STORYMIRROR

Sucharita Sena

Comedy

3  

Sucharita Sena

Comedy

ଅଜା,ଆଈ ଓ କରୋନା

ଅଜା,ଆଈ ଓ କରୋନା

6 mins
80



ଶକି ଆଈଟା ଜୋରେ ଡାକ ଛାଡ଼ିଛି..... ହେ ମଧୁ ବାପା କୁଆଡେ ଗଲ ଯେ । କଣ ଏ ଟିଭି କହୁଛି ଶୁଣୁନା ।ମତେ କିଛି ବୁଝା ପଡୁନି, ଗୁଆ କାତିରେ ଗୋଟା ଗୁଆ ପୁରାଇ ଭାଙ୍ଗୁ ଭାଙ୍ଗୁ ଲମ୍ବି ଗଲା ଏ ' ନି ' ଶବ୍ଦ ଟା ଶକି ଆଈର । ପୁରିଆ ଅଜା ଗାମୁଛାରେ ମୁହଁ ପୋଛି ପୋଛି ଆସି ଟିଭି ପାଖରେ ତାଟି କବାଟ ଦେଲା ପରି ଠିଆ ହୋଇଗଲେ । ଶକି ଆଈର ମୁଣ୍ଡଟା ଗରମ ହୋଇଗଲା, ଟାଣ ଗୁଆଟାକୁ ଫଳ କରିବାକୁ ଜୋର ଦେଇ କହିଲେ , ମ......ଲା ଆଗରେ କଣ ଏମିତି ଠିଆ ହେଲ ଉଠୁନା ମୁଁ ଟିକେ ଦେଖେ ।

ପୁରିଆ ଅଜା ହମ୍ମ କହି ଶକି ଆଈକୁ ଚାହିଁ କହିଲେ " ଆଲୋ ତତେଵା କିଛି ବୁଝା ପଡୁନି ପୁଣି ଦେଖିବୁ କଣ?

ଆଈ ସବୁ ବୁଝିଲା ପରି କହିଲା " କେଡେ ସୁନ୍ଦୁରିଆ ଫୁଲଟା ହେଇଛି, ତାକୁ କଣ କରୋନା କହୁଛନ୍ତି । ହେଇଟି ମଧୁ ବାପା ସେଟା କଣ ଵା ?"

ପୁରିଆ ଅଜା ଚୌକି ଉପରେ ବସୁ ବସୁ କହିଲେ " ରୋଗଟା ବିଦେଶରୁ ଆସି ଆମ ଦେଶରେ ପହଂଚି ଗଲା । ସେଥିପାଇଁ ଲକ୍ ଡାଉନ୍ ସବୁଆଡେ ହେଇଗଲା ।

ଆଈ ବୁଲିଗଲା ଅଜା ଆଡକୁ, ମୁଣ୍ଡରେ ହାତ ଦେଇ ଧୀରେ ପଚାରିଲା "ଏ ଲକ୍ ଡଉନ୍ କଣ ଵା "?

ଦୋକାନ ବଜାର ସବୁ ବନ୍ଦ, ଯେଝା ଘରେ ଯେଝା ରହିବେ, ଏ ରୋଗଟା ପରା ଛୁଇଁଲେ ହଉଛି । ଅଜା ଚିଡି ଚିଡି ହୋଇ କହିଲେ ।

ଆଲୋ ମୋ ପାନବଟାରେ ପାନ ପତର କଣ ସତ ... ଆଠଟାଟା ପଡିଛି, ଦୋକାନ ବନ୍ଦ ହେଲେ କଣ କରିବି ଲୋ ମା । ଆଈ ପାନ ଖଣ୍ଡେ ଅଜା ହାତକୁ ବଢାଉ ବଢାଉ କହିଲା ।

ଅଜା ପାନ ଖଣ୍ଡକୁ ରା଼ଚୁ ରା଼ଚୁ କି ଚୋବେଇ ଦେଇ କହିଲେ, " ରାକ୍ଷସ ଜାତି..... ସାପ, ବେଙ୍ଗ, ବାଦୁଡ଼ି ସବୁ ଖାଇଲେ ଚେପା ନାକିଆ, ଆଉ ଭୋଗିବୁ ଆମେ । ଛାଡ ଦିଅ ବ୍ୟାଗଟା କଣ ଟିକେ ସଉଦା ନେଇଆସେ "।

ପୁରିଆ ଅଜା ଦୋକାନରୁ ଫେରି ବ୍ୟାଗଟା ଥୋଇ ଦେଇ ଆର ପଟ ଘରକୁ କହି କହି ଚାଲିଲେ "କି ଦାମ ଲୋ ବାପା, ସବୁ ବଢ଼େଇ ଦେଇଛନ୍ତି, ଦେଖିକି ଚଳିବୁ ମଧୁ ବୋଉ । କି ଭିଡ, କମ କଷ୍ଟରେ ଏଗୁଡା ଆଣିଛି" ।

ଆଈ ଆସି ଜିନିଷ ଗୁଡା ଖେଦି ଦେଲେ । ବ୍ୟାଗ ଭିତରୁ ସାନିଟାଇଜର ବାହାରକରି ଆଣିଲେ, ବଡ ପାଟିରେ ଅଜାଙ୍କୁ ପଚାରିଲେ " ମଧୁ ବାପା ଏଟା କଣ ? " । ଆରପଟ ଘରେ ଜେଜେ ଜାମା କାଢୁ କାଢୁ କହିଲେ ସେଟା ଵା ଏବେ ଅମୃତ ଭଳି କାମ କରୁଛି, ଜୀବନ ବଂଚେଇବ ସେ ।

ରୋଗକୁ ଡରି ଯାଇଥିବା ଆଈ ସଙ୍ଗେ ସଙ୍ଗେ ସାନିଟାଇଜରକୁ ବାହାର କରି ହାତର ଚକି ଫୁଲ କରି ମନେ ମନେ ଭଗବାନଙ୍କୁ ଡାକି ଆଖି ବନ୍ଦ କରି ଗର୍ଭକୁ ଖ୍ୟପି ଦେଲେ । ଅଜା ଆସି ଦେଖାନ୍ତିତ ଆଈ ମୁଣ୍ଡ ଉପରେ ପାଦୁକା ଖାଇ ହାତ ବୋଳିଲା ଭଳି କରୁଛନ୍ତି । ଅଜା ଆହାଃ ଆହାଃ କଲା ବେଳକୁ ଆଈ ତାଙ୍କ କାମରେ ସଫଳ ହୋଇ ସାରିଥିଲେ ।

ପୁରିଆ ଅଜା ସାନିଟାଇଜର ହାତରେ କିପରି ମରା ହେବ ଦେଖେଇଦେଲେ, ଆଈ ମୁହଁଟାକୁ ମୋଡି କଣେଇ ଚାହିଁ ଦେଖିକି କହିଲେ " ମୋର ହେତୁ ପାଇଲା ଦିନୁ ଏପରି କଥା ଦେଖି ନଥିଲି କି ଶୁଣି ନଥିଲି.... ଏ ବୁଢ଼ୀ କଳାକୁ ପୁଣି !" ଅଜା ଅଧାରୁ ଆଈଙ୍କୁ ଅଟକାଇ କହିଲେ " ବୁଢା, ବୁଢୀଙ୍କୁ ପରା ବେଶୀ ବିପଦ ତୁ ଟିଭି ଦେଖୁନୁକି "।

*****

ଘରେ ରହି ରହି ଅଜା ବିଜାର ହେଲେଣି । କେତେ ଘରେ ପଶି ରହିବେ । ରାମାୟଣ, ମହାଭାରତ ରେ ଆଈ ପୁରା ମଜି ଯାଇଛି ।କିନ୍ତୁ ଅଜାଙ୍କୁ ଘର ଟା ଭଲ ଲାଗୁନି,ଛକ ଦୋକାନ ବନ୍ଦ, ଖଟି ନାହିଁ । ଏତିକି ବେଳେ ସୁବଳ ଡାକ ଦେଲା ପୁରିଆ ଭାଇ ବାହାରକୁ ଆସ । ଠାକୁର ପୋଖରୀ ମାଛ ଧାରା ହଉଛି ଯିବ ଯଦି ଆସ । ଅଜା ତ ମଉକା ଖୋଜୁଥୁଲେ, ସୁବଳ ସହିତ ମାଛ ବ୍ୟାଗ ଟା ଧରି ଚାଲିଲେ । ପୋଖରୀ ହୁଡାରେ ଲୋକଙ୍କ ଗହଳି ଲାଗିଛି । ଜିଅନ୍ତା ମାଛ ଗୁଡା ଵାବଦେ ଵାବଦେ ହୋଇ ଥୁଆହୋଇଛି । ବଡ ଭକୁର ମାଛ ଗୋଟା ଦେଖି ପୁରିଆ ଅଜା ବ୍ୟାଗରେ ପୁରେଇ ଛନ୍ତିକି ନାହିଁ ସେପଟୁ ଧାଁ ଧପଡ ଲାଗିଗଲା । ଅଜା ବୁଝିଲା ବେଳକୁ ପୋଲିସ ମାମୁଁ ଜଣେ ଲାଠିରେ ଜେଜେଙ୍କ ପିଚାକୁ ପାହାରେ ଦେଇ ସାରିଲାଣି, ଅଜା ଇଲୋ ବୋଉଲୋ କହି ଗହୀର ପଟରେ ଆସି ଘରେ । ଅଜାଙ୍କ ଛୋଟେଇ ଛୋଟେଇ ଚାଲି ଦେଖି ଶକି ଆଈ ଅଣ୍ଟାରେ ହାତଦେଇ ପଚାରିଲା " କଣ, ଆଜି ପୁଣି ଜୋତାର ଫିତା ଛିଣ୍ଡେଇ ଆସିଲ, ଏବେ ନୂଆଟା ଲଗେଇ ଥିଲ ଵା " । ପୁରିଆ ଅଜା ଗାରୁ ଗାରୁ ହୋଇ ଘର ଭିତରକୁ ଚାଲିଗଲେ । ଛୋଟ ବେଳେ ବାପା ବାଡ଼ଉଥିଲେ, ଏତେ ବର୍ଷ ପରେ ମାଡ ଟା ବସିଲା ସେ ପୁଣି ଅଜାଗା ଘା ଭଳି ନା ଦେଖି ପାରିବି ନା ଦେଖେଇ ପାରିବି । ଏପରି ମନେ ମନେ ଭାବୁ ଭାବୁ ଅଜାଙ୍କ ପାଟିରୁ "ବୋପାଲୋ" ଶବ୍ଦଟା ବାହାରି ପଡିଲା । ବିଲେଇ କପାଳକୁ ଶିକା ଛିଣ୍ଡିଲା ଭଳି ଆଈ ଆସି ପହଂଚି କହିଲେ "ମୋ ପାନ ପତ୍ର ସରି ଯାଇଚି, ଯାଉନା ଟିକେ ନେଇ ଆସିବ" । ଅଜା ଯନ୍ତ୍ରଣାରେ କାନକୁ ମୋଡି ଗାଲରେ 2ଟି ସରୁ ଚାପୁଡ଼ା ମାରି କହିଲେ ଆଉ ବାହାରକୁ ମୋର ଯିଵାର ନାହିଁ, ପାନ ଖାଇଲେ ଖା ନହେଲେ ନାହିଁ....... ବୋପାଲୋ "।

<

p> ଶକି ଆଈ କିଛି ନବୁଝି ପାରି ଜୁଳୁଜୁଳୁ ହୋଇ ଅନେଇ ରହିଲେ ।

*******

ଶକି ଆଈ ଦାଣ୍ଡରେ ବସି ବାହାରୁ ଆସିଥିବା ପରିବାକୁ ଭଲକି ଧୋଉଛି, ଏତିକି ବେଳେ ବାରି ପଟରୁ ପୁରିଆ ଅଜା ଦୌଡ଼ି ଆସି ଘରେ ପଶି ଆଈକୁ ଡାକ ଛାଡିଲେ, ଆଈ ହାତ ଭଲକି ଧୋଇଚିକି ନାଇଁ ପୁଣି ଅଜା ରଡି ଛାଡିଲେ । ଆଈ ତରତରରେ ଘରକୁ ଦୌଡ଼ି ଗଲେ । ପୁରିଆ ଅଜା କବାଟ ଦେଇ ଝରକା ବାଟେ ଉଣ୍ଡି ହେଉଥାନ୍ତି । ଶକି ଆଈ କଣ ହେଲା ବୋଲି ପଚାରିବରୁ, ଅଜା ଧୀରେ ଧୀରେ କହିଲେ " ଆରେ ଗାଁ ନିଧିଆକୁ କରୋନା ହୋଇଛି ! ତାର ତ ଏ ଅଧା ଗାଁ ଟା ସହ ଝଗଡା, ସେତ ଖାଲି ସମସ୍ତଙ୍କୁ ଗୋଡ଼ଉଛି ଛୁଇଁବାକୁ, ସେଥିପାଇଁ ତାକୁ କାବୁ କରିବାକୁ ପୋଲିସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଆସିଛନ୍ତି । ମୁଁ ବାଡ଼ିରେ ଥିଲି ଯେମିତି ଶୁଣିଚି ମୋ ମନେ ପଡିଲା ତୋ କଥା ତୁ ମାସକ ତଳେ ତା ସ୍ତ୍ରୀ ସହ ଝଗଡା କରିଥିଲୁ ନା.... କାଳେ ରାଗ ରଖି ଆମ ଘରକୁ ଚାଲି ଆସିବ । ତୁ ଜମା ବାହାରକୁ ଯାଅନା " ।

ଶକି ଆଈ ମୁଣ୍ଡରେ ହାତ ଦେଇ ବସି ପଡି କହିଲା " କି ଲୋକଟା ସେ, ତାର କଣ ମଣିଷ ପଣିଆ ନାହିଁ, ଏତିକି ବେଳେ ଏମିତି ହେବା କଥା । କି ରୋଗ ଆସିଲ ଲୋ ମା, ହଉ ତା ଦେହ ଭଲ ହେଇଯାଉ କହି ଭଗଵାନଙ୍କ ଉଦ୍ଦେଶ୍ୟ ଆଈ ହାତ ଟେକିଲା " ।

କିଛି ସମୟ ପରେ ନିଧିକୁ ନେଇ ସେମାନେ ଗାଡ଼ିରେ ଚାଲିଗଲେ । ନିଧିଆ ଗାଡି ଭିତରେ ରଡି ଛାଡୁଥାଏ ମତେ ଛାଡ଼ ମୁଁ ଯିବିନି... ମତେ ଛାଡ । ସବୁ ଦେଖି ସରି ଅଜା ଦୀର୍ଘ ନିଃଶ୍ବସ ଛାଡି କବାଟ ଖୋଲି ବାହାରକୁ ଆସିଲେ ।

*******

ଶକି ଆଈ 'ଚା' ଟା ପୁରିଆ ଅଜାଙ୍କ ହାତକୁ ବଢାଉ ବଢାଉ କହିଲେ " ପୁଅଟା ଟିକେ ଛୁଟିରେ ଘରକୁ ଆସି ପାରିଲାନି ଏ ପୋଡାମୁହାଁ ଲକ୍ ଡାଉନ୍ ପାଇଁ "।

"ସେ ଠିକୀ କରୁଛି, ଯୋଉଠି ଅଛି ସେଇଠି ଥାଉ... ଭଲରେ ତ ଅଛି, କିଆଁ ଆସିକି ରୋଗକୁ ବରଣୀ କରିବ, ଏଇ ଯେପରି ଗାଁ ଟୋକା ଗୁଡା ଆଜି ଆପେ ଆପେ କରୋନା ଟେଷ୍ଟ ପାଇଁ ଦୌଡ଼ିଛନ୍ତି "। ପୁରିଆ ଅଜା ପାଟିରେ ଚା ଦଉ ଦଉ କହିଲେ ।

ଶକି ଆଈ ବୁଝି ନପାରି ପୁରିଆ ଅଜାକୁ ଚାହିଁଲେ ଅଜା କହିଲେ "ଆରେ କଣ କହିବି ଆଜି କଲି ପିଲାଙ୍କୁ ତ ଦେଖୁଛ, ଆମ ସମୟ କିମିତି ଥିଲା, ବାହାଘର ପରେ ବି ତତେ ଦେଖିବାକୁ କେତେ କଷ୍ଟ କରିବାକୁ ପଡୁଥିଲା ହେଲେ ଆଜି କାଲି ପିଲା ଗୁଡାଙ୍କ ମୁଣ୍ଡରେ କଣ ଅଛି କେଜାଣି । ସେ ପ୍ରଧାନ ଘର ଝିଅଟିର ଦେହ ବେସ୍ତ ହେଲା ତାକୁ ଟେଷ୍ଟ କରିବାକରୁ ଜଣା ପଡିଲା କରୋନା ହୋଇଛି । ଗରମେଣ୍ଟ ତ ଏବେ ଲିଂକ ଖୋଜୁଛି.. ଯେ ରୋଗୀ କାହା ସଂସ୍ପର୍ଶରେ ଆସିଛି ସେମାଙ୍କୁ ବି ଧରି ଟେଷ୍ଟ କରୁଛି । ସେ ଝିଅ ତା ପରିବାର ସହ ଆଉ ଦୁଇ ... ତିନଟା ଗାଁ ର ପୁଅ ନାଁ କହିଲା ଯିଏ ତାର ସାଙ୍ଗ ଥିଲେ । କିନ୍ତୁ ଏ କରୋନା ଡରରେ ଆଜି ଆଉ 12ଟା ଟୋକା ତାଙ୍କ ଆଡୁ ବାହାରି ଯାଇ ଟେଷ୍ଟ କରୁଛନ୍ତି "।

ଆଈ ପଚାରିଲେ "କଣ ସବୁ ତା ସାଙ୍ଗ" । ପୁରିଆ ଅଜା ଚା କପଟା ଶକି ଆଇ ହାତକୁ ବଢାଉ ବଢାଉ କହିଲେ ହଁ ନହେଲେ ବାହାରି ଥାନ୍ତେ କାହିଁକି, କରୋନା ଡର ଯୋଗୁ ଜଣା ପଡିଲା ଯେ ସବୁ ତା ସାଙ୍ଗ ବୋଲି ।

******

ପୁରିଆ ଅଜା ବସି ମନେ ମନେ ଗୁଣୁଗୁଣୁ ହଉଛନ୍ତି । ଏତିକି ବେଳେ ଗାଁ ଧୁଳିଆଟା ସାଇକେଲ ଉଡେଇ ଉଡେଇ ଆସି ଅଜାଙ୍କ ପାଖରେ ହଜାର । ଅଜା ହାଁ ହାଁ କରି ସେଇଠି ରହିବାକୁ କହି 6 ହାତ ଦୂରରେ ଗୋଟେ ଚୌକି ପକେଇ ବସିବାକୁ କହିଲେ । ଧୁଳିଆଟା ପାଖରେ ଗାଁ ସାରା ଖବର, ଖାଲି ଖବର ନୁହେଁ ରେଡ଼ିଓ ଭଳି ବାଜି ବାଜି ଖବର କହିଵାବି ଜାଣିଚି । ମୁହଁରୁ ମାସ୍କଟା ଟାଣି ତଳକୁ କରୁ କରୁ ଅଜା କହିଲେ ନାଇଁ ନାଇଁ ଥାଉ ମାସ୍କଟା, ସେଇଥିରେ କହ ମତେ ସବୁ ଶୁଭୁଚି ।

ଧୁଳିଆ ହସ ଖଣ୍ଡେ ହସିଦେଇ କହିଲା " ଅଜା ଗାଁ ରେ ଆଜି ସେନାପତି ସାହିରେ ବାହାଘର ହଉଥିଲା, ଭୋଜିର ବି ଵେବସ୍ତା ଥିଲା ।ସାଇ ଭାଇରେ ଘର ଖଚାଖଚ କି ଭିଡ଼ । ବ୍ରାହ୍ମଣ ମନ୍ତ୍ର ପଡି ହାତ ଗଣ୍ଠି ପକେଇଲା ବେଳକୁ ପୋଲିସ ମାମୁଁ ଆସି ହଜାର । ପୋଲିସ ଵାଲା ରାଗିକି ଖପା ହେଇଗଲେ । ବ୍ରାହ୍ମଣକୁ ଧରିବାକୁ ଗଲା ବେଳକୁ ସେ ଲୁଚିକି ଛୁ । ବର କନିଆଁ ହାତ ଗଣ୍ଠି ନପଡିଵା ପୂର୍ବରୁ ହାତ ଧରା ଧରି ହୋଇ ଦୌଡ଼ିଛନ୍ତି । ଖାଲି ସେତିକି ନୁହେଁ ଅଜା... ପୁଅ ଝିଅଙ୍କ ବାପା ଭାଇ ଏବେ ଥାନାରେ, ତିନି ତିନି ଲକ୍ଷ୍ୟ ଛଅ ଲକ୍ଷ୍ୟ ଏବେ ଜରିମାନା ଗଣିବେ । ଭୋଜି ଭାତକୁ ପୋଲିସ ସାଙ୍ଗରେ ଟେକି ନେଇ ଅନାଥ ଆଶ୍ରମରେ ଦେଇଦେଲା । ଆମେ ତ ଯିଏ ଯୁଆଡେ ଧାଁଇଛୁ ।

ସବୁ ଶୁଣି ସରି ପୁରିଆ ଅଜା କହିଲେ "ଆରେ ଏବେ ପରା ଲକ୍ ଡାଉନ୍ ଚାଲିଛି, ବାହାରକୁ ବାହାରିଲେ ବିପଦ....ଜୀବନ ବଞ୍ଚିଲେ ସିନା କଣ କରିବା । ଏ ପୋଲିସ ଯାହା କରୁଛି ଠିକୀ କରୁଛି "। ପୁରିଆ ଅଜା ଚୌକି ଉପରେ ବାଙ୍କୀ ହୋଇ ବସି ଦରଜ ଥିବା ପାହାରକୁ ଏବେବି ଅନୁଭବ କରୁଥିଲେ ।

            


Rate this content
Log in

Similar oriya story from Comedy