STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ଆରେ .... ହଁ

ଆରେ .... ହଁ

4 mins
160


" ଲୋ,ରେବ ।"

" ଲୋ ରେବତୀ " ।

" ଲୋ ନିଆଁ " ।

" ଲୋ ଚୁଲି,ଲୋ ପାଉଁଶ, ଲୋ ମଶାଣି " ।


ଆଉ କେହି ଡାକୁଥିଲେ କଣ ? ଶୁଭୁଥିଲା କଣ ସେଇଇଇ କେତେଦିନୁ ? 

ଅପନ୍ତରା, ଗୋଚର, ଗୁଳା ଗୁଳା ଜମି ଠାକୁ ଠା ପାଣି ବୁଡେଇ ତଳୁ ମୁଣ୍ଡ ଟେକିଥିଲେ ଯାହା । ମୁଠେ ବଇଁଚି କୋଳି ଓ ରୂପାକାତିଆ ଚାନ୍ଦି ମାଛ ମେଞ୍ଚାଟେ ଚକଚକିଆ ଖରାମାଖିଆ ଖାଲ ପାଣିରେ ଚେକା ଚେକା କାତ ମାରି ଖେଳୁଥିଲେ । କିଏ ଗାମୁଛା ପାରୁଥିଲା କଣ ଆଉ ? ସେଇ ଯୋଉ ଠାକୁରାଣୀ ବାଡ ପକେଇ ଗୋଟା ଗୋଟା କରି ଟୋକେଇ ଭରି ଗୋଟେଇ ନେଇଥିଲା ସେକାଳେ ପରା,ସେଇଦିନୁ ପଡିଆ ପଦା ପଡିଥିଲା ।


ଦିନେ .......


ବରହମପୁରୁଆ ରମ୍ବା ଗାଆଁ ଆଡର ବାୟାପଧାନ । ଲୁଣ ବ୍ୟବସାୟୀ ଟେ। କସରା ଥୋଡିଆବଳଦ ନାକଦଣ୍ଡିରେ କତାଦଉଡି ଭିଡି ଟାଣି, ତାରି ପିଠିରେ ଦି' ବସ୍ତା ଲୁଣ ଦି' ପଟକୁ ଓହଳେଇ ସେଇବାଟେ ଯାଉଥିଲା । ଦଣ୍ଡି ଦଉଡିକୁ ଝିଙ୍କାଟେ ଲଗେଇ ବ୍ରେକ୍ କସିଦେଲା ଆଉ ଚାରିପଟକୁ ନଜର ବୁଲେଇଲା । ତା' ଲୁଣ ବିନିମୟରେ ତାକୁ ଡାଲି, ଚାଉଳ, ନଡିଆ ଗଣ୍ଡାଏ କିଏ ଦିଅନ୍ତା ଯେ, କିଏ ବା ଥିଲା ଆଉ ବଳକା ? ଟେଣ୍ଟେଇ ଯୋଡେ ଟେଁ ଟେଁ କରୁଥିଲେ ନିର୍ମାୟା ନୟନେ ଚାରିପଟକୁ ଚାହିଁଚାହିଁକା ।


କିନ୍ତୁ ସିଏ ସେଇଠି ବୁଜୁଳି ଓହ୍ଲେଇ ତଳେ ଚକା ପାରି ଛତା ପୋତିଲା । ଓରମାନ ବଢିଲା, ମାଟି ଜାବୁଡି ବସି ରହିଲା ସେଇଠି, ସେଇ ହିଡରେ ।


ଡିହ ବାରି ନିଜକୁ ନିଜେ ପାଉତି କଲା । ସେଇଠୁ ଅଳସା, ଗୁଲାପାରି,ବେଣାକେରା, ବେଦରପଡା, ଅନ୍ତିକେରା,ରୁଆ ଆଡୁ ପୁଞ୍ଜେ ମୁଠେ ପାଦ ଗଡି ଗଡି ଗୁଡିଆଘର,ବଇଦ ଘର,ଗଉଡ ଘର,ଚଷା ଘର,ବାରିକଘର,ବଢେଇଘର ଗଡି ଆସି ଜୁଟିଲେ ଆଉ ଚାଳ ପାତିଲେ । ତେଲି ଘର ଭିନ୍ନ ଗାଆଁରୁ ନିଷ୍କାସିତ ହେଇ ଏଠି ଘଣା ପେଡା କଲେ, ପୋଲାଙ୍ଗ ରୋଇଲେ । ତାଙ୍କ କୋଠା ବନ୍ଧକ ରଖା କାଠକୁନ୍ଦକରା ବିରାଟ ସିନ୍ଧୁକ ଭାଗବତଘରେ ମୁକୁଳା ପଡିଲା । କଣ୍ଡରାଘର ବନିଶୀଠୁ ପ୍ଲାଷ୍ଟିକ୍ ତାର ଯାଏ ଜାଲ ବୁଣିଲେ ....ପକେଇମେଲେଇ ମାଛ ଧରିଲେ, ଠେଙ୍ଗା ବାଡେଇ ସାହି ଜଗିଲେ, ବିଲ ପାଇଲେ । ଧୋବାଘର ଗାଆଁ ପରିମଳ ସଜିଲ କଲେ ।


ବଅଁଶ ବଢିଲା । ଖାଉଡିଆ ଗାଆଁଟେ ଗଢି ହେଇଗଲା ହାତେ ହାତେ । ସୁଖୀ ଦଇବ ମୁରୁକୁ ଥିଲା । ଗାଆଁ ପରି ଗାଆଁଟିଏ ।କିଏ କାହାକୁ କୋଉ କାମ ବରାଦ କରୁନଥିଲା । ଯେଝା କାମ ଯିଏ ମନକୁ ବାଛି ଖୋଜି ସମ୍ପାଦୁଥିଲେ । ଶାନ୍ତି ବିରାଜୁଥିଲା ।ଅନ୍ତେ ପିତା, ଦନ୍ତେ ଲୁଣ ଦେଇ ସମୃଦ୍ଧ ହେଲେ । ଜୀବନ ଫୁଲ ଚକଚକ କରି ସବୁ ଡାହିରେ ହସିଲା ।ପୀଢି ବଢିଲେ ପିଢାକୁ ମୁଣ୍ଡ ତୋଳି ।


ଗାଆଁ ଗଢି ହେଲା .....


କାଳକ୍ରମେ ମଠ,ମନ୍ଦିର, ଜମିଦାରୀ ଘର .... ଫାଟ ଉପରେ ମାଟି ଥାପିଲା ପରି ଆପେ ଥୋପି ହେଇଗଲେ । ଏକର ଏକର ସମ୍ପତ୍ତି ଭାଗ ଲାଗିଲେ, ଦାନ ଦକ୍ଷିଣାରେ ଗଲେ, ବଂଶଦାୟାଦଙ୍କୁ ହସ୍ତାନ୍ତର ହେଲା, ଖଡି ମଡେଇ ବିଦେଶେ ଗମିଲେ । ଝାଡର ଭ୍ରମ ଗଢି ତା' ମଝିରେ ଚଢେଇ ଧରିବାକୁ ଫାଶ ବସେଇବା ଶିଖିଲେ ।ଭୋଜି କଲେ ।ମହଲ ତୋଳିଲେ ।ମଞୁଆତି ପାଚେଇ ହାତ ଲାଲି କଲେ ।


ଆଉ ଗଣ୍ଡେ ଗୋତି ଖଟିଲେ, ମଳିମୁଣ୍ଡିଆ ହେଲେ ।ହାଡମାଳ ଗଣିଲେ ଦିହରେ । ପିଞ୍ଜରା ତଳ ପବନକୁ ବାଜ ମୁଗୁରା ବସେଇ ଜଗି ରହିଲେ । ହେଇ ଚାଲିଯିବ କି ! ଜଙ୍ଗଲ ମିଳେଇ ଗଲା । ପାହାଡକୁ ଭୁଷୁଡି ଗୁଣ୍ଡ ହବା ଦେଖି ପଙ୍କରେ ଲୋଟିଲେ ।


ଏମିତି ଏମିତି ଦିନ ଗଡୁଥିଲା । ଅଭ୍ୟସ୍ତ ହାତପାଦ ଘିରି ଘିରି ଘୁରୁଥିଲେ । ଘାଆ ସବୁ ରୁଗୁ ରୁଗୁ ପୋଡୁଥିଲେ । ଲୁହ ସବୁ ଥପ ଥପ ଝରି ମୃତ ଝରଣାଟେ ଆଙ୍କି ହେଉଥିଲା କୋରି କୋରି ନାଡି ମୋଡ । ଭେଦୁଥିଲା ମାଟିର ପରସ୍ତ । 


ପୁଣି ଆସିଲା ମହାମାରୀ ମରୁଡି ଲହଡି ପରି । ମାଛି ମଶା ପରି ହାଉଡେଇ ଘଉଡେଇ ନେଲା । ମଇଲମଠୁ ଚେରମୂଳୀ ପଥିପାଞ୍ଚଣ,ଝୁଣାଧୂଆଁ, ବଇଦ ବାଟଣ କେହି ବିହି ଲେଖନକୁ ପାଞ୍ଜିକାର ନକ୍ଷତ୍ରକୁ ବଦଳେଇ ପାରିଲେ କି !


ଲୁବ୍ଧକ ପ୍ରଲୁବ୍ଧ ହୋଇ ଜାଲ ପାରି ବସିଲା । ତତ୍ପର ହେଇ କାମ ସାରିଲା । ପୁରୁଣା କୁଲା, ଛାଞ୍ଚୁଣୀ, ବିଞ୍ଚଣା, ପାନଖିଲ, ତଣ୍ଡୁଳ, ଶ୍ରାଦ୍ଧ ପତ୍ର, ନୂଆ ହାଣ୍ଡି, ନୂଆ ସଞ୍ଚା, ପିଣ୍ଡତର୍ପଣ, ଅସ୍ଥି ବିସର୍ଜନ, ବଡବଡିଆ ଡାକ, କାଉଁରୀଆ ଧାସକୁ ବି ଚାହିଁଲେନି । ସବୁ ପାଉଁଶ ହେଇଗଲେ ଗଦେଇ ହେଇ । ସବୁ ମୁଣ୍ଡ ଠା' ପିଢା ପକେଇ ଗଡିଗଲେ । ଯୋଉଠି ମାଲିକ ସେଇଠି ମୁଲିଆ । କିଏ କାହାକୁ ଚିହ୍ନିବାକୁ ତର କାଇଁ ? ଗୋଡେଇଛି ମୁଖା । "ବଞ୍ଚ ବଞ୍ଚ" ଡାକରାରେ ଅତଡା ଖସୁଛି ହିମାଳୟରୁ ।


ସରିଲା ...... 

_____________________


ରାତି ଅନ୍ଧାରରେ ମାଆଟିଏ କେମିତି ହଜିଯାଏ ନିଜ ସନ୍ତାନର ଅସ୍ତିତ୍ଵ ଟିକକ ହରେଇ ।ଏଠି ଆଉ କିଏ ଥିଲା ଯେ କାହା ପାଇଁ ଝରେଇବାକୁ ଲୁହ ? ଫାଳେ ଆଖିର ତରଳ ନିଆଁ ବହି ଶୁଖି ଚେଙ୍ଗା ଦାଗ ଛାଡିଲା ବେଳକୁ ଆର ଫାଳ ଆଖିରୁ ଧସେଇ ପଶୁଥିଲା ଆଉ ଧାରେ ଲାର୍ଭା ତାମ୍ପଡା ଗାଲ ଉପରକୁ ।


ଶ୍ବାନ, ଉଲ୍ଲୁକ,ଶୃଗାଳ ବି ତାବ୍ଦା ହେଇଛନ୍ତି ।ଜାଡ କାଲ ।


ଦୟା ପରି ଏକ ନଦୀ କୂଳ ।ରକ୍ତର ନଦୀ ନୁହେଁ ପାଉଁଶିଆ ନଦୀ ଗର୍ଭ ।ନାକ ପୋଡୁଛି ମଢା ଜଳା ଗନ୍ଧରେ ।ଉଡୁଛି ଗୁଣ୍ଡ ।କିଏ କାହାକୁ ଜାଳୁଛି? କିଏ ଜଳୁଛି ?


ଗାଆଁ ଆଡୁ ..... ପାଦ ହଳିଏ ଦିଶୁଛି ।


ସେଇ ଠାକୁରାଣୀ ବୁଢୀ ବୋଧେ, ସେଦିନର କଳିଙ୍ଗ ବୁଢୀ ପରି ।ଛାଇଛାଇଆ ଦିଶୁଛି ।ଝାପ୍ସା ।

ଅଣ୍ଡାଳୁଛି ଯେ ଅଣ୍ଡାଳୁଛି ।ଜାଣୁନି ନା ବୁଝିବାକୁ ଚାହୁଁନି ? ଅଫେରା ବାଟରୁ କଣ ଲିଭା ଗାଆଁଟେକୁ ପୁଣି ଫେରେଇ ଜନ୍ମେଇ ହୁଏ ।ହଉ ଘାଣ୍ଟୁ ।ତା'ମନ ବୁଝିଗଲେ ସିଏ ଆପେ ପଳେଇବନି ନା ମୁଠେଇକି କଳାଗୁଣ୍ଡରୁ ମୁଠେ ! 


ଦିନ ବଞ୍ଚଇ ଦୁଃଖ ସୁଖେ, ଅନ୍ତେ ପଡଇ କୁମ୍ଭୀପାକେ ।


ବୁଢୀ ମୁଣ୍ଡ ଟେକି ଚାହଁଲା । ଝୁରିଲାନି, ବାହୁନିଲାନି, ସଳଖିଲା । ଘୋଷାରି ହେଇକି ଜଳେଇଲା ଦୀପଟେ । ଟେକି ଧରିଲା ।


ଗଦା ଗଦା ଶବର ଢେଉ ସେପାରିରୁ ଚୁରାଳୀ ଗାଆଁ ପଟୁ କିଏ ଗୋଟେ ଦିଶୁଥିଲା । ତାରି ପରି ନୁହେଁ, ତା'ଠୁ ଗଜା ।ଲମ୍ବା ଥାଟ ଛାଇଟେ,ଖାଲି ନୋଇଁ ପଡିଛି ଏ ଭୁସାମରା ମାଡରେ । ପ୍ରତେ ହେଉଛି ଯାହା ।


ବୁଢୀ ସେପଟ ଛାଇ ଟାକୁ ଦେଖିଦେଇ ହାମୁଡି ପେଟେଇ ସବୁ କଳା ଛାଇକୁ ପଛକୁ ପଛକୁ ପେଲିଦେଇ ଯେତେ ଜୋର ଅଛି ଲଗେଇ ସେପଟେ ପହଞ୍ଚିଲା ।ଗାଆଁର ଶେଷମୁଣ୍ଡ ବରଗଛଠି ।


ସେ ଛାଇ ସେଠୁ ଅପସରି ଯାଉଥିଲା ଅନ୍ତରିକ୍ଷର ଦଶଦିଗକୁ ଧୂଳିମୁଠା ପରି .... ବୁଢୀ ପାଖଉ ପାଖଉ ।ବୁଢୀ ପହଞ୍ଚି ଦେଖିଲା ବୁଜୁଳାଏ ତୁଳାକପଡା ଭିତରେ ଜୁଳୁଜୁଳୁ ଚାହିଁ ଥିବା ଜୀବନଟେ । ଦଶଦିଗପାଳଙ୍କୁ ସାକ୍ଷୀ ରଖି ବୁଢୀ ତାକୁ କୋଳେଇନେଲା ଧୂଳିସାତ୍ ସ୍ୱପ୍ନ ତଳୁ।ଗାଆଁର ବୀଜ ପୁଣି ରୋଇବ ବୋଲି ଅଣ୍ଟା ଭିଡି ଶିଶୁ କପାଳରେ ସେଇ ମାଟି ମୁଠେକୁ ତିଳକ କରି ମାରିଦେଲା ।ତା' ମୁହଁ ସ୍ପଷ୍ଟ ଦିଶିଲା ଅଦ୍ଭୁତ ଏକନିଷ୍ଠ, ଅନମନୀୟ ଦୃଢତା ଯୋଉଠି ନଥିଲା ଛାପ ଭୟର ।


"ବିଜୟୀ ଭବ ।" ଶୁଭିଲା ଅଦୃଶ୍ୟ ଛାୟା ଅପସରିତ ଦିଗରୁ ।


ଲୁପ୍ତ ବଂଶଜକୁ ବୁଢୀ ଗୋସେଇଁ ଆକାଶକୁ ଟେକି ଧରିଲା ।ହସିଦେଲା ତୃପ୍ତ ହସଟେ ।


__________



Rate this content
Log in

Similar oriya story from Inspirational