ଅଭୁଲା ସେ ଦିନ
ଅଭୁଲା ସେ ଦିନ
ସଂସ୍କୃତରେ ଶବ୍ଦ ରୂପ ଧାତୁ ରୂପ ଘୋଷିବା ଖୁବ୍ କଷ୍ଟକର ହେଉଥାଏ। ଯେତେ ଘୋଷିଲେ ବି ସଂସ୍କୃତ ପଣ୍ଡିତ ନୀଳକଣ୍ଠ ସାର୍ ପଚାରିଲା ବେଳକୁ ସବୁ ମୁଣ୍ଡ ରୁ ଯାଦୁଗରର ଜିନିଷ ପରି କ୍ଷଣକରେ ଉଭାନ ହେଇଯାଏ।
ସଠିକ୍ ଉତ୍ତର ନଦେଇ ପାରିବାରୁ ସାର୍ ଙ୍କର ବେତ ପାହାର ଅସହ୍ୟ ହେଉଥାଏ। ଅଲଗା ଶବ୍ଦ ରୂପ ଘୋଷିବି କଣ, ସାର୍ ଦେଇଥିବା ପ୍ରଥମ ଶବ୍ଦ ରୂପ ବାଳକ ଟି ଆଦୌ ମନେ ରହୁ ନଥାଏ। କହୁ କହୁ କୌଣସି ନା କୌଣସି ବିଭକ୍ତି ପାଖରେ ଅଟକିଯାଏ। ସାର୍ ଖୁବ୍ ରାଗନ୍ତି। ଧୁମଧାମ ଥୁଅନ୍ତି ପିଠିରେ ପଥର ରଖିବା ଭଳି। ପିଲାମାନେ ହସନ୍ତି ହଠାତ୍ ମଣିଷ ମାନଙ୍କ ମଧ୍ୟରେ କାର୍ଟୁନଟିଏ ଦେଖିବା ପରି।ଶେଷରେ ନିଷ୍ପତ୍ତି ନେଲି ସଂସ୍କୃତ ବଦଳରେ ହିନ୍ଦୀ ନେବି।
ତାପରେ ମୁଁ ପ୍ରଥମଥର ହିନ୍ଦୀ କ୍ଲାସରେ ବସିଥିଲି। ହିନ୍ଦୀ ସାର୍ କମଳାକାନ୍ତ ଆସି ନଥାନ୍ତି। ସଂସ୍କୃତ ସାର୍ ନିଜ ଶ୍ରେଣୀଗୃହକୁ ଯାଉଥିବା ବେଳେ ମୋ ଉପରେ ଆଖି ପଡିଗଲା। ମୁରୁକି ହସି ପଚାରିଲେ -କିରେ ତୁ ଏଠି? କଣ ବିଷୟ ବଦଳେଇ ଦେଲୁ। ଭଲ କଲୁ। ତୋ ଦ୍ୱାରା ଏଜନ୍ମରେ ସଂସ୍କୃତ ହେବନି। ଠିକ୍ ଏତିକିବେଳେ କମଳାକାନ୍ତ ସାର୍ ପହଞ୍ଚିଗଲେ। ସାର୍ ଟିକେ କେମିତି କେମିତି ଚାହିଁଲେ ତାଙ୍କୁ। ବୋଧେ ଅଳ୍ପ ରାଗରେ। ତଥାପି ଉପରକୁ ହସଟିଏ ବିଞ୍ଚିଦେଲେ ସାର୍ ଙ୍କୁ ନମସ୍କାର ଟେ ପକେଇ।
ହିନ୍ଦୀ କ୍ଲାସ୍ ଆରମ୍ଭ ହେଲା।ସାର୍ ଯାହା ନୋଟ୍ ଡାକିଲେ ମୁଁ ଲେଖି। ଖୁସି ବି ଥିଲି। ମୋତେ ଗାଳି ଶୁଣିବାକୁ ପଡିବନି କେବେ ହିନ୍ଦୀ ପାଇଁ। ହିନ୍ଦୀ ମୋର ଭଲ ହୁଏ। ଭଲ ନହେଲେ ବି ମନକୁ ଫାନ୍ଦି ସାହିତ୍ୟ ପରି ଲେଖିଦିଏ। ସଂସ୍କୃତ କେବଳ ଭାଇ ବିଗିଡିବା ଯୋଗୁ ନେଇଥିଲି। ସେ ଯେବେ ଜାଣିଲା ମୁଁ ସଂସ୍କୃତ ବଦଳରେ ହିନ୍ଦୀ ନେଇଛି ବହେ ଗାଳି କଲା। କହିଲା-ତୋର ଘୋଷା ପାଠ ଭଲ ହୁଏ। ତେଣୁ ତୁ ସଂସ୍କୃତ ନେଲେ ଭଲ କରି ପାରିବୁ। ସଂସ୍କୃତରେ ଅଧିକ ମାର୍କ ଆସେ। ଯାହା ତତେ ଦଶମରେ ଭଲ ଡିଭିଜନ ଆଣିବାରେ ସହାୟକ ହେବ। ଆହୁରି ଯେବେ ଜାଣିଲା ମୋ ସଂସ୍କୃତ ବହିଟା ଅନ୍ୟ କାହାକୁ ଦେଇ ଦେଇଛି ମୋତେ ପାଗଳ ବୋଲି କହିଲା। "ହ ଉ ତୁ ତାଠୁ ବହି ଆଣିବା ଦରକାର ନାହିଁ ମୁଁ ତୋ ପାଇଁ ନୂଆ ବହିଟେ ନେଇ ଆସିବି। ନେଇ ଆସିଲା ମଧ୍ୟ। ହେଲେ ଏବେ ପୁଣି ସେଇ ପରିସ୍ଥିତି। ବହିଟି କାହାକୁ ଦେଇଦେବି ବୋଲି ମନେମନେ ଭାବୁଥିଲି।
ଗୋଟିଏ ଘଣ୍ଟା ପରେ କ୍ଲାସ୍ ଶେଷ ହେଲା। ସବୁ ପିଲା ତାଲି ଯାଇଥିଲେ। ମୁଁ ବି ବ୍ୟାଗ୍ ସଜାଡି ଯିବା ପାଇଁ ବାହାରିଥିଲି। ସାର୍ ମୋତେ ପାଖକୁ ଡାକି କହିଲେ ଇତିହାସ, ଭୂଗୋଳ, ବିଜ୍ଞାନ ସବୁ ଘୋଷା ପାଠରେ ଫୁଲ ମାର୍କ। ଆଉ ତୋର ସଂସ୍କୃତ ଘୋଷିବାରେ ଅସୁବିଧା କଣ ହ ଉଛି। କାଲି ଠାରୁ ତୁ ପୁଣି ସଂସ୍କୃତ ପଢିବୁ। ମୁଁ ସାଙ୍ଗେ ସାଙ୍ଗେ ମନା କରି ଦେଲି। ନା ସାର୍ ମୋତେ ନୀଳକଣ୍ଠ ସାରଙ୍କୁ ଦେଖିଲେ ଖୁବ୍ ଡର ଲାଗୁଛି। ତାଙ୍କର କି ଭୟଙ୍କର ସ୍ୱର!ସେ ସ୍ୱରରେ ମନେଥିବା ପାଠ ବି ମୁଁ ଭୁଲିଯାଏ। ଆପଣ ଯାହା ବି କୁହନ୍ତୁ ସାର୍ ସଂସ୍କୃତ ମୋର ଏଜନ୍ମରେ ହେବନି। ନୀଳକଣ୍ଠ ସାର୍ ଠିକ୍ କହିଛନ୍ତି।
ସାର୍ ଖୁବ୍ ବିରକ୍ତ ହେଲେ। "ଚୁପ୍ କର। କହିଲା କଣ ନା ହବନି। ମୁଁ ତତେ କାଲି ଠାରୁ ସଂସ୍କୃତ ପଢେଇବା। ମୋର ବିଶ୍ୱାସ ତୁ ସେଥିରେ ଶହେ ରୁ ଶହେ ଆଣିବୁ"। ଏକଥା ଶୁଣି ମୋତେ ହସ ଲାଗିଲା। ତଥାପି ସାର୍ ଙ୍କର ବିଶ୍ୱାସ ପାଖରେ ଅମାନ୍ୟ ହେବାର ପ୍ରଶ୍ନ ହିଁ ଉଠୁନଥିଲା ।
ଶେଷକୁ ହିନ୍ଦୀ କ୍ଲାସରେ ମୁଁ ସଂସ୍କୃତ ପଢିଲି। ଏକଥାଟି ଅଳ୍ପ ଦିନ ପରେ ନୀଳକଣ୍ଠ ସାରଙ୍କ କାନରେ ପଡିବା ପରେ ଅନେକ ଅଟ୍ଟହାସ୍ୟର ପାତ୍ର ହେଲେ କମଳାକାନ୍ତ ସାର୍। "ସଂସ୍କୃତ ପଣ୍ଡିତ ପାଖରେ ସଂସ୍କୃତ ହେଲାନି ହିନ୍ଦୀ ମାଷ୍ଟର ବାଟିକି ପିଆଇଦେବ ସଂସ୍କୃତ। ଭଲ କଥା।ସେ ଯଦି ହିନ୍ଦୀ ପଢେଇବ ଆଉ କିଛି ଦିନ ପରେ ସଂସ୍କୃତ ମାଷ୍ଟର ସବୁ ଛୁଟି ନେବେରେ ବତ୍ସା ଗଣ"।
କମଳାକାନ୍ତ ସାର୍ ଏସବୁ କଥା ପ୍ରତି ଆଦୌ ଧ୍ୟାନ ଦେଲେନି । ମୋତେ ବି ଏ ବିଷୟରେ କିଛି ନ ଭାବିବାକୁ କହିଲେ। ମୁଁ ମନପ୍ରାଣ ଦେଇ ସଂସ୍କୃତରେ ଲାଗିଗଲି। ଟିକିଏ ବି ଡର ଲାଗୁନଥିଲା ପଢିବା ବେଳେ । କାରଣ ମୁଁ ଜାଣିଥିଲି, କୋଉଠି ଯଦି ଭୁଲ ହେଇଯାଏ ଉତ୍ତ୍ୟକ୍ତ ସ୍ୱର ସହ ଡଷ୍ଟରଟିଏ ନିର୍ଦ୍ଦୟ ଭାବେ ମୋ ଆଡକୁ ଆଉ କେବେ ବି ଆସିବନି।
ସେ ବର୍ଷ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ମୁଁ ଶହେରୁ ଶହେ ନମ୍ବର ରଖି ସଂସ୍କୃତରେ ଉତ୍ତୀର୍ଣ୍ଣ ହେଲି। ନୀଳକଣ୍ଠ ସାର୍ ଯେବେ ମୋ ମାର୍କ ସିଟ୍ ଦେଖିଲେ ତାଙ୍କୁ ତ ଆଦୌ ବିଶ୍ୱାସ ହେଲାନି।ସତ କହିବି ତ ବିଶ୍ୱାସ ମୋତେ ବି ହଉ ନଥିଲା। କହିଲେ "ମୁଁ କପି କରି ରଖିଛି ମାର୍କ"। ସାଙ୍ଗେ ସାଙ୍ଗେ ମୋର ପରୀକ୍ଷା ନେବା ଆରମ୍ଭ କରିଦେଲେ। ଦୀର୍ଘ ଗୋଟିଏ ଘଣ୍ଟା କାଳ ବ୍ୟାକରଣ, ଶବ୍ଦ ରୂପ, ଧାତୁରୂପ ଜ୍ଞାନର ପଚରାଉଚରା ପରେ ବିଷୟବସ୍ତୁ ଉପରେ ତଦନ୍ତ ଆରମ୍ଭ କରିଦେଲେ।ଶେଷରେ ପ୍ରଶ୍ନ ପଚାରି ପଚାରି ଉତ୍ତର ଶୁଣି ଶୁଣି ଯେବେ ଥକିଗଲେ ମୁହଁରେ ଭାଙ୍ଗ ପକେଇ କୁଣ୍ଠାବୋଧରେ ସାବାସିଟିଏ ଦେଇ ଫେରିଗଲେ। କିନ୍ତୁ କମଳାକାନ୍ତ ସାରଙ୍କ ମୁହଁରେ ଆଉ ମୋ ମୁହଁରେ ଥିଲା ଅସୁମାରି ହସ। ସତରେ ସେଦିନ ଟା ମୋ ପାଇଁ ଖୁବ୍ ଅଭୁଲା ମୁହୂର୍ତ୍ତ ଥିଲା। ଜଣେ ପ୍ରକୃତ ଅଭିଭାବକର ବ୍ୟବହାର ଛାତ୍ରର ମନୋବଳକୁ ବୃଦ୍ଧି କରାଇଥାଏ, କେବେ ବି ହତୋତ୍ସାହିତ କରିନଥାଏ।