Bharatabandhu Biswal

Tragedy Classics Others

3  

Bharatabandhu Biswal

Tragedy Classics Others

ଅଜ୍ଞାତବାସ

ଅଜ୍ଞାତବାସ

4 mins
175



ବର୍ଷ ୨୦୨୧ ଥିଲା ଅଦ୍ଭୂତପୂର୍ବ । ମହାମାରୀ କରୋନାର ଭୟାବହ ପ୍ରକୋପକୁ ଏଡିବା ପାଇଁ ମଣିଷ ଗୃହବନ୍ଦୀ ହୋଇ ଏକପ୍ରକାର ଅଜ୍ଞାତବାସରେ ହିଁ ରହିବାକୁ ବାଧ୍ୟ ହୋଇଥିଲା । ଲକଡାଉନ,ସଟଡାଉନର ନିର୍ଦ୍ଦେଶାବଳୀ ଅତି କଠୋରଭାବେ ଲାଗୁ ହୋଇଥିବାରୁ ଘର ଛାଡି ବାହାରେ ରହୁଥିବା ଲୋକମାନେ କର୍ମକ୍ଷେତ୍ରରୁ ନିଜ ଘରକୁ ଫେରିବାକୁ ବହୁ କଟକଣା ଓ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

  ଦୁର୍ଯୋଗକୁ ଆମ୍ଭେ ପତିପତ୍ନୀ ବର୍ଷ ଆରମ୍ଭ ବେଳକୁ ବାଙ୍ଗାଲୋରରେ ରହୁଥିବା ଆମ ଝିଅ ପାଖକୁ କିଛିଦିନ ପାଇଁ ବୁଲି ଯାଇଥାଉ । ମାର୍ଚ୍ଚ ବେଳକୁ ହଠାତ କରୋନା ସଙ୍କ୍ରମଣ ବଢ଼ି ଯିବାରୁ ଗାଡିମଟର ବନ୍ଦ ହୋଇଗଲା । ଅଗତ୍ୟା ନିରୁପାୟ ହୋଇ ବସି ବସି ଭାଗବତ ଗୀତା ଓ ମହାଭାରତ କଥାମୃତକୁ ପାଠ କରି ସମୟ କଟାଇବା ଛଡା ଅନ୍ୟ ଉପାୟ କିଛି ନଥିଲା । ମହାଭାରତର ଏକ କଥା ମୋ ମନକୁ ବିଶେଷ ଛୁଇଁ ଥିବାରୁ ମୁଁ ତାହା ଉଲ୍ଲେଖ କରି ପାଠକଙ୍କ ମନରେ କିଛି ସଚେତନତା ଉଜ୍ଜିବୀତ କରିବାକୁ ପ୍ରୟାସ କରୁଛି ।

 ଅଜ୍ଞାତବାସରେ ଘୋରବନରେ ପାଣ୍ଡବ ପାଞ୍ଚଭାଇ ଦ୍ରୋପଦୀଙ୍କ ସହିତ ବୁଲୁଥିବା ବେଳେ ଆକାଶ ମାର୍ଗରେ ଥିବା ଶନିଦେବଙ୍କ ଦୃଷ୍ଟି ପଡିଗଲା । ଏମାନଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ ଶନିଦେବଙ୍କ ଇଚ୍ଛା ହେଲା ।ସେ ମାୟା ବଳରେ ଏକ ସୁନ୍ଦର ମହଲ ସୃଷ୍ଟି କରିଦେଲେ ।

 ମହଲ ଉପରେ ନଜର ପଡିବାରୁ ପ୍ରଥମେ ଭୀମ ବଡ଼ଭାଇ ଯୁଧିଷ୍ଠିରଙ୍କୁ ଦେଖିବା ଯିବାପାଇଁ ଅନୁମତି ମାଗିଲେ ।

 ବଡ଼ଭାଇଙ୍କଠୁ ଅନୁମତି ପାଇ ଭୀମ ମହଲ ନିକଟକୁ ଯାଇ ଦରୱାନ୍ ବେଶରେ ଠିଆ ହୋଇଥିବା ସ୍ୱୟଂ ଶନିଦେବଙ୍କୁ ଦେଖିଲେ ।

 ମହଲ ଦେଖିବା ଇଚ୍ଛା ପ୍ରକାଶ କରିବାରୁ ଶନିଦେବ ମହଲର ସର୍ତ୍ତ ବିଷୟରେ ବୁଝାଇ କହିଲେ - ମହଲର ଯୋଜନ ଯୋଜନରେ ରହିଥିବା ଚାରୋଟି କୋଣ ମଧ୍ୟରୁ ତୁମେ କେବଳ ଗୋଟିଏ କୋଣ ହିଁ ଦେଖି ପାରିବ ।

ଦ୍ୱିତୀୟରେ ତୁମେ ମହଲରେ ଯାହା କିଛି ଦେଖିବ ତାହାର ବ୍ୟାଖ୍ୟା କରି ମୋତେ ବୁଝାଇବାକୁ ପଡିବ ।

ତୃତୀୟରେ ଯଦି ବ୍ୟାଖ୍ୟା କରିବାକୁ ଅସମର୍ଥ ହେବ ତେବେ ଏହି ମହଲରେ ବନ୍ଦୀ ହୋଇ ରହିବାକୁ ପଡିବ।

  ଭୀମ ପ୍ରସ୍ତାବରେ ରାଜି ହୋଇ ମହଲର ପୂର୍ବକୋଣଟି ଦେଖିବାକୁ ଗଲେ । ସେଠି ସେ ଅଦ୍ଭୁତ ପ୍ରକାର ପଶୁପକ୍ଷୀ, ଫୁଲଫଳ ଭରା ଗଛଲତା ଦେଖି ବିମୋହିତ ହୋଇ ପଡିଲେ । ଆଗକୁ ଯାଇ ଦେଖିଲେ ପାଖକୁ ପାଖ ଲାଗି ତିନୋଟି କୂଅ ରହିଛି । ଦୁଇ ପାର୍ଶ୍ଵରେ ଦୁଇଟି ଛୋଟ ଛୋଟ ଏବଂ ମଝିରେ ଥିବା କୂଅଟି ବଡ଼ । ବଡ଼ କୂଅଟିର ପାଣି ଉଛୁଳି ପଡିଲେ ସାନ ସାନ କୂଅ ଦୁଇଟି ପୁରି ଉଠୁଛି ,କିନ୍ତୁ ସାନ କୂଅ ଦୁଇଟିର ଉଛୁଳି ଥିବା ପାଣି ମିଶିଲେ ବଡ଼ କୂଅଟିର ପାଣି ଅଧା ହୋଇଯାଉଛି । ବହୁ ସମୟ ଧରି ବାର ବାର ଏହି ଦୃଶ୍ୟ ଦେଖି ଭୀମ ଆଶ୍ଚର୍ଯ୍ୟ ହୋଇଗଲେ । ଦ୍ୱାର ନିକଟକୁ ଫେରି ଦରୱାନ୍ ଙ୍କୁ ସବୁ କଥା କହିବାରୁ ସର୍ତ୍ତ ଅନୁଯାୟୀ ତାଙ୍କୁ ବନ୍ଦୀ ହୋଇ ରହିବାକୁ ପଡିଲା ।

ତାପରେ ଆସିଲେ ଅର୍ଜୁନ । ସେ ମଧ୍ୟ ଦରୱାନ୍ ଙ୍କ ଠାରୁ ସର୍ତ୍ତ ବିଷୟ ଅବଗତ ହୋଇ ମହଲର ପଶ୍ଚିମ କୋଣ ଦେଖିବାକୁ ଗଲେ । ସେଠାରେ ପହଞ୍ଚି ଦେଖିଲେ ଗୋଟିଏ କ୍ଷେତର କିଛି ଅଂଶରେ ବାଜରା ଏବଂ ବାକି ଅଂଶରେ ମକା ଫସଲ ଲାଗିଛି । କିନ୍ତୁ ବାଜରା କ୍ଷେତରୁ ମକା ଓ ମକା କ୍ଷେତରୁ ବାଜରା ଫସଲ ଉତ୍ପନ୍ନ ହେଉଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।ଦ୍ୱାର ନିକଟକୁ ଆସି ଦରୱାନ୍ ଙ୍କୁ ସମସ୍ତ ବୃତ୍ତାନ୍ତ କହି ବ୍ୟାଖ୍ୟା କରିନପାରି ମହଲରେ ବନ୍ଦୀ ହୋଇ ରହିଲେ ।

ତାପରେ ପଡିଲା ନକୁଳଙ୍କ ପାଳି । ସେ ସେହି ପ୍ରକ୍ରିୟାରେ ଉତ୍ତର କୋଣ ଦେଖିବାକୁ ଗଲେ । ଗୋଟିଏ ଜାଗାରେ ଦେଖିଲେ ଅନେକ ଗୁଡିଏ ଧଳା ଗାଈ ରହିଛନ୍ତି । ସେମାନେ ଭୋକ ମେଣ୍ଟାଇବା ପାଇଁ ଛୋଟ ଛୋଟ ବାଛୁରୀମାନଙ୍କଠୁ କ୍ଷୀରପାନ କରୁଛନ୍ତି । ଏପରି ବିଚିତ୍ର ଦୃଶ୍ୟ ସେ କେବେ ଆଗରୁ ଦେଖି ନଥିଲେ । ଏଣୁ ଦ୍ୱାରପାଳଙ୍କ ନିକଟରେ ବ୍ୟାଖ୍ୟା କରି ପାରିଲେ ନାହିଁ । ସର୍ତ୍ତ ଅନୁଯାୟୀ ତାଙ୍କୁ ବି ବନ୍ଦୀ ହୋଇରହିବାକୁ ପଡିଲା ।

 ତାପରେ ଆସିଲେ ସହଦେବ । ସେ ସବୁ ବୁଝିବାପରେ ଦକ୍ଷିଣ ଦିଗର କୋଣ ଆଡକୁ ଗଲେ । ସେଠି ପହଞ୍ଚି ସେ ଦେଖିଲେ , ଗୋଟିଏ ବିଶାଳ ସ୍ୱର୍ଣ୍ଣ ପ୍ରସ୍ତର ଗୋଟିଏ ଛୋଟ ରୂପା ମୁଦ୍ରା ଉପରେ ଠିଆ ରଖାଯାଇଛି । ତାକୁ ଛୁଇଁଲେ ଟଳମଳ ହେଉଥିବା ସତ୍ତ୍ଵେ ପଡିଯାଉ ନାହିଁ । ଏ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖି ସେ ମଧ୍ୟ ବ୍ୟାଖ୍ୟା କରିବାକୁ ସମର୍ଥ ହେଲେ ନାହିଁ । ପରିଣାମ ସ୍ୱରୂପ ବନ୍ଦୀ ହେଲେ ।

ଭାଇମାନଙ୍କ ଫେରିବା ବିଳମ୍ବ ହେବାରୁ ନିଜେ ଯୁଧିଷ୍ଠିର ପତ୍ନୀ ଦ୍ରୋପଦୀ ଯାଇ ଦ୍ୱାର ନିକଟରେ ପହଞ୍ଚିଲେ । ଦ୍ଵାରପାଳ ତାଙ୍କୁ ସମସ୍ତ ସତ୍ୟାସତ୍ୟ ବୁଝାଇ ଭାଇମାନେ ମହଲରେ ବନ୍ଦୀ ଥିବା ଜଣାଇଲେ । ଯଦି ସେ ସମସ୍ତ ଭାଇଙ୍କ ନିମନ୍ତେ ଉପଯୁକ୍ତ ବ୍ୟାଖ୍ୟା କରି ପାରିବେ ତେବେ ସେମାନଙ୍କୁ ମୁକ୍ତି ମିଳିପାରିବ ବୋଲି କହିଲେ ।

ଯୁଧିଷ୍ଠିର ପ୍ରଥମେ ଭୀମସେନଙ୍କୁ କଣ ଦେଖିଥିଲେ ବୋଲି ପଚାରିଲେ ।

  ତାଙ୍କ ନିକଟରୁ ବୁଝି ସେ ଦ୍ୱାରପାଳ ରୂପୀ ଶନିଦେବଙ୍କୁ ଉତ୍ତର ଦେଲେ, କଳିଯୁଗରେ ଜଣେ ବାପ ନିଜର ଦୁଇ ଦୁଇଟି ପୁତ୍ରମାନଙ୍କୁ ପାଳି ପୋଷି ବଡ଼ କରିପାରିବେ, କିନ୍ତୁ ଦୁଇ ଦୁଇଟି ପୁତ୍ର ଜଣେ ବୃଦ୍ଧ ବୟସର ପିତାଙ୍କୁ ପେଟଭରି ଖାଇବାକୁ ଦେଇ ପାରିବେ ନାହିଁ । ଏହା ହିଁ ବଡ଼ କୂଅଟି ଅଧା ପୂର୍ଣ୍ଣ ରହିବା ସଙ୍କେତ ଦିଏ ।

  ସନ୍ତୋଷ ଜନକ ଉତ୍ତର ପାଇ ଦ୍ୱାରପାଳ ଭୀମସେନଙ୍କୁ ମୁକ୍ତ କଲେ ।

  ଦ୍ୱିତୀୟରେ ବୀର ଅର୍ଜୁନ ଦେଖିଥିବା ଦୃଶ୍ୟର ବ୍ୟାଖ୍ୟା କରି ଯୁଧିଷ୍ଠିର କହିଲେ, କଳିଯୁଗରେ ଜାତି ବର୍ଣ୍ଣ ଧର୍ମର କିଛି ମୌଳିକତା ରହିବ ନାହିଁ । ବର୍ଣ୍ଣ ସଙ୍କରତା କାରଣରୁ ଘୋର ଅନ୍ୟାୟ ଅନୀତି ବ୍ୟାପିଯିବ । ଅଚିହ୍ନା ରୋଗ ମହାମାରୀ ସବୁ ବ୍ୟାପୀ ପ୍ରଭୂତ ଧନଜୀବନ ହାନୀର କାରଣ ହେବ । ବିପରୀତ ପ୍ରକାର ଫଳ ବା ଫସଲ ଉତ୍ପନ୍ନ ଏହି ଗୁଢ଼ ତତ୍ତ୍ୱର ସଙ୍କେତ ଅଟେ ।

 ଏହି ଉତ୍ତର ଶୁଣି ଦ୍ୱାରପାଳ ଅର୍ଜୁନଙ୍କୁ ମୁକ୍ତ କରିଦେଲେ ।

ତୃତୀୟରେ ନକୁଳଙ୍କ ଅଦ୍ଭୁତ ଦୃଶ୍ୟର ବ୍ୟାଖ୍ୟା ଦେବାକୁ ଯାଇ କହିଲେ,କଳିଯୁଗରେ ମାତାମାନେ ଯାଇ କନ୍ୟାମାନଙ୍କ ଅନ୍ନରେ ପ୍ରତିପାଳିତ ହେବେ । ପୁତ୍ରମାନେ ନିଜର ଜନ୍ମଦାତ୍ରୀ ମାଆଙ୍କୁ ପୋଷିବାକୁ ଅରାଜି ହେବେ ।ଗାଈ ବାଛୁରୀଙ୍କ ଠାରୁ କ୍ଷୀର ପିଇବା ଏହି ସଙ୍କେତ ଦେଉଛି ।

  ଏହି ଉତ୍ତର ଶୁଣି ନକୁଳଙ୍କ ମୁକ୍ତି ହୋଇଗଲା ।

ସହଦେବ ଦେଖିଥିବା ଦୃଶ୍ୟର ସାରମର୍ମ ବ୍ୟାଖ୍ୟା କରି ଶେଷରେ ଯୁଧିଷ୍ଠିର କହିଲେ, କଳିଯୁଗରେ ପାପ ଦ୍ଵାରା ଧର୍ମ ଯେତେ ଚାପଗ୍ରସ୍ତ ହେଲେ ବି ଧର୍ମ ତାର ମୌଳିକତା ଟେକ ରଖିବାକୁ ସକ୍ଷମ ହେବ । ଟଳମଳ ହେଉଥିଲେ ବି ପଡିଯିବ ନାହିଁ ।

  ସମସ୍ତଙ୍କୁ ମୁକ୍ତ କରି ଶନିଦେବ ନିଜର ପରିଚୟ ଦେଲେ ଓ ପାଣ୍ଡବ ଭାଇମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ଘୋର କଳିଯୁଗ ପାଇଁ ସତର୍କତା ଅବଲମ୍ବନ କରିବାକୁ ଉପଦେଶ ଦେଲେ ।

   ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏହି ସବୁ ଅଦ୍ଭୁତ ପରିସ୍ଥିତିର ସଙ୍କେତ ବିଷୟରେ ପୂର୍ବରୁ କରାଯାଇଥିବା ପୌରାଣିକ ଉଦାହରଣର ସାମଞ୍ଜସ୍ୟକୁ ସହଜରେ ହୃଦୟଙ୍ଗମ କରିହେବ ।

      -----


Rate this content
Log in

Similar oriya story from Tragedy