STORYMIRROR

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଅବାଟ

ଅବାଟ

2 mins
123

  ଦିନ ଦ୍ୱିପ୍ରହରର ଖରା ବେଶ୍ ତେଜ ହୋଇ ଉଠିଥାଏ |ଘରପାଖ ଛକରେ ବସିଥିଲି ମୁଁ ବନ୍ଦଥିବା ଏକ ଦୋକାନ ପିଣ୍ଡାରେ |ଅନତି ଦୂରରେ ଏକ ଯାତ୍ରୀ ବିଶ୍ରାମଗାର |ଛକଟି ଗାଆଁର ବସ ଷ୍ଟାଣ୍ଡ ହୋଇଥିବାରୁ ସେଠାରେ କିଏ କେମିତି ଟିକେ ବସି ବିଶ୍ରାମ ନିଅନ୍ତି, ଅବା ଖରାବେଳେ ସାହି ପିଲାଏ ବେଳେ ବେଳେ ବସି ତାସ ବି ଖେଳନ୍ତି |ପ୍ରାୟ ବିଶ୍ରାମଗାରଟି ଲୋକମାନଙ୍କ କାମରେ ଲାଗେ |ବାଟୋଇ ଘାଟୋଇ ବି ବେଳେ ବେଳେ ରାତିରେ ସେଠାରେ ରହିଯାଆନ୍ତି, ଯଦି ବସ ଫେଲ ହୋଇ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇ ନପାରନ୍ତି |

   ସେଦିନ କିନ୍ତୁ ଘଟଣା ଭିନ୍ନ ପ୍ରକାର ଥିଲା |ଛକରେ ଥିବା ଏକ ଜଳଖିଆ ଦୋକାନୀ, ଯାହାର ଦୋକାନଟି ଝାଟିମାଟିରେ ତିଆରି ଏବଂ ନଡା ଛପର ଘରଟିଏ |ସେଦିନ ସେ ଘରଟିକୁ ନୂଆ ଛପର କରିବା ପାଇଁ ଯେଉଁ ଲୋକମାନଙ୍କୁ କାର୍ଯ୍ୟରେ ଲଗାଇଥିଲା, ସେମାନଙ୍କୁ ମଦ, ଚିକେନ ଦେବ ବୋଲି ବୋଧେ ସର୍ତ୍ତ କରିଥିଲା ଏଵଂ ସେହି ବିଶ୍ରାମଗାରରେ ସେମାନଙ୍କ ରୋଷେଇ ଚାଲିଥିଲା, ମଦପିଆ ବି ଚାଲୁଥିଲା |

ସେମାନଙ୍କ ଭିତରେ ଅଶାଳୀନ କଥାବାର୍ତ୍ତା ବି ଚାଲୁଥିଲା |ଏଇ କାର୍ଯ୍ୟକ୍ରମ ଭିତରେ ଅନ୍ୟ ଜଣେ ଅପରିଚିତ ଯୁବକ, ଯିଏ କି ବସରେ କେଉଁଠାକୁ ଯିବାପାଇଁ ଆସି ପହଞ୍ଚିଲା, ବସ ଆସିବା ସମୟ ହୋଇ ନଥିବାରୁ ସେ ଟିକେ ବିଶ୍ରାମ ଉଦେଶ୍ୟରେ ସେଇ ବିଶ୍ରାମଗାରକୁ ଗଲା, କିନ୍ତୁ ସେଠାରେ ଯେଉଁମାନେ ମଦପିଇ ରୋଷେଇରେ ମଗ୍ନ ଥିଲେ, ସେମାନେ ସେଠାରୁ ତାକୁ ବାହାର କରିଦେଲେ | ଅଶାଳୀନ ଭାଷା ମଧ୍ୟ ପ୍ରୟୋଗ କଲେ ତା ପ୍ରତି | ବିଚରାଟି ନିରୁପାୟ ହୋଇ ସେ ଘରୁ ବାହାରି ଆସି ମୁଁ ବସିଥିବା ଦୋକାନ ପିଣ୍ଡାକୁ ଚାଲିଆସିଲା |ମୋ ଠାରୁ ଅଳ୍ପ ଦୂରରେ ବସିଲା |ମୁଁ ଅନୁଭବ କରୁଥିଲି, ତା ମନରେ ଅନେକ କ୍ଷୋଭ |

   ମୁଁ ନୀରବରେ ବସିଥିଲି,କିଛି ସମୟ ପରେ ସେ ମୁହଁ ଖୋଲିଲେ, ମୋ ଉଦେଶ୍ୟରେ କହିଲେ, ଦେଖନ୍ତୁ, କି ଯୁଗ ଆସିହେଲା !ଦିନ ଦ୍ବିପ୍ରହରେ ଛକଉପରେ ଏମାନେ ମଦ ପିଉଛନ୍ତି ବସି | ସରକାର ବିଶ୍ରାମଗାରଟି କରିଛନ୍ତି, କିଏ ଟିକେ ବିଶ୍ରାମ ନେବାପାଇଁ | କିନ୍ତୁ ଏମାନେ ତା ଭିତରେ କାଠ ଚୁଲି ଲଗାଇ ରୋଷେଇ କରି ଖୋଲାଟାରେ ବସି ମଦ ପିଉଛନ୍ତି |

   ତାଙ୍କ କଥା ଶୁଣି କିଛି ଉତ୍ତର ଦେଇ ନଥିଲି ମୁଁ, ପୁଣି ସେ କହିଲେ, ସବୁ ସରକାରଙ୍କ ଦୋଷ | ଦେଖୁନ ଗାଆଁ ଗାଆଁରେ ଏବେ ମଦ ଦୋକାନ ସବୁ ଖୋଲିଗଲାଣି, ସରକାର ଅନୁମତି ଦେଉଛନ୍ତି ବୋଲି ସିନା ଏସବୁ ଖୋଲୁଛି, ଦିନେ ଦେଖିବ, ଏ ଦେଶ ସାରା ଲୋକେ ସବୁ ମଦୁଆ ହୋଇଯିବେ |

  ମୁଁ ନୀରବରେ ତାଙ୍କ କଥା ଶୁଣି ନୀରବ ସମର୍ଥନ ଜଣାଇଥିଲି |ମନେ ମନେ ଭାବୁଥିଲି, ଏଇ ପିଢ଼ିର ଯୁବକମାନେ ପ୍ରକୃତରେ ଅବାଟରେ ଆଗେଇ ଚାଲିଛନ୍ତି |ଏମାନଙ୍କୁ ବୁଝାଇବ ବା କିଏ ? ସରକାର ଯେଉଁଠି ଦେଶକୁ ସୁସଂଗଠିତ କରିବା ପରିବର୍ତ୍ତେ ଅଧିକ ଟିକସ ପାଇଁ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଉଛନ୍ତି, ସେଠି ଦେଶର ମଙ୍ଗଳ ଚିନ୍ତା କରିବା ବୃଥା |ଆଗକାଳ ପରି ଆଉ ଆମ ସମାଜ ରହିବନି, ଏବେ ଲୋକଙ୍କ ଭିତରେ ଅଛି ସ୍ନେହ ଶ୍ରଦ୍ଧା ନା ବିଶ୍ୱାସ ?

   ବସ ଆସିଯିବାରୁ ସେ ଉଠିଲେ, ମୁଁ ବି ଉଠିଲି ଆମ ଘରକୁ ଫେରିବାକୁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy