STORYMIRROR

pratap nayak

Tragedy

3  

pratap nayak

Tragedy

ଅଦୃଶ୍ୟ ସେ ସୀମାହୀନ ବନ୍ଧନ

ଅଦୃଶ୍ୟ ସେ ସୀମାହୀନ ବନ୍ଧନ

3 mins
845


ସ୍ନେହର ବନ୍ଧନକୁ କିଏ କାଟି ପାରିବ ଯେ,ନା ସମୟ ନା କର୍ମପ୍ରବଣ ଦୂରତା।ଏମିତି କେହିନାହିଁ ସେ ଅଦୃଶ୍ୟ ସୂତାକୁ ଛିଡେଇ ଦେଇପାରିବ।

ତମେ ଆସିବାକୁ କହିଥିଲ ,କାହିଁକି ଆସିଲନି?

ଆରେ ବାବା କହିଲି ପା ଜରୁରୀ କାମ ପଡିଗଲା,ଯାଇ ପାରିଲିନି।ଆର ରବିବାର ନିଶ୍ଚୟ ପହଁଚିବି,କଥା ଦେଲି ପ୍ରୋମିଜ ।

ଆଉ ଆସିବା ଦରକାର ନାହିଁ କି ପ୍ରୋମିଜ। ଓକେ ....

ମୋବାଇଲ ଡିସକନେକ୍ଟ କରିଦେଲା ସମୀର.....।

ବିବେକକୁ ଦିନ ସାରା ଆଉ ଭଲ ଲାଗିଲାନି,ଅଫିସର କୌଣସି କାମ ବି।ପାଖ ଟି ଷ୍ଟଲରୁ ଯାଇ ବିନା ଚିନି ଚା କପେ ପିଇଲା।ନିଜକୁ ଦୋଷି ଦୋଷି ଲାଗିଲା ତାକୁ।ଦୁଇ ଦିନ ଅଫିସରୁ ଛୁଟିନେଇ ସନ୍ଧ୍ୟା ବସରେ ଯାଇ ବସିଗଲା ସେ।

କଟକରୁ ବସ୍ ତା ଗାଁ ସପନପୁରକୁ ଅନ୍ୟୁନ ଚାରିଘଣ୍ଟା ଲାଗିବ।ସ୍ଥିର ନିଶ୍ଚିତ ହୋଇ ବସ ସିଟ୍ ରେ ଶୋଇପଡିବାକୁ ଚେଷ୍ଟାକଲା।ହେଲେ ନିଦ ଆସୁଛି କୋଉଠି।

ତା ଆଗରେ ନାଚି ଯାଉଥିଲା ସମୀରର ମୁହଁ।ହସକୁରା ମୁହଁଟା ତାର କାନ୍ଦୁରା ଦିଶୁଥିଲା,ନିଶ୍ଚୟ ଦିନସାରା ସେ ଆଜି ଓପାସ ଥିବ।ବାରମ୍ବାର ଆସି ଗାଁ ଛକରୁ ତାକୁ ଖୋଜି ଫେରି ଯାଇଥିବ।କାହା କଥା ଶୁଣୁ ନଥିବ।ବୋଉ ବାପା ସମସ୍ତେ ହାର ମାନିଥିବେ ତା ଜିଦି ଆଗରେ....।

କଣ କରିବ ସେ।ସମୀରଟା ପିଲାବେଳୁ ଭାଇ ରଂକୁଣା।ବିବେକ ଯୋଉଠି ସମୀର ସେଇଠି।ତା ଭାଇ ହେଉଛି ଭାଇ କମ୍ ସାଂଗ ବେଶୀ।ନିଜ ବୟସର ପିଲାମାନଙ୍କ ସହ ସାଂଗ ନହୋଇ ଭାଇ ସହିତ ବୁଲିବ,ଭାଇ ସାଂଗ ମାନଙ୍କ ସହ ମିଶିବ,ଭାଇ ମେବାଇଲରୁ ଭାଇର ଫେସବୁକ୍ ଚଲେଇବ,ଭାଇ ହ୍ୱାଟ୍ସଅପରୁ ଭାଇର ସାଂଗମାନଙ୍କ ସହ ମେସେଜ କରିବ,ସତେକି ନିଜକୁ ଭାବିନିଏ ସେ ବଡ ବିବେକ ସାନ । ବିବେକ ବି ତାକୁ ଏତେ ସ୍ନେହ କରେ ଯେ ତାର କୌଣସି କଥାକୁ ବାରଣ କରେନା।

ଥରେ ବିବେକର ଲାପଟପରୁ ସବୁ ଫାଇଲ ଡିଲିଟ୍ କରିଦେଲା ଭୁଲରେ ସମୀର।ଏତେ ସମସ୍ତ ଡାଟା ପୁଣି ଅନଲାଇନରୁ କଲେକ୍ଟକରି ଡାଉନଲୋଡ କରିବାକୁ କଷ୍ଟ ହେବ ଯାଣି ସୁଦ୍ଧା ସେ ସମୀରକୁ କିଛି କହିପାରିଲାନି କିନ୍ତୁ ଲଖ୍ୟ କରିଛି ବିବେକ, ସମୀର ତାକୁ ଡରୁଆ ଆଖିରେ ଚାହିଁଛି ।ତାକୁ ଆହୁରି ସ୍ନେହ କରିବାକୁ ଇଚ୍ଛାକଲା ବିବେକ ,ପାଖକୁ ଡାକି କୁଣ୍ଢେଇ ପକେଇ ଗେଲ କରିଦେଲା, ସମୀରବି ବିବେକ ଦେହରେ ଲେସି ହେଇଗଲା ଯେମିତି ।

ପିଲା ବେଳର ଅନେକ ସ୍ମୃତି ଉଜାଗର ହେଉଥିଲା ବିବେକର।ଥରେ ସାଇକେଲ ଶିଖିଲା ବେଳେ କେମିତି ସେ ସମୀରର ହାତକୁ ଚେନ ଲଗେଇଲା ବେଳେ ଚାପିଦେଇଥିଲା,ନଖ ତିନିଟା ମରିଗଲା ହେଲେ ସେ ଘରେ ଆଦୌ କହିଲାନି ବାପା କି ବୋଉକୁ।ଦେଖିଛି ସେ ହାତ ଚାପି ହେଇ ରହିଛି ସାଇକେଲ ଚେନରେ ,ଲୁହରେ,ଆଖି ଢଳଢଳ ହେଲେ ଭାଇର ଦୋଷ ଦଉନି ଛୁଆଟା,କହିଲା ମୋ ଭୁଲରୁ ହାତ ପଶିଗଲାନା ...ଦିନେ ନଇରେ ଗାଧୋଉଥିବା ବେଳେ,ପହଁରା ଶିଖେଇ ଦେବା ଆଳରେ ନଇରେ ବୁଡିଯାଇଥିଲା ସମୀର,ସେକଥା ବି ଘରେ କେହିଯାଣି ନାହାଁନ୍ତି ।ବରଗଛ କୋରଡରୁ ପାରା ଛୁଆ ଆଣିବାକୁ ବିବେକ ସମୀରକି ଚଢେଇଦେଲା ଗଛକୁ ,କୋରଡରୁ ସାପକୁ ଦେଖି ଛାନିଆଁରେ ସେ ଗଛରୁ ଖସି ପଡିଲା ,ଅନେକ ଦିନଯାଏ ଅଣ୍ଟା ଦରଜ ହେଲା ତାର,ହେଲେ ସେକଥା କେହିବି ଯାଣିନାହାଁନ୍ତି ଆଜିଯାଏ।

ସମୀର ତାକୁ ଏତେ ଭଲ ପାଏ ଯେ ଶୋଇବା ଉଠିବା ପଢିବା ବୁଲିବା ଖେଳିବା ଯାନିଯାତ୍ରା ଦେଖିଯିବା ସବୁ କରେ ବଡ ଭାଇ ବିବେକ ସହିତ....।

ଯୋଉଦିନ ଯାଣିଲା ଭାଇର ଚାକିରି ହେଇ ଯାଇଛି ,ଭାଇ କଟକରେ ରହିବ,ଯାଣିବ ଅନ୍ନଜଳ ଛାଡିଦେଲା ସମୀର ,ଝୁରିଝୁରି ଭବିଷ୍ୟତକୁ ....କଣ୍ଟା ହେଇଗଲା।କେତେ ନବୁଝେଇଛି ବିବେକ ତାକୁ ......ବୁଝିଲା ସେ ।କଥାହେଲା ସବୁ ଶନିବାର ସେ ଗାଁକୁ ଆସିବ,ସୋମବାର ଯିବ ।

ଦି ମାସରେ,ଆଠଥର ଯାଇଛି ସେ ଗାଁକୁ ।ଦେଖିବ କି ଖୁସି ତାର ଶନିବାର ସକାଳୁ ଯଗିଥିବ ଗାଁ ଛକ ଯେ ରାତି ଆଠଯାଏ ।ବସରୁ ଓହ୍ଲେଇଲେ ବେଗଟା ତାର ବୋହିକି ସେ ଘରକୁ ନବ।ସପ୍ତାହର ପ୍ରତ୍ୟକ ମିନିଟର କଥା ତାର ସବୁ ଶୁଣିବାକୁ ପଡିବ ବିବେକକୁ।କେତେ ରାଗ କେତେ ଅଭିମାନ କେତେ ରୁଷାଭୁଷା କେତେ ଥଟାମଜା , କେତେବେଳେ ଗୋଡ ଉପରେ ଗୋଡ ପକେଇ ତାକୁ ନିଦ ଆସିଯିବ ସେ ଯାଣିପାରିବନି।ରବିବାର ଯାକ ଛାଇପରି ତା ସହିତ ଥିବ।ସୋମବାର ସକାଳୁ ବସରେ ଚଢେଇଦେବାବେଳେ ତା ମୁହଁକୁ ସେ ଚାହିଁପାରିବନି।ବସ ଲୁଚିଲା ଯାଏ,ଠିଆ ହୋଇଥିବ ସେମିତି ବସକୁ ଅନେଇ....।

ସରକାର କି "କାଳିଆ" ଯୋଜନା କଲେ, ତାପାଇଁ ଛୁଟି ବାତିଲ।ଯାଇପାରିନି ସେ,ଏହିଥର ଗାଁକୁ।

ରାତିସାରା ଝୁରିଝିରି ଜ୍ୱର ହେଇଯାଇଛି ସମୀରକି ଫୋନ କଲେ ଆଉ ସେ,ଉଠୋଉନି।

ଘରେ ଯାଇ ପହଁଚିଲା ବିବେକ, ସମୀରକି ଘେରି ବସିଛନ୍ତି ବାପାବୋଉ ଆଉ ସାହିର କିଛି ଲୋକ ।ସେ ଖାଲି ଭାଇ ଭାଇ ବୋଲି ବାଉଳିଚାଉଳି ହେଉଛି ,ବୋଉ ତା ମୁଣ୍ଡରେ ପାଣି ପଟି ଦଉଛି ।ଦୁଆର ବନ୍ଧରୁ ଦେଖି ବିବେକ ଆଖିରେ ଲୁହ ରହିଲାନି....

ସମସ୍ତେ କହିଲେ ହେଇ ବିବେକ ଆସିଲାଣି ।ସାତତାଳ ଜ୍ୱରରୁ ଉଠି ସମୀର ବିବେକକୁ କୁଣ୍ଢେଇ ଧରିଲା ।ରଢନିଆଁ ସତେକି ତା ଦେହରେ ଚରିଯାଉଛି।ଦୁଇଜଣଯାକ ଯାବପଡି କାନ୍ଦୁଛନ୍ତି ଯେ କାନ୍ଦୁଛନ୍ତି।

ସକାଳୁ ଦିଭାଇସାକ ସାଂଗ ହେଇ ମାଛ ଧରିବାକୁ ଗଲେ ।ବାଟରେ ଚଗଲା ସାଆଁନ୍ତ କହିଲା କିରେ ନାତିଆ କାଲି ଜ୍ୱରରେ କମ୍ପୁଥିଲୁ ,ଆଜିକଣ ଜାଲଧରି ମାଛଧରିବାକୁ ବାହାରିଲୁଣି।

ମୋ ଭାଇ ଆସିଛି ଦେଖିପାରୁନାକି?

ଓଃ ....ତୋ....ଭାଇ ???

ଚଗଲା ସାଆଁନ୍ତ ତାଙ୍କର ନବେ ବୟସର ବୁଡିଆଣି ଜାଲରେ ମାପୁଥିଲେ ଏହି ଅଦୃଶ୍ୟର ସୀମାହୀନ ବନ୍ଧନ।ଚଷମା ଖୋଲି ପୋଛୁଥିଲେ ଆଖିକି , ଦୂରୋଉଥିଲେ ଲୁହର ସେ ଜାଳୁଜାଳୁଆ ଦାଗକୁ.......

ପ୍ରତାପ ନାୟକ-7008054282


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy