STORYMIRROR

Lokanath Rath

Tragedy Inspirational

3  

Lokanath Rath

Tragedy Inspirational

ଆଶାର ଆଲୋକ

ଆଶାର ଆଲୋକ

4 mins
212


ଆଜି ବି ମାଳତୀ ନିଜେ ନିଜର ସବୁ କାମ କରିବା ସହିତ ସଂଘର୍ଷ କରୁଛି ବଞ୍ଚି ରହିବାକୁ l ବୟସ ସତୁରି ପାର ହେଲାଣି l ଏକା ଏକା ଗାଆଁର ସେହି ମାଟି ଘରେ ରହୁଛି l ସବୁଦିନେ ସେ ଘରକୁ ଝାଡୁ ମାରେ ଓ ମାସକରେ ଥରେ ଲିପା ପୋଛା କରେ l ବଡ ଯତ୍ନରେ ରଖୁଛି ଘରକୁ l ନିଜେ ପର ଘରେ କାମ କରି ଯାହା ପାଏ ସେଥିରୁ ବି କିଛି ସଞ୍ଚିକି ରଖିଛି ତା ଏକ ମାତ୍ର ନାତି ଗୋପାଳ ପାଇଁ l ପର ଘରେ ପାଇଟି କରିଦିନ ବେଳର ଖାଇବା ହେଇଯାଏ l ଖାଲି ରାତିରେ ଟିକେ ଯାହା କିଛି କରି ଖାଇଦିଏ l ଭାତକୁ ପଖାଳି ଦିଏ l ସକାଳୁ ଗଲା ବେଳକୁ ସେଇଥିରୁ ଦୁଇଟା ଖାଇ କାମରେ ବାହାରି ଯାଏ l 

ମାଳତୀ ଦେବୀର ଅତୀତ କଥା ଭାବିଲେ ଲାଗେ ସେ କେତେ ସାହସୀ l ତାଙ୍କର ବିବାହ ହରିହରଙ୍କ ସହ ହେଇଥିଲା l ହରି ହର ସହରରେ ଗୋଟିଏ ବଡ଼ ବିସ୍କୁଟ କାରଖାନାରେ କାମ କରୁଥିଲେ l ବାହାଘର ପରେ ମାଳତୀ ବି ତାଙ୍କ ସାଙ୍ଗରେ ସହରରେ ରହିଲା l ବଡ଼ ଖୁସିରେ ଦିନ କାଟୁଥିଲେ l ତାଙ୍କର ଏକମାତ୍ର ପୁଅ ଦିବାକରକୁ ବଡ଼ ଗେହ୍ଲାରେ ପାଳୁଥିଲେ l ଦିବାକର ପାଠ ପଢି ବଡ଼ ହେଲା l ସେ ବଡ଼ ମହାବିଦ୍ୟାଳୟରୁ ସ୍ନାତକ କରି ସରକାରୀ ଚାକିରୀ ପାଇଁ ବହୁ ଚେଷ୍ଟା କଲା, କିନ୍ତୁ ପ୍ରଚଳିତ ପ୍ରଥାରେ ସେ ହାରିଗଲା l ସବୁଥିରେ ଭଲ କରିବା ସତ୍ତ୍ୱେ ବି ଖାଲି ହାତଗୁଞ୍ଜା ଦେବାର କ୍ଷମତା ନ ଥିବାରୁ ସେଥିରୁ ବଞ୍ଚିତ ହେଲା l ଶେଷରେ ତା ବାପା ହରିହର ଯେଉଁ କାରଖାନାରେ କାମ କରୁଥିଲେ, ସେଇଠି ଭଲ ଚାକିରି ପାଇଗଲା l ତା ବୟସ ପଚିଶ ବେଳେ ମାଳତୀ ଓ ହରିହର ବାହାଘର କରିଦେଲେ l ଦିବାକର ଏବେ ସୁଜାତା ସହ ବିବାହ କରି ବଡ଼ ସୁଖରେ ଦିନ କାଟୁଥିଲା ତା ବାପା ଓ ମାଆଙ୍କ ସହିତ l ବାହାଘରର ଦୁଇ ବର୍ଷ ପରେ ବଡ଼ କଷ୍ଟରେ ପୁଅଟିଏ ହେଲା l ମାଳତୀ ଓ ହରିହରଙ୍କ ଖୁସି କହିଲେ ନ ସରେ l ନାତି ପାଇ ପୁରା ଆନନ୍ଦରେ ଆତ୍ମହରା l ତାର ଏକୋଇଶା ପୂଜା କଲେ l ନାତିର ନାମ ଗୋପାଳ ରଖିଲେ l ମାଳତୀର ସମୟ ଗୋପାଳ ସାଙ୍ଗରେ କଟି ଯାଉଥିଲା l ଦେଖୁ ଦେଖୁ ଗୋପାଳ ଏକ ବର୍ଷର ହେଲା l 

କାହିଁକି କେଜାଣି କୋଉଠି ଏତେ ବଡ଼ ବିପଦ ଥିଲା, ହଠାତ୍ ଆସିଗଲା l ଭାବିଲା ବେଳକୁ ରୋମ ଟାଙ୍କୁରି ହେଇ ଯାଉଛି l ସେମାନେ ରହିଥିବା ବସ୍ତିରେ ନିଆଁ ଲାଗିଗଲା l ସବୁ କିଛି ହୁ ହୁ ହୋଇ ଜଳିଗଲା l ସେତେବେଳେ ମାଳତୀ ଗୋପାଳକୁ ନେଇ ମନ୍ଦିର ଯାଇଥିଲା l ସେତବେଳେ ସେ ଘରକୁ ଆସିବାକୁ ବାହାରିଲା, କିନ୍ତୁ ଆସି ପାରିଲା ନାହିଁ l ଘରେ ଏକ ବୋହୁ ଥିଲା, ସେ ସେ ନିଆଁରେ ଜିନିଷ ଘରୁ କାଢୁ କାଢୁ ସେଥିରେ ଜଳିଗଲା l ବହୁତ ଚେଷ୍ଟା କଲା ମାଳତୀ ଯିବାକୁ, କିନ୍ତୁ ତାକୁ ଯିବାକୁ କେହି ଦେଲେ ନାହିଁ l କାଖରେ ଗୋପାଳକୁ ଧରି ସେ ପ୍ରଳୟକୁ ଦେଖୁଥିଲା l ଦେଖିଲା ନିଆଁ ଲିଭା ଗାଡି ଆସି ଲିଭାଇବାକୁ ଲାଗିଛି l ସେ ଭିଡ଼ ଭିତରେ ଶୁଣିଲା ଯେ ସାରା ସହରରେ ବହୁତ ଜାଗାରେ ନିଆଁ ଲାଗିଛି ଓ ଦଙ୍ଗା ହେଇ ଯାଇଛି l ଏ ହିନ୍ଦୁ ମୁସଲମାନ ଦଙ୍ଗା ନୁହେଁ, ଏ ରାଜନୈତିକ ଦଳ ମଧ୍ୟରେ ଛୋଟ କଳିରୁ ଆରମ୍ଭ ହେଇଛି l ମାଳତୀ କଣ କରିବ ବୁଝି ପାରିଲା ନାହିଁ l ଏଠି ତା ବୋହୁ ଓ ଘର ଜାଳି ପୋଡି ଯାଇଛି, ତେଣେ ତା ସ୍ୱାମୀ ଓ ପୁଅ କେମିତି କଣ କରୁଛନ୍ତି ଭାବି କାନ୍ଦିଲା l ବହୁତ ନିଜକୁ ବୁଝାଇ ନାତିକୁ କାନ୍ଧରେ ପକାଇ ଚାଲିଲା କାରଖାନା ଆଡକୁ l 

ସମୟ ସେତେବେଳକୁ ପ୍ରାୟ ସନ୍ଧ୍ୟା ସାତଟା ହେବ l ରାସ୍ତାରେ ଯିବାବେଳେ ମାଳତୀ ଡରି ଡରି ଚାଲୁଥାଏ l ତାକୁ ସମସ୍ତେ ମନା କରୁଥିଲେ, କିନ୍ତୁ କିଛି ନ ମାନି ସେ ଚାଲିଛି l ବାଟରେ ଦେଖିଲା କିଛି ରକ୍ତ ଓ ଦୁଇ ତିନି ଜଣ ରକ୍ତରେ ଜୁଡୁ ବୁଡୁ ହେଇ ପଡିଛନ୍ତି l ବହୁତ ଡର ଲାଗୁଥିଲା ମାଳତୀକୁ l ସେ ଗୋପାଳକୁ ତା ଲୁଗା କାନିରେ ଲୁଚାଇ ଦେଇ ଆସ୍ତେ ଆସ୍ତେ ଆଗକୁ ବଢ଼ିବାରେ ଲାଗିଲା l ହଟାତ ଶୁଣିଲା କେହି ତା ନାମ ଧରି ଡାକିଲା l ବୁଲି କରି ଦେଖିଲା, ଅନ୍ଧାରରେ କିଛି ସଫା ଦେଖା ଯାଉ ନ ଥିଲା l ଟିକେ ରହିଗଲା ଓ ଏବେ ଶୁଣି ପାରିଲା ତା ହରିହର... ତା ସ୍ୱାମୀଙ୍କ କଣ୍ଠ l l ପାଖକୁ ଗଲା l ଦେଖିଲା ସେ କଥା କହିବା ସ୍ଥିତିରେ ନାହାନ୍ତି l ଖାଲି ଏତିକି ଦେଖିଲା ତାଙ୍କ ହାତରେ କିଛି ଟଙ୍କା ଓ ଅସ୍ପଷ୍ଟ ହୋଇ ଦିବାକର ଠାରି କରି କହିଲେ ପାଖରେ ପଡିଥିବା ରକ୍ତ ଜୁଡୁ ବୁଡୁ ଲୋକ ଆଉ କେହି ନୁହେଁ, ତାଙ୍କର ଏକ ମାତ୍ର ସନ୍ତାନ ଦିବାକର l ସେ ଆଉ ନାହିଁ l ଏତିକି କହି ହରିହର ବି ଆଖି ବୁଜିଦେଲେ l ପାଖର ଦିବାକରକୁ ଲେଉଟାଇ ଦେଖିଲା ମାଳତୀ l ଚମକି ପଡିଲା ... ଶରୀରରେ କ୍ଷତକୁ ଦେଖି... ଗଳାଟା ପୁରା କଟିଯାଇଛି l ମାଳତୀ ଛାତି ଭିତରଟା ଯେମିତି କଣ ହେଇଗଲା l ଗୋପାଳକୁ ଧରି ସେ ସେଇଠି ପଡିଗଲା l 

ମାଳତୀ ଆଖି ଖୋଲିଲା ବେଳକୁ ଦେଖିଲା ଗୋପାଳ ତା ପାଖରେ ସୋଇ ଖେଳୁଛି ଓ ସେ ଗୋଟିଏ ଅଲଗା ଜାଗାରେ l ଉଠି ପଡି କାନ୍ଦି କାନ୍ଦି ପଚାରିଲା ଖୋଜିଲା ତା ସ୍ୱାମୀ ଓ ପୁଅକୁ l ଜଣେ ପୁଲିସ ବାବୁ ଆସି କହିଲେ, ଆସ ସେ ପଟେ ସବୁ ଶବ ରଖା ଯାଇଛି ତୁମେ ନିଜ ଲୋକଙ୍କୁ ଚିହ୍ନି ନେଇଯିବ l ସେତେବେଳେ ମାଳତୀ ଜାଣିଲା ଯେ ସେ ଡାକ୍ତରଖାନାରେ ଅଛି l ସକାଳ ବି ହେଇ ଯାଇଛି l ବହୁତ କଷ୍ଟରେ ପାଦ ଚିପି ଚିପି ମାଳତୀ ଗୋପାଳକୁ କାଖେଇ ଗଲା l ଦୁଇଜଣଙ୍କୁ ଚିହ୍ନଟ କଲା l ଜଣେ ସରକାରୀ ବାବୁ କହିଲେ ଯଦି ମାଳତୀ ଚାହିଁବ ତେବେ ତାଙ୍କ ଦୁଇଜଣଙ୍କ ଶବ ସତ୍କାର ଜଣେ ସ୍ୱେଚ୍ଛାସେବୀ କରିଦେବେ l ମାଳତୀ ପାଖରେ ଆଉ କିଛି ରାସ୍ତା ନ ଥିଲା, ହଁ ଭରିଦେଲା l ସେ ଗୋପାଳକୁ ଛାତିରେ ଚାପି ଧରି କାନ୍ଦିବାରେ ଲାଗିଲା l ସେ ସ୍ୱେଚ୍ଛାସେବୀ ପାଖକୁ ଆସି କହିଲେ, "କାନ୍ଦ ନାହିଁ ମା l ଯାହା ହେବାର ତ ହେଇଗଲା ସବୁ କିଛି ଏ ସହରର ଆଜି ଜଳି ଯାଇଛି l ପ୍ରାୟ ପାଞ୍ଚ ହଜ଼ାର ଲୋକ ପ୍ରାଣ ହରାଇଛନ୍ତି l ବେଶି ହେଇପାରେ l ବହୁତ ଆହତ ବି ହେଇଛନ୍ତି l କେବଳ ରାଜନେତାଙ୍କ ଇଙ୍ଗିତରେ ଗୁଣ୍ଡା ମାନେ ସବୁ କରିଗଲେ l ହଁ ତୁମେ ବେହୋସ ଥିଲ, ତୁମ ଏ କୁନି ଛୁଆକୁ କ୍ଷୀର ପିଆଇ ଦେଇଛୁ l ଏବେ ଚାଲ ସତ୍କାର କରିବା l "

ମାଳତୀ ତାଙ୍କ ସାଙ୍ଗରେ ଗାଡ଼ିରେ ବସି ମଶାଣିକୁ ଗଲା l ଜୁଇ ଉପରେ ହରିହର ଓ ଦିବାକର ଶୋଇଲେ, ମାଳତୀ କାନ୍ଦି କାନ୍ଦି ଗୋପାଳର କୁନି ହାତ ଧରି ଦୁଇଜଣଙ୍କୁ ମୁଖାଗ୍ନି ଦେଲା l ହୁ ହୁ ହୋଇ ସେ ନିଆଁ ଜଳିବାରେ ଲାଗିଲା l 

ସେଇଠି ବସି ମାଳତୀ ଭାବିଲା ଏବେ କଣ କରିବ l ଜଣେ ବାବୁ ପଚାରିଲେ ତୁମେ କେଉଁଠିକୁ ଯିବ ? ମାଳତୀ ପାଟିରୁ ବାହାରିଲା ଗାଆଁକୁ କିଛି ଵୁଝିଵା ଆଗରୁ ସେମାନେ ନେଇ ତାକୁ ତା ଗାଆଁକୁ ଯାଉଥିବା ଗାଡ଼ିରେ ବସାଇଦେଲେ l ଗାଡି ଦିନ ତିନଟାରେ ପହଁଚିଲା l 

ମାଳତୀ କାନ୍ଦି କାନ୍ଦି ଗୋପାଳକୁ କାନ୍ଧରେ ପକାଇ ନିଜ ଘର ଆଡ଼କୁ ଚାଲିଲା l ଘର ପାଖାପାଖି ହେଲାରୁ ପଡିଶା ଲୋକେ ରୁଣ୍ଡ ହେଇଗଲେ l ମାଳତୀ ଠାରୁ ତା ଦୁଃଖର କାହାଣୀ ଶୁଣିଲେ l ସେମାନେ ବି କାନ୍ଦି କାନ୍ଦି କହିଲେ, "ଏବେ ଏଇ ତୋ ନାତିକୁ ଚାହିଁ ବଞ୍ଚିବାକୁ ହେବ l ଆମେ ସବୁ ଅଛୁ l "

ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ମାଳତୀ ହରିହର ଓ ଦିବାକରଙ୍କର କ୍ରିୟା କର୍ମ ଶେଷ କଲା l ଏବେ ଗୋପାଳକୁ ବଢାଇବା ପାଇଁ ପର ଘର ପାଇଟି କରିବା ଆରମ୍ଭ କରିଦେଲା l ଗୋପାଳ ପାଠ ପଢିଲା l ବଡ ହେବାକୁ ଲାଗିଲା l ସେ ତା ଜେଜେମାଆକୁ ସବୁ ବେଳେ କହେ, ବଡ଼ ହେଇଯାଏ ସବୁ କିଛି ତୋ ପାଇଁ ଠିକ କରିଦେବି l 

ଏବେ ଗୋପାଳ ସେଇ ସହରର ମହାବିଦ୍ୟାଳୟରେ ପଢୁଛି l ଛାତ୍ରାବାସରେ ରହୁଛି l 

ଯାହା କିଛି ଟଙ୍କା ମାଳତୀ ସଞ୍ଚୟ କରେ କେବଳ ତା ନାତି ଗୋପାଳ ପାଇଁ l ଏବେ ଆଉ କେଇଟା ବର୍ଷରେ ଗୋପାଳ ପାଠ ପଢା ଶେଷ କରି ରୋଜଗାର କରିବ ଓ ମାଳତୀକୁ ଟିକେ ଖୁସି ମିଳିବ l ଗୋପାଳ ତା ନିଜ ଗୋଡ଼ରେ ନିଜେ ଠିଆ ହେବ l ସେହି ଆଶାର ଆଲୋକ ଦେଖି ଏବେ ଯାଏ ସବୁ ଦୁଃଖ କଷ୍ଟ ସହି, ସବୁ କୋହକୁ ଚାପି ସେ ବଞ୍ଚି ରହିଛି ... ... ...



Rate this content
Log in

Similar oriya story from Tragedy