ଅଦୃଶ୍ୟ ଝଡ
ଅଦୃଶ୍ୟ ଝଡ
ସମୟ ସେତେବେଳକୁ ଦିନ ଦୁଇଟା । ସୁବାସ ବ୍ୟାଗ୍ ଧରି ଗାଁ ମୁଣ୍ଡ ବସ୍ ଷ୍ଟପରେ ଓହ୍ଲେଇଲା । ନୂଆଁଣିଆ ଚାଳ ଛପର ଓ ଝାଟିମାଟି କାନ୍ଥରେ ତିଆରି ଯେଉଁ ଦୁଇ ଚାରୋଟି ଦୋକାନ ସେଠାରେ ପ୍ରାୟ ଖୋଲାଥାଏ, ଆଜି କିନ୍ତୁ ବନ୍ଦ ଥିଲା । କେହି ଜଣେ ହେଲେ ମଣିଷ ଉପସ୍ଥିତ ନ ଥିଲେ । ସମଗ୍ର ପରିବେଶଟା ଭାରି ଭାରି ଲାଗୁଥିଲା । ଗତ ରାତିର ଝଡ ବର୍ଷା ଯୋଗୁଁ ସ୍ଥାନଟି ଟିକିଏ ଅଧିକ ଅପରିଷ୍କାର ମଧ୍ୟ ଦିଶୁଥିଲା । ସୁବାସକୁ ଜଣାଗଲା ସହର ଅପେକ୍ଷା ତା'ର ଗାଆଁରେ ବୋଧହୁଏ ଝଡ ବର୍ଷା ବେଶୀ କ୍ଷୟକ୍ଷତି କରିଛି ।
ଏଥର ସେଇ ଲାଲ୍ ମୋରମ ରାସ୍ତା ଯେଉଁଟା ଗାଁ ଭିତରକୁ ଯାଇଛି, ତାହାରି ଆଡ଼କୁ ସୁବାସ ପାଦ ବଢ଼ାଇଲା । ଚାଲୁ ମନେ ପକାଇବାକୁ ଚେଷ୍ଟା କରୁଥିଲା, ସହରରୁ କାହା ପାଇଁ କ'ଣ ଆଣିଛି । ରାଜୁର ବହି, ମୀନାର କଲମ, ଭାଉଜଙ୍କ ଶାଢ଼ୀ , ଏମିତି କାହାର କେତେ କ'ଣ । ସବୁ କିଛି ନେଇ ଏଥରକ ସେ ଆସିଛି । ସବୁଠାରୁ ବଡ଼ ଜିନିଷ ସେ ରାଧୁ ବଡବାପାଙ୍କ ପାଇଁ ଆଣିଛି । ବୁଢ଼ା ସବୁ ଥର ପଚାରେ, ସେ ସହରରେ ତା' ପୁଅକୁ ଦେଖି ଥିଲା କି ? ଅଥଚ ପ୍ରତିଥର ସେ ବୁଢାକୁ ସେଇ ଏକା କଥା କହେ । କହେ, “ ନା ବଡବାପା, ଦିନୁଆର କୈାଣସି ଖବର ମୁଁ ପାଇଲି ନାହିଁ । ଏଥର ଗଲେ ନିଶ୍ଚିତ ତା ଖବର ନେଇ ଆସିବି ।” ହେଲେ ଆରଥରକୁ ପୁଣି ସେଇ ଏକା କଥା ହିଁ ସେ ବୁଢାକୁ ଶୁଣାଏ ।
ଏଥିରେ ତା'ର ବା ଦୋଷ କ'ଣ ? କଲିକତା ଭଳି ସହରରେ,ଜଣେ ଠିକଣା ବିହୀନ ଲୋକର ଠିକଣା ପାଇବା କ'ଣ ସହଜ କଥା ! ତଥାପି ତ ସେ ନିଜ କାମ ସାରି ଚେଷ୍ଟା କରେ ଦିନୁଆକୁ ଖୋଜିବାକୁ । ମାତ୍ର କେବେ ତା'ର ସନ୍ଧାନ ମିଳନା । ଶେଷରେ ରାଧୁ ବଡବାପା ନିରାଶ ହୋଇ ବାଡି ଠେପି ଠେପି ଦୂରକୁ ଚାଲିଯାଏ । ଏକଥା ସୁବାସକୁ ଆଦୈ। ଭଲ ଲାଗେ ନାହିଁ । ମନଟା ବୁଢ଼ା ପାଇଁ କେମିତି ଗୋଳେଇ ଘାଣ୍ଟି ହୁଏ । ଭାବେ ବୁଢ଼ା ଏତେ କରି ମୋତେ କହୁଛି, ଅଥଚ ଆଜିଯାଏ ମୁଁ ତା' ଦିନୁଆକୁ ଖୋଜି ପାରୁ ନାହିଁ ।
ଆଜି କିନ୍ତୁ ସୁବାସ ଖୁବ୍ ଖୁସି ଅଛି । ମନେ ମନେ ବୁଢାକୁ ଖୋଜୁଛି । ଆଜି ନିରାଶ କରିବ ନାହିଁ । ସେ ଦିନୁଆର ଠିକଣା ପାଇ ଯାଇଛି । ଗତ କାଲି କଲିକତାରେ ହଠାତ୍ ଷ୍ଟେସନ ପାଖେ ଦିନୁଆ ସହିତ ତା'ର ଭେଟ ହୋଇଗଲା । ତାକୁ ସେ ସବୁ କଥା କହିଛି । ବୁଢ଼ା କିପରି ଦିନ ରାତି ଦିନୁଆ ଦିନୁଆ ହେଉଛି ସେ କଥା ମଧ୍ୟ ବୁଝାଇଛି । ଆଉ ଶେଷରେ ଦିନୁଆ କଥା ଦେଇଛି ଆସନ୍ତା ସପ୍ତାହରେ ବୁଢ଼ା ପାଖକୁ ନିଶ୍ଚିତ ଆସିବ ।
ହଠାତ୍ ଗାଁ ଶ୍ମଶାନରେ ଧୂଆଁ ଉଠୁଥିବାର ଦେଖି ସୁବାସ ପୋଖରୀ ହୁଡ଼ାରେ ଛିଡ଼ା ହୋଇଗଲା । କିଏ ବା ଦୁନିଆରୁ ମୁକ୍ତି ପାଇଗଲା ଜାଣିବା ପାଇଁ ସେ ଏପଟେ ସେପଟେ ଚାହିଁଲା । ଦେଖିଲା ଧାନ ବିଲ ଆଡୁ ରେବ ମାଉସୀ ଆସୁଛି । ତାକୁ ଦେଖୁ ଦେଖୁ ପଚାରିଲା, “ କିଏ ସୁବାସ କିରେ, ବାପ କୁଆଡେ଼ ସହରକୁ ଯାଇଥିଲୁ କି ?“ ସୁବାସ ବୁଢ଼ୀକୁ ହଁ କହି ସଙ୍ଗେ ସଙ୍ଗେ ପଚାରିଲା , ଆମ ଗାଆଁର ସକାଳୁ ସକାଳୁ କିଏ ଚାଲିଗଲା କିଲୋ ମାଉସୀ ? ବୁଢ଼ୀ ଏଥର ଥକ୍କା ମାରି ପୋଖରୀ ହୁଡ଼ାରେ ବସି ପଡ଼ି କହିଲା,”ହଁ ରେ ବାପ , ତୋ ରାଧୁ ବଡବାପା ଗତ ରାତିରେ ଚାଲିଗଲା । ଏକେତ ବୁଢ଼ାର ବୟସ ହୋଇ ଯାଇଥିଲା, ତା' ଉପରେ କାଲି ଯେଉଁ ଝଡ ବର୍ଷା, ବିଚରା ଥଣ୍ଡା ସହିନପାରି ଟାଣି ହୋଇଗଲା ।”
ରେବ ମାଉସୀର କଥା ଶୁଣି ସୁବାସ ଯେମିତି ସ୍ଥାଣୁ ପାଲଟି ଗଲା । ଟିକିଏ ଆଗର ଖୁସି ତା'ର, ଦୂର ନୀଳ ଆକାଶେ କୁଆଡେ ଉଭେଇ ଯାଇ ଥିଲା । ବିକଳ ହୋଇ ଚାହିଁ ଥିଲା ସେ ଜଳ ଜଳ ଆଖିରେ, ସେଇ ଶ୍ମଶାନ ଆଡ଼କୁ । ମନେ ମନେ କହୁଥିଲା , “ ତୁମେ ଥରଟିଏ ପାଇଁ ଫେରି ଆସ ରାଧୁ ବଡବାପା, କେବଳ ଥରଟିଏ ପାଇଁ । ମୁଁ ତୁମ ଦିନୁଆର ଖବର ଆଣିଛି । ସେ ମୋତେ ଜବାବ୍ ଦେଇଛି ଆସନ୍ତା ସପ୍ତାହରେ ନିଶ୍ଚିତ ଭାବରେ ଗାଁକୁ ଆସିବ । ତେଣୁ ତୁମେ ତାକୁ ଦେଖା ନ କରି ଚାଲି ଯିବା କ'ଣ ଠିକ୍ ହେବ ? “
