Priyadarsini Das.

Tragedy

4.0  

Priyadarsini Das.

Tragedy

ଅକୁହା କଥା

ଅକୁହା କଥା

5 mins
243



        


   ପ୍ରଭାତ ବାବୁ । ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ସମସ୍ତେ ତାଙ୍କୁ ମଉସା ବୋଲି ଡାକନ୍ତି । ମୁଁ ବି ଡାକେ । 


    ସପ୍ତାହ ଶେଷରେ ଛୁଟି ପାଇ ଟିକିଏ ପଳେଇଲି ମଉସାଙ୍କ ଘରକୁ । ଯାଇ ଦେଖେ ତ ମାଉସୀ ଆମର ବାହାରେ ବସି ପାନ ଚୋବାଉଥାନ୍ତି । ମାଉସୀଙ୍କ କାନକୁ ଭଲ ଶୁଭେନି । ପଚାରିଲି ମାଉସୀ ମଉସା ନାହାଁନ୍ତି କି? ଟିକିଏ ଚାହିଁ କହିଲେ ହଁ ଅଛନ୍ତି, ସେଇଠି ମନ ମାରି ବସିଛନ୍ତି । 


    ମଉସାଙ୍କ ପାଖକୁ ଗଲି । ପଚାରିଲି କଣ ହେଇଛି ମଉସା ଏତେ ମନ ଦୁଃଖ? ରାଜୁ ଭାଇ ଫୋନ୍ କରି ନାହାଁନ୍ତି କି? ରାଜୁ ଭାଇ ତାଙ୍କର ବଡ ପୁଅ । ଚାକିରୀ ପାଇଁ କେତେବେଳେ ଦେଶ ଭିତରେ ତ କେତେବେଳେ ବାହାରେ । ଏଇ କେତେ ଦିନ ହେଲା ବିଦେଶ ଯାଇଛନ୍ତି । ଆଉ ରାଜୁ ଭାଇ ତଳକୁ ଜଣେ ଝିଅ, ରାନୁ ଅପା । ରାନୁ ଅପା ଆମର ଡାକ୍ତରାଣୀ । ଦେଖା ହେଲେ ମୁଁ ତାଙ୍କ ଡାକ୍ତରୀ କଥା ସବୁ ପଚାରେ । ଭାରି ଭଲ ଲାଗେ । 

 ମଉସା ମୋ ପ୍ରଶ୍ନ ଶୁଣି କହିଲେ ନାଇଁରେ ରାଜୁ କାଲି ରାତିରେ ଫୋନ୍ କରିଥିଲା, ଆଉ ଯାଇ ଆଜି ସନ୍ଧ୍ୟା ବେଳକୁ ଫୋନ୍ କରିବ । 

 

   ପୁଣି ପଚାରିଲି ତାହେଲେ କଣ ହୋଇଛି? ରାନୁ ଅପା କଥା ମନେ ପଡୁଛି କି? 

ମୋର ଏଇ କଥା ଶୁଣି ମଉସା ଭୋ କରି କାନ୍ଦି ପକେଇଲେ । ଭାବିଲି କିଛି ଭୁଲ ପଚାରି ଦେଲି କି? 


କଣ ହେଲା ମଉସା? କାନ୍ଦିଲେ କାହିଁକି? 

ମଉସା ଆଖି ଛଳଛଳ ହୋଇ କହିଲେ । ତୁ ତ ଜାଣିଛୁ -ରାଜୁ ଆଉ ରାନୁ ମୋର ଜୀବନ । ଆଜିକୁ ପନ୍ଦର ଦିନ ହେଲାଣି ମୁଁ ମୋ ଝିଅ ସହ କଥା ହୋଇ ନାହିଁ । 

 ପଚାରିଲି କାହିଁକି ମଉସା କଥା ହୋଇ ନାହାନ୍ତି? ଦିଅନ୍ତୁ ଫୋନଟା ମୁଁ ଲଗେଇ ଦେଉଛି, କଥା ହୋଇଯିବେ । କହିଲେ ନା ଲୋ ମାଆ ଥାଉ । ଲଗାନି । 


   ମଉସା ତାଙ୍କର କୋହ ସମ୍ଭାଳି ପାରୁ ନ ଥାନ୍ତି । ବୁଝେଇଲି ଆଉ ଲୁହ ପୋଛି ଦେଇ କହିଲି, ପାଣି ପିଅନ୍ତୁ ଆଉ ଟିକିଏ ବସନ୍ତୁ । କାନ୍ଦନ୍ତୁନି । ମଉସା ତୁନି ହେଲେ । 


   କିଛି ସମୟ ପରେ କହିଲେ କାହାକୁ କହିବି ମୋର ମନର କଥା । ତୋ ମାଉସୀକୁ ତ କିଛି କୁହେନି ମୁଁ, ତାର ମନ ଦୁଃଖ କରେଇବିନି ବୋଲି । ମୁଁ କହିଲି ମୋତେ କୁହନ୍ତୁ । 


  ମଉସା କହିଲେ -ରାନୁର ଇଚ୍ଛା ଥିଲା ଡାକ୍ତର ହେବ ବୋଲି । ପଢେଇଲି । ଡାକ୍ତରାଣୀ ବି କରେଇଲି ତାକୁ । ଆଉ ରାଜୁ ତ ଏମ୍.ବି.ଏ. କରି ଚାକିରୀ କରିଥିଲା । 


  ଆର ବର୍ଷ ରାନୁ ପାଇଁ ଗୋଟିଏ ପ୍ରସ୍ତାବ ଆସିଲା । ପୁଅ ଡାକ୍ତର, କିଛି ନ ଶୁଣି ମୁଁ ହଁ ଭରିଦେଲି । ବାହାଘର ପାଇଁ ଦିନ ଧାର୍ଯ୍ୟ ଦିନ ପୁଅ ଘର ତରଫରୁ କଥା ଆସିଲା କି ----- -----


  " ପ୍ରଭାତ ବାବୁ ଦେବା ନେବା କଥା କିଛି କହିଲେ ନି ଯେ "


ମୁଁ କହିଲି ଦେଖନ୍ତୁ ରାନୁ ମୋର ଗୋଟିଏ ବୋଲି ଝିଅ, ପୁଅ ଆଉ ଝିଅରେ କେବେ ବି ଅସମାନତା କରେନି ମୁଁ । ପାଠ ପଢେଇ ଡାକ୍ତରାଣୀ କରେଇଛି । ତାର ପସନ୍ଦର ଗହଣା ମୁଁ ତ ଦେବି । (ମନେ ମନେ ଭାବିଲି ଏତେ ପଢେଇଲା ପରେ ବି କଣ ଯୌତୁକ ଦେବାକୁ ପଡିବ ?  ତାଙ୍କ ଇଚ୍ଛା ଅନୁସାରେ )


   ପୁଅର ମାଆ କହିଲେ ----

"କଣ ବା କହିବି । ଘରେ ଆମର କିଛି ଜିନିଷ ଅଭାବ ନାହିଁ । ହେଲେ ସେ ସବୁ ମୋର ଜିନିଷ । ତାପରେ ଆପଣଙ୍କ ଝିଅ ଆଜିର ଝିଅ, ତାକୁ ନିହାତି ପ୍ରାଇଭେସି ଦରକାର ଥିବ । 

ମୋର ଯୌତୁକ ଆଦୌ ଦରକାର ନାହିଁ । କଥା କଣ କି ସବୁ ଜିନିଷ ମୋ ସହ ସେୟାର୍ କରିଲେ ତାକୁ ଭଲ ଲାଗିବନି । ତେଣୁ ଗୋଟିଏ କାମ କରିବେ -- ଏଲ୍.ସି .ଡି. ଟି.ଭିଟେ ଦେବେ, ପଞ୍ଚଚାଳିଶି ଇଞ୍ଚର ଆଉ କଣ ଗୋଟେ ସୋନି କମ୍ପାନିର ବା । କେତେ ଏଇ ଲକ୍ଷେ ପଡିବ ବୋଧେ । ପୁରା କାଚ ଭଳିଆ ଛବି ଆସିବ ସେଥିରେ । ନହେଲେ କଣ ହେବ ନା ହଲରେ ଛୋଟ ଟି.ଭି ଭଲ ଲାଗିବାନି । ଆପଣ କଣ ମୋତେ ଦେଉଛନ୍ତି କି, ଝିଅକୁ ଦେବେ ନା । ତାପରେ ଡାକ୍ତରାଣୀ ବୋହୁ, ଭଲ ଟିଭିଟେ ନ ନେଲେ ତାର ମନ ଦୁଃଖ ହେବ । ଆଉ ଫ୍ରିଜ୍ ଡବଲ୍ ଡୋର୍ ସହ ଏକ୍ୱାଗାର୍ଡ୍ ଲାଗିଥିବ, ଝିଅକୁ ଦେବେଟି ଭଲଟେ ଦେବେ । ବକ୍ସ ପାଟର୍ନ ବେଡରେ ଭଲ କାମ ହୋଇ ଯେମିତି ଚିକ୍ ଚିକ୍ ଲାଗିବ ତା ସହ ମାଟ୍ରେସ୍ ମେଡିକେଟେଡ୍ ବାଲା ଦେବେ, ନହେଲେ ଆପଣଙ୍କ ଝିଅର ଅଣ୍ଟା ବଥା ହେବ । ଆଉ ତ ଜାଣିଛନ୍ତି ସବୁ ଜିନିଷ, ଦେଖିକି ଦେବେ ଯେମିତି ଝିଅ ପରେ ଆଉ ଅଭିଯୋଗ ନ କରେ କି କମ୍ ଦାମରେ ବି ଦେବେନି ଯେମିତି ସେ କଲୋନିରେ ଆଉ କାହା ଘରର ଜିନିଷ ସହ ସମାନ ହୁଏ । ବାକି ରହିଲା ଶାଶୁ ପେଡି, ଭଲ ଗହଣା, ଶାଢୀ ସହ ଶାଶୁ ପେଡି ଦେବେ । ନଣନ୍ଦ ପେଡିରେ ରାଣୀ ହାରଟିଏ ଦେବେ । ଯେତେ ହେଲେ ଗୋଟିଏ ଭାଇର ବାହାଘର, ଥରେ କଣ ସିଏ ନେବନି । ଆଉ ଝିଅକୁ ଯେତେ ବେଶୀ ତୋଳାର ଗହଣା ଦେବେ ଯେତେ ସିଏ ଚହଟିବ । ଆରେ ଝିଅକୁ ହିଁ ଦେବେ ଏ ଜିନିଷ, କଣ ପରକୁ ଦେବେ କି । "


  ମଉସା କହିଲେ ଏସବୁ କଥା ଶୁଣି ମନରେ ଭାବୁଥାଏ କି କେତେ ଲୋଭୀ ଏମାନେ । ତଥାପି ବି ମୁଁ ହଁ ଭରିଦେଲି । ଭାବିଲି ଝିଅଟି ଭଲ ଘର ପାଇବ । ହଉ ଦେଇ ଦେବି କହିଲି, ତାପରେ ବାହାଘର ଫାଇନାଲ୍ ହେଲା । ଝିଅ ମୋର ଶାଶୁ ଘର ଗଲା । ହେଲେ ଚାହିଁଲେ ବି କଥା ପଦିଏ ହୋଇପାରେନି । ଫୋନ୍ କରିଲେ ସନ୍ଧ୍ୟାରେ ତା ଶାଶୁ ଉଠେଇବେ ତ ଦିନରେ କରିଲେ ଝିଅ ହସ୍ପିଟାଲରେ କଥା ହୋଇପାରେନି । ଏଇ ଦୁଇ ମାସ ତଳେ ଝିଅର ଶାଶୁ ଫୋନ୍ କରି କହିଲେ ଦେଖନ୍ତୁ ରାନୁକୁ ସବୁଦିନ ମୁଁ ମୋର କାର୍ ଦେଇପାରିବିନି ହସ୍ପିଟାଲ୍ ଯିବାକୁ, ମୋର ତ ପୁଣି କିଟି ପାର୍ଟି ଅଛି ନା, କେମିତି ଯିବି । କାର୍ ଗୋଟିଏ ଆଣି ଦେଇଯାଆନ୍ତୁ । 

ଝିଅ ସହ କଥା ଯେତେବେଳେ ହେଲି ସିଏ କହିଲା ବାପା ମୁଁ ତ ତାଙ୍କ କାର୍ କେବେ ବି ନିଏ ନା । ବସରେ ଯାଏ । ତୁମେ କାର୍ ଦେବନି । ମୁଁ ବି ନ ଦେଇ ରହିଗଲି, ତାପରେ ହଠାତ୍ ଏତେ ପଇସା ବି କୋଉଠୁ ଆଣିଥାନ୍ତି । ସବୁ ତ ପାଠ ପଢେଇବା ଆଉ ଯୌତୁକରେ ସାରିଲି । 


    କାର୍ ଦେବା କଥା କିଛି ନ କହିବାରୁ ପୁଣି ଫୋନ୍ ଆସିଲା, କଣ ହେଲା ଯେ, କାର୍ ତ କାହିଁ ପଠେଇଲେନି । ତାହେଲେ ରାନୁକୁ ପଠେଇ ଦେଉଛି, ତାକୁ ସେଇଠି ରଖନ୍ତୁ, ସେ ସେଉଠୁ ଯିବ । କାର୍ କିଣିଲେ କାର୍ ସହ ତାକୁ ପଠେଇଦେବେ । କିଛି ଉପାୟ ନ ପାଇ ତୋ ରାଜୁ ଭାଇକୁ ଫୋନ୍ କରି ସବୁ କହିଲି । ସିଏ ପାଞ୍ଚ ଲକ୍ଷ ପଠେଇଲା, ମୁଁ ରଖିଥିବା ମୋର ଶେଷ ଦୁଇ ଲକ୍ଷ ଟଙ୍କା ଆଣିଲି । ହେଲେ ସିଏ କହିଥିବା କାର୍ ପାଇଁ ଆହୁରି ଦୁଇ ଲକ୍ଷ ଦରକାର ଥିଲା । ରାନୁର ମାମୁଁଙ୍କଠୁ ଧାର୍ ଆଣିଲି ଆଉ କାର୍ ନେଇ ଦେଇ ଆସିଲି । 


  ମଉସା କାନ୍ଦି କାନ୍ଦି କହିଲେ ସବୁ କଥା ତ ପୂରଣ କରିଲି ତଥାପି ପନ୍ଦର ଦିନ ହେଲାଣି ଝିଅ ସହ ଟିକିଏ କଥା ହୋଇ ପାରିନି । ବାହା ହୋଇ ଯାଇଛି ଯେ ଯେତେ କହିଲେ ବି ମୋ ପାଖକୁ ଟିକିଏ ପଠେଇବେନି । କହ ଲୋ ମାଆ ଏ ଶିକ୍ଷିତ ଲୋକ ବି ଏତେ ଯୌତୁକ ଲୋଭ କରୁଛନ୍ତି ଆଉ ମାଗିଲା ବେଳେ ଏମିତି ମାଗୁଛନ୍ତି ସତରେ ଯେମିତି କିଛି ଦରକାର ନାହିଁ । 


  ସେହି ସମୟରେ ଟିଭିରେ ସମାଚାର୍ ଦେଉଥାଏ କି ଟ୍ରେନ୍ ଲାଇନକୁ ଡେଇଁ ଡାକ୍ତରାଣୀର ଆତ୍ମହତ୍ୟା । ମଉସା ଆଉ କିଏ ସମ୍ଭାଳେ, କହିଲେ ଦେଖରେ କିଏ ସେ ଡାକ୍ତରାଣୀ । ଦେଖିଲି କେଉଁ ଅଞ୍ଜଳି । ମଉସାଙ୍କୁ କହିଲି ରାନୁ ଅପା ନୁହେଁ ମଉସା । କାନ୍ଦନି । (ମନରେ ମୁଁ ଭାବୁଥାଏ ଆରେ ଏ ଅଞ୍ଜଳି ବି ତ କାହାର ଝିଅ, ପୁଣି ଡାକ୍ତରାଣୀ, ଏମିତି କଣ ହେଲା ଛାଡପତ୍ର ମିଳିଲା ତାକୁ, ସମ୍ଭାଳି ନ ପାରି ଆତ୍ମହତ୍ୟା କରିଲା । ସତରେ ଆତ୍ମହତ୍ୟା ତ ନୁହେଁ ଏଇଟା । ଏଇଟା ତ ପରୋକ୍ଷରେ ହତ୍ୟା । କେବେ ସୁଧୁରିବ ଏ ସମାଜ) 


ରାନୁ ଅପା ଫୋନ୍ କରିବ । ତାଙ୍କୁ ବୁଝେଇ ସୁଝେଇ ଆସିଲି । 


  କିନ୍ତୁ ରାସ୍ତା ସାରା ଏଇ କଥା ଭାବୁଥାଏ ସତରେ ଏ ସମାଜ କଣ ହେଉଛି । ଏତେ ଶିକ୍ଷିତ ସମାଜ ବି ଯୌତୁକଠୁ ଦୂରେଇ ପାରୁନି । ନିଆରା ଢଙ୍ଗରେ ଯୌତୁକ ମାଗୁଛନ୍ତି । ଆଉ ଯଦି ପୂରଣ ନ ହେଲା କାହାକୁ ନିଆଁରେ କାହାକୁ ଗ୍ୟାସ୍ ପାଇପ୍ ଖୋଲି ହତ୍ୟା କରୁଛନ୍ତି ତ କେଉଁଠି ଏତେ ବାଧ୍ୟ କରୁଛନ୍ତି ଯେ ଝିଅଟେ ସେ ଭାର ବାପା, ମାଆଙ୍କୁ ନ ଦେବା ପାଇଁ ଆତ୍ମହତ୍ୟା କରୁଛି । ମଉସା ପରି ଲୋକ ବି ଶିକ୍ଷିତ ହୋଇ ବି ଝିଅର ଟିକିଏ ଖୁସି ପାଇଁ ସବୁ କଥା ମାନି ଚାଲିଛନ୍ତି । ହେଲେ ଏମିତି ସର୍ତ୍ତାବଳୀରେ କେତେ ଦିନ ଝିଅର ଖୁସିକୁ କିଣି ପାରିବେ? 

କେଜାଣି ଏ ସମାଜ କେବେ ବଦଳିବ । 

  କେବେ ଏ ଯୌତୁକରୁ ବଞ୍ଚିବ ଏ ସମାଜ ? କେଜାଣି ମୁକ୍ତ ହୋଇ ପାରିବ କି ନାହିଁ .............?


 



Rate this content
Log in

Similar oriya story from Tragedy