STORYMIRROR

Kalyani Nanda

Tragedy

3  

Kalyani Nanda

Tragedy

ଆତ୍ମାର ମିଳନ

ଆତ୍ମାର ମିଳନ

4 mins
462


ସକାଳର ସୁଲୁସୁଲିଆ ପବନରେ ଦୋହଲୁ ଥିବା ସୋରିଷ ଖେତ କଡରେ ଛିଡା ହୋଇ ମନପ୍ରୀତ ମୁଗ୍ଧ ହୋଇ ହଳଦିଆ ସୋରିଷ ଖେତ ଆଡେ ଅନାଇ ରହିଥାଏ । ପକ୍ଷୀମାନଙ୍କର ଚିଁ ଚାଁ ଶବ୍ଦରେ ଚତୁର୍ଦ୍ଦିଗ କୋଳାହଳ ମୟ ହୋଇ ଉଠୁଥାଏ । ମନପ୍ରୀତ ସବୁଦିନ ସକାଳେ ଏଇ ଖେତ ଆଡୁ ଦି ଘେରା ବୁଲି ଦେଇଯାଏ । କ୍ଷେତ ପାଖରେ ଛିଡା ହୋଇ ମନପ୍ରୀତ ଦେଖିଲା ଦୂରରୁ ବିଲ ହୁଡା ଦେଇ କେହି ଜଣେ ତାଙ୍କ ଗାଁ ଆଡେ ଆସୁଛି । ପାଖକୁ ଆସିବାରୁ ଜାଣି ପାରିଲା , ତାଙ୍କ ପଡୋଶୀ ସୁଖବୀର ଚାଚାଙ୍କ ପୁଅ କୁଲଜିତ । ଆର୍ମିରେ କାମ କରେ । ଛୁଟି ନେଇ ଘରକୁ ଆସିଛି ବୋଧେ । କୁଲଜିତ ଓ ମନପ୍ରୀତ ଛୁଆ ବେଳର ସାଂଗ । ଛୋଟବେଳୁ ଦୁଇଜଣଙ୍କ ଭିତରେ ବନ୍ଧୁତା ଥିଲା । ବଡ ହେଲା ପରେ ସେମାନଙ୍କର ଛୋଟ ବେଳର ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇ ଯାଇଥିଲା । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ଦୁଇଜଣଙ୍କର ପରିବାର ସେମାନଙ୍କର ବାହାଘର ଠିକ କରିଦେଇଥିଲେ । ମନପ୍ରୀତକୁ କ୍ଷେତ ପାଖରେ ଦେଖି କୁଲଜିତ ପଚାରିଲା , " ଏଠି ଏତେ ସକାଳୁ କଣ କରୁଛୁ ? ମୁଁ ଆସିବି ବୋଲି ମୋ ବାଟ ଦେଖୁଥିଲୁ କି ? " ପ୍ରକୃତରେ ମନପ୍ରୀତ କୁଲଜିତକୁ ଦେଖି ମନେ ମନେ ବହୁତ ଖୁସି ହୋଇଥିଲା କିନ୍ତୁ ଅଳ୍ପ ହସି କହିଲା, " ନା ମୁଁ କାଇଁ ତୋ ବାଟ ଚାହିଁ ବସିବି ଯେ ?ମୁଁ ତ ସବୁଦିନ ସକାଳୁ ଏଠାକୁ ଆସେ । ଆଜି ବି ଆସିଥିଲି ।" " ହଉ , ଚାଲ ଯିବା । " କୁଲଜିତ ସାଂଗରେ ମନପ୍ରୀତ ଘରକୁ ଫେରିଲା । ଘରକୁ ପହଞ୍ଚିବା ଯାଏ ଦୁଇଜଣଙ୍କର କଥା ସରୁ ନ ଥାଏ । ଦୁଇଜଣ ବହୁତ ଖୁସି ଥିଲେ କାରଣ ଏଥର ତାଙ୍କ ବାହାଘର କରିଦେବାର ନିଷ୍ପତ୍ତି ଦୁଇ ପରିବାର ନେଇ ସାରିଥିଲେ । କୁଲଜିତକୁ ଦେଖି ସମସ୍ତେ ବହୁତ ଉତ୍ସାହର ସହିତ ବାହାଘର ଆୟୋଜନରେ ଲାଗିପଡିଲେ। କୁଲଜିତ ମାତ୍ର ଆଠ ଦିନ ଛୁଟି ନେଇ ଆସିଥିଲା । କମ ସମୟ ପାଇଁ ଆସିଥିଲେ ବି ଦୁଇ ପରିବାର ଯେମିତି ହେଉ ବାହାଘର ସାରି ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । କାରଣ ଆର୍ମିର ଜବାନ ମାନଙ୍କର କିଛି ଠିକ ନ ଥାଏ । ଥରେ ଘରକୁ ଆସି ଗଲେ ପୁଣି କେବେ ଆସିବେ କିଛି ଠିକ ନ ଥାଏ । ତେଣୁ କୁଲଜିତର ବାବା, ମାଁ ମନପ୍ରୀତକୁ ଶୀଘ୍ର ନିଜ ଘରକୁ ବୋହୂ କରି ଆଣିବା ପାଇଁ ବ୍ଯସ୍ତ ହୋଇ ପଡିଥିଲେ । କିନ୍ତୁ ବିଧିର ବିଧାନ ଗୋଟିଏ ପଟେ ତ ମଣିଷ ଆଉ ଗୋଟିଏ ପଟେ ।


           ବାହାଘର ପାଇଁ ଦୁଇ ଘରର ଜୋରସୋରରେ ପ୍ରସ୍ତୁତି ଚାଲିଥିଲା ବେଳେ ହଠାତ୍ କୁଲଜିତକୁ ଡାକରା ଆସିଲା ଛୁଟି cancel କରି ଫେରିଯିବାକୁ । ବର୍ଡର କୁ ଯାଇ ଯୁଦ୍ଧ ପ୍ରସ୍ତୁତି ପାଇଁ କୁଲଜିତକୁ ବାଧ୍ଯ ହୋଇ ଫେରିବାକୁ ପଡିଲା । କିନ୍ତୁ କଥା ଦେଇଗଲା , ଯୁଦ୍ଧ ସରିବା କ୍ଷଣି ସେ ଆସି ମନପ୍ରୀତକୁ ବାହା ହୋଇ ନିଜ ସାଂଗରେ ନେଇକି ଯିବ । ମନପ୍ରୀତ ମନଦୁଃଖରେ କୁଲଜିତକୁ ବିଦାୟ ଦେଲା । ଦୁଇ ପରିବାରରେ ଯେଉଁ ଉତ୍ସାହ, ଖୁସି କିଛି ସମୟ ଆଗରୁ ଥିଲା , ସବୁ କିଛି କ୍ଷଣିକ ମଧ୍ଯରେ ନିରାଶାର ବାଦଲରେ ଢାଙ୍କି ହୋଇଗଲା । ମନପ୍ରୀତକୁ କଥା ଦେଇ କୁଲଜିତ ଫେରିଗଲା ମାଟି ମାଁ ର ସେବା କରିବାକୁ । କିନ୍ତୁ କୁଲଜିତ ଆଉ ଫେରି ପାରିଲାନି। ମାତୃଭୂମିର ରକ୍ଷା ପାଇଁ ଶହୀଦ ହୋଇଗଲା। କଥା ଦେଇ କଥା ରଖିପାରିଲା । ମନପ୍ରୀତ କିନ୍ତୁ ବିଶ୍ବାସ କରି ପାରୁ ନଥାଏ , କୁଲଜିତ ଆଉ ନାହିଁ, ସେ ଫେରିବନି । ଆଖିରେ ଲୁହ ନ ଥାଏ ତାର ବରଂ ଅବିଶ୍ବାସର ଛାୟା ଥାଏ । ସବୁବେଳେ କହୁଥାଏ, କୁଲଜିତ ଆସିବ ! ନିଶ୍ଚୟ ଆସିବ। ତାକୁ କଥା ଦେଇଛି ସେ ଫେରିଆସିବ । କୁଲଜିତ ବାବା, ମାଁ ପୁତ୍ର ବିୟୋଗର ଦୁଃଖ ସହିତ ପାରୁ ନ ଥାନ୍ତି ।


           ମନପ୍ରୀତ ହଠାତ ଘରକୁ ଯାଇ ବାହାଘରର ନାଲି ଲେହେଙ୍ଗା , ନାଲି ଚୁଡି ସବୁ ପିନ୍ଧି ଆସି କୁଲଜିତର ମାଁ ଙ୍କୁ ପାଗଳୀ ପରି କହୁଥାଏ, ସେ ଯେ କୁଲଜିତର ବିବାହିତା । ତା ପ୍ରିୟର ଲହୁ ଭିଜା ମାଟିର ସିନ୍ଦୂର ତା ସିନ୍ଥିରେ ନାଇଛି । ତା ବଧୂବେଶ ଦେଖି କୁଲଜିତର ମାଁ ତାକୁ କୁଣ୍ଢାଇ ଧରି କାନ୍ଦି କାନ୍ଦି କହୁଥାନ୍ତି, " କାହାପାଇଁ ତୋର ଏଇ ବୋହୂ ବେଶ ? ଯାହା ପାଇଁ ସାଜିଛୁ ସେ ତ ଆଉ ଫେରିବନି ।" ତାଙ୍କ କଥା ଶୁଣି ମନପ୍ରୀତ କହୁଥାଏ, " କିଏ କହିଲା , କୁଲଜିତ ଆସିବନି ? ସେ ମୋତେ କଥା ଦେଇଛି। ସେ ଆସିବ ।ମୋତେ ଏଇ ବେଶରେ ଦେଖି ବହୁତ ଖୁସି ହେବ । ମୋତେ ସାଂଗରେ ନେଇକି ଯିବ ।" ଏତିକି ବେଳେ କୁଲଜିତର ମର ଶରୀର ନେଇ କେତେଜଣ ଜବାନ ସେଠାରେ ପହଞ୍ଚିଲେ । ସେମାନଙ୍କୁ ଦେଖି କୁଲଜିତ ସେମାନଙ୍କ ଆଡକୁ ଦୌଡି ଗଲା । ମନପ୍ରୀତର ମାଁ ତାକୁ ଯାଇ କୁଣ୍ଢାଇ ଧରିଲେ । ସେ କିନ୍ତୁ କହୁଥାଏ , " ମାଁ ଦେଖ ,କୁଲଜିତ ଆସିଛି । ମୋତେ ନେଇକି ଯିବ ।" ତା ମାଁ ଜୋରରେ କାନ୍ଦି ଉଠି ତାକୁ ଜୋରରେ ଜଡାଇ ଧରିଲେ । ମନପ୍ରୀତ ଏକ ଲୟରେ କୁଲଜିତର ଶରୀରକୁ ଦେଖୁଥାଏ । ଧୀରେ ଧୀରେ କହୁଥାଏ, " କୁଲଜିତ ତୁମେ ଆସିଛ । ମୁଁ ଜାଣିଥିଲି ତୁମେ ମୋତେ ମିଛ କହିବନି । ତୁମ ପାଇଁ ଦେଖ ମୁଁ ସିନ୍ଦୂର ନାଇଁ ଛି, ବାହାଘର ଜୋତା ପିନ୍ଧିଛି । ତୁମ ଅପେକ୍ଷାରେ ମୁଁ ଥିଲି କେତେବେଳେ ତୁମେ ଆସିବ, ମୋତେ ତୁମ ସାଥିରେ ନେଇ ଯିବ । ତୁମ ହାତ ଧରି ମୁଁ ତୁମ ଘରକୁ ବୋହୂ ହୋଇଯିବ ଯିବ । ଆଉ ଡେରି କରନି... ! "ଧିରେ ଧିରେ ମନପ୍ରୀତର ସ୍ବର କ୍ଷୀଣ ହେଇଯାଉଥାଏ । ତା ଅଷାଢ ଶରୀର ତା ମାଁ କୋଳରେ ଝୁଲି ପଡିଥାଏ । କିନ୍ତୁ ଆଖି ଦୁଇଟି କୁଲଜିତର ମର ଶରୀର ଆଡେ ସ୍ଥିର ହୋଇ ରହିଥାଏ । ଦୁଇ ଆତ୍ମାର ମିଳନ ବୋଧେ ସେଇ ପରଲୋକର ହୋଇଯାଇଥାଏ । ସେ ଦୁଇ ପ୍ରେମୀ ଯୁଗଳର ଦୁଇ ଶାଶ୍ବତ ଆତ୍ମା ହାତ ଧରାଧରି ହୋଇ , ହସି ହସି ଆଉ ଏକ ସୁନ୍ଦର ସଂସାର ଗଢିବାକୁ ସାଥୀ ହୋଇ ଚାଲିଗଲେ । ଗାଁ ଟା ସାରା ଏଇ ଦୁଃଖଦ ଘଟଣାରେ ସ୍ତବ୍ଧ ହୋଇଯାଇଥାଏ । ସଭିଁଙ୍କ ଆଖିରୁ ଲୁହ ଝରୁଥାଏ ।



Rate this content
Log in

Similar oriya story from Tragedy