*** ଆଉ ଏକ ଡାକ ମୁନସୀ ***
*** ଆଉ ଏକ ଡାକ ମୁନସୀ ***
ମୁମ୍ବାଇର ଉପାନ୍ତ ଅଞ୍ଚଳ । ଏକ ଚାଲ(ସ୍ବଳ୍ପ ଆୟ ଥିବା ବର୍ଗର ଲୋକମାନେ ଅଳ୍ପ ଭଡାରେ ରହିବା ଘର)ରେ ରହୁଥିଲେ ରାମ ମାଲି । ବିପତ୍ନୀକ ଥିଲେ ସେ । ଗୋଟିଏ ମାତ୍ର ଝିଅ ତାଙ୍କର । ନାଁ ଥିଲା ନିତୁ । ନିତୁକୁ ଚାରି ବର୍ଷ ହୋଇଥିବା ବେଳେ ପତ୍ନୀ ବିମଲାଙ୍କର ଅକସ୍ମାତ ଦୂରାରୋଗ୍ୟ ବ୍ୟାଧିରେ ମୃତ୍ୟୁ ହୁଏ । ଆକାଶଟା ଯେମିତି ଛିଡିପଡେ ରାମଙ୍କ ମୁଣ୍ଡରେ । ଝିଅଟିର ଲାଳନ ପାଳନ ସବୁଠାରୁ ବଡ ଚିନ୍ତାର କାରଣ ହୁଏ । ପଡୋଶୀ ମାନେ ଆଉ ଥରେ ବିବାହ କରିବାକୁ ପ୍ରସ୍ତାବ ଦେଲେ ମଧ୍ୟ ସେ ଗ୍ରହଣ କରି ନଥିଲେ । ମା' ଛେଉଣ୍ଡ ଝିଅଟିକୁ ଉଭୟ ମା'ବାପାଙ୍କ ସ୍ନେହ ଦେଇ ବଢାଇଥିଲେ ରାମ ।
ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇବାକୁ ହେଉଥିଲା ତାଙ୍କୁ । ଝିଅଟିକୁ କେମିତି ବଡ କରିବେ ସେଇ ଚିନ୍ତାରେ ଭାଙ୍ଗି ପଡିଥିବା ସମୟରେ ପଡୋଶୀ ଘରର ଅଳକା ମାଉସୀ ଟିକିଏ ସାହସ ଦେଇଥିଲେ । ଅଟୋ ନେଇ ବାହାରକୁ ଯିବାବେଳେ ନିତୁକୁ ତାଙ୍କରି ପାଖରେ ଛାଡି ଯିବାକୁ କହିଥିଲେ । ଟିକିଏ ସ୍ବସ୍ତିରେ ନିଃଶ୍ବାସ ମାରିଲେ ରାମ ।
ଝିଅଟି ଚନ୍ଦ୍ରକଳା ପରି ବଢିବାକୁ ଲାଗିଲା । ନିକଟବର୍ତ୍ତୀ ସ୍କୁଲରେ ତାର ନାମ ଲେଖାଇ ଦେଲେ ରାମ । ନିତୁ ଖୁବ ଭଲ ପଢୁଥିଲା । ଶିକ୍ଷକ ମହଲରେ ପ୍ରିୟପାତ୍ର ହୋଇଗଲା । ତାକୁ ଆଗକୁ ପଢାଇବାର ପରାମର୍ଶ ଦେଇଥିଲେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ । ତାଙ୍କର ପରାମର୍ଶକୁ ବେଦର ଗାର ଭାବେ ଗ୍ରହଣ କରିଥିଲେ ରାମ । ସ୍କୁଲ ପରେ କଲେଜ ଶିକ୍ଷା ସମାପ୍ତ ହେଲା । ବ୍ୟାଙ୍କରେ ପ୍ରୋବେଶନାରୀ ଅଫିସର ହେବାର ଖୁବ ବଡ ସ୍ବପ୍ନ ଥିଲା ନିତୁର । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମନ ପ୍ରାଣ ଦେଇ ଲାଗି ପଡିଲା ସେ । ଦିନରାତି ପରିଶ୍ରମ କରି ତାର ଦରକାରୀ ବହି ସବୁ ଯୋଗାଇ ଦେଉଥିଲେ ରାମ ।
କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ତ ମିଳିବାଟା ସ୍ବାଭାବିକ । ସମସ୍ତଙ୍କୁ ଚମକାଇ ଦେଇଥିଲା ନିତୁର ରେଜଲ୍ଟ । ପୁରା ଭାରତ ବର୍ଷରେ ତାର ସ୍ଥାନ ଥିଲା ତୃତୀୟରେ । ପିତା ରାମଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଥିଲା । ଆଖପାଖରେ ରହୁଥିବା ସମସ୍ତ ପଡୋଶୀଙ୍କୁ ଖୁସିରେ ମିଠା ବାଣ୍ଟିଥିଲେ ରାମ ।
ଟ୍ରେନିଂ ପାଇଁ ନିତୁ କୁ ଅନ୍ଧେରୀ ଯିବାକୁ ପଡିଲା ପନ୍ଦର ଦିନ ପାଇଁ । ତାପରେ ପୋଷ୍ଟିଂ ହେବାର ଥିଲା ।
ଟ୍ରେନିଂ ସରିବାର କିଛି ଦିନ ଭିତରେ ପୋଷ୍ଟିଂ ଆସିଗଲା ନିଜ ଘର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଷ୍ଟେଟବ୍ୟାଙ୍କରେ । ଭାରି ଖୁସି ବାପ ଝିଅ ଦୁଇଜଣ । ଯାହା ହେଉ ବେଶୀ ଦୂର ଯିବାକୁ ପଡିନି ।
ସୋମବାର ଥାଏ । ସକାଳୁ ଉଠି ଗାଧୁଆ ସାରି ରାମ ନିକଟରେ ଥିବା ଶିବ ମନ୍ଦିରରେ ପୂଜା କରିବାକୁ ଚାଲିଗଲେ । ଝିଅକୁ ଉଠାଇ ନିତ୍ୟକର୍ମ ସାରି ସଜ ହୋଇ ରହିବାକୁ ମଧ୍ୟ କହିଯାଇଥିଲେ । ଅଧଘଣ୍ଟା ପରେ ସେଠାରୁ ଫେରିବା ପରେ ଝିଅକୁ ପ୍ରସାଦ ଦେଇ ନିଜ ଅଟୋରେ ନେଇ ଛାଡିବାକୁ ଚାହିଁବାରୁ ନିତୁ ଅନିଚ୍ଛା ପ୍ରକାଶ କଲା । କହିଲା "ମୁଁ କ୍ୟାବ ବୁକ କରି ଚାଲିଯିବି । ତମେ ବ୍ୟସ୍ତ ହୁଅନି । "
ତାର କଥା ନଶୁଣି ରାମ କହିଲେ - ଆଜି ଅଫିସରେ ତୋର ପ୍ରଥମ ଦିନ । କେତେ ବଡ ବଡ ଲୋକ ଆସିବେ । ତାଙ୍କରି ଗହଣରେ ତୋତେ ଅଭ୍ୟର୍ଥନା ଜଣାହେବ । ତୋତେ ଯେ
ତେବେଳେ ମଞ୍ଚ ଉପରକୁ ନାମ ଧରି ଡାକିବେ ଓ ଫୁଲତୋଡା ଦେବେ ସେତେବେଳେ ମୁଁ ଖୁସିରେ ତାଳି ବଜେଇବି ରେ ମାଆ । ଯା ଯା ଜଲଦି ବାହାରି ପଡ ।
ଠିକ ସମୟରେ ଅଟୋଟି ନିର୍ଦ୍ଦିଷ୍ଟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ସାମନାରେ ପହଞ୍ଚି ଯାଇଥିଲା । ବେଶ କିଛି ଲୋକଙ୍କର ଭିଡ ଜମି ଥାଏ ସେଠାରେ ।
ଅଟୋରୁ ଓଲ୍ହାଇ ନିତୁ କହିଲା - ବାପା,ତୁମେ ଅଟୋକୁ ଏହି ଜାଗାରେ ରଖ । ବାହାରକୁ ବାହାରିବନି । ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି । ଆଜି ଅଫିସରେ ମୋର ପ୍ରଥମ ଦିନ । ମୋ ସହ ବହୁତ ବଡ ବଡିଆ ଲୋକଙ୍କ ପିଲା ଏ ଜାଗାରେ ନିଯୁକ୍ତି ପାଇଛନ୍ତି । ସେ ପିଲାମାନେ ଦାମୀ କାରରେ ନିଜ ବାପାମାଆଙ୍କ ସହିତ ଆସିଥିବେ ନିହାତି । ପରିଚୟ ସମାରୋହ ଧୁମଧାମରେ ହେବ ବୋଲି ଚିଠିରେ ଲେଖାଥିଲା । ସବୁ ସରିଲେ ମୁଁ ଫୋନ କରିଦେବି । ଭୋକ ଲାଗିଲେ କ'ଣ ଟିକିଏ ଖାଇଦେଇ ଅଟୋରେ ବସିଥିବ । ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ ।
- ତୁ ଜମା ବ୍ୟସ୍ତ ହେବୁନିରେ ମାଆ,ତୋ ବୁଢା ବାପା ଏଇ ଜାଗାରେ ଅପେକ୍ଷା କରିଥିବ । ମୋର ଏତେ ବର୍ଷର ତପସ୍ୟା ଆଜି ସଫଳ ହୋଇଛି,ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା ନା!
ସେତିକିବେଳକୁ ନିତା ରାମଙ୍କ ଆଖି ସାମନାରୁ ଅଦୃଶ୍ୟ ହୋଇ ସାରିଥିଲା । ରାମ ସ୍ପଷ୍ଟ ଦେଖି ପାରୁଥିଲେ ନୂତନ କରି କାର୍ଯ୍ୟରେ ଯୋଗଦେବାକୁ ଆସୁଥିବା ପିଲାମାନଙ୍କୁ । ସେମାନଙ୍କ ସହିତ ତାଙ୍କର ଅଭିଭାବକ ମାନେ ମଧ୍ୟ ଭିତରକୁ ଯାଉଥିଲେ ।
ଅଧଘଣ୍ଟା ମଧ୍ୟରେ ପରିଚୟ ସମାରୋହ ଆରମ୍ଭ ହୋଇଥିଲା । ଜଣକ ପରେ ଜଣଙ୍କର ନାମ ଡକା ଯାଉଥିଲା । ଅଭ୍ୟର୍ଥନା ଦେବା ସମୟରେ ସଫଳତା ପଛରେ ଥିବା ବ୍ୟକ୍ତିଙ୍କ ନାମ ପଚରା ଯାଇ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଉଥିଲା । ନିତୁର ନାମ ଡକାଯିବା ସମୟରେ ଅଟୋରେ ବସି ରାମ ଭାବୁଥିଲେ ନିତୁ ଦୌଡି ଆସି ତାଙ୍କୁ ମଞ୍ଚ ଉପରକୁ ଡାକିନେବ । ତାଙ୍କ ଆଶା ଆଶାରେ ରହିଗଲା । ନିତୁକୁ କହିବାର ଶୁଣାଗଲା ଯେ ସେ ଯାହା କରିଛି ନିଜର ପରିଶ୍ରମ ଦ୍ବାରା କରିଛି । ପିତାଙ୍କର ଅସୁସ୍ଥତା ଯୋଗୁଁ ତା ସାଙ୍ଗରେ ସେ ଆସି ପାରି ନାହାଁନ୍ତି ।
ଏସବୁ ଶୁଣି ଛାତି ଫାଟି ଯାଉଥିଲା ରାମଙ୍କର । ଆଗତ ଭବିଷ୍ୟତ ଜଳଜଳ ହୋଇ ଦେଖା ଯାଉଥିଲା ତାଙ୍କୁ । ଯାହାର ହାତ ଧରି ସେ ଚାଲିବା ଶିଖେଇଥିଲେ ସେ ଆଜି ତାଙ୍କୁ ଅଲୋଡ଼ା କରିଦେଲା । ଦୁଃଖରେ ମ୍ରିୟମାଣ ହୋଇ ସେଠାରୁ ଚାଲି ଆସିବାକୁ ଶ୍ରେୟସ୍କର ମନେକଲେ ।
ସନ୍ଧ୍ୟା ସମୟ । ନିତୁ ରାଗରେ ଘରେ ପଶୁ ପଶୁ ରାମଙ୍କୁ ତଳେ ମୁହଁ ମାଡି ପଡିଥିବାର ଦେଖିଲା । ହଲାଇଵାରୁ କୌଣସି ଲାଭ ହେଲାନି । ହାତରେ ଜାବୁଡ଼ିଧରିଥିବା ନିତୁର ଛୋଟ ବେଳର ଫଟୋଟି ତଳେ ପଡିଗଲା । ତା ସହିତ ପଡିଗଲା ଏକ ଛୋଟ କାଗଜ । ସେଥିରେ ଲେଖାଥିଲା - "ମାଆ ନିତୁ ମୋର କାମ ଏବେ ଶେଷ ହୋଇଗଲା । ଏଥର ତୁ ନିଜେ ନିଜକୁ ସମ୍ଭାଳି ନେବୁ । ଏ ମଳିମୁଣ୍ଡିଆ ବାପାଟିର ପରିଚୟ ଦେବାର ଆଉ କେବେ ଦରକାର ହେବନି । ଭଗବାନ ତତେ କୋଟି ପରମାୟୁ ଦିଅନ୍ତୁ । "
ନିତୁ ଆଖିରୁ ପଶ୍ଚାତାପର ଅଶ୍ରୁ ବହି ଚାଲିଥିଲା ।
...
ଅରବିନ୍ଦ ରଥ ଦ୍ବାରା ପ୍ରଦତ୍ତ