Panchanan Jena

Tragedy

4.2  

Panchanan Jena

Tragedy

ଆଲୋ ମୋର କଣ୍ଢେଇ

ଆଲୋ ମୋର କଣ୍ଢେଇ

5 mins
12.1K


           


 


ଜ୍ୟେଷ୍ଠ ମାସର ଏକ ରବିବାରିଆ ଅଳସ ଅପରାହ୍ନ । କାଳବୈଶାଖି ବର୍ଷା ଝପେ ଅପରାହ୍ନରେ ହୋଇ ଛାଡି ଯାଇଛି । ବାପା ଧର୍ମାନନ୍ଦ ବାବୁ ବାହାରିଲେ ତାଳଚେର ମାର୍କେଟ । କାରଣ କରୋନା ଲକ୍ ଡାଉନ୍ ୪ ଚାଲିଛି । ସକାଳ ୬ଟାରୁ ସଧ୍ୟା ୬ଟା ଯାଏଁ କିଞ୍ଚିତ କୋହଳ ଗ୍ରୀନ ଜୋନରେ । ପାଗ ସରସ ଓ ଧୂଳି ମଳି ରହିତ । ବ୍ରାହ୍ମଣୀର ସୁଲୁସୁଲିଆ ଶୀତଳ ପବନ ବେଶ୍ ମତୁଆଲା ମାନିବ ।

ଅନ୍ୟ ଏକ ଦିଗ ବି ଥିଲା । ନୂଆ ଶିକ୍ଷାବର୍ଷ ଦୀର୍ଘ ଏପ୍ରିଲ ମାସରୁ ଆରମ୍ଭ ହୋଇଗଲାଣି । କିନ୍ତୁ କରେ।ନା ମହାମାରୀ ଲକଡାଉନ୍ ସଟ୍ ଡାଉନ୍ ଇତ୍ୟାଦିଙ୍କ ଡ଼ରରେ ସହର ବଜାର ଗାଁ ନଗର ସବୁ ବନ୍ଦ । ତେଣୁ ଏଭଳି କୋହଳ ସମୟରେ କଭର, ଷ୍ଟିକର , ଡ୍ରଇଁ ସିଟ୍ ଇତ୍ୟାଦି କିଛି କିଣି ଆଣିଲେ ଡିପିଏସ୍‌(ଦିଲ୍ଲୀ ପବ୍ଲିକ ସ୍କୁଲ ) ବଂଅରପାଳରୁ ମିଳିଥିବା ହତେ ବହି- ଖାତା ମଲାଟ ବାର୍ଷିକ ପର୍ବ ପରିକା ସରି ଯାଆନ୍ତା । କଣ ମୋଡ଼ା କାନ ମୋଡା ଅବାଗିଆ ଅସୁନ୍ଦରିଆ ରୂପରୁ ବିଚରା ମାନେ ବର୍ଷ ପର୍ଯ୍ୟନ୍ତ ତ୍ରାହି ପାଇଯାଆନ୍ତେ ।

ଶ୍ରୀମତୀ ସରିତା ଦେବୀ ବି ଆମର ବହୁତ ବଡ଼ ଯୋଗାଡିଆ । ଚିରାଚରିତ ଢଙ୍ଗରେ ଗୋଟେ ଚିଠା ଧରେଇ ଦେଲେ ସରାଗରେ । ମୁଖମଣ୍ଡଳରେ ମୁରୁକି ହସଟା ନୀରଦ କୋଳେ ଚପଳା ପରିକା ମାନୁ ଥିଲା ।

ଆର ଘରେ ବବି ଭାଇ ସହ କ୍ୟାରମ୍ ଖେଳୁଥିବା ଚାରି ବର୍ଷର କୁନି ଝିଅ ଝିଲ୍ଲୀ ( ଝରଣା) ଦୈଡ଼ି ଆସିଲା ଥୁକୁଲ ଥୁକୁଲ ପାହୁଣ୍ଡ ପକେଇ। ବାପାଙ୍କୁ କୁଣ୍ଢେଇ ଧରି କହିଲା ଅତି ସରାଗରେ----

" ବାପା ! ବାପା ! ମୁଁ ବି ଯାଇଥାନ୍ତି । ତୁମେ ସବୁ ବେଳେ ଭାଇ କୁ ଗାଡ଼ି ଆଗରେ ବସେଇ ଚଷମା ପିନ୍ଦେଇ ନେଉଛ । ଆଜି ମୋତେ ନିଅ ନା ! "

ଗେହ୍ଲୀ ଝିଅ ଝିଲ୍ଲୀ କଣ୍ଢେଇ ପରି ଲାଗୁଥିଲା । ତାର ଅନୁନୟ ବିନୟ ଅଭିଯୋଗ ବାପା ଧର୍ମାନନ୍ଦ ବାବୁଙ୍କ ପିତୃତ୍ଵକୁ ଦୋଛକିରେ ପକେଇ ଦେଲା। କଣ କରିବା । ମନରେ ହଁ ଓ ନାଁର ନିଷ୍ପତ୍ତି ନେବାକୁ ପାଣି ଗିଲାସେ ପିଇବାକୁ ହେଲା ।

ଶ୍ରୀମତୀଙ୍କ ତାଗିଦ୍ ଗୋଟିଏ ଦିଗରେ । ଅନ୍ୟ ଦିଗରେ କରେ।ନାର ଲେଲିହାନ ଶିଖା ପୂରା ବିଶ୍ଵକୁ ଆଣ୍ଠେଇ ଦେଲାଣି । ହଉ ହେଲା । 

କିଞ୍ଚିତ ଚିନ୍ତା କରି ଶେଷରେ ଝିଲ୍ଲୀକୁ ମାସ୍କ ପିନ୍ଦେଇ କଳା ଚଷମା ଲଗେଇ ହିରୋ ହୋଣ୍ଡା ଆଗରେ ବସେଇ ବାପ ଝିଅ ଉଡ଼ି ଚାଲିଲେ ତାଳଚେର ମାର୍କେଟ ସବୁ ଚିନ୍ତା ଚେତନାକୁ ଗ୍ରାଇଣ୍ଡର ଭଳି ପେଷି ଦେଇ । ବାପା ହେବାର ବିଭୋର ପଣ ପିତୃତ୍ଵର ନୈସର୍ଗିକ ଈଶ୍ଵରୀୟ ମହମହ ମହାନତା ତଥା କଣ୍ଢେଇ ଝିଅ ଝିଲ୍ଲୀର କରୁଣତା ଆଗରେ ଛାର ନାଚାର ଲାଗିଲା କରୋନାର ଡର ଧର୍ମାନନ୍ଦ ବାବୁଙ୍କୁ ।

ମଂଗଳା ମନ୍ଦିର ମୋଡରେ ଥିବା ବିଶ୍ଵାଳ ଗ୍ରୋସେରୀରେ ଚିଠା ଥମେଇ ଦେଲେ । ଗୋଟି ଗୋଟି ଜିନିଷ ଚିଠା ମିଳେଇ ଆଣିଲେ । ବାବାଜି ପାତ୍ର ବୁକ୍- ଷ୍ଟୋରରେ ସବୁ କଭର, ଷ୍ଟିକର , ବ୍ଲାକ୍ ଓ ବ୍ଲୁ ରଂଗର କଲମ ପ୍ୟାକେଟ୍ ଇତ୍ୟାଦି ଇତ୍ୟାଦି ମିଳିଗଲା । ପୁଣି ମୁନସିପାଲଟି ମାର୍କେଟ କମ୍ପ୍ଳେକସ୍‌ ସେ ଥିବା ସ୍କୁଲ ଟାଇମ୍ ଗଲେ ଓ ଝିଅର ନୂଆ ଡ୍ରେସ୍ ପାଇଁ ଅର୍ଡର ଦେଲେ ।

ମୁନସିପାଲିଟି ମାର୍କେଟ କମ୍ପ୍ଲେକସ ତଳକୁ ତିନି ଚାରିଟା ପାଣିପୁରି ଠେଲକୁ ଦେଖି କୁନି ଝିଅ ପାଣିପୁରି ଖାଇବାକୁ ଅଳି କଲା ଯିଦ୍ କଲା ହାତକୁ ଟାଣି ଧରି।

" କେତେ ଟଂକାରେ ଦେଉଛ ଭାଇ ! " -- ବାପା ପାଣିପୁରି ଠେଲାବାଲା ଭାଇକୁ ପଚାରିଲେ ।

" ୧୦ ଟଙ୍କାରେ ୭ ଟି ବାବୁ । " ପାଣି ପୁରି ଠେଲା ବାଲା ଭାଇ ହସି ହସି କହିଲା । କିନ୍ତୁ ହାତ ତାର କିଛି ନା କିଛି କାମରେ ବ୍ୟସ୍ତ ଥିଲା । 

ବାପାଙ୍କୁ ଜଣା ନ ଥିଲା ପାଣିପୁରିର ଦାମ୍ ଏତେ ବଢିଗଲାଣି ଏ ମହରଗ ଯୁଗରେ । ଯେତେବେଳେ ସେ ଖାଉଥିଲେ ୧ ଟଙ୍କାରେ ୪ ଟା ମିଳୁଥିଲା ଆଉ ସୁଖିଲାଟା ବୋନସ । ଖଟା ତେନ୍ତୁଳି ପାଣି ଦୁଇଗିନା ପୂରା ମାଗଣା । କୁଆଡେ ହଜିଗଲା ଉଡ଼ିଗଲା ସେହି କଲେଜ ପଢ଼ୁଆ ସୂର୍ଣ୍ଣ।ଭ ଦିନ ସବୁ ।

ବାପା ପ୍ୟାଣ୍ଟ ପକେଟରେ ହାତ ପୁରେଇଲେ । କିଛି ନାହିଁ । ଛାତି ପକେଟରେ ପୁଣି ହାତ ପସିଲା । ଟିପା ଖାତା ତଳେ କାଳେ କିଛି ମିଳିଯିବ । ପ୍ୟାଣ୍ଟ ପଛ ପଟେଟରେ ରୋମାଲ ସନ୍ଦିରୁ ୫ ଟଙ୍କା କଏନ୍ ଟିଏ ମିଳିଲା । ଅନ୍ୟ ସବୁ ଟଙ୍କା ଆବଶ୍ୟକ ଜିନିଷ କିଣିବାରେ ସରି ଯାଇଛି । ଏଟିଏମ୍ କାର୍ଡ ବି ଆଣିବାକୁ ଭୁଲି ଯାଇଛନ୍ତି । ବିପର୍ତ୍ତି କ'ଣ ଏକା ଆସେ କି ?

" ଭାଇ ! ଭାଇନା ! ଭାଇ ସାହାବ ! ୫ ଟଙ୍କାରେ ୧୦ ଟା ଦିଅ । ନୋହିଲେ ଖାଇବାନି । "

ଏହା ଶୁଣି କୁନି ଝିଅ ଝିଲ୍ଲୀ ମୁଁହ ହାଣ୍ଡି ପରିକା କରିଦେଲା । କପୋଥ କଥନ ବେଳେ ସେ ତାର ମିଞ୍ଜି ମିଞ୍ଜି ଆଖିରେ ସବୁ ଦେଖୁଥିଲା ଆଉ ନାକ ପୁଡାରେ ଖଟ୍ଟା ସୁବାସ ସବୁକୁ ଅର୍ଦ୍ଧ ଆଘ୍ରାଣ କରିସାରିଥିବା ବେଳେ ବାପାଙ୍କର ନାଁ ନାସିକା କୁଞ୍ଚନ ଦେଖି ତାର ଚନ୍ଦ୍ରଉଦିଆ ମୁଖମଣ୍ଡଳଟା ନିରାଶାରେ ଝାଉଁଳି ପଡ଼ିଲା । ଧେତ୍ ! କଣ ବା ସେ କରି ପାରିବ ବିଚାରୀ ।

ଚାଲରେ ଝିଅ । ଏତେ ଦାମିକା ପାଣିପୁରି ନେବାନି । ଘରେ ତୋ ବୋଉ ବନେଇ ଦେବ । ଏହା ଠାରୁ ବଡ଼ ବଡ଼ ଡାମୁକା ଡାମୁକା ଫୁଲୁକା ଫୁଲକା । ପୁଣି ଘରେ ତୋ ଭାଇ ସହିତ ଖାଇବୁ ।---- ଝିଅକୁ ବୁଝେଇ ବୁଝେଇ ଏମିତି କିଛି କହିଲେ ଧର୍ମାନନ୍ଦ ବାବୁ । କିନ୍ତୁ କପାଳରେ କୁଂଚିତ ରେଖା ସବୁ ଉକୁଟି ଉଠିଲେ ଅପାରଗ ପଣିଆର ଇସ୍ତାହାର ଭଳିଆ ।

" ଆରେ ଭାଇ ! କୁନି ଝିଅକୁ ଖାଇବାକୁ ଦିଅନ୍ତୁ । ଆଜି ଆପଣଙ୍କ ଘରେ ଅଛି ତେଣୁ ଜିଦ କରୁଛି । କାଲି ପରଘରକୁ ଯିବ । ଜଣା ନାହିଁ ସେଠାରେ ଯିଦ୍ କରି ପାରିବ ନା ନାହିଁ । ସେତେ ବେଳେ ଆପଣ ଝିଅର ଜିଦ୍ ପୂରଣ କରିବାକୁ ବ୍ୟସ୍ତ ବିବ୍ରତ ହେବେ । 

ଠେଲା ବାଲା ମେଞ୍ଚଡ ଟୋକାର କଥା ତ ତୀର ଭଳିଆ କ୍ଷୀପ୍ର ଗତିରେ ହୃଦୟକୁ କ୍ଷତ ବିକ୍ଷତ କଲା କିନ୍ତୁ କେଇ ପଦ କଥା ବଡ଼ ଝିଅ ମଲ୍ଲୀ ( ଝୁଲଣା ) କଥା ମନେ ପକେଇଦେଲା ।

ଆଜକୁ ୩ ବର୍ଷ ତଳେ ବଡ଼ ଝିଅ ମଲ୍କୀର ବାହାଘର ମେରାମଣ୍ଡଳୀର ଗୋଟେ ବଡ଼ ଧନାଢ୍ୟ ଖାନଦାନୀ ଘରେ କରେଇଥିଲେ ବଡ଼ ଜାକଜମକରେ । ପିଲାଟି ଭୁବନେଶ୍ଵର ପିଏମଜି ରେ ପୋଷ୍ଟ ମାଷ୍ଟର । ପରେ ଶାଶୁ ଶଶୁରଙ୍କର ମାଷ୍ଟରିଆଣୀ - ମାଷ୍ଟରିଆ ପେନସନ ୫୦ ହଜାର ମାସକୁ । ଅଚଳା ଅଚ଼ଳ ସମ୍ପତ୍ତି । ଦୁଇ ଭାଇ ।

ମାତ୍ର ପ୍ରଥମ ବର୍ଷରୁ ଛୋଟ ଛୋଟ କଥାକୁ ନେଇ ଝିଅକୁ କଷ୍ଟ ଯନ୍ତ୍ରଣା ଦେବାକୁ ଆରମ୍ଭ କଲେ । ଦୁଇ ବର୍ଷ ପର୍ଯ୍ୟନ୍ତ ସେ ପଇସା- ଟଂକା- ଡବଲ ଗହଣା ଗାଣ୍ଠି -ଲୁଗା -ଭାର -ବେଭାର ପର୍ବ ପୁଆଣିରେ ଦେଇ ଦେଇ ଥକି ଗଲେଣି । କିନ୍ତୁ ତାଙ୍କ ପେଟ ବି ବଢି ବଢି ଚାଲିଥିଲା । ଆଉ ଶେଷରେ ଦିନେ ଖବର ଆସିଲା କି ଝିଅ ମଲ୍ଲୀ ସିଡ଼ିରୁ ଖସିପଡ଼ି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହିତ ଯୁଦ୍ଧ କରୁଛି । ତାଙ୍କରି ଆଖି ଆଗରେ ଝିଅର ପ୍ରାଣବାୟୁ ଚାଲିଗଲା । କିଛି କରି ପାରି ନ ଥିଲେ ସେ ଦିନ । କର୍ମକୁ ଆଦରି ଧର୍ମକୁ ଆବୋରି ସେ ନିଜକୁ ବୁଝେଇ ଦେଇଥିଲେ । କିନ୍ତୁ ମଲ୍ଲୀର କରୁଣ ତୋଫା ଜହ୍ନ ପରି କା ସଫା ସଫା ମୁଁହ ଦିଶିଗଲେ ସେ ନିଜକୁ ସମ୍ଭାଳି ପାରନ୍ତିନି ।

ଆଜି ବି ଧର୍ମାନନ୍ଦ ବାବୁ ଭାବନ୍ତି ତାଙ୍କ କୋଡ଼ ଘସିଆ ବଡ଼ ଝିଅ ମଲ୍ଲୀ ତାଙ୍କ ପାଖକୁ ଫେରି ଆସନ୍ତା କି ? ଆଉ ସେ ବାଛି ବାଛି ସୁନା ଝିଅର ଅଧୁରା ସ୍ବପ୍ନକୁ ଇଚ୍ଛାକୁ ସାକାର କରିବାକୁ ଜୀବନକୁ ବାଜି ଲଗେଇ ଦିଅନ୍ତେ । କିନ୍ତୁ ସେ ଜାଣନ୍ତି ତାଙ୍କର ସେ ଆକାଶ କୁସୁମ ଇଚ୍ଛା କେବେ ବି ଫଳବତୀ ହେବନି ? 

" ଦେବି କି ସାର ! " -- ଠେଲା ବାଲା ୧୮ କି ୨୦ ବର୍ଷର ରୁଗଣା ପତଳା ଟୋକାର ଆବାଜ୍ ଶୁଣି ଧର୍ମାନନ୍ଦ ବାବୁଙ୍କ ତନ୍ଦ୍ରା ତୁଟିଲା ।

" ରହି ଯା ଭାଇ ! ପାଞ୍ଚ ମିନିଟ । "

ବାପା ପାଖରେ ଥିବା ବିଶ୍ଵାଳ ଗ୍ରୋସରୀ ଦୋକାନକୁ ଗଲେ । ପାଞ୍ଚ କଲେ। ଚିନିରୁ ଗୋଟେ କେଜି ନେବାକୁ କହିଲେ ଆଉ ୪୦ ଟଂକା ନେଇ ଆସିଲେ ।

ପୁଣି ପାଣିପୁରି ଠେଲା ପାଖକୁ ଆସି ହର୍ଷ ଉଲ୍ଲାସରେ ଭରାମନ ମୁଗ୍ଧତାରେ କେରା କେରା ପାରିବା ପଣରେ ଗଦ୍ ଗଦ୍ ହସହସ ମୁଁହରେ ବାପା ଓ କହିଲେ---

" ଦିଅ ଭାଇ ଦିଅ ! ରାଗ ଟିକେ କମ କରିବ । ଝିଅ ଆମର ଅଳିଅଳି ।"

ଏ କଥା ଶୁଣି ମନ ମରି ଯାଇଥିବା ଚାରି ବର୍ଷର କୁନି ଝିଅ ଝିଲ୍ଲୀର ଆଖିରେ ବିଜୁଳି ଖେଳିଲା । ବାପାଙ୍କ ହାତକୁ ଯୋରରେ ଧରି ପକେଇଲା । ଦୁହିଙ୍କ ଆଖି ମିଶିଲା ଗୋଟ ସୁଖାନ୍ତକ ଅନୁଭବକୁ ନେଇ ।

ବାପା ଦେଖୁଥିଲେ ହାତରେ ଶାଳପତ୍ର ଠୁଙ୍ଗା ଧରି ଆମ ଗେହଲ୍ଲୀ ଝିଲ୍ଲୀ ପାଣିପୁରି ଖୁସିରେ ମସ୍ତିରେ ପୁରିଲା ପୁରିଲା ଗାଲକୁ ଦେଖେଇ ଖାଉନି ବରଂ ଅଜଣା ଦେଶର ଅଲିଅଳି ରାଜଜେମା କି ? ଆମ କଣ୍ଢେଇକୁ ସାହା ହୋଇଥିବୁ ଲୋ ମା' ହିଙ୍ଗୁଳା ।





Rate this content
Log in

Similar oriya story from Tragedy