ଅଭିମାନ
ଅଭିମାନ
ଅଭି କାନ୍ଦି କାନ୍ଦି ଘର ଭିତରୁ ବାହାରି ଆସିଲା | ଆଖିରେ ଆଖିଏ ଲୁହ | କୋହ ସମ୍ଭାଳି ପାରୁ ନଥିଲା | ଦାଣ୍ଡ ଦୁଆରେ ବସିପଡ଼ିଲା | ମୁହଁ ଉପରେ ଦୁଇ ହାତ ରଖି କଇଁ କଇଁ କାନ୍ଦିଲା | କ'ଣ ପାଇଁ ଅଭି କାନ୍ଦୁଛି , କିଛି ବୁଝି ପାରିଲା ନାହିଁ ଶୁଭମ୍ | ଶୁଭମ୍ ତା ସାନ ଭାଇ | ବୟସ କହିଲେ ପ୍ରାୟ ବାଆର ବର୍ଷ ହେବ | ବାପାମାଆ କାହିଁ କେତେ ବର୍ଷରୁ ଆର ପାରିରେ | ଘରେ କହିଲେ ଅଭି ଓ ଶୁଭମ୍ ଦୁଇ ଭାଇ |
ବାପାମାଆ ଚାଲିଗଲା ପରେ ଅଭି ପାଠ ପଢ଼ାରେ ଡୋରି ବନ୍ଧା ହୋଇଗଲା | ମେଟ୍ରିକ୍ ପରେ ଆଉ ପଢ଼ିବାର ସୁଯୋଗ ମିଳିଲା ନାହିଁ | ସାନ ଭାଇର ଯତ୍ନଠୁଁ ଆରମ୍ଭ କରି ସବୁ କାମ ଅଭିକୁ କରିବାକୁ ପଡ଼େ | ଏତେ ଅଭାବ ଯେ ନିଜ ପାଇଁ ଅବା ଶୁଭମ୍ ପାଇଁ ଭଲ ପ୍ୟାଣ୍ଟ ସାର୍ଟ ଯୋଗାଡ଼ କରିପାରେନାହିଁ | ମନକୁ ମନ ଗାଳି ଦିଏ ନିଜର ଦାରିଦ୍ର୍ୟତାକୁ | ଅନ୍ଧାରରେ ଭଗବାନଙ୍କ ପାଖରେ ଖୁବ୍ ଅଭିମାନ କରେ , ଆଉ ଗାଳି ବି ଦିଏ | ମନର ସମସ୍ତ ରାଗ ତା ଆଗରେ ଝାଡ଼ିଦିଏ | ମନଟା ଟିକିଏ ହାଲକା ହୋଇଯାଏ | ଏମିତି ଭାବେ ଅଭି |
ସ୍ବଭାବିକ୍ ହେଲା ଅଭି | ଆବାକ୍ ହୋଇଯାଇଥିଲା ଶୁଭମ୍ | ଅଭି ଭାଇର ଏମିତି ଅସ୍ବାଭାବିକ୍ ଅବସ୍ଥା ଆଗରୁ କେବେ ଦେଖିନଥିଲା | କିଛି ବି କହିପାରୁନଥିଲା | କହିବାକୁ ସାହସ କରିପାରୁନଥିଲା ସେ | ବଡ଼ଭାଇ ଅଭି ତାର ଆଖିରେ ଦେବତାଙ୍କଠୁଁ ବଳି | ଦେହର ପ୍ରତ୍ଯେକଟି ରକ୍ତ ବିନ୍ଦୁ ଅଭିଭାଇର ଦାନ ବୋଲି ଧରିନେଇଛି ଶୁଭମ୍ | ତଥାପି ଅଭି ପାଖକୁ ଗଲା | ସାହସ, ଶକ୍ତି ଯୋଗାଡ଼ କରି ଅଭିଭାଇର ହାତ ଧରିପକାଇଲା | କ'ଣ କହିବ କିଛି କହିପାରିଲା ନାହିଁ | ବଲବଲ କରି ମୁହଁକୁ ଚାହିଁଲା | ଅଭି ବୁଝିପାରିଲା ଶୁଭମ୍ କ'ଣ କହିବାକୁ ଚାହୁଁଛି |
ଅଭି ଶୁଭମ୍ ର ଶୁଖିଲା ମୁହଁକୁ ଦୁଇ ପାପୁଲିରେ ଧରିଲା | ଛାତିରେ ଆଉଜେଇ ନେଲା | ନିଜ ମନର ଯାହା ଅଭିମାନ ଥିଲା, ଯାହା ପାଇଁ ଥିଲା, ସବୁ ଅଭିମାନ ମନ ଭିତରେ ଲୁଚିଗଲା | କାରଣ ଜଣାଇବା ପାଇଁ ଉଚିତ୍ ମନେ କଲାନାହିଁ | ଶୁଭମ୍ ର ମମତା ଓ ଭକତି ବୋଳା ପରଶରେ ଅଭିର ସମସ୍ତ କାନ୍ଦ ଅଭିମାନ ଦୂରେଇଗଲା | ଅଭି ଶୁଭମ୍ ର ହାତ ଧରି ଉଠିଲା | ଝାଡ଼ିଝୁଡ଼ି ହେଲା | ଶୁଭମ୍ କୁ କୋଳେଇ ନେଇ ଘର ଭିତରକୁ ନେଲା | ଶୁଭମ୍ କୁ ତାର ବାପାମାଆଙ୍କ ଅତୀତ କଥା ମନେ ପଡ଼ୁଥିଲେ ବି କହିଲା ନାହିଁ | ଏକା ଏକା ଘର | ସବୁ ଖାଁ ଖାଁ ଲାଗୁଥିଲା | ଦୁଇଭାଇ ଘର ଭିତର ଖଟରେ ବସିଲେ | ବାଟ କବାଟରେ କାହାର ଠକ୍ ଠକ୍ ଶବ୍ଦ ଶୁଣାଗଲା | ଦୌଡ଼ିଗଲା ଶୁଭମ୍ | ଦେଖିଲା , ମାଉସୀ ଆସିଛି | ପାଦ ଛୁଇଁ ଡାକିନେଲା | ଅଭି ବି ଉଠିଆସିଲା | ଦୁଇ ଭାଇଙ୍କୁ ମାଉସୀ କୋଳେଇ ନେଲେ | ମାଉସୀଙ୍କ ପରଶରେ ତାର ସମସ୍ତ ମାନ ଅଭିମାନ କୁଆଡ଼େ ଉଭେଇ ଗଲା | ସବୁ ଯେମିତି ଠିକ୍ ହୋଇଗଲା |
