ଅବସନ୍ନ ଅପରାହ୍ନ
ଅବସନ୍ନ ଅପରାହ୍ନ
ଅଳସ ଅପରାହ୍ନର ନିଃସଙ୍ଗତlକୁ ଦୂର କରିବା ପାଇଁ ନିଜ ଘର ସାମ୍ନା ଦାଣ୍ଡରେ ଟିକେ ବୁଲାବୁଲି କରୁଥିଲେ ରଘୁସାର ।
ଦଶ ବର୍ଷ ହେଲାଣି ଚାକିରିରୁ ଅବସର ନେଲେଣି ସିଏ ।ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ଏବେ ବୟସ ସତୁରି ପାଖାପାଖି ହେଲାଣି । ଭଲରେ ଚାଲବୁଲ କରିବା ଭଳି ଶକ୍ତି ଦେହରେ ଅଛି । ଘରେ ବସି ବସି ଭଲଲାଗିଲାନି, ବାହାରି ଆସିଥିଲେ ଦାଣ୍ଡକୁ । ହଠାତ ଦେଖାହେଲା ଗୋପାଳି ସହିତ, ତାଙ୍କ ପିଲାଦିନର ସାଙ୍ଗ, ଏକା ବୟସର । ପିଲାଦିନେ ସାଙ୍ଗହୋଇ ଖେଳବୁଲା କରନ୍ତି । ଏକା ଶ୍ରେଣୀରେ ବି ପାଠ ପଢୁଥିଲେ । କିନ୍ତୁ ଗୋପାଳି ବର୍ଷେ କି ଦିବର୍ଷ କଣ ପଢ଼ିଛି ।ବହୁତ ଦୁଷ୍ଟ ଥିଲା ସିଏ ପିଲାବେଳେ । ସ୍କୁଲ ଆସିବା ନାଁ ରେ ଯାଇ ଆମ୍ବତୋଟାରେ ଗଛରେ ଚଢି ଲୁଚେ । ଯେତେ ମାଡ଼ ଖାଇଛି ମାଷ୍ଟ୍ରଙ୍କ ଠାରୁ ସିଏ, ହେଲେ ବି ପଢିଲାନି ସିଏ |ତା ବାପlସାଥିରେ ଜମିକୁ ଧାଇଁଲା । ଗୋପାଳିକୁ ଦେଖି ଡାକ ପକାଇଲେ ରଘୁସାର, ପାଖକୁ ଆସିଲା ଗୋପାଳି |ଦୁହେଁ ଯାଇ ଏକ ଗଛମୂଳେ ଛାଇରେ ବସିଲେ । ବହୁତ ଦିନ ହେଲା ଦୁଃଖସୁଖ ହେଇନାହାନ୍ତି ସେ ଦୁହେଁ । ରଘୁସାର ସବୁ ଭଲମନ୍ଦ କଥା ପଚାରି ବସିଲେ ଗୋପାଳିକୁ । କିନ୍ତୁ ଗୋପାଳିଠାରୁ ତା ଜୀବନର କଥାଶୁଣି ନିଜ କଥା ଭାବୁଥିଲେ ସିଏ । ଗୋପାଳି କହୁଥିଲା -ଜୀବନରେ ମୋର ଭାରୀ ଦୁଃଖରେ ରଘୁ, ଜୀବନସାରା ମାଟିରେ ଖଟିଖଟି ପୁଅଟାକୁ ପାଠ ପଢାଇ ମଣିଷ କରିଥିଲି । ସେଇ ଗୋଟିଏ ବୋଲି ତ ପୁଅ । ତାକୁ ମଣିଷ କରିବା ପାଇଁ ମାଟିରେ ମାଟି ହୋଇଯାଇଥିଲି ମୁଁ । ଭାବିଥିଲି, ପିଲାଟା ଚାକିରିବାକିରି କଲେ ମୋ ଦୁଃଖ ଯିବ । ହେଲେ କିଛି ହେଲାନାହିଁ। ପୁଅଟା ଚାକିରୀ କଲାପରେ ସେଇଆଡ଼େ ଗୋଟେ, କେଉଁ ଜାତିର କେଜାଣି ନିଜେ ନିଜେ ଭଲପାଇ ବାହାହୋଇ ରହିଲା । ପଇସାପତ୍ର ବି କେବେ ପଠାଏନି । ଥରେ ତା ସ୍ତ୍ରୀକୁ ଧରି ଘରକୁ ଆସିଥିଲା, ହେଲେ ମୁଁ ତାକୁ ଘରେ ପୁରାଇ ଦେଲିନି । ସେଇ ଦୁଆର ମୁହଁରୁ ଫେରାଇଦେଲି । ତା ମାଆ ଟା ଭାରୀ କାନ୍ଦୁଥିଲା, ହେଲେ ତୁ କହ, ମୁଁ କଣ ଭୁଲକଲି ? ଗୋଟେ ଚିହ୍ନାଜଣା ନଥିବା ଝିଅ, ଯାହାର ଜାତିଗୋତ୍ର ଜଣାନାହିଁ, ତାକୁ ବାହାହୋଇ ମୋ ସାତପୁରୁଷଙ୍କୁ ପିଣ୍ଡ ଦେବେ ? ପୁଅଟା ସେଇଦିନରୁ ଯାଇଛି ଯେ ଯାଇଛି ।ମୋତେ ବି ସେଦିନ ଲାଗୁଥିଲା, ସେ ବି ସେଇଆ ଚାହୁଁଥିଲା। ଏବେ ଆମେ ବୁଢାବୁଢ଼ୀ ଦୁଇଟା, ଜମିରେ ତ ଆଉ ଖଟି ପାରୁନି, ଯାହା ଜମିଦିଖଣ୍ଡ ଅଛି, ଭlଗଚାଷୀକୁ ଦେଇଛି, ଯେତିକି ଧାନ ମିଳୁଛି, ସେତିକିରେ ଦୁଖେ କଷ୍ଟେ ଚଳୁଛୁ । ଭତ୍ତା ଦିଟା କରିବାପାଇଁ ପଞ୍ଚାୟତ ଅଫିସକୁ ଧାଇଁ ଧାଇଁ ହେଇପାରିଲାନି, କହିଲେ, ତୋ ପୁଅ ଚାକିରୀ କରିଛି, ତୁମର ଭତ୍ତା ହୋଇପାରିବନି । ସେ ପୁଅର ଚାକିରୀରେ ମୋର ଲାଭ କଣ କହିଲୁ । ଏତକ କହିସାରି ଏକ ଦୀର୍ଘ ଶ୍ୱାସ ପକାଇଲା ଗୋପାଳି । ମୁହଁରେ ତାର ହତାଶର ଚିହ୍ନ ବାରି ହୋଇପଡୁଥିଲା । ଗୋପାଳିର କଥାଶୁଣି ଏକ ଦୀର୍ଘନିଶ୍ୱାସ
ପକାଇଲେ ରଘୁସାର । ନିଜକୁ ଗୋପାଳିର ଜୀବନ ସହିତ ତୁଳନା କରୁଥିଲେ । ଉଭୟଙ୍କ ଜୀବନରେ ଭିନ୍ନତା ତ କିଛିନାହିଁ । ଗୋପାଳିର ପୁଅ ଅବା ତା ଠାରୁ ଦୂରେଇଗଲା, ହେଲେ ତାଙ୍କର ତ ଦୁଇ ଦୁଇଟା ପୁଅ ଘରେ ଅଛନ୍ତି । ସେ ତ ନିଜେ ଦେଖିଚାହିଁ ସୁନ୍ଦର ସୁନ୍ଦର ବୋହୂ ଦୁଇଟା ଘରୁଆଘରେ ପୁଅଦୁହିଁଙ୍କୁ ବାହା କରେଇଛନ୍ତି । ତାଙ୍କ ପୁଅ ଦୁଇଟା ପାଠପଢି ବି ଚାକିରୀ ପାଇଲେନି ସିନା, ହେଲେ ବ୍ୟବସାୟ କରି ଭଲ ରୋଜଗାର ତ କରୁଛନ୍ତି । ସେମାନଙ୍କ ବ୍ୟବସାୟ ପାଇଁ ବି ପାଣ୍ଠି ଦେଇଛନ୍ତି ସିଏ । ସବୁ ଥାଇବି ସେ ଏବେ ଅଦରକାରୀ ହୋଇଯାଇଛନ୍ତି । କିଏ ବୁଝୁଚି ତାଙ୍କ କଥା, ପୁଅମାନେ ନା ବୋହୂମାନେ !ମାସ ଶେଷକୁ ତାଙ୍କ ପେନସନ ଗଣ୍ଡାକୁ ଅନାଇଛନ୍ତି ତାଙ୍କ ଦୁଇବୋହୁ । ଭିନ୍ନେ ହୋଇଗଲେଣି କେବେଠାରୁ । ବଡ଼ପୁଅ ଭାଗରେ ସେ, ଆଉ ବୁଢ଼ୀ ସାନଆଡେ । ଦେହପା 'ସମୟରେ ଔଷଧଟିକେ ଦେବାପାଇଁ ବାଦବୁଦିଆ ହେଉଛନ୍ତି ଦୁଇଭାଇ । କ୍ଲାନ୍ତ ଆଖିରେ ଗୋପାଳିକୁ ଚାହିଁଲେ ରଘୁସାର, ଗୋପାଳି କଠିଖଣ୍ଡେ ଧରି ଧୂଳିଉପରେ ଗାର ଟାଣୁଥିଲା । ରଘୁସାର କିଛି କହିଲେନି ଗୋପାଳିକୁ ନିଜ ଜୀବନ କଥା । ଗମ୍ଭୀର ହୋଇଯାଇଥିଲେ କିନ୍ତୁ ।
ସନ୍ଧ୍ୟା ଆସନ୍ନ ପ୍ରାୟ । ଦୁହେଁ ଉଠି ଛିଡାହେଲେ, କାହାମୁହଁରେ ଭାଷା ନଥିଲା । ଜୀବନର ଅବସନ୍ନ ଅପରାହ୍ନରେ ଭାଙ୍ଗିପଡ଼ିଥିଲେ ଯେମିତି ଦୁହେଁ । ନୀରବରେ ଘରମୁହାଁ ହେଲେ।
