ଆଞ୍ଜେଲ ପ୍ରିୟା
ଆଞ୍ଜେଲ ପ୍ରିୟା
--ସ୍ନେହର ପ୍ରଥମ ବାହାଘରକୁ ଛଅ ବର୍ଷ ପୁରି ସାରିଥିଲା। ବିମ୍ବାଧର ସାହୁଙ୍କ ସହ ଗର୍ନ୍ଧବ ମତରେ ବିବାହ କରିଥିଲେ ସ୍ନେହ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ଝିଅ ପାପାନି।
--ବାହାଘରର ଚାରି-ପାଞ୍ଚ ମାସ ପୂର୍ବେ ବିବାହ ପ୍ରସ୍ତାବ ପଡିବା ପରେ ଗଢି ଉଠିଥିଲା ତାଙ୍କ ଭିତରେ ପ୍ରେମ ସମ୍ପର୍କ । ଯାହା ପରେ ପରିବାର ସ୍ବିକୃତିରେ ବିବାହର ରୂପ ନେଲା ।
--ପ୍ରଥମେ ପ୍ରଥମେ ସ୍ନେହ ହିଁ ଥିଲା ବିମ୍ବାଧରର ସବୁକିଛି । ବିମ୍ବାଧର ଜୀବ ହେଲେ ସ୍ନେହ ତା ଆତ୍ମ। ବିମ୍ବାଧର ଶରୀର ହେଲେ ସ୍ନେହ ତା ଛାଇ। ବିବାହର ଠିକ୍ ବର୍ଷେ ପରେ ତାଙ୍କ ଘରକୁ ରାଜନନ୍ଦିନୀ ପାପାନିର ଆଗମନ ହେଲା। ଉଭୟ ସ୍ବାମୀ ସ୍ତ୍ରୀ ଖୁବ୍ ଖୁସିରେ ରହିଲେ । ହସ ଖୁସିରେ ଘର ବାହାର ଫାଟି ପଡୁଥିଲା।
-- ହେଲେ ନିୟତିର ନିଷ୍ଠୁର ନିୟମ ଆଗରେ ସେଦିନ ସ୍ନେହ ଶିଘ୍ର ହାରିଗଲେ। ଯେବେ ହାର୍ଟ ଆଟାକ୍ରେ ବିମ୍ବାଧର ସବୁଦିନ ପାଇଁ ବିଦାୟ ନେଲେ ସେତେବେଳେ ଅନନ୍ୟ ଧୈର୍ଯ୍ଯଧାରୀ ସ୍ନେହଙ୍କ ମନରେ ବିଷାଦର ଛାଇ ଖେଳିଗଲା। କଣ କରିବେ ବୁଝି ପାରିଲେନି। ନିଜକୁ ଶେଷ କରିବାର ଦୃଢ ନିଷ୍ପତ୍ତି ନେଇଗଲେ । ମାତ୍ର ତାଙ୍କ ଆଗରେ ତାଙ୍କ ସ୍ବାମୀଙ୍କ ଶେଷ ସନ୍ତକ ଦୁଇ ବର୍ଷର ଝିଅ ପାପାନି ଥିଲା। ଯାହାର ଭବିଷ୍ୟତ ପାଇଁ ବଞ୍ଚିବାକୁ ପଡିବ ଭାବି ନିଜକୁ ବୁଝାଇଲେ।
-- ମାତ୍ର ୨୪ ବର୍ଷରେ ବିଧବା ଯୋଗକୁ ବରିଥିବା ସ୍ନେହ କିନ୍ତୁ ଆଉ କାହାର ହେବ ଏ କଥା ଚିନ୍ତା କରି ନ ଥାଏ। ଘରେ ସମସ୍ତେ ବୁଝାଇଲେ ପୁଣି ଥରେ ସଂସାର କରିବାକୁ କିନ୍ତୁ ଦୃଢ ଭାବରେ ସମସ୍ତଙ୍କ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରି ଦେଉଥିଲେ।
-- ଏମିତିରେ ସ୍ନେହ ଆସି ବାପ ଘରେ ରହିବାର ଦୁଇବର୍ଷ ଅତିବାହିତ ହେଲା। ବିଭିନ୍ନ ସମ୍ପର୍କିୟ ଲୋକ ପ୍ରସ୍ତାବ ଆଣିଲେ କିନ୍ତୁ ସମସ୍ତେ ବିଫଳ ହେଲେ।
-- ପରିଶେଷରେ ସ୍ନେହ ନିଜ ଝିଅର ଭବିଷ୍ୟତ କଥା ଭାବି ଅନ୍ୟତ୍ର ବିବାହ ପାଇଁ ସମ୍ମତି ଦେଲେ । କିନ୍ତୁ ସର୍ତ୍ତ ରଖିଲେ ଯେ ସେ ସେଇଠି ବାହା ହେବେ ଯିଏ ତାଙ୍କ ସହ ତାଙ୍କ ଝିଅକୁ ବାହା ହେବ ।
--ତା ପରେ ବିଭିନ୍ନ ଜାଗାରୁ ପ୍ରସ୍ତାବ ଆସୁଥାଏ। ସମସ୍ତେ ତାଙ୍କୁ ପସନ୍ଦ କରୁଥିଲେ କିନ୍ତୁ ଝିଅଙ୍କୁ ନେବାକୁ ରାଜି ହେଉ ନଥିଲେ। ସ୍ନେହର ମାଆ ବାପା ଭାଇ ଝିଅର ଭବିଷ୍ୟତ ଦାୟିତ୍ୱ ନେବାର ପ୍ରତିଶ୍ରୁତି ପରେ ବି ସ୍ନେହ ଝିଅକୁ ଛାଡି କାହାକୁ ବାହା ହେବନି ବୋଲି ରୋକଠୋକ ଶୁଣେଇ ଦେଲେ।
--ସ୍ନେହ ଜଣେ ସାହିତ୍ୟ ପ୍ରେମୀ ହୋଇ ଥିବାରୁ ଫେସବୁକରେ ବିଭିନ୍ନ ସାହିତ୍ୟିକ ମାନଙ୍କ ସହ ସମ୍ପର୍କରେ ଥାଆନ୍ତି। ଆଉ ଏ ଭିତରେ ତାଙ୍କର ସାକ୍ଷାତ ହୁଏ ଜଣେ ପଛ ଧାଡିର ଶସ୍ତା ଲେଖକ ଅନିଲ ସହ । ବାବୁ ସରକାରୀ କର୍ମଚାରୀ ହେବା ସହ ଛୋଟ ଛୋଟ କବିତା ଲେଖି ଅନ୍ୟ ମାନଙ୍କୁ ଖୁସି କରାନ୍ତି ।
-- ସ୍ନେହ ଆଉ ଅନୀଲଙ୍କ ବନ୍ଧୁତ୍ବ କିଛି ଦିନ ଯାଏ କେବଳ ସାହିତ୍ୟ ଭିତରେ ସୀମିତ ଥାଏ। କିନ୍ତୁ ପ୍ରେମର କିଛି ସୀମା ସରହଦ ସମୟ / ବୟସ ନଥାଏ। କେତେବେଳେ କେଉଁଠି କାହା ସହ ହେବ କିଛି ଜାଣି ହୋଇ ନଥାଏ।
--ଠିକ୍ ସେମିତି ହେଲା ଅନିଲ ଓ ସ୍ନେହର ଜୀବନରେ । ଉଭୟ ଜାଣି ପାରିଲେନି କେତେବେଳେ ସେମାନେ ଉଭୟ ଉଭୟଙ୍କୁ ପ୍ରେମ କରି ବସିଥିଲେ। ଆଉ ଦୁହିଁଙ୍କ ଜାତି/ବୟସ/ଶିକ୍ଷା/ ସାମାଜିକ ସ୍ଥିତିରେ ଅନେକ ପାର୍ଥକ୍ୟ ଥିଲେ ବି ଦୁଇ ପ୍ରେମ ପକ୍ଷୀ ତାଙ୍କ କୁନି ରାଜକୁମାରୀ ସହ ଆଗକୁ ଉଡିବାର ନିଷ୍ପତ୍ତି ନେଇଗଲେ। ଘର ଲୋକଙ୍କ ପ୍ରତିବାଦ ସତ୍ତ୍ବେ ବି ଉଭୟ ପ୍ରେମ ବିବାହ କଲେ। ସ୍ନେହର ଏ ଦ୍ବିତୀୟ ବିବାହ ହୋଇଥିଲା ବେଳେ ଅନିଲର ପ୍ରଥମ । କିନ୍ତୁ ଉଭୟ ବହୁତ ଖୁସି ଥିଲେ। ଏମିତିରେ ଦୁହେଁ ଖୁବ୍ ଅନ୍ତରଙ୍ଗ ଭାବରେ ଜୀବନ ଅତିବାହିତ କରୁଥିଲେ।
--ପାଖ ସରସ୍ବତୀ ଶିଶୁ ମନ୍ଦିରରେ ପାପାନିର ଆଡମିଶନ ହେଲା ।ସ୍ବାମୀ ସ୍ତ୍ରୀ ଝିଅ ସମସ୍ତେ ଭଲରେ ଚଳିଲେ। ସ୍ନେହ ଆଗ ଅପେକ୍ଷା ଏବେ ଆହୁରି ଭଲରେ ରହିଲା।
--ହେଲେ କିଛି ଦିନ ପରେ ସେମାନଙ୍କର ପ୍ରେମ କିଛି ଫିକା ପଡ଼ିଗଲା ଭଳି ସ୍ନେହକୁ ଲାଗିଲା ।
--ହଁ, ଅନିଲର ପ୍ରେମ ଫିକା ପଡ଼ିଯାଇଥିଲା କାରଣ ସେ ବର୍ଷ ତଳର ସେ ସୁନ୍ଦରୀ ସ୍ନେହ ଓ ଏବର ପାପାନିର ମାମା ସ୍ନେହ ଭିତରେ ପୂର୍ଣ୍ଣିମା ଓ ଅମାବାସ୍ୟାର ଫରକ ଥିଲା । ଦେହର ରଙ୍ଗ ପୂର୍ବ ଅପେକ୍ଷା ଟିକେ ସାବେନା ପଡ଼ିଯାଇଥିଲା, ଅଣ୍ଟାରେ ଚର୍ବି ଲାଗିଯାଇଥିଲା । ଅନିଲ ତାକୁ ଦେଖି ଆଉ ପୂର୍ବ ପରି କୁହେନି-
--“ଚନ୍ଦ୍ରାଲୋକରେ ପଦ୍ମ ଫୁଟିଲା ପରି ତୁମକୁ ଦେଖି ମୋ ମନରେ ପ୍ରେମର କମଳ ଖେଳିଉଠୁଛି”, ବରଂ କୁହେ କେତେ ଟଙ୍କା ଏଲ୍.ଆଇ.ସି ରେ ରଖାହେବ, କେତେ ଟଙ୍କା ଇ.ଏମ୍.ଆଇ. ରେ ରହିବ । ଘରର ବଜେଟ୍ କ’ଣ ହେବ, ଏମିତି, ଏମିତି…"
--ସ୍ନେହ ବୁଝିପାରେ, ପୁରୁଣା ପ୍ରେମକୁ ଫେରେଇ ଆଣିବାକୁ ଚେଷ୍ଟା ମଧ୍ୟ କରେ, ହେଲେ ଆଉ ସଫଳ ହୁଏନି । ବର୍ତ୍ତମାନ ଅନିଲ ଅଫିସ୍ରୁ ଫେରି ଅଧିକା ସମୟ ଫେସ୍ବୁକ୍ ଚାଟିଙ୍ଗ୍ ଇତ୍ୟାଦିରେ ବିତାଉଛନ୍ତି । ସ୍ତ୍ରୀ ପାଇଁ ସମୟର ଅଭାବ ।
--ବେଳେବେଳେ ସ୍ନେହକୁ ଦୁଃଖ ଲାଗେ । ଆଶଙ୍କା ମଧ୍ୟ ହୁଏ, ପର ନାରୀ ପାଖରେ ସ୍ୱାମୀକୁ ହରାଇ ଦେବାର ।
-- ଅନିଲର ଫିଙ୍ଗର ପ୍ରିଣ୍ଟ ସେନ୍ସର ଲକ ଥିବା ଫୋନ ହେଲେ ମଧ୍ୟ ରାତିରେ ଶୟନାବସ୍ଥାରେ ସ୍ନେହ ଥରେ ତାଙ୍କ ଫିଙ୍ଗର ପ୍ରିଣ୍ଟ ନେଇ ନିଜ ସ୍ୱାମୀର ଫେସବୁକ ଚେକ କଲା । ଯାହା କିଛି ଦେଖିଲା ସେଥିରେ ତା ମନ ଭାଙ୍ଗି ଗଲା । ଅନିଲର ଫ୍ରେଣ୍ଡ୍ସ ଲିଷ୍ଟ୍ରେ ଚିହ୍ନା ଲୋକ ଯେତିକି ଅଚିହ୍ନା ଲୋକ ଓ ନାରୀ ମଧ୍ୟ ସେତିକି । ସ୍ନେହ ପୁରା ଭାଙ୍ଗି ପଡିଲା ।
--ଦିନେ ସେ ନିଜ ସ୍ୱାମୀଙ୍କ ହୃଦୟରେ ନିଜ ପ୍ରତି ଲୁଚି ରହିଥିବା ପ୍ରେମକୁ ମାପିବାକୁ ସ୍ଥିର କଲା ।
--ଏଣେ ଅନିଲ ଅନଲାଇନ ମସ୍ତିରେ ମଗ୍ନ ଥାଆନ୍ତି । ଧିରେ ଧିରେ ତାଙ୍କ ଚାଟିଙ୍ଗ୍ ବଢି ଚାଲିଲା ଜଣେ “ଆଞ୍ଜେଲ ପ୍ରିୟା” ନାମକ ମହିଳାଙ୍କ ସହିତ । କଥାରେ କଥାରେ ଅନିଲ ଜାଣିବାକୁ ପାଇଲେ ସେହି ନାରୀ ଜଣକ ସ୍ଥାନୀୟ ନିବାସୀ, ହେଲେ ତାଙ୍କ ପରି ବିବାହିତା ।
--ତଥାପି ଅନିଲ ଦିନେ ନିରୋଳାରେ ଦେଖା କରିବାର ପ୍ରସ୍ତାବ ଦିଅନ୍ତେ ସେ ମହିଳା ଜଣକ ରାଜି ହୋଇ ଗଲେ । ଦିନ ଓ ସମୟ ଧାର୍ଯ୍ୟ ହୋଇ ଗଲା ।
--ଆସନ୍ତା ଶୁକ୍ରବାର ଆଞ୍ଜେଲ ପ୍ରିୟାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ , ସ୍ଥାନୀୟ ଲକ୍ଷେଶ୍ବର ମନ୍ଦିର ପାଖରେ ରାତ୍ରି ୯ ଘଟିକା ସମୟରେ ।
--ଆଞ୍ଜେଲ ପ୍ରିୟାଙ୍କ କିଛି ଫଟୋକୁ ମନେପକାଇ, ରାତି ୯ଟାରେ ଅନ୍ଧାରରେ, ସ୍ୱାମୀର ଅନୁପସ୍ଥିତିରେ, ଜଣେ ରମଣିଙ୍କ ସହ ସେ କ’ଣ କରିପାରେ ଭାବି ଉତ୍ସାହିତ ହୋଇ ଉଠିଲା ଅନିଲ।
--ଦେଖୁ ଦେଖୁ ଦିନ କଟିଗଲା ଓ ଶୁକ୍ରବାର ରାତି ନଅଟା ପହଞ୍ଚିଗଲା । ଅଫିସରୁ ଅନିଲ ସିଧା ସେହି ଲକ୍ଷେଶ୍ବର ମନ୍ଦିରକୁ ଆସିଗଲା ।
--ଦୂରରୁ ଦେଖିଲା ମନ୍ଦିର ବାମ ପାର୍ଶ୍ୱ ଅନ୍ଧାରରେ ଜଣେ କେହି ଠିଆ ହୋଇଛନ୍ତି । ମୁକୁଳା କେଶ ଓ ଶାଢ଼ୀର କାନି ପବନରେ ଉଡ଼ି ଉଡ଼ି ଦର୍ଶାଇଦେଲା ସେ ନାରୀ ଜଣକ ଅନିଲର ସେଇ ଇପ୍ସିତ ଆଞ୍ଜେଲ ପ୍ରିୟା ।
-- ଅତ୍ୟନ୍ତ ଉତ୍ସାହିତ ମନରେ ଗାଡ଼ିରୁ ଓହ୍ଲାଇ ଅନିଲ ଧାଇଁଗଲେ ସେହି ମହିଳାଙ୍କ ପାଖକୁ, ନିଜ ଆଞ୍ଜେଲ ପ୍ରିୟାକୁ ଦେଖିବାକୁ !
--ହେଲେ ସେ ଯେତେବେଳେ ତାଙ୍କ ଆଞ୍ଜେଲ ପ୍ରିୟାଙ୍କ ପ୍ରକୃତ ଚେହେରା ଦେଖିଲେ, ତାଙ୍କ ହୋସ ଉଡ଼ିଗଲା । ଝାଳ ବୋହି ଆସିଲା ତାଙ୍କ ମଥାରୁ, ପାଟି ଖନି ମାରିଗଲା ଓ ଗୋଟେ ଶବ୍ଦ ବାହାରିଲା “ତମେ ?”
--“ହଁ, ମୁଁ ! ତମ ଆଞ୍ଜେଲ ପ୍ରିୟା । କଣ ସୁନ୍ଦର ନୁହେଁ ? ମୋଟୀ ଦିଶୁଛି ? ତମ ଘରବାଲୀ ଥାଉ ଥାଉ ମୁଁ କଣ ତମ ବାହାରବାଲୀ ହେବାର ଯୋଗ୍ୟ ନୁହେଁ ? ଆରେ ବ୍ୟସ୍ତ ହୁଅନି , ତମ ସ୍ତ୍ରୀ ସିନା ଅସୁନ୍ଦର ଦେଖାଗଲେ ବି ତା ସହ ପ୍ରେମର ନାଟକ କରିବାକୁ ପଡ଼େ , ହେଲେ ମୋ ସହିତ ନାଟକ କରିବାକୁ ପଡ଼ିବନି । ଚାରି ପାଞ୍ଚ ଥର ମଜା ଲୁଟାଇଲା ପରେ ଛାଡ଼ି ଦେଇ ପାର । ପୁଣି ଆଉ କାହାକୁ ଖୋଜିବ, ସ୍ତ୍ରୀ କଣ ଯାଣୁଚି ?”
--ଅନିଲଙ୍କ ମୁଣ୍ଡ କାମ କରିବା ବନ୍ଦ କରିଦେଇଥିଲା । କାରଣ ସେ ଯାହାକୁ “ଆଞ୍ଜେଲ ପ୍ରିୟା ” ଭାବୁଥିଲା ଆଉ ନିଜ ସ୍ତ୍ରୀର ଅଗୋଚରରେ ପ୍ରେମ କରିବାକୁ ଭାବୁଥିଲେ ସେ ଆଉ କେହି ନୁହନ୍ତି ବରଂ ତାଙ୍କ ନିଜ ସ୍ତ୍ରୀ ସ୍ନେହ ଓରଫ 'ସୁକୁଟି ସାହୁ' ।
--ସ୍ୱାମୀ ମନରେ ପ୍ରକୃତରେ ତା ପାଇଁ କେତେ ପ୍ରେମ ଅଛି, ତାର ପରୀକ୍ଷା ନେଉଥିଲା ସ୍ନେହ ଫେକ ଆକାଉଣ୍ଟ ଜରିଆରେ । ହେଲେ ଅନିଲ ଫେଲ ହୋଇଗଲେ ।
--କ୍ଷମା ମାଗିଲେ ଅନିଲ ହେଲେ ଏଭଳି ଧୋକା ପାଇଁ କଣ କ୍ଷମା ମିଳିପାରେ ? କାହାକୁ “ଆଇ ଲଭ ୟୁ ” କହିବା ସହଜ ହେଲେ ପ୍ରେମ କରିବା ଅତ୍ୟନ୍ତ କଷ୍ଟ । ପ୍ରେମର ଗଭୀରତା ଓ ପ୍ରେମିକାର ମହତ୍ତ୍ୱ ବୁଝିବା ଅତ୍ୟନ୍ତ ବାଞ୍ଛନୀୟ ।
--ଆଉ ଏପରି ଭୁଲ କରିବେ ନାହିଁ ବୋଲି ଅନିଲ କହୁଥିଲେ । ହେଲେ ସ୍ନେହ ରୋକ୍ ଠୋକ୍ ଶୁଣାଇଦେଲା, “ଜୀବନରେ କାହାର ବିଶ୍ୱାସ ଜିତିବାକୁ ହେଲେ ଶହେଟା ସତ କହିବାକୁ ପଡ଼େ, ହେଲେ ଗୋଟେ ମିଛ ସେ ଶହେ ସତ ଉପରେ ଭାରି ପଡ଼େ” ।
--ନିଜ ଝିଅର ଭବିଷ୍ୟତକୁ ଆଖି ଆଗରେ ରଖି କ୍ଷମା କରି ଦେଇଥିଲା ସ୍ନେହ । ହେଲେ ଯେଉଁ ସମ୍ପର୍କ ହୃଦୟରୁ ଭାଙ୍ଗି ସାରିଛି ସେ କେବଳ ଉପରଦେଖାଣିଆ ଛଡା ଆଉ କିଛି ନୁହେଁ ।
--ଆଉ ସେ ପୁରୁଣା ଭଲ ପାଇବା, ଆନ୍ତରିକତା ଅନିଲ ପାଇଲେ ନାହିଁ ସ୍ନେହ ଠାରୁ । ମନେ ମନେ ବହୁତ ସନ୍ତାପ କରନ୍ତି । ହୃଦୟ ଭାଙ୍ଗିଲା ପରେ ଭାଙ୍ଗିଥିବା ହୃଦୟ ପିଡ଼ା ବୁଝିପାରିଲେ ।
--ଫେସ୍ବୁକ୍ରେ ପ୍ରେମିକା ଖୋଜିବା ବନ୍ଦ ହୋଇ ଯାଇଥିଲା ଅନିଲଙ୍କର । ବର୍ତ୍ତମାନ ସେ ନିଜ ସ୍ତ୍ରୀ ଭିତରେ ନିଜ ପୁରୁଣା ସ୍ତ୍ରୀ କୁ ଖୋଜୁଥିଲେ । ବାସ୍, ନିଜ ସ୍ତ୍ରୀର ହେଇ ରହିଯିବାକୁ ଚାହୁଁଥିଲେ ସବୁଦିନ !
