ଅଲିଅଳି ଝିଅ
ଅଲିଅଳି ଝିଅ
ମିତା ତର ତର ହୋଇ ବ୍ୟାଗ ରେ ଟିଫିନ ପୁରେଇ ନେଲା।ଝିଅକୁ ଶାଶୁ ଙ୍କୁ ଦେଇ ମା ମୁଁ ଆସୁଛି କହି ଘଣ୍ଟା କୁ ଚାହିଁଲା। ନଅ ଟା ବାଜି ଦଶ ମିନିଟ। ଆଉ ଟିକେ ଚଞ୍ଚଳ ପାଦ ପକେଇଲା।
ଆଜି ସବୁ କାମ ଡେରି,ଦଶ ମିନିଟ ଲେଟ ରେ ବାହାରିଲା ଘରୁ, ବସ ଯଦି ଛାଡ଼ି ଦେବ ଆଉ କିଛି କରି ହବନି, ପୁଣି କାହାକୁ ଲିପ୍ଟ ମାଗି ଯିବାକୁ ପଡ଼ିବ।
ଏକ ପ୍ରକାର ଦୌଡ଼ି ଦୌଡ଼ି ବସଷ୍ଟପ ରେ ପହଞ୍ଚିଲା
ଦେଖିଲା ଦୂରରୁ ବସ ଆସୁଛି।ଦେହରେ ଜୀବନ ପଶିଲା
ବସ ରହୁ ରହୁ ଧଡ଼ପଡ ହୋଇ ଚଢିଗଲା ଏବଂ ଗୋଟିଏ ଝରକା ପାଖ ସିଟ ଦେଖି ବସି ପଡ଼ିଲା।
ସିଟ ରେ ଆଉଜି ବସି ନିଶ୍ୱାସ ନେଲା, ସକାଳ ପାଞ୍ଚଟାରୁ ଉଠି କାମ କଲେ ମଧ୍ୟ ସରୁନି,ଭାରି କଷ୍ଟ ହେଉଛି ଏ ଘର କାମ ସାରି ସ୍କୁଲ ଯିବାକୁ।
କର୍ମଜୀବି ମହିଳା ମାନଙ୍କର ଅବସ୍ଥା ଏମିତି।ଘର କାମ ତା ସହିତ ଚାକିରି ।
କିଏ ଟିକେ ସକାଳ ବେଳା ସାହାଯ୍ୟ କରିବାକୁ ନାହିଁ
ଯାହା କରିବ ନିଜେ, ଶାଶୁ ସକାଳ ହଉ ନ ହଉଣୁ ଉଠି
କାମ କଣ ନ ହୋଇଛି ଦେଖିବେ।କେତେ କାମ କରୁଛି ସେ କେବେ କହିବେନି।
ଓଲଟି କହିବେ ମଲା ସେମାନେ ତାଙ୍କ ସୁବିଧା ପାଇଁ ଚାକିରି କରିଛନ୍ତି ନା, ମୁଁ କଣ କହିଛି ଚାକିରି କରିବାକୁ,
ମାସ ଶେଷ ବେଳକୁ ଦରମା ପାଉଛନ୍ତି ସେମାନେ ଖଟି ବେନି କଣ ମୁଁ ଖଟିବି।
ଶାଶୁ ଙ୍କ କଥା ଶୁଣି ସିଏ ମା କଥା ମନେ ପକାଏ,
ମିତାର ମା ସଂଯୁକ୍ତ ପରିବାର ର ବଡ଼ ବୋହୁ।ନଣନ୍ଦ,ଦିଅର ହୋଇ ଘରେ ବାର ତେର ଜଣ ସଦସ୍ୟ।
ସକାଳ ଠାରୁ ରାତି ପର୍ଯ୍ୟନ୍ତ ରୋଷେଇ, ଖିଆ ପିଆ ଅନ୍ୟାନ୍ୟ ଘର କାମ କରିବା ସହିତ କୁଣିଆଚର୍ଚ୍ଚା କରୁ କରୁ ବେଳ ଅଣ୍ଟେନି ନିଜ ପାଇଁ, ଅବିଶ୍ରାନ୍ତ କାମ କରି ମଧ୍ୟ ମିତାର ଜେଜି ମା କେବେ ଭଲରେ ପଦେ କଥା କହନ୍ତି ନାହିଁ। ଓଲଟା ପ୍ରତିଦିନ ମନେ ପକେଇ ଦିଅନ୍ତି "-ଯେ ଆମେ ପରା ସେଥିପାଇଁ ଚାକିରିଆ ବୋହୂ କରିନୁ ,ଚାକିରି କରିଥିଲେ ମାସ କୁ ମାସ ଦରମା ଆସୁଥାଆନ୍ତା।" ସତେ ଯେମିତି ବୋହୂ ନୁହେଁ ମାଗଣା ଚାକରାଣୀ କିମ୍ବା ଗୋତି ଖଟୁଥିବା ମୂଲିଆ ଟିଏ ଆଣି ଦୟାଦେଖେଇ ଘରେ ରଖିଛନ୍ତି।
ମିତା ଭାବେ ଝିଅ ଟିଏ ବାହା ହୋଇ ଆସିଲେ ସବୁ ଶାଶୁ ଘରେ କଣ ଏମିତି ବ୍ୟବହାର କରନ୍ତି।
ହେଲେ ତା ପିଉସୀ ନାନୀ ମାନେ ଶାଶୁ ଘରେ ନ ରହି ବାପ ଘରେ ବେଶି ସମୟ ରହନ୍ତି। ଦୁଇ ପିଇସି ଯାକ
ପ୍ରାଥମିକ ସ୍କୁଲ ରେ ଟିଚର୍,ବାପ ଘରେ ପିଲା ମାନଙ୍କୁ ଛାଡ଼ିସ୍କୁଲ ଯାଆନ୍ତି। ମିତା ର ମା ଭଣଜା
ଭାଣେଜୀ ଙ୍କୁ ଦିନ ସାରା ନିଜପିଲା ପରି ଯତ୍ନନେଇ ପାଳନ୍ତି।ପାଞ୍ଚ ଟି ପିଲା ସହିତ ଶାଶୁ ଶ୍ୱଶୁର ଙ୍କ ସେବା ଦିଅର ନଣନ୍ଦ ଙ୍କ କାମ କରୁଥିବା ବୋହୁଟି ଚାକିରି କରିନାହିଁ ବୋଲିଅନେକ ଗଞ୍ଜଣାପାଏ। ଓଲଟା ଜେଜି ମା କହେ ମୋ ଝିଅ ମାନେ ମାସ ଶେଷ କୁ ତିରିଶି ଚାଳିଶି ହଜାର ଟଙ୍କା ରୋଜଗାର କରି ବର ମାନଙ୍କୁ ଦେଉଛନ୍ତି ତ ସେମାନେ ବାପ ଘରେ ରହିବେ ଅସୁବିଧା କଣ !!!. ଆଉ ମୁଁ ମୋ ଝିଅ ମାନଙ୍କୁ ଏତେ ଗେହ୍ଲା ରେ ବଢେଇଛି ଯେ ସେମାନେ ଶାଶୁ ଘରେ କାମ କରି ପଡ଼ିରହିବେନି,ସେଥି ପାଇଁ ତ ସେମାନଙ୍କୁ ଚାକିରି କରେଇଛି।
ଜେଜେ ମା କିନ୍ତୁ କେବେ ମିତା ର ମା ଙ୍କୁ ବାପଘର
ଯିବାକୁ ଦିଅନ୍ତି ନାହିଁ।
ଯେଉଁ ମାନସିକ ନିର୍ଯ୍ୟାତନା ମା ତାର ଭୋଗିଛି ସେ ପରି କିଛି ଯେମିତି ତା ଜୀବନରେ ନ ଘଟେ ସେଥିପାଇଁ ମିତାକୁ ପିଲା ବେଳୁ ଅନେକ ଥର ମା କହିଛନ୍ତି ତୁ ପ୍ରଥମେ ନିଜେ ଆତ୍ମନିର୍ଭର ହେଲେ ଯାଇଁ ବିବାହ କରିବୁ ,ଅନ୍ୟକୁ ଆଶ୍ରା କରି ସ୍ତ୍ରୀ ଲୋକ ଟିଏ ଚଳିବା ଫଳରେ ଅନେକ ସମୟରେ ଅତ୍ୟାଚାରିତ ହେବାକୁ ହୁଏ ।
ବାହାଘର ପୁର୍ବରୁ ମିତା ଚାକିରି କରି ଥିଲା,ମା ତାର ଭାବୁ ଥିଲେ ମୋ ଝିଅ ମୋ ପରି କାହା ଉପରେ ନିର୍ଭରଶୀଳ ନ ହେଉ ,
ହେଲେ ,ଯେହେତୁ ମିତା State government job କରିଛି ସେ କେବେ ସ୍ୱାମୀ ଙ୍କ ସହିତ କର୍ମ କ୍ଷେତ୍ର କୁ ଯାଇ ପାରିବ ନାହିଁ, ଯଦି ଯିବ ତେବେ ଚାକିରି ଛାଡିବାକୁ ପଡ଼ିବ।ସୁଶାନ୍ତ ମଧ୍ୟ ଚାହୁଁ ଥିଲେ ମିତା ତାଙ୍କ ଘରେ ରହି ବାପା ମା ଙ୍କର ସେବା କରୁ,ତା ସହିତ ଚାକିରି କରୁ।
ଶାଶୁ ଶ୍ୱଶୁର ଙ୍କ ସେବାସହିତ ଘର ର ପ୍ରତ୍ୟେକ ଦାୟିତ୍ବ ମିତା ର।ସୁଶାନ୍ତ ଖୁବ୍ କମ ଦିନ ଆସନ୍ତି।ଆସୁ ଆସୁ ଭଉଣୀ ଘର ବନ୍ଧୁ ବାନ୍ଧବ ଘର ବୁଲି ପୁଣି କର୍ମ କ୍ଷେତ୍ର କୁ ଚାଲି ଯାଆନ୍ତି।
ଝିଅଟିଏ ହେବା ପରେ କାମ ଆହୁରି ବଢ଼ି ଯାଇଛି,
ଘରକାମ ସାରି ପିଲା ର ସବୁ ସଜାଡି ରଖି ବାକୁ ପଡେ।
ସ୍କୁଲ ସମୟ ତକ ଶାଶୁ ଝିଅ କୁ ରଖନ୍ତି ବୋଲି ନାନା ପ୍ରକାର କଥା କହନ୍ତି।ଘର କୁ ଫେରୁ ଫେରୁ ପୁଣି କାମ ଆରମ୍ଭ ହୋଇଯାଏ।
ମିତା ଭାବେ ଝିଅଟି ବାପ ଘରେ କେତେ ଅଲିଅଳି ହୋଇଥାଏ ହେଲେ ବୋହୂହେଲା ପରେ କାହା ଠାରୁ ସ୍ନେହ ଶ୍ରଦ୍ଧା ଟିକେ ପାଇବା କଷ୍ଟ କର ହୋଇଯାଏ।
ତା ମା ବିନା ଚାକିରି ରେ ଖଟୁଥିଲା, ସିଏ ଚାକିରୀକରି ମଧ୍ୟ ଖଟୁଛି।
ମା ସିନା ଗର୍ବ ଅନୁଭବ କରୁଛି ଯେ ତା ଝିଅ ଚାକିରି ଖଣ୍ଡେ କରିଛି, ଅନ୍ୟ ଆଗରେ ତାପରି ହାତ ପତେଇବାକୁ ପଡୁନି ହେଲେ ସିଏ କେତେ ପରିଶ୍ରମ କରୁଛି ସେ କଥା ମା କୁ କେମିତି କହିବ।......
ମା ଆଗରେ ମନ କଥା କହିବା ପାଇଁ ଚାହିଁ ମଧ୍ୟ କହି ପାରୁନି, ଯେ ମା ଲୋ ତୋ ଅଲିଅଳି ଝିଅ ର ଦୁଃଖ ତୋ ଦୁଃଖ ଠାରୁ ବଳି ପଡୁଛି।
ବସ କଣ୍ଡକ୍ଟର୍ ର ଡାକ ରେ ମିତା ଭାବନା ର ଅନ୍ତ ହେଲା, ମାମ୍ ପଇସା ଦିଅନ୍ତୁ।
ହଁ ହଁ ଦଉଛି, କହି ବ୍ୟାଗ ଖୋଲିଲା..ମିତା...।
