Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

puspanjali das

Tragedy

3.9  

puspanjali das

Tragedy

ଆତ୍ମ ପ୍ରତ୍ୟୟ

ଆତ୍ମ ପ୍ରତ୍ୟୟ

7 mins
227



   ପଦ୍ମା ସେଦିନ ନିଜର ଛୋଟିଆ ଷ୍ଟଡିରୁମଟିକୁ ଚାଲିଆସି, ଝରକା ପାଖରେ ପଡିଥିବା ଚେୟାରଟିରେ ଲଥ୍ କରି ବସି ପଡିଥିଲା । ନାମକୁ ମାତ୍ର ଷ୍ଟଡିରୁମ୍ ଥିଲା, ଗତ କିଛି ବର୍ଷ ଭିତରେ, ଘରର ଅନାବଶ୍ୟକ ଜିନିଷରେ ଭର୍ତ୍ତି ପୁରା ଷ୍ଟୋର ରୁମ୍ ପାଲଟି ଯାଇଥିଲା । ହେଲେ ସେଇ ଅଣ ଓଷାରିଆ ବଖରାଟି ଯେମିତି ତାଙ୍କର ଅତି ଆପଣାର ଥିଲା ! ସେଇଠି କିଛି ସମୟ ବସିପଡିଲେ ସତେ ଯେମିତି ତାଙ୍କର ସବୁ କ୍ଳାନ୍ତି ଚାଲିଯାଏ ! ଛୋଟ ଝରକାଟିରେ ବାହାର ଦୁନିଆଟା ଖୁବ୍ ସ୍ପଷ୍ଟ ହୋଇଯାଏ । ଘର ପଛ ପଟଟିର ଗଛଗୁଡିକ ସାଙ୍ଗକୁ ଛୋଟ ଚଉତରାଟି ଓ ପାଖକୁ ଲାଗି ସରୁ ବାଟଚଲା ରାସ୍ତାଟି ମଧ୍ୟ ଭାରୀ ଆପଣାର ଲାଗେ । ଆଉ ସେଇଠି ଥିବା ବରଗଛ ମୂଳଟି ଯେମିତି ଅନେକ ବାଟଚଲା ପଥିକଙ୍କ ଆଶ୍ରୟସ୍ଥଳୀ ହେବା ସଙ୍ଗେ ସଙ୍ଗେ ତା'ର କାହାଣୀର ପାତ୍ରଟିଏ ମାନ ପାଲଟି ଯାଆନ୍ତି ! କେତେବେଳେ ଚଣା ବିକ୍ରି କରୁଥିବା ବୁଢାଟି ଥକ୍କା ମେଣ୍ଟାଇ ଥାଏ ତ କେତେବେଳେ ମୁଢିବାଲା, ପୁଣି କେତେବେଳେ ହରେକ ମାଲ ବିକୁଥିବା ମଣିଷଟିକୁ ଆଶ୍ରା ଟିକିଏ ମିଳିଥାଏ । ହେଲେ, 'ପଦି' ଓ ତା' ପିଜୁଳିଡାଲାର ଯେମିତି ନିତିଦିନିଆ ଆଶ୍ରୟ ସ୍ଥଳ ହୋଇଯାଇଥିଲା ! ସେଇ ଜାଗାଟି ଯେମିତି ସବୁଦିନ ତା କୁଇ ଅନେଇଥାଏ ଧୂପ ଖରାଟାରେ ଆଶ୍ରା ଟିକେ ଦେବାକୁ ! ଦିନ ସାଢେ ଏଗାର ଟାରୁ ବାରଟା ଭିତରେ ପଦ୍ମା ନିତି ତାକୁ ସେଇ ଯାଗାଟିରେ ଝାଳନାଳ ହୋଇ ବସିବାର ଦେଖନ୍ତି, ଆଉ କେବେ କେବେ ପଛପଟର ସେଇ ଛୋଟ ଗେଟଟି ପାଖକୁ ମଧ୍ୟ ଉଠିଯାନ୍ତି କିଛି ପାଚିଲା ପିଜୁଳି କି କୋଳି କିଣିବାକୁ । ସେତିକିବେଳେ ପଦେ ଦୁଇପଦ କଥା ମଧ୍ୟ ପଦି କହି ପକାଉ ପକାଉ କେତେ କଥା ଗପି ଦିଏ । ଵେଳେ ବେଳେ ଭଲ ଅଧକଞ୍ଚା ପିଜୁଳି ତାଙ୍କ ପାଇଁ ମଧ୍ୟ ଡାଲାର ଗୋଟିଏ କଡରେ କନା ଖଣ୍ଡକରେ ଘୋଡାଇ ରଖିଦେଇ ଥାଏ, ତାଙ୍କୁ ପୁରା ପାଚିଲା ପିଜୁଳି ଭଲ ଲାଗେନି ଜାଣିଲା ଦିନରୁ, ଆଉ ପଦିର ଏ ସ୍ନେହ ଟିକକ ଯଦିଓ ପଦ୍ମାଙ୍କୁ ଭଲ ଲାଗେ, ହେଲେ ସବୁଦିନେ ରଖି ପାରୁନଥିବାରୁ ତାକୁ ବାରଣ ମଧ୍ୟ କରନ୍ତି । ସବୁ ଥରକ କିନ୍ତୁ ପଦି ହସିଦେଇ କହିଦିଏ-ହଉ ମା, ନ ନିଅ, ମୁଁ ଆର ଓଳିକୁ ସିଆଡେ ବିକି ଦେବି ଯେ ! ପଦ୍ମା କିନ୍ତୁ ଜାଣନ୍ତି, ସିଏ ଏଇ ବାଟ ଛଡା, କୁଆଡେ ଆଉ ଯାଏନି ବିକିବାକୁ ! 

   ସେଦିନ ବି ପଦ୍ମାଙ୍କର ଆଖି ବାରମ୍ବାର ଚାଲି ଯାଉଥିଲା ସେଇ ଗଛ ମୂଳଟିକୁ, ଆଉ, ଗତ କିଛିଦିନ ପରି ପଦିକୁ ସେଠି ନ ଦେଖି ନିରାଶ ମଧ୍ୟ ହୋଇ ଯାଉଥିଲା । ଅନେକ ପ୍ରଶ୍ନ ଘେରରେ ଯେମିତି ଛନ୍ଦି ହୋଇ ପଡୁଥିଲେ ! କରୋନା ମହାମାରୀର ଡରଟା ଘେରି ପକାଉଥିଲା । କିଛି ଗୋଟାଏ ଅଘଟଣର ଭୟଟା ତାଙ୍କୁ 'ପଦି'ର ତାଙ୍କ ସହିତ ସମ୍ପର୍କର ଗଭୀରତାକୁ ଯେମିତି ଜଣାଇଦେଉଥିଲା ! ଖାତା କଲମଟି ସେମିତି ଟେବୁଲ ଉପରେ ଖୋଲା ରହିଯାଇଥିଲା, ଅଧଲେଖା କବିତାଟିକୁ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରି ମଧ୍ୟ ପାରୁନଥିଲେ ! 

  ହଠାତ ପଛପଟ ଗେଟଟି ଖୋଲିବାର ଶବ୍ଦରେ ଭାବନା ରାଜ୍ୟରୁ ବାହାରି ଆସିଥିଲେ । ପଦିକୁ ତର ତର ହୋଇ ଭଙ୍ଗା ଛତାଟିଏ ଧରି ଛୋଟ ଗେଟଟି ଖୋଲି ଭିତରକୁ ଆସିବାର ଦେଖିପାରି, ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏତେଜୋରରେ ହେଉଥିବା ଖରାଟା ଯେ କେତେବେଳେ ତାର ରୂପ ବଦଳାଇ ସାରିଥିଲା, ଜାଣିପାରିନଥିଲେ ! ବଡ଼ ବଡ଼ ଟୋପାର ବର୍ଷାରେ ସରୁ ପାଦ ଚଲା ରାସ୍ତାଟିରେ ପାଦେ ପାଦେ ପାଣି ମଧ୍ୟ ହୋଇ ସାରିଥିଲା, ଆଉ ପଦିର ବର୍ଷାଭିଜା ପତଳା ଦେହ ଖଣ୍ଡିକ ଯେମିତି ପୁରୁଣା ସୂତା ଲୁଗାଟିରେ ପୁରାପୁରି ଆବୃତ ହେବାକୁ ପ୍ରାଣପଣେ ଚେଷ୍ଟା କରୁଥିଲା ! ଗତ କିଛି ବର୍ଷ ହେବ ଯଦିଓ ପଦି ନିୟମିତ ପିଜୁଳି ଓ କୋଳି ଡାଲାଟି ଧରି ଆସୁଥିଲା, ସେଇ ଗେଟ ବାହାର ଗଛମୂଳଟିରେ ବସିପଡି ଥକ୍କା ମେଣ୍ଟାଇବା ସାଙ୍ଗରେ ତା'ର କିଣାବିକା ମଧ୍ୟ କରି ଦେଉଥିଲା, କେବେହେଲେ ଭିତରକୁ ଆସିବାକୁ ତାକୁ ପଡିନଥିଲା, କି ପଦ୍ମା ମଧ୍ୟ ତାକୁ କୌଣସି କାରଣରୁ ଭିତରକୁ ଡାକି ନ ଥିଲେ ! 

  ପଦ୍ମା ଆଉ ନିଜର ଛୋଟିଆ କକ୍ଷଟି ଭିତରେ ନିଜକୁ ଅଟକାଇ ରଖି ପାରିନଥିଲେ, ପାଦ ଦୁଇଟି ତାଙ୍କର ମନକୁ ମନ ଯେମିତି ଶରୀରଟାକୁ ବାହାରକୁ ଘୋଷାଡି ନେଇଥିଲା ! ପଦିର ଆଖି ତାଙ୍କ ଉପରେ ପଡି ଯିବା କ୍ଷଣି, 'ଆଖିରେ ତାର ଚମକ ଖେଳି ଯାଇଥିଲା ! ବାଡ଼ି ପଟର ସେଡ୍ ତଳେ ଥିବା ସିମେଣ୍ଟ ବେଞ୍ଚଟିରେ ଲଥ୍ କରି ବସିପଡିଥିଲା, ଆଉ ତାଙ୍କୁ ବର୍ଷାରେ ଆସିବାକୁ ବାରଣ କରି ଜୋରରେ କହି ପକାଇଲା–ମା, ମୁଁ ଟିକିଏ ଏଇଠି ବସୁଛି, ସେ ଗଛମୂଳେ ପୁରା ଓଦା ହୋଇ ଯାଉଛି । ବର୍ଷା ଛାଡ଼ିଗଲେ ଚାଲିଯିବି । ଏ ଅଲକ୍ଷଣା ଛତାଟା ଏତିକି ବେଳକୁ ପବନରେ ଭାଙ୍ଗିଗଲା । ତେମେ ଆସନି ଏଣେ, ଓଦା ହୋଇଯିବ । ପଦିର ଅତ୍ମୀୟତା ପୂର୍ଣ୍ଣ କଥା ପଦକରେ ଯଦିଓ ତାଙ୍କର ପାଦ ଯୋଡିକ କ୍ଷଣକ ପାଇଁ ଅଟକି ଯାଇଥିଲା, ହେଲେ ମନ ଭିତରେ ଉଠୁଥିବା ଅନେକ ପ୍ରଶ୍ନ ଯେମିତି ଟାଣି ନେଇଥିଲା ପଦି ପାଖକୁ । ଅଳ୍ପ କେଇପାଦ ମୁଣ୍ଡରେ ନିଜ ଲୁଗାକାନି ଖଣ୍ଡକ ପକାଇ ଚାଲିଯାଇଥିଲେ ସେଡ୍ ତଳକୁ । କିଛି ପଚାରିବା ପୂର୍ବରୁ ପଦି କହିପକାଇଥିଲା-ତେମେ ବି ମା, କଥା ମାନିଲନି ! 

  ପଦ୍ମା ସେଇ ସିମେଣ୍ଟ ବେଞ୍ଚଟିରେ ପଦି ଠାରୁ ସାମାନ୍ୟ ଦୂରରେ ବସିପଡି ତାକୁ ପଚାରି ଦେଇଥିଲେ--ଆଲୋ, ଏତେ ଦିନ କୁଆଡେ ଥିଲୁ ? ସଟ୍ ଡାଉନ୍ ତ ଜମାରୁ ଦୁଇ ଦିନ, ତୁ ଏତେ ଦିନ କଣ କିଛି ବିକୁ ନ ଥିଲୁ ? ନାଁ, ଆଉ କୋଉ ଆଡେ ଏବେ ତୋ ବେପାର କରିଲୁଣି ? ପଦି ସାମାନ୍ୟ ହସି ଦେଇ କହିପକାଇଲା-ନାଇଁ ମା, କୁଆଡେ ଆଉ ଯିବି ? ଏଇ ବାଟରେ ତ ମୋ ଦିହକ କଟିଲା ! ତେମେ ଏଠି ଘର କରିବା ଆଗରୁ ପା ମୁଁ ଏଇଠି କୋଳି ବିକୁଛି ! ଆଗେ ଖାଲି କୋଳି ବିକୁଥିଲି, ଏଇ କେତେ ବରଷ ହେବ ପିଜୁଳି ମୋ ବାଡ଼ିରେ ବହୁତ ହେଲାରୁ, ତା 'ସାଙ୍ଗରେ ନେଇ ଆସୁଛି । କୋଳି ଆଣିବାକୁ ପଠାକୁ ଯଦି କେବେ ଯାଇ ପାରୁନି, ତେବେ ଖାଲି ଏଇ ପିଜୁଳି ବିକି କି ବି ଦି ପଇସା ହେଇ ଯାଉଛି, ଚଳି ଯାଉଛି । ମୋ ବାଡ଼ି ପିଜୁଳି ବି ଭଲ ବିକିରି ହଉଛି ମା, ଏଠିକା ଲୋକ ସବୁ ବି ଖୋଜୁଛନ୍ତି । ଏଇ କେତେ ଦିନ ହେବ ମୋ ବୁଢାର ଦିହଟା ଟିକିଏ ଭଲ ନ ଥିଲା, ତାକୁ ଏକଲା ଛାଡିକି ଆଉ ଆଇପାରିଲିନି ! ଏମିତିରେ ତ ଫି ଦିନ ତା'କାମ ସବୁ ସାରିକି ଆସେ, ବିକିକି ଗଲେ ତାକୁ ଖୋଇଦିଏ, ତା'ପରେ ମୁଁ ଖାଇକି ଆଉ ସବୁ ଘର ପାଇଟି କରେ । ହେଲେ, ଜର ହେଇକି, ଆଉ ଆଖି ଖୋଲୁ ନ ଥିଲା । ମୁଁ ତ ଭାବିଲି ଏଇ କରୋନା, ଫରୋନା ହେଲାଣି କି କଣ ! ପାଖ ପଡିଶା କହିଲେ, ନେଇଯା ଡାକ୍ତରଖାନା, ଏଠି ରଖେନି, ହେଲେ ତା'ଅଳପ ଅଳପ ଖୋଲୁଥିବା ଆଖି ଦୁଇଟାକୁ ଚାହିଁ ଦେଲାରୁ, ମୋର ମନ ଜମାରୁ ଡାକିଲାନି ଡାକ୍ତର ଖାନା ନବାକୁ । ସେଇଠି କୁଆଡେ ମରିଗଲେ ମଣିଷ, ନିଜ ଲୋକକୁ ବି ମଡା ଦେଉ ନାହାନ୍ତି ! ଏ ଅଲକ୍ଷଣା ରୋଗ କୁଆଡେ ଡେଇଁ ପଡିବ ! କାହା କଥା ଶୁଣିଲିନି, ସିଙ୍ଗଡ଼ା ହାର ଫୁଲ ଗଛର ପତର ବାଟିକି ଖୋଇଦେଲି, ଢେର ସେବା ଶୁଶ୍ରୁଷା କଲି, ପୁଣି ଆଗ ଭଳି ଚେଙ୍ଗା ହେଇଗଲା ! 

   ନିଜ ଓଦା ଲୁଗାକୁ ସଜାଡୁ ସଜାଡୁ ପଦି ପୁଣି ଏକା ନିଃଶ୍ଵାସେ କହିଚାଲିଥିଲା-ଠାକୁରଙ୍କୁ କେତେ ଡାକିଥିଲି -'ଖାଲି ଏଇ ରୋଗଟା ଚାଲିଯାଉ, ପଛେ ମୋ ବୁଢାକୁ ନେଇଯିବ', ତା'ପରେ ମତେ ନେଇଯିବ । ଏଇ ପଦକ କହିଦେଇ ପଦି ସାମାନ୍ୟ ରହି ଯାଇଥିଲା, ଆଉ ଧିରେ କରି କହିପକାଇଲା-ଠାକୁରେ ତ ଶୁଣିଲେ, ମୋ ବୁଢାକୁ ଭଲ କରିଦେଲେ, ହେଲେ ତାକୁ ଆଗ ନେବେ କି ନାହିଁ, ଜାଣିନି । ଡାକୁଛି ତ ଫି ଦିନ, କଣ ଏ କପାଳରେ ଅଛି କେଜାଣି ! ପଦିର ଏପରି କଥାରେ ଚମକି ପଡ଼ିଥିଲେ ପଦ୍ମା, ଆଶ୍ଚର୍ଯ୍ୟ ହୋଇ ତାକୁ କିଛି ସମୟ ଅନେଇ, କହିପକାଇଲେ-ଆଲୋ, ଏମିତି କଣ କହୁଛୁ ? ତୋ ଆଗରେ ତୋ ବୁଢାକୁ ନେଇ ଯାଆନ୍ତୁ ବୋଲି ଠାକୁରଙ୍କୁ କେମିତି ଡାକୁଛୁ ? ତୁ କଣ ତୋ ବୁଢାକୁ ଜମା ଭଲ ପାଉ ନା?

 ଦୀର୍ଘ ନିଶ୍ଵାସଟିଏ ମାରି ପଦି କହିପକାଇଲା-ନାଇଁ ମା, ବହୁତ ଭଲ ପାଏ ବୋଲି ଏମିତି କହୁଛି । କେଇ ବରଷ ହେଲା ବିଛଣାରେ ମୋ ବୁଢା ପଡିଛି, ହାତ ଗୋଡ ଚଳୁନି । ମତେ ଚିହ୍ନି ପାରୁନି ! ମୋ ଛଡା ଆଉ କିଏ ତାର ଅଛି କହିଲ ମା ? ପୁଅ ତ ଜନମ କରିନୁ । ଯାହାକୁ ପାଳି ଆଣିଥିଲୁ, ବାହା ହୋଇ ମାଇପକୁ ନେଇ ପଳାଇଲା, ବୁଢା ବିଛଣାରେ ପଡିଲା ଦିନଠୁ । ମୋ ଦିହରେ ବି ଆଉ ବେଶି ବଳ ପାଉନି । ମୁଁ ମରିଗଲେ, କିଏ ତା'କଥା ବୁଝିବ କହିଲ ମା ? କେତେ ହୀନିମାନ ହେବ ! ସାମାନ୍ୟ ରହି ଯାଇ ପୁଣି କହିଚାଲିଲା-ମତେ ଚିହ୍ନୁ କି ନ ଚିହ୍ନୁ, ତା' ପାଖରେ ଘଣ୍ଟାଏ ବସିପଡିଲେ, ମୋର ସବୁ ହାଲିଆ ଚାଲିଯାଏ, ତା' ଦିହରେ ଟିକେ ହାତ ବୁଲାଇ ଆଣିଲେ, ମୋ ଦିହରେ ସିଂହର ବଳ ପଶି ଯାଏ । ହେଲେ, ମୁଁ ଆଉ ପାରୁନି ମା, ମୁଁ ଥାଉ ଥାଉ ସିଏ ଚାଲିଗଲେ, ମୁଁ ବି ଟିକେ ଆରପାରିରେ ଶାନ୍ତିରେ ରହିପାରିବି । ଏବେ ଯୋଉ ଡରି ଡରି ଏଇ ଅଲକ୍ଷଣା ରୋଗକୁ ରହୁଛି, ମୋ ନିଜ ପାଇଁ ଡରିବାଟା ଭାରି କଷ୍ଟ ଲାଗୁଛି ମା । ମୋର କଣ ହେଇଗଲେ, ମୋ ବୁଢାଟା କି କଲବଲ ହବ ଭାବି ଭାବି, ଭାରି ଛାନିଆ ଲାଗୁଛି ମା । ମୁଁ କଣ ଭୁଲ କହୁଛି?

     ପଦିର କଥାଗୁଡିକ ସତେ ଯେମିତି ତାଙ୍କୁ ନିଶ୍ଚୁପ କରିଦେଇଥିଲା ! ଦୀର୍ଘ ନିଃଶ୍ଵାସଟିଏ ତାଙ୍କ ମୁହଁରୁ ବାହାରି ଆସିଥିଲା । କି ଉତ୍ତର ତାକୁ ଦେବେ ଭାବି ପାରୁନଥିଲେ । କିଛିକ୍ଷଣ ପୁରା ଚୁପ୍ ହୋଇ ବସିରହି, ଧୀରେ ଧୀରେ ଘର ଭିତରକୁ ଫେରି ଆସିଥିଲେ । 

  ସଞ୍ଜ ନଇଁ ଆସିଥିଲା, ପଦ୍ମା ଭାରାକ୍ରାନ୍ତ ମନକୁ ନେଇ ଠାକୁର ଘରକୁ ଚାଲିଯାଇଥିଲେ । ସନ୍ଧ୍ୟା ଦୀପଟିରେ ସଳୀତାଟି ଦେଇ ସଜାଡୁ ସଜାଡୁ ମନ ଭିତରେ ତାଙ୍କର ପଦିର କଥାଗୁଡିକ ଯେମିତି ବାରମ୍ବାର ବାଜି ଯାଉଥିଲା ! ତା'ସାଙ୍ଗକୁ ପଦ୍ମନାଭଙ୍କ ରୁଗ୍ଣ ଶରୀରଟା ମଧ୍ୟ ବାରମ୍ବାର ମନ ଭିତରକୁ ପସିଆସି ବ୍ୟତି ବ୍ୟସ୍ତ କରିପକାଉଥିଲା ! ତାଙ୍କର ଶଯ୍ୟାଶାୟୀ ହେବା ଦିନଠାରୁ ଏପର୍ଯ୍ୟନ୍ତର ଗୋଟି ଗୋଟି ଦିନ ଯେମିତି ଗୋଟାଏ ପରେ ଗୋଟାଏ ହୋଇ ଆଖି ଆଗରେ ନାଚି ଯାଉଥିଲା ! ଏକମାତ୍ର ପୁଅର ବିଦେଶ ଯିବାର ଦିନ ଓ ସେଠି ସବୁଦିନ ପାଇଁ ରହିବାର ନିଷ୍ପତ୍ତିର ଦିନଟି ମଧ୍ୟ ବାଦ ଯାଇନ ଥିଲା ! ପଦ୍ମନାଭଙ୍କ ଅଚଳ ଶରୀରଟିକୁ ସମ୍ଭାଳି, ସେବାଶୁଶ୍ରୁଷା କରିବାରେ କେବେହେଲେ ତ ସିଏ ଅବହେଳା କରିନଥିଲେ ! ହେଲେ, ଯେବେଠାରୁ ଡ଼ିମେନ୍ସିଆର ଶିକାର ହୋଇ ପଦ୍ମନାଭଙ୍କ ମନରୁ 'ସେ' ହଜି ଯାଇଥିଲେ, ସତେ ଯେମିତି ଜୀବନର ସବୁକିଛି ହଜାଇ ବସିଥିଲେ ! ଜୀବନର ସବୁ ରଙ୍ଗ ଯେମିତି ଧୋଇ ଯାଇଥିଲା, କେବଳ ସ୍ୱାମୀଙ୍କ ମଙ୍ଗକ କାମନା କରି ସବୁପ୍ରକାର ଓଷା ବ୍ରତରେ ହିଁ ଜୀବନର ବାକି ଦିନଗୁଡିକ କାଟୁଥିଲେ ! ନିଜ ଦେହ ପ୍ରତି ଟିକିଏ ବି ଯତ୍ନବାନ ହୋଇ ପାରୁନଥିଲେ । ମୂର୍ଖ 'ପଦି'ଟା ଯେ ଜୀବନର ଏତେବଡ଼ ଅପ୍ରିୟ ସତ କଥାଟିଏ ଏତେ ସହଜରେ କହିପାରି ତାଙ୍କ ହୃଦୟକୁ ହଲାଇ ଦେବ, ସେକଥା ସେ ସହଜରେ ଗ୍ରହଣ କରି ପାରୁନଥିଲେ ! ମନ ଭିତରେ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁ ଥିଲା-ସତରେ କ'ଣ ସିଏ ଏତେ ସ୍ୱାର୍ଥପର, ନା ଏତେ ପାଠ ପଢି ମଧ୍ୟ ସେଇ ଚିରା ଚରିତ ପ୍ରଥା-'ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ଲଗାଇ ଆର ପାରିକୁ ଯିବାରେ ବିଶ୍ୱାସ କରି ନିଜ ହୃଦୟର ସବୁ ଭଲ ପାଇବାର ଅର୍ଘ୍ୟ ଦେଇ ଦେଉଛନ୍ତି ? ସରଳ, ଅପାଠୁଆ ପଦି ଭଳି ସତରେ କଣ ସିଏ ଠାକୁରଙ୍କ ପାଦ ତଳେ ସବୁ ପ୍ରେମ ତାଙ୍କର ଅଜାଡି ପାରିବେ ? ପଦ୍ମନାଭଙ୍କ ଜୀବନ ଦୀପ ଲିଭାଇବାର ଭିକ୍ଷା ମାଗିପାରିବେ?? ମନ ଓ ହୃଦୟ ଭିତରେ ଲଢେ଼ଇରେ ସତେ ଯେମିତି ଛନ୍ଦି ହୋଇ ପଡୁଥିଲେ ! ଆଖିରେ ଆଖିଏ ଲୁହ ଓ ଛାତିରେ ଅସରନ୍ତି କୋହ ନେଇ ମୁଣ୍ଡ ତାଙ୍କର ସେଇ ଚକା ଆଖିଆର ପାଦତଳେ ନଇଁ ଯାଇଥିଲା...ସୁଦୁରେ ମନ୍ଦିରର ଘଣ୍ଟା ବାଜି ଉଠିଥିଲା ! 

   



Rate this content
Log in

More oriya story from puspanjali das

Similar oriya story from Tragedy