Parameswar Ojha

Tragedy

3  

Parameswar Ojha

Tragedy

ଅଭାବ

ଅଭାବ

4 mins
507



ଯେତେବେଳେ ଘନିଷ୍ଠ ମାନେ ସାହାଯ୍ୟ ବଦଳରେ ଦେହ ଚାହିଁଲେ । ସହଯୋଗର ହାତ ବଦଳରେ ସୁଯୋଗର ଫାଇଦା ଉଠେଇଲେ । ସେତେବେଳେ ପର ପାଖେ ଦେହ ଅଇଁଠା କରି ପଇସା କମେଇଲେ କ୍ଷତି କ'ଣ ? 



ଅନୁ । ଅକ୍ଷତା ଯାହାକୁ ନିଜଠୁ ବଳି ସ୍ନେହ କରୁଥିଲେ । ସେ ଘରକୁ ଆସିଲେ ଭାଉଜ ଭାଉଜ ବୋଲି ପାଣି ପିଉନଥିଲା । ସେ ପୁଣି କେଇଟା ଦିନ ଭିତରେ ଏତେ ସାହସ ପାଇଗଲା ଯେ । ନିରୋଳା ବେଳେ ଟଙ୍କା ପାଁଶ ଗୁଞ୍ଜି ଦେଇ ଛାତି ପାଖକୁ ଭିଡ଼ି ନେଲା । 


ତେଜରାତି ଦୋକାନି ବିନୋଦା । ଯାହାକୁ ଦେଖିବା, ଛୁଇଁବା ସାଙ୍ଗରେ କଥା ହେବା ମନା । ହିସାବରେ ଦେଢ଼ ଶ୍ୱଶୁର ହେବ ଯେଣୁ । ଦୋକାନ ଆଗ ବାକି ପରିଶୋଧ ହୋଇନଥିଲା ବୋଲି ଯିଏ ଆଡ ଆଖିରେ ଚାହେଁନି । କିଛି କାମ ନଥାଇ କାମର ବାହାନା କରି ସେଉଦା ଦେବା ବଦଳରେ ମାଖୁନା ଟାରେ ଘଣ୍ଟାଏ ଦୋକାନ ଆଗରେ ଛିଡା କରାଏ । ବାଟରେ ଘାଟରେ ପଇସା ମାଗି ଲୋକ ହସା କରାଏ ।

 ସେ ପୁଣି ଦିନେ ତା ତରଫରୁ ବ୍ୟାଗରେ ବ୍ୟାଗେ ଭର୍ତ୍ତି ସଉଦା ଆଣି ପିଣ୍ଡା ରେ ଥୋଇ ଦେଇ ଲଥ୍ କିନା ବସି ପଡିଲା ଆତ୍ମୀୟ ଟେ ପରି ।


 ଅକ୍ଷତା କହିଲା - " ମୁଁ ତ କହିନଥିଲି, ତା ଛଡା ମୋ ପାଖରେ ପଇସା ବି ନାହିଁ ।" 


ବିନୋଦା ପାନ ଛେପ ପକାଇ ଦେଇ କହିଲା - " ରଖ ମ ତୋ ପଇସା । ମଣିଷ ର ଗୋଟେ ବିବେକ ଅଛି ନା ନାହିଁ ? ଦିନୁର ଏମିତି ଦେହଟା ବିଗିଡି ଯିବ କିଏ ଜାଣିଥିଲା ? ଏତେ ବଡ଼ ରୋଗ ପୁଣି ଆମ ଦିନୁ କୁ ? ତୁ କ'ଣ ଭାବୁଚୁ ମୁଁ କିଛି ଜାଣି ପାରୁନି ? ରାତି ପାହିଲେ ଡାଲି ଚାଉଳ ଖୁଚୁରୁ ମୁଚୁରୁ କରି ଯେ ଆଣେ , ସେ ଦି ମାସେ ହେବ ହାତ ବନ୍ଦ କରି ବସିଛି । ଘର କେମିତି ଚଳେ ? ଔଷଧରେ ମାସକୁ ତ ଯାହା ଖର୍ଚ୍ଚ ତା ବି ତୋ ପାଇଁ ନିଅଣ୍ଟ । ଦିନୁ କେତେ ଟଙ୍କା ଏମିତି ରଖିଛି କି ମୂଲ ଲାଗି ? ମୁଁ କ'ଣ ଜାଣି ପାରୁନି ? 


ଦେଖେ ଅଖି ତୁ ଯଦି ଚାହିଁବୁ ମାସକୁ ମାସ ସୁଦ୍ଧ ପଇସା ମୁଁ ଛାଡ କରି ଦିଅନ୍ତି । ହେଲେ ତୁ ତ ମୋ ସହ କଥା ହେବୁନୁ କିଛି କରିବୁନୁ କେମିତି ହେବ ?  

ହଠାତ୍ ଅକ୍ଷତା ର ହାତକୁ ଧରି ଅଙ୍ଗୁଳିରେ ଚାପି ବିନୋଦା କହିଲା - " ଦିନୁ ଟା ଭଲ ପିଲାଟେ ଯେ, ହେଲେ କଣ ହେବ ? ତୋର କିନ୍ତୁ ଯତ୍ନ ଠିକ୍ ସେ ସେ ନେଇ ପାରିଲାନି ।..... କ'ଣ ମ ଏମିତି ଜାକି ହଉଛୁ କିଏ ଦେଖୁଛି ନା କ'ଣ ? " 


 ସ୍ବାମୀଙ୍କ ପ୍ରିୟ ବନ୍ଧୁ ବିମଲ । ସହଯୋଗ କଲେ ସମବେଦନା ଜଣାଇଲେ ଦୁଃଖରେ ସୁଖରେ ସହଭାଗି ହେଲେ । ତାଙ୍କୁ ସବୁଠୁ ବିଶ୍ବସ୍ତ ମଣିଷଟେ ଭାବି ଯେତେବେଳେ ଅକ୍ଷତା ତାଙ୍କ ଉପରେ ସାମାନ୍ୟ ନିର୍ଭର କରିଲା , ସେତେବେଳେ ବିିିିମଲ ମନ କଥା ଖୋଲି କହିଲା । କହିଦେଲା ସଫା ସଫା ନିର୍ଲ୍ଲଜ ପରି " ମୁଁ ତୁମକୁ ଚାହେଁ ଅକ୍ଷତା ତମେ ମତେ ଖୁସି କର ମୁଁ ସବୁବେଳେ ତମ ପାଖେ ପାଖେ ରହି ତମକୁ ସାହାଯ୍ୟ କରିବି   । 


ଅକ୍ଷତା ଖାଲି ଭାବୁଥିଲା , ସତରେ ଅଭାବ ଟା ମଣିଷକୁ କେତେ ଅସହାୟ କରିଦିଏ ଆଉ ପଇସା ମଣିଷକୁ କରିଦିଏ କେତେ ନିଚ୍ଚ ।


ସ୍ବାମୀ ରୋଗରେ ପଡ଼ି କଙ୍କାଳ ହୋଇ ଶୁଖିବା ଯାଏଁ ଆ ତା ଆଗରେ କାକୁତି ମିନତି ହୋଇ ହାତ ଗୋଡ ଧରି ପେଟ ଟିକୁ ପୋଷି ଆସୁଥିଲା ଅକ୍ଷତା । ଓଳିଏ ଖାଇ ଆଉ ଓଳିଏ ଖାଇବା ସ୍ବାମୀ ପିଲାଙ୍କୁ ଦେଇ ବେଳେ ବେଳେ ରାତି ରାତି ଦିନ ଦିନ ଉପାସରେ ଶୋଉଥିଲା ସେ । ହେଲେ ସ୍ବାମୀ ଆଖି ବୁଜି ଦେଲା ପରେ ତାର ସାହସ ଦମ୍ଭ ଟିକକ ହରେଇ ବସିଲା ଅକ୍ଷତା । ସେ ମଣିଷ ଟି କିଛି ନ କରୁ ବରଂ , ପାଖରେ ରହି ଚାହିଁ ଦେବା ବି କେତେ କଥା , ବୁଢ଼ା ବରଗଛ ପରି ଅଭୟ ଅତୁଟ ଥିଲା ତାପାଇଁ । ତାଙ୍କୁ ଦେଖି ନିଜକୁ ସାନ୍ତ୍ଵନା ଦେଉଥିଲା । ପରିବାରକୁ ଆଗକୁ ଚଳେଇ ନେବାକୁ ଧୈର୍ଯ୍ୟ ପାଉଥିଲା । କିନ୍ତୁ ସେଇ ବରଗଛ ଉପୁଡିବା ସଙ୍ଗେ ସଙ୍ଗେ ନିଜେ ବି ଉପୁଡ଼ି ଯାଇଥିଲା ଜିଁ ଥାଉ ଥାଉ । 


ଏକା ଥିଲେ କିଛି କଥା ନଥିଲା । କୂଅ ପୋଖରୀକୁ ଡେଇଁ ପଡିଥାନ୍ତା ନ ହେଲେ ଲୁଗା ବେକରେ ଗୁଡ଼େଇ ମଠ ବାଡ଼ିରେ ଝୁଲି ଯାଇଥାନ୍ତା । ହେଲେ ପୁଅ ଝିଅ ଦିଇଟା ତା ବେକରେ ଝୁଲୁ ଥିଲେ । ତାଙ୍କୁ କେମିତି ହଟ ହଟା କରିବା ପାଇଁ ଛାଡି ଥାଆନ୍ତା ?


ବହୁତ ସହିଲା , ବହୁତ ନିଜକୁ ସୁରକ୍ଷା ଦେଲା ହେଲେ ପାରିଲାନି ହାରିଗଲା ଏ ଭିଡ଼ ଭିତରେ ।


ପାରିଲାନି ନିଜ ପେଟ ପୋଷି , ସହି ପାରିଲାନି ଛୁଆଙ୍କ ଆଖି ଲୁହ, ପେଟ ଭୋକ , ଛିଣ୍ଡା ଜାମା ଦେଖି ।


ସେ ଜାଣିଥିଲା ସବୁଆଡେ ଲୋଡା ପଡେ ଟଙ୍କା । କିଛି ପ୍ରଲୋଭିତ ମୁହୂର୍ତ୍ତ ପାଇବା ପାଇଁ ଲୋଡା ପଡେ ଲାଞ୍ଚ କିଳାପତି । କିନ୍ତୁ ସେ ଚାକରାଣୀ ହୋଇ ରହିବା ପାଇଁ ବି ସେ ଘର ବାବୁ ଖୋଜିଲେ ଲାଞ୍ଚ । କହିଲେ - ଅନେକ ଆସୁଛନ୍ତି ତତେ କିଏ ପଚାରୁଛି ? 


 ଟଙ୍କା ତ ନଥିଲା ଅକ୍ଷତା ପାଖେ । ଟଙ୍କା ବଦଳରେ ଦେହ ଥିଲା । ବାବୁ କହିଲେ - ତୁ ମୋ ଅଭାବ ପୂରଣ କରିଦେ ମୁଁ ତୋର ଅଭାବ ପୂରଣ କରିଦେବି । ଏଠି ସମସ୍ତଙ୍କର କିଛି ନା କିଛି ଅଭାବ ।


ଦେଇ ଦେଲା ବାବୁଙ୍କୁ ଦେହଟା ଲାଞ୍ଚ ସ୍ବରୂପ । 

କ'ଣ ବା ଲାଭ ଏ ଦେହ ରହିକି ଯଦି ସେ ନିଜ ପୁଅ ଝିଅଙ୍କ ପେଟ ଅପୋଷା ରହିବ । କି ବା ଲାଭ ଏ ଫିକା ଯୌବନକୁ ସାଇତି ରଖି ଯଦି ସେ ପିଲା ମାନଙ୍କୁ ଅଯୋଗ୍ୟ ଅମଣିଷ କରେଇବ । 


ଆଜି ପର୍ଯ୍ୟନ୍ତ ଅକ୍ଷତା ନିଜକୁ କେବେ ମନରେ ବେଶ୍ୟା ସଜେଇନି । ନିଜ ଅଭାବ ପୂରଣ କରିବା ପାଇଁ ନିଜ ଦେହକୁ ସଉଦା କରିଛି ବାସ୍ ।


 ସ୍ବାମୀ ଯେତେବେଳେ ବଞ୍ଚି ଥିଲେ ମୂଲ ଲାଗି ତା ତେଲ ଲୁଣ ସଂସାର କୁ ଖୁବ୍ ଯତ୍ନ ରେ ସେ ଆଗକୁ ଆଗେଇ ନେଉଥିଲା । କିନ୍ତୁ ହଠାତ୍ କୋଉଠି ଥିଲା କେଜାଣି ଏ ପେଟ ଭିତରେ କର୍କଟ ରୋଗଟା ଆକ୍ରମଣ କରି ବସି ଉଈ ହୁଙ୍କା ପରି ଫମ୍ପା କରିଦେଲା ତାକୁ ।


ଜୀବନ କାଳରେ ଯାହା ସଞ୍ଚିଥିଲା ସବୁ ଚାଲିଗଲା ଦେହ ପରୀକ୍ଷା ଆଉ କିଛି ଔଷଧ ରେ । ବନ୍ଧୁ ବାନ୍ଧବ ପ୍ରିୟ ପ୍ରିତି ବା କେତେ ଦିନ ଚାହିଁବେ ଅଭାବି ସଂସାରର ପରିଧି ଭିତରୁ ? 



ଗରିବ ସଂସାରର ଅଭାବିପଣ ଆଉ ଅସହାୟତା ବହୁତ କିଛି କରିପାରେ ମଣିଷକୁ । ମଣିଷ ବି ଅମଣିଷ ବି ଆଉ କାହାକୁ ......। 



Rate this content
Log in

Similar oriya story from Tragedy