ଅଜାଙ୍କ ଘଡ଼ି
ଅଜାଙ୍କ ଘଡ଼ି
ଅଜା ପୃଥିବୀର ସବୁଠାରୁ ସୁନ୍ଦର ମଣିଷ, ଭାରି ଭଲ, ନାତି ନାତୁଣୀମାନେ ଅଜାଙ୍କୁ ଦେଖିଲେ ଖୁସିରେ ନାଚିଉଠନ୍ତି ।
ଲିପିର ତିନି ଭାଇ, ତାକୁ ମିଶାଇ ଚାରି ଭାଇ ଭଉଣୀ, ତା ଅଜାର କିନ୍ତୁ ସେ ସବୁଠାରୁ ଗେଲ୍ଲୀ, ଦିନେ ଅଜା ତାକୁ ଗୋଟିଏ ବଡ଼ ନାଲି ହଳଦିଆ ମିଶା ଏକ ସୁନ୍ଦର ଘଡ଼ି ଆଣି ଦେଲେ, ଯାହାକୁ ଦେଖି ଭାଇ ମାନେ କାନ୍ଦି ଉଠିଲେ, ଅଜା ତା ପରଦିନ ସେମାନଙ୍କୁ ସମାନ ଘଡ଼ି ଆଣି ଦେଲେ ।
ପ୍ରତିଦିନ ଅଜା ସକାଳୁ ନାତିନାତୁଣୀ ମାନଙ୍କୁ ଧରି ବଗିଚାରେ ଏକ ଘଣ୍ଟା ବୁଲନ୍ତି,ଓ ଏହି ସମୟ ଭିତରେ ବଗିଚା ର ଗଛ ଗୁଡ଼ିକ ର ଉପାଦେୟତା ବିଷୟରେ ବୁଝାନ୍ତି...... ବିଶଲ୍ୟକରଣୀ ପତ୍ର ଖଣ୍ଡିଆ ହେଲେ ମକଚି ସଙ୍ଗେ ସଙ୍ଗେ ସେହି ଯାଗାରେ ଲଗେଇବ, ଘିକୁଆଁରୀ ଗଛ କେତେ ଉପକାରୀ.... ମୁହଁରେ କଳାଦାଗ ହେଲେ ଲଗାଇଲେ ଦାଗ ଲିଭିବା ସହିତ ମୁହଁର କମନିୟତା ବଢ଼ଇଥାଏ, ବାଳ ଝଡୁଥିଲେ ଏହାର ରସ ଲଗାଇଲେ ସୁଫଳ ମିଳେ, ଏହାର ରସକୁ ସକାଳୁ ଖାଲି ପେଟରେ ପାନ କଲେ ବହୁ ରୋଗ ଭଲ ହୋଇଥାଏ, ଶତାବରୀ ଫୁଲ ଓ ଭୂଶୁଙ୍ଗାପତ୍ର ଡାଇବେଟିସ ରୋଗୀଙ୍କ ପାଇଁ ଅତି ଉପକାରୀ, ସେହିପରି ପିଜୁଳି ଆମ ଶରୀର ପାଇଁ ଅତି ହିତକର, ବେଲପତ୍ର ଓ ତୁଳସୀ ପତ୍ର ସକାଳୁ ଯଦି ମିଶାଇ ସାତଟି ପତ୍ର ଲେଖାଏଁ ଖାଇବ ଦେହ ପାଇଁ ଅତ୍ୟନ୍ତ ହିତକର, ବହୁତ ରୋଗ ରୁ ରକ୍ଷା ପାଇବା ଓ ସୁସ୍ଥ ରହିପାରିବା, ପିଲାମାନେ ବୁଝିବା ପାଇଁ ମଝିରେ ମଝିରେ ପ୍ରଶ୍ନ ମଧ୍ୟ ପଚାରନ୍ତି ।
ଅଜା ମଝିରେ ମଝିରେ ପିଲାମାନଙ୍କୁ ପଇସା ଦିଅନ୍ତି ଓ କହନ୍ତି ଏହି ଘଡିରେ ପକାଇବ,କିଏ ବେଶୀ ଜମା କରୁଛି ପ୍ରତି ତିନି ମାସରେ ଗଣାହେବ, ଯାହାର ଅଧିକ ହେବ ମୋ ତରଫରୁ ସୁନ୍ଦର ଉପହାର ମିଳିବ, ପିଲାମାନେ ଆଗ୍ରହ ପ୍ରକାଶ କରି ସଞ୍ଚୟ କରିବାକୁ ଲାଗିଲେ, ଫଳରେ ପରିବାରର ବଡ଼ ସଦସ୍ୟମାନେ ଖୁସିରେ କିଛି କିଛି ଦେବାକୁ ଲାଗିଲେ । ଅଜା ତିନି ମାସ ହେଲା ପରେ ଦିନେ ସବୁ ନାତି ନାତୁଣୀମାନଙ୍କୁ ଡାକି ତାଙ୍କ ଖଟ ଉପରେ ବସେଇଲେ ଓ ଘଡ଼ି ସବୁ ଆଣି ସମସ୍ତଙ୍କୁ ନିଜେ ନିଜେ ଗଣି ହିସାବ ଦେବାକୁ କହିଲେ,ବୟସ ବଡ଼ ନାତିର ଆଠ, ଅନ୍ୟମାନେ ବର୍ଷେ ଦୁଇ ବର୍ଷ ବ୍ୟବଧାନରେ ସବୁ ଛୋଟ, ଲିପି ପାଞ୍ଚ ବର୍ଷର କିନ୍ତୁ ସବୁଠୁ ବୁଦ୍ଧିଆ, ଜଲ୍ଦି ଜଲ୍ଦି ଗଣି ଗୋଟିଏ ଖାତାରେ ଟିପିଲା ଓ ଅଜାଙ୍କୁ ଦେଖାଇଲା, ଅଜା ଦେଖିଲେ ସବୁଠାରୁ ଲିପିର ଅଧିକ କାରଣ ସେ ଚାଲାକ୍.... ଯିଏ ଘରକୁ ଆସିଲେ ଅର୍ଥାତ୍ ମାମୁଁ ମାଇଁ, ଦାଦା ଖୁଡି ସମସ୍ତଙ୍କୁ ତା ଘଡିରେ ପକାଇବାକୁ କହେ । ସମସ୍ତେ ତାର ସଞ୍ଚୟ ଦେଖି ଖୁସିରେ ଘଡିରେ ପକାନ୍ତି,ଅନ୍ୟ ଭାଇମାନେ ଖର୍ଚ୍ଚି,ଯିଏ ଖୁସିରେ ଦେଲେ ଆଇସକ୍ରିମ, ଚକୋଲେଟ୍ ସବୁ କିଣି ଖାଇଦିଅନ୍ତି, ତେଣୁ ସଞ୍ଚୟ ରାଶି ଭଉଣୀ ତୁଳନାରେ କମ୍, ଅଜା ଲିପିର ବୁଦ୍ଧି ଜାଣି ବହୁତ ଖୁସି ହେଇ ଆଉ ଗୋଟିଏ ବଡ଼ ଘଡ଼ି ଦେଲେ ।
ଅଜା ଘଡ଼ି ଦେବାର ଉଦେଶ୍ୟ ଅତ୍ୟନ୍ତ ମହତ୍ ଥିଲା, ଜୀବନରେ ବାଲ୍ୟକାଳରୁ ବଦ୍ ଖର୍ଚ୍ଚ, ସଞ୍ଚିତ ଧନର ଉପାଦେୟତା ...ସେ ବିଷୟରେ ଘଡ଼ି ମାଧ୍ୟମରେ ଗପ କହି ନାତିନାତୁଣୀମାନଙ୍କୁ ବୁଝାଇଥିଲେ ।
ପିଲାମାନେ ପାଠର ମନ ଦିଅ କାରଣ ତୁମେ ବାଲ୍ୟକାଳରୁ ପାଠ ପ୍ରତି ଆଗ୍ରହ ପ୍ରକାଶ କଲେ ବଡ଼ ଓ ଭଲ ମଣିଷ ହେବ,ବଦ୍ ଖର୍ଚ୍ଚ କେବେହେଲେ ଜୀବନରେ କରିବ ନାହିଁ, ପିତା ମାତାଙ୍କ ପାଖରେ କୈାଣସି ଜିଦ୍ କରନାହିଁ,ତୁମର ଯାହା ପ୍ରକୃତରେ ଦରକାର ଓ ତୁମ ପାଇଁ ଉପକାରୀ ସେ ତୁମକୁ ଆପେ ଆପେ ଆଣି ଦେବେ,ଅଝଟ ହେବନାହିଁ, ସୁନା ପିଲା ହେଇ ସମୟ ଅନୁସାରେ କାମ କରିବ ।
ପିଲାମାନେ ଦେଶର ଭବିଷ୍ୟତ, ସେମାନେ କଞ୍ଚା ମାଟି ସଦୃଶ, ଆମେମାନେ ଯେମିତି ଗଢି ତୋଳିବା ସେମାନେ ସେହି ପ୍ରକାର ଋପରେଖ ନେବେ, କଞ୍ଚା ମାଟିକୁ ଅର୍ଥାତ୍ ଶିଶୁକୁ ଭଲରେ ଗଢି ତୋଳିବା ସବୁ ପିତା ମାତାଙ୍କ ଦାୟିତ୍ଵ। ଯେମିତି ଗଢି ତୋଳିବା ସେହିପରି ଫଳ ପାଇବା, ବିଷ ବୃକ୍ଷର ବିଷଫଳ... ଅମୃତ ସମ ବୃକ୍ଷର ଅମୃତ ଫଳ। ଏହି ଶିଶୁ ଗଳ୍ପର ମହତ୍ ଉଦ୍ଦେଶ୍ୟ।