ଅଭିମାନ
ଅଭିମାନ
ପାର୍କ ରେ ବୁଲୁ ବୁଲୁ ହଠାତ ନଜର ପଡିଲା ନବୀନ ବାବୁଙ୍କ ଉପରେ |ଆରେ,ନବୀନ ବସିଚି ତ, ମୋ ପିଲାଦିନର ସାଙ୍ଗ |ଯାହା ହଉ, ବହୁତ
ଦିନ ପରେ ଦେଖା ହେଲା | ବହୁତ ଦିନ ପରେ ଟିକିଏ ମନ ଖୋଲା ଗପସପ ହେବ | ଏମିତି ଭାବି ଦଉଡିଲେ ପ୍ରବୀଣ ବାବୁ ସାଙ୍ଗ ପାଖକୁ |
ପାଖରେ ପହଞ୍ଚି ଏକ ନିଃଶ୍ଵାସରେ ପଚାରି ଚାଲିଲେ |କ’ଣ କିରେ ?ତୋର କ’ଣ ଖବର ଅନ୍ତର ନାହିଁ ?ଚୁପ ଚାପ କ’ଣ ରହିଚୁ?ପ୍ରଶ୍ନ ପରେ ପ୍ରଶ୍ନ
ଆରେ! ନବୀନ ବାବୁ କହିଲେ ,ମୁଁ ବୃଦ୍ଧାଶ୍ରମର ସଞ୍ଚାଳକଙ୍କୁ ଫୋନ କରି କଥା ହଉଥିଲି |ହଠାତ ଵୃଦ୍ଧାଶ୍ରମ କଥା ଶୁଣି ପ୍ରବୀଣ ବାବୁ କହିଲେ,କ’ଣ କହୁଚୁ ତୁ?
ବୃଦ୍ଧାଶମ କାହିଁକି କିରେ, ଏତିକି କହି ପ୍ରବୀଣ ବାବୁ କୁଣ୍ଢେଇ ପକେଇଲେ ନବୀନ ବାବୁଙ୍କୁ |ନବୀନ ବାବୁ କହିଲେ ,ଆରେ !ସେମିତି କିଛି ନାହିଁ ରେ ମୋ କଥା କ’ଣ କହିବି |
ଭାବିଥିଲି , ଚାକିରୀରୁ ଅବସର ନେଲାପରେ ପିଲାମାନଙ୍କ ସାଙ୍ଗରେ ସମୟ ବିତେଇବି |କିନ୍ତୁ ,ସବୁ ଓଲଟ ପାଲଟ ହେଇ ଗଲାରେ |ପୁଅ ଚିନ୍ତାରେ
ଝୁରି ଝୁରି ତୋ ଭାଉଜ ଚାଲିଗଲା |ସେଇଦିନଠାରୁ ଠାକୁର ପୂଜା ଛାଡିଦେଇଚି |ମୋ ଦୁଃଖ ତ ଦେଖି କି ବି ସିଏଆଖି ବୁଜି ବସିଚନ୍ତି | ଯିଏ ଏଇ ସଂସାର ଚଲୋଉଛନ୍ତି, ତାଙ୍କ ଆଗରେ ଅଭିମାନ କରିବିନିତ ,ଆଉ କାହା ଆଗରେ କରିବି ? ଭାବିଥିଲି ଜମିବାଡି ବିକ୍ରୀ କରି ପୁଅକୁ ଦେଇ ନିଶ୍ଚିନ୍ତ ରେ ରହିବି ବୋଲି , ଆଉ ରାକ୍ଷୀ ପୁର୍ଣିମାକୁ ଝିଅ ଆସିଲେ ଟିକିଏ ଦେଖିବି |ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ପିଲାଦିନେ ମାସେ ଆଗରୁ ନାଚୁଥାଏ | ଆଜି ଝିଅ ଟିକିଏ ଫୋନ୍ କଲାନି କି ଆସିଲାନି ବି | ମୁଁ ଫୋନ କଲାରୁ ଜାଣିଲି ଯେ ପୁଅ ସବୁ ସମ୍ପତ୍ତି ନିଜ ନାଁରେ କରେଇ ନେଇଚି | ସବୁ ସମ୍ପତ୍ତିର ଏକୁଟିଆ ଅଧିକାରୀ ସେ,ଏକମାତ୍ର ସନ୍ତାନ ବୋଲି କହିଚି |ସେଇଥିପାଇଁ ଝିଅ ମୁହଁ ଫୁଲେଇଚି,ଅଭିମାନ
କରୁଚି |କହୁଚି ମୋ ବୋଉଥିଲେ କ’ଣ ମତେ ଏମିତି ଭୁଲିଯାଇ ଥାଆନ୍ତା |ଆଉ କୋଉଠିକୁ ଆସିବି, କାହାପାଇଁ |ବୋହୂ କଥା ଛାଡ଼.......|ବୋହୁକୁ କାହିଁକି ବା ଦୋଷ ଦେବି | ସେ ତ ପର ଘରର ଝିଅ |ଆପଣା ସୁନା ତ ଭେଣ୍ଡି| ଛାଡ!ଏଇଲେ ଟିକିଏ ମନଟା ହାଲୁକା ଲାଗିଲା ରେ ପ୍ରବୀନ ,ତୋ ଆଗରେ କହିଦେଲି ସବୁକଥା | ଵୃଦ୍ଧାଶ୍ରମର ବି
ବ୍ୟବସ୍ଥା ହୋଇଗଲା | ମନ କଥା ପଦେକହିବାକୁ ବି କେହି ନାହିଁ | ଭଲ ହେଇଚି ,ଏସବୁ ଦେଖିବା ଶୁଣିବା ଆଗରୁ ତୋ ଭାଉଜ ଏ ସଂସାରରୁ ଚାଲିଯାଇଚି |ମୁଁ ବି ଏଇ ସଂସାରରେ ସମସ୍ତଙ୍କଠାରୁ ସମ୍ବନ୍ଧ ତୁଟାଇ ଦେଉଚି |
