ଅଧର୍ମବିତ୍ତ
ଅଧର୍ମବିତ୍ତ
ଅନେକଦିନର ଟଣାଓଟରା ଓ ଘୋଷରା ଘୋଷରି ଆଲୋଚନା ପରେ ମଧ୍ଯ କେଉଁ ରଙ୍ଗର ଗାଡିଟା କିଣା ଯିବ ସ୍ଥିର ହୋଇ ପାରିଲାନି। ଘଡିକେ ତ ଘୋଡା ଛୁଟୁଛି, ତାକୁ ଆକଟ କରିବ କିଏ। ସେଦିନ ସକାଳେ ରାସ୍ତାରେ ଛନଛନିଆ ସୁନେଲି ରଙ୍ଗର ଗାଡିଟେ ଯିବା ଦେଖି ଟିମିଣିଦେବୀ କହିଲେ "ଆହା ! କି ଛନଛନିଆ ରଙ୍ଗଟି ହୋଇଛି ଦେଖ। ଗାଡିଟି ଆମର ଏଇ ରଙ୍ଗର କିଣିଲେ କେମିତି ହୁଅନ୍ତା? ଦେବବାବୁ କିଛି କହିବାକୁ ପାଟିମେଲା କରିଛନ୍ତି କି ନାହିଁ, ତାଙ୍କ ଅଲଟ୍ରାମଡର୍ଣ୍ଣ ପୁତ୍ରମଣିଙ୍କ ଯାବତୀୟ ଇଂରାଜିମିଶା ବଚନ ଥୋଡେ ଝରି ପଡିଲା।
ଅଙ୍ଗ୍ ପଙ୍ଗ୍ ଟଙ୍ଗ୍ କରି କଣ ସବୁ କହିଗଲା ସେକଥା ବୁଝିବାକୁ କାହା ବୋପାର ବି ଜୁ ନାହିଁ। ଶେଷ ଆଡକୁ ଯେଉଁ କେତୋଟି ଓଡିଆ କଥା ଥପଥପ ହୋଇ ଗଳି ପଡିଲା ସେଥିରୁ ବୁଝାଗଲା ଯେ ସୁନେଲିରଙ୍ଗଟା ଗୋଟାଏ ନିହାତି ଶସ୍ତା ରଙ୍ଗ। ସେ ରଙ୍ଗର ଗାଡିଟା ଗୋଟେ ସର୍କସ ଗାଡି ବାଗିଆ ଦିଶିବ। ଆଜୀବନ ସୁନେଲି ରଙ୍ଗ ପଛରେ ଦୌଡିଦୌଡି ଥକି ପଡି ନଥିବା ଟିମିଣି ଗୁଣଗୁଣୁ ହୋଇ କହିଲେ " ଇଏ ବୋପା ପୁଅ ଦୁଇଟା ସୁନେଲି ରଙ୍ଗ ଦେଖିଲେ କାହିଁକି ଏମିତି ବିଛୁଆତି ଲାଗିଲା ପରି ହୁଅନ୍ତି କେଜାଣି? ପୁଅ ମୋର ସୁନେଲିରଙ୍ଗକୁ ଶସ୍ତା କହୁଛି ତ-- ହଉ, ଖାଲି ଥରେ ବାହାଘର ଟା ସରିଯାଉ। ତାପରେ ସିନା ଜାଣିବ ସୁନେଲି ରଙ୍ଗର ମହତ୍ତ୍ବ କଣ”।
ତେଣେ ଦେବବାବୁ ଟିମିଣିଙ୍କ ବେକରେ ଝୁଲୁଥିବା ପନ୍ଦରଦିନ ପୁରୁଣା ସୁନା ହାରଟିକୁ ଦେଖି ଦୀର୍ଘନିଶ୍ବାସ ଛାଡି ନିଜକୁ ଶୁଭିଲା ପରି କହିଲେ- - ହାଏରେ ବିଧାତା,ଏ ମାଇକିନାକୁ ସୁନା ଆଉ ସୁନେଲି ରଙ୍ଗ ଛଡା ଆଉ କିଛି ଦିଶୁନାହିଁ କାହିଁକି।
ପୁଅ କହିଲା ଗାଡିର ରଙ୍ଗଟା କର୍କଶିଆ କଳା ହେବା ଦରକାର। ଏମିତି କଳା, ଯେମିତି ପଡୋଶି ଦାମବାବୁଙ୍କ ମାଲିକାଣି- - ମାନେ ତାଙ୍କ ଧର୍ମପତ୍ନୀ। ସେହି ରଙ୍ଗର ଗାଡି ହେଲେ ଲକ୍ଷେଥର ଧୋଇଲେ ବି ରଙ୍ଗ ମଳିନ ପଡିବନି। ଆଞ୍ଚୁଡା ମାଞ୍ଚୁଡା ଦାଗ ଦିଶିବନି। କପଡା ଖଣ୍ଡେ ଧରି ଝାଡିଦେଲେ ଗାଡି ଚକଚକ କରିବ,ଧୋଇବା ବି ଦରକାର ନାହିଁ। ପରମଶତୃ ଦାମବାବୁଙ୍କ ଧର୍ମପତ୍ନୀ କଥା ପଡିବା ମାତ୍ରକେ ଟିମିଣିଦେବି ପୁଅର ପ୍ରସ୍ତାବରେ ସାଙ୍ଗେସାଙ୍ଗେ ମୋହର କୁଟିଦେଲେ। କିନ୍ତୁ ସେତିକିବେଳକୁ ଘର ଭିତରୁ କିଳିକିଳିଆ ରାବ ଛାଡି ଦୌଡି ଆସିଲା ଦେବବାବୁଙ୍କ ପଚିଶିଟି ବସନ୍ତକୁ ଲମ୍ବ ଡିଆଁ ମାରିଥିବା ଅଲିଅଳି ସୁକନ୍ଯା ଫୋନାଲିସା। ଦାନ୍ତଗଜୁରି କହିଲା- - ସେ ଫାଲତୁ କଥା ସବୁ ବନ୍ଦ କର। ଗାଡିର ରଙ୍ଗ କେବଳ ଗୋଲାପି ଛଡା ଅନ୍ଯ କିଛି ହୋଇ ପାରିବ ନାହିଁ। ତୁମେ ମାନେ ମୁର୍ଖ, କଣ ଏତିକି ଜାଣିନ ଯେ ପ୍ରମର ରଙ୍ଗ ହେଲା ଗୋଲାପି। ଗୋଲାପର ରଙ୍ଗ ବି ଗୋଲାପି। ଜିଲାପିର ରଙ୍ଗ,ଲିପଷ୍ଟିକ୍ ର ରଙ୍ଗ, ମହାନ୍ତିବାବୁଙ୍କ ଛାତର ରଙ୍ଗ, ବର୍ଷାଛଡା ଆକାଶର ରଙ୍ଗ, ବୁଢା ପାତି ମାଙ୍କଡ ଉହୁଁର ରଙ୍ଗ,ଚାପୁଡାଖିଆ ଗାଲର ରଙ୍ଗ ଓ ଚୁମ୍ବନ ଖିଆ ଓଠର ରଙ୍ଗ ସବୁ ତ ଗୋଲାପି। ପୁଣି ଓଡିଆ ଆଲବମ୍ ଖୋଜି ଦେଖ ଗୋଟେ ସୁନ୍ଦର ଗୀତ ଅଛି "ଗୋଲାପି ଗୋଲାପି”। ଆଉ ମାଇଁ ଡିୟର୍ ଡେଡି, ଦର୍ପଣରେ ଥରେ ପାଟି ମେଲା କରି ଦେଖ- - କେମିତି ପାନ ଚୋବେଇ ତୁମ ପାଟିର ରଙ୍ଗ ବି ଗୋଲାପି।
ରାତିଦିନ ତିକତକ(ଟିକ୍ ଟକ୍) ଓ ହୀନସ୍ତାଗ୍ରାମରେ(ଇନଷ୍ଟାଗ୍ରାମ୍) କୁନି ଭିଡିଓ ମାନ ଛାଡି ଲକ୍ଷେ ବଜାରିଙ୍କ ପ୍ରଶଂସା ସାଉଁଟିବାରେ ଜୀବନ କାଟୁଥିବା ଝିଅର ବେହିଆମି କଥା ଶୁଣି ଦେବଙ୍କୁ ଭୀଷଣ ରାଗ ଲାଗୁଥିଲା- - କିନ୍ତୁ ଯେତେବେଳେ ତାଙ୍କ ପାନଖିଆ ପାଟିର ଗୋଲାପି ରଙ୍ଗ ର ପ୍ରଶଂସା ହେଲା , ମନ କୁ ମନ ପାଟିରେ ଜାବ ପଡିଗଲା। ଝିଅକୁ ଗାଳି ଫଜିତ୍ କରିବାକୁ ଜିଭ ଲେଉଟିଲାନି। ଘରର ସବୁଲୋକ ଗାଡି ବିଷୟରେ ନିଜ ମତ ଦେଲା ବେଳକୁ ଦେବବାବୁଙ୍କ ମୁଣ୍ଡରେ ଜଗତ ଯାକର ଚିନ୍ତା ତା ତା ଥେଇ ନାଚ କରିବାରେ ବ୍ଯସ୍ତ ଥିଲେ।
କେତେ ସୁଖରେ ଦିନ ସବୁ ବିତି ଯାଉଥିଲା, ଏ ଦାମ ମାଇପ ତାଙ୍କ ହସିଲା ସଂସାରରେ ଦିଆସିଲି ଖେଞ୍ଚିଦେଲା। ସହର ଯାକରେ ଏ ପେଞ୍ଚଦିଆ ଦାମକୁ କିଏ ବା ନ ଜାଣେ। କିଲିଟର ଅଫିସିରେ କିରାଣି ଚାକିରି ସିନା କରିଛି, ତା ହାକିମାତି ଠାଣି ଦେଖିଲେ ସ୍ବୟଂ ରାଷ୍ଟ୍ରପତିଙ୍କ ଆଖି ମଧ୍ଯ ଟେରା ହୋଇଯିବ। କିହୋ ଲୋକେ ସିନା ଦୁଇ ହାତରେ ଲାଞ୍ଚ ମିଛ ଖାଆନ୍ତି, ଏ ଦାମ ତ ଲାଞ୍ଚ ପୋଖରିରେ ଦିନରାତି ବୁଡି ରହୁଛି। ସାରା ସହରରେ କାହା ପକେଟରେ ଯେ ଦାମ ହାତ ନ ମାରିଛି ତାହାର ହିସାବ ନାହିଁ। କିନ୍ତୁ ଲୋକଟାର ବେଳା ଭଲ। ଭିଜିଲାନସ୍ ବାଲା ଯେତେ ଛିଙ୍କା ଛିଙ୍କି କଲେ ମଧ୍ଯ ଦାମର ଚୁଟି ବଙ୍କା କରି ପାରନ୍ତିନି। ଘୁଷୁରିପିଲା ପଙ୍କ ପାଣିରେ ଦିନରାତି ଲୋଟିଲା ପରି ତଳ ଠୁଁ ଉପର ସବୁ ତ ସେଇ ଲାଞ୍ଚ ପାଖରିରେ ଘରଦ୍ବାର କରି ରହିଛନ୍ତି ; କିଏ ବା ଧରିବ କାହାକୁ। ଚପରାଶି ଚାକିରି କରି ଦାମର ଘର ସାମନା ରେ ଦୁଇଟା କାର୍ ଡାହାଳ କୁକୁର ପରି ଛିଡା ହୋଇଛନ୍ତି। ମୋଟର ସାଇକେଲ ଚାରିଟା ଖଣ୍ଡେ ପାଚେରି ପାଖରେ ସତୃଷ୍ଣ ନୟନରେ ଚାହିଁ ରହି ଥାଆନ୍ତି କାଳେ ସେମାନଙ୍କୁ କିଏ ନେଇ ବଜାର ଆଡେ ଘେରାଏ ବୁଲାଇ ଆଣିବ। ନହେଲେ ଏ ଚାରି ଚକିଆ ମାନେ ଘରେ ପଶିବା ଦିନରୁ ସେମାନଙ୍କୁ କେହି ବାସିଚୁଟିରେ ପଚାରୁ ନାହାଁନ୍ତି।
ଦାମର ପିଲାଝିଲା କହିଲେ ଦୁଇଟା ଭେଣ୍ଡିଆ ପୁଅ ଓ ତିନିଟା ଅଭିଆଡି ଝିଅ। ସେମାନଙ୍କ ପାଇଁ ଦାମର ଚିନ୍ତା ନାହିଁ। ବାପ ନମ୍ବରି ହେଲେ ତା ପିଲା ମାନେ ଦଶ ନମ୍ବରି। ଧାଡି ଦେଖେଇଲେ ମାଡିଯିବା ପିଲା ସେମାନେ। ଘରେ ଟଙ୍କା ପଇସାର ଅଭାବ ନାହିଁ। ଯେତିକି ଅଛି ସାତ ପୁରୁଷ ଖାଇଲେ ସରିବନି।
ଦାମ ବିଷୟରେ ଭାବି ଦେବ ବିରକ୍ତିରେ କହି ଉଠିଲେ - - କିହୋ ଖୁସି ହେଲେ ନିଜେ ଘରେ ହୁଅ। ସହରସାରା ବାଇଦ ବଜାଇବାର କଣ ଅଛି। ତୁମ ବାଇଦରେ କାହାର କଣ କେତେବେଳେ ଫାଟୁଛି ସେକଥା ବି ତୁମେ ମାନେ ଭାବିବା ଦରକାର। ସେଦିନ ର ଘଟଣା ଟା ଆଖି ସାମ୍ନାରେ ଟ୍ରାଫିକ୍ ପୋଷ୍ଟ ପାଖରେ ମାଇଗୁଲି ନାଚିବା ପରି ନାଚିଗଲା।
ସେଦିନ ଟେମେଣି ମନ୍ଦିରରୁ ଦର୍ଶନ ସାରି ଫେରିଲା ବେଳକୁ ଦାମର ହିଡିମ୍ବାରୂପୀ ମାଇପ ଚକମକିଆ କାରରେ ସହରରୁ ଫେରୁଥିଲା। ଜାଣିଶୁଣି ଟେମେଣିଙ୍କୁ ଡାକି ନିଜ ପାଖରେ ବସାଇ ଏତିକି ବାହାସ୍ଫୋଟିଆ କଥାସବୁ କହିଲା ଯେ ଟେମେଣି ଢେରଦିନ ଯାଏଁ ରାତିଅନିଦ୍ରା ହୋଇ ବୁଲିଲେ। ତାଙ୍କ ନାକପୁଡାରୁ କାର ଭିତରର ମୋହନୀୟ ବାସ୍ନା ସାଙ୍ଗକୁ ଦାମ ମାଇପ ପାଟିର ଭୁରୁକୁଟିଆ ଗନ୍ଧ ଢେର ଦିନ ଯାଏ ଛାଡିଲାନି।
ଦାମ ମାଇପ କହିବା ଅନୁସାରେ ସେ ପାଇଖାନାକୁ ଛାଡି ଆଉ ଯୁଆଡେ ବି ଯାଏ କେବଳ ଚାରି ଚକିଆ ଗାଡିରେ ଯାଏ ; ସହର ରାସ୍ତାରେ ତା ପାଦ କେବେ ପଡିନି। ଦାମ ତା ପାଇଁ ହଳେ ଅଉଲ ନମ୍ବର ଡ୍ରାଇଭର ଖଞ୍ଜି ଦେଇଛନ୍ତି। କଳା ଗାଡି ପାଇଁ ଗୋରା ଡ୍ରାଇଭର ଓ ଧଳା ଗାଡି ପାଇଁ କାଳିଆ ଡ୍ରାଇଭର। ସେ ପାଳି କରି କଳା ଧଳା ଗାଡିରେ ଯାଏ, ଯେବେ ମନ କୁ ଯାହା ଟେକିଲା। ତିନି କିଲୋ ମିଟର ରାସ୍ତା ଭିତରେ ସେ ଟେମେଣିଙ୍କ କାନରେ କେତେ କଣ ଫୁଙ୍କି ଦେଇଗଲା ଯେ ତାଙ୍କ ଅବସ୍ଥା ବାରଗଣ୍ଡା ଦି କଡା ହୋଇଗଲା। ଦେବ ଓ ପିଲାମାନଙ୍କ ଅକ୍ଳାନ୍ତ ଚେଷ୍ଟା ଉତ୍ତାରୁ ଟେମେଣି ନିଜ ହେତୁ ପାଇ ସମସ୍ତ ଘଟଣା ଭକଭକ କରି ଉଗାଳି ଦେଇଗଲେ। ଦେବଙ୍କୁ କିଛି ଫରକ ପଡିଲାନିି କିନ୍ତୁ ପିଲା ଦୁଇଟା ରାଗରେ ଦାନ୍ତ କିଟିମିଟି କରିବାରେ ଲାଗିଲେ। ତାଙ୍କ ମାତାଶ୍ରୀଙ୍କୁ ଦାମ ମାଇପ କକରଛନିଆ କରି ବେଜ୍ଜିତ୍ କରିଛି କହି ଘରଦ୍ବାର କମ୍ପମାନ କରି ପକେଇଲେ। ହରତାଳ କରି ପିଲା ଦୁଇଟା ଭୂଇଁରେ ଲୋଟି ପଡି ଚିତ୍କାର କରି ଚାଲିଲେ ଯେ "ଆମର ବି ଗାଡି ଦରକାର, ଆଜି ଯଦି ଆମେ ଚାରି ଚକିଆ ଗାଡିରେ ଯିବା ଆସିବା କରୁ ଥାନ୍ତେ,ଲୋକେ ଆମକୁ ଏମିତି ହନିମାନିଆ କରୁ ନଥାନ୍ତେ ”।
ବାହାଘର ପରେ ଦେବଙ୍କ ହାତ ଧରିବା ପରେ ସେ ଯାହା ଥରେ କାରରେ ବସି ଶାଶୁ ଘରକୁ ଆସିଥିଲେ। ତା ପରଠାରୁ କେବେ କାର ଗାଡିରେ ବସିବା କଥା ତାଙ୍କର ମନେ ପଡୁନି। ଦେବଙ୍କର ଧତରା ସ୍କୁଟରର ଫଟା ସିଟ୍ ରେ ବସି ସେ ଚଉଦ ବ୍ରହ୍ମାଣ୍ଡ ବୁଲି ସାରିଲେଣି। କାରରେ ବସିବା କଥା ସେ କେବେ ସ୍ବପ୍ନରେ ଭାବି ନ ଥିଲେ। କିନ୍ତୁ ଦାମ ମାଇପର ବାହାପିଆ କଥା ହଜମ କରି ନପାରି ସେ ବି ପିଲାଙ୍କ କଥାରେ ସ୍ବର ମିଳାଇ କହିଲେ - - ହଁ ମୋର କାର ଟେ ନିହାତି ଦରକାର। ସେ କାଳୀ ଘଷୁରି ମୋତେ ଯେତିକି ବେଜ୍ଜିତ୍ କରିଛି ତାକୁ କଣ ଏତେ ସହଜରେ ଭୁଲିଯିବି। ନୂଆ କାରରେ ବସି ତା ଘର ସାମନାରେ ବାର ପନ୍ଦରଟା ଘେରା ମାରିଲା ପରେ ଯାଇ ମୋ ଆତ୍ମା ଶାନ୍ତି ପାଇବ।
ଦେବ କଥାର ଗୁରୁତ୍ବ ବୁଝି ନ ପାରି କହିଦେଲେ - - ଶାନ୍ତ ହୁଅ ଟିମିଣି। ତୁମ କଥା ମୁଁ ବୁଝିଗଲିଣି। ଆମେ ବି କାର ଟେ କିଣିବା। ବାସ୍ ଦେବଙ୍କ ପାଟିରୁ କଥା ସରିଛି କି ନାହିଁ ଘରେ ଉତ୍ସବ ପାଳନ ଆରମ୍ଭ ହୋଇଗଲା। ମାଆ ଓ ପିଲାମାନେ ହରିଣ ଛୁଆ ପରି ଡିଆଁଚିରା ମାରି ଘର ଭିତର ଖେଦି ଦେଇଗଲେ।
ସେଦିନ ପରଠାରୁ ଦେବବାବୁଙ୍କ ଘରେ ପ୍ରାୟ ସବୁ ଆଲୋଚନା ପର୍ଯ୍ଯାଲୋଚନାର ଠିପି ବନ୍ଦ ହୋଇଗଲା। ଆଖି ଖୋଲିବା ଠାରୁ ବନ୍ଦ ହେବା ଯାଏଁ କେବଳ ଗାଡି ଚର୍ଚ୍ଚା ଚାଲିଲା। ଦେବ ବହୁତ ଚେଷ୍ଟା କଲେ ସମସ୍ତଙ୍କୁ ବୁଝାଇବାକୁ ଯେ ଗାଡି କିଣା କଥାକୁ ସେ ଏମିତି ମଜାରେ କହି ଦେଇଥିଲେ। କିନ୍ତୁ ପରିବାରର ପ୍ରତିଟି ସଦସ୍ଯ ଏମିତି ପ୍ରତିକ୍ରିୟା ଦେଖେଇଲେ ଯେ ଦେବଙ୍କ ପିଠିଫାଠ୍ ଅବସ୍ଥା ହୋଇଗଲା। ସେ ଭଲରେ ଜାଣିଗଲେ ଯେ ଦେଇଥିବା ବଚନ ଅନ୍ଯଥା ହେଲେ ତାଙ୍କ ଦାନାପାଣିରେ କୋଲପ ପଡିଯିବ। ଟିମିଣିଙ୍କ ଦେହମନପ୍ରାଣରେ ଦାଉଦାଉ ହୋଇ ଜଳୁଥିବା ଅପମାନର ବହ୍ନି କେବଳ ଚାରିଚକିଆ ଗାଡିର ଆଗମନରେ ହିଁ ନିର୍ବାପିତ ହେବ।
କିନ୍ତୁ ଦେବ ଏତେ ଟଙ୍କା ଯୋଗାଡ କରିବେ କେମିତି? ଅନ୍ଯ ମାନଙ୍କ ପରି ସେ ତ ଲାଞ୍ଚମିଛ ବେପାର ଚଳେଇ ନାହାଁନ୍ତି ଯେ ଲକ୍ଷ୍ମୀ ଘର ଦୁଆରେ ଟଙ୍କା ବର୍ଷିଦେଇ ଯିବେ। ଯାହା ଦରମା ଗଣ୍ଡାକ ମିଳେ ସେତିକି ରେ ତାଙ୍କର ସଂସାର ଚଳେ। ଯଦିି କେବେ କେହି ପକେଟରେ କିଛି ଅଦରମା ଗେଞ୍ଜି ଦିଅନ୍ତି ସେ ଭୀଷଣ ବିରୋଧ କରନ୍ତି। ଜଙ୍ଗଲ ବିଭାଗରେ ଫରେଷ୍ଟର ଚାକିରି ତାଙ୍କର। ଅଗନା ଅଗନି ବନସ୍ତ କୋଳରେ ଚପଲ ଘୋଷାରି ଜୀବନର ଅର୍ଦ୍ଧାଧିକ ସମୟ ବିତି ସାରିଲାଣି।
ନିରିହ ନିଷ୍ପାପ ଜାଳେଣିକାଠ ଚୋର ଠୁଁ ଆରମ୍ଭ କରି ଚନ୍ଦନ ତସ୍କର ଯାଏଁ ସଭିଙ୍କ ପିଠିରେ ସେ ରକ୍ତଝୋଳିଆ ମାଡ ଠୁଙ୍କିଛନ୍ତି। ଆଇନ କାନୁନରେ ଖିଲାପ ହେଲେ ସେ ନିଜ ବୋପାର ନୁହଁ, ଏହି ସଂଳାପ କହିକହି ଜିଭରେ ବିଣ୍ଡି ବସି ସାରିଲାଣି। ତାଙ୍କ ଉପର ଅଫିସର ମାନେ ଚନ୍ଦନକାଠ ତିଆରି ଖଟରେ ଚାରିକାତ ମେଲେଇ ଶୋଇଲା ବେଳେ ସେ ଫୋଲ୍ଡିଙ୍ଗ୍ ଖଟରେ କଡ ଲେଉଟାଇ ରାତି କାଟିଛନ୍ତି। ସେମାନଙ୍କ ଖାସ୍ କମରାରେ ହାତୀଦାନ୍ତ ସୋଫା ଶୋଭା ପାଇଲା ବେଳକୁ ତାଙ୍କ ବୈଠକଖାନାରେ ନିଲକମଲ କମ୍ପାନୀର ପ୍ଲାଷ୍ଟିକ ଟେବୁଲ ଛାତକୁ ପାଟି ମେଲେଇ ଚାହିଁ ରହିଛି। ଅଫିସରଙ୍କ ସ୍ତ୍ରୀ ପିଲେ ଜଙ୍ଗଲ ଗେଷ୍ଟହାଉସରେ ଜଙ୍ଗଲି ପଶୁପକ୍ଷୀଙ୍କ ମାଂସ ଭିଡିବା ବେଳକୁ ବିଚରା ଦେବ ଖାରପାଣିଆ ଶୁଖୁଆ ଓ ପିଆଜ ସାଙ୍ଗେ ପଖାଳ ତେଣ୍ଡିଛନ୍ତି। ତାଙ୍କରି ସାଙ୍ଗସାଥିଏ ବି ଢେର୍ ମାଲମସଲା କମେଇଛନ୍ତି। ଗୋଟେ କାଠଚୋରକୁ ଛାଡିଦେଲେ ଉପର ଠୁଁ ତଳ ସମସ୍ତଙ୍କ ପକେଟ ଗର୍ଭବତୀ ହୋଇଯାଏ କେବଳ ଦେବଙ୍କୁ ଛାଡି। ତାଙ୍କ ବାପାଙ୍କର ସେହି ଶିକ୍ଷାକୁ ସେ ଆଜି ଯାଏଁ କାନିରେ ଗଣ୍ଠିମାରି ଧରିଛନ୍ତି- - ପୁଅରେ ଜୀବନରେ କେବେ ବେଇମାନି ପଇସା ଉପାର୍ଜନ କରିବାକୁ ମନ ବଳାଇବୁନି। ସବୁବେଳେ ଗୋଟିଏ କଥା ମନେ ରଖିଥିବୁ ଯେ "ଅଧର୍ମ ବିତ୍ତ ବଢେ ବହୁତ,ଗଲା ବେଳେ ଯାଏ ମୂଳ ସହିତ"। ତାଙ୍କ ସଚ୍ଚୋଟଗୁଣ ପାଇଁ ଲୋକେ ଯେତିକି ଭଲ ପାଆନ୍ତି ସେତିକି ଚିଡନ୍ତି ସହକର୍ମୀ ଓ ଉପର ଅଫିସର ମାନେ। ଜଣେ ଅଣଓଡିଆ ହାକିମ ଦେବଙ୍କୁ ଦେଖିଲେ ଖଣ୍ଡି ଓଡିଆରେ ଥଟ୍ଟା କରି କୁହେ- - ଦେବବାବୁ ଆପନ୍ ଗୋଟାଏ ଜଙ୍ଗଲି ଭାଲୁ, ଖୁଦ୍ ତୋ କୁଛ୍ ଖାତା ନେହିଁ, ହାମକୋ ବି ଦେତା ନେହିଁ। ତୁମର୍ ଟାଙ୍ଗ୍ ଯୋଡାକୁ ବାନ୍ଧି କୁଅ ମେ ଫିକି ଦେବା ଚାହିଏ। ହାକିମ କୁ ସେ ବା କଣ କୁହନ୍ତେ- - ଦାନ୍ତ ନେଫେଡି ଆଜ୍ଞା ହଜୁର୍ କହି ସଲାମ୍ ଠୁଙ୍କନ୍ତି।
ପ୍ରଥମେ ଟିମିଣିଙ୍କୁ ଦେବଙ୍କର ଏ ସଚ୍ଚୋଟପଣିଆ ଭାରି ସୁଖ ଲାଗୁଥିଲା। କିନ୍ତୁ ବୟସ ଓ ଆବଶ୍ଯକତା ବଢିବା ସାଙ୍ଗକୁ ସଚ୍ଚୋଟପଣିଆ ଟା ପାଣିଚିଆ ଲାଗିଲା। ନିଜ ସାଙ୍ଗମାନେ ବେକରେ ଭଳିକି ଭଳି ସୁନା ହାର ପିନ୍ଧି ବୁଲିଲା ବେଳକୁ ଟିମିଣି ଚୋର ପରି ମୁହଁ ଘୋଡେଇ ରହୁଥିଲେ। ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ- - କିଓ,ଝିଅ ବାହାଘର କରିବନି କି? ଦେବ ଚାକିରି ରେ ଥିଲା ବେଳେ ସିନା ଥୋଡେ କାଠ ଜିନିଷ କରି ଦିଅନ୍ତ। ସେ ଏତେ କାଠଚୋରଙ୍କୁ ଧରୁଛନ୍ତି ନିଜ ପାଇଁ କିଛି ରଖି ପାରୁ ନାହାଁନ୍ତି ? କିଛି ନହେଲେ ହାତୀଦାନ୍ତ କେତେଟା ଯୋଗାଡିଦେଲେ ବାହାଘର ଖର୍ଚ୍ଚଟା ଆରାମରେ ଉଠିଯାଆନ୍ତା ପରା। ଅତିଥି ମାନଙ୍କର ଏହି ପ୍ରଶ୍ନର ଉତ୍ତର ପାଖରେ ଥାଇ ମଧ୍ଯ ଦେଇ ପାରନ୍ତିନି ଟିମିଣି। ଦେବଙ୍କ ଆଡକୁ ପ୍ରଶ୍ନଟି ଠେଲିଦେଇ ଉତ୍ତର ଶୁଣିବା ଅପେକ୍ଷାରେ ରୁହନ୍ତି। ଦେବଙ୍କର ଉତ୍ତର ଆସେ କେବଳ ଏକ ଶୁଷ୍କ ହସରେ। ବିଷର୍ଣ୍ଣ ବଦନରେ ସେ ପ୍ରଶ୍ନକର୍ତ୍ତାଙ୍କୁ ଦେଖନ୍ତି ଅତି ଅସହାୟ ହୋଇ। ତାଙ୍କର ଅସହାୟତା କେହି ବୁଝି ପାରୁ କି ନାହିଁ ଜଣାନାହିଁ କିନ୍ତୁ ଟିମିଣି ଠିକ୍ ବୁଝି ପାରନ୍ତି। ସାଙ୍ଗେସାଙ୍ଗେ ସେ କଥାର ମଙ୍ଗ ବୁଲାଇ ଦିଅନ୍ତି। ତାଙ୍କ ସାମନାରେ କେହି ଦେବଙ୍କର ବେଇଜ୍ଜତ କରୁ ସେ କଦାପି ସହ୍ଯ କରି ପାରନ୍ତି ନାହିଁ। ଟିମିଣିଙ୍କୁ ମଧ୍ଯ ଦୋଷ ଦେଇହେବ ନାହିଁ। ବିବାହରେ ଏତେ ବର୍ଷପରେ ମଧ୍ଯ ସେ କେବେ ଦେବଙ୍କୁ କୌଣସି ଜିନିଷ ପାଇଁ ବାଧ୍ଯ କରି ନାହାଁନ୍ତି। ଯେତିକି ଅଟା ସେତିକି ରୁଟି ନ୍ଯାୟରେ ସେ ଘର ଚଳାଇ ଆସିଛନ୍ତି ଏଯାବତ୍। ଦେବ ଓ ଟିମିଣିଙ୍କ ସମ୍ପର୍କର ଦୃଢତା ଲୌହଠାରୁ ଶକ୍ତ ଥିଲା ଓ ପ୍ରେମର ଗଭୀରତା ଥିଲା ସମୁଦ୍ର ଠାରୁ ମଧ୍ଯ ଅଧିକ। ଆଜି ଟିମିଣିଙ୍କ ଆତ୍ମାକୁ ବାଧିଛି ବୋଲି ସେ ଗାଡି କିଣିବା ପାଇଁ ଜିଦ୍ କରୁଛନ୍ତି। ନୋହିଲେ ସେ କଣ ଜାଣି ନାହାଁନ୍ତି ଯେ ଝିଅର ବିବାହ ବୟସ ଗଡିଯିବା ପରେ ମଧ୍ଯ ବିବାହ ହୋଇ ପାରୁନାହିଁ। ପୁଅର ପାଠ ପଢା କେବେଠାରୁ ସରିଲାଣି,କିନ୍ତୁ ଚାକିରି ର ଦେଖା ନାହିଁ। ସେମାନେ ରହୁଥିବା ଘରର ଛାତରୁ ସିମେଣ୍ଟ ଖଣ୍ଡ ଖସିଲାଣି। ପାଚେରି ଭୁଷୁଡିବାକୁ ବସିଲାଣି। ବକେୟା କାମର ତାଲିକା ଅନେକ ଲମ୍ବା, ତା ସାଙ୍ଗକୁ ଦରକାର ବହୁତ ଟଙ୍କା। ଯମା ପାଞ୍ଚ ବର୍ଷ ପରେ ଚାକିରି ସରିଯିବ। ତା ଭିତରେ ସବୁ ଜଞ୍ଜାଳ ନ ତୁଟାଇଲେ ପିଠିରେ ପଡିବାକୁ କେହି ନାହିଁ। ବେଳେବେଳେ ଆଗତ ଅନିଶ୍ଚିତ ଭବିଷ୍ଯତର ରୂପରେଖ କଥା ଭାବି ଦେବଙ୍କ କପାଳ ଭାରି ହୋଇଯାଏ। ଅଜାଗା ଘାଆର ବେଦନା ତାଙ୍କ ପାଇଁ ଅସହ୍ଯ ହୋଇଉଠେ। କିନ୍ତୁ ସେ ଦୁଃଖର ଭାର ବାଣ୍ଟି ପାରନ୍ତିନି ଟିମିଣିଙ୍କ ସହିତ। ଏତେ ବର୍ଷକାଳ ଜାକିମାଡି ସଂସାରର ରଥ ଗଡାଇ ଆସିଥିଲେ,ମାତ୍ର କାର କିଣା ସମସ୍ଯା ତାଙ୍କ ଅସ୍ତିତ୍ବକୁ ଦୋହଲାଇ ଦେଇଥିଲା। ଅନେକ ଚିନ୍ତା କରିବା ପରେ ସେ ସ୍ଥିର କଲେ କିଛି ନ ହେଲେ ଗାଁଆରେ ଥିବା ପୁରୁଖା ଜମି ଖଣ୍ଡକ ବିକ୍ରି କରିଦେବେ। ଫଳେପୁଷ୍ପେ ଯେତିକି ମିଳିବ ଅନ୍ତତଃ ଗାଡି କିଣାର ଅଗ୍ରୀମ ତ ଦିଆ ଯାଇପାରିବ। ତେଣିକି ମାସିକ କିସ୍ତି ଦରମାରୁ କଟିବ। କିନ୍ତୁ ଏହି ବିଷୟରେ ସେ ଘରର ଅନ୍ଯ ସଦସ୍ଯଙ୍କ ସହ ଆଲୋଚନା କରିବାକୁ ଉଚିତ୍ ମଣି ନ ଥିଲେ।
ସେଦିନ ସଂନ୍ଧ୍ଯାରେ ପୁଅ ଘର ଭିତରେ ରଡି କରି କଣ ସବୁ କହିଚାଲିଥିଲା। କାନ ଡେରି ଶୁଣିଲେ ଦେବ। କଥାଟା ସତରେ ବେଶ୍ ରୋମାଞ୍ଚକ ଥିଲା। ଦାମର ପୁଅ ଗୋଟେ ତିନି ଲକ୍ଷ ଟଙ୍କିଆ ମୋଟର ସାଇକେଲ କିଣି ସହର ସାରା ଘରଚଟିଆ ପରି ଘୁରି ବୁଲିଛି ବୋଲି ପୁଅ ଖବର ଦେଲା। ଗାଡି ଟା ଦେଖିବାକୁ କୁଆଡେ ଚିତାବାଘ ପରି। ଏମନ୍ତ ରୂପ ଯେ ଦେଖିବା ଲୋକ ଦଣ୍ଡେ ଚାହିଁ ରହିବ। ମୋଟର ସାଇକେଲର ଦାମ୍ ଶୁଣି ଦେବଙ୍କ ମୁଣ୍ଡ ବୁଲାଇଦେଲା। ତିନି ଲକ୍ଷ……. ସେତିକି ଟଙ୍କାରେ ତ ଦୁଇ ବଖରା ଘର ତୋଳା ଯାଇ ପାରିବ। ସେ ଗୁଣୁଗୁଣୁ ହୋଇ କହିଲେ ଗାଡିର ଦର ଯେତିକି ଦାମର ମେଟ୍ରିକ ଫେଲ ପୁଅର ଦର ତା ଠାରୁ ଯଥେଷ୍ଟ କମ୍। ସେ ଅକାଳ କୁଷ୍ମାଣ୍ଡ ତିନି ଲକ୍ଷ ଟଙ୍କିଆ ମୋଟର ଚଢୁଛି...ହାଏ ରେ ବିଧାତା। ତାଙ୍କ ହୃତସ୍ପନ୍ଦନ ବଢିଗଲା। ଯଦି ତାଙ୍କ ପୁଅ ଗୋଟେ ସେମିତିକା ମୋଟର ସାଇକେଲ ବରାଦ କରେ ତେବେ…..। ଜଲଦି କାର ନ କିଣି ଦେଲେ ନିସ୍ତାର ନାହିଁ। ସ୍ଥିର କଲେ ତହିଁ ଆରଦିନ ସକାଳୁ ଗାଁଆକୁ ଯାଇ ଜମି ଖଣ୍ଡକ ବିକ୍ରି କରିଦେବେ ଓ ନୂଆ କାର ଘରକୁ ଆଣି ସମସ୍ତଙ୍କୁ ଚମକାଇ ଦେବେ। ରାତିରେ ଟିମିଣିଙ୍କୁ ଜମି ବିକ୍ରି କଥା କହିଲେ ଦେବ। କାହିଁକି କେଜାଣି, ଟିମିଣି ବୋକାଙ୍କ ପରି ବଲବଲ ଚାହିଁ ରହିଲେ ଦେବଙ୍କୁ। ତାଙ୍କ ଆଖିର ଭାଷା ପଢି ପାରୁ ନଥିଲେ ଦେବ। ସେ ଆଶା କରୁଥିଲେ ଟିମିଣି କହିବେ – ଆମର ଗାଡି କିଣା କଥା ସ୍ଥଗିତ ରହୁ। ଆଗ ଝିଅକୁ ବିଭା କରିଦେବା,ପୁଅ ପାଇଁ କିଛି କର୍ମ ସଂସ୍ଥାନ ଯୋଗାଡ କରିଦେବା। ତା ପରେ ଯାଇ ଗାଡି କଥା ଚିନ୍ତା କରିବା। କିନ୍ତୁ ସେପରି କିଛି ହେଲା ନାହିଁ। ଗୋଟିଏ ପଟେ ଅପମାନର ବହ୍ନି ଓ ଅନ୍ଯ ପଟରେ କୃର ବାସ୍ତବିକତାର ଦୋ ଛକିରେ ଛିଡା ହୋଇଥିଲେ ଟିମିଣି। ତାଙ୍କ ହୃଦୟ କହୁଥିଲା ବାସ୍ତବିକତାକୁ ସାମ୍ନା କରିବାକୁ ମାତ୍ର ମସ୍ତିଷ୍କ ଜିଦ୍ ଧରି ଥିଲା ତାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ପାଇଁ। ଏ କଥା ଟିମିଣି ଭଲରେ ଜାଣି ଥିଲେ ଯେ ଦାମ ସହିତ ପ୍ରତିଯୋଗିତା କରିବାର କ୍ଷମତା ଦେବଙ୍କ ପାଖରେ ନଥିଲା। ତଥାପି ମନର ନିଭୃତ କୋଣରେ ଲୁଚି ରହିଥିବା ଅଭିମାନ ନୂଆ ଗାଡି କିଣା ପାଇଁ ପ୍ରେରିତ କରି ଚାଲିଥିଲା । ଦେବ ଓ ଟିମିଣି ଉଭୟ ନୀରବ ଥିଲେ ମାତ୍ର ଉଭୟଙ୍କ ମନରେ ଚିନ୍ତାର ବିଶାଳକାୟ ଢେଉ ମାନ ଅହରହ ଲହଡି ଭାଙ୍ଗି ଚାଲିଥିଲେ।
ଭୋର୍ ଚାରି ଟା ପାଖାପାଖି ହେବ ଦାମ ଘରୁ ଭୀଷଣ ପାଟିଗୋଳ ଶୁଭିଲା। କିଛି ଗୋଟେ ଅଘଟଣ ଘଟି ଗଲା ଭାବି ଦେବ ତରତର ହୋଇ ହାତରେ ଟର୍ଚ୍ଚ ଧରି ବାହାରକୁ ବାହାରିଲେ,ତାଙ୍କୁ ଅନୁସରଣ କଲେ ଟିମିଣି। ଦାମ ଘର ସାମ୍ନାରେ ଛିଡା ହୋଇଥିଲା କିଛି ସରକାରି ଗାଡି ଓ ପୋଲିସ୍ ଜିପ୍। ଗେଟ୍ ଖୋଲି ପଶିବା ବେଳକୁ ଜଣେ ପୋଲିସ ଦେବଙ୍କୁ ଅଟକାଇ କହିଲା- - ହୋ ସାଇବ,ବାହାଘର ଭୋଜି ଖାଇବାକୁ ଆସିଲ ନା କଣ ? ତୁମକୁ ବୁଝା ପଡୁନି କି, ଏ ଲୋକ ଘରେ ପରା ଭିଜିଲାନସ୍ ରେଡ୍ ପଡିଛି। ଏ ଲୋକ ଲାଞ୍ଚ ଖାଇଖାଇ କେତେ ଲକ୍ଷ ଟଙ୍କା କେଉଁଠି ଲୁଚାଇ ରଖିଛି ତାର ହିସାବ ନାହିଁ। ସୁନା ରୂପା ଗହଣାଗାଣ୍ଠି ଗଣ୍ଠିଲି ମାରି ଥୁଆ ହୋଇଛି। ୟା'ପ ନିଜକୁ ଭାରି ଚାଲାକ ଭାବୁଥିଲା। କିନ୍ତୁ ଯେତେ ଚାଲାକି କଲେ ମଧ୍ଯ କେହି ଭିଜିଲାନସ୍ ହାକିମ ହେଣ୍ଟାଳ ସିଂ ନଜର ରୁ ବଞ୍ଚି ପାରିଲାଣି ଯେ ଇଏ ବଞ୍ଚିବ ? ହେଣ୍ଟାଳ ଅନେକ ଦିନରୁ ଓର ଉଣ୍ଡିି ବସିଥିଲା କେବେ ଖାପୁ କରି ମାଡି ବସିବ ବୋଲି। ଆଜି ଗ୍ରହ ଯୋଗ ଭଲ ଥିଲା, ହେଣ୍ଟାଳ ଚାଞ୍ଛି ଦେଲା। ଏବେ ଏ ଲୋକର ଅବସ୍ଥା ଏମିତି ହେବ ଯେ ତାକୁ ମାଇପ ଶାଢୀରେ ପ୍ଯାଣ୍ଟ ସାର୍ଟ କରି ପିନ୍ଧିବାକୁ ପଡିବ। ମହାବାତ୍ଯା ପରି ହେଣ୍ଟାଳ ସବୁକିଛି ପୋଛି ଦେଇଯିବ।
ପୋଲିସ ଟା ଗାଡୁରୁ ଗାଡୁରୁ ହୋଇ କେତେ କଣ ଗପି ଚାଲିଥିଲା। ଟିମିଣି ଏକ ଲୟରେ ଚାହିଁ ରହିଥିଲେ ଦାମ ଘରର ଏକ ଦର ଆଉଜା ଝରକା ଆଡକୁ। ଘର ଭିତରେ କେବଳ ଦୌଡାଦୌଡି ଚାଲିଥିଲା। ରହିରହି ଶୁଭୁଥିଲା ଦାମର ଆତୁର କ୍ରନ୍ଦନ- - ଛାଡି ଦିଅନ୍ତୁ ଆଜ୍ଞା, ମୁଁ ଭିକାରି ପାଲଟି ଯିବି, ଏଇ ଥରଟା ମୋତେ କ୍ଷମା କରି ଦିଅନ୍ତୁ। ହାତରେ ଏକ ମୋଟା ବାଡି ଧରି ଘର ଭିତରେ ଘୁରି ବୁଲିଥିଲା ଜଣେ ଛଅ ଫୁଟିଆ ମୋଟା ନିଶ ଥିବା ଲୋକ। ତା ଆଦେଶ ମୁତାବକ ବାକି ଲୋକମାନେ ଆଲମାରିର ତାଲା ଭାଙ୍ଗି ପକାଉଥିଲେ, ଚଟାଣ ଛାତ ଆଦି ଖୋଳି ପକାଉଥିଲେ। ଆଉ ସମ୍ଭାଳି ପାରିଲେନି ଟିମିଣି। ଦେବଙ୍କୁ ଟାଣି ଘରକୁ ନେଇ ଆସିଲେ।
ପୂର୍ବ ଆକାଶରେ ସିନ୍ଦୁରା ଫାଟି ଆସୁଥିଲା। ସକାଳର ଥଣ୍ଡା ପବନର ହାଲୁକା ସ୍ପର୍ଶରେ ଦେହ ରୋମାଞ୍ଚିତ ହୋଇ ଉଠୁଥିଲା। ଚଢେଇଙ୍କ କିଚିରି ମିଚିରି ଗୀତ ସାଙ୍ଗକୁ ଗାଈ ମାନଙ୍କ ହମ୍ବା ରଡିରେ ମୁଖରିତ ହୋଇ ଚାଲିଥିଲା ନିଘୋଡ ନିଦରେ ଶୋଇଥିବା ଅଞ୍ଚଳ ଟି। ଦାମ ଘର ସାମନାରେ ଜନଗହଳି ଧିରେଧିରେ ବଢି ଚାଲିଥିଲା ଓ ତା ସାଙ୍ଗକୁ ଲୋକ ମାନଙ୍କର ଟାହି ଟାପରାରେ ପରିବେଶର ଆବହାଓ୍ବା ଗରମ ହୋଇ ଯାଇଥିଲା। ଦେବଙ୍କର ମନେ ପଡି ଯାଉଥିଲା ବାପାଙ୍କର ସେହି ଅମୃତବାଣୀ- - ଅଧର୍ମବିତ୍ତ ବଢେ ବହୁତ,ଗଲା ବେଳେ ଯାଉ ମୂଳ ସହିତ। ଗାଧୁଆ ପାଧୁଆ ସାରି ଦେବ ବାହାରିଲେ ଗାଁଆକୁ ଜମି ବିକ୍ରି କରିବା ପାଇଁ। ପୁଅ ଝିଅ ଦୁଇଟା ବାପାଙ୍କର ଗାଁଆକୁ ଯିବାର ଅଭିପ୍ରାୟ କଥା ଜାଣି ଉଲ୍ଲସିତ ହୋଇ ଉଠୁଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ଟିମିଣି ପଚାରିଲେ- - ଏତେ ସକାଳୁ କୁଆଡେ ବାହାରିଲ?
- - ରାତିରେ କହିଥିଲି ପରା ଗାଁଆକୁ ଯିବି ବୋଲି । ସେ ଜମି ଖଣ୍ଡକ ବିକ୍ରି….
– -କିଛି ଦରକାର ନାହିଁ ଜମିି ବିକ୍ରି କରିବା।
- - ଜମି ବିକ୍ରି ନକଲେ ଗାଡି ପାଇଁ ଟଙ୍କା କୁଆଡୁ ଆସିବ?
- - ଗାଡି କିଣିବା ବି ଦରକାର ନାହିଁ। ଆମର ଯେତିକି ଅଛିି ସେତିକି ରେ ଆମେ ଖୁସି। କଥାରେ ପରା ଅଛି "ମାଗି ଆଣିଲା ତିଅଣ ସୁଡୁକେ", ଆଜି ଜମି ବିକ୍ରି କରିଦେଲେ କାଲି ସକାଳକୁ ଝିଅ ବାହାଘର ପାଇଁ ଟଙ୍କା କୁଆଡୁ ଆସିବ।
ଟିମିଣିଙ୍କ ପାଟିରୁ କଥା ସରିଛି କି ନାହିଁ ପୁଅଝିଅ ଦୁଇଟା ତାଙ୍କ ଆଡକୁ ଝପଟି ଆସିି କହିଲେ- - କଣ କହିଲୁ - - ଗାଡି କିଣା ହବନି? ଦାମ ମାଇପର ଅପମାନ କଥା ଭୁଲି ଗଲୁ ନା କଣ?
ହଠାତ୍ କଲିଂବେଲ୍ ବାଜି ଉଠିଲା। କବାଟ ପାଖରେ ଛିଡା ହୋଇଥଲା ସେହି ଛଅ ଫୁଟିଆ ମୋଟା ନିଶ ଥିବା ଲୋକ ଟି। ତାକୁ ଦେଖି ଟିମିଣିଙ୍କ ଛାତି ଭିତରଟା ଥରି ଉଠିଲା ଓ ସେ ମନେମନେ ପ୍ରମାଦ ଗଣିଲେ। ଗୁରୁଗମ୍ଭୀର କଣ୍ଠରେ ଲୋକଟା କହିଲା- - କଣ ମାଡାମ୍ ଅତିଥିଙ୍କୁ ଏମିତି ବାହାରେ ଛିଡା କରିବେ? ଭିତରକୁ ଆସିବାକୁ କହିବେନି। ମୁଣ୍ଡରେ ଭଲରେ ଓଢଣା ଢାଙ୍କି ଟିମିଣି ଲୋକଟିକୁ ଘରକୁ ପାଛୋଟି ଆଣିଲେ। ଲୋକଟାର ଢିମାଢିମା ଆଖି ଯୋଡିକ ବିଜୁଳି ବେଗରେ ଘର ଭିତରେ କଣ ସବୁ ଖୋଜି ପକାଇଲା। ଲୋକଟିର ପରିଚୟ ଦେବଙ୍କୁ ଅଜଣା ନ ଥିଲା। ସେ କିଂକର୍ତ୍ତବ୍ଯବିମୁଢ ଅବସ୍ଥାରେ ଛିଡା ହୋଇ ରହିଲେ। ଦେବଙ୍କ ଘର କବାଟ ପାଖରେ କିଛି ପୋଲିସ ଟହଲ ମାରୁଥିଲେ। ସେମାନଙ୍କୁ ଦେଖି ଦେବଙ୍କ ପିଲା ମାନଙ୍କ ପିଳେହି ପାଣି ହୋଇ ସାରିଥିଲା। ଲୋକଟି ଖଣ୍ଡେ ପ୍ଲାଷ୍ଟିକ ଚେୟାର ଟାଣି ବସି ମନଖୋଲା ହସିଲା। କହିଲା-
- ମୁଁ ଯାହା ଶୁଣିଥିଲି ଶତ ପ୍ରତିଶତ ସତ୍ଯ। ଆରେ ମୋ ପରିଚୟ ଟା ଦେବାକୁ ଭୁଲି ଗଲି ଯେ। ମୁଁ ହେଣ୍ଟାଳ ସିଂ ଭିଜିଲାନସ ଏସ ପି। ଆପଣଙ୍କ କୁବେର ପଡୋଶି ଘରେ ରାତି ସାରା ଢେର ପରିଶ୍ରମ କରି ଥକି ପଡିଛି। ଚାହା କପେ ମିଳିଗଲେ ଭଲ ହୁଅନ୍ତା। ଟିମିଣି କାଳ ବିଳମ୍ବ ନ କରି ଚାହା ଓ ବିସ୍କୁଟ ପରଶିଦେଲେ। ବାହାରେ ଛିଡା ହୋଇଥିବା ପୋଲିସ୍ ମାନେ ମଧ୍ଯ ଚାହାପାନରେ ଆପ୍ଯାୟିତ ହେଲେ। ଚୌକିରୁ ଉଠି ହେଣ୍ଟାଳ ସିଂ ଦେବଙ୍କ ହାତକୁ ଭିଡି ନେଇ କହିଲା- - ଆଜ୍ଞା, ଆପଣ ମାନଙ୍କ ପରି ସଚ୍ଚୋଟ ଅଫିସରଙ୍କ ପାଇଁ ଏ ଦେଶ ଚାଲିଛି। ବହୁତ ଶୁଣିଥିଲି ଆପଣଙ୍କ ବିଷୟରେ, ଆଜି ନିଜେ ଦେଖିଲି। ଆପଣ ସମ୍ମତି ଦେଲେ ଆମ ବିଭାଗ ତରଫରୁ ଆପଣଙ୍କୁ ସମ୍ବର୍ଧ୍ଧିତ କରିବାକୁ ଭାବୁଛୁ।
ଦେବ ସଂକୁଚିତ ହୋଇ କହିଲେ--ଆଜ୍ଞା, ମୁଁ ଜଣେ ସାମାନ୍ଯ ଫରେଷ୍ଟର। ଆପଣଙ୍କ ପରି ବଡ ସାହେବ ମୋ ଘରକୁ ଆସି ଚାହା ପିଇଲେ ତାହା ହିଁ ମୋ ପାଇଁ ସୌଭାଗ୍ଯର କଥା।
ସେମିତି କୁହନ୍ତୁନି ଆଜ୍ଞା, ସର୍ବୋପରି ଆପଣଙ୍କ ପରି ଜଣେ କଳଙ୍କମୁକ୍ତ ସଚ୍ଚୋଟ ସରକାରି କର୍ମଚାରୀ ପାଇବା ବିରଳ। ଯଦି ସବୁ କର୍ମଚାରୀ ଆପଣଙ୍କ ପରି ହୁଅନ୍ତେ ଦେଶର ରୂପରେଖ ବଦଳି ଯାଆନ୍ତା। ଆପଣଙ୍କ ନିଷ୍ପତ୍ତି ମୋତେ ନିଶ୍ଚୟ ଜଣାଇବେ। ଏତେ ସ୍ବାଦିଷ୍ଟ ଚାହା ପାଇଁ ଆପଣଙ୍କୁ ଅନେକ ଧନ୍ଯବାଦ ମାଡାମ୍। ଏବେ ମୁଁ ଆସୁଛି। ହେଣ୍ଟାଳ ସିଂ ଘର ଛାଡିଲେ।
ଦେବଙ୍କ ଘର ଭିତରେ ବିରାଜମାନ କରୁଥିଲା ଅଖଣ୍ଡ ନୀରବତା। ଦେବଙ୍କୁ ଲାଗୁଥିଲା ଏତେ ଦିନର ତପସ୍ଯାର ଫଳ ତାଙ୍କୁ ମିଳି ଯାଇଛି। ସେ ସମୟରେ ପିଲାମାନେ ବାପାଙ୍କ ଗୌରବୋଜ୍ବଳ ଚରିତ୍ର ପାଇଁ ପ୍ରଥମଥର ପାଇଁ ଗର୍ବ ଅନୁଭବ କରୁଥିଲେ।
ଆଉ ଟିମିଣି---- ସେ ତ ଏକ ଲୟରେ ଚାହିଁ ରହିଥିଲେ ଦେବଙ୍କୁ- - ଠିକ୍ ଯେମିତି ଚାହିଁ ଥିଲେ ସେଦିନ, ଯେଉଁଦିନ ଦେବଙ୍କ ସହ ତାଙ୍କର ବାହାଘର ଠିକ ହୋଇଥିଲା। ଦେବ କନ୍ଯାପିତାଙ୍କୁ ରୋକଠୋକ କହି ଦେଇଥିଲେ ଯେ ସେ ସରକାରି ଚାକିରି କରନ୍ତି ସତ,ମାତ୍ର କୌଣସି ପରିସ୍ଥିତିରେ ମଧ୍ଯ ସେ ଲାଞ୍ଚମିଛର ଆଶ୍ରା ନେବେ ନାହିଁ। ବାସ୍ ସେତିକି କଥା ଶୁଣି ଟିମିଣି ଏତେ ଖୁସି ହୋଇଯାଇଥିଲେ ଯେ ସାଙ୍ଗେସାଙ୍ଗେ ବିଭାଘର ପ୍ରସ୍ତାବରେ ସମ୍ମତି ଜଣାଇଥିଲେ।
ଟିମିଣିଙ୍କ ଆଖିରୁ ଏକାସାଙ୍ଗରେ ଝରି ପଡୁଥିଲା ଅନୁତାପ ଓ ଗର୍ବର ଅଶୃ । ଦାମ ମାଇପ ତାଙ୍କୁଯେତିକି ଅପମାନିତ କରିଥିଲା ତା ଠାରୁ ହଜାର ଗୁଣ ଅଧିକ ଅପମାନର ବର୍ଷାରେ ଦାମର ପରିବାର ଭାସି ଚାଲିଥିଲେ। ଦାମର ହାତରେ ହାତକଡି ପଡି ସାରିଥିଲା ଓ ଘର,ଗାଡି,ସମ୍ପତ୍ତି ସବୁ କୋରଖ ହେବା ଅପେକ୍ଷାରେ ଥିଲେ। ଦେବଙ୍କ ପିଲା ଦୁଇଟା ଯଥେଷ୍ଟ ବଡ ହୋଇ ସାରିଥିଲେ,କିନ୍ତୁ ସେଦିନ ତାଙ୍କୁ କୁଣ୍ଢେଇ ପକାଇ କହିଲେ- - ବାପା ତୁମେ ସତରେ ଜଣେ ହିରୋ। ଦେବଙ୍କ ମୁହଁରେ ଫୁଟି ଉଠୁଥିଲା ଅପୂର୍ବ ପ୍ରଶାନ୍ତି ର ଝଲକ। ଏସବୁ ଦେଖି ଝରକା ଫାଙ୍କରୁ ସୂର୍ଯ୍ଯଦେବ ମୁରୁକି ମୁରୁକି ହସୁଥିଲେ।
