ମାଁ ,ବାବାଙ୍କର ମୋ ପାଇଁ ଆଉ କିଛି ଚିନ୍ତାରହିବନି । ଆଣ୍ଟି ହଳଦିଆ ଗୋଲାପ ଭଲ ପାଆନ୍ତି ଜାଣିଥିଲି । ତାଙ୍କୁ ମାଗିଥିଲେ ଦେବେନି ଭାବି ମୁଁ ଫୁଲ ଛିଣ୍ଡାଇ ନେଇ ଆସିଥିଲି । ଜାଣିଥିଲି ଆଣ୍ଟିରାଗିବେ, ହେଲେ ତାଙ୍କୁ ମୁ ପରେ କ୍ଷମା ମାଗିନେବି। କିନ୍ତୁ ମୋ ଠାକୁରଙ୍କୁ ଯଦି ହଳଦିଆ ଗୋଲାପ ଦେବି ତାହେଲେ ସେ ହୁଏତ ଖୁସି ହୋଇ ମୋତେ ଭଲ କରିଦିଅନ୍ତି ତାହେଲେ ମୋ ବାବା,ମାଁ ବ୍ଯସ୍ତ ହେବେନି ଆଉ ଆଣ୍ଟିଅକ୍ସିଡାଣ୍ଟ ମୁଁ କ୍ଷମା ମାଗିନେବି । ସତକଥା ଜାଣିଲେ ଆଣ୍ଟି ଆଉରାଗିବେନି ।"


ଲିପୁନର କଥା ଶୁଣି ମୋ ଆଖି ଲୁହରେ ଭରିଗଲା । ଭାବିଲି ଶିଶୁ ମନ୍ଦିର ସତେ କେତେଦିନ କୋମଳ, କେତେ ସ୍ବଚ୍ଛନ୍ଦ ଆଉ ପବିତ୍ର । ଏମିତି ନୀରିହ ଛୁଆଟିଏ ପ୍ରତି ଭଗବାନ କାହିଁକି ଏମିତି ଅବିଚାର କଲେ ? ଲିପୁନ କଥା ଭାବି ଭାବି ମୁଁ ଘରେ ପହଞ୍ଚି, ସୁଲୁଙ୍କୁ ଯେତେବେଳେ ସବୁକଥା କହିଲି ସୁଲୁ କାନ୍ଦି ପକାଇ କହିଲେ, " ଆହା ଛୁଆଟା, କେତେ କଥା ଭାବି ଫୁଲଟି ନେଇଥିଲା। ଆଉ ଏଇ ସାମାନ୍ଯ କଥା ପାଇଁ ତା ଉପରେ କେତେରାଗ, ଅଭିମାନ କରୁ ନ ଥିଲି ।" ସତରେ ଶିଶୁ ମନ୍ଦିର କେତେ ସରଳ ଓ ନିଷ୍ପାପ । ମନେ ମନେ ଭଗବାନଙ୍କୁ ଡାକିଲି, ପ୍ରଭୁ ଏ ସରଳ, ନିଷ୍ପାପ କଳି ଟିକୁ ଛିଣ୍ଡାଇ ନିଅନି। ତାକୁ ସଂସାରର ସବୁ ସୁଖ ଦିଅ। ଲିପୁନ ଆମ ହୃଦୟ ଆକାଶରେ ଚପଳା ଟିଏ ପରି ଆସିଛି । ତାର ଝରକା ଆଲୁଅକୁ ଲିଭାଇ ଦିଅନା ପ୍ରଭୁ । ସେ ଯେ ଆମର ଅଲିଭା ଚପଳା । ଏତିକି ବେଳେ ଦୂରରୁ ଏକ ମନ୍ଦିରରୁ ଶଂଖ, ଘଣ୍ଟ ଧ୍ବନି ଶୁଭୁଥାଏ । ମୁଁ ସେ ବିଶ୍ବର ପାଳନ କର୍ତ୍ତା ଙ୍କ ପ୍ରତି ଲିପୁନର ମଙ୍ଗଳ କାମନା କରି ହାତ ଜୋଡି ପ୍ରାର୍ଥନା କଲି ।



Rate this content
Log in

Similar oriya story from Tragedy