ଅଭିନେତ୍ରୀ
ଅଭିନେତ୍ରୀ


ହଁ ବେଳେ ବେଳେ ଏମିତି ଧନ୍ଦା କୁ ଆପଣେଇ ନେବାକୁ ହୁଏ । ଲଜ୍ଜା ସଂକୋଚ କୁ ନଈ ନାଳ କୁ ଫୋପାଡି ଦେଇ । ପାଉଡର୍ , ଲିପଷ୍ଟିକ୍ , କ୍ରିମ୍ , ମୁହଁ ରେ ମାଖି କିସମ କିସମ ର ଶାଢ଼ୀ , ଚୁଡିଦାର , ଶସ୍ତା ଗହଣା ରେ ଦେହ କୁ ସଜେଇ ବେଣିରେ ଗଜରାଟେ ଝୁରେଇ ବାହାରିବାକୁ ହୁଏ ଅଭିନୟ କରିବାକୁ ପ୍ରତିଦିନ ର ରଙ୍ଗମଞ୍ଚ ରେ ।
ଛୋଟ ବେଳେ ଯେବେ ସ୍କୁଲ ରେ ନାଚୁଥିଲା ପଦ୍ମା ଭାବିଥିଲା ବଡ ହେଲେ ଅଭିନେତ୍ରୀ ଟେ ହେବ ଟିଭି ରେ , ହେଲେ ସେ ଜାଣିନଥିଲା ମିଛରେ ନୁହେଁ ସତରେ ଅଭିନେତ୍ରୀ ଟେ ହୋଇଯିବ ବୋଲି । ଲାଇନ୍ କ୍ୟାମେରା ଆକ୍ସନ ଦୁନିଆଁ ର ଅଭିନେତ୍ରୀ ନୁହେଁ ବାସ୍ତବ ଦୁନିଆ ରଙ୍ଗମଞ୍ଚ ରେ ସତ ଅଭିନେତ୍ରୀ । ସେ ପୁଣି ନିଜ କୁ ଲୁଚେଇ ଅନ୍ୟର ପରିଚୟ ରେ ନିଜର ଆଉ ପରିବାର ର ଗୁଜୁରାଣ ମେଣ୍ଟାଇବାର ଅଭିନୟ ।
ନିଜକୁ ଛୋଟ ମଣିଛି ଅବଶ୍ୟ ହେଲେ କେବେ ଧିକ୍କାର କରିନି ସେ ।
ଧିକ୍କାର କରିନି ଏଇଥି ପାଇଁ -
ସେ ଚୋରି କରୁନି କି ନିଜକୁ ବିକ୍ରି କରୁନି ଘଣ୍ଟାକ ପାଇଁ କାହା ପାଖେ ଯାହା ଟିକେ ଛଳନା କରୁଛି ଲୋକଙ୍କ ସହ । ହଁ ଯେତିକି କରୁଛି ଦାମ୍ଭିକତାର ସହ କରୁଛି । ସ୍ବାଭିମାନ ର ସହ ବଞ୍ଚୁଛି । କାହା ପାଖରେ ମୁଣ୍ଡ ବିକି ଦେଇନି କି ନେହୁରା ହେବାର ନାଇଁ କି କାହାଠାରୁ ରେ ପଦ ଶୁଣିବାର ନାହିଁ ।
ଅସଲି ପୁଞ୍ଜେ ଙ୍କ ସହ ଏ ନକଲି ଟେ ମିଶି ୟେ ଯେତେବେଳେ ତାଳି ବଜେଇ ଦିଏ ଟଙ୍କା ଆପେ ଆପେ ତା ହାତକୁ ଚାଲିଆସେ ଖାଲି ତିନୋଟି ଶବ୍ଦରେ " ଏ ଚାଲ୍ ଦେରେ " ।
ପ୍ରଥମେ ପ୍ରଥମେ ସଂକୋଚ କରୁଥିଲା ହେଲେ ପରେ ଅଭ୍ୟସ୍ତ ହୋଇଗଲା । ବେଶି ନୁହେଁ ମାତ୍ର ଦଶ ପନ୍ଦର ଦିନରେ ନିଜକୁ କାଦୁଅ ପରି ଚକୁଟି ଚାକୁଟି ସଜାଡି ନେଲା ତାଙ୍କ ପରି । ପଦ୍ମା ନିର୍ଦ୍ଧିଷ୍ଟ ଟ୍ରେନ୍ ରେ ଚଢେ ତା ଦିଦି ମାନଙ୍କ ସହ ଆଉ ଶେଷ ଷ୍ଟେସନ ରେ ଓହ୍ଲେଇଲା ବେଳେ ହାତରେ ଥାଏ ଟଙ୍କା ହଜାର ଦୁଇ ହଜାର ଆଉ କେତେବେଳେ ମାନ୍ଦା ରେ ଟଙ୍କା ପାଞ୍ଚ ଶହ ଚାରିଶହ ..... ଏମିତି । କିନ୍ତୁ ଯେତିକି ମିଳେ କିଛି ଖରାପ ନୁହେଁ ତା ପାଇଁ ।
ଆଉ ସେ ନାସ୍ତିକା ହୋଇ ସାରିଛି ପାଞ୍ଚ ବର୍ଷ ତଳୁ ଯେତେବେଳେ ତା ଅଠର ବର୍ଷ ର ଭାଇ ଚିକିତ୍ସା ଅଭାବରୁ ମରିଗଲା । ଇଶ୍ଵର ବୋଲି ସତ୍ତା କୁ ସେ ଛି କରିଦେଇଛି ସେହି ଦିନୁ ।
କିନ୍ତୁ ପଦ୍ମାର ମନଟା ଅତି ଦରଦୀ ସେ ଦୁଃଖିର ଦୁଃଖ ଦେଖି ପାରେନି ସେଥିପାଇଁ ମାସ କୁ ମାସ ଅନାଥାଶ୍ରମରେ ବୃଦ୍ଧାଶ୍ରମ ରେ ବି କିଛି ଟଙ୍କା ଦେଇ ଆସେ । ଗରିବ ଗୁରୁବା ପିଲା ଦେଖିଲେ ପେଟ ଭରି ଖାଇବାକୁ ଦେଇ ଛାଡ଼େ ।
ପରିବାର କହିଲେ ବାପା ବୋଉ ଦିଜଣ ବାପା ଯେବେ କୁହନ୍ତି " ମା ' ରେ ବହୁତ କଲୁଣି ବହୁତ କିଛି ସହିଲୁଣି ଆମ ପାଇଁ , ହେଲେ କେତେଦିନ ମା ଏମିତି ଏକା ଏକା ଜୀବନ କାଟିବୁ ?"
ବାପା ବୋଉ ଙ୍କ ସାମ୍ନାରେ ସିନା ପଦ୍ମା କହିଦିଏ - " ନାଇଁ ଆଉ ଇଛା ନାହିଁ ମୋର , ଏମିତି ରେ ମୁଁ ବହୁତ ଖୁସି ଅଛି "
ହେଲେ ଭିତରେ ଭିତରେ ସେ କଇଁ କଇଁ ହୋଇ କାନ୍ଦୁଥାଏ ସେ । ସିନ୍ଦୂର ବୋଲି ଯେଉଁ ପବିତ୍ର ଜିନିଷ ଟେ କେବେ ଶୋଭା ପାଇବନି ତା ସିନ୍ଥିରେ ଏ ଜନ୍ମରେ । ଏଇ ବାପା ବୋଉ ଙ୍କ ମୁହଁ କୁ ଚାହିଁ ବାକି ତକ ଜୀବନ କାଟିଦେବା ହିଁ ତା ପାଇଁ ସାର୍ଥକତା ବୋଲି ସେ ଭାବି ନେଇଛି ।
ଦିନ ଥିଲା ଅଲି ଅଳି ଗେଲବସର ରେ ବଢିଥିଲା ସେ । ବାପା ବୋଉଙ୍କ ପାଇଁ କୁନି ଟେ ହୋଇ ଥିଲା ସେମିତି ଯମା ବଢୁନଥିଲା ସେ । ହାତରେ ଖାଉନଥିଲା କି ପାଦରେ ଚାଲୁନଥିଲା ଯେମିତି ପନ୍ଦର ବର୍ଷ ଯାଏଁ । କିନ୍ତୁ ଏମିତି ଅଚାନକ ଭାବେ ସବୁ ଦୂର୍ଘଟଣା ଘଟି ପରିବାର ର ଭାରା ତା ଉପରକୁ ଚାଲିଆସିବା ସେ କେବେ ଚିନ୍ତା ବି କରିନଥିଲା । ଲହୁ ର ଲୁହ ଢାଳିଥିଲା ସେଦିନ ପଦ୍ମା ଯେବେ ତା ସାନ ଭାଇ ତା ପ୍ରିୟ ସାଙ୍ଗ ତାର ସବୁକିଛି ସବୁଦିନ ପାଇଁ ଆଖିବୁଜି ଦେଇଥିଲା ।
ସେ ସିଧା ଯାଇଥିଲା ଠାକୁର ଘରକୁ ଯେତେ ଠାକୁର ଫଟୋ ଦ୍ଵିପ ଧୂପ ...... ସେ ସବୁ ଆଣି ବାହାରେ ଫୋପାଡି ଦେଇଥିଲା । ମାଆ କୁ କହିଲା -" ଯମା ପୂଜିବୁନି ଯମା ଡାକିବୁନି ଏ ପଥର ଗୁଡାକୁ ଏ ଫଟୋ ଗୁଡାକୁ ମାଆ । କିଛି ସୁଣନ୍ତିନି କି କିଛି ବୁଝନ୍ତିନି ଏ ଗୁଡା । "
ବାସ୍ ପରେ ପରେ ବାପା ବି ଦୂର୍ବଳ ହୋଇ ପଡିଲେ । କାମକୁ ଆଉ ପାରିଲେ ନାହିଁ , ଶେଷରେ ବଢିଲା ଝିଅ ପଦାକୁ ଗୋଡ଼ କାଢ଼ିବାକୁ ବାଧ୍ୟ ହେଲା ।
ଘର ପାଖ ସନିଆ ଦାଦା ସାଙ୍ଗରେ ବାହାରିଲା ବାଙ୍ଗାଲୋର , କମ୍ପାନୀ ରେ କାମ କରିବ ବୋଲି । କିନ୍ତୁ ସେଦିନ ରାତିରେ ଷ୍ଟେସନ ର ଭିଡ଼ରେ ଟ୍ରେନ ଚଢିବା ବେଳେ ସନିଆ ଦା' ସିନା ଚଢିଗଲେ ସେ କିନ୍ତୁ ରହିଗଲା । ଅଜଣା ଯାଗା ହିନ୍ଦୀ ଜାଣିନି କାହାକୁ କିଛି କହିପାରୁନି , ଭୟ କାହିଁରେ କେତେ । ସେ କିଛି ବୁଝିବା ପୂର୍ବରୁ ଜଣେ ବୟସ୍କ ବ୍ୟକ୍ତି ତା ପାଖକୁ ଆସିଲେ ଆଉ ଯେତିକି ପାରିଲେ ସାହସ ଧୈର୍ଯ୍ୟ ବି ଦେଲେ ପଦ୍ମା ତାଙ୍କ କଥାବାର୍ତ୍ତା ବ୍ୟବହାର ରୁ ଯେତିକି ଜାଣିଲା ଯେତିକି ବୁଝିଲା ସେ ଜଣେ ପରୋପକାରୀ ଓ ଦୟାବନ୍ତ ଲୋକ । ଶେଷ କୁ କୁଟା ଖିଅ କୁ ଆଶ୍ରା କଲା ଭଳି ତାଙ୍କ ସାଥିରେ ଗଲା , କମସେକମ୍ ସେ ଗାଁ କୁ ତ ଫେରି ପାରିବ ତ ୟାଙ୍କ ସହଯୋଗ ରେ ।
କିନ୍ତୁ ସେ ଜାଣିନଥିଲା ବେଳେ ବେଳେ ଆଖି ମନ ଉଭୟେ ଧୋକା ଖାଇଯାନ୍ତି । ଯାହାକୁ ଭରଷା କରି ସେ ଆସିଥିଲା ସେ ଗୋଟେ ଦଲାଲ୍ ବୋଲି ସେ ପରେ ଜାଣି ପାରିଲା ନିର୍ଦ୍ଧିଷ୍ଟ ଯାଗାରେ ପହଞ୍ଚି । ଆଉ ଉପାୟ ନଥିଲା କିଛି ସେଠୁ ଖସି ଦୌଡ଼ିବା ବ୍ୟତୀତ । ହେଲେ ଅଧା ବାଟରେ ପଛରେ ପଡିଗଲେ ଚାରି ଜଣ ମଦୁଆ । ଆହୁରି ଜୋରରେ ଜୀବନ ବିକଳରେ ଦୌଡିଲା ସେ ହେଲେ ଥକି ଯାଇଥିବା ଦୁଇପାଦ ଆଉ କେତେ ବା ଦୌଡିଥା'ନ୍ତା ପଡିଗଲା ଖାଲରେ ।
ଘେରିଗଲେ ପଦ୍ମାକୁ ଭୋକିଲା ବାଘ ଭଳି , ତା' ଓଢ଼ଣା ରେ ପାଟିକୁ ଭିଡ଼ି ସାରିଥିଲେ ହେଲେ ତାର ସବୁକିଛି ସର୍ବନାଶ ହେବା ପୂର୍ବରୁ ସେଠି ପହଞ୍ଚି ସାରିଥିଲେ ଦେବୀ ରୂପରେ କିଛି କିନ୍ନର ଦଳ ।
ସେମାନଙ୍କ ଠୁ ପଦ୍ମାକୁ ଉଦ୍ଧାର କରି ସାଙ୍ଗରେ ନେଇ ଯାଇଥିଲେ । ଝିଅ ପରି ପାଳିଲେ । ସେମାନଙ୍କ କଥା ବୁଝିବା ବେଳକୁ ପଦ୍ମାକୂ ଚାରି ମାସ ଲାଗି ଯାଇଥିଲା । ପଦ୍ମା ବିଷୟରେ ସବୁ ଜାଣିବା ପରେ ତା ଆଗରେ ଗୋଟେ ପ୍ରସ୍ତାବ ରଖିଥିଲେ । ଯାହା ପଦ୍ମାକୁ ବିଲକୁଲ ଅସହଯ ଲାଗୁଥିଲେ ମଧ୍ୟ ସେଥିରେ ସେ ରାଜି ହୋଇଥିଲା ।
ଆଉ ତାଙ୍କ ଭିତରେ ବି ଏ ଜଣେ ହୋଇଯାଇଥିଲା । ପଦ୍ମା ତାଙ୍କୁ ସବୁ ବଡ଼ ଦିଦି ବୋଲି ଡାକେ ଏବଂ ସମ୍ମାନ ଦିଏ । ସେମାନେ ପଦ୍ମା କୁ ଝିଅ ପରି ମାନନ୍ତି । ତା ପଇସା ରେ ଆଖି ପକାନ୍ତିନି ଯୋଉଠି କି ବି ଯାଆନ୍ତି ତାକୁ ସୁରକ୍ଷା ବଳୟ ଭିତରେ ରଖନ୍ତି ।
ଦିନକର କଥା ....
ପଦ୍ମା କେବେ ଜାଣିନଥିଲା କିନ୍ନର ମାନଙ୍କ ସହ ବି ଏମିତି ହୁଏ । ଯୋଉ ଦିନ ଜଣେ ନିଶାଶକ୍ତ ଟୋକା ଟୟଲେଟ୍ ଭିତରକୁ ପଦ୍ମା କୁ ଭିଡି ନେଇଥିଲା ଆଉ ହାତରେ ପାଞ୍ଚ ଶହ ଗୁଞ୍ଜି ଦେଇ ତା ସହ ଅଭଦ୍ରାମି କରିବା ସହ କହିଥିଲା
- " କ୍ୟା ଚାଲେଗା ଆ ଦେର୍ ମତ୍ କର୍ .... "
ଟୋକାଟାର ଭାଗ୍ୟ ସେଦିନ ଖରାପ ଥିଲା । ଦିଦି ମାନେ ପଦ୍ମା ଠାରୁ ଏ କଥା ଶୁଣି ତାଙ୍କ ଛାତିରେ ଯେମିତି ନିଆଁ ଲାଗିଗଲା ସିଧା ଯାଇ ଆଗପଛ ଚିନ୍ତା ନକରି ଚଳନ୍ତା ଟ୍ରେନ ରୁ ସେ ମଦୁଆ କୁ ପେଲି ଦେଇଥିଲେ ।
ଫୁଲ୍ ବତୀ , ଚମ୍ପା, ଗୁଲାବି , ସବନମ୍ ... ଏ ଦିଦି ମାନେ ତା ସାଥିରେ ଥିଲେ ସେ କାହାକୁ ଭୟ କରେନି । ନିର୍ଭୟରେ ନିର୍ଦ୍ବନ୍ଦ୍ବରେ ସେ କିନ୍ନର ଭୂମିକା ସମ୍ପାଦନ କରେ । ହଁ ଏଠି ରହି ତା ନାଁ ବି ବଦଳି ସାରିଛି ଚାନ୍ଦନୀ । ଏଠିକୁ ଆସିବା ଦିନୁ ପଦ୍ମା ନାଁ ରେ ତାକୁ କେହି ବି ଡାକନ୍ତିନି ।
ଯାଇଥିଲା ଗାଁ କୁ ଚମ୍ପା ଦିଦିଙ୍କ ସହ ଆଠ ମାସ ପରେ ।
ବାପା ମା ଭାବି ନେଇଥିଲେ ଝିଅ ପଦ୍ମା ଆଉ ଫେରିବନି । କିନ୍ତୁ ଝିଅକୁ ଦେଖି ନିଜକୁ ଯେମିତି ଭୁଲି ଯାଇଥିଲେ କିଛିଦିନ ପାଇଁ ଦୁହେଁ । କିଛି ଟଙ୍କା , ଶାଢ଼ୀ , କପଡା ..... ଏସବୁ ଦେଇ ପୁଣି ପନ୍ଦର ଦିନ ପରେ ଫେରି ଆସିଥିଲା ତା ଦିଦି ମାନଙ୍କ ପାଖକୁ ।
ବାପା ବୋଉ ଛାଡ଼ୁନଥିଲେ ଜମା କାନ୍ଦି ଗଡି ଯାଇଥିଲେ ଯେମିତି । ପଦ୍ମା ବୁଝେଇଥିଲା। -" ମୁଁ ଫେରିବିନି ଭାବି ଆଜି ପର୍ଯ୍ୟନ୍ତ ଯେମିତି ରହିଥିଲ , ମୁଁ ଯୋଉଠି ବି ଅଛି ଏବେ ସୁରକ୍ଷିତ ଅଛି ସେମିତି ଜାଣି ଆଜି ଠାରୁ ରହିଯାଅ । ମୁଁ ମଝିରେ ମଝିରେ ଏମିତି ଆସିବି । ତୁମେ ଦୁହେଁ ମୋ ପାଇଁ ଯେତିକି କରିନ ମୋ ଦିଦି ମାନେ ମୋ ପାଇଁ ବହୁତ କିଛି କରିଛନ୍ତି ମୋତେ ନୂଆ ଜୀବନ ଦେଇଛନ୍ତି । ତାଙ୍କୁ ଛାଡି ମୁଁ ରହିପାରିବିନି । ଏବେ ମୋ ଦୁନିଆ ଅଲଗା ହୋଇ ସାରିଛି । ଟିକେ କଷ୍ଟ ସହିନିଅ ମୋ ବିନା । ଗୋଟେ କଥା ମନେ ରଖ ମୁଁ ବଞ୍ଚିଥିବା ଯାଏ ତମକୁ ପର ଆଗରେ ହାତ ଟେକିବାକୁ ପଡ଼ିବନି ଚିରା ଶାଢ଼ୀ ଲୁଙ୍ଗି ପିନ୍ଧି ବାକୁ ପଡ଼ିବନି କି ପେଟ ଆପୋଷା ରହିବନି । "
ଏହି ଘଟଣା ର ଦୁଇ ମାସ ପରେ ପଦ୍ମା ର ଚାଳଘର କୋଠାଘର ରେ ପରିଣତ ହୋଇ ସାରିଥିଲା । ଚୂଲି ଯାଗାରେ ଗ୍ୟାସ୍ ଥିଲା , ସିନ୍ଧୁକ ଯାଗାରେ ଷ୍ଟିଲର ଆଲମିରା ଆଉ ବାଉଁଶ ବାଡା ବଦଳରେ ଥିଲା ଲୁହାର ଗେଟ୍ ।
ଥରେ ଟ୍ରେନ ରେ ପଦ୍ମା କୁ ଗାଁ ର ବିଶୁଆ ଦେଖି ପଚାରିଦେଲା " ତୁ ଆମ ଗାଁ ପଦ୍ମା ନାଁ ? "
ପଦ୍ମା ତାକୁ କଡ଼ା ଆଖିରେ ସିଧା ଚାହିଁଲା ଆଉ ତାଳି ବଜେଇ କହିଲା। - " ଓୟେ ନୌଟଙ୍ଗି ମତକର୍ , ଚାଲ୍ ଦେ ରେ "
ବିଶୁଆ ଦଶ ଟଙ୍କା ବଢେଇ ସାରିଥିଲା ସେତେବେଳେ କୁ ।
ପଦ୍ମା ର ବାପାଙ୍କୁ କେହି ପଚାରିଦେଲେ - " ତମ ଝିଅ କଣ କରୁଛି କି ? "
ସେ କୁହନ୍ତି
- " ସେ ପରା ଅଭିନେତ୍ରୀ। "
______________୦୦୦_____________
ପରମେଶ୍ବର ଓଝା
ମହାକାଳପଡ଼ା
କେନ୍ଦ୍ରାପଡ଼ା
ମେଲ୍ -- ojhaparameswar@gmail.com
ମୋ-- ୬୩୫୫୧୩୩୩୦୧