ଅଭିନୟ
ଅଭିନୟ


ଯେତେବେଳେ ଧଳା କାରଟେ ଆସି ଦିନାର ଛାଟିମାଟି ଚାଳିଆ ସାମ୍ନାରେ ଲାଗିଲା । ସମସ୍ତେ ହାଁ ଟା କରି ଚାହିଁ ରହିଲେ , ଦିନେ ନାହିଁ କାଳେ ନାହିଁ ପୁଣି ଦିନା ଦିନ ମଜୁରିଆ ଘର ଆଗରେ କାର !
ସମସ୍ତଙ୍କ ସଂଶୟକୁ ଦୂର କରି କାର ଭିତରୁ ବାହାରିଲେ ଦିନାର ପୁଅ ବୋହୂ । ପୁଅ ବାହାରେ ରହିବାର ଆଠ ବର୍ଷ ହୋଇ ଗଲାଣି , କାଇଁ ସେଇ ଆଠ ବର୍ଷ ଭିତରେ ଆଠଥର ଆସି ବୁଢ଼ାକୁଦେଖି ଯିବା କେଇ କେବେ ଦେଖି ନାହାନ୍ତି ତ ହେଲେ ଆଜି ହଠାତ୍ ଏମିତି ଆସିବାଟା କେହି ସହଜରେ ହଜମ୍ କରି ପାରୁନଥିଲେ ।
କିନ୍ତୁ ସମସ୍ତଙ୍କ ମୁହଁ ଟାହି ଟାପରା ବନ୍ଦ ହୋଇ ଯାଇଥିଲା । ସେମାନେ ବୁଝି ପାରୁଥିଲେ । ସେପଟେ କାମର ଚାପ ଯୋଗୁ ଆସି ପାରୁନଥିଲେ ପୁଅ ବୋହୂ । ବୋହୂ ସିନା ସହରୀ ହେଲେ ଏତେ ସଂସ୍କାରୀ ତା ଠି ଖୁନ୍ଦି ହୋଇଛି କେହି ଜାଣି ନଥିଲେ ସେ ବୋହୂ ହୋଇ ଆସିବା ଦିନ ରୁ ।
ସକାଳୁ ଉଠି ଶାଶୁ ଶ୍ୱଶୁର ଙ୍କୁ ମୁଣ୍ଡିଆ ମାରିବା , ରାତିରେ ଦେହ ମୁଣ୍ଡ ମୋଡି ଘସି ଦେବା , ଠାକୁର ପୂଜା ଆଉ ଗୀତା ଭାଗବତ ସୁନ୍ଦର କଣ୍ଠ ସ୍ୱରରେ ପଢି ଶୁଣେଇବା , ଘର ଓଳେଇବା ବାସନ ମାଜିବା ରୋଷେଇ ପଟା ସବୁକାମ ଅତି ନିଖୁଣ ଭାବରେ କରୁଥିଲା ବୋହୂଟି । ଯିଏ ଦେଖିବ ବୋହୂ ଟିକୁ ଲକ୍ଷେ ପ୍ରଶଂସା ନକରି ରହି ପାରିବନି । ପୁଅ ବି ସବୁ ସେବା ଯତ୍ନ କରୁଥାଏ ବାପା ବୋଉ ଙ୍କର । ବାପା ବୋଉ ଙ୍କୁ ୟା ଭିତରେ ଦି ଦି ଥର ଡାକ୍ତର ଦେଖେଇ ମେଡିସିନ ଆଣି ସାରିଲାଣି ପୁଅ । ଏ ଘର ଭାଙ୍ଗି କୋଠା ଦୁଇ ବଖରା କରିବ ବୋଲି ବାପାଙ୍କ ସହ ପରାମର୍ଶ କରୁଥିଲା ।
ହେଲେ ହଠାତ୍ ପନ୍ଦର ଦିନ ପରେ ପୁଅ ବୋହୂ ଉଭୟେ ଚାଲିଗଲେ ସକାଳୁ ସକାଳୁ । କେହି ଜଣେ ଅତି ଅନ୍ତରଙ୍ଗ ଲୋକଟି ଦିନାକୁପଚାରିଲା , ଦିନା ଭାଇ ଆଉ କ'ଣ ପୁଅ ବୋହୂ ଙ୍କର କଣ ହଠାତ୍ ସ୍ୟାଡେ ଜରୁରୀ କାମ ପଡ଼ିଲା ଯେ ଚାଲିଗଲେ ଏମିତି ସକାଳୁ ସକାଳୁ ଆଉ କିଛି ଦିନ ରହିଥିଲେ ହୋଇନଥାନ୍ତା । ତାଙ୍କୁ ଅଟକେଇଲନି ?
ଦିନା ଅତି ଦରଦୀ ସ୍ୱରରେ କହିଲା , କେମିତି ରହିଥାନ୍ତେ ସେମାନେ । ତାଙ୍କ ଭାଗର ଜମି ଜୁମା ପଟା ପାହୁତି କରି ନେଲେ ପରା, ଆଉ କାମ କଣ ଏଠି ତାଙ୍କର ?