sushama Parija

Drama Inspirational Others

3  

sushama Parija

Drama Inspirational Others

ଅଧିକାର

ଅଧିକାର

4 mins
7.3K


ରବିବାରର ସକାଳ ସମୟଟା ଭାରି ଅଳସୁଆ ଲାଗେ, ବିଛଣା ଛାଡୁ ଛାଡୁ ସାତଟା ବାଜିଯାଏ । ବୋଉ କେଁ କାଁ ହଉଥିଲେ ବି ବାପା ତାକୁ ଚପେଇ ଦିଅନ୍ତି । କହନ୍ତି ' ଛୁଟି ଦିନଟା ପିଲାମାନଙ୍କୁ ଟିକିଏ ଶୋଇବାକୁ ଦିଅ '। ବାପା ଘରେ ଥିଲେ ରବିବାରରେ ମଟନ୍ ତରକାରିଟା ହେବା ନିଶ୍ଚିତ । ବାପା ବ୍ୟାଗଟାଏ ଧରି ବଜାରକୁ ବାହାରି ଗଲେ। ଏଇ ସମୟରେ ଟେଲିଫୋନଟି ରିଂ ହେଲା । ଆମ ଭିତରୁ କାହାରିକୁ ଉଠିବାର ନଦେଖି ବୋଉ ଯାଇ ଟେଲିଫୋନଟି ଉଠାଇଲା। ସେପଟରୁ କ'ଣ ଶୁଣିଲା କେଜାଣି ଭେଁ ଭେ ରଡି ଛାଡି କାନ୍ଦି ଉଠିଲା । କିଛି ଗୋଟାଏ ଅଘଟଣର ଆଶଙ୍କା କରି ଆମେ ଭାଇଭଉଣୀ ତିନିଜଣ ଦୌଡି ଗଲୁ ତା' ପାଖକୁ।

ବୋଉ ସେମିତି କାନ୍ଦି ଚାଲିଥାଏ। ତା' ହାତରୁ ରିସିଭରଟାକୁ ଟାଣି ନେଇ ମୁଁ କାନରେ ଦେଲି। ସେପଟରୁ ମୋ ବଡ ମାଉସୀଙ୍କର ଦେଢଶୁର ଫୋନ୍ କରିଥିଲେ। ଗତ ରାତିରେ ମୋ ମଉସାଙ୍କର ହୃଦ୍ ଘାତରେ ଦେହାନ୍ତ ହୋଇ ଯାଇଛି, ଏଇ ଖବରଟା ଦେବା ଲାଗି । ମୋ ଗୋଡ ହାତ କାଲୁଆ ହୋଇ ଯିବାକୁ ଆରମ୍ଭ କରାଏ ସେତେବେଳକୁ। କୌଣସି ପ୍ରକାରେ ନିଜକୁ ଆୟତ୍ତ କରି ବାପାଙ୍କୁ ଫୋନ୍ କରି ସବୁ କଥା କହିଲି। ସଉଦା କିଣା ଛାଡି ବାପା ଧାଇଁଲେ ଘରକୁ । ଭଡା ଗାଡିଟିଏ କରି ଆମେ ସମସ୍ତେ ବାହାରି ଗଲୁ ମାଉସୀ ଘରକୁ ।

ମୋ ମାଉସୀ ଘର ଯାଜପୁରର ଜିଲ୍ଲାର କୋରେଇ ଗାଁରେ । ଚାଷ ବନ୍ଦି ଘର, ବାଟୀ ବାଟୀ  ସଂପତ୍ତି । ମଉସା ଥିଲେ ଶିକ୍ଷକ ଗାଁ ପ୍ରାଇମେରୀ ସ୍କୁଲରେ । ଚାକିରୀ କାଳରେ ସାରା ଓଡିଶାରେ ବୁଲି ବୁଲି ଶେଷକୁ ତାଙ୍କରି ନିଜ ଗାଁଆ ସ୍କୁଲରୁ ଅବସର ନେଇଥିଲେ । ପୁଅକୁ ଆଶା କରି ପାଞ୍ଚଟା ଝିଅର ବାପା ହୋଇଥିଲେ ମଧ୍ୟ ତାଙ୍କର ଅବଶୋଷ ନଥିଲା । ସବୁ ଝିଅ ମାନଙ୍କୁ ଉଚ୍ଚଶିକ୍ଷା ଦେଇ ମଣିଷ ପରି ମଣିଷ କରି ଗଢିବାକୁ ତାଙ୍କର ଦୃଢ ଇଚ୍ଛା ଥିଲା । ତାଙ୍କ ବଡ ଝିଅ ସିଲୂ ଅପା ମୋ ଠାରୁ ଦି ବର୍ଷ ବଡ ଥିଲା । ତା ତଳକୁ ମିଲୁ , ନିଲୁ, ରିଲୂ, ପିଙ୍କି ଆଉ ରିଙ୍କି । ସିଲୁ ଅପା ଖୁବ୍ ସୁନ୍ଦର, ଠିକ୍ ମାଉସୀଙ୍କ ଭଳି । ଅନ୍ୟ ଚାରି ଭଉଣୀ ସିଲୁ ଅପା ଭଳି ସୁନ୍ଦରୀ ନହେଲେ ବି ଅସୁନ୍ଦରୀ ନୁହଁନ୍ତି । ସିଲୁ ଅପାଙ୍କର ସେ ବର୍ଷ ଗ୍ରାଜୁଏସନ ସରି ଥାଏ। ସେ ଭୁବନେଶ୍ଵରରେ ରହି ଫ୍ୟାସନ୍ ଡିଜାଇନିଂରେ କୋର୍ସ କରିବା ଲାଗି ମଉସାଙ୍କ ପାଖରେ ଜିଦ୍ କରୁଥାଆନ୍ତି କିନ୍ତୁ ମାଉସୀ ତାଙ୍କୁ ବି. ଇଡି କରିବା ପାଇଁ ବାଧ୍ୟ କରୁଥାଆନ୍ତି । ତାଙ୍କ ତଳ ଭଉଣୀ ଟି ବିଏ ଫାଷ୍ଟ ଇଅର ଆଉ ତା ତଳ ଭଉଣୀଟି ପ୍ଲସ୍ ଟୁର ଫାଇନାଲ୍ ଇଅରରେ ଥାଆନ୍ତି, ଅନ୍ୟ ଦୁଇ ଜଣ ସ୍କୁଲରେ ପଢୁଥାଆନ୍ତି।

ମାଉସୀ ମୋର ଚିର ରୋଗିଣୀ। ଆଜି ଗୋଡ ତ କାଲି ମୁଣ୍ଡ ତା ପରଦିନ ଅଣ୍ଟା ବଥା, ଏମିତି ସବୁବେଳେ ଲାଗି ରହିଥାଏ। ପାଞ୍ଚ ଝିଅ ଯାକ ପାଣି ହାତ କରେଇ ଦିଅନ୍ତି ନାହିଁ ମାଉସୀକୁ। ମଉସା ବାହାରେ ଥିଲାବେଳେ ସଉଦା ପତ୍ର ଠୁ ଆରମ୍ଭ କରି ଇଲେକ୍ଟ୍ରି ବିଲ୍ ଯାଏ ସବୁ କରି ଦିଅନ୍ତି । ଆମ ବୋଉ ଟିକିଏ କଥାରେ ସେଇ ମାନଙ୍କର ଉଲୁଗୁଣା ଦିଏ। ମୋ ଭାଇ ମାନଙ୍କୁ ଛଳେଇ କହେ ' ଦେଖିଛ ତ ମାଉସୀ ର ଝିଅ ମାନଙ୍କୁ, ସାତ ପୁଆଙ୍କ ଠାରୁ ବଳି, ତମେ ଖାଲି ମାଇଚିଆଙ୍କ ପରିକା ଘର କୋଣରେ ପଶିଥାଅ, ବାପା ସପ୍ତାହକୁ ଥରେ ଆସିବେ ,ସେଇ ସବୁ ସଉଦା ଆଣିବେ , ଭଲ ମନ୍ଦ ଆଣିବେ,ସବୁ କରିବେ। ପିଲା ଗୁଡାକର ଟିକିଏ ହେଲେ ବି ଦୟାମାୟା ମହିଁ ବାପାମାଆଙ୍କ ଉପରେ। ଆମେ କିଛି ନ କହିଲେ ବି ମନେ ମନେ ଈର୍ଷାରେ ଜଳି ଯାଉ।

ମାଉସୀ ଘରେ ପହଞ୍ଚିଲା ବେଳକୁ ଦିନ ତିନିଟା ବାଜିଲାଣି । ଘର ଚାରିପଟେ ଲୋକଙ୍କ ଭିଡ। ଭିଡ କାଟି ଆମେ ଭିତରେ ପଶିଲୁ। ଘର ବାରଣ୍ଡାରେ ମଉସାଙ୍କ ଶବ ପଡି ରହିଛି ଚଦରଟିଏ ଘୋଡେଇ ହୋଇ, ଦୁଇ ପଟ ହୋଇ ଲୋକମାନେ ବସି ରହିଛନ୍ତି, ଗୋଟିଏ ପଟରେ ମାଉସୀଙ୍କର ଦେଢଶୁର ଆଉ ତାଙ୍କର ପିଲମାନେ ଆଉ ଗୋଟାଏ ପଟରେ ମାଉସୀଙ୍କର ପାଞ୍ଚ ଝିଅ ଆଉ ଆମ ମାମୁଁ। ମାଉସୀ ବୋଧହୁଏ ଘର ଭିତରେ କେଉଁଠି ଅଛି ଜଣାପଡୁନି । ଆମେ ଘର ଭିତରକୁ ପଶିବା କ୍ଷଣି ମାଉସୀ କେଉଁଠି ଥିଲା ଧାଇଁ ଆସି ମୋ ବୋଉକୁ କୁଣ୍ଢାଇ ପକାଇଲା ଭୋ ଭୋ ରଡି ପକାଇ । ଦୁଇ ଭଉଣୀ ଯାକ କାନ୍ଦି କାନ୍ଦି ଜାବ ପଡି ଯାଉଥାନ୍ତି । ବାହୁନା ପକାଇ ମାଉସୀ କହୁଥାଏ 'କି ପାପ କରିଥିଲି କେଜାଣି ଅଧା ବୟସରେ ମତେ ମୋ ପିଲାମାନଙ୍କୁ ଅନାଥ କରି ଛାଡି ଚାଲିଗଲେ , ତା ଉପରେ ଏମିତି ଭଗାରି ମାନଙ୍କ ଦାଉ। ଶବଟାକୁ ପକେଇ ରଖି ବାସି ମଡା କଲେଣି, ମୋର କେହି ସାହା ନାହାଁନ୍ତି ବୋଲି ମତେ କେତେ ହୀନସ୍ତା କରୁଛନ୍ତି ଲୋ ମା' ।

କଥା କ'ଣ ବୋଲି ବୁଝିବାକୁ ବାପା ଉଠିଗଲେ ମାମୁଁଙ୍କ ପାଖକୁ । ସେଠି ଯାଇ ବୁଝିବା ବେଳକୁ କଥା କ'ଣ ନା ମାଉସୀଙ୍କର ଦେଢଶୁର ଅଡି ବସିଛନ୍ତି ମଉସାଙ୍କ ଶବ ସତ୍କାର ବେଳେ ମୁଖାଗ୍ନି ଦେବ ତାଙ୍କର ବଡ ପୁଅ ରାକେଶ । ମାଉସୀକୁ ଆଜି ଜିଦ୍ ଧରିଛନ୍ତି ମୁଖାଗ୍ନି ଦେବ ସିଲୁ ଅପା । ମାଉସୀଙ୍କର ଦେଢଶୁର କହୁଛନ୍ତି ଝିଅ ମାନେ କୋଉଠି ମୁଖାଗ୍ନି ଦିଅନ୍ତି? ଝିଅ ପିଲା ମୁଖାଗ୍ନି ଦେଲେ ମୃତକ ସିଧା ନର୍କ କୁ ଯିବ । ସାତ ଜନ୍ମ ଯାଏଁ ତାକୁ ମୋକ୍ଷ ମିଳିବ ନାହିଁ । ମହା ପାତକ ଲାଗିବ। ବଂଶ ନାଶ ହେଇଯିବ । ମାଉସୀ କହିବା କଥା ସିଲୁ ଆମର ପୁଅଠାରୂ କୋଉ ଗୁଣରେ କମ୍ କି? ପୁଅ ହେଉ ବା ଝିଅ ,ସନ୍ତାନ ମାନେ ସନ୍ତାନ । ବାପାଙ୍କୁ ମୁଖାଗ୍ନି ଦେବା ସନ୍ତାନ ର ଅଧିକାର । ତାକୁ ସେ ଅଧିକାରରୁ କେହି ବଂଚିତ କରି ପାରିବେ ନାହିଁ।

ବହୁତ ଯୁକ୍ତି ତର୍କ ଆଲୋଚନା ପର୍ଯ୍ୟାଲୋଚନା ଚାଲିଲା। ଗାଁ ପୁରୋହିତ ଆଖ ପାଖ ଗାଁର ମୁଖିଆ ମାନଙ୍କର ହଜାରେ ଅନୁରୋଧ ପରେ ମଧ୍ୟ ମାଉସୀ ତା'ର ଜିଦରୁ ଓହରିଲା ନାହଁ। ଶବକୁ ଆବୋରି ବସିଥାଏ ସେମିତି କାନ୍ଦୁ ଥାଏ। ଶେଷରେ ମାଉସୀଙ୍କର କଥା ହିଁ ରହିଲା । ମଉସାଙ୍କର ଶବ ଘରୁ ବାହାରିଲା କୋକେଇରେ ସଜା ହୋଇ। ମିଲୁ ଅପା ଆଗରେ ଗଲା ଖଇ କଉଡି ବିଂଚି ବିଂଚି । ସିଲୁ ଅପା ସବୁଠୁ ଆଗରେ ଚାଲିଲା ନିଆଁ ବରିହା ହାତରେ ଝୁଲେଇ। ସେଇ ମଶାଣିରେ ମୁଖାଗ୍ନି ଦେଲା ମଉସାଙ୍କୁ।

ମଉସାଙ୍କର ଆତ୍ମାର ସଦ୍‌ଗତି ହେଲା କି ନାହିଁ କହି ପାରିବିନି ହେଲେ ମାଉସୀଙ୍କର ମୁହଁରେ ଯେଉଁ ଆତ୍ମତୃପ୍ତି ଦେଖିଥିଲି ତାହା ମୋ ମନ ମୁକୁରରେ ସଦା ଉଦ୍ଭାସିତ ହେଉଥିବ ।


Rate this content
Log in

Similar oriya story from Drama