ଅହ୍ୟ ସୁଲକ୍ଷଣୀ
ଅହ୍ୟ ସୁଲକ୍ଷଣୀ
ସୁମିର ମନଟା ଆଜି କାହିଁକି କେଜାଣି ଭାରି ଅସ୍ଥିର । ସେ ଯେତେ ଚେଷ୍ଟା କଲେ ବି ମନକୁ ଜମା ବୁଝେଇପାରୁନି । ତା ଜୀବନରେ ଯେ କେବେ ଏତେ ଝଡ ମାଡି ଆସିବ । ସେ କେବେ କଳ୍ପନା କରି ନ ଥିଲା । ପଟ୍ଟନାୟକ ବଂଶର ଅଲିଅଳି ଝିଅ , ରାୟଚୌଧୁରୀ ବଂଶର ଏକମାତ୍ର ସୁନାନାକି ବୋହୂ । ସବୁ ଠିକଠାକ ଚାଲିଥିଲା । ବାହାଘରକୁ ଦୁଇ ବର୍ଷ ହେବ । ସଂସାର ବିଷୟରେ ଭଲକରି ଜାଣିବା ଆଗରୁ ସତେ ଯେମିତି ତା ସଂସାର ଉଜୁଡି ଯିବାକୁ ବସିଛି ।
ରାନୁ ମୃତ୍ୟୁର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ସିଏ । ସେଦିନ ଥିଲା ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି । ରାତି ପ୍ରାୟ ୧୧ ଟା ପାଖାପାଖି ହେବ ଚାରି ଆଡ ଜହ୍ନ ଆଲୁଅରେ ଜକ ଜକ ଦିଶୁଛି । ସୌରଭ ସେଦିନ କ'ଣ କାମରେ ବ୍ୟସ୍ତ ଥିଲେ ବୋଲି କହିଲେ । ଆସିବାକୁ ଟିକେ ଡେରି ହେବ । ସୁମିକୁ ନିଦ ହେଉ ନ ଥାଏ । ସୌରଭ ପ୍ରାୟ ଲଟେ ନାଇଟ ରେ ଘରକୁ ଫେରନ୍ତି । ସୁମିକୁ କଥାଟା ଭଲ ନ ଲାଗିଲେ ବି କିଛି କହି ପାରେନି । ପାଣି ପିଇବାକୁ ତଳ ଘରକୁ ଆସିଲା ବେଳେ ହଠାତ କାହାର ଚିତ୍କାର ଶୁଣି ସେ ବାହାରକୁ ଚାହିଁଲା । ସୌରବ ରାନୁର ତଣ୍ଟିତାକୁ ଜୋରରେ ଚିପି ଧରିଛନ୍ତି ; ଆଉ ସେ ଛଟପଟ ହେଉଛି । କିଛି ସମୟ ପରେ ଶାନ୍ତ ପାଲଟି ଯାଇଛି ତା' ଶରୀର । ତା' ପରେ ସୌରଭ କାର୍ ର ଡ଼ିକିରେ ତା'ର ଶବକୁ ରଖି କୁଆଡେ ଚାଲିଯାଇଛନ୍ତି । ଏ ସବୁ ଦୃଶ୍ୟକୁ କେବଳ ହତବାକ ହୋଇ ଚାହିଁ ରହିଥିଲା ।
ରାନୁ ସହିତ ସୌରଭଙ୍କର କଣ ଶତ୍ରୁତା ଥିଲା ! ସୁମି କିଛି ବି ବୁଝିପାରୁନଥିଲା । ରାନୁତ ବହୁତ ଭଲ । ଦୀର୍ଘ ଦଶ ବର୍ଷ ହେଲା ସେ ତାଙ୍କ ଘରେ କାମ କରି ଆସୁଛି । ଭାରି ସରଳ ନିଷ୍କପଟ ଝିଅଟେ । ବୟସରେ ସୁମିଠାରୁ ସାନ ହେଲେବି ସଂସାର ବିଷୟରେ ସେ ଏମିତି କଥା କହେ ଯେମିତି ଢେର ଅଭିଜ୍ଞାତା ରହିଛି ତାର । ନୂଆ ହେଇ ଏ ଘରକୁ ଆସିଲାବେଳେ ସେ ସୁମିକୁ ବହୁତ କଥା ବୁଝେଇଛି , ତୁମ ଶାଶୁ ବହୁତ ଭଲ ଲୋକ ଥିଲେ ଭାଉଜ । କେହିବି ଦୁଃଖୀରଙ୍କୀ ଖାଲି ହାତରେ ତାଙ୍କ ଦୁଆରୁ ଫେରନ୍ତି ନାହିଁ । ସତରେ ଭାରି ପୁଣ୍ୟବତୀ ସିଏ । ସାକ୍ଷାତ ମା ଲକ୍ଷ୍ମୀଙ୍କ ଅବତାର । ତାଙ୍କ ଯୋଗୁ ବଡ଼ବାବୁ କେତେ ବିପଦରୁ ରକ୍ଷା ପାଇଯାଇଛନ୍ତି । ସେ ସେମିତି ସତୀନାରୀ ଥିଲେ ବୋଲି ଅହିଅ ମୁଣ୍ଡରେ ଚାଲିଗଲେ । ଅହ୍ୟ ସୁଲକ୍ଷଣୀ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ ଭାଉଜ । ତୁମ ପଣତ କାନି ସୌରଭ ଭାଇଙ୍କୁ ସବୁ ବିପଦରୁ ରକ୍ଷା କରୁ ।
ରାନୁ ତ ନିଜ ଭାଇ ଭଳି ସୌରଭଙ୍କୁ ଭଲ ପାଉଥିଲା ; ବହୁତ ସମ୍ମାନ କରୁଥିଲା । ହେଲେ ସେ ତାକୁ ମାରିଲେ କାହିଁକି ! ରାନୁ କେସ ବିଚାରର ଆଜି ଶେଷ ତାରିଖ । ହତ୍ୟାକାରୀର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନାହିଁ । ତାଙ୍କ ପରିବାରର ସବୁ ଲୋକଙ୍କୁ ଜେରା କରି ସାରିଲାଣି । ଆଜି ବିଚାର ପରେ କେସଟି ବନ୍ଦ ହେଇଯିବ । ଇଚ୍ଛା ହେଉଛି ଦୌଡ଼ି ଯାଇ ବିଚାରପତିଙ୍କୁ ସବୁ ସତ କଥା କହିଦେବ । ହେଲେ ଯଦି ତା ସ୍ୱାମୀଙ୍କୁ ଜେଲ ହେଇଯିବ ! ଯଦି ତାଙ୍କୁ ମୃତ୍ୟୁଦଣ୍ଡ ହେଇଯାଏ ! ସେ କେମିତି ଅହ୍ୟ ସୁଲକ୍ଷନୀ ହେବ । ସେଇ ରାନୁ ତ ତାକୁ କହିଥିଲା ସବୁ ବିପଦରୁ ସ୍ୱାମୀଙ୍କୁ ଘଣ୍ଟା ଘୋଡାଇ ରଖିବା ପାଇଁ । ଆଜି ସେ ବିଚାରୀ ନାରୀକୁ ନ୍ୟାୟ ଦେବା ନା ନିଜ ସ୍ୱାମୀଙ୍କୁ !!! ଭାବି ଭାବି ନିଜ ଅଜାଣତରେ ସେ ପହଞ୍ଚି ଯାଇଛି ନ୍ୟାୟାଳୟର ଦୁଆରେ । ଆଉ ଅଜାଣତରେ ବାହାରି ଯାଇଛି ତା' ପାଟିରୁ ସେଦିନ ରାତିର ସବୁ ସତକଥା ।
ଏବେ ତ କେବଳ ନ୍ୟାୟ ମୂର୍ତ୍ତି ହିଁ ବିଚାର କରିବେ ସୁମି ଭାଗ୍ୟରେ ଅହ୍ୟ ସୁଲକ୍ଷଣୀ ଲେଖା ଅଛି କି ନାହିଁ।
